Unknown

 

 

 

 

 

 

 

 

 

୧୬୮ତମ ସଂଖ୍ୟା କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

୧୬୮ ତମ ସଂଖ୍ୟା କୋଣାର୍କ ୧୯୮୮

 

ସମ୍ପାଦକ ମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

 

ଓଡିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ଵର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର-୭୫୧୦୧୪

ଫୋନ/ଫାକ୍ସ-୨୪୩୧୮୪୦

 

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ ।

ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

ମୁଦ୍ରଣ

ଓଡ଼ିଶା ପ୍ରିଣ୍ଟିଂ ଓ୍ୱାର୍କ୍ସ

ମହମଦିଆ ବଜାର, କଟକ–୭୫୩୦୦୨

 

ମୂଲ୍ୟ: ଟ.୩୦.୦୦ (ତିରିଶ ଟଙ୍କା ମାତ୍ର)

ବାର୍ଷିକ ଗ୍ରାହକ ଦେୟ ଟ. ୧୫୦.୦୦ (ଏକଶହ ପଚାଶ ଟଙ୍କା ମାତ୍ର)

 

KONARK

A quarterly Literary Journal

 

Published by

ORISSA SAHITYA AKADEMI

Sanskruti Bhavan, Bhubaneswar-751014

 

Issue Price : Rs. 30.00 (Rupees Thirty only)

Annual Subscription : Rs. 150.00 (Rupees One hundred fifty only)

 

ସୂଚୀ

 

ସମ୍ପାଦକୀୟ

୧.

ଗଙ୍ଗାଧର-ସାହିତ୍ୟରେ ବିଜ୍ଞାନ

ଭୋଜରାଜ ସ୍ୱାଇଁ

୨.

କବି ଅନନ୍ତ ପଟ୍ଟନାୟକ: ଓଡ଼ିଶାର

ପ୍ରଗତିଶୀଳ ସାହିତ୍ୟର ଆଦ୍ୟ ପ୍ରବର୍ତ୍ତକ

ସନ୍ତୋଷ ତ୍ରିପାଠୀ

୩.

ଗଣକବିଙ୍କ ସାହିତ୍ୟରେ ରସଧାରା

ଅଭୟ କୁମାର ରାଉତ

୪.

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର

କଳାତ୍ମକ ସୃଜନାଦର୍ଶ

ବୀଣାପାଣି କର

୫.

ମଧ୍ୟଯୁଗୀୟ ଓଡ଼ିଆ ଓ ବଙ୍ଗଳା ସାହିତ୍ୟର

ତୁଳନାତ୍ମକ ଅଧ୍ୟୟନ

ଅକ୍ଷୟ କୁମାର ପାଣିଗ୍ରାହୀ

୬.

ନାକଟା ଚିତ୍ରକରର ସୌନ୍ଦର୍ଯ୍ୟ

ବିରଞ୍ଚି ସାହୁ

୭.

ବସୁ ମାଷ୍ଟ୍ରେ : ଏକ ପ୍ରଣତି

ଦୁର୍ଗାପ୍ରସନ୍ନ ପଣ୍ଡା

୮.

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଭଦ୍ରକ

ଅଞ୍ଚଳର ବିଶେଷ ଦୃଷ୍ଟିପାତ

ମନୀନ୍ଦ୍ର ମହାନ୍ତି

୯.

ଶ୍ରୀଜଗନ୍ନାଥ ମନ୍ଦିରସ୍ଥ ବେଢ଼ାରେ

କପିଳେନ୍ଦ୍ରଦେବଙ୍କ ରାଜତ୍ୱର ଅଭିଲେଖ

ସୁନୀତା ବେହେରା

୧୦.

ରୋମାଣ୍ଟିକ କାବ୍ୟାନୁଭବ ବନାମ

ବିନୋଦ ନାୟକଙ୍କ କବିତା

ଜ୍ଞାନ ରଂଜନ ପଣ୍ଡା

୧୧.

ଓଡ଼ିଆ ଶିଶୁ ସାହିତ୍ୟରେ ଅନୁବାଦ ଧାରା

ଲାବଣ୍ୟଚନ୍ଦ୍ର ସାହୁ

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ବନ୍ଧୀୟ ବିବରଣୀ ।

 

 

ଚତୁର୍ଥ ପ୍ରପତ୍ର (ନିୟମ- ୮ ଦ୍ରଷ୍ଟବ୍ୟ)

୧.

ପତ୍ରିକାର ନାମ

:

କୋଣାର୍କ

୨.

ପଞ୍ଜିକରଣ ସଂଖ୍ୟା

:

ଆର.ଏନ.୪୦୪୭/୫୮

୩.

ଭାଷା

:

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

:

ତ୍ରୈମାସିକ

୫.

ମୂଲ୍ୟ

:

ଟ.୩୦.୦୦ (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

:

ଶ୍ରୀ ବିଜୟ କୁମାର ନାୟକ

୭.

ରାଷ୍ଟ୍ରୀୟତା

:

ଭାରତୀୟ

୮.

ଠିକଣା

:

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

:

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

:

ଭାରତୀୟ

 

ଠିକଣା

:

ଓଡ଼ିଶା ପ୍ରିଣ୍ଟିଂ ଓ୍ୱାର୍କ୍ସ ମହମଦିଆ ବଜାର,

କଟକ

୮.

ସମ୍ପାଦକଙ୍କ ନାମ

:

ଶ୍ରୀ ବିଜୟ ନାୟକ

 

ରାଷ୍ଟ୍ରୀୟତା

:

ଭାରତୀୟ

 

ଠିକଣା

:

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର–୧୪

୯.

ମୁଦ୍ରଣ ସ୍ଥାନ

:

ଓଡ଼ିଶା ପ୍ରିଣ୍ଟିଂ ଓ୍ୱାର୍କ୍ସ

 

ମହମଦିଆ ବଜାର, କଟକ

 

 

୧୦.

ସତ୍ୱ

:

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

 

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର

ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପେରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ

 

ଏ ସୃଷ୍ଟିରେ ଫୁଲମାନେ ନ ଥିଲେ କାହାରି କିଛି କ୍ଷତି ହୋଇଥା’ନ୍ତା କି ? ବା ଅନ୍ୟ ଭାଷାରେ କହିଲେ, ଫୁଲମାନେ କ’ଣ ଆମର କିଛି କାମରେ ଲାଗନ୍ତି ? ଏମିତି ପ୍ରଶ୍ନଟିଏ ଅନେକ ସମୟରେ ଅନେକଙ୍କର ବାଟ ଓଗାଳେ । ଏହାର ଉତ୍ତର ନିଶ୍ଚିତ ନା । କାରଣ ଫୁଲମାନେ ମଣିଷ ପାଇଁ ଅପରିହାର୍ଯ୍ୟ ନୁହଁନ୍ତି । ବରଂ ଆଳୁ, ବାଇଗଣ, ସାରୁ, କଖାରୁ, ଆମର ଭାରି ଦରକାରୀ । ଏସବୁ ବିନା ଯେ ଉଦର ଅସ୍ଥିର । ସେମିତି ପ୍ରଜାପତିମାନଙ୍କ କଥା । ସେମାନେ ନ ଥିଲେ ସୃଷ୍ଟି ଓଲଟି ପଡ଼ିଥା’ନ୍ତା କି ? ଆମେ ସେମାନଙ୍କୁ କ’ଣ ଲୋଡ଼ୁ ? ଏହାର ଉତ୍ତର ମଧ୍ୟ ନକାରାତ୍ମକ । କୁକୁଡ଼ାମାନଙ୍କ ବିନା ସିନା ଆମ ଜୀବନଯାପନ ଅସମ୍ଭବ ! କାରଣ କୁକୁଡ଼ାମାନେ ସ୍ୱାଦିଷ୍ଟ ବ୍ୟଞ୍ଜନ ଭାବରେ ଆମ ରସନାକୁ ତୃପ୍ତ କରନ୍ତି । ହେଲେ ଫୁଲରୁ ଫୁଲ ଉଡ଼ି ବୁଲୁଥିବା ଏହି ପ୍ରଜାପତିମାନେ ଥିଲେ କେତେ, ନ ଥିଲେ କେତେ ! କାହାର କି ଗରଜ ସେମାନଙ୍କଠାରେ !

 

କିନ୍ତୁ ଫୁଲ ଓ ପ୍ରଜାପତିମାନେ ନ ଥିବା ଗୋଟେ ସୃଷ୍ଟି ବିଷୟରେ ଭାବିଲେ କାହିଁକି କେଜାଣି ଭାରି ଉଦାସ ଲାଗେ । ଫୁଲ ଓ ପ୍ରଜାପତିମାନଙ୍କ ବିନା ସୃଷ୍ଟି କ’ଣ ସମ୍ପୂର୍ଣ୍ଣ ହୋଇପାରିବ-? ଆହା- କେଡ଼େ ଗଦ୍ୟମୟ ମନେ ନ ହୁଅନ୍ତା ଏ ବସୁନ୍ଧରା ଫୁଲ ଓ ପ୍ରଜାପତିମାନଙ୍କ ଅନୁପସ୍ଥିତିରେ ! ସେମିତି ଯଦି କଦାଚିତ ମେଘ ଫାଙ୍କରେ ‘ଇନ୍ଦ୍ରଧନୁର’ ମୁହଁ ଦିଶୁ ନ ଥା’ନ୍ତା, ଯଦି ନଥା’ନ୍ତା ‘ମଳୟ’ ବା ‘ମର୍ମର’ ଅଥବା କୁଆଁରୀ ନଈର ଲାସ୍ୟ, ପୁଣି ନ ଥା’ନ୍ତା ଯଦି ରଙ୍ଗ ବା ସୁଗନ୍ଧ ଚିର ବୈଧବ୍ୟରେ ଜୁଡ଼ୁବୁଡ଼ୁ ହୋଇନଥାନ୍ତା କି ଏ ପ୍ରିୟ ପୃଥିବୀ ?

 

ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଗୀତ ପୁଣି ଚିତ୍ରକଳା ଅବା ଭାସ୍କର୍ଯ୍ୟ ଏସବୁ କ’ଣ ଜୀବନଧାରଣ ପାଇଁ ଅବଶ୍ୟମ୍ଭାବୀ ? କଦାପି ନୁହେଁ ।

 

ମଣିଷ ଏବେ ଏକ ବିଚିତ୍ର ବିଶ୍ୱରେ ବସବାସ କରୁଛି; ଏକ ଅଦ୍ଭୁତ ସମୟ ମଧ୍ୟ ଦେଇ ଗତି କରୁଛି । ଏଠି ବେଗ ଆବେଗକୁ ଆକ୍ରାନ୍ତ କରିଛି ତା ଜୀବିକା ଜୀବନକୁ ଆଚ୍ଛନ୍ନ କରିଛି । ବିଜ୍ଞାନ କ୍ଷତାକ୍ତ କରିଛି ବିଶ୍ୱାସକୁ । ବାଣିଜ୍ୟ ସମଗ୍ର ବିଶ୍ୱକୁ ରୂପାନ୍ତରିତ କରିଛି ଏକ ବିପ୍‍ଣୀରେ ।

 

ବିଶ୍ୱ ଆଜି ବିଜ୍ଞାନମୟ । ବିଜ୍ଞାନ ଜୀବନର ଆଧାରଶିଳା । ମଣିଷର ପ୍ରତିଟି ସ୍ପନ୍ଦନରେ ବିଜ୍ଞାନ । ସୁଖସ୍ୱାଚ୍ଛନ୍ଦ୍ୟରେ ବିଜ୍ଞାନ, ଆପଦ ବିପଦରେ ବିଜ୍ଞାନ । ଗତି, ପ୍ରଗତି, ଅଗ୍ରଗତିର ବାହକ ବିଜ୍ଞାନ । ବିଜ୍ଞାନ ଆର୍ତ୍ତତ୍ରାଣ । ବିଜ୍ଞାନ ଅରୂପର ରୂପ । ଜୀବନର ପ୍ରଶ୍ୱାସ । ପୃଥିବୀର ପୁଣ୍ୟ ଗନ୍ଧବହ । ଚକର ଉଦ୍ଭାବନଠାରୁ ଚନ୍ଦ୍ର ବିଜୟ ପର୍ଯ୍ୟନ୍ତ ବିଜ୍ଞାନର ଅଭିଯାତ୍ରା ଦୁର୍ବାର । ବିଜ୍ଞାନ ବିହୀନ ବିଶ୍ୱ ଅପରିକଳ୍ପନୀୟ । ମୁହୂର୍ତ୍ତକ ପାଇଁ ଆଧୁନିକ ଜୀବନଯାପନ ଅସମ୍ଭବ ବିଜ୍ଞାନ ବ୍ୟତିରକେ ।

 

ବାଣିଜ୍ୟ ବିନା ବି ସମକାଳର ବିଶ୍ୱ ବିକଳାଙ୍ଗ । ବିଶ୍ୱାୟନ ଦୃଷ୍ଟିରେ ପୃଥିବୀ ଗାଁଟିଏ । ଗ୍ଲୋବାଲ ଭିଲେଜ । ବିଶ୍ୱର ଗୋଟିଏ ପ୍ରାନ୍ତର ଘଟଣା ଅନ୍ୟ ପ୍ରାନ୍ତରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ ? ମିନିଟଏ ବା ଦୁଇ ମିନିଟରୁ ଅଧିକ ତ ନୁହେଁ । ସୂଚନା ବିଜ୍ଞାନ ସେଥିପାଇଁ ଧନ୍ୟବାଦାର୍ହ । ପୃଥିବୀର ଗୋଟିଏ ମୁଣ୍ଡରୁ ଆଉ ଗୋଟିଏ ମୁଣ୍ଡରେ ପହଞ୍ଚିବା ପାଇଁ କେତେ ସମୟ ଲୋଡ଼ା ? ଦିନେ ବା ଦୁଇଦିନ । ଧନ୍ୟ କହିବା ଉର୍ଦ୍ଧ୍ୱ ଉଡ଼ାଣର କ୍ଷିପ୍ରତାକୁ । ଭ୍ରାମ୍ୟଭାଷ, ଇଣ୍ଟରନେଟ, ଦୂରତାର ଅର୍ଥ ବଦଳାଇ ଦେଇ ନାହିଁ କି ? ପୃଥିବୀ ଯେମିତି ଛୋଟ ମୋର ଗାଁଟି । ଆଖି ଆଗରେ ଆରମ୍ଭ ଓ ଶେଷ; ନଖ ଦର୍ପଣରେ ତା’ର ଚେହେରା, ଚୌହଦୀ ।

 

କିନ୍ତୁ ଯାହା ପ୍ରତୀୟମାନ ହୁଏ, ତାହା ଅନେକ ସମୟରେ ସତ୍ୟ ନୁହେଁ, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପରି । ଭୌତିକ ଦୂରତା ସିନା ହ୍ରାସ ପାଇଛି, ହେଲେ ମାନସିକ ଦୂରତା ମାପିବା ପାଇଁ ଆଜି କାହାର ବା ସାମର୍ଥ୍ୟ ଅଛି ? ଦେଶ ଦେଶ ଭିତରେ ଦୂରତା ତ ରାଜ୍ୟ ରାଜ୍ୟ ମଧ୍ୟରେ ଦୂରତା-। ଗାଁ ସହର ଭିତରେ ବ୍ୟବଧାନ ପୁଣି ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଫାଟ । ବାପ ପୁଅଠାରୁ ଦୂରେଇ ଗଲାଣି ତ ସ୍ୱାମୀଠାରୁ ସ୍ତ୍ରୀ । ସର୍ବୋପରି ନିଜଠାରୁ ନିଜେ ଦୂରେଇ ଯାଉଛି ମଣିଷ ।

 

ସକାଳରୁ ସଞ୍ଜ ବା ନିଶାର୍ଦ୍ଧ ପର୍ଯ୍ୟନ୍ତ ଏକ ବିରାମହୀନ ଧାଁ ଦୌଡ଼ର ନାଁ ବୋଧହୁଏ ଜୀବନ । ବିଂଶ ଶତାବ୍ଦୀର ମଧ୍ୟକାଳରେ ଯାହା ଲେଖିଥିଲେ ଟି.ଏସ୍., ଏଲିଅଟ, ଆଜି ମଧ୍ୟ ତାହା ଲାଗେ ଖୁବ୍ ପ୍ରାସଙ୍ଗିକ, ‘‘ହ୍ୱାଟ ଇଜ୍ ଦ ଲାଇଫ୍ ଇଜ୍ ଲଷ୍ଟ ଇନ୍ ଲିଭିଂ, ହ୍ୱାଟ ଇଜ୍ ଦ ଓ୍ୱିଜଡମ୍ ଇଜ୍ ଲଷ୍ଟ ଇନ୍ ନଲେଜ୍ ଆଣ୍ଡ ନଲେଜ ଇନ ଇନଫର୍ମେଶନ ।’’ ଜୀବନ ବଞ୍ଚିରହିବା ଭିତରେ ହଜି ଯାଉଛି ତା ଜ୍ଞାନ ବିଜ୍ଞାନ ସୂଚନା ମଧ୍ୟରେ ସୀମିତ ।

 

ପ୍ରମାଣ ବିଜ୍ଞାନର ପ୍ରାଣ ତ ପ୍ରତିଯୋଗିତା ବାଣିଜ୍ୟର ବାଇବେଲ । କିନ୍ତୁ ମଣିଷର ଜୀବନ ପ୍ରମାଣ ଓ ପ୍ରତିଯୋଗିତାଠାରୁ ଅନେକ ଦୂରରେ । ଏଇଠି ତେଣୁ ବିଜ୍ଞାନ ସହିତ ବିଶ୍ୱାସର ସଂଘର୍ଷ । ଜଳ, ସ୍ଥଳ, ବନ, ଗିରି, ଆକାଶ ବିଶ୍ୱାସରେ କୃଷ୍ଣମୟ । ଏହା କିନ୍ତୁ ପ୍ରମାଣସିଦ୍ଧ ନୁହେଁ । ବିଜ୍ଞାନ ଦୃଷ୍ଟିରେ ଏ ସମସ୍ତ ସ୍ଥୁଳ ପ୍ରକୃତି । ନିୟମରେ ବନ୍ଧା, ଗଣିତ ମଧ୍ୟରେ ଆବଦ୍ଧ । ପ୍ରହ୍ଲାଦ ଓ ହିରଣ୍ୟକଶିପୁର ଦୃଷ୍ଟିଭଙ୍ଗୀ କାଳେ କାଳେ ବିଜ୍ଞାନ ଓ ବିଶ୍ୱାସ ମଧ୍ୟରେ ଥିବା ନିତ୍ୟ ସଂଘାତର ଶାଶ୍ୱତ ଅବତାରଣା । ସମସ୍ତ ଭୌତିକ ସୁଖସ୍ୱାଚ୍ଛନ୍ଦ୍ୟର ହେତୁ ବିଜ୍ଞାନ ମଣିଷର ଆଧିଭୌତିକ ଚେତନାକୁ ବିଦୀର୍ଣ୍ଣ କରୁଛି ପ୍ରତି ମୁହୂର୍ତ୍ତରେ ।
 

ବାଣିଜ୍ୟ ପ୍ରତିଯୋଗିତାର କଥା କହେ । ଜୀବନ କିନ୍ତୁ ସହଯୋଗୀତା ଉପରେ ପର୍ଯ୍ୟବେସିତ । ମୂଲ୍ୟ ହି ବାଣିଜ୍ୟର ମୂଳଦୁଆ କିନ୍ତୁ ମୂଲ୍ୟେବୋଧ ଜୀବନର ଉତ୍ତର ମାର୍ଗ । ବାଣିଜ୍ୟ ହିସାବନିକାଶ, ଲାଭକ୍ଷତିର ସିଧା ଫର୍ଦ୍ଦ। ଜୀବନ କିନ୍ତୁ ଅଙ୍କାବଙ୍କା ନଈ, ଯାହା ସ୍ନେହସିକ୍ତ, ପ୍ରବଣତାରେ ପୂର୍ଣ୍ଣଗର୍ଭା । ଜୀବନ କ’ଣ କେବେ ବିପଣୀ ହୋଇପାରିବ ? ବିପଣୀ ସୌଦାଗରର ସ୍ୱପ୍ନ, ଜୀବନ ସ୍ୱପ୍ନର ସୌଦାଗର ।

 

ବିଜ୍ଞାନ ଓ ବାଣିଜ୍ୟର ବନ୍ଧନୀ ମଧ୍ୟରେ ମଣିଷ ଆଜି ଅସହାୟ । ତଥ୍ୟର ଅର୍ଗଳିରେ ତତ୍ତ୍ୱ ବାଟବଣା, ଗଣିତର ସାରଣିରେ ବନ୍ଦୀ ଭାବପ୍ରବଣତା । ଜହ୍ନିଫୁଲ ବା ଜହ୍ନରାତି, ପକ୍ଷୀର କାକଳି ଅବା ଭିଜା ମାଟିର ଗନ୍ଧ ଆଉ ମଣିଷ ମନରେ ଶିହରଣ ଖେଳାଉ ନାହିଁ । କଳ୍ପନା-ବିଳାସ ପାଲଟିଛି ଅପଦାର୍ଥର ଅବାସ୍ତବ ଅନୁଭବ । ସ୍ୱପ୍ନ ଦେଖିବା ଏଠି ନିର୍ବୋଧତା, ସ୍ୱର ବା ଶବ୍ଦର ଅନ୍ୱେଷଣ ତୁଚ୍ଛା ପାଗଳାମି । ବ୍ୟବସାୟିକ ବୁଦ୍ଧି ଓ ବିଜ୍ଞାନର ବସ୍ତୁନିଷ୍ଠ ଦୃଷ୍ଟି ନିକଟେର ସର୍ଜନଶୀଳତା ଅଲୋଡ଼ା, ଅବାନ୍ତର । ସାମ୍ପ୍ରତିକ ବିଚାରରେ ବିଶ୍ୱର ପ୍ରଗତିରେ ସଂସ୍କୃତିର ଅବଦାନ ନଗଣ୍ୟ, ବାଧକ ମଧ୍ୟ । ଏପରିକି ଅଗ୍ରଗତିକୁ ପଛକୁ ଟାଣେ ଅଯଥା ଭାବ ପ୍ରବଣତା, ଅତୀତପ୍ରୀତି ଓ ସୃର୍ଜନ-ମନସ୍କତା । ସୁତରାଂ ବିଜ୍ଞାନ ଓ ବାଣିଜ୍ୟର ମହାସାମ୍ରାଜ୍ୟରେ କଳାର ସ୍ଥିତି ଗୌଣ୍ୟ, ଅପାଠକ୍ତେୟ କବିପଣ ।

 

ବିଜ୍ଞାନ ଓ ବାଣିଜ୍ୟ ମାନବଜାତିର ଅଲକ୍ଷ୍ୟରେ ସଭ୍ୟତାର ସନ୍ତୁଳନକୁ ଓଲଟପାଲଟ କରି ଚାଲିଛନ୍ତି । ଏହା ଯେକେହି ସାନ୍ଧ୍ର ଦୃଷ୍ଟିରେ ଲକ୍ଷ୍ୟ କରି ପାରିବେ । ବିଦ୍ୱାନମାନେ କହନ୍ତି ମଣିଷ ମସ୍ତିଷ୍କର ବାମଭାଗରେ ବୌଦ୍ଧିକ କୋଠରି ବିଦ୍ୟମାନ, ଦକ୍ଷିଣ ପାର୍ଶ୍ୱରେ ସର୍ଜନ କକ୍ଷର ସ୍ଥିତି । କିନ୍ତୁ ବିଗତ କେତେ କାଳ ଧରି ମଣିଷ ତା’ ମସ୍ତିଷ୍କର ବାମାଂଶକୁ ବହୁଳ ଭାବରେ ବ୍ୟବହାର କରୁଥିବା ସ୍ଥଳେ ଦକ୍ଷିଣାଂଶର ବ୍ୟବହାର ଧିରେ ଧିରେ କମିକମି ଆସୁଛି । ବିଜ୍ଞାନ, ବାଣିଜ୍ୟ ଓ ପ୍ରଯୁକ୍ତି ବିଦ୍ୟା ମଣିଷକୁ ବିଦ୍ୟା, ବୁଦ୍ଧି, ପ୍ରମାଣ, ବିତର୍କ, ଯୌକ୍ତିକତା ସର୍ବୋପରି ପ୍ରାୟୋଗିତ ଜ୍ଞାନକୌଶଳର ନିକଟତର କରିଛନ୍ତି । ସୁତରାଂ ମଣିଷ ମସ୍ତିଷ୍କର ବାମଭାଗଟି ହୋଇଛି ସର୍ବାଧିକ ଗତିଶୀଳ । କିନ୍ତୁ ଦକ୍ଷିଣ ଭାଗଟିର ଅବସ୍ଥା କ’ଣ ? ବିଭୋରତା, କଳ୍ପନା ବିଳାସ ଓ ସୁକୁମାରପଣ ଅଭାବରେ ଦକ୍ଷିଣଭାଗକୁ ଅର୍ଥବର୍ତା ଗ୍ରାସକଲାଣି । ଜୀବନ୍ମତ ଅବସ୍ଥାରେ ପଡ଼ି ରହିଛି ମଣିଷ ମନ ଗହନର ସୁକ୍ଷ୍ମତା, ଲାଳିତ୍ୟ, ଗୀତିମୟତା ଓ ସୌନ୍ଦର୍ଯ୍ୟବୋଧ । ଏପରି ଏକ ସମୟ ଆସିପାରେ ଯେତେବେଳେ ବିଜ୍ଞାନୀ ମଣିଷଟି ତା’ର ମସ୍ତିଷ୍କର ଦକ୍ଷିଣଭାଗଟି ଆଦୌ ବ୍ୟବହାର କରିବ ନାହିଁ ।

 

ସେପରି ଏକ ସମ୍ଭାବ୍ୟ ସମୟରେ ସର୍ଜନଶୀତଳାର ମୃତ୍ୟୁ ଅବଶ୍ୟମ୍ଭାବୀ ।

 

କିନ୍ତୁ ସେହି ସମ୍ଭାବ୍ୟ ଦୁଃସମୟକୁ ହୁଏତ ଆସିବାକୁ କେବେ ବି ଦେବ ନାହିଁ ମଣିଷ ଜାତି-

 

ସିଂହ ଓ ଶୃଗାଳମାନଙ୍କ ମୁଲକରେ ପ୍ରଜାପତିମାନଙ୍କ ପାଇଁ ଚାଖଣ୍ଡେ ଜାଗାର ଅଭାବ ନାହିଁ । ସୃଷ୍ଟିର ଅଲଂଘ୍ୟ ନିତ୍ୟନିୟମତାରେ କଢ଼ିମାନେ ଅବଶ୍ୟ ଫୁଲହୋଇ ଫୁଟୁଥିବେ ଚିରକାଳ । ମଳୟର ଗତିରୋଧ କରିବାକୁ ସମର୍ଥ କି କେଉଁ ଈଶ୍ୱର ବା ଅଧୀଶ୍ୱର ? ଆକାଶର ସିଲହଟରୁ କେହି ପୋଛି ଦେଇ ପାରିବକି ଇନ୍ଦ୍ରଧନୁର ବିଚିତ୍ର ଚିତ୍ରପଟ ? ଅନ୍ନମନସ୍କ ମଣିଷ ସବୁ ସମୟ ପାଇଁ ପଛ କରି ପାରିବ କି ଜହ୍ନକୁ, ଜୋଛନାକୁ ? ସେମିତି ବିଜ୍ଞାନୀ ମସ୍ତିଷ୍କ ନା ଅସ୍ୱୀକାର କରିପାରିବ ହୃଦୟକୁ ନା ସ୍ପନ୍ଦନକୁ । ବୁଦ୍ଧି କ’ଣ କେବେ ନିରସ୍ତ୍ର କରିପାରିବ ସ୍ୱପ୍ନକୁ ? ପ୍ରମାଣ କି କେବେ କଳ୍ପନା ବିଳାସକୁ ପ୍ରତିହତ କରିପାରିବ ? ନା ଯୌକ୍ତିକତା ମ୍ଳାନ କରିପାରିବ ଅନୁରାଗର ଅରୁଣିମାକୁ ? ବିପ୍‍ଣୀର ଚାକଚକ୍ୟରେ କେବେ ବି ହଜିଯିବ ନାହିଁ ସଙ୍ଗୀତର ମଧୁର ମୂର୍ଚ୍ଛନା । ବିଜ୍ଞାନ ସର୍ଜନାର ସ୍ୟାହିସ୍ରାବ, ନୁପୂରର ନିକ୍ୱଣ, ତୁଳୀ ଓ ନିହାଣର ନାନ୍ଦନିକତାକୁ କେବେ ବି ଆକଟ କରି ପାରିବ ନାହିଁ ।

 

ବିଜ୍ଞାନ ବିଶ୍ୱର ସବୁଯାକ ବିସ୍ମୟକୁ ଉନ୍ମୋଚନ କରିବାକୁ ଅସମର୍ଥ । ସେମିତି ବିପ୍‍ଣୀ ବି ସମର୍ଥ ନୁହେଁ ମଣିଷର ସବୁତକ ଚାହିଦା ପୂରଣ କରିବା ପାଇଁ । ବିଜ୍ଞାନ ଓ ବାଣିଜ୍ୟର ଏହି ଅସାମର୍ଥ୍ୟ ବିଶ୍ୱ ବ୍ରହ୍ମାଣ୍ଡକୁ, ମଣିଷର ମନସ୍ତତ୍ୱକୁ ତଥାପି ରହସ୍ୟାବୃତ କରି ରଖିଛି । ରହସ୍ୟର ସେହି ବଳୟ ଭିତରେ ଫୁଲ, ପ୍ରଜାପତି ଓ ଇନ୍ଦ୍ରଧନୁ ଝଟକୁଥିବେ ଚିରକାଳ ଆଉ ଉଚ୍ଛଳ ହେଉଥିବ ସର୍ଜନଶୀଳତା ଏକ ଚିରସ୍ରୋତା ନଦୀପରି ।

 

ଫୁଲ ଓ ପ୍ରଜାପତିମାନଙ୍କ ବିନା ସୃଷ୍ଟି ଯେମିତି ଅସମ୍ପୂର୍ଣ୍ଣ, କଳା, ସାହିତ୍ୟ, ସଙ୍ଗୀତାଦି ବ୍ୟତିରେକେ ଜୀବନ ସେମିତି ଦୁର୍ବିସହ । ବିଜ୍ଞାନ ଓ ବିପଣୀ ସମ୍ଭୁତ ରୁକ୍ଷ ବାସ୍ତବତାକୁ ସାମ୍ନା କରିବା ପାଇଁ ବରଂ ସ୍ୱପ୍ନପ୍ରବଣତା ସମକାଳର ଜୀବନ ପାଇଁ ଅଧିକ ପ୍ରାସଙ୍ଗିକ ।

 

 

ସମ୍ପାଦକ ମଣ୍ଡଳୀ ତରଫରୁ

ଶ୍ରୀ ବିଜୟ କୁମାର ନାୟକ

ସଚିବ, ଓଡ଼ିଶା ସାହିତ୍ୟ ଏକାଡ଼େମୀ

***

 

ଗଙ୍ଗାଧର-ସାହିତ୍ୟରେ ବିଜ୍ଞାନ

ଭୋଜରାଜ ସ୍ୱାଇଁ

 

ଗଙ୍ଗାଧରୀୟ ସାହିତ୍ୟ ଅତୀବ ସୁନ୍ଦର । କବିବର ରାଧାନାଥ କହିଛନ୍ତି-

 

‘ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’

 

ଏହି ନ୍ୟାୟରେ ଗଙ୍ଗାଧର-ସାହିତ୍ୟକୁ ବାରମ୍ବାର ଅଧ୍ୟୟନ, ଅନୁଶୀଳନ ଓ ଆଲୋଚନା କଲେ ବି ଏହାର ଆକର୍ଷଣ କମେ ନାହିଁ; ବରଂ ବଢ଼େ । ଏହାକୁ ଯେତେ ବେଶି ଧୋଇମାଜି ସମାଲୋଚନା କରାଯାଏ, ଏହାର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ସେତେ ବେଶି ପ୍ରକଟିତ ହୋଇଉଠେ । ବର୍ଷାନୁବର୍ଷ କବିଙ୍କ ଜୟନ୍ତୀ ଅବସରରେ ଗଙ୍ଗାଧର-ସାହିତ୍ୟ ଉପର ଦକ୍ଷ ସମୀକ୍ଷକଗଣ ସେମାନଙ୍କର ପାଣ୍ଡତ୍ୟପୂର୍ଣ୍ଣ ସନ୍ଦର୍ଭ ସବୁ ପ୍ରକାଶ କରି, ସୁବିଜ୍ଞ ବକ୍କ୍ତାଗଣ ଜ୍ଞାନଗର୍ଭକ ଭାଷଣ ପ୍ରଦାନ କରି ଗଙ୍ଗାଧର-ସାହିତ୍ୟର ନବୀନ ମୂଲ୍ୟାୟନ କରି ଚାଲିଛନ୍ତି । ଏମାନେ ସମସ୍ତେ ଏକ ସ୍ୱରରେ ଘୋଷଣା କରନ୍ତି ଯେ, ଗଙ୍ଗାଧରୀୟ ସାହିତ୍ୟ ଅତ୍ୟନ୍ତ ଋଦ୍ଧିମନ୍ତ, ସୁଷମା-ମଣ୍ଡିତ, ସର୍ବାଙ୍ଗସୁନ୍ଦର ସାହିତ୍ୟ । ସୌନ୍ଦର୍ଯ୍ୟ ବ୍ୟତିତ ଗଙ୍ଗାଧର ସାହିତ୍ୟର ଅନ୍ୟ ଏକ ବିଶେଷ ଆକର୍ଷଣ ହେଲା ଏହାର ମହନୀୟତା । କଳେବର ସେତେଟା ପୃଥୁଳ ନ ହେଲେ ବି, ଗୁଣାତ୍ମକ ଦୃଷ୍ଟିରୁ ବିଚାର କଲେ, ଗଙ୍ଗାଧର-ସାହିତ୍ୟର ମହାନତା ମହାକାଶ ଭଳି ବ୍ୟାପକ ଓ ଅନନ୍ତ-ପ୍ରସାରୀ । ମାଆର ମମତା ପରି ଅସରନ୍ତି । ମାଆର ମମତା ବଖାଣିବାକୁ ଯାଇ ବ୍ରହ୍ମା ଚତୁର୍ମୁଖ ଓ ଶିବ ପଞ୍ଚମୁଖ ହୋଇଗଲେ, ତଥାପି ସାରିପାରିଲେ ନାହିଁ । ସେହି ମାଆର ମମତାକୁ ବର୍ଣ୍ଣନା କରିବାକୁ ଯାଇ ଅନନ୍ତନାଗ ସହସ୍ରଜିହ୍ୱ ହୋଇଗଲେ, ତଥାପି ଶେଷ କରିପାରିଲେ ନାହିଁ । ଠିକ୍ ସେହିଭଳି ଗଙ୍ଗାଧରୀୟ ସାହିତ୍ୟର ମହାନତା ଏତେ ବେଶୀ ଯେ, ଯେତେ ପଣ୍ଡିତ, ଯେତେ ଭାଷାରେ, ଯେତେ ସ୍ଥାନରେ, ଯେତେ ପ୍ରକାରେ କିମ୍ବା ଯେତେଥର ବର୍ଣ୍ଣନା କଲେ ବି ସରେ ନାହିଁ । ସବୁବେଳେ ନୂଆ ନୂଆ ଲାଗେ । କବି ଗଙ୍ଗାଧର ଅବଶ୍ୟ ଏକ ଭିନ୍ନ ପ୍ରସଙ୍ଗରେ ଲେଖିଛନ୍ତି- ‘‘ଅଶେଷ ଆସ୍ୟରେ ଅନନ୍ତ ଭାଷରେ ନ ସରେ ମହିମା ଯାର ।’’- ଏହି ଉକ୍ତି ତାଙ୍କ ସାହିତ୍ୟର ମହନୀୟତା ପ୍ରତି ବି ପ୍ରଯୁଜ୍ୟ । ଗଙ୍ଗାଧର ସାହିତ୍ୟର ମହିମା ଅସରନ୍ତି ଓ ଆବେଦନ ନିତ୍ୟନୂତନ ।

 

ଏହି ମହିମାମୟ ସାହିତ୍ୟର ସମୃଦ୍ଧ ବୈଭବ ଉପରେ ବିଭିନ୍ନ ସମୀକ୍ଷକ, ବିଭିନ୍ନ ଗବେଷକ ଓ ସାହିତ୍ୟରଥୀମାନେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରି ଏହାର ଆକର୍ଷଣୀୟତା ଆହୁରି ବଢ଼ାଇ ଦେଇଛନ୍ତି । କବି ଗଙ୍ଗାଧରଙ୍କ (୧) ପ୍ରକୃତି ଚିତ୍ରଣ, (୨) ପାରମ୍ପରିକ ସଂସ୍କୃତି ଓ ବିଶ୍ୱାସ, (୩) ଧର୍ମ ଧାରଣା, ଈଶ୍ୱର ଭକ୍ତି ଓ ଆଧ୍ୟାତ୍ମିକତା, (୪) ଜାତୀୟତା ଭାବ, ଦେଶାତ୍ମବୋଧତା, ମାତୃଭୂମି ଓ ମାତୃଭାଷା ପ୍ରୀତି, (୫) ପାଣ୍ଡିତ୍ୟ ଓ କବି ପ୍ରତିଭା (୬) କାବ୍ୟ-କୁଶଳତା-ଛନ୍ଦ, ଅଳଙ୍କାର ଓ ରସୋତ୍ତୀର୍ଣ୍ଣତା ସାଙ୍ଗକୁ ଯଥାର୍ଥ, ନିର୍ବିକଳ୍ପ ଶବ୍ଦ ସଂଯୋଜନା, (୭) ବ୍ୟକ୍ତିତ୍ୱ, ଚରିତ୍ରବତ୍ତା, ଉଚ୍ଚାରଣ ଓ ଆଚରଣର ସାମଞ୍ଜସ୍ୟ, (୮) ବୈପ୍ଳବିକ ଚିନ୍ତାଧାରା ଏବଂ (୯) ତାଙ୍କ ସାହିତ୍ୟର ମାନବିକ ମୂଲ୍ୟବୋଧ ସହିତ ସାମାଜିକ ସନ୍ଦେଶ ଉପରେ ଧାରାବାହିକ ଭାବେ ଯଥେଷ୍ଟ ଚର୍ଚ୍ଚା ହୋଇଛି । ଗୁଡ଼ିଏ ଲେଖାଲେଖି ବି ହୋଇଛି । ଏହା ଅତିଖୁସିର କଥା । ମାତ୍ର ଗଙ୍ଗାଧର-ସାହିତ୍ୟର ଆଉ ଏକ ରମଣୀୟ, କମନୀୟ ଅଙ୍ଗ ଏବେ ବି ଅବଗୁଣ୍ଠିତ, ଅନାବିଷ୍କୃତ, ଅନାଲୋକିତ, ଅନାଲୋଚିତ ହୋଇ ରହିଛି । ତାହା ହେଲା- ‘ବିଜ୍ଞାନ’, ଗଙ୍ଗାଧର –ସାହିତ୍ୟରେ ବିଜ୍ଞାନ । ଗଙ୍ଗାଧରୀୟ ସାହିତ୍ୟରେ ସାଧାରଣ ବିଜ୍ଞାନର ବହୁଳ ପ୍ରୟୋଗ ହୋଇଛି । ଏବେ ଏ ବିଷୟରେ ସାମାନ୍ୟ ଆଲୋଚନା କରିବାର ପ୍ରୟାସ କରାଯାଉଛି । ଏହା ଆରମ୍ଭ ମାତ୍ର । ଭବିଷ୍ୟତରେ ବିଜ୍ଞାନପ୍ରେମୀ ସାହିତ୍ୟକ ବୃନ୍ଦ ଏ ଦିଗରେ ଅଧିକତର ଧ୍ୟାନଦେଇ ଗଙ୍ଗାଧରୀୟ ସାହିତ୍ୟକୁ ଆହୁରି ଯଥାର୍ଥ, ଆହୁରି ମହନୀୟ, ଆହୁରି ପରିପୁଷ୍ଟ ଓ ସର୍ବାଙ୍ଗ-ସୁନ୍ଦର ରୂପେ ପରିବେଷଣ କରି ସାହିତ୍ୟପ୍ରେମୀଗଣଙ୍କୁ ଆପ୍ୟାୟିତ କରିବେ ବୋଲି ଆଶା କରୁ ।

 

ସାହିତ୍ୟରେ ବିଜ୍ଞାନ- ଏ ବିଷୟରେ ଆଲୋଚନା କରିବା ପୂର୍ବରୁ–ବିଜ୍ଞାନ କ’ଣ ? ଏହାର ପରିଭାଷା କିପରି ?–ନିହାତି ଜାଣିବା ଆବଶ୍ୟକ । ତାହା ସହିତ ବୈଜ୍ଞାନିକ ପ୍ରବୃତ୍ତି, ବୈଜ୍ଞାନିକ ପଦ୍ଧତି, ବୈଜ୍ଞାନିକ ଆଭିମୁଖ୍ୟ ଆଦି ସମ୍ପୃକ୍ତି, ପରିମାପକ ସମ୍ବନ୍ଧରେ ବି କିଛିଟା ସୂଚନା ଦେଲେ ପାଠକମାନେ ସହଜରେ ବୁଝିପାରିବେ, ଉପଲବ୍ଧି କରି ପାରିବେ ଯେ କବିଙ୍କର ବୈଜ୍ଞାନିକ ଚିନ୍ତାଧାରା କିପରି ଉନ୍ନତ ଓ ପରିପକ୍ୱ ଥିଲା ଏବଂ ଆବଶ୍ୟକ ସ୍ଥଳେ ସେ କିପରି ତାହାର ପ୍ରୟୋଗ କରିଛନ୍ତି । ତେଣୁ ପ୍ରଥମେ ନିମ୍ନଲିଖିତ କେତୋଟି ସୂଚନା ଦେବା ଆବଶ୍ୟକ ମନେ କରୁ ।

 

(୧) ବିଜ୍ଞାନର ସଂଜ୍ଞା ଓ ବ୍ୟାଖ୍ୟାନ:- Science is the knowledge of the structure and behavior of the natural and physical wolrd: ପ୍ରାକୃତିକ ଓ ଭୌତିକ ଜଗତର ଗଠନ ଓ ଆଚରଣ ସମ୍ବନ୍ଧୀୟ ଜ୍ଞାନ ହିଁ ବିଜ୍ଞାନ । ଏହି ସଂଜ୍ଞାରୁ ସ୍ପଷ୍ଟରୂପେ ପ୍ରତୀତ ହୁଏ ଯେ ପ୍ରକୃତି ବିଜ୍ଞାନର ଅଂଶବିଶେଷ ଏବଂ କବି ଗଙ୍ଗାଧରଙ୍କ ପୁଷ୍କଳ ପ୍ରକୃତି-ବର୍ଣ୍ଣନା ବିଜ୍ଞାନର ପୃଷ୍ଠଭୂମି ଉପରେ ଆଧାରିତ । ବିଜ୍ଞାନର ଅନ୍ୟ ଏକ ବହୁ ପ୍ରଚଳିତ ସଂଜ୍ଞା ହେଲା—କାର୍ଯ୍ୟ-କାରଣ ସମ୍ପର୍କରେ ଜ୍ଞାନ ହିଁ ବିଜ୍ଞାନ । ଆମେ ଜାଣୁ ଯେ ବିନା କାରଣରେ ପତ୍ରଟିଏ ବି ହଲେ ନାହିଁ ଜଗତର ପ୍ରତିଟି କ୍ରିୟା ବା ଘଟଣା ମୂଳରେ ଏକ ବା ଏକାଧିକ କାରଣ ଅବଶ୍ୟ ନିହିତ ଥାଏ । ବିଜ୍ଞାନ ସର୍ବଦା ପ୍ରମାଣଯୋଗ୍ୟ ତଥ୍ୟ ଉପରେ ଆଧାରିତ । ବିଜ୍ଞାନର ଲକ୍ଷ୍ୟ ହେଲା–ସତ୍ୟର ସନ୍ଧାନ କରିବା, ନୂତନ ତତ୍ତ୍ୱର ଆବିଷ୍କାର କରିବା । ଯେଉଁ ଉପାୟ ଅବଲମ୍ବନ କରି ବା ଯେଉଁ ମାର୍ଗରେ ଅଗ୍ରସର ହୋଇ ଏହି ଲକ୍ଷ୍ୟ ହାସଲ କରାଯାଏ, ତାହାକୁ ବୈଜ୍ଞାନିକ ପଦ୍ଧତି (Scientific Method) କୁହାଯାଏ । ପରୀକ୍ଷଣ (Experimentation), ନିରୀକ୍ଷଣ (Observation) ବିଶ୍ଳେଷଣ (Analysis) ଓ ବ୍ୟାଖ୍ୟା-କରଣ (Interpretation) ଏହାର ବିଭିନ୍ନ ସୋପାନ । ଯେକୌଣସି ବିଷୟକୁ ଭଲ ଭାବରେ ପରୀକ୍ଷା, ନିରୀକ୍ଷା ଓ ବିଶ୍ଳେଷଣ କରି ଲବ୍ଧ ତଥ୍ୟର ଭଲମନ୍ଦ ବିଚାର କରି ଆବଶ୍ୟକତା ଅନୁଯାୟୀ ତାହା ଗ୍ରହଣ ବା ତ୍ୟାଗ କରିବା ସ୍ୱଭାବକୁ ବୈଜ୍ଞାନିକ ମନୋବୃତ୍ତି ବା ବୈଜ୍ଞାନିକ ପ୍ରବୃତ୍ତି (Scientific Attitude) କୁହାଯାଏ । କବି ବା ଲେଖକ ବୈଜ୍ଞାନିକ ମନୋବୃତ୍ତି ସମ୍ପନ୍ନ ହେଲେ, ତାଙ୍କ ରଚନା ଯଥାର୍ଥ ଓ ସଂକ୍ଷିପ୍ତ, ସଂଯତ ଓ ମାର୍ଜିତ ତଥା ତ୍ରୁଟିଶୂନ୍ୟ ହୋଇଥାଏ ।

 

(୨) ଅନୁଭୂତି-ଲବ୍ଧଜ୍ଞାନ (Emprical knowledge) : It is knowledge based on experiments or experience rather than ideas and theories: ଏହା ପରୀକ୍ଷାସିଦ୍ଧ ବା ଅନୁଭୂତିଲବ୍ଧଜ୍ଞାନ, ତତ୍ତ୍ୱଜ୍ଞାନ ନୁହେଁ । ଏହା ବିଜ୍ଞାନର ପୂରକ ଓ ପୁରୋଗ । କବି ଗଙ୍ଗାଧରଙ୍କ ବ୍ୟକ୍ତିଗତ ଅନୁଭୁତିର ପରିସର ତାଙ୍କ ସାହିତ୍ୟର ମହାନତା ଭଳି ବ୍ୟାପକ ଓ ସୁଦୂର-ପ୍ରସାରୀ । ବ୍ୟକ୍ତିଗତ ଅନୁଭୂତିକୁ ନୈର୍ବ୍ୟକ୍ତିକ କରିବା ହିଁ ସାହିତ୍ୟକର ଧର୍ମ । ସୁତରା ଗଙ୍ଗାଧରୀୟ ସାହିତ୍ୟରେ ଏହି ଅନୁଭୂତି-ଲବ୍‍ଧ ଜ୍ଞାନରାଜି (E.K.) ପ୍ରୟୋଗ ବହୁ ସ୍ଥଳରେ ହୋଇଛି । ଏଠାରେ ଗୋଟିଏ ମାତ୍ର ଉଦାହରଣ ଉଲ୍ଲେଖ କରୁଛି ।

 

ଏହି ନଦୀ ବାଲି ଗ୍ରୀଷ୍ମ ମଧ୍ୟାହ୍ନର

      ହୋଇଥିଲେ ଅଗ୍ନିକଣା,

ଶୀତରାତ୍ରେ ପୁଣି ହେଲେ ବରଫର

      ଜନକ ସ୍ୱରୂପେ ଗଣା । (ମଳୟ ଆବାହନ)

 

(୩) ବୈଜ୍ଞାନିକ ଆଭିମୁଖ୍ୟ (Scientific Approach) ବିଜ୍ଞାନ ସହ ଏହାର ନାମକୁ ମାତ୍ର ସମ୍ପର୍କ । ବିଜ୍ଞାନ ବ୍ୟତିତ ଅନ୍ୟାନ୍ୟ କ୍ଷେତ୍ରରେ ଯଥା- ସାହିତ୍ୟ, ଅର୍ଥଶାସ୍ତ୍ର, ରାଜନୀତି, ଯୁଦ୍ଧବିଦ୍ୟା, ଶିଳ୍ପସଂସ୍ଥା ଓ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯାଏ । ଏହାର ବିଶେଷତ୍ୱ ହେଲା-ଯୁକ୍ତିଯୁକ୍ତତା (Logicality) ଓ ସଯତ୍ନ ସାବଧାନତା (Carefulness) । ସାହିତ୍ୟ କ୍ଷେତ୍ରରେ କୌଣସି ରଚନା ସାବଧାନତା ସହକାରେ ଅତି ଯତ୍ନର ସହିତ ଯଥାର୍ଥ ଶବ୍ଦାବଳୀ ପ୍ରୟୋଗ କରି ଯୁକ୍ତିସଙ୍ଗତ ଭାବରେ ଲେଖା ଯାଇଥିଲେ, ତହିଁରେ ବୈଜ୍ଞାନିକ ଆଭିମୁଖ୍ୟ ରହିଛି ବୋଲି ଧରାଯାଏ । ଗଙ୍ଗାଧର-ସାହିତ୍ୟରେ ଏହାର ବହୁଳ ଦୃଷ୍ଟାନ୍ତ ରହିଛି । ଗୋଟିଏ ଉଲ୍ଲେଖ କରୁଛି ।

 

‘ନୟନଯୁଗଳ କାହିଁକି ବିକଳ ହୋଇ ଛାଡ଼ୁଅଛ ଜଳ

ଶୁଖିଗଲେ ସରକମଳିନୀ ମୋର ହୋଇଯିବ ଟଳମଳ ।

 

ବକ୍ଷ ତୁ ପଥର ବନ୍ଧ ହୋଇ କର ରୁଦ୍ଧ ନେତ୍ରଜଳନାଳୀ ।

ନାସିକାପବନ ନ ବହିବୁ ଘନ, କମ୍ପିବ ପ୍ରାଣ-ସଙ୍ଖାଳି ।’’ (ତପସ୍ୱିନୀ)

 

ଗଙ୍ଗାଧର-ସାହିତ୍ୟରେ ବିଜ୍ଞାନର ପ୍ରୟୋଗ ଉପରେ ଆଲୋଚନା କରିବା ପୂବର୍ରୁ ମହାନ୍ କବିମାନଙ୍କର କବିତ୍ୱର ଅନନ୍ୟ ଉପଲବ୍ଧି ସମ୍ବନ୍ଧରେ ଦୁଇପଦ ଉଲ୍ଲେଖ କଲେ, ବୋଧହୁଏ, ଏଠାରେ ଅପ୍ରାସଙ୍ଗିକ ହେବନାହିଁ । ଏଇ କବିମାନେ ଆମ ସାଧାରଣ ଲୋକଙ୍କଠାରୁ ଭିନ୍ନ । ଏମାନଙ୍କ (vision) ଦୃଷ୍ଟିର ପରିସର ଖୁବ୍ ବ୍ୟାପକ । ଏମାନଙ୍କ କଳ୍ପନାର ପରିସର ଅନନ୍ତ-ପ୍ରସାରୀ । ଏମାନେ କ୍ରାନ୍ତଦର୍ଶୀ । ଦିଗ୍‌ବଳୟ ସେପାରିର ଘଟଣା ପ୍ରବାହକୁ ଅତି ପାଖରେ, ଏପରିକି ନିଜ ଅନ୍ତର ମଧ୍ୟରେ ବି ଦେଖିପାରନ୍ତି, ଅନୁଭବ କରିପାରନ୍ତି । ସେଇ ଅନୁଭବକୁ କବିତାରେ ରୂପାୟିତ କରନ୍ତି। ଈଶ୍ୱରଙ୍କ ବରପୁତ୍ର ଏମାନେ । ସରସ୍ୱତୀଙ୍କ ମୁଖପାତ୍ର ଏମାନେ । ମନଶ୍ଚକ୍ଷୁରେ ସୂକ୍ଷ୍ମାତିସୂକ୍ଷ୍ମ ତତ୍ତ୍ୱରୁ ଆରମ୍ଭ କରି ଅନନ୍ତ ଦୂତରା ପର୍ଯ୍ୟନ୍ତ ସମସ୍ତ ତତ୍ତ୍ୱରାଜି ସ୍ପଷ୍ଟଭାବେ ଦେଖି ପାରନ୍ତି, ଜାଣି ପାରନ୍ତି । ତେଣୁ ଏମାନଙ୍କୁ କ୍ରାନ୍ତଦ୍ରଷ୍ଟା ବା ଅନନ୍ତଦ୍ରଷ୍ଟା କୁହାଯାଏ । ସେଭଳି କବିଙ୍କର ସାହିତ୍ୟ ସମ୍ଭାର ନିତ୍ୟ ନୂତନ ଓ ଯୁଗଜୟୀ ହୋଇଥାଏ । ଗଙ୍ଗାଧର ସେଭଳି ଜଣେ କବି-। ସେ ଲେଖିଛନ୍ତି-

 

‘ନାହିଁ ସିନା ଘରେ ହୃଦ-ପ୍ରେମସରେ ମୋ ପ୍ରିୟା କମଳ କଳି,

ପଡ଼ିଅଛି ଫୁଟି ମକରନ୍ଦ ଲୁଟି କରୁଅଛି ମନ–ଅଳି

ନୟନଯୁଗଳ କାହିଁକି ବିକଳ ହୋଇ ଛାଡ଼ୁଅଛି ଜଳ,

ଶୁଖିଗଲେ ସର କମଳିନୀ ମୋର ହୋଇଯିବ ଟଳମଳ ।

ବକ୍ଷ ତୁ ପଥର-ବନ୍ଧ ହୋଇ କର ରୁଦ୍ଧ ନେତ୍ର ଜଳନାଳୀ,

ନାସିକା ପବନ ନ ବହିବୁ ଘନ କମ୍ପିବ ପ୍ରାଣ ସଂଖାଳି ।

ଲକ୍ଷ୍ମଣ ଆସିବ ସମସ୍ତ ଭାଷିବ ଜୀବନ ସଙ୍ଗିନୀ କଥା,

ଶ୍ରବଣ ଯୁଗଳ ନ ହୁଅ ଚଞ୍ଚଳ ଶୁଣିବ, ମୁଞ୍ଚିବ ବ୍ୟଥା

ରେ ସନ୍ତପ୍ତ ଚର୍ମ, ନାଶିବ ତୋ ଘର୍ମ ସମୀର ଆସୁଛି ବହି,

ସନ୍ତାପ-ନାଶିନୀ ସେରାଜ-ବାସିନୀ ଶ୍ରୀ ଅଙ୍ଗସୌରଭ ବହି ।

ଆଉ ଏକ କଥା କହୁଛି ଏକତା ବାନ୍ଧି ତୁମ୍ଭେ ମନ ସଙ୍ଗେ,

ଚାଲ ହୃଦ-ସରେ ଅନ୍ତବାସରେ ବିଳସିବ ରସରଙ୍ଗେ ।

ମୋ ପ୍ରାଣ ସଙ୍ଗିନୀ ନବ କମଳିନୀ ଫୁଟି ରହିଅଛି ତହିଁ,

ସ୍ମରଣ-ଭାସ୍କର ଚିତର ତେଜସ୍କର ଅସ୍ତ ତାର ନାହିଁ ଯହିଁ ।

(ତପସ୍ୱିନୀ)

 

ପ୍ରଥମରେ, କାବ୍ୟାଂଶଟିର ପ୍ରତିଟି ପଦରେ ଖୁନ୍ଦି ହୋଇ ରହିଥିବା ଯୁକ୍ତିଯୁକ୍ତତା ଓ ସଯତ୍ନ-ଗୁମ୍ଫିତ-ଶବ୍ଦ-ସଂରଚନା ବଳରେ ଏହାର ବୈଜ୍ଞାନିକ ଆଭିମୁଖ୍ୟ ପରିସ୍ଫୁଟ ହୋଇ ଉଠିଛି । ଦ୍ୱିତୀୟରେ, ଅନନ୍ତବାସର, ନବକମଳିନୀ ଓ ସ୍ମରଣ-ଭାସ୍କର ଭଳି ଶବ୍ଦାବଳିରେ ବିଜ୍ଞାନର ଅନ୍ତଃସ୍ୱର ଗୁଞ୍ଜିତ ହୋଇଉଠୁଛି । କିନ୍ତୁ ଏହାର ଅନ୍ତର୍ନିହିତ ସାହିତ୍ୟ ସମସ୍ତ ବିଜ୍ଞାନର ଉର୍ଦ୍ଧ୍ୱକୁ ଉତ୍ତୀର୍ଣ୍ଣ ହୋଇଯାଇଛି । କ୍ରାନ୍ତଦର୍ଶୀ ଗଙ୍ଗାଧର ଭାବରାଜ୍ୟର ରାଜା । କବି-କଳ୍ପନା ଏଠାରେ ଭାବରାଜ୍ୟର ତୁଙ୍ଗ ଶିଖର ଅତିକ୍ରମ କରିଯାଇଛି । ଦିଗ୍‌ବଳୟ ସେ ପାରିର ଅତୀନ୍ଦ୍ରିୟ ରାଜ୍ୟରେ ପ୍ରବେଶ କରି କବିମାନସ ଉତ୍‌ଫୁଲ ହୋଇ ଉଠିଛି । କବିତା ଭାବମୟ, ରସମୟ, ଛନ୍ଦୋମୟ, ସଙ୍ଗୀତମୟ ଓ ଅମୃତମୟ ହୋଇଉଠିଛି। ସେଥିପାଇଁ ଏଭଳି ସାହିତ୍ୟର ଆବେଦନ ଯୁଗେ ଯୁଗେ ଅକ୍ଷୁର୍ଣ୍ଣ ରହେ ଏବଂ ସାହିତ୍ୟରସିକମାନଙ୍କୁ ରସୋତ୍ତୀର୍ଣ୍ଣ ଭାବୋଚ୍ଛ୍ଵାସର ପ୍ରବାହରେ ଭସାଇ ନିଏ । ଏହା ହିଁ ମୃତୁଞ୍ଜୟୀ ଅବିନଶ୍ୱର ସାହିତ୍ୟ । କବି ଗଙ୍ଗାଧରଙ୍କ ଅନ୍ୟତମ ଅନବଦ୍ୟ ସୃଷ୍ଟି ।

 

ସାହିତ୍ୟରେ ବିଜ୍ଞାନର ପ୍ରୟୋଗ : ସାଧାରଣତଃ କାବ୍ୟ ସାହିତ୍ୟରେ ବିଭିନ୍ନ ଉପମା ଛଳରେ ବୈଜ୍ଞାନିକ ତଥ୍ୟାବଳିର ପ୍ରୟୋଗ କରାଯାଇଥାଏ । ସ୍ଥାନେ ସ୍ଥାନେ ପୌରାଣିକ ତଥ୍ୟ ବା ଆଧ୍ୟାତ୍ମିକ ତତ୍ତ୍ୱ ସହ ବୈଜ୍ଞାନିକ ସତ୍ୟର ତୁଳନା ବା ସାଦୃଶ୍ୟ ଆନୟନ କରାଯାଇଥାଏ । ସ୍ଥଳବିଶେଷରେ ସମାଜକୁ ମୂଲ୍ୟବୋଧ-ଭିତ୍ତିକ ସନ୍ଦେହ ଦେବା ପାଇଁ ସାହିତ୍ୟରେ ବୈଜ୍ଞାନିକ ତଥ୍ୟ ସମ୍ବଳିତ ଦୃଷ୍ଟାନ୍ତ ସବୁ ଦିଆ ଯାଇଥାଏ । ପ୍ରକୃତି ବିଜ୍ଞାନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିବାରୁ କାବ୍ୟ କବିତାରେ ପ୍ରକୃତି-ବର୍ଣ୍ଣନା ବେଳେ ବିଜ୍ଞାନର ଉପଯୋଗ କରାଯାଇଥାଏ । ନିମ୍ନରେ ଗଙ୍ଗାଧରଙ୍କ ସାହିତ୍ୟରୁ କେତାଟି ଦୃଷ୍ଟାନ୍ତ ଚୟନ କରି ସେଗୁଡ଼ିକର ସଂପୃକ୍ତ ବୈଜ୍ଞାନିକ ଧାରଣାର ସଂକ୍ଷିପ୍ତ ସୂଚନା ଦିଆଯାଇଛି ।

 

୧-

ଗର୍ଭେଧରି ତାରା-ରତନ ପୂର୍ଣ୍ଣ ଗଗନ-ସିନ୍ଧୁ,

 

ଅଗସ୍ତ୍ୟ ଗିରିମା ଶୋଷନ୍ତି ପ୍ରତି ଶିଶିର-ବିନ୍ଦୁ ।

 

ସାଗର ଗରବେ ପାଦପ-ଆଳବାଳର ଜଳ

 

ପୋଷି ରଖୁଥିଲେ ଗରଭେ ସୁଧାକର ମଣ୍ଡଳ ।

(ତପସ୍ୱିନୀ)

 

ଏହି ପଦଦ୍ୱୟରେ କବି ପୌରାଣିକ ଆଖ୍ୟାୟିକାରୁ ସଂଗୃହୀତ ତଥ୍ୟରାଜି ସହିତ ସମ୍ପୃକ୍ତ ବୈଜ୍ଞାନିକ ସତ୍ୟକୁ ସଂଯୋଜନା କରି ଅତି ସୁନ୍ଦର ସାହିତ୍ୟିକ ରୂପକଳ୍ପ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।

 

୨-

ମୁଁ ତ ଅମୃତ ସାଗର ବିନ୍ଦୁ,

 

ନଭେ ଉଠିଥିଲି ତେଜି ସିନ୍ଧୁ,

 

ଖସି ମିଶିଛି ଅମୃତ ଧାରେ,

 

ଗତି କରୁଛି ସେ ଅକୂପାରେ,

 

ପଥେ ଶୁଖିଗଲେ ପାପତାପରେ,

 

ହୋଇ ଶିଶିର ଖସିବି ତା ପରେ,

 

ଅମୃତମୟ ଅମୃତରୟ ସହିତ ମିଶିବ ସାଗରେ ।

(ଅମୃତମୟ)

 

ଏଠାରେ ଉଚ୍ଚ ଆଧ୍ୟାତ୍ମିକ ଭାବଧାରା ସହ ବିଜ୍ଞାନ୍ତ ଅନ୍ତର୍ଗତ ‘ଜଳଚକ୍ର’ ପ୍ରକ୍ରିୟାର ସାଦୃଶ୍ୟ ଆନୟନ କରି କବି ମହତ୍ତମ ଜୀବନ-ଦର୍ଶନର ଉପସ୍ଥାପନା କରିବାରେ ସଫଳ ହୋଇଛନ୍ତି ।

 

୩-

ଉପକାରକର            ପ୍ରତି ଉପକାର

 

ସାଧନେ ମହତ ବ୍ୟସ୍ତ ।

 

ଘନଜଳେ ପୂର୍ଣ୍ଣ            ଜଳାଶୟ, ବାଷ୍ପ

 

ପ୍ରତିଦାନେ ଚିରାଭ୍ୟସ୍ତ । (ମହିମା)

 

ଏଠାରେ ସାଧାରଣ ବିଜ୍ଞାନ ଅନ୍ତର୍ଗତ, ‘ବାସ୍ପୀଭବନ’ ପ୍ରକ୍ରିୟାରେ ଦୃଷ୍ଟାନ୍ତ ମାଧ୍ୟମରେ କବି ତୁଙ୍ଗ ମୂଲ୍ୟେବାଧଭିତ୍ତିକ ସାମାଜିକ ସନ୍ଦେଶ ପରିବେଷଣ କରିବାର ପ୍ରୟାସ କରିଛନ୍ତି ।

 

୪-

କାହିଁ ଚନ୍ଦ୍ର, ମିଳେ ତାଙ୍କୁ ପ୍ରଭାକର କର

 

ମୋଜ୍ୟୋତି କଣିକା ନିଜ କ୍ଷୁଦ୍ର ଜୀବନର ।

 

(ଖଦ୍ୟୋତର ଖେଦ)

 

କିମ୍ବା ଭରତ ବିନୟରେ ଦେଲେ ଉତ୍ତର-

 

‘ଶଶାଙ୍କ ପାଇଥାନ୍ତି ଭାସ୍କର କର ହେ !’

(ତପସ୍ୱିନୀ)

 

ଏଠି ଉଭୟ କ୍ଷେତ୍ରରେ କବି ବିଶଦଭାବରେ ଉଲ୍ଲେଖ କରିଛନ୍ତି ଯେ ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟାଲୋକରେ ଆଲୋକିତ ହୁଏ । ସୂର୍ଯ୍ୟଙ୍କଠାରୁ ପ୍ରାପ୍ତ ଆଲୋକ ଶକ୍ତିର ପ୍ରତିଫଳିତ ଆଲୋକ ରଶ୍ମି ହିଁ ଜ୍ୟୋତ୍ସ୍ନା ବା ଚନ୍ଦ୍ରକିରଣ ରୂପେ ଆମକୁ ମିଳେ ।

 

୫-

ପ୍ରାଣନାଥଙ୍କର             ପ୍ରେମଜରଜର

 

ମଧୁମୟ ସମ୍ଭାଷଣ,

 

ହୃଦ-ଫନୋଗ୍ରାଫେ            ପରିବେଶି ଆପେ

 

ତୋଳୁଛି ମଧୁର ସ୍ୱନ ।

(ତପସ୍ୱିନୀ)

 

ଏଠାରେ ବିପ୍ରଲମ୍ଭ ଶୃଙ୍ଗାର ବର୍ଣ୍ଣନା ଅବସରରେ କମି ନୂତନ ବୈଜ୍ଞାନିକ ଉପକରଣର ପ୍ରୟୋଗ କରି ତାଙ୍କର କାବ୍ୟିକ ଅଭିବ୍ୟକ୍ତିକୁ ଅଧିକ ମାର୍ମିକ, ଆକର୍ଷକ ଓ ରସସିକ୍ତ କରି ପରିବେଷଣ କରିଛନ୍ତି । ଅବଶ୍ୟ, କେତେକ ସାହିତ୍ୟ-ସମାଲୋଚକ ଏଠାରେ କାଳାନ୍ତର ଦୋଷ (Anachronism) ରହିଥିବାର ଅଭିଯୋଗ କରନ୍ତି ।

 

ଦେଖାଯାଏ ଯେ ଗଙ୍ଗାଧରଙ୍କର ସାହିତ୍ୟକୃତି ସମୂହରେ ପ୍ରମୁଖ କେତୋଟି ବୈଜ୍ଞାନିକ ବିଷୟ ଉପରେ ଏକାଧିକ ବାର ଆଲୋକପାତ କରାହୋଇଛି । ତେଣୁ ସେଗୁଡ଼ିକୁ ପୃଥକ୍ ପୃଥକ୍ ଉଲ୍ଲେଖ ବା ଆଲୋଚନା ନ କରି ଏକତ୍ର ଗୋଟିଏ ସାଧାରଣ ଉପଶୀର୍ଷକ ତଳେ ଉପସ୍ଥାପିତ କରିବା ଉଚିତ୍ ମନେକରୁ ।

 

(କ) ଜଳଚକ୍ର ଓ ବାଷ୍ପୀଭବନ: ଭୂପୃଷ୍ଠସ୍ଥ ବିଭିନ୍ନ ଜଳାଧାରର ଜଳ ଏବଂ ସମୁଦ୍ରର ବିପୁଳ ଜଳରାଶି ସୂର୍ଯ୍ୟୋତ୍ତାପ ପ୍ରଭାବରେ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳର ଊର୍ଦ୍ଧ୍ୱକୁ ଉଠେ ଓ ମେଘ ସୃଷ୍ଟି ହୁଏ । ଜଳୀୟବାଷ୍ପ ସାଧାରଣ ବାୟୁ ଅପେକ୍ଷା ହାଲୁକା ହୋଇଥିବାରୁ ତାହା ଊର୍ଦ୍ଧ୍ୱଗାମୀ ହୁଏ । ଏହି ମେଘ ପବନଦ୍ୱାରା ଚାଳିତ ହୋଇ ଶୀତଳ ଓ ଘନୀଭୂତ ହୁଏ । କ୍ରମେ ମେଘରୁ ବୃଷ୍ଟିଜଳ ଭୂ-ପୃଷ୍ଠରେ ପତିତ ହୁଏ । ଉଦ୍‌ବୃତ୍ତ ଜଳରାଶି ସମୁଦ୍ରକୁ ଚାଲିଯାଏ । ଏହି ପ୍ରକ୍ରିୟାକୁ ଜଳଚକ୍ର (Water Cycle) କୁହାଯାଏ । ଏହା ଏକ ପ୍ରାକୃତିକ ବୈଜ୍ଞାନିକ ପ୍ରକ୍ରିୟା । ତାଙ୍କ ସାହିତ୍ୟକୃତି ସମୂହରେ କବି ଗଙ୍ଗାଧର ଏହାର ବହୁଳ ବ୍ୟବହାର କରିଥିବା ଜଣାପଡ଼େ । ଅଳ୍ପ କେତୋଟି ଉଦାହରଣ ନିମ୍ନରେ ଦିଆଗଲା ।

 

୧-

ସାଗର-ସଲିଳ ଉଠି ଘନହୁଏ, ନଭେ,

 

ଲୋକହିତ ସାଧି ପଶେ ସାଗର ଗରଭେ ।

(ତପସ୍ୱିନୀ)

 

୨-

ମୁଁ ତ ଅମୃତସାଗର ବିନ୍ଦୁ

 

ନଭେ ଉଠିଥିଲି ତେଜି ସିନ୍ଧୁ

 

ଖସି ମିଶିଛି ଅମୃତଧାରେ

 

ଗତି କରୁଛି ସେ ଅକୂପାରେ,

 

ପଥେ ଶୁଖିଗଲେ ପାପତାପରେ

 

ହୋଇ ଶିଶିର ଖସିବି ତା ପରେ

 

ଅମୃତମୟ ଅମୃତମୟ ସହିତ ମିଶିବି ସାଗରେ ।

(ଅମୃତମୟ)

 

୩-

ପରେ ଅପକୃତ      ହେଲେହେଁ ମହତ

 

କରୁଥାନ୍ତି ଉପକାର,

 

ଘନଗ୍ରାସେ ରବି,       ରବିକରାକୃଷ୍ଟ

 

ବାଷ୍ପରେ ଘନ ସଂଚାର (ମହିମା)

 

୪-

ପ୍ରଜାରକ୍ତଜଳ–କଣିକାପଟଳ ସିନା ଉଚ୍ଚାସନାପାଇ

 

ଜଳଧର ରୂପ ହୋଇଥାଏ ନୃପ ପରଜାଙ୍କ ହିତପାଇଁ ।

(ତପସ୍ୱିନୀ)

 

୫-

ଅନେକ ଉପାଦେୟ ନୀତିବାଣୀ ସନ୍ନିବେଶିତ ‘‘ବର୍ଷାଋତୁ ପ୍ରତି’’ ନାମକ କ୍ଷୁଦ୍ର କବିତାଟି ଗୋଟାପଣେ ଏହି ପ୍ରକ୍ରିୟା ଉପରେ ଆଧାରିତ ।

(ଅର୍ଘ୍ୟଥାଳୀ)

 

(ଖ) ଧାତୁ ଓ ତାର ବ୍ୟବହାର: ଗଙ୍ଗାଧରଙ୍କ ବିଭିନ୍ନ ରଚନାରୁ ପ୍ରତୀତ ହୁଏ ଯେ ଧାତୁ–ବିଜ୍ଞାନ ସମ୍ବନ୍ଧରେ କବିଙ୍କର ଯଥେଷ୍ଟ ଧାରଣା ଥିଲା। ଧାତୁ ମାତ୍ରକେ ଉତ୍ତାପ ଓ ବିଦ୍ୟୁତ୍ ପରିବାହୀ-। ଧାତୁ ନମନୀୟ (Malleable) ଓ ତନ୍ୟ (Ductile) । ସାଧାରଣ ବାୟୁମଣ୍ଡଳୀୟ ଚାପ ଓ ତାପରେ ପାରଦ ବ୍ୟତିତ ଅନ୍ୟସବୁ ଧାତୁ କଠିନ ଅବସ୍ଥାରେ ରହେ । ଧାତୁ ଉଚ୍ଚ ତାପାଙ୍କ (Temperature) ରେ ବିଗଳିତ ହୁଏ । ଦୁଇ ବା ତତୋଧିକ ଧାତୁ ତରଳ ଅବସ୍ଥାରେ ଏକତ୍ର ମିଳିତ ହୋଇ ମିଶ୍ରଧାତୁ (alloy) ଗଠିତ ହୁଏ ଯଥା–କଂସା, ପିତ୍ତଳ, ବ୍ରୋଞ୍ଜ ଆଦି । ସୁନା ବିଶୁଦ୍ଧ ଧାତୁ । ବାୟୁରେ ଥିବା ଅମ୍ଳଜାନ (Oxygen) ସହ ଏହାର କୌଣସି ରାସାୟନିକ ପ୍ରତିକ୍ରିୟା ହୁଏ ନାହିଁ । ତେଣୁ ସୁନାରେ କଳଙ୍କି ଲାଗେ ନାହିଁ । ଅନ୍ୟ ପକ୍ଷରେ, ହୀରା (Diamond) ଧାତୁ ନୁହେଁ । ଏହା କୋଇଲା ପରି ଏକ ଅଧାତୁ (Non-metal) । ଗ୍ରାଫାଇଟ ଭଳି ହୀରା ମଧ୍ୟ କୋଇଲା ବା ଅଙ୍ଗାରକ (carbon)ର ଏକ ଭିନ୍ନରୂପ (allotrope) । ଗ୍ରାଫାଇଟ ଭଳି ହୀରା ବି କୋଇଲା ଖଣିରୁ ସଂଗୃହୀତ ହୋଇଥାଏ । ଧାତୁର ବ୍ୟବହାର ସମ୍ବନ୍ଧୀୟ ନିମ୍ନୋକ୍ତ କେତୋଟି ପଦ ପ୍ରଣିଧାନ୍ୟ ଯୋଗ୍ୟ ।

 

୧-

ଲେଖନୀ ନୁହଇ ମୋର ଧାତୁ ବିଜଡ଼ିତ

 

କେମନ୍ତେ ଟାଣିବ ତୋର ପ୍ରଭାବ ତଡ଼ିତ ?

(ପଦ୍ମିନୀ)

 

୨-

ବିପଦ ସମୟେ             ମହତ ଜନର

 

ଧଇର୍ଯ୍ୟ ନ ହୁଏ ଭଙ୍ଗ,

 

ଦାହେ ପ୍ରହାରଣେ            ଶୁଦ୍ଧ ଜମ୍ବୁନଦ

 

ଯେ ରଙ୍ଗକୁ ସେହି ରଙ୍ଗ ।

୩ -

ଝଟକ ହାଟକ-            ତନୁ ଦିଶୁଅଛି

 

ନିଷ୍ପ୍ରଭ ନିରତିଶୟ,

 

ଅକସ୍ମାତେ କିବା             ହୋଇଗଲା ହେମ-

 

ପ୍ରତିମା ପାରଦମୟ ।

(ଇନ୍ଦୁମତୀ)

 

୪-

ଅପରାହ୍ନ ରବିକିରଣ ସ୍ୱର୍ଣଜଳ ସଂକାଶ

 

ନାରୀଦଳ ଅଙ୍ଗ ଗିଲିଟୀ-କାନ୍ତ କଲା ପ୍ରକାଶ ।

 

(କୀଚକବଧ)

 

୫-

ଜାଣିଲି ଦ୍ରବିଲେ ଧାତୁ ମିଳେ ଧାତୁ ସହ ।

 

କେବେ କାହିଁ ନ ମିଶଇ ହୀରକ ବିଗ୍ରହ ।

(ଭକ୍ତି ଉପହାର)

 

୬-

ଅଙ୍ଗାର ଗରଭେ ଯଥା ହୀରକ ଜନମ

 

ତେମାଗର୍ଭେ ଜନମିବା ଜ୍ୟୋତିଷ୍କ ଧରମ ।

(ମହାନ୍ଧକାର)

 

(ଗ) ବର୍ଣ୍ଣାଳି (Spectrum) ଓ ଆଲୋକ-ବିକ୍ଷେପଣ: ଶୁଭ୍ର ସୂର୍ଯ୍ୟଲୋକ ସାତଟି ବିଭିନ୍ନ ରଙ୍ଗ ବା ବର୍ଣ୍ଣର ସମ୍ମିଶ୍ରଣ । ସେଗୁଡ଼ିକ ହେଲା–ବାଇଗଣି, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲୋହିତ ବର୍ଣ୍ଣ । ସାମୂହିକ ଭାବେ ଏହାକୁ ବର୍ଣ୍ଣାଳି କୁହାଯାଏ । ଏହା ସପ୍ତଦଶ ଶତାବ୍ଦୀରେ ବୈଜ୍ଞାନିକ ନ୍ୟୁଟନଙ୍କ ଆବିଷ୍କାର । ମାତ୍ର ଏ ଭିତରୁ ତିନୋଟି ଅବିମିଶ୍ର ବା ମୌଳିକ ବର୍ଣ୍ଣ (Primary colour)- ରକ୍ତ, ପୀତ ଓ ନୀଳ । ଅନ୍ୟଗୁଡ଼ିକ ଗୌଣ ଓ ସେମାନଙ୍କୁ ମିଶ୍ରବର୍ଣ୍ଣ ବା ଆନୁଷଙ୍ଗିକ ବର୍ଣ୍ଣ (Secondary Colour) କୁହାଯାଏ । ଦୁଇଟି ମୌଳିକ ବର୍ଣ୍ଣର ମିଶ୍ରଣ ଫଳରେ ଏଗୁଡ଼ିକ ସୃଷ୍ଟି ହୁଏ । ଇନ୍ଦ୍ରଧନୁରେ ଦୃଶ୍ୟମାନ ସାତଟି ରଙ୍ଗ ମଧ୍ୟରୁ ମୁଖ୍ୟ ତିନୋଟି ରଙ୍ଗ ହେଲା–ରକ୍ତ, ପୀତ ଓ ନୀଳ । ପ୍ରାଚୀନ ଭାରତୀୟ ଶାସ୍ତ୍ରମାନଙ୍କରେ ଇନ୍ଦ୍ରଧନୁରେ ଏହି ତିନୋଟି ରଙ୍ଗ ଥିବାର ଉଲ୍ଲେଖ ରହିଛି । ଜ୍ୟୋତିର୍ବିଦ୍ୟାନୁଯାୟୀ ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହ ଯଥାକ୍ରମେ ରକ୍ତ, ପୀତ ଓ ନୀଳ ବର୍ଣ୍ଣର ଆଲୋକରଶ୍ମି ବିକିରଣ କରନ୍ତି । ଆଉମଧ୍ୟ, ଶୁଭ୍ରାଲୋକକୁ ପ୍ରିଜମ୍ ମଧ୍ୟଦେଇ ପ୍ରବେଶ କରାଇଲେ ବର୍ଣ୍ଣାଳୀ-ବିଶ୍ଳେଷଣ ଘଟି ବିଭିନ୍ନ ରଙ୍ଗର ଚିତ୍ରବିଚିତ୍ର ମନୋରମ ଦୃଶ୍ୟପଟ ସୃଷ୍ଟି ହୁଏ । ସେହିପରି ଶୀତ ସକାଳରେ ଶିଶିର ବିନ୍ଦୁ ସମୂହରେ ବାଳ ସୂର୍ଯ୍ୟର ଆଲୋକରଶ୍ମି ନିପତିତ ହେଲେ ଅଥବା ଜଳ-ପ୍ରପାତ ଓ ତରଙ୍ଗଦ୍ୱାରା ସୃଷ୍ଟ ଭୁରି ଭୁରି ଜଳକଣା ସମୂହରେ ସୂର୍ଯ୍ୟରଶ୍ମି ଆପତିତ ହେଲେ ଇନ୍ଦ୍ରଧନୁ ଭଳି ବିଚିତ୍ର ବର୍ଣ୍ଣାଳି ଦୃଶ୍ୟମାନ ହୁଏ । ସୌନ୍ଦର୍ଯ୍ୟପ୍ରିୟ କବି ଗଙ୍ଗାଧର ବର୍ଣ୍ଣାଳିର ବୈଚିତ୍ର୍ୟ ସମ୍ବନ୍ଧରେ ପର୍ଯ୍ୟାପ୍ତ ରୂପେ ଅଭିଜ୍ଞାତ ବୋଲି ତାଙ୍କ ରଚନାବଳିରୁ ସ୍ପଷ୍ଟ ଜଣାପଡ଼େ । ଏ ସମ୍ପର୍କରେ ଅଳ୍ପ କେତୋଟି ସୁନ୍ଦର ଦୃଷ୍ଟାନ୍ତ ନିମ୍ନରେ ଦିଆଯାଇଛି ।

 

୧-

ପଦ୍ମିନୀ-ହୃଦଶିଶିର             ବିନ୍ଦୁରେ ଖରରଶ୍ମିର

 

ପ୍ରତିବିମ୍ବ ପରି ବୀର ରାମ ମୂରତି

 

ଶୋକ-ଜର୍ଜରିତ ଚିତ୍ତ            ଫଳକେ କରି ଚିତ୍ରିତ

 

ହେଲେ ଆସନୁ ଉତଥିତ ଜାନକୀ ସତୀ ।

(ତପସ୍ୱିନୀ)

 

୨-

ଏକେ ତ ମଧୁର ବସନ୍ତ କାଳ

 

ବାଳଭାନୁ ହେମ କିରଣ ଜାଳ

 

ପ୍ରସରି ଶିଶିର ଜର୍ଜର ପର୍ଣ୍ଣେ

 

ଲୀଳା କରୁଅଛି            ବିବିଧ ବର୍ଣ୍ଣେ,

 

ଶିଶିର ବିନ୍ଦୁରେ ପଡ଼ି,

 

ହୀରାନୀଳା ମୋତି            ମାଣିକ୍ୟ ପଟଳ

 

ବିଚିତ୍ର ଦେଉଛି ଗଢ଼ି ।

(ତପସ୍ୱିନୀ)

 

୩-

ପ୍ରପାତ ଶୀକର ପୁଣି ସାଗର ତରଙ୍ଗେ

 

ଇନ୍ଦ୍ରଧନୁ ବିଳସିଲା ବହୁବିଧ ରଙ୍ଗେ ।

(ବସନ୍ତବାସର)

 

୪-

କାନ୍ତି ଚାହିଁ ପୁଣି କରଇ ମନେ ଏ ଆଲୋଚନା

 

ରବି ରଶ୍ମି ଉପାଦାନେ କି ଗଢ଼ା ବାମଲୋଚନା ।

 

ଶନି ବୃହସ୍ପତି ମଙ୍ଗଳ ଯେଉଁ କରେ ଦୀପିତ

 

ସେହି ପ୍ରଭାରାଶି ଏଥିରେ ହୋଇଅଛି ଗ୍ରଥିତ ।

 

ନୀଳବର୍ଣ୍ଣ ଚାରୁ କୁନ୍ତଳେ ପୀତବର୍ଣ୍ଣ ବିଗ୍ରହେ

 

ରକ୍ତବର୍ଣ୍ଣ ପ୍ରତିଫଳିତ ପାଣିଚରଣ ଦ୍ୱୟେ ।

(କୀଚକବଧ)

 

୫-

ଗର୍ଭେଧରି ତାରା-ରତନ ପୂର୍ଣ୍ଣ ଗଗନ-ସିନ୍ଧୁ,

 

ରତ୍ନାକରୁଁ ରତ୍ନରେଣୁ ଉତ୍ତୋଳନ,

 

କରି ଦିଗପାଳେ ମଣ୍ଡିଲେ ତୋରଣ ।

 

ସ୍ୱାର୍ଥପରବଶେ ଲଜ୍ଜା ତେଜି ମନୁ ।

 

ବାସବ ବୋଇଲେ ତାହା ମୋର ଧନୁ ।

 

ନ ସହି ବୋଇଲେ ରତ୍ନାକର ପତି,

 

ମୋ ରତ୍ନେ ନିର୍ମିତ ରହିବ ମୋ କତି ।

 

ଅନ୍ୟ ଦିଗପାଳେ ସାଧୁ ଧର୍ମ ପାଳି,

 

କରିଦେଲେ ତାଙ୍କୁ ବେଳେ ବେଳେ ପାଳି ।

(ତପସ୍ୱିନୀ)

 

(ଘ) ଋତୁଚକ୍ର ଓ ସୂର୍ଯ୍ୟଙ୍କର ଉତ୍ତରାୟଣ-ଦକ୍ଷିଣାୟନ: ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମଣ କରୁଥିବାରୁ ଏବଂ ଏହାର ମେରୁଦଣ୍ଡ କକ୍ଷତଳ ପ୍ରତି ସାଢ଼େ ତେଇଶ ଡିଗ୍ରୀ କୋଣରେ ଅବନତ ହୋଇଥିବାରୁ ପୃଥିବୀରେ ଋତୁ ପରିବର୍ତ୍ତନ ହହବା ସହିତ ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ସମ୍ଭବପର ହୁଏ । ଆମ ଦେଶରେ ସୂର୍ଯ୍ୟ ଗ୍ରୀଷ୍ମକାଳରେ ଉତ୍ତରାୟଣ ଓ ଶୀତକାଳରେ ଦକ୍ଷିଣାୟନ ଗତି କରନ୍ତି । ଗଙ୍ଗାଧର ଏସବୁ ବିଷୟରେ ଅବହିତ ଥିଲେ ବୋଲି ତାଙ୍କ ରଚନାରୁ ଜଣାପଡ଼େ । ଏ ସମ୍ବନ୍ଧୀୟ ଅଳ୍ପ କେତୋଟି ପଦ ଏଠାରେ ଉଦ୍ଧାର କରାଯାଇଛି ।

 

୧-

ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ-ସମ୍ରାଟ-ଭାଷା

 

ଗମିଲେ ସରଳ ପଥରେ ତେଜି ଦକ୍ଷିଣା ଆଶା ।

(କୀଚକ ବଧ)

 

୨-

ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ

 

ବିଷ୍ଣୁ ପଦସ୍ରୁତ ଜଳରେ ଝାସିଥିଲା ଝଟତି ।

 

ତପ ଫଳେ ଏବେ ସୁନ୍ଦରୀ ନବଜନକ ଲଭି,

 

ଧ୍ରୁବ ସମ୍ମୁଖୀନ ପତିଙ୍କ ହେଲା ପ୍ରାଣ-ବଲ୍ଲଭୀ ।

(କୀଚକବଧ)

 

୩-

ଯେମନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ହୋଇଥିଲା

 

ତହୁଁ ବଳିଗଲା ଶୀତ,

 

ନିଜେ ବିଭାବସୁ ଅନଳ କୋଣକୁ

 

ଦଉଡ଼ିଲେ ହୋଇ ଭୀତ ।

(ମଳୟ ଆବାହନ)

 

(ଙ)      ଅନ୍ୟାନ୍ୟ ବିଜ୍ଞାନ ସମ୍ପୃକ୍ତ ଦୃଷ୍ଟାନ୍ତ:

୧-

‘ସୂର୍ଯ୍ୟପ୍ରତିଦୀପ’ କବିତାରେ ଦୀପର ତରଫରୁ କବି ଯେଉଁ ଅଭିଯୋଗ ବାଢିଛନ୍ତି, ତହିଁରୁ କବିଙ୍କର ବିଜ୍ଞାନମାନସିକତାର ପରିଚୟ ମିଳେ । କବି କହିଛନ୍ତି-

 

‘ଏହି ସ୍ୱଭାବରୁ ତୁମ୍ଭେ ହେଲେ ଯେତେ ବଡ଼,

ଚିହ୍ନା ପଡ଼ିଗଲା ସିନା ଦେବ ନୁହଁ ଜଡ଼ ।’

 

୨-

ଗଙ୍ଗାଧର ଭଲଭାବରେ ଜାଣିଥିଲେ ଯେ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ତାରା ଇତ୍ୟାଦି ସମସ୍ତେ ଜଡ଼ ବସ୍ତୁ । ଦିନେ ନା ଦିନେ ଏମାନଙ୍କର କ୍ଷୟ ବା ବିଲୟ ଅବଶ୍ୟ ହେବ-। ସେଥିପାଇଁ ସେ ଲେଖିଛନ୍ତି-

 

‘କି ସୂର୍ଯ୍ୟ କି ତାରା ସର୍ବେ କ୍ଷୟର ଅଧୀନ

କାଳେ ମହା ଅନ୍ଧକାର ଗର୍ଭେ ହେବେ ଲୀନ

(ମହାନ୍ଧକାର)

 

୩-

ଚନ୍ଦ୍ରିକାଲିଙ୍ଗନ ସୁଖେ ପ୍ରଫୁଲ୍ଲିତ ହୃଦୟ ସରିତ-ପତି

 

ସରିତଙ୍କ ପ୍ରତି ଅନାଦର କରି ଠେଲି ଦେଲା ପଛକତି

 

ମୁହଁ ଫୁଲାଇଲେ ନଦୀଏ, ସାଗର-ରୀତିକି ଲୋକେ ବୁହାର,

 

ବୋଲିବାରୁ ତା’ର ଅପଭ୍ରଂଶେ ଏେବ ବୋଲନ୍ତି ତାକୁ ଜୁଆର ।

(କୀଚକବଧ)

 

ଚାନ୍ଦ୍ର ରଜନୀରେ ଚନ୍ଦ୍ରର ପ୍ରତ୍ୟକ୍ଷ ଆକର୍ଷଣ ବଳରେ ସମୁଦ୍ରରେ ଜୁଆର ସୃଷ୍ଟି ହୁଏ । ସମୁଦ୍ରଜଳ ଫୁଲି ଉଠେ ଓ ନଦୀମୁହାଣ ଦେଇ ସମ୍ପୃକ୍ତ ନଦୀଗର୍ଭରେ ପ୍ରବେଶ କରିଥାଏ । ନଦୀଜଳ ସମୁଦ୍ରକୁ ନିଷ୍କାସିତ ହେବା ପରିବର୍ତ୍ତେ ପଶ୍ଚାତଧାବନ କରିବା ଫଳରେ ମୁହାଣ ଅଂଶର ଜଳରାଶି ଅଗତ୍ୟା ଫୁଲିଉଠେ । ଏହି ପ୍ରାକୃତିକ ପ୍ରକ୍ରିୟାକୁ କବି ଅତି ସୁନ୍ଦର, ଏକରକମ୍ ମନୋରଞ୍ଜକ ଶୈଳୀରେ ଉପସ୍ଥାପନ କରିଛନ୍ତି, ଯେପରିକି ପରକିୟା ପ୍ରୀତିରେ ଲିପ୍ତ ଲମ୍ପଟ ପୁରୁଷର ଅବହେଳିତା ପତ୍ନୀ ଅଭିମାନରେ ମୁହଁ ଫୁଲାଇ ରହିଛି ।

 

୪-

ବୈଜ୍ଞାନିକ ‘ଜେମ୍‌ସ ଓ୍ୱାଟ’ଙ୍କ ଷ୍ଟୀମ୍ ଇଞ୍ଜିନ ଉଦ୍‌ଭାବନ ପରେ ରେଳଗାଡ଼ିର ପ୍ରଚଳନ ହେଲା । ଏହାର ବିପୁଳ ଗତିବେଗ ଏବଂ ପରିବହନ ଦକ୍ଷତା ଦେଖି କବି ବିସ୍ମୟାଭିଭୁତ ହୋଇ ଲେଖିଛନ୍ତି-

 

ବ୍ୟୋମ ସଞ୍ଚରଣ ଶୀଳ ଜଳକଣା

            ସାରଥୀ ଧରଣୀ ତଳେ,

ଅଶ୍ୱବିନା ରଥ ବାହେ ବାୟୁବେଗେ

            ମହତ କର୍ମ କୌଶଳେ–

 

(ମହିମା)

 

୫-

ଜଗତକୁ ଯେଉଁ ପଦାର୍ଥ ଅସାର

 

ନିଜ ପ୍ରାଣ ତୋଷୁ କରି ତା ଆହାର ।

(ତରୁବର)

 

ବୃକ୍ଷ ଆମର ଅତି ଉପକାରୀ । ସାଧାରଣତଃ ପଚାସଢ଼ା ଅଳିଆ ଆବର୍ଜନା, ମଳମୂତ୍ର, ଖତ ଗୋବର ଆଦି ଅହିତକାରୀ, ଅଦରକାରୀ, ବା ‘ଅସାର’ ପଦାର୍ଥକୁ ଖାଦ୍ୟ ରୂପେ ଗ୍ରହଣ କରି ଗଛ ପରିପୁଷ୍ଟ ହୁଏ ଏବଂ ପରିବେଷକୁ ପ୍ରଦୂଷଣମୁକ୍ତ ରଖେ । ଖାଲି ସେତିକି ନୁହେଁ ବୃକ୍ଷ ଆଉ ଏକ ଅନିବାର୍ଯ୍ୟ ‘ଅସାର’ ପଦାର୍ଥକୁ ଖାଦ୍ୟ ରୂପେ ଗ୍ରହଣ କରି ପଛ ପରିପୁଷ୍ଟ ହୁଏ ଏବଂ ପରିବେଶକୁ ପ୍ରଦୂଷଣମୁକ୍ତ ରଖେ । ଖାଲି ସେତିକି ନୁହେଁ, ବୃକ୍ଷ ଆଉ ଏକ ଅନିବାର୍ଯ୍ୟ ‘ଅସାର’ ବସ୍ତୁକୁ ଖାଦ୍ୟ ରୂପେ ଗ୍ରହଣ କରି ଜୀବଜଗତର ଅଶେଷ ଉପକାର କରିଥାଏ । ପ୍ରାଣୀ ଓ ଉଦ୍ଭିଦ–ସମସ୍ତ ଜୀବଜଗତ ଶ୍ୱାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରି ଅହିତକାରୀ ଅଙ୍ଗାରକାମ୍ଳଜାନ ବାଷ୍ପ ବାୟୁ ମଣ୍ଡଳକୁ ଛାଡ଼ନ୍ତି । ମାତ୍ର ସୂର୍ଯ୍ୟକିରଣର ଉପସ୍ଥିତିରେ ଅର୍ଥାତ୍ ଦିନବେଳେ ବୃକ୍ଷର ସବୁଜ ପତ୍ରାବଳି ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳଜାନ ବାଷ୍ପକୁ ପତ୍ରଛିଦ୍ର ବାଟେ ଗ୍ରହଣ କରି, ତାକୁ ଭୂଗର୍ଭରୁ ମୂଳଦ୍ୱାରା ଆନୀତ ଜଳ ସହିତ ସଂଶ୍ଲେଷଣ କରି ଶ୍ୱେତସାର ଖାଦ୍ୟ ତିଆରି କରନ୍ତି ଏବଂ ପ୍ରତିବଦଳରେ ଜୀବନଜଗତର ଅତି ଉପାଦେୟ ପ୍ରାଣପଦ ଅମ୍ଳଜାତ ବାଷ୍ପ ବାୟୁମଣ୍ଡଳକୁ ଛାଡ଼ନ୍ତି । ଫଳରେ ବାୟୁମଣ୍ଡଳ ବିଶୁଦ୍ଧ ରହେ । ଏହି ପ୍ରାକୃତିକ ପ୍ରକ୍ରିୟାକୁ ଅଙ୍ଗାର ଆତ୍ମୀକରଣ (Carbon Assimilation) ବା ଆଲୋକ ସଂଶ୍ଳେଷଣ (Photosynthesis) କୁହାଯାଏ ।

 

(ଚ) ‘ମହାନ୍ଧକାର’ କବିତାରେ ଗଙ୍ଗାଧରଙ୍କ ବିଜ୍ଞାନବୋଧ ଓ ଆଧ୍ୟାତ୍ମେବାଧ- ଆମେ ଜାଣୁ ଯେ ବିଂଶ ଶତାବ୍ଦୀର ପଞ୍ଚମ ଦଶକରେ ମହାକାଶ ଗବେଷଣା ଆରମ୍ଭ ହେଲା । ଷଷ୍ଠ ଦଶକରେ ମହାକାଶଚାରୀ ବୈଜ୍ଞାନିକ ଗଣ ମହାକାଶ ଯାତ୍ରା କରିବାକୁ ଲାଗିଲେ । ସେମାନଙ୍କଠାରୁ ତାଙ୍କର ମହାକାଶ-ଅଭିଜ୍ଞତା ସମ୍ବନ୍ଧରେ ଅବଗତ ହେଲୁ । ସେମାନଙ୍କ ଚକ୍ଷୁଷ ଅଭିଜ୍ଞତାରୁ ଆମେ ଜାଣିବାକୁ ପାଇଲୁ ଯେ ମହାକାଶ ଗାଢ଼ ଅନ୍ଧକାରମୟ । କିନ୍ତୁ ଏଇ ଘଟଣାର ଅନ୍ତତଃ ୪୦/୫୦ ବର୍ଷ ପୂର୍ବରୁ ଗଙ୍ଗାଧର ଏଇ ‘ମହାନ୍ଧକାର’ କବିତାଟି ଲେଖି ସାରିଥିବେ ନିଶ୍ଚୟ । ଆଶ୍ଚର୍ଯ୍ୟର କଥା ସେତେବେଳେ ସେ କିପରି ଜାଣିଲେ ଯେ ମହାକାଶ ନିତ୍ୟ ଅନ୍ଧକାରାଚ୍ଛନ୍ନ ? ଏହା ଯେ କୌଣସି ଚିନ୍ତାଶୀଳ ବ୍ୟକ୍ତିକୁ ବିସ୍ମୟାଭିଭୂତ କରିବ ଅବଶ୍ୟ । ପୁନଶ୍ଚ ଏହି କବିତାରେ କବି ଯାହାସବୁ ଉଲ୍ଲେଖ କରିଛନ୍ତି, ତାହା ଯେକୌଣସି ନିବିଷ୍ଟ ପାଠକକୁ ଆଶ୍ଚର୍ଯ୍ୟ-ଚକିତ କରିଦେବ । ଏଥିରେ ସାଧାରଣ ବିଜ୍ଞାନ ସହ ଜ୍ୟୋତିର୍ବିଜ୍ଞାନ, ଦର୍ଶନ ଓ ଆଧ୍ୟାତ୍ମବାଦର ଚମତ୍କାର ସମନ୍ୱୟ ଘଟିଛି ।

 

ଅନ୍ଧକାର ଅନ୍ଧକାର ଅନ୍ଧକାର ରାଶି

ଅନନ୍ତ ଆକାଶେ ଅଛି ଜଗତକୁ ଗ୍ରାସି ।

x      x      x

ବିଶ୍ୱ ହୋଇଥାନ୍ତା ଯଦି ଶୁଭ୍ରାଲୋକ ମୟ

ନ ଦିଶନ୍ତି ରବିଚନ୍ଦ୍ର ତାରକା ନିଶ୍ଚୟ ।

x       x      x

କି ସୂର୍ଯ୍ୟ କି ତାରା ସର୍ବେ କ୍ଷୟର ଅଧୀନ,

କାଳେ ମହାଅନ୍ଧକାର ଗର୍ଭେ ହେବେ ଲୀନ ।

 

ଏହି କବିତାର ପ୍ରଥମାର୍ଦ୍ଧରେ କି ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର, ଛାୟାପଥ ଆଦିର ଯେଉଁ ଆପେକ୍ଷିକ ବିବରଣୀ ପ୍ରଦାନ କରିଛନ୍ତି, ତାହା ବିଶିଷ୍ଟ ଜ୍ୟୋତିର୍ବିଦ୍‌ମାନଙ୍କୁ ସ୍ତମ୍ଭୀଭୂତ କରିଦେବ । ବିଜ୍ଞାନୀସୁଲଭ ଯୁକ୍ତି ବାଜି ଆକାଶ ନୀଳବର୍ଣ୍ଣ ହେବାର କାରଣ ଦର୍ଶାଇଛନ୍ତି । ଏଠାରେ ସେ ଯାହାସବୁ ତଥ୍ୟାବଳି ଉପସ୍ଥାପନ କରିଛନ୍ତି, ତାହା ଜ୍ୟୋତିର୍ବିଜ୍ଞାନର ପ୍ରତିଷ୍ଠିତ ମତ ଉପରେ ଆଧାରିତ । ତେରୁ କବି ଗଙ୍ଗାଧର ଏକା ସାଙ୍ଗରେ ଜଣେ କୁଶଳ ଜ୍ୟୋତିର୍ବିଦ ପଣ୍ଡିତ ଥିଲେ ବୋଲି କହିଲେ ବି ସତ୍ୟର ଅପଳାପ ହେବନାହିଁ ।

 

କବିତାର ଦ୍ୱିତୀୟାର୍ଦ୍ଧରେ ଥିବା ପଦଗୁଡ଼ିକୁ ତଳେଇ କରି ଦେଖିଲେ ମନେହୁଏ, ସତ୍ୟ-ଶାଶ୍ୱତ ସତ୍ୟ ହିଁ କବିଙ୍କ ସମ୍ମୁଖରେ ହଠାତ୍ ଉନ୍ମୋଚିତ ହୋଇଯାଇଛି ଏବଂ ବୋଧହୁଏ, ସେଇ ସତ୍ୟ ହିଁ ତାଙ୍କୁ ଆକୃଷ୍ଟ କରିଛି, ଉଦ୍‌ବୁଦ୍ଧ କରିଛି, ଅନୁପ୍ରାଣିତ କରିଛି ଏବଂ ବିଭୋର କରି ପକାଇଛି-। ନିମ୍ନସ୍ଥ ପଦାବଳିକୁ ଲକ୍ଷ୍ୟକଲେ ଏହି କଥାର ମାର୍ମିକ ତାତ୍ପର୍ଯ୍ୟର କିଞ୍ଚିତ୍ ଆଭାସ ମିଳେ-

 

ଅଙ୍ଗାର ଗରଭେ ଯଥା ହୀରକ ଜନମ

ତମୋଗର୍ଭେ ଜନମିବା ଜ୍ୟୋତିଷ୍କ ଧରମ ।

x      x      x

ରବିକରେ ଅଛି ନୀଳବର୍ଣ୍ଣେ ଅନ୍ଧକାର

ତରୁତୃଣ ଶ୍ୟାମଳତା ତାହାର ବିକାର ।

x      x      x

ଆଲୋକ ଦିଶଇ ସବୁ ଅନିତ୍ୟବରଣ,

ତମଃ କୃଷ୍ଣବର୍ଣ୍ଣ ନିତ୍ୟ ଜଗତଶରଣ ।

ଜ୍ୟୋତିଙ୍କ ଜନମଦାତା ସର୍ବତମୁ ପର

ଏକ ମହା ଜ୍ୟୋତିର୍ମୟ ପରମଈଶ୍ୱର ।

 

ବିଜ୍ଞାନର ଲକ୍ଷ୍ୟ ହେଲା ସତ୍ୟର ସନ୍ଧାନ କରିବା । ମନେହୁଏ ଗଙ୍ଗାଧର ଏଠାରେ ବିଜ୍ଞାନ ମାର୍ଗରେ ଅଗ୍ରସର ହୋଇ ପରମସତ୍ୟର ସନ୍ଧାନ ପାଇ ପାରିଛନ୍ତି । ଶେଷରେ ତାଙ୍କର ଜ୍ଞାନ, ବିଜ୍ଞାନ ଓ ଦର୍ଶନ- ସବୁ ଏକାକାର ହୋଇଯାଇଛି । ସେହି ମହାଜ୍ୟୋତିର୍ମୟ ପରମେଶ୍ୱରଙ୍କ ସାର୍ବଭୌମତ୍ୱରେ କବିଙ୍କ ଦର୍ଶନ ଓ ବିଜ୍ଞାନ ଆତ୍ମସତ୍ତା ହରାଇ ବିସ୍ମୃତ ହୋଇଯାଇଛି, ବିଲୀନ ହୋଇଯାଇଛି, ନିଶ୍ଚିହ୍ନ ହୋଇଯାଇଛି । ଏଥିସହିତ, ପରମ ଈଶ୍ୱରବିଶ୍ୱାସୀ ଓ ଆଧ୍ୟାତ୍ମିକତାର ଏକାନ୍ତ, ଅନୁବର୍ତ୍ତୀ କବି, ମହାନ୍ଧକାର ପରିବୃତ୍ତ ବିଶ୍ୱବ୍ରହ୍ମାଣ୍ଡର ଏକମାତ୍ର ମୌଳିକ ଜ୍ୟୋତିଷ୍ମାନ ତତ୍ତ୍ୱ ପରମେଶ୍ୱରଙ୍କ ପରମଜ୍ୟୋତିର ଉଦ୍‌ଭାସରେ ଅଭିଭୂତ ହୋଇ ପଡ଼ିଛନ୍ତି, ପରମାନନ୍ଦର ଉଲ୍ଲାସରେ ବିଭୋର ହୋଇ ଉଠିଛନ୍ତି।

 

(ଛ) କୃଷକ-ସଙ୍ଗୀତ: କୃଷକ ସମାଜର ହିତାର୍ଥେ ଗଙ୍ଗାଧର କୃଷି-ସାହିତ୍ୟ ରଚନା କରିଛନ୍ତି। ‘କୃଷକ-ସଙ୍ଗୀତ‘ ପୁସ୍ତିକାରେ ସନ୍ନିବେଶିତ ବିଭିନ୍ନ ଫସଲର ଚାଷ-ପ୍ରଣାଳୀ ସମ୍ବନ୍ଧରେ ତାଙ୍କ ରଚନାବଳି କୃଷି-ବିଜ୍ଞାନ-ସମ୍ମତ ପଦ୍ଧତି ଉପରେ ଆଧାରିତ । ଏ ପୁସ୍ତିକାଟି ଅଧ୍ୟୟନ କଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ । ଏତେ ପ୍ରକାର ଚାଷ ସମ୍ବନ୍ଧରେ ଏତେ ସବୁକଥା, ଏତେ ନିଗୂଢ଼ ତଥ୍ୟାବଳି କବି କିପରି ଜାଣିଲେ ବୋଲି ମନରେ ସ୍ୱତଃ ପ୍ରଶ୍ନ ଉଠେ । ଏହି ରଚନାସମୂହରୁ ସ୍ପଷ୍ଟଭାବେ ସାବ୍ୟସ୍ତ ହୁଏ ଯେ କୃଷି-ବିଜ୍ଞାନ ଓ ଗୋ-ପାଳନ ଉପରେ ବି କବିଙ୍କର ପର୍ଯ୍ୟାପ୍ତ ଜ୍ଞାନ ଥିଲା ଏବଂ ସେ ଏକାଧାରାରେ ବହୁମୁଖୀ ପ୍ରତିଭାତର ଅଧିକାରୀ ଥିଲେ ।

 

(ଜ) ଏହା କି ପୃଥିବୀର ଶବ୍ଦ ? ଏହି ଶିରୋନାମାରେ ଲିଖିତ କ୍ଷୁଦ୍ର ପ୍ରବନ୍ଧଟି କବି ଗଙ୍ଗାଧରଙ୍କ ବିଜ୍ଞାନ-ମାନସିକତା ଓ ବୈଜ୍ଞାନିକ ପ୍ରବୃତ୍ତିର ପ୍ରକୃଷ୍ଟ ନିଦର୍ଶନ । ବାସ୍ତବରେ, ଏହି ‘ମିନି’ ପ୍ରବନ୍ଧଟି ତାଙ୍କର ଗବେଷଣାତ୍ମକ ବୈଜ୍ଞାନିକ ଚିନ୍ତାଧାରାର ବିଲକ୍ଷଣ ଝଲକ ସ୍ୱରୂପ ପ୍ରତିବିମ୍ବିତ ହେଉଛି । କେତେକ ନିର୍ଭୁଲ ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ଏଇ ରଚନାଟି କ୍ରାନ୍ତଦର୍ଶୀ କବିଙ୍କର ସତ୍ୟ-ସନ୍ଧାନୀ ମାନସର ଏକ ଅଲିଭା-ସ୍ୱାକ୍ଷର-ଦୀପ୍ତ-ପ୍ରତିଛବି ରୂପେ ପ୍ରତୀୟମାନ ହୁଏ ।

 

ଗଙ୍ଗାଧର ପ୍ରଶ୍ନ କରିଛନ୍ତି–‘ନିଶିଥ ସମୟରେ ଯେ ଏକ ନିରବଚ୍ଛିନ୍ନ ସାଇଁ ସାଇଁ ଶବ୍ଦ ଶ୍ରୁତିପଥରେ ପ୍ରବେଶ କରେ, ସେ ଶବ୍ଦ କାହାର ? ଏହା କି ପୃଥିବୀର ଶବ୍ଦ ? ସେ ଅନୁମାନ କରନ୍ତି–ସେଇୟା ହୋଇପାରେ । କିନ୍ତୁ ଏହା ଅନୁମାନ କେବଳ, ମୀମାଂସା ନୁହେଁ ।

 

ଶଂସିତ ଆଲେଖ୍ୟରେ କବି କେତେକ ରୋଚକ ବୈଜ୍ଞାନିକ ସତ୍ୟର ଉପସ୍ଥାପନ କରିଛନ୍ତି-। ତାଙ୍କ ମତରେ, (୧) ଆମର ଏଇ ପୃଥିବୀ ବର୍ତ୍ତୁଳାକାର ଏବଂ ତାକୁ ପରିବେଷ୍ଟନ କରି ରହିଥିବା ବିରାଟ (୧୦୦୦ ମାଇଲ ଉଚ୍ଚତା ବ୍ୟାପୀ) ବାୟୁମଣ୍ଡଳ ସହିତ ପ୍ରବଳ ବେଗରେ ଘୂର୍ଣ୍ଣନ କରେ । (୨) ବାୟୁ ମାଧ୍ୟମରେ ହିଁ ଶବ୍ଦ ତରଙ୍ଗ ପ୍ରସାରିତ ହୋଇଥାଏ । ଏବଂ (୩) ମହାକାଶ ବାୟୁଶୂନ୍ୟ ଅଟେ । ତାଙ୍କ ଅନୁସନ୍ଧିସୁମନର ଅଭିନିବିଷ୍ଟ ଅନୁଶୀନଳର ଅନୁଭୂତିରୁ କବି ହୁଏତ ଏସବୁ ଲକ୍ଷ୍ୟ କରିଛନ୍ତି, ଜାଣି ପାରିଛନ୍ତି । ସେ ଲେଖିଛନ୍ତି–‘ବାୟୁହୀନ ଅନନ୍ତ ବର୍ତ୍ମରେ ପୃଥିବୀର ଗତି ହେଉଥିବାରୁ କୌଣସି ଶବ୍ଦ ହୁଏ ନାହିଁ ।’ ଏଥିରେ କିନ୍ତୁ କବିଙ୍କ ବିଜ୍ଞାନୀ ମାନସ ସନ୍ତୁଷ୍ଟ ହୋଇନାହିଁ । ସେ ସନ୍ଦିଗ୍ଧ ମନରେ ‘ଫେର୍’ ପଚାରିଛନ୍ତି–‘ଏହାକି ପୃଥିବୀର ଶବ୍ଦ ?’ ମାତ୍ର ଏହି ପ୍ରଶ୍ନର ସଠିକ୍ ଉତ୍ତର ସେ ପାଇପାରି ନାହାନ୍ତି । ଏ ଭିତରେ ବିଜ୍ଞାନ ‘ନାହିଁ ନ–ଥିବା’ ଉନ୍ନତି କରିଛି; ତଥାପି ଗଙ୍ଗାଧରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିନାହିଁ । ଏବେ ବି ଏହା ସେହିଭଳି ଅମୀମାଂସିତ, ଅସମାହିତ ହୋଇ ରହିଛି ।

 

(ଝ) ‘ତପସ୍ୱିନୀ’ରେ ବିଜ୍ଞାନ: କବି ଗଙ୍ଗଧରଙ୍କ ସର୍ବୋତ୍ତମ କାବ୍ୟକୃତି ‘ତପସ୍ୱିନୀ’ରେ ବିଜ୍ଞାନର ବହୁଳ ବ୍ୟବହାର ପରିଦୃଷ୍ଟ ହୁଏ । ଏକେତ, କାବ୍ୟଟିର ଛତ୍ରେ ଛତ୍ରେ ‘ବୈଜ୍ଞାନିକ ଆଭିମୁଖ୍ୟ‘ ପରିସ୍ଫୁଟ ହୋଇଉଠିଛି । ଦ୍ୱିତୀୟରେ, ଅନେକ ସ୍ଥଳରେ ବିଜ୍ଞାନର ଅନ୍ତଃ-ସଲିଳ-ପ୍ରବାହର ଅବାଧ ଉତ୍ସାରଣ ଫଳରେ ବିଜ୍ଞାନୀ ମାନସ ଆନନ୍ଦାଭିଷିକ୍ତ ହେଲାବେଳକୁ ସାହିତ୍ୟିକ ହୃଦୟ ବିସ୍ମାୟାପ୍ଳୁତ ହୋଇଉଠେ । ପୁନଶ୍ଚ ଏଥିରେ ସମୃଦ୍ଧ-ବୈଜ୍ଞାନିକ ଚିନ୍ତାଧାରା ସନ୍ନିବିଷ୍ଟ ଏପରି କେତୋଟି ପଦ ରହିଛି, ଯାହାର ଯଥାର୍ଥ, ତ୍ରୁଟିହୀନ ଅବଧାରଣା ସାଧାରଣବିଜ୍ଞାନ-ଧାରଣା-ରହିତ ପାଠକ ପକ୍ଷେ ଅବଶ୍ୟ କଷ୍ଟକର ବୋଧ ହେବ । ସୁତରାଂ ବିଜ୍ଞାନରେ କବିଙ୍କର ଉଲ୍ଲେଖନୀୟ ପ୍ରବେଶ ରହିଥିଲା–ଏହା ନିଃସନ୍ଦେହରେ କୁହା ଯାଇପାରେ । ପୂର୍ବରୁ ଏଇ ଆଲୋଚନା ପ୍ରସଙ୍ଗରେ ‘ତପସ୍ୱିନୀ’ରୁ ଆନୀତ କେତେକ ପଦର ଦୃଷ୍ଟାନ୍ତ ବିଭିନ୍ନ ସ୍ଥଳରେ ସନ୍ନିବେଶିତ କରାଯାଇଛି । ସେଗୁଡ଼ିକରେ ବିଜ୍ଞାନର ଅନୁପ୍ରବେଶ ଅବଶ୍ୟ ଅନୁଭୂତ ହୁଏ । ନିମ୍ନରେ ଉର୍ଦ୍ଧୃତ ଅଳ୍ପ କେତୋଟି ପଦରେ ବିଜ୍ଞାନ-ଧାରଣା ଅଙ୍ଗାଙ୍ଗୀଭାବେ ଜଡ଼ିତ ଥିବାବେଳେ ଅନ୍ୟ କେତୋଟିରେ ବିଜ୍ଞାନର ଅନ୍ତର୍ଧ୍ୱନି ଗୁଞ୍ଜିତ ହୋଇଉଠେ । ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ସଂପୃକ୍ତ ଧାରଣାକୁ ଉଦ୍‌ଘୋଷିତ କରିବା ଅଥବା ଅସ୍ପଷ୍ଟ ଗୁଞ୍ଜନକୁ କିଞ୍ଚିତ୍ ସ୍ପଷ୍ଟତର କରି ପରିବେଷଣ କରିବା ଏଠାରେ ଆମର ଉଦ୍ଦେଶ୍ୟ । ସେଗୁଡ଼ିକର ପୂର୍ଣ୍ଣାଙ୍ଗ ସାହିତ୍ୟିକ ବ୍ୟାଖ୍ୟା ଉପସ୍ଥାପନ କରିବା ଆମର ଅଭିପ୍ରାୟ ନୁହେଁ-

 

(ଝ)

କମ୍ପିତ-ସରିତ-ବୀଚି-ଉତ୍‌ଥିତ-ଶୀକର

 

ପଡ଼ିଲା ପୁଳିନେ ତେଜି ତରଙ୍ଗ-ଶିଖର ।

 

ଭରିକି ସୀସକଗୁଳି ତରଙ୍ଗର ତୋପେ

 

ନିୟତିକି ଭାଗିରଥୀ ପ୍ରହାରିଲା କୋପେ ।

 

ଜଳ ପୃଷ୍ଠରେ ତରଙ୍ଗ (wave) ସୃଷ୍ଟି ହେଲେ ଜଳସ୍ତର ଉଚ୍ଚ-ନୀଚ୍ଚ ହୋଇ ସଞ୍ଚାରିତ ହୋଇଥାଏ। ତରଙ୍ଗର ଏହି ଉଚ୍ଚ ଅଂଶକୁ ବିଜ୍ଞାନର ଭାଷାରେ ତରଙ୍ଗ-ଶିଖର (Crest) ଓ ନିମ୍ନ ଅଂଶକୁ ତରଙ୍ଗ-ଗହ୍ୱର (Trough) କୁହାଯାଏ । ଦୁଇଟି ପାଖାପାଖି ଶିଖରର ଦୂରତ୍ୱକୁ ତରଙ୍ଗ-ଦୈର୍ଘ୍ୟ (Wave length) କୁହାଯାଏ । ଗଙ୍ଗାଧର ଏଠାରେ ବିଜ୍ଞାନର ଭାଷା ‘ତରଙ୍ଗ-ଶିଖର’ ଶବ୍ଦ ପ୍ରୟୋଗ କରିଛନ୍ତି । ଏଠାରେ ଏହାକେତେ ଯଥାର୍ଥ, କେତେ ନିର୍ବିକଳ୍ପ ତାହା ହିଁ ଲକ୍ଷଣୀୟ ଓ ବିଚାର୍ଯ୍ୟ ।

 

କମ୍ପିତ-ସରିତ-ବୀଚି-ଉତ୍‌ଥିତ-ଶୀକାର (ଜଳକଣା) ତରଙ୍ଗ-ଶିଖର ତେଜି ପୁଳିନରେ ପଡ଼ିଲା । ଜଣେ ଅନୁସନ୍ଧିତ୍ସୁ ବିଜ୍ଞାନୀ ଭଳି କବିଙ୍କର ଅସାମାନ୍ୟ ନିରୀକ୍ଷଣ-ଦକ୍ଷତା ଅବଶ୍ୟ ଲକ୍ଷଣୀୟଏବଂ ପ୍ରଶଂସନୀୟ । ବିପୁଳ ଅନୁଭୂତି-ଲବ୍ଧ ଅଭିଜ୍ଞତାରୁ କବି ନିର୍ଭୁଲ ଭାବେ ଜାଣି ପାରିଛନ୍ତି ଯେ ତରଙ୍ଗ-ଶିଖରରୁ ହିଁ ଜଳକଣା ବିଚ୍ଛୁରିତ ବା ବିକ୍ଷେପିତ ହୁଏ–ତରଙ୍ଗର ଅନ୍ୟ ଅଂଶରୁ ନୁହେଁ । ବାସ୍ତବିକ୍ ତରଙ୍ଗ-ଶିଖର ଜଳସ୍ତରର ସର୍ବୋଚ୍ଚ ବିନ୍ଦୁ ହୋଇଥିବାରୁ କେବଳ ତହିଁରୁ ହିଁ ବିକ୍ଷେପିତ ଜଳକଣା ନଦୀପୁଳିନକୁ ପହଞ୍ଚିବାର ସମ୍ଭାବନା ଅଛି–ଅନ୍ୟ ସ୍ଥାନରୁ, ନାହିଁ ।

 

ପଦର ଦ୍ୱିତୀୟାଂଶରେ କବି ଯେଉଁ ଉପମା ଖଞ୍ଜିଛନ୍ତି, ତହିଁରେ ବି ବିଜ୍ଞାନର ଭାଷା ବ୍ୟବହାର କରିଛନ୍ତି । ସୀସା (Lead) ଭାରି ଓଜନିଆ ଧାତୁ । ବନ୍ଧୁକର ଗୁଳି ସୀସାରୁ ତିଆରି ହୁଏ । ସୀସାର ବସ୍ତୁତ୍ୱ ଓ ଆପେକ୍ଷିକ ଗୁରୁତ୍ୱ ବେଶି ହୋଇଥିବାରୁ ବନ୍ଧୁକର ମୁନରୁ ପ୍ରବେଗରେ ନିର୍ଗତ ସୀସା ଗୁଳିର ସଂବେଗ (Momentum) ଅତ୍ୟଧିକ ହୁଏ । ସେଥିପାଇଁ ଏହାର ‘ମାରକ କ୍ଷମତା’ ବା ‘ଘାତକ ଶକ୍ତି’ ଅଧିକ ।

 

କବିଙ୍କର ଅବଶ୍ୟ କେତେକ ମୌଳିକ ବିଜ୍ଞାନ-ଧାରଣା ଥିଲା ଏବଂ ବିଜ୍ଞାନର ପରିଭାଷାର ସହ ବି ସେ ପରିଚିତ ଥିଲେ–ଏହି ପଦ୍ୟାଂଶରୁ ଏହାର ପ୍ରମାଣ ମିଳେ ।

 

 

୨-

ବୋଇଲେ ତାକୁ ପ୍ରଶଂସି,             ତୁମ୍ଭେ ତିମିର ବିଧ୍ୱଂସି

 

ରବି-ଆଗମନ-ଶଂସୀ ହୁଅଇ ସଂସାରେ,

 

ତୁମ୍ଭ କୋମଳ ଚରଣ             କରେ ଜ୍ୟୋତି ଆହରଣ

 

ତହିଁ ଯାଉଛି ଶରଣ ଦୃଢ଼ ଆଶାରେ;

 

ଶୁଭ୍ର-ସଉରଭ-ରସିକେ,

 

ଶୁଭସମ୍ପାଦିନୀ ହୁଅ ରଘୁବଂଶିକେ ।

 

ସୀତା ଉଷାକୁ ପ୍ରଶଂସା କରି କହିଲେ ଯେ ସେ (ଉଷା) ବିଧ୍ୱଂସ କରି ରବି-ଆଗମନ ବା ସୂର୍ଯ୍ୟୋଦୟର ସୂଚନା ଜଗତକୁ ଦିଅନ୍ତି ଓ ତାଙ୍କ କୋମଳଚରଣ ଜ୍ୟୋତି ଆହରଣ କରେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି- ଉଷାର କୋମଳ ଚରଣ କିପରି ଓ କେଉଁଠୁ ଜ୍ୟୋତି (ଆଲୋକ) ଆହରଣ କରେ?

 

ଆମର ଏଇ ପୃଥିବୀ ସୌରଜଗତର ଅନ୍ୟତମ ଗ୍ରହ । ଏହା ସୂର୍ଯ୍ୟୋଲୋକରେ ଆଲୋକିତ ହୁଏ । ପୁନଶ୍ଚ ଏହା ବର୍ତ୍ତୁଳାକାର ଏବଂ ନିଜ ଅକ୍ଷ (Axis)ର ଚତୁର୍ଦ୍ଦିଗରେ ନିର୍ଦ୍ଦିଷ୍ଟ ବେଗରେ ପଶ୍ଚିମରୁ ପୂର୍ବକୁ ଘୂର୍ଣ୍ଣନ କରେ । ପ୍ରାୟ ୧୬୦୦ କି.ମି. ଉଚ୍ଚତା ବ୍ୟାପୀ ଏକ ବିରାଟ ବାୟୁମଣ୍ଡଳ ଏହାକୁ ପରିବେଷ୍ଟନ କରି ରହିଛି । ସୂର୍ଯ୍ୟୋଦୟ ପୂର୍ବରୁ ପ୍ରଭାତରେ ଯେତେବେଳେ ସୂର୍ଯ୍ୟ ପୂର୍ବ ଦିଗ୍‌ଗଳୟର କିଞ୍ଚିତ୍‌ ନିମ୍ନରେ ଥା’ନ୍ତି, ଭୂ-ପୃଷ୍ଠ ସୂର୍ଯ୍ୟାଲୋକଦ୍ୱାରା ପ୍ରତ୍ୟକ୍ଷ ଭାବରେ ଆଲୋକିତ ହୋଇପାରେ ନାହିଁ । ମାତ୍ର ସୂର୍ଯ୍ୟରଶ୍ମି ଭୂ-ପୃଷ୍ଠର ଉର୍ଦ୍ଧ୍ୱସ୍ତରରେ ଥିବା ବାୟୁମଣ୍ଡଳସ୍ଥ କଣିକା ସମୂହରେ ପ୍ରତିଫଳିତ ହୋଇ ଭୂପୃଷ୍ଠକୁ ବିଚ୍ଛୁରିତ ହୋଇ ଆସି ପହଞ୍ଚେ । ଏହି ପ୍ରତିଫଳିତ ଆଲୋକ ହିଁ–ଭାଷାକୋଷ । ସେଥିପାଇଁ ଯଥାର୍ଥରେ ସୀତା କହିଛନ୍ତି–‘ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ’ ।

 

ପୁନଶ୍ଚ କବି ‘ଉଷା’କୁ ‘ଶୁଭ୍ର-ସୌରଭ-ରସିକା’ କାହିଁକି କହିଛନ୍ତି ? ଏହି ପ୍ରଶ୍ନର ଉତ୍ତର ଆମକୁ ପ୍ରକୃତି-ବିଜ୍ଞାନ ରାଜ୍ୟରେ ଖୋଜିବାକୁ ପଡ଼ିବ । ଫୁଲ ଫୁଟିଲେ ତାର ସୁରଭି ବାୟୁରେ ଚହଟିଯାଏ । ଉଷା କାଳରେ ଯେଉଁ ପୁଷ୍ପ-ସୌରଭ ବାୟୁରେ ସଞ୍ଚାରିତ ହୁଏ, ତାହା ରାତିରେ ଫୁଟୁଥିବା ଫୁଲସବୁରୁ ଆସେ । ମାତ୍ର ପ୍ରକୃତିର ବିଧାନ ଅନୁସାରେ ରାତିରେ ଫୁଟୁଥିବା ଫୁଲସବୁ, ଦିନବେଳେ ଫୁଟୁଥିବା ଫୁଲପରି ଉଜ୍ଜ୍ୱଳ, ରଙ୍ଗିନ ଓ କାନ୍ତିଯୁକ୍ତ ନ ହୋଇ ସାଧାରଣତଃ ବର୍ଣ୍ଣହୀନ, ନିଷ୍ପ୍ରଭ ବା ଧଳା ରଙ୍ଗର ହେବା ସହ ଖୁବ୍ ବାସ୍ନାଯୁକ୍ତ ହୋଇଥାଏ । ଅବଶ୍ୟ ଏ ପ୍ରକ୍ରିୟା ଅନ୍ତରାଳେ ପ୍ରକୃତିର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ନିହିତ ଅଛି । ତାହା ହେଲା-ଫୁଲର ପରାଗସଙ୍ଗମ କ୍ରିୟା (Pollination) । ରାତ୍ରିର ଅନ୍ଧାର ଭିତରେ ପରାଗସଙ୍ଗମ୍ ସମ୍ପାଦନ ଲାଗି ନିଶାଚର କୀଟପତଙ୍ଗମାନଙ୍କୁ ଆକୃଷ୍ଟ କରିବା ପାଇଁ ଫୁଲର ବିାସ୍ନା ହିଁ ଏକାନ୍ତ ଆବଶ୍ୟକ ଉପାଦାନ । ତେଣୁ ଉଷାକଳରେ ବାୟୁମଣ୍ଡଳ ଯେଉଁ ମନୋମୁଗ୍ଧକର ମହକରେ ପୁରିଉଠେ, ତାହ ରାତ୍ରିରେ ପ୍ରସ୍ଫୁଟିତ ସୁବାସିତ ଶ୍ୱେତପୁଷ୍ପର ଉପଚିତ ସୌରଭ–ଶୁଭ୍ର ଶୁଚିମନ୍ତ ସୌରଭ । ବୋଧହୁଏ, ସେଥିପାଇଁ କବି ଗଙ୍ଗାଧରଙ୍କ ସୀତା ଉଷା ଦେବୀଙ୍କୁ ‘ଶୁଭ୍ର-ସୌରଭ-ରସିକେ’ ବୋଲି ସମ୍ବୋଧନ କରିଛନ୍ତି ।

 

୩-

ଉତ୍ସୁକ ହୃଦୟେ ରାତି            ଶେଷରେ ଆଶ୍ରମଧାତ୍ରୀ

 

ତମସାନିର୍ମଳଗାତ୍ରୀ ପବିତ୍ର–ଧାରା ।

 

ପ୍ରାଙ୍ଗେ କୁସୁମ ବିଞ୍ଚି             ସୁବାସିତ ନୀର ସିଞ୍ଚି

 

ମଙ୍ଗଳପ୍ରଦୀପ ରଚି ପ୍ରଭାତୀତାରା

 

ମୁହୁର୍ମୁହୁଃ ମୀନନୟନେ,

 

ଚାହୁଁଥିଲା ସୀତାସତୀ ଶୁଭାଗମନେ ।

 

ରାତ୍ରିଶେଷରେ ଆଶ୍ରମର ଧାତ୍ରୀ ସ୍ୱରୂପିଣୀ ପବିତ୍ର-ଧାରା ଓ ନିର୍ମଳଗାତ୍ରୀ ତମସା (ନଈ) ପ୍ରାଙ୍ଗଣେ (ପୁଳିନରେ) କୁସୁମ ବିଞ୍ଚି, ସୁବାସିତ ନୀର ସିଞ୍ଚି ସତୀ, ସୀତାଙ୍କ ଶୁଭାଗମନ ସକାଶେ ପ୍ରଭାତୀ ତାରା ରୂପକ ମଙ୍ଗଳ-ପ୍ରଦୀପ ରଚି (ଜାଳି), ଉତ୍ସୁକ ହୃଦୟରେ ମୀନନୟନରେ ମୁହୁର୍ମୁହୁଃ ଚାହୁଁଥିଲା । ଏ ଭିତରୁ ପ୍ରାଙ୍ଗଣେ କୁସୁମ ବଞ୍ଚିବା, ତହିଁରେ ସୁବାସିତ ନୀର ସିଞ୍ଚିବା ଓ ମଙ୍ଗଳ-ପ୍ରଦୀପ ଜାଳିବା କ୍ରିୟାରେ ବିଜ୍ଞାନର ଉପଯୋଗ ହୋଇଥିବାର ଉପଲବ୍ଧ ହୁଏ । ‘ତପସ୍ୱିନୀ’ କାବ୍ୟର ବର୍ଣ୍ଣନାରୁ ଅନୁମିତ ହୁଏ ଯେ ଗଙ୍ଗାନଦୀ ଦକ୍ଷିଣବାହିନୀ ହୋଇ ‘ଗଡ଼ୱାଲ’ ପାର୍ବତ୍ୟାଞ୍ଚଳ ଅତିକ୍ରମ କରି ସମତଳ ଅଞ୍ଚଳରେ ପ୍ରବେଶ କରିଛି । ସେହିପରି ଗଙ୍ଗାର ଏକ କ୍ଷୁଦ୍ର ଉପନଦୀ ‘ତପସା’ ପ୍ରଥମେ ଦକ୍ଷିଣ ଓ ପରେ ପୂର୍ବଦିଗକୁ ପ୍ରବାହିତ ହୋଇ ଗଙ୍ଗାନଦୀର ଦକ୍ଷିଣ ତୀରରେ (Right Bank) ତା’ ସହିତ ମିଳିତ ହୋଇଛି । ବୋଧହୁଏ, ବାଲ୍ମିକିମୁନିଙ୍କ ଆଶ୍ରମ ନଦୀଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ତମସା ଆଶ୍ରମର ଅତି ପାଖରେ ଓ ଗଙ୍ଗାନଦୀ କିଛି ଦୂରତାରେ ବିସ୍ତୃତ ବନ ଓ ଉପବନର ଅପର ପାର୍ଶ୍ୱରେ ପ୍ରଭାବିତ । ଅଳ୍ପ ଦୂରରେ ପୂର୍ଣ୍ଣଗର୍ଭା ଗଙ୍ଗାରେ ମିଶିଥିବାରୁ ଆଶ୍ରମ ତଟବର୍ତ୍ତୀ ତମସା ନଈର ଜଳ ଧୀରେ ଧୀରେ ନିଷ୍କାସିତ ହୁଏ । ଫଳରେ ଏହାର ଗତି ମନ୍ଥର ଓ ଜଳପୃଷ୍ଠ ପ୍ରାୟ ସମତଳ ରହେ । ଉଷା ସମୟରେ ପୂର୍ବାକାଶରେ ଦୃଶ୍ୟମାନ ଅତି ମନୋରମ ଓ ଉଜ୍ଜ୍ୱଳତମ ‘ପ୍ରଭାତୀତାରା’ର ପ୍ରତିଛବି ତମସାର ଅଚଞ୍ଚଳ ଓ ସମତଳ ଜଳପୃଷ୍ଠରେ ଅବାଧରେ ପ୍ରତିଫଳିତ ହୋଇ ନଦୀବକ୍ଷ ଦେଦୀପ୍ୟମାନ ହୋଇଉଠେ । ଏହି ଦୃଶ୍ୟକୁ ବର୍ଣ୍ଣନା କରି କବି କହିଛନ୍ତି–ସତେ ଯେପରି ତମସା ନଈ ମଙ୍ଗଳ-ପ୍ରଦୀପ ଜାଳି ସତୀସୀତାଙ୍କୁ ସ୍ୱାଗତ କରିବା ପାଇଁ ଆଗ୍ରହରେ ଅନାଇ ରହିଛି ।

 

ଦିନବେଳେ ଫୁଟୁଥିବା ଫୁଲ ମଧ୍ୟରୁ ଅଧିକାଂଶ ରାତିରେ ପ୍ରାୟ ମଉଳି ଯାଇ ପ୍ରଭାତରେ ଝଡ଼ିପଡ଼େ । ତେଣୁ ନଈ ତଟବର୍ତ୍ତୀ ଫୁଲଗଛମାନଙ୍କରୁ ଫୁଲସବୁ ଝଡ଼ି ନଦୀପୁଳିନରେ ବିଛାଇ ହୋଇ ପଡ଼ିବା ଏକ ସ୍ୱାଭାବିକ ଘଟନା । ଏହାକୁ ଲକ୍ଷ୍ୟକରି କବି ତାଙ୍କ ଭାଷାରେ କହିଛନ୍ତି–ସତୀ ସୀତାଙ୍କୁ ସ୍ୱାଗତ କରିବା ପାଇଁ ତମସା ନଈ ପ୍ରାଙ୍ଗଣରେ କୁସୁମ ବିଞ୍ଚି ରଖିଛି ।

 

ବର୍ତ୍ତମାନ ସୁବାସିତ ନୀର ସିଞ୍ଚିବା ପ୍ରକରଣ ଆଲୋଚନା କରିବା । ତମସା ଗଙ୍ଗାନଦୀ ଭଳି ବୀଚିକମ୍ପିତ ହୋଇ ନ ଥିବାରୁ ତରଙ୍ଗ-ଶିଖରରୁ ବିଛୁରିତ ଜଳକଣା ପୁଳିନକୁ ନିକ୍ଷେପିତ ହେବାର ସମ୍ଭାବନା ନାହିଁ । ତେଣୁ ତମସା କିପରି ପୁଳିନସ୍ଥ ଫୁଲସବୁରେ ଜଳସିଞ୍ଚନ କରିବ ?–ଏହା ହିଁ ବିଚାର୍ଯ୍ୟ । ନଦୀତଟବର୍ତ୍ତୀ ବାୟୁରେ ଜଳୀୟବାଷ୍ପର ପରିମାଣ ସ୍ୱଭାବତଃ ବେଶି । ରାତ୍ରିର ଶୀତଳ ପରିବେଶରେ ବାଲୁକାରାଶି ଶୀଘ୍ର ଥଣ୍ଡା ହୁଏ ଓ ତଦୁପରିସ୍ଥ ବାୟୁରେ ଥିବା ମାତ୍ରାଧିକ ଜଳୀୟବାଷ୍ପ ଶୀତଳ ଓ ଘନୀଭୂତ ହୋଇ କ୍ଷୁଦ୍ର ଜଳକଣା ସମୂହରେ ରୂପାନ୍ତରିତ ହୁଏ । ରାତ୍ରିର ଅନ୍ତିମ ଯାମରେ ଶୀତଳତା ଅଧିକ ବଢ଼ି ଯାଉଥିବାରୁ ସେଗୁଡ଼ିକୁ ଅସଂଖ୍ୟ ଶିଶିରବିନ୍ଦୁରେ ପିରଣତ ହୋଇ ପୁଳିନସ୍ଥ ବାଲୁକାରାଶି ଓ ଫୁଲର ଆସ୍ତର ଉପରେ ଧସାଇ ପଡ଼େ । ଏହି ଶିଶିରକୁ ଶୋଷଣ କରି ବାଲି ଓଦା ହୋଇଯାଏ ଏବଂ ଫୁଲସବୁ ଭିଜିଯାଏ । ଏହି ସମୟରେ ରାତ୍ର-ବିକଶିତ ବାସ୍ନାଯୁକ୍ତ ଫୁଲସବୁର ମହକ ସର୍ବତ୍ର ଚହଟିଯାଏ । ଫଳରେ ପୁଳିନସ୍ଥ ପର୍ଯ୍ୟୁଷିତ ଶିଶିରସିକ୍ତ ପୁଷ୍ପରାଜି ବି ମହକି ଉଠେ । ଅର୍ଥାତ୍ ସୁବାସିତ ନୀର ସିଞ୍ଚନ କ୍ରିୟା ସମ୍ପାଦିତ ହୁଏ ।

 

ପୁନଶ୍ଚ ନଈରେ ଥିବା ମାଛମାନେ ପ୍ରଭାତ ସମୟରେ ବାରମ୍ବାର ଜଳପୃଷ୍ଠ ଉପରକୁ ଉହୁଙ୍କି ନିଶ୍ୱାସ ନେବାର ରମଣୀୟ ଦୃଶ୍ୟକୁ ବର୍ଣ୍ଣନା କରି କବି କହିଛନ୍ତି–ଉଷାକାଳରେ ମୀନ-ନୟନା ସୁନ୍ଦରୀ ତମସା ସତୀସୀତାଙ୍କୁ ସ୍ୱାଗତ କରିବା ପାଇଁ ଉତ୍‌କଣ୍ଠାରେ ଉଦ୍‌ବିଗ୍ନ ହୋଇ ତା’ର ମୀନନୟନରେ ବାରମ୍ବାର ଅନାଇ ରହିଛି ।

 

୪-

ଜଳଦଜଳ କଲେ ନୀଚେଗମନ

 

ଆଉ କି ତାକୁ ରଖି ପାରଇ ଘନ ?

 

ଅନଳଶିଖା ପରି ଅନଳେ ଦହି

 

ହେଲେ ସେ ଜଳ ଉର୍ଦ୍ଧ୍ୱେ ଘନେ ମିଶଇ ଗୋ !

 

ଭୂ-ପୃଷ୍ଠ ଉପରିସ୍ଥ ବାୟୁମଣ୍ଡଳର ଉର୍ଦ୍ଧ୍ୱାଂଶରେ ବହୁ ପରିମିତ ଜଳୀୟବାଷ୍ପ ଶୀତଳ ଓ ଘନୀଭୂତ ହୋଇ ଜଳକଣାବାହୀ ମେଘ ସୃଷ୍ଟି ହୁଏ । ସୁତରା ମେଘ ହେଲା- ଭୂପୃଷ୍ଠର ଉର୍ଦ୍ଧ୍ୱରେ ଏକତ୍ରିତ ବହୁ ପରିମିତି ଜଳୀୟବାଷ୍ପ ଓ ଅସଂଖ୍ୟ କ୍ଷୁଦ୍ରଜଳକଣାର ସମାହାର । ବାୟୁର ଉର୍ଦ୍ଧ୍ୱଚାପ ବଳରେ ଏହା ଭାସମାନ ଅବସ୍ଥାରେ ଭୂ-ପୃଷ୍ଠର ଉର୍ଦ୍ଧ୍ୱରେ ସଞ୍ଚାରିତ ହୋଇ ରହେ । ପବନ ବହିଲେ ଏହା ଅଧିକ ଶୀତଳ ଓ ଘନୀଭୂତ ହେବାକୁ ଲାଗେ । ଫଳରେ ବହୁ ସଂଖ୍ୟକ କ୍ଷୁଦ୍ର ଜଳକଣା ସଂଶକ୍ତି ବଳ (Cohesive force) ପ୍ରଭାବରେ ଏକୀଭୂତ ହବାକୁ ନବଜାତ ଜଳକଣା ସମୂହର ଆୟତନ ଏବଂ ଓଜନ ବୃଦ୍ଧିପାଏ । ସେତେବେଳ ବାୟୁର ଉର୍ଦ୍ଧ୍ୱଚାପ ତାହାକୁ ଆଉ ସମ୍ଭାଳି ରଖିପାରେ ନାହିଁ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ସେଗୁଡ଼ିକ ନିମ୍ନଗାମୀ ହୋଇ ବୃଷ୍ଟିପାତ ହୁଏ । ତେରୁ ଗଙ୍ଗାଧର ଲେଖିଲେ–‘‘ଜଳଦ ଜଳ କଲେ ନୀଚେ ଗମନ, ଆଉ କି ତାକୁ ରଖିପାରଇ ଘନ ?’’

 

ଆମେ ଜାଣୁ ଯେ ନିଆଁ ଜଳିଲେ ତାର ଶିଖା (Flame) ଉର୍ଦ୍ଧ୍ୱମୁଖୀ ହୋଇ ଉପରକୁ ଉଠେ । ଏକ ଶୁଷ୍କ ଜୈବିକ ବସ୍ତୁକ ଜଳନ୍ତା ନିଆଁରେ ପୋଡ଼ିଲେ, ତାହା ଶିଖା ଜାତ କରି ଜଳିବାକୁ ଲାଗେ । ଏହା ସହିତ ଯେଉଁ ରାସାୟନିକ ପରିବର୍ତ୍ତନ ସଂଘଟିତ ହୁଏ, ତାହାକୁ ଅନୁଧ୍ୟାନ କଲେ ଜଣାପଡ଼େ ଜଳନ କ୍ରିୟାର ମୁଖ୍ୟ ଉତ୍ପାଦ (Product) ହେଲା ଅଙ୍ଗାରକାମ୍ଳଜାନ ବାଷ୍ପ (CO2) ଏବଂ ଜଳୀୟବାଷ୍କ (H2O) । ଜଳୀୟବାଷ୍ପ ବାୟୁଠାରୁ ହାଲୁକା । ଫଳରେ ତାହା ଭୂ-ପୃଷ୍ଠ ଉପରିସ୍ଥ ବାୟୁର ଊର୍ଦ୍ଧ୍ୱକୁ ଉଠି କ୍ରମେ ଶୀତଳ ହୋଇ ଊର୍ଦ୍ଧ୍ୱସ୍ଥ ମେଘ ଦେହରେ ମିଶିଯାଏ । ଆଉ ମଧ୍ୟ, ଜଳକୁ ଏକ ପାତ୍ରରେ ରଖି ତା’ତଳେ ନିଆଁ ଜାଳିଲେ ସେହି ଜଳ କ୍ରମେ ଉତ୍ତପ୍ତ ଓ ଦଗ୍ଧୀଭୂତ ହୋଇ ଜଳୀୟ ବାଷ୍ପରେ ପରିଣତ ହୁଏ ଏବଂ ବାୟୁର ଉର୍ଦ୍ଧ୍ୱସ୍ତରକୁ ଉଠି ମେଘସ୍ତରକୁ ଉଠି ମେଘ ସହ ମିଶିଯାଏ । ଆଗକୁ କୁହାଯାଇଛି–ଊର୍ଦ୍ଧ୍ୱଗାମୀ ଜଳୀୟବାଷ୍ପ ସମୂହରୁ ହିଁ ମେଘ ସୃଷ୍ଟି ହୁଏ । ସେଥିପାଇଁ କବି ଗଙ୍ଗାଧର ଯଥାର୍ଥରେ କହିଛନ୍ତି-

 

‘ଅନଳଶିଖା ପରି ଅନଳେ ଦହି

ହେଲେ ସେ ଜଳ ଊର୍ଦ୍ଧ୍ୱେ ଘନେ ମିଶାଇ ।’

 

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଭାବେ ପ୍ରମାଣିତ ହୁଏ ଯେ ମେଘରୁ ପତିତ ଜଳ ଅନଳରେ ଦଗ୍ଧୀଭୂତ ହୋଇ ଜଳୀୟବାଷ୍ପରୂପେ ପୁନଶ୍ଚ ମେଘରେ ମିଶେ । ଏହି ଦୃଷ୍ଟାନ୍ତରୁ ସୂଚନା ମିଳେ ଯେ, କାବ୍ୟନାୟକ ରାମଚନ୍ଦ୍ର ସୀତାଙ୍କୁ ‘ଅଗ୍ନିପରୀକ୍ଷା’ ମାଧ୍ୟମରେ ହିଁ ତାଙ୍କ ସହ ପୁନର୍ମିଳନର ସମ୍ଭାବନା ସମ୍ୱନ୍ଧରେ ଇଙ୍ଗିତ କରିଛନ୍ତି ।

 

୫-

ଶ୍ୟାମ ସୁନ୍ଦରକାନ୍ତି କାନ୍ତଙ୍କୁ ସଙ୍ଗେ

 

ଘେନି ଖେଳନ୍ତେ ସ୍ଥଳତ୍ରୟ ସୁରଙ୍ଗେ

 

ମନ ମୋ ହେଲା ଅର୍ଦ୍ଧମଣ୍ଡଳାକାର

 

ନବନୀରବେ ଶକ୍ରଚାପ ପ୍ରକାର ଗୋ !

 

ପୁଷ୍ପକ-ବିମାନରେ ବସି ଅଯୋଧ୍ୟା ପ୍ରତ୍ୟାଗମନ ସମୟରେ ଶ୍ୟାମସୁନ୍ଦରକାନ୍ତଙ୍କ ସାନ୍ନିଧ୍ୟରେ, ପତିସୁହାଗିନୀ ସୀତାଙ୍କ କ୍ରୀଡ଼ାଚଞ୍ଚଳ ରଙ୍ଗିନ ମନ ତିନୋଟି ନିର୍ଦ୍ଦିଷ୍ଟ କ୍ଷତ୍ର ମଧ୍ୟରେ ବାରମ୍ବାର ସଞ୍ଚାଳିତ ହେବା ଯୋଗୁଁ ନବ ମେଘମାଳା ବକ୍ଷରେ ପରିଶୋଭିତ ବର୍ଣ୍ଣାଢ଼୍ୟ ଇନ୍ଦ୍ରଧନୁ ସଦୃଶ, ସ୍ୱତଃ ଅର୍ଦ୍ଧମଣ୍ଡଳାକାର ହୋଇ ଉଠିଛି । ଶଂସିତ ‘ସ୍ଥଳତ୍ରୟ’ ସମ୍ବନ୍ଧରେ ଏହାର ପୂର୍ବ ପଦରେ କବି ବିଶଦ ସୂଚନା ଦେଇ କହିଛନ୍ତି-

 

‘ନିସର୍ଗ ଶୋଭାଳୟ ସୁରମ୍ୟ ବନ

ବର୍ଜନ ନ ପାରିଲା କରି ମୋ ମନ

ସେ ମନଥିଲା ପୁଣି ନଭେ ସ୍ୟନ୍ଦନେ,

ଲାଗିଲା ତେଣେ ପୁରେ ଶ୍ଵଶ୍ରୁଚରଣେ ଗୋ !

 

ସୁତରାଂ ସୀତାଙ୍କ ମନୋଗାମୀ ‘ସ୍ଥଳତ୍ରୟ’ ହେଲା-

 

(୧) ନିସର୍ଗ ଶୋଭାଳୟ ସୁରମ୍ୟ ବନ (୨) ନଭସ୍ଥ ସ୍ୟନ୍ଦନ ବା ସୀତା ସମାସୀନ ହୋଇଥିବା ପୁଷ୍କକବିମାନ, (୩) ତେଣେ ଅଯୋଧ୍ୟା ପୁରେ ଥିବା ଶାଶୁଙ୍କ ଚରଣରାଜି । ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ଲକ୍ଷ୍ୟ କଲେ ଜଣାଯାଏ ଯେ ସମ୍ପୃକ୍ତ ସ୍ଥାନ ତିନୋଟି ବିଭିନ୍ନ ଉଚ୍ଚତାରେ ବା ଭିନ୍ନ ଭିନ୍ନ ତଳରେ ଅବସ୍ଥିତ । ପ୍ରଥମଟି ଅତିକ୍ରାନ୍ତ ବନଭୂମିରେ, ଦ୍ୱିତୀୟଟି ଉର୍ଦ୍ଧ୍ୱଗଗନରେ ଓ ତୃତୀୟ ସ୍ଥଳଟି ସୁଦୂର ଅଯୋଧ୍ୟାର ରାଜନଅରରେ ଅବସ୍ଥିତ ।

 

ଜ୍ୟାମିତି ଶାସ୍ତ୍ରରୁ ଆମେ ଜାଣୁ ଯେ ଏକ ସରଳରେଖାରେ ଅବସ୍ଥିତ ନ ଥିବା ତିନୋଟି ବିନ୍ଦୁ ଦେଇ ଗୋଟିଏ ବୃତ୍ତ ଯାଇପାରେ । ପୁନଶ୍ଚ ‘ଚଳ୍‍ଦ୍‍ବଳ ବିଜ୍ଞାନ’ (Dynamics)ର ନିୟମାନୁସାରେ ଅଣରୈଖିକ ତିନୋଟି ବିନ୍ଦୁଦେଇ ଏକ ନିର୍ଦ୍ଦିଷ୍ଟ ପରିମିତ ବଳ (Force) ମୁକ୍ତଭାବରେ କାର୍ଯ୍ୟକାରୀ ହେଲେ, ସେହି ବଳର କାର୍ଯ୍ୟରେଖା (Line of action) ବା ବଳର ସଞ୍ଚାରପଥ ସେହିତିନି ବିନ୍ଦୁଗାମୀ ବୃତ୍ତର ଏକ ଚାପ (are) ହେବ । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ‘ସ୍ଥଳତ୍ରୟ’ ମଧ୍ୟରେ ସୀତାଙ୍କ ମନ ବାରମ୍ବାର ଗତି କରିବା ଫଳରେ ତାହା ଚାପ ବା ଧନୁ ଭଳି ଅର୍ଦ୍ଧମଣ୍ଡଳାକାର ହେଲା ବୋଲି କବି ଯାହା କହିଛନ୍ତି, ତାହା ଯଥାର୍ଥରେ ଯୁକ୍ତିସଙ୍ଗତ, ବିଜ୍ଞାନସମ୍ମତ ତଥା ଅବିସମ୍ବାଦୀ ମନେହୁଏ ।

 

କେହି କେହି ହୁଏତ କହିପାରନ୍ତି ଯେ ସୀତାଙ୍କ ମନ ନବମେଘମଣ୍ଡିତ ଇନ୍ଦ୍ରଧନୁ ସମ ଅର୍ଦ୍ଧମଣ୍ଡଳାକାର ହେଲା । କଥାଟି ଆପାତତଃ ଠିକ୍ ଜଣା ପଡ଼ୁଥିଲେ ବି ଯଥେଷ୍ଟ ପ୍ରାଞ୍ଜଳ ନୁହେଁ । ‘ନବନୀରଦେ ଶକ୍ର ଚାକ ପ୍ରକାର’- ସୀତାଙ୍କ ମନ ଅର୍ଦ୍ଧମଣ୍ଡଳାକାର ହେବାର ଉପମା ମାତ୍ର; କାରଣ ନୁହେଁ । ସୀତାଙ୍କ ଆନନ୍ଦ ଉଚ୍ଛ୍ୱସିତ ‘ମନ’ ଧନୁପରି ଚାପାକୃତି ହେବାର କାରଣ ହେଲା- ସମ୍ପୃକ୍ତ ସ୍ଥଳତ୍ରୟ’ ମଧ୍ୟରେ ଏହାର ନିରବଚ୍ଛିନ୍ନ ଅବ୍ୟାହତ ସଞ୍ଚାରଣ କ୍ରିୟା । ଏଠାରେ ସୀତାଙ୍କ ମନ ଉପମେୟ ଓ ଇନ୍ଦ୍ରଧନୁ ଆହୁରି ବିଶଦ, ଆହୁରି ମେନାଜ୍ଞ, ଆହୁରି ସମୃଦ୍ଧ ହୋଇ ପ୍ରତୀତ ହୁଏ । କବି ଗଙ୍ଗାଧର ଏଠାରେ ଶ୍ୟାମସୁନ୍ଦରକାନ୍ତି ସୀତାକାନ୍ତଙ୍କୁ ନବ-ନୀରଦ ସହିତ, ପତି-ସୁହାଗିନୀ ସୀତାଙ୍କ କେଳିଚଞ୍ଚଳ ସୁରଙ୍ଗ ମନକୁ ଇନ୍ଦ୍ରଧନୁର ବର୍ଣ୍ଣ-ବୈଭବ ସହିତ ଏବଂ ମନର ଅର୍ଦ୍ଧମଣ୍ଡଳାକାର ହେବା ପ୍ରକରଣକୁ ଇନ୍ଦ୍ରଧନୁର ବକ୍ରତା (Curvature) ସହିତ ତୁଳନା କରି ଶଂସିତ ଉପମା-ଅଳଙ୍କାରକୁ ସର୍ବାଙ୍ଗ ସୁନ୍ଦର ରୂପେ ଗଢ଼ି ତୋଳିଛନ୍ତି ।

 

ତପସ୍ୱିନୀ କାବ୍ୟର ୭ମ ସର୍ଗର ଏହି ପଦଟି କି ଗଙ୍ଗାଧରଙ୍କ କାର୍ଯ୍ୟ-କାରଣ-ସମ୍ବନ୍ଧୀୟ ଉନ୍ନତ ବେୈଜ୍ଞାନିକ ଚିନ୍ତାଧାରା ଏବଂ ବିରଳ ଅନୁଭୂତି-ଲବ୍ଧ-ଜ୍ଞାନ-ପ୍ରୟୋଗ-ଦକ୍ଷତାର ସର୍ବୋତ୍କୃଷ୍ଟ ନିଦର୍ଶନ ରୂପେ ପ୍ରତୀୟମାନ ହୁଏ ।

 

୬-

କୃଷ୍ଣା ତ୍ରୟୋଦଶୀ ସୁଧାକର ପାଶେ

 

ପ୍ରଭାତୀ ତାରକା ଉଦିତ ଆକାଶେ,

 

ପ୍ରତିବିମ୍ବ ତାଙ୍କ ସରୋବର ଗର୍ଭେ

 

ଘେନି ପ୍ରାଚୀ ଯେହ୍ନେ ରହିଅଛି ଗର୍ବେ ।

 

 

ଆମେ ଜାଣୁ ଯେ ଶୁକ୍ରଗ୍ରହ ପ୍ରତ୍ୟହ ସନ୍ଧ୍ୟାବେଳେ ‘କୁଆଁତାରା’ ବା ‘ସନ୍ଧ୍ୟାତାରା’ ରୂପେ ପଶ୍ଚିମାକାଶରେ ଏବଂ ପ୍ରତ୍ୟୁଷରେ ‘ପ୍ରଭାତୀତାରା’ ବା ‘ପାହାଁତିଆତାରା’ ନାମରେ ପୂର୍ବାକାଶରେ ଦୃଶ୍ୟମାନ ହୁଏ । ରାତ୍ରିର ଅନ୍ତିମ ଯାମରେ ଉଜ୍ଜ୍ୱଳ ପ୍ରଭାମୟ ‘ପ୍ରଭାତୀତାରା’ ପୂର୍ବ ଦିଗ୍‌ବଳୟରେ ଉଦିତ ହୋଇ କ୍ରମଶଃ ପୂର୍ବାକାଶରେ ଉର୍ଦ୍ଧ୍ୱକୁ ଗତି କରେ । ସୂର୍ଯ୍ୟୋଦୟ ହେଲ ଏହା ଅଦୃଶ୍ୟ ହୋଇଯାଏ ।

 

ବର୍ତ୍ତମାନ କୃଷ୍ଣାତ୍ରୟୋଦଶୀର ଚନ୍ଦ୍ର ସମ୍ବନ୍ଧରେ କିଛିଟା ଜାଣିବା ଆବଶ୍ୟକ । ବୋଧହୁଏ ଅନେକେ ଏହି ଚନ୍ଦ୍ର ବିଷୟରେ ଜାଣି ନ ଥିବେ, ଦେଖିବା ତ ଦୂରର କଥା । କୃଷ୍ଣ ପକ୍ଷର ତ୍ରୟୋଦଶୀ ରାତ୍ରିର ଶେଷ ବେଳକୁ ଉଷାକାଳରେ ପୂର୍ବ ଦିଗ୍‌ବଳୟରେ ଦାତ୍ରଫଳକ ସଦୃଶ୍ୟ ଯେଉଁ ନବୀନ ଚନ୍ଦ୍ର ଉଦିତ ହୁଏ ତାହା ହିଁ ଆମର ଆଲୋଚ୍ୟ କୃଷ୍ଣାତ୍ରୟୋଦଶୀ–ଚନ୍ଦ୍ର । ଆକୃତି ପ୍ରକାଶ ଓ ସୌନ୍ଦର୍ଯ୍ୟରେ ଏହା ସନ୍ଧ୍ୟାକାଳୀନ ଦ୍ୱିତୀୟା ଚନ୍ଦ୍ର ସଦୃଶ ଏବଂ ସେହିଭଳି ଅଳ୍ପକ୍ଷଣ ସ୍ଥାୟୀ ।

 

କୃଷ୍ଣାତ୍ରୟୋଦଶୀର ଚନ୍ଦ୍ରୋଦୟ ବେଳକୁ ପ୍ରତାତୀତାରା ଆଗରୁ ଉଦିତ ହୋଇ ପୂର୍ବଦିଗ୍‌ବଳୟର କିଛି ଊର୍ଦ୍ଧ୍ୱକୁ ଉଠି ଯାଇଥାଏ । ଅଳ୍ପସମୟ ପାଇଁ ଦୃଶ୍ୟମାନ ହେଲେ ସୁଦ୍ଧା, ଶଂସିତ ଜ୍ୟୋତିଷ୍କଦ୍ୱୟ ଯୌଥରୂପେ ଦୀପ୍ତିମାନ ହେବା ଯୋଗୁଁ ପୂର୍ବାକାଶ ମୃଦ୍ୟୁ ପ୍ରଭାମୟ ରମଣୀୟ ଜ୍ୟୋତିଃର ଆଭାରେ ଉଦ୍‌ଭାସିତ ହୋଇଉଠେ । ଅତୀବ ମନୋରମ ଏ ଦୃଶ୍ୟ । ମାତ୍ର ବିରଳ ଓ କ୍ଷଣସ୍ଥାୟୀ । ଆକାଶରେ ସେମାନଙ୍କ ଅବସ୍ଥାନ ଅନୁଯାୟୀ ସମ୍ପୃକ୍ତ, ଜ୍ୟୋତିଷ୍କଦ୍ୱୟ ମଧ୍ୟରେ କିଛି ବ୍ୟବଧାନ ରହେ । ଚନ୍ଦ୍ର ପୂର୍ବଦିଗ୍‌ବଳୟ ପାଖରେ ଥିବାବେଳେ ପ୍ରଭାତୀତାରା ସେହି ପୂର୍ବାକାଶର କିଛି ଊର୍ଦ୍ଧ୍ୱରେ ଦୃଶ୍ୟମାନ ହୁଏ । ତଥାପି ଏହି ଜ୍ୟୋତିଷ୍କ ଦ୍ୱୟର ସମ୍ମିଳନରେ ଅତୀବ ମନୋରମ ଦୃଶ୍ୟପଟ ସୃଷ୍ଟି ହୁଏ । ଏଭଳି ମନୋରମ ଦୃଶ୍ୟର ଅବିକଳ ଏକ ପ୍ରତିଛବି ଦ୍ୱିତୀୟାଚନ୍ଦ୍ର ଓ ସନ୍ଧ୍ୟାତାରାର ସମାରୋହର ସନ୍ଧ୍ୟାକାଳୀନ ପଶ୍ଚିମାକାଶରେ ଦୃଶ୍ୟମାନ ହୋଇ ଜନମନ ହରଣ କରିନିଏ । ସେହି ମନାହର ଦୃଶ୍ୟକୁ ଗଙ୍ଗାଧର ‘ସୋମନାଥ ବିଜୟ’ କବିତାରେ ଚିତ୍ରଣ କରି ଲେଖିଛନ୍ତି –

 

‘ସମୟେ ସମୟେ ତହିଁ ଯୋଗଦେବେ କବି

ଉଇଁଥିବ ଦ୍ୱିତୀୟାର ଚନ୍ଦ୍ର ଯେଉଁଦିନ

କା’ ନେତ୍ର ନ ହେବ ଚାହିଁ ପଲକବିହୀନ ?’

 

ବର୍ତ୍ତମାନ ଶଂସିତ ପଦ୍ୟାଂଶର ମୂଳ ପ୍ରସଙ୍ଗକୁ ଫେରିବା । ସୀତାଙ୍କ ନବଜାତ ଯମଜ କୁମାରଦ୍ୱୟଙ୍କ ‘ଏକୋଇଶା’ ଓ ‘ନାମକରଣ’ ଉତ୍ସବ ବାଲ୍ମିକୀ ଆଶ୍ରମରେ ଆୟୋଜିତ ହେଉଛି । ଏଥିପାଇଁ ଆଶ୍ରମକୁ ଅତି ସୁନ୍ଦର ଭାବରେ ସଜ୍ଜିତ କରାଯାଇଛି । ସର୍ବୋପରି ପୂଜାମଣ୍ଡପ ଓ ପୂଜାବେଦିକୁ ବିଶେଷ ଆକର୍ଷଣୀୟ ଓ ସଦୃଶ୍ୟ କରି ସଜାହୋଇଛି । ମହର୍ଷି ବାଲ୍ମୀକି ବେଦିରେ ଆସୀନ ହୋଇ ପୂଜା ଆରମ୍ଭ କରି ଦେଇଛନ୍ତି । ଏହି ଶୁଭ ଅବସରରେ ସତୀ ଅନୁକମ୍ପା ତାଙ୍କ ପ୍ରସାରିତ କରପଦ୍ମଦ୍ୱୟରେ ଶିଶୁ କୁମାରଦ୍ୱୟଙ୍କୁ ଧାରଣ କରି ପୂଜାବେଦିରେ ପ୍ରବେଶ କରନ୍ତି । ଅତୀବ ମନୋହର ସେ ଦୃଶ୍ୟ ! ସେଥିପାଇଁ କବି କହିଛନ୍ତି, - ‘ଶୋଭା ତହିଁ ଉଭା ହୋଇଗଲା ଦର୍ପେ ।’ ସତେ ଯେପରି ଶୋଭା (Beauty) ସ୍ୱୟଂ ମୂର୍ତ୍ତିମତୀ ହୋଇ ସେଇଠି ବିରାଜମାନ ହୋଇଛନ୍ତି । ଶିଶୁ କୁମାର ଦ୍ୱୟ ଅନୁକମ୍ପାଙ୍କ କରପଦ୍ମର ଆଧାରରେ ସନ୍ନିବିଷ୍ଟ ହେବା ସହ ଅତୀବ ରମଣୀୟ. କାନ୍ତିମୟ ଓ ତେଜସ୍ୱାନ ହୋଇ ଶୋଭା ପାଉଛନ୍ତି ।

 

କବି ପ୍ରଥମେ ନବଜାତ ଶିଶୁକୁମାର ଦ୍ୱୟଙ୍କ ସହ ସୁନ୍ଦର, କାନ୍ତିମୟ, ମୃଦୁପ୍ରଭାମୟ ପ୍ରଭାତୀତାରା ଓ କୃଷ୍ଣା ତ୍ରୟୋଦଶୀ-ଚନ୍ଦ୍ରର ଯୌଥ ଉପମା ଦେବାକୁ ମନସ୍ଥ କରିଛନ୍ତି ବୋଧହୁଏ । ପରେ ଟିକିଏ ତଳେଇ କରି ଲକ୍ଷ୍ୟ କରିଛନ୍ତି ଯେ ଅନୁକମ୍ପାଙ୍କ କରପଦ୍ମ ଶୋଭିତ ପରସ୍ପର ସନ୍ନିହିତ ଶିଶୁଦ୍ୱୟଙ୍କୁ ସିଧାସଳଖ ଦୁଇଟି ବ୍ୟବହିତ ଜ୍ୟୋତିଷ୍କ ସହିତ ତୁଳନା କରିବା ଅସମୀଚୀନ ହେବ ଭାବି ସେ ଏକ ବିଲକ୍ଷଣ ପରିକଳ୍ପନା ମାଧ୍ୟମରେ ଇପ୍ସିତ ଉପମାର ଯଥାର୍ଥ୍ୟ ଓ ଯୌକ୍ତିକତା ଅବ୍ୟାହତ ରଖି ପାରିଛନ୍ତି । ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବିଜ୍ଞାନୀ କବି ପୂର୍ବାକାଶଦୀପ୍ତ ଶଂସିତ ଜ୍ୟୋତିଷ୍କଦ୍ୱୟର ପ୍ରତିବିମ୍ବକୁ ପୂର୍ବଦିଗସ୍ତ ଏକ ସରୋବର ଗର୍ଭରେ ଏପରି ଶୈଳୀରେ ପ୍ରତିଫଳିତ କରାଇଛନ୍ତି ଯେ ପ୍ରତିବିମ୍ବଦ୍ୱୟ ପରସ୍ପର ସଂଲଗ୍ନ ହୋଇ ରହିବା ସହିତ ସ୍ଥିର ଜଳପୃଷ୍ଠରେ ଆହୁରି ଦୀପ୍ତିମୟ ହୋଇ ଶୋଭା ପାଉଛନ୍ତି । ସେଥିପାଇଁ ସେ ଲେଖିଛନ୍ତି-

 

‘ପ୍ରତିବିମ୍ବ ତାଙ୍କ ସରୋବର ଗର୍ଭେ

ଘେନି ପ୍ରାଚୀ ଯେହ୍ନେ ରହିଅଛି ଗର୍ବେ ।’

 

କବି ଗଙ୍ଗାଧରଙ୍କ ଏଭଳି ‘କରିଷ୍ମା’ର ଅନ୍ତରାଳରେ ଜ୍ୟାମିତି ଶାସ୍ତ୍ରର ‘ଅଭିକ୍ଷେପ’ (Projection) ସମ୍ବନ୍ଧୀୟ ତଥ୍ୟ ଓ ଆଲୋକ-ବିଜ୍ଞାନ ‘ପ୍ରତିଫଳନ’ ପ୍ରକ୍ରିୟା ସମ୍ପୃକ୍ତ ଥିବାର ମନେହୁଏ । ମାତ୍ର ସେ ପ୍ରଭୂତ ଅନୁଭୂତି-ଲବ୍ଧ-ଜ୍ଞାନରାଜି ଓ ବିଚକ୍ଷଣ କାବ୍ୟ-କୌଶଳ ପ୍ରୟୋଗ ବଳରେ ଏହି ମନୋଜ୍ଞ ଦୃଶ୍ୟର ସମୁଚିତ ଏବଂ ଅନୁରୂପ ଉପମା-ଅଳଙ୍କାର ଖଞ୍ଜି କାବ୍ୟ-ସୁନ୍ଦରୀର ଶ୍ରୀଅଙ୍ଗ ସୌଷ୍ଠବ ବଢ଼ାଇ ଦେଇଛନ୍ତି ତଥା ମୁଗ୍ଧ ପାଠକଗଣଙ୍କୁ ଆଶ୍ଚର୍ଯ୍ୟ-ଚକିତ କରି ଦେଇଛନ୍ତି । ଏଠାରେ ସତୀ ଅନୁକମ୍ପାଙ୍କ ପ୍ରାଚୀ ସୁନ୍ଦରୀ ସହିତ, ତାଙ୍କ ପ୍ରସାରିତ କରପଦ୍ମଦ୍ୱୟର ଆଧାରକୁ ସରୋବରଗର୍ଭ ସହିତ ଏବଂ ଦିବ୍ୟକାନ୍ତିମୟ ନବକୁମାର ଦ୍ୱୟଙ୍କୁ ମନୋହର, ଲଘୁ ପ୍ରଭାମୟ ପ୍ରଭାତୀତାରା ଓ କୃଷ୍ଣାତ୍ରୟୋଦଶୀ-ଚନ୍ଦ୍ରର ଯୌଥ ପ୍ରତିବିମ୍ବ ସହିତ ତୁଳନା କରି କବି ଏକ ବିରଳ ଚିତ୍ରକଳ୍ପର ସାର୍ଥକ ରୂପାୟନ କରିବାରେ ପର୍ଯ୍ୟାପ୍ତଭାବେ ସଫଳ ହୋଇଛନ୍ତି ।

 

୭-

ମୋ ତନୁ ଦଗ୍ଧ ହେଲେ ହେବ ତ ଖାର,

 

ତାହାକୁ କରାଇବ ପାଦପେ ସାର;

 

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ

 

କରାଇ ଦେବ ପ୍ରଭୁ-ପାଦୁକା ମୋତେ ହେ ।

 

ସୀତାଙ୍କ ଶରୀର ଦୁଗ୍ଧହେଲ ‘ଖାର’ ହେବ । ସେହି ଖାରକୁ ଏକ ବୃକ୍ଷ-ପାଇଁ ‘ସାର’ ରୂପେ ବ୍ୟବହାର କରାଯିବ । ସେହି ବୃକ୍ଷର କାଷ୍ଠରେ ନିର୍ମିତ ‘ପାଦୁକା’ ପ୍ରଭୁ ରାମଚନ୍ଦ୍ର ବ୍ୟବହାର କଲେ, ପ୍ରତିପ୍ରାଣୀ ଜାନକୀ ମୃତ୍ୟୁପରେ ବି ପ୍ରତିପଦସେବା କରିବାକୁ ସମର୍ଥ ହେବ । କି ବିଚିତ୍ର ବିଚାର ! ଧନ୍ୟ କବି ଗଙ୍ଗାଧର, ଧନ୍ୟ ତୁମ କାବ୍ୟିକ ପରିକଳ୍ପନା ।

 

ମଣିଷ ଶରୀର ରକ୍ତ, ମାଂସ ଓ ହାଡ଼ରେ ଗଠିତ । ଏଗୁଡ଼ିକ ଜୈବ-ଯୌଗିକ (Organic Compounds) । ରସାୟନ ଶାସ୍ତ୍ର ଅନୁଯାୟୀ ଏହି ଯୌଗିକ ସବୁର ମୌଳିକ ଉପାଦାନଗୁଡ଼ିକ ଧାତୁ (Metal) ଓ ଅଧାତୁ (Non-metal) ଦୁଇ ଶ୍ରେଣୀରେ ବିଭକ୍ତ । ମଣିଷ ଶରୀରେ ଥିବା ପ୍ରମୁଖ ଅଧାତବ ମୌଳିକ ପଦାର୍ଥ ହେଲା–ଅଙ୍ଗାରକ, ଉଦ୍‌ଯାନ, ଯବକ୍ଷାରଜାନ, ଅମ୍ଳଜାନ୍‍, ସଲ୍‌ଫର୍, ଫସ୍‌ଫରସ୍, କ୍ଲୋରିନ, ଆୟୋଡ଼ିନ୍‍ ଇତ୍ୟାଦି । ଧାତବ ମୌଳିକ ପଦାର୍ଥ ମଧ୍ୟରେ କ୍ୟାଲସିୟମ, ପୋଟାସିୟମ, ସୋଡିୟମ, ମ୍ୟାଗ୍ନେସିୟମ ଓ ଲୌହ ପ୍ରଧାନ ।

 

‘ଦଗ୍ଧ’ ହେବା ଅର୍ଥାତ ଦହନ (Combustion) କ୍ରିୟାନ୍ୱିତ ହେବା ଫଳରେ ବିପୁଳ ରାସାୟନିକ ପରିବର୍ତ୍ତନ ଘଟେ । ଦହନ କ୍ରିୟା ପାଇଁ ଅମ୍ଳଜାନ (Oxygen) ଏକାନ୍ତ ଆବଶ୍ୟକ । ଶରୀର ଦଗ୍ଧ ହେଲ ତତ୍ରସ୍ଥ ମୌଳିକ ପଦାର୍ଥଗୁଡ଼ିକର ଅନୁରୂପ ଅକ୍‌ସାଇଡ଼ (ଅମ୍ଳଜାତ ଘଟିତ ଯୌଗିକ) ଉତ୍‌ପନ୍ନ ହୁଏ । ଫସ୍‍ପରସ୍‍ ବ୍ୟତିତ ଅନ୍ୟସବୁ ଅ-ଧାତବ ପଦାର୍ଥର ଅକ୍‍ସାଇଡ୍ ଗ୍ୟାସୀୟ ହୋଇଥିବାରୁ ସେଗୁଡ଼ିକ ବାୟୁରେ ମିଳେଇଯାଏ । ଧାତବ ଅକ୍‍ସାଇଡ୍ ଗୁଡ଼ିକ କଠିନ । ଏହା ଦଗ୍ଧାବଶେଷ ବା ପାଉଁଶ (ଖାର) ରୂପେ ଦହନ ସ୍ଥଳରେ ପଡ଼ିରହେ । ସୁତରାଂ ପାଉଁଶ ବା ଖାରରେ ମୁଖ୍ୟତଃ ଫସ୍‌ଫରସ୍ ଅକ୍ସାଇଡ୍ (P2O5), ପୋଟାସିଅମ ଅକ୍‌ସାଇଡ୍ (K2O) ଓ କ୍ୟାଲିସିୟମ ଅକ୍‌ସାଇଡ୍ (CaO) ରହିଥାଏ । ଅବଶ୍ୟ ଅନ୍ୟ ଧାତବ ଅକ୍‌ସାଇଡ୍ ମଧ୍ୟ ଅଳ୍ପ ମାତ୍ରାରେ ଥାଏ । ପାଉଁଶର ପ୍ରମୁଖ ଦୁଇଟି ଉପାଦାନ ଉଦ୍ଭିଦ ବୃଦ୍ଧିର ସହାୟକ ହେବା ଯୋଗୁଁ ତାହା ସାର (Fertilizer) ରୂପେ ବ୍ୟବହୃତ ହୁଏ । ଏହି ଦୁଇ ଉପାଦାନ-ଫସ୍‌ଫରସ୍‌ ଅକ୍‌ସାଇଡ୍ ଓ ପୋଟାସିଅମ ଅକ୍‌ସାଇଡ୍ ଯଥାକ୍ରମେ ବଜାରରେ ମିଳୁଥିବା ଫସ୍‌ଫେଟ୍ ଓ ପୋଟାସ୍ ଜାତୀୟ ସାରର ମୂଳପିଣ୍ଡ । କ୍ୟାଲ୍‌ସିଅମ ଅକ୍‌ସାଇଡ୍ ବା ଚୂନ କ୍ଷାରୀୟ ଗୁଣଯୁକ୍ତ ହେବାଯୋଗୁଁ ମୃତ୍ତିକାର ଅମ୍ଳତା ଦୂରୀକରଣରେ ସାହାଯ୍ୟ କରେ । ଏହି ପରିପ୍ରେକ୍ଷୀରେ ‘ଖାର’ କୁ ‘ସାର’ ରୂପେ ବ୍ୟବହାର କରିବା ପାଇଁ ଗଙ୍ଗାଧରଙ୍କ ପ୍ରଚ୍ଛନ୍ନ ନିର୍ଦ୍ଦେଶ କୃଷି-ବିଜ୍ଞାନ-ସମ୍ମତ ବୋଲି ପ୍ରତିପାଦିତ ହୁଏ ।

 

ସୀତାଙ୍କ ଶରୀରର ଦଗ୍ଧାବଶେଷ ବା ‘ଖାର’ କୁ ନେଇ ନିର୍ଦ୍ଦିଷ୍ଟ ଏକ ଗଛମୂଳରେ ‘ସାର’ ରୂପେ ପ୍ରୟୋଗ କରାଗଲେ ସୀତାଙ୍କ ଦେହର ଅନ୍ତତଃ ଫସ୍‌ଫରସ୍ ଓ ପୋଟାସିୟମ ପରମାଣୁତକ ସମ୍ପୃକ୍ତ ଗଛର କୋଷ ମଧ୍ୟରେ ପ୍ରବେଶ କରିବା ଫଳରେ ସେହି ଗଛର କାଠରେ ସୀତାଙ୍କ ଶରୀରର ପାରମାଣବିକ ସତ୍ତ୍ୱ ବିଦ୍ୟମାନ ରହିବ । ଅନ୍ୟ ପ୍ରକାରେ କହିଲେ, ସେହି କାଷ୍ଠ ନିର୍ମିତ ପାଦୁକାରେ ସୀତାଙ୍କ ଆତ୍ମସତ୍ତାର ଅବଶେଷ ଅବ୍ୟାହତ ରହିବ । ସେହି ପାଦୁକା ପ୍ରଭୁ ରାମଚନ୍ଦ୍ର ପିନ୍ଧି ଚାଲିଲେ ସତୀ ଶିରୋମଣି ସୀତା ମୃତ୍ୟୁ ଅନ୍ତେ ବି ପତି-ପଦ-ସେବା କାର୍ଯ୍ୟ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସମର୍ଥ ହେବ । ସେଥିପାଇଁ କବି ସୀତାଙ୍କ ମୁଖରେ କୁହାଇଛନ୍ତି-

 

‘ଜୀବନେ ନ ପାରିଲେ ମୋତେ ମରଣେ

ସେବିକା କରିଦେବ ପ୍ରଭୁଚରଣେ ହେ ।‘

 

ଶଂସିତ ମହାର୍ଘ ପଙ୍‌କ୍ତିଚୟର ଏକ ପ୍ରକାର ବିଜ୍ଞାନସମ୍ମତ ବ୍ୟାଖ୍ୟାନ ଉପସ୍ଥାପନ କଲାପରେ, ମୋର ସାହିତ୍ୟାନୁରାଗୀ ହୃଦୟ ବିକଳ ହୋଇ ମୋତେ ପ୍ରଶ୍ନ କରୁଛି- ବିଜ୍ଞାନର ଯୌକ୍ତିକତା ଆଳରେ ସାହିତ୍ୟ ‘ସର୍ବଜନହିତାୟ’ ଭାବମୂର୍ତ୍ତିର ଅବମୂଲ୍ୟାୟନ ହେବ ନାହିଁ ତ । ମୋର ଉତ୍ତର ହେଲା- କଦାପି ନୁହେଁ । ଉତ୍କଣ୍ଠାର ଆବେଗରେ ‘ଫେର’ ପ୍ରଶ୍ନ କରୁଛି–କବି ଗଙ୍ଗାଧର କ’ଣ ଏସବୁ ଭାବିଥିଲେ ? ‘ହଁ-କିମ୍ବା-ନାହିଁ-’ ଉତ୍ତର-ସାପେକ୍ଷ ଏଇ ପ୍ରଶ୍ନର ଶୈଳୀରୁ ବୁଝାପଡ଼େ ଯେ ମୋ ହୃଦୟ ମୋଠାରୁ ଏକ ନକାରାତ୍ମକ ଉତ୍ତର ଆଶା କରୁଛି । ମାତ୍ର ମୁଁ ନିରୁତ୍ତର-। ଏହି ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ମୋ ପାଖରେ ନାହିଁ । ପାଠକମାନଙ୍କ ମନେ ଥାଇପାରେ ଯେ ଏହି ପ୍ରବନ୍ଧର ପ୍ରଥମାର୍ଦ୍ଧରେ ‘କବିତ୍ୱର ଅନନ୍ୟ ଉପଲବ୍ଧି’ ସମ୍ବନ୍ଧରେ ଯାହା କୁହାଯାଇଛି, ତାହା ଦୋହରାଇ କହୁଛି ଯେ କବି ଗଙ୍ଗାଧର ଅନନ୍ତଦ୍ରଷ୍ଟା । ସେ ତାଙ୍କ ଦିବ୍ୟଦୃଷ୍ଟିରେ ସୁକ୍ଷ୍ମାତିସୁକ୍ଷ୍ମ ତତ୍ତ୍ୱରାଜି ଦର୍ଶନ କରିବାରେ ସକ୍ଷମ । ସେତ ‘ଫେର’ ଭାବରାଜ୍ୟର ରାଜା । ଏହା ତାଙ୍କ ଭାବନାରାଜ୍ୟର ଅନ୍ତର୍ଭୁକ୍ତ ନୁହେଁ ବୋଲି ବା କେମିତି କହିବି ? ତାଙ୍କଭଳି କବିମାନେ ଐନ୍ଦ୍ରଜାଲିକ ସମ ସେମାନଙ୍କ କାବ୍ୟିକ କୁହୁକ ସ୍ପର୍ଶରେ ଅସମ୍ଭବକୁ ସମ୍ଭବ କରିପାରନ୍ତି, ସାମାନ୍ୟ ଲୋଷ୍ଟ୍ରଖଣ୍ଡକୁ ସ୍ୱର୍ଣ୍ଣାୟିତ କରିପାରନ୍ତି, ସାହାରର ବିସ୍ତୀର୍ଣ୍ଣ ମରୁଭୂମିକୁ ନାଳନଦୀର ବନ୍ୟାପ୍ଳାବନରେ ଭସାଇ ଦେଇପାରନ୍ତି କିମ୍ବା କୁତ୍ସିତା କୁବୁଜାକୁ ରୂପଲାବଣ୍ୟ ତରୁଣୀରେ ରୂପାନ୍ତରିତ କରି ପାରନ୍ତି; ଅଥବା ସେମାନଙ୍କ ଲେଖନୀ ରୂପକ ରାମପାଦର ଅମୀୟ ସ୍ପର୍ଶରେ ଅଶ୍ମୀଭୂତ ଅହଲ୍ୟାକୁ ପୁନର୍ଜୀବନ୍ତ କରିପାରନ୍ତି ।

 

ସାହିତ୍ୟ ରାଜ୍ୟରେ ବିଜ୍ଞାନର ଅନୁପ୍ରବେଶ ସତ୍ତ୍ୱେ ଭାରତୀୟ ଜୀବନ-ଦର୍ଶନ, ଧର୍ମଧାରଣା ଓ ବିଶ୍ୱାସ ତଥା ସମୃଦ୍ଧ ସଂସ୍କୃତି ଓ ପରମ୍ପରାରେ ପରିପୁଷ୍ଟ ପୃଷ୍ଠଭୂମି ଉପରେ ଆଧାରିତ, ବିଶେଷତଃ ଶ୍ରୀମଦ୍‌ଭଗବତ୍‌ ଗୀତାର ଅଷ୍ଟମ ଅଧ୍ୟାୟ, ଷଷ୍ଠଶ୍ଳୋକ-

 

ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍

ତଂ ତମେବୈତି କୌନ୍ତେୟ ସଦା ତଦ୍‌ଭାବ ଭାବିତଃ ।।

 

ର ମର୍ମାନୁସରଣରେ ଅବଧାରିତ, ‘ତପସ୍ୱିନୀ’ର ଏହି ଅମୂଲ୍ୟ ପଦଟିର ଯେଉଁ ଚିରାଚରିତ ସାହିତ୍ୟିକ ବ୍ୟାଖ୍ୟାନ ସହିତ ଆମେ ସମସ୍ତେ ଊଣା ଅଧିକେ ପରିଚିତ, ତାହା ହିଁ, ଅବଶ୍ୟ, ସର୍ବାଦୌ ସ୍ୱୀକାର୍ଯ୍ୟ ଏବଂ ଅପରିହାର୍ଯ୍ୟ ।

 

ଏହି ପ୍ରସଙ୍ଗରେ ମୂଳରୁ ଆଲୋଚିତ ତପସ୍ୱିନୀ କାବ୍ୟର ସମ୍ପୃକ୍ତ ଦୃଷ୍ଟାନ୍ତ ସମୂହରେ ବିଜ୍ଞାନର ସ୍ୱର-ଝଙ୍କାର ନିନାଦିତ ହେବା ସହିତ ନିମ୍ନଲିଖିତ ପଙ୍‌କ୍ତିଚୟରେ ମଧ୍ୟ ବିଜ୍ଞାନର ମୃଦ୍ୟୁ ଗୁଞ୍ଜନ ଅନୁରଣିତ ହୋଇଥାଏ ।

 

୧-

ସତୀ-ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି

 

ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି । (୧ମ ସର୍ଗ)

୨-

ସାଧ୍ୱୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ,

 

ଲଜ୍ଜାଭରେ ଭାନୁ ଦେଲେ ବଦନ ଲୁଚାଇ । (୧ମ ସର୍ଗ)

୩-

ଅକପଟେ ତାହା ଦିଅନ୍ତି ସେହି ପାଦପମାନେ

 

ଅଯାଚିତେ ନିଜ ଶରୀର-ମାନଦଣ୍ଡର ମାନେ । (୨ୟ ସର୍ଗ)

୪-

କରି ବରଷାର ବ୍ୟାୟାମେ ଅଙ୍ଗପୁଷ୍ଟିସାଧନ

 

ଆତପକୁ ଜିଣି ଆଣନ୍ତି ତାର ଆଲୋକଧନ । (୨ୟ ସର୍ଗ)

୫-

କରପଲ୍ଲବେ ନୀହାର-ମୁକ୍ତାଧରି ଉପହାର

 

ସତୀଙ୍କ ବାସବାହାର ପ୍ରାଙ୍ଗଣେ ରହି । (୪ର୍ଥ ସର୍ଗ)

୬-

ସ୍ନେହେ ତମସା ଚଞ୍ଚଳ କରି ପ୍ରତିବିମ୍ବଛଳ

 

ହୋଇଗଲା ଅବିକଳ ସ୍ୱରୂପ ତାଙ୍କ । (୪ର୍ଥ ସର୍ଗ)

୭-

ରହେ, ସ୍ଥିରନୀଳରଙ୍ଗ ଯଥା ଗଗନେ । (୪ର୍ଥ ସର୍ଗ)

୮-

ସୁରଙ୍ଗଚରଣ ଲେହନ ପାଇଁ

 

ପାରିଜାତ ଦେଲା ଜିଭ ଲମ୍ବାଇ । (୫ମ ସର୍ଗ)

୯-

ଭାନୁ ହୋଇ ଚିତ୍ରକର,

 

ବିବିଧରଙ୍ଗରେ ଖଞ୍ଜି ଦେଇଛନ୍ତି ତା ସୁକ୍ଷ୍ମସୂତ୍ର ନିକର । (୫ମ ସର୍ଗ)

୧୦-

ଧୀରେ ଧୀରେ ପୂର୍ବ ଦିଗେ ହୋଇ ଅଗ୍ରସର

 

ହ୍ରାସ, ବୃଦ୍ଧି, ଲୋପ କରୁଥିଲେ କଳେବର । (୬ଷ୍ଠ ସର୍ଗ)

୧୧-

ପବନ ପ୍ରତିକୂଳ ହୋଇ ଗତିକି

 

ନିବାରି ନ ପାରିଲା ମନ୍ଦ ମତିକି ଗୋ ! (୭ମ ସର୍ଗ)

୧୨-

ତନୁ ସଙ୍କୋଚି ତୁଙ୍ଗ ପାଦପଚୟ

 

ଭିଡ଼ିଲେ ପରସ୍ପରେ ଲଭି ତା ଭୟ । (୭ମ ସର୍ଗ)

୧୩-

କାନ୍ତ ମୋ ଘନ ଭେଦି ପାରନ୍ତି ନାହିଁ । (୮ମ ସର୍ଗ)

୧୪-

ଖୋଜନ୍ତି, ପୁଣି ଶମ୍ପା-ଆଲୋକ ଧରି । (୮ମ ସର୍ଗ)

୧୫-

ଉର୍ଦ୍ଧ୍ୱଦିଗେ ରୋଧ କରି ସୂର୍ଯ୍ୟାତପ

 

ଟାଣିଦେଲେ ନଭେ ଶ୍ୟାମ ଚନ୍ଦ୍ରାତପ । (୯ମ ସର୍ଗ)

୧୬-

ଘନ ନୀଳାମ୍ବରା ଶ୍ରାବଣୀ ରଜନୀ

 

କରେ ଶିରେ ଘେନି ଯୁଥିକା ରଜନୀ । (୯ମ ସର୍ଗ)

୧୭-

ଚନ୍ଦ୍ରିକା ବାଞ୍ଛଇ ତୋଷିବ ଜଗତ,

 

କିନ୍ତୁ ଗଗନରେ ମେଘ ଉପଗତ । (୯ମ ସର୍ଗ)

୧୮-

ଅସିତ ପକ୍ଷର ଶଶାଙ୍କ ପରି

 

ଲକ୍ଷ୍ୟକଲା ମୃତ୍ୟୁ ଅମା-ସର୍ବରୀ ।

 

ସ୍ୱାମୀଙ୍କି, ମଣି ଦିନେଶ ସମ,

 

ଆଶା କଲା ତହିଁ ହେବ ସଙ୍ଗମ । (୧୦ମ ସର୍ଗ)

 

ଏଥି ସହିତ, ତପସ୍ୱିନୀକାବ୍ୟର ପ୍ରାରମ୍ଭରୁ ନବମ ସର୍ଗ ପର୍ଯ୍ୟନ୍ତ ଉପଲବ୍ଧ ବିପୁଳ ଓ ପୁଷ୍କଳ ପ୍ରକୃତି –ବର୍ଣ୍ଣନାର ଛତ୍ରେ ଛତ୍ରେ ଉଦ୍ଭିଦ-ବିଜ୍ଞାନ-ସମ୍ପୃକ୍ତ ଜ୍ଞାନରାଜିର ବହୁଳ ପ୍ରୟୋଗ ପରିଲକ୍ଷିତ ହୁଏ ।

 

ଏତେ ସବୁ ବ୍ୟାଖ୍ୟା ଓ ଆଲୋଚନା ବିଜ୍ଞାନର ପ୍ରୟୋଗ କରାହୋଇଛି । ଆଉ ମଧ୍ୟ, କେତେକ ବିଲକ୍ଷଣ ବୈଜ୍ଞାନିକ ଚିନ୍ତାଧାରାର ମନୋଜ୍ଞ କାବ୍ୟିକ ରୂପାୟନ ଏଥିରେ ସମ୍ଭବ ହୋଇ ପାରିଛି । ମନେହୁଏ, ସାମଗ୍ରିକ ଭାବରେ ତପସ୍ୱିନୀ କାବ୍ୟଟି ବିଜ୍ଞାନ-ସମ୍ମତ ଏକ ବଳିଷ୍ଠ ଆନୁଷଙ୍ଗିକ ପୃଷ୍ଠଭୂମି ଉପରେ ସୁବ୍ୟବସ୍ଥିତ ହୋଇ ଗଢ଼ି ଉଠିଛି । ଫଳରେ କାବ୍ୟକୃତିଟି ଅସାମାନ୍ୟ ରୂପେ ସୁଦୃଢ, ସମୃଦ୍ଧ ଓ କାଳଜୟୀ ହୋଇପାରିଛି ଏହାର ଅନୁରୂପ ଦୃଷ୍ଟାନ୍ତ ଓଡ଼ିଆ ସାହିତ୍ୟରେ, ବୋଧହୁଏ ବିରଳ ।

 

ଉପସଂହାର-

ପ୍ରକୃତି ଓ ପରିବେଶରୁ ଅନୁଭୂତି ଲବ୍ଧ ଜ୍ଞାନ (Empirical Knowledge) ଆହରଣ କରିବାରେ କବି ଗଙ୍ଗାଧର ଖୁବ୍ କୁଶଳ ଓ ସିଦ୍ଧହସ୍ତ ଥିଲେ । ପ୍ରକୃତିର ଗଠନ ଓ ଆଚରଣକୁ ଲକ୍ଷ୍ୟ କରି, ଅନୁଧ୍ୟାନ କରି ତଲ୍ଲବ୍ଧ ଜ୍ଞାନ ବଳରେ ସେ ବିଜ୍ଞାନ –ସଚେତନ ହୋଇ ଉଠିଥିଲେ । ବହୁବର୍ଣ୍ଣା ପ୍ରକୃତିର ବିବିଧ ଘଟଣା ଓ ସଂପୃକ୍ତ ପ୍ରକ୍ରିୟା ସମୂହକୁ ନିରୀକ୍ଷଣ କରି, ବିଶ୍ଳେଷଣ କରି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବାର କୌଶଳ ସେ ଉତ୍ତମ ରୂପେ ଶିଖି ଯାଇଥିଲେ । ବୋଧହୁଏ, ପ୍ରକୃତିର ବୈଚିତ୍ର୍ୟ ଉନ୍ମୋଚନ କରୁ କରୁ ତାଙ୍କର ବିଜ୍ଞାନ ପ୍ରତି ଆଗ୍ରହ କ୍ରମଶଃ ବୃଦ୍ଧି ପାଇଥିଲା ଏବଂ ତାଙ୍କର ବୈଜ୍ଞାନିକ ମନୋବୃତ୍ତିର ପୁଷ୍ଟିସାଧନ ହୋଇ ପାରିଥିଲା । ପ୍ରକୃତି ଓ ବିଜ୍ଞାନ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତେଣୁ ପ୍ରକୃତିକବି ଗଙ୍ଗାଧରଙ୍କ କାବ୍ୟ କବିତାରେ ବିଜ୍ଞାନର ଝଲକ ବହୁସ୍ଥଳରେ ଦେଖିବାକୁ ମିଳେ । ଆଲୋକର ପ୍ରତିଫଳନ, ପ୍ରତିସରଣ, ବର୍ଣ୍ଣାଳୀ-ବିକ୍ଷେପଣ, ଇନ୍ଦ୍ରଧନୁର ସୃଷ୍ଟି, ଉତ୍ତାପସଞ୍ଚାଳନ, ବାଷ୍ପୀଭବନ ଓ ଜଳଚକ୍ର, ଧାତୁ ଏବଂ ତାର ବ୍ୟବହାର, ବିଦ୍ୟୁତ୍ ପରିବହନ, ସବୁଜ ଉଦ୍ଭିଦର ଶ୍ୱାସକ୍ରିୟା ଏବଂ ଅଙ୍ଗାର ଆତ୍ମୀକରଣ ପ୍ରକ୍ରିୟା, ପୃଥିବୀର ଘୂର୍ଣ୍ଣନ ଓ ଋତୁ ପରିବର୍ତ୍ତନ, ଚନ୍ଦ୍ରକଳାର ହ୍ରାସ-ବୃଦ୍ଧି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ, ଭୁ-ତଳଜଳ, ଜୁଆର ସୃଷ୍ଟି, ବାୟୁମଣ୍ଡଳ, ସୌରଜଗତ, ନକ୍ଷତ୍ରମଣ୍ଡଳ, ରାଶିଚକ୍ର ଓ ମହାକାଶ ସମ୍ବନ୍ଧରେ କବିଙ୍କର ଏକ ପ୍ରକାର କାର୍ଯ୍ୟକାରୀ ଜ୍ଞାନ (Working Knowledge) ଥିଲା । ଏହା ତାଙ୍କ ରଚନାବଳିରୁ ପ୍ରତିପାଦିତ ହୁଏ । ଏଥିସହିତ, ପୁଷ୍ପବିଜ୍ଞାନ, କୃଷି-ବିଜ୍ଞାନ ଓ ଗୋପାଳନ ସମ୍ବନ୍ଧରେ କବିଙ୍କର ଯଥେଷ୍ଟ ଅଭିଜ୍ଞତା ଲବ୍ଧଜ୍ଞାନ (E.K.) ଥିବାର ପ୍ରମାଣ ମିଳେ ।

 

ବିଲକ୍ଷଣ ପ୍ରତିଭାଧର କବି ଗଙ୍ଗାଧର ସ୍ୱଭାବତଃ ‘ସତ୍ୟ-ଶିବ-ସୁନ୍ଦର’ର ଉପାସକ ଥିଲେ-। ପ୍ରକୃତି ରାଜ୍ୟରୁ ସମ୍ବଳ ସଂଗ୍ରହ କରି ବିଜ୍ଞାନ-ସମ୍ମତ ପଦ୍ଧତିରେ ଅଗ୍ରସର ହୋଇ ତାଙ୍କର କାବ୍ୟ ସମ୍ଭାରକୁ ସମୃଦ୍ଧ ଓ ସର୍ବାଙ୍ଗସୁନ୍ଦର କରି ଗଢ଼ି ତୋଳିଥିଲେ । ମନେହୁଏ, ପ୍ରକୃତି ହଁ, ସତେ ଯେପରି, ତାଙ୍କୁ ବିଜ୍ଞାନ ଆଡ଼କୁ ଠେଲି ଦେଇଥିଲା। ତେଣୁ ପ୍ରକୃତି ସହ ତାଙ୍କର ସମ୍ପର୍କ ଅତି ନିବିଡ଼ ଏବଂ ଅବିଚ୍ଛେଦ୍ୟ ହୋଇ ଉଠିଥିଲା । ବୋଧହୁଏ, ସେଥିପାଇଁ କବିଙ୍କ ପ୍ରକୃତି-ବର୍ଣ୍ଣନା ଏତେ ଅନ୍ତରଙ୍ଗ, ଏତେ ମାର୍ମିକ, ଏତେ ଜୀବନ୍ତ ହୋଇପାରିଛି । ଆନୁଷ୍ଠାନିକ ଭାବେ ବିଜ୍ଞାନ ଅଧ୍ୟୟନ କରି ନ ଥିଲେ ସୁଦ୍ଧା ଗଙ୍ଗାଧର ବିଜ୍ଞାନ ସହ ଖୁବ୍ ପରିଚିତ ଥିଲେ । ଏହା ତାଙ୍କ ଉନ୍ନତ ବୈଜ୍ଞାନିକ-ଚିନ୍ତଧାରା-ସମ୍ପନ୍ନ ରଚନାବଳିରୁ ବିଶତରୂପେ ପ୍ରତିଫଳିତ ହୁଏ । ଅବଶ୍ୟ କବିଙ୍କ ବିପୁଳ ଅନୁଭୂତି-ଲବ୍ଧ ଜ୍ଞାନ ରାତି (E.K.) ତାଙ୍କ ବିଜ୍ଞାନ ପ୍ରବଣତା ଓ ବିଜ୍ଞାନ-ଚିନ୍ତାଧାରାକୁ ଶାଣିତ, ସମୃଦ୍ଧ ଓ ପୋଖତ କରିବାର ସମର୍ଥ ହୋଇଛି–ଏଥିରେ ସନ୍ଦେହ ନାହିଁ ।

 

ଶେଷରେ ଆଉଥରେ ଦୋହରାଇ କହୁଛି ଯେ, ଗଙ୍ଗାଧରୀୟ ସାହିତ୍ୟର ମହାନତା ଅସୀମ ଏବଂ ଅପରିମେୟ । ସେଭଳି ମହିମା-ମଣ୍ଡିତ ସାହିତ୍ୟ ଉପରେ କିଛି ଲେଖିବା ବା ମନ୍ତବ୍ୟ ଦେବା, ମୋ ଭଳି ଜଣେ ଅର୍ବାଚୀନ ସମୀକ୍ଷକ, (ଏକ ଅନାମଧେୟ ଅପାଙ୍‌କ୍ତେୟ ‘ସ୍କୁଲମାଷ୍ଟର୍’ ଯାହାର ସମସ୍ତ କାର୍ଯ୍ୟକାଳ ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ପଢ଼ାଇବାରେ ବିତିଯାଇଛି) ପକ୍ଷରେ ନିହାତି ଅଭାବନୀୟ ଏବଂ ଦୁଃସାହସିକ ପଦକ୍ଷେପ । ମାତ୍ର ବିଭୁକୃପା ଓ ଗୁର୍ବାଶିଷ ବଳରେ ମଣିଷ ଅସାଧ୍ୟ ସାଧନ କରିବାରେ ବି ସମର୍ଥ ହୋଇଥାଏ । ମୋର ପରମାରାଧ୍ୟ ଗୁରୁ, ବରପାଲି ହାଇସ୍କୁଲର ପ୍ରାକ୍ତନ ଓଡ଼ିଆ-ସାହିତ୍ୟ ଶିକ୍ଷକ, କବି ଗଙ୍ଗାଧରଙ୍କ ପ୍ରଥମ ଜୀବନୀ-ଲେଖକ, କବି ଓ ସାଧୁପୁରୁଷ ୰ ପଣ୍ଡିତ ରାଘବ ମିଶ୍ର ମହୋଦୟଙ୍କ ନିରବଚ୍ଛିନ୍ନ ଆଶୀର୍ବାଦ ଏବଂ ପରମେଶ୍ୱରଙ୍କ ଅଶେଷ ଦୟାରୁ ଏଭଳି ଦୁରୂହ କାର୍ଯ୍ୟର ଶ୍ରୀଗଣେଷ କରିପାରିଛି ବୋଲି ନିଜକୁ ଭାଗ୍ୟବାନ ମନେ କରୁଛି । ପରିଶେଷରେ, ଯେଉଁ ମହାନ୍ କବିଙ୍କ ଦୃଷ୍ଟିରେ ବିଶ୍ୱସାରା ମଧୁମୟ, ଅମୃତମୟ ହୋଇଉଠେ, ଯାହାଙ୍କ ସୃଷ୍ଟିରେ ସର୍ବଦା ମଧୁରିମା ହିଁ ନିଃସ୍ରବିଥାଏ, ସେହି ! ‘ମଧୁପ୍ରସୂ’ ବିଜ୍ଞାନୀ କବି ଗଙ୍ଗାଧରଙ୍କ ପଦ୍ମପାଦରେ ପ୍ରଣତି ଜଣାଇ ମୋର ଭକ୍ତିସିକ୍ତ ପୁଷ୍ପାଞ୍ଜଳି ଅର୍ପଣ କରୁଛି-

 

ବଚନଂ ମଧୁରମ୍, ଲିଖନଂ ମଧୁରମ୍,

ଚଳନଂ ମଧୁରମ୍, ଚିନ୍ତନଂ ମଧୁରମ୍,

ଦର୍ଶନଂ ମଧୁରମ୍, ବିଜ୍ଞାନଂ ମଧୁରମ୍ ।

କବେର୍ମେହେରସ୍ୟ ସକଳଂ ମଧୁରମ୍ ।।

 

ଭାଲୁପାଲି, ଅତାବିରା, ଜି: ବରଗଡ଼

ଫୋନ ନଂ. ୦୬୭୮୨-୨୨୦୦୯୭

***

 

Unknown

କବି ଅନନ୍ତ ପଟ୍ଟନାୟକ : ଓଡ଼ିଶାର

ପ୍ରଗତିଶୀଳ ସାହିତ୍ୟର ଆଦ୍ୟ ପ୍ରବର୍ତ୍ତକ

ସନ୍ତୋଷ ତ୍ରିପାଠୀ

 

(ଏକ)

 

ପାଠଚକ୍ରର ବିଚାର୍ଯ୍ୟ ବିଷୟଟି ବ୍ୟାପକ, ମାତ୍ର ଆମତମଙ୍କ ସମକାଳର ପାଠକୀୟତା ଖୁବ୍ ସୀମିତ । ଆଲୋଚନା ପାଇଁ ହେତୁଗତ ଭାବେ (ଯେହେତୁ ଅନନ୍ତ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ-ସେହେତୁ ଆୟୋଜନ) ନିର୍ବାଚନ ହୋଇଥିବା ଶୀର୍ଷକଟି ବେଶ୍ ନାନାମୁଖୀ, ଆକର୍ଷଣୀୟ । ସାହିତ୍ୟସାଧକଙ୍କୁ କେନ୍ଦ୍ରରେ ରଖି ଆମ ସାମାଜିକ ବ୍ୟବସ୍ଥା, ଆମ ମାନସିକ ପରିବର୍ତ୍ତନ ଓ ଆମ ମାନବବାଦୀ ବିଚାରର ପ୍ରତିମା ନିର୍ମାଣ କରିଥିବା ସତ୍ୟଟିକୁ ସ୍ମରଣ କରିବାର ଅବକାଶଟିଏ ଏବେ ମିଳୁଛି–ତେଣୁ ଆକର୍ଷଣୀୟ । ପୁଣି ଆକର୍ଷଣୀୟ ଏହିଥି ପାଇଁ ଯେ ସାହିତ୍ୟ ଓ ସାହିତ୍ୟିକ ଗୋଟିଏ ଜାତିର ସମୂହ ଚିନ୍ତାକୁ ବଦଳାଇଦିଏ, ଆଗେଇ ନିଏ ତାକୁ ବେଗଟିଏ ଦିଏ–ଏକଥା ଭାବିଭାକୁ ଆଜିର ପାଠଚକ୍ର ସୁଯୋଗ ଦେଇଛି । ଜଣେ ସମୟ-ସମାଜ-ସଂସ୍କୃତି-ଜୀବନ ପ୍ରତି ସଶ୍ରଦ୍ଧ ଓ ସଚେତନ କବି ଶବ୍ଦର ଖେଳ ଖେଳୁଖେଳୁ ଗୋଟିଏ ଜାତିର ଚଳମାନ ସ୍ପନ୍ଦନକୁ ଇତିହାସୀକରଣ କରିଦିଏ ଏବଂ ନିଜ ଜାତି ଭୋଗ କରିଥିବା ସମୟର ଦାଉକୁ ଉତ୍ତରପିଢ଼ିଙ୍କ ପାଖରେ ଚିତ୍ରବତ୍ ଦେଖାଇ ଦେଇପାର; ଏଭଳି ଏକ ଧରଣର ମଞ୍ଜି ଏ ପାଠଚକ୍ରରୁ ମିଳିପାରିବ–ଏମିତି ଉତ୍ସୁକତାଟିଏ ଏବେ ଦେଖାଦେଇଛି । ଏ ଦିଗରୁ ବିଷୟ ଓ ପାଠଚକ୍ର ଆୟୋଜନ ବେଶ୍ ଭାବପ୍ରବୋଧକର ।

 

ଶୀର୍ଷକଟିଏ କେବଳ ଆକର୍ଷଣୀୟ ନୁହେଁ । ନାନାମୁଖୀ ମଧ୍ୟ । କବି ଅନନ୍ତ ପଟ୍ଟନାୟକ, ଓଡ଼ିଶା ଭୁଖଣ୍ଡର ସମୂହ ମାନସିକତା, ମାନସିକତାକୁ ପ୍ରଭାବିତ ଅଥବା ପ୍ରତିବାଦୀ କରି ଦେଇଥିବା ପ୍ରଗତିଶୀଳ ଚିନ୍ତାଧାରାର ସାହିତ୍ୟ, ଏହି ସାହିତ୍ୟ ସହିତ ସାମ୍ୟବାଦୀ ଚୈତନ୍ୟଟିଏ ବହନକରି ବାଧ୍ୟ ବା ପ୍ରଲୁବ୍ଧ କାରଣରୁ ଯୋଡ଼ି ହୋଇ ଯାଇଥିବା ଶବ୍ଦ ଓ ଭାବର ଖେଳାଳିମାନେ ଏବଂ ସେ ଖେଳାଳି ପୁଣି ନୂଆ ଚେତନାର ନୂଆଗଢ଼ଣର ପ୍ରବର୍ତ୍ତକ–ଏପରି ନାନାଦିଗକୁ ନେଇ ପର୍ଯ୍ୟାଲୋଚ୍ୟ ପ୍ରସଙ୍ଗଟି ନିର୍ଦ୍ଦିଷ୍ଟ । ନିର୍ଦ୍ଦିଷ୍ଟ କରିଛନ୍ତି–‘ସାହିତ୍ୟ ଏକାଡ଼େମୀ’ । ଉଦ୍ଦେଶ୍ୟଟି ସୌଭାଗ୍ୟ ଓ ଶୁଭକର ନିଶ୍ଚିତ । ଓଡ଼ିଶାର ଆଞ୍ଚଳିକତା ଭିତରେ ଏମିତି ବି କବି ଅଛନ୍ତି ଯିଏ ସର୍ବ ଭାରତୀୟ ମୌଳବାଦର ପାଚେରିକୁ ଭାଙ୍ଗିଦେବାର ବଜ୍ରଘୋଷୀ ଶପଥ ନେଇ ସାର୍ବକାଳିକ ମହାନୀୟତାର ସଂସ୍କାର ବାସନା ଚହଲେଇ ଦେଇପାରନ୍ତି, ଜୀବନ ଜାଗୃତିର ମନ୍ଦଭାବକୁ କୋମଳ ପ୍ରେରଣାରେ ବିସ୍ତାରିପାରନ୍ତି ଏବଂ ଗଣଜୀବନର ଶବ୍ଦକୁ ଆସ୍ପର୍ଦ୍ଧାସୂଚକ ଅର୍ଥଶକ୍ତି ବଳରେ ଗୀତର, ଗୀତକୁ କବିତାରେ, କବିତାକୁ ମହାଭାରତୀୟ ସମତା ଓ ସମଭାଗିତାର ପ୍ରତୀକରେ ରୂପାନ୍ତରିତ କରିପାରନ୍ତି ଏପରି କଥାଟିଏ ବହୁଦିନ ପରେ ଆମେତେମେ ଆପଣମାନେ ବିଚାରିବାକୁ, ନିର୍ଣ୍ଣିବାକୁ ସୁଭଗ ମୁହୂର୍ତ୍ତଟିଏ ପାଇ ପାରିଲେ ଏହାହିଁ ସୌଭାଗ୍ୟର କଥା । ଯଶ ଓ ଯାଜନକୁ ସୁବିଧାବାଦୀଙ୍କ ମିଛି କୋରଡ଼ରେ ରଖିଦେଇ ଜୀବନ, ଜଗତ ଓ ମଣିଷକୁ ସାଙ୍ଗରେ ଧରି, ସାରା ମଣିଷଜାତିଟାର ଲୁହ ଓ ଲହୁ ସହିତ ଶାନ୍ତି ଓ ବିଶ୍ୱାସକୁ ମୁଣ୍ଡରେ ବୋହି, ଶୋଷ ଓ ଅପମାନକୁ ପିଠିରେ ଲଶଉକରି ଖାଲ-ଢିପ-କଣ୍ଟା-ଉଠାପକାକୁ ନମାନି ସମଭାବାପନ୍ନ ସଗୋତ୍ରୀଙ୍କୁ ସାଥିକରି ଆଗୁଆ ବାଟଟି କାଢ଼ି ନବ-ଯୁଗ ଓ ନୂଆ ଆଲୋକର ଗୀତ ଗାଇବାର ବାଟ ଚାଲିଥିବା ଅନନ୍ତଙ୍କ ପ୍ରତିବାଦୀ ସଂଗ୍ରାମ ଜୀବନ ସ୍ୱୟଂ ଗୋଟେ ମହାକାବ୍ୟିକ ଅନୁଭୂତିର ଭଣ୍ଡାର । ଓଡ଼ିଆ ଭାଷାର କାବ୍ୟିକ ଢଙ୍ଗର ସୁକୁମାର ଏବଂ ଗଣଜୀବନର ନିଟୋଳ ଶବ୍ଦମାନଙ୍କୁ ଭାବ ବଖାଣର ସଖୀ ରୂପେ ଗ୍ରହଣକରି ଉପେକ୍ଷିତ ମଣିଷ ଗହଳିର ଧୂଳିରାସ୍ତାରେ ଚାଲୁ–ଚାଲୁ ସେହି କାବ୍ୟଭଣ୍ଡାରରୁ ଦରଦୀ ଅନୁଭୂତିମାନଙ୍କୁ ମଇତ୍ର ବସାଇ ମହାମାନବୀୟ ମୂଲ୍ୟବୋଧ ଉଜ୍ଜୀବନ ସଙ୍ଗୀତ ଯେ ଅନନ୍ତ ନାମରେ ଜଣେ ପୂର୍ବସୂରୀ କବି ଶୁଣେଇ ଯାଇଛନ୍ତି–ଏହି ମହତ ବାର୍ତ୍ତାଟିକୁ ଏ ଜାତିର ମାଟି-ମଗ୍ନ ଉତ୍ତରପିଢ଼ିକୁ ଜଣେଇ, ଚିହ୍ନେଇ, ମଜେଇ ଦେବାଭଳି ଉଦ୍‌ବୋଧନଶୀଳ ବାତାବରଣଟିଏ ଏବେ ଉଭା ହୋଇଯାଇଚି: ଆଜିର ଏ ଶୁଭ ଅବସରରେ ଏହା ସୂଚେଇଦେବା କମ୍ ଶୁଭକର କଥା ନୁହେଁ-

 

 

(ଦୁଇ)

 

ଉପଯୁକ୍ତ ବିଷୟ ଶୀର୍ଷକର ନାନାଦିଗ ମଧ୍ୟରୁ ପ୍ରଲୋଭନ ସୃଷ୍ଟି କରୁଥିବା ପ୍ରଥମଟି ହେଉଛି- ନାମବାଚକ ଶବ୍ଦ ‘କବି ଅନନ୍ତ ପଟ୍ଟନାୟକ’ ସର୍ବ ଭାରତୀୟ ସ୍ତରରେ ଏ ନାମଟି ଏବେ ସମ୍ମୋହନୀ ପ୍ରେରଣାର ନାମ ଭାବରେ ଯୋଡ଼ି ହୋଇଯାଇଛି । ଭଗବତୀଚରଣଙ୍କ ସାଙ୍ଗ, ସୋଭିଏତଲାଣ୍ଡ ନେହେରୁ ପୁରସ୍କାର ପ୍ରାପକ, ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନର ଛାମୁଧାଡ଼ିର ସାଥୀ, ଗୁରୁଚରଣଙ୍କର ଭାଇ, ସଶସ୍ତ୍ର ସଂଗ୍ରାମୀ କୃଷ୍ଣମୋହନଙ୍କ ପୁତୁରା, ଗୋପବନ୍ଧୁ-ନୀଳକଣ୍ଠଙ୍କ ପ୍ରଛାତ୍ର, କବି ଅମରେଶଙ୍କ ପିତା, ନୀରଦ ପ୍ରଭାଙ୍କ ସ୍ୱାମୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପୁସ୍ତକ ‘ଅବାନ୍ତର’ର ରଚୟିତା ଛାତ୍ର କଂଗ୍ରେସ ପ୍ରଜା ଆନ୍ଦୋଳନର କାରାବାସୀ ଆଗ୍ନିକ ବନ୍ଦୀସଂଗ୍ରାମୀ, ଲକ୍ଷ୍ମୀଧର-ବ୍ରଜନାଥ-ରବୀନ୍ଦ୍ର-ମନୋଜ-ରମାକାନ୍ତ-ରାଜେନ୍ଦ୍ର-ହରପ୍ରସାଦ, ଆଶୁତୋଷଙ୍କ ଭଳି ଅନେକ ପରସୁରୀ ତରୁଣ ପାଠକ ଓ କବିଗୋଷ୍ଠୀଙ୍କ କାବ୍ୟ-ଶବ୍ଦିକ ଓ କବି କଳ୍ପନାର ପ୍ରେରଣାପୁରୁଷ ଏପରି ଅନେକ ସତ ପରିଚିତି ଭିତରେ ଥାଇ ବି ଅନନ୍ତଙ୍କ ଅନନ୍ତତ୍ୱ ପ୍ରକୃତରେ ଏସବୁରେ ବାନ୍ଧିହୋଇ ଯାଇ ବୁଝାପଡ଼େନି । ଏଥିରେ ଅନନ୍ତଙ୍କ ବ୍ୟକ୍ତିସତ୍ତା ବେଶ୍ ଉଜ୍ଜ୍ୱଳ ଓ ମର୍ଯ୍ୟାଦା ଦାବିଦାର । ମାତ୍ର ଅସୀମ ଅନନ୍ତତ୍ୱ ଯେଉଁ ସଂଗ୍ରାମୀମାନବ ଦରଦୀ-ବ୍ୟବସ୍ଥା ପ୍ରତିବାଦୀ-ନବଚେତନା ପ୍ରବର୍ଦ୍ଧକତ୍ୱ ନବୀନ ଆଶାର ଅଗ୍ରଦୂତତ୍ୱ - ଏ ସକଳର ମିଶ୍ରଣରେ ଗଠିତ ଭାବସତ୍ତାଟି ଭିତରେ ସୂକ୍ଷ୍ମତଃ ବିଦ୍ୟମାନ ରହିଛି ତାହା ହିଁ (ସେହି ଅନନ୍ତତ୍ତ୍ୱଟନ କୃତ) ତାଙ୍କ ଅନୁପସ୍ଥିତିର ସଦ୍ୟ ବର୍ତ୍ତମାନ ଓ ଆଗାମୀ ବର୍ତ୍ତମାନଗୁଡ଼ିକରେ ଆମ ପାଠକୀୟତା ସାମ୍ନାରେ ଛିଡ଼ା ହୋଇଯାଏ । ହାତରେ (ଅଥବା ଝୁଲାରେ ଥାଏ) ଶୋଭା ପାଉଥାଏ–ରକ୍ତ ଶିଖା (୧୯୩୯), ତର୍ପଣ କରେ ଆଜି (୧୯୪୯), ଶାନ୍ତଶିଖା (୧୯୫୨), କିଞ୍ଚିତ୍ (୧୯୫୯) ଅଲୋଡ଼ାଲୋଡ଼ା (୧୯୬୪) ଛାଇରଛିଟା (୧୯୬୬), ଅବାନ୍ତର (୧୯୭୮), ଅଋତୁଋତୁ, ସୂତ୍ରଟିଏ ସୁକୃତିର (୧୯୮୬ ),ମା, ରାବଣ, ଚିରି ଅନ୍ଧାର ରାତି ,ଚଢ଼ାଉତ୍ତରା ଫଲ୍‍ଗୁଧାରା, ମାକ୍‌ସିମ ଗର୍କୀ, ଝିଟିପିଟି କହେ, ସାହିତ୍ୟ ଓ ସାହିତ୍ୟ.... ଏପରି ଅନେକ ଶବ୍ଦର ଗଢ଼ା ଭାବକଣ୍ଢେଇ । ଗୋଟେଗୋଟେ କଣ୍ଢେଇ ଆମ ପାଠକତ୍ୱ ସାଙ୍ଗରେ ସମୟ ଅସମୟରେ ଖେଳି ବସନ୍ତି । ନବୀନଯୁଗର ତରୁଣ ଜାଗରେ, ସର୍ବହରା, ଦେବତା, ନାହିଁ ଭୁବନବନେ, ତର୍ପଣ କରେ ଆଜି, ଫୁଟିବି ମୁଁ ଫୁଟିବି, ଚାଳିଲି ମୁଁ ଚାଲିଲି, ଆସିଚି ମୁଁ ଆସିଚି, ଶାନ୍ତି, କପୋତ, ଛବି ପ୍ରଳୟ ଆବାହନ, ମୁଠିଏ ବୋଲି ହସ, ହଟାଅ ହଟାଅ, ଉଡ଼ାଇ ଦେଲି, ଝରରେ ରୁଧିର, ସ୍ୱପ୍ନ ଦେଖୁଚି, ସମାଧାନ, ନିଜ ବନ୍ଦନା ପଢ଼େ, ଆଗେଇଚାଲ.... ଏହିପରି ୨୯୬ରୁ ଅଧିକ ଚୈତନ୍ୟ ଜାଗୃତିକାରଣ କବିତାକୁ ନେଇ ଶାନ୍ତି-ବିଦ୍ରୋହ-ପ୍ରତିବାଦ-ନବସୃଜନର ଭାବମଣ୍ଡଳଟିଏ ଗଢି ତା’ ଭିତରେ ମଣିଷକୁ ଉଚ୍ଚଆସନରେ ବସାଇ ଅନନ୍ତୀୟ କବିସତ୍ତାଟି ମାନବତାର–ସତ୍ୟର-ଶାନ୍ତିର- ଶ୍ରମର- ସଦ୍‌ଭାବନାର–ବାସ୍ତବତାର–ସୌହାର୍ଦ୍ଦ୍ୟର ଜୟଗାନ କରୁ କରୁ ଆମ ସଭିଙ୍କ ସହୃଦୟତାର ଆମତ୍ୱଟିକୁ ଗ୍ରାସୀ ନେଇଥାଏ । ଏ ଦିଗରୁ ତାଙ୍କ କବିତ୍ୱ ଥିଲା ଗ୍ରସମାନ କବିତ୍ୱ ଓ କବିତା ଥିଲା–ଜଡ଼ତା–ସୁପ୍ତତା–ଶିଥିଳତାକୁ ଭାଙ୍ଗି ଦେଇ ପାରୁଥିବା ଉତ୍ତାପ ସୃଷ୍ଟିଶୀଳ ଆହ୍ୱାନୀ-ଆବାହନୀ କବିତା ଏବଂ ସ୍ୱୟଂ କବିଥିଲେ ନିପୀଡ଼ିତ ମାନବାତ୍ମାର ଦରଦୀ ପ୍ରତିବାଦୀ କବି ।

 

(ତିନି)

 

ଶୀର୍ଷକର ଦ୍ୱିତୀୟ ଦିଗଟି ହେଉଛି–‘ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟ’ । ଓଡ଼ିଶାରେ ଉଗ୍ରଜାତୀୟତାବାଦ ଓ ଗଣ ସମ୍ବେଦନଶୀଳତାର ମାନବତାବାଦୀ ଚିନ୍ତାଧାରାଟି ୧୯୨୦-୨୧ ମସିହାଠାରୁ କ୍ରମଶଃ ସତ୍ୟବାଦୀ ଆନ୍ଦୋଳନକୁ ମାଧ୍ୟମ କରି ଆସିସାରିଛି । ଲବଣ ସତ୍ୟାଗ୍ରହ ପ୍ରଜା ଆନ୍ଦୋଳନ ୟଙ୍ଗ ଉତ୍କଳ, ଛାତ୍ର କଂଗ୍ରେସ ଓ କଂଗ୍ରେସ ସୋସାଲିଷ୍ଟ ଆନ୍ଦୋଳନ ପୃଷ୍ଠଭୂମିରେ ସାମ୍ରାଜ୍ୟବାଦ, ସାମନ୍ତୀୟ ଜମିଦାରୀ ଶୋଷଣ, କୃଷିଭୂମିକୁ ନେଇ କର ଓ ଶୋଷଣ ବିପକ୍ଷରେ ପ୍ରତିବାଦୀ ମାନସିକତାଟିଏ ୧୯୩୦-୩୪ ମଧ୍ୟରେ ବିକାଶ ଲାଭକରି ସାରିଛି । ଚେତନାର ବିନ୍ଦୁରେ ଗାନ୍ଧିବାଦୀ ସମାଜବାଦକୁ ସମୂହ ଭାବମାନସ କ୍ରମଶଃ ବସାଇ ମାନବର ମର୍ଯ୍ୟାଦାକୁ ମାନିନେବା ପାଇଁ ଗଣ ଆହ୍ୱାନ ଦେଇ ସାରିଛି । ‘ସାରଥି’ ପତ୍ରିକାକୁ ବାହନ କରି ନବ ତରୁଣମାନଙ୍କର ବିଦ୍ରୋହୀ ମାନସରୁ ଜାତ ଗୀତ ଓ ଗାଥା ଲୋକ-ପ୍ରସାର ଲାଭ କରିସାରିଛି । ଭଗବତୀଚରଣଙ୍କ ‘’ନବଯୁଗ ସାହିତ୍ୟ ସଂସଦ’ (ନଭେମ୍ବର, ୧,୧୯୩୫), ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି, ଶ୍ରମିକ ଆନ୍ଦୋଳନ ଓ ସଂଗଠନ, କୃଷକ ଆନ୍ଦୋଳନ, ନବଯୁଗମଣ୍ଡଳ ଓ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲା ଏବଂ ଆଧୁନିକ, ନୂଆ ଦୁନିଆ, ମୁକ୍ତିଯୁଦ୍ଧ ଆଦି ବିପ୍ଳବୋଧୀ ଗଣମତ ଓ ଗଣ ସଚେତନତା ସୃଷ୍ଟିକାରୀ ପତ୍ରପତ୍ରିକା- ଏସବୁରୁ ବିକାଶ ନ ଘଟିବା ପୂର୍ବରୁ ଅନେକ ନବତରୁଣଙ୍କ ଭାବନା ଗଛରେ ପ୍ରତିବାଦର ଚିନ୍ତାଫଳ କଷି ଧରିଲାଣି, ଏପରିକି ବନିବା ବନିବା ହେଲାଣି । ଜମିଦାରୀ ସାମନ୍ତବାଦର ଭୋଗାକାଂକ୍ଷୀ ଓ ମକଦ୍ଦମୀ ନିର୍ଯ୍ୟାତନାକୁ ଓଡ଼ିଶାର ବେଠି ଖଟୁଆମାନଙ୍କ ଅନ୍ତର୍ଦହନର କାରଣ ବୋଲି ସ୍ପଷ୍ଟ ହୋଇସାରିଛି । ଏହାକୁ ନେଇ ପ୍ରତିକ୍ରିୟାଶୀଳ ଜାତୀୟତାବାଦର, ପରସ୍ପର ପ୍ରତି ସମ୍ବେଦନଶୀଳତା ଓ ନରକୁ ନାରାୟଣବତ୍ ସମ୍ମାନ ଦେବାଭଳି ବିଭାବନଶୀଳ ଉଦାର ଦୃଷ୍ଟିଭଙ୍ଗୀ ପଲ୍ଲବିତ ହୋଇ ସାରିଲାଣି । ନବକୃଷ୍ଣ ଚୌଧୁରୀ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ଗୋପବନ୍ଧୁ ଚୌଧୁରୀ, ମାଳତୀଦେବୀ ଓଡ଼ିଶାର ଗାନ୍ଧିୀବାଦୀ ଚିନ୍ତାଧାରା ସହିତ ସମାଜତାତ୍ତ୍ୱିକତ ଚେତନାକୁ ଯୋଡ଼ି ସାରିଛନ୍ତି । ଏସବୁ କ୍ରମଶଃ ସମୂହ ଭାବମଣ୍ଡଳରେ ବିପ୍ଳବୀ ମାନସିକତାଟିଏ ଗଢି ସାରିଛି । ରେଭେନ୍‌ସାରେ ବିଦ୍ୟାର୍ଥୀ ଜୀବନ ବିତାଉ ବିତାଉ ଗାନ୍ଧିବାଦୀ ସଂଗ୍ରାମୀ ଛାତ୍ର ଅନନ୍ତ ବନ୍ଧୁ ଭଗବତୀ, ବିଶ୍ୱନାଥ ପଶାୟତ, ଅଶୋକ ରାୟ, ବୈଦ୍ୟନାଥ ରଥ, ପରମାନନ୍ଦ ମହାନ୍ତି ଓ ସମଧର୍ମୀ ଅଗ୍ରଜପ୍ରତିମ ପ୍ରାଣନାଥ ପଟ୍ଟନାୟକ ମଧ୍ୟରେ ବଢ଼ିବଢ଼ି ଚାଲିଛି । ୧୯୩୨-୧୯୩୪–ଏ ସମୟକୁ ଅନନ୍ତ ‘ଗୁରୁ, ଗଭର୍ଣ୍ଣମେଣ୍ଟ ଓ ଗାର୍ଡ଼ିଆନା ଈଶ୍ୱର- ମକଦ୍ଦମ- ମନ୍ଦିର- ମୌଳରକ୍ଷଣଶୀଳତା ଆଦିକୁ ବିରୋଧ କରି ଲେଖନୀ ଚାଳନା ଆରମ୍ଭ କରି ଦେଲେଣି । (ସମାଧାନ-ଦେବତା ନାହିଁ ଭୁବନବନେ–ଏ କବିତା ଦୁଇଟି ଏଠାରେ ଉଲ୍ଲେଖନୀୟଯୋଗ୍ୟ–କବି- ଅନନ୍ତ ପଟ୍ଟନାୟକ- ରଚନାସମୟ ୧୯୩୩/୧୯୩୪ ସହକାର) ।

 

ସୁତରାଂ ୧୯୩୫ ମସିହାରେ ଅନନ୍ତ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ସଂଗ୍ରାମୀ ନବଚେତନାର ପ୍ରତିବାଦୀ ତରୁଣ ବିପ୍ଳବୀ ଭାବରେ ଜେଲ ଯାଇ ସାରିଛନ୍ତି । ଶଗଡ଼ରେ ଢେଙ୍କାନାଳରୁ ପ୍ରଜା ଆନ୍ଦୋଳନର ବିଦ୍ରୋହୀ ନେତାଙ୍କ ଗୁଳିବିଦ୍ଧ ଶବଙ୍କୁ ଖାନ୍‌ନଗର ମଶାରିଙ୍କୁ ଶଗଡ଼ିଆ ଭାବରେ ବୋହିଆଣି ସାମ୍ରାଜ୍ୟବାଦୀ ଶୃଙ୍ଖଳାର ଲାଲ୍‌ଚକ୍ଷୁରେ ପଡ଼ି ସାରିଲେଣି ଓ ସମତା–ସମଭାଗିତାକୁ ଟାଉକାଙ୍କ ପରି ଚାହିଁ ରହିଥିବା ଉପେକ୍ଷିତ ଜନତାର ନିର୍ଯ୍ୟାତିତ ଅବସ୍ଥା ଆଦିକୁ ନେଇ ଓଡ଼ିଆ ସାହିତ୍ୟ ଓ ରାଜନୀତିକ ଆନ୍ଦୋଳନର ପରିମଣ୍ଡଳରେ ସାମ୍ୟବାଦୀ ଚେତନାର ଉଦ୍‌ଘୋଷକ ରୂପେ ଆଖିଦୃଶିଆ ପ୍ରଥିତ ଆକାରଟିଏ ଅନନ୍ତ ପାଇ ସାରିଲେଣି । ୧୯୩୫ ମସିହା ନଭେମ୍ବର ମାସରୁ ‘’ନବଯୁଗ ସାହିତ୍ୟ ସଂସଦ’ ପିଠିରେ ଲାଉହୋଇ ଭଗବତୀ ଚରଣଙ୍କୁ ମୁଖିଆ ଛାମୁବିପ୍ଳବୀ ରୂପେ ସାଥୀକରି ଅନନ୍ତ-ପ୍ରାଣନାଥ-ଗୁରୁଚରଣ-କାଳିନ୍ଦୀ- ରାମପ୍ରସାଦ- ବିଶ୍ୱନାଥ- ବୈଦ୍ୟନାଥ, ଗୋକୁଳମୋହନ ସାମ୍ୟବାଦର ବିଧିବଦ୍ଧ ରଣଭେରୀ ବଜାଇବା ପୂର୍ବରୁ ବୈପ୍ଳବିକ ସମାଜତାତ୍ତ୍ୱିକ ବାସ୍ତବତା ଓ ସମତାବୋଧର ସାରସ୍ଵତ-ମାର୍ଗଟିକୁ ଅନନ୍ତ ପ୍ରାୟତଃ ଆଗଚଲା ହୋଇ ଖୋଲି ସଫା କରି ଦେଇଛନ୍ତି ।

 

ଗାନ୍ଧିଙ୍କୁ ହୃଦୟ ଭିତରେ ସ୍ଥାପନ କରି, ଗୋପବନ୍ଧୁଙ୍କୁ ମନ ମଧ୍ୟରେ ଅଭିଷିକ୍ତ କରାଇ, ମସ୍ତକର ଚେତନା ପିଣ୍ଡିରେ ମାର୍କସ୍, ମାକ୍ ସିମ୍ ଗର୍କି (ଆଲେକ୍‌ସି ମାକ୍‌ସିମୋଭିଚ୍ ପେସକୋଭ) ଭ୍ଲାଦିମିର, ମାୟାକୋଭସ୍କି, ୟେସେନିନ୍, ଭେରିସାୟେଭ, ଲେନିନ, ଲୁକାସ୍ ଓ ଲୁନ୍ ଚାରସ୍କିଙ୍କୁ ବାଇ ଅନନ୍ତ ନିଜର ନିର୍ମାଣକ୍ଷମ ସାମୂହିକ ଆବେଗ ଓ ସମାଜ ପ୍ରତି ଦାୟବଦ୍ଧ କବି ପୁରୁଷାକାରଟିକୁ ପ୍ରସ୍ତୁତ କରିଛନ୍ତି । ଆଭ୍ୟୁଦାୟିକ ନବଚେତନାର ଆବାହନ, ଶ୍ରେଣୀସଂଘର୍ଷ ଓ ଚେତନାଶ୍ରିତ ପ୍ରଗତିଶୀଳ ସମାଜତାତ୍ତ୍ୱିକ ମୂଲ୍ୟବୋଧର ସାହିତ୍ୟିକ, ରାଜନୀତିକ ଓ ସାଂସ୍କୃତି ପ୍ରତିଷ୍ଠା ଓ କବିତାକୁ ସମାଜର ଏକ ଉଦ୍‌ବୋଧନଶୀଳ ବସ୍ତୁ ଭାବରେ ପ୍ରହଣ କରି ସମାଜ ପ୍ରତି ଏହାର ବିଧେୟତାକୁ ଲକ୍ଷ୍ୟନିଷ୍ଠ କରାଇ ବ୍ୟକ୍ତିଗତ ଭାବ ପ୍ରବଣତାର ରାଗାନୁଗା ରୋମାଣ୍ଟିକ୍ ଚେତନାଟିକୁ ବିବର୍ଣ୍ଣ କରିଦେବାକୁ ଅନନ୍ତଙ୍କ ଲେଖନୀ ଦୃଢ଼ସଂକଳ୍ପ ହୋଇ ଉଠିଛି । ଗଡ଼ଜାତ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ, କୃଷକ ଆନ୍ଦୋଳନ, ପ୍ରଜା ଆନ୍ଦୋଳନ ପଟ୍ଟଭୂମିରେ ଜଣେ ପ୍ରତ୍ୟକ୍ଷ ପକ୍ଷଭୁକ୍ତ ସମୟ ପଥଚାରୀ ସଂଗ୍ରାମୀ ଭାବେ ଅନନ୍ତଙ୍କ ଉତ୍ସର୍ଗୀକୃତ ବ୍ୟକ୍ତିସତ୍ତା ଯେଉଁ ଯଥାର୍ଥ–ବାସ୍ତବ–ସମ୍ବେଦନଶୀଳ ଅନୁଭୂତିମାନଙ୍କୁ ସାଉଁଟି ଥିଲା । ଭୋଗିଥିଲା, ଭେଟିଥିଲା, ତା’ର ଅଙ୍ଗୀକାରବଦ୍ଧ ପ୍ରତିଫଳନ ତାଙ୍କର ଆହ୍ୱାନୀ କବିତାଗୁଡ଼ିକରେ ଘଟିଛି । ଅନନ୍ତଙ୍କ କାବ୍ୟସ୍ୱରର ନିନାଦକୁ ଧ୍ୟାୟୀ-ଚାହିଁ-ଶୁଣି-ପାଇ-ଲୋଡ଼ିବାଦ୍ୱାରା ସମକାଳନର ସାବୁଜିକ ଓ ତଦନୁସାରୀ ବିହ୍ୱଳପଣର କବିତା ଧାରା ଆତ୍ମକୈନ୍ଦ୍ରିକ କଳା ସମ୍ବେଗୀମାର୍ଗଠୁ କ୍ରମଶଃ ମୋଡ଼ବୁଲାଣି ଦେଇ ସମାଜ କୈନ୍ଦ୍ରିକୀ ଓ ମାନବୀୟ ସମ୍ବେଦନାଗର୍ଭକ ହୋଇଉଠିଛି ।

 

ଅନନ୍ତଙ୍କ ପ୍ରତିଷ୍ଠିତ ଓ ମାର୍ଗଦର୍ଶୀ କବିତାମାନ ବିପ୍ଳବର- ପ୍ରତିବାଦର-ପ୍ରତିକ୍ରିୟାର ମାନବୀୟ ସହାନୁଭୂତିର କବିତା ରୂପେ ସ୍ୱତନ୍ତ୍ର ପରିଚିତଟିଏ ଲେଖାଁ ପାଇଛି । ଯାବତୀୟ ପ୍ରଥାସିଦ୍ଧ ଭାବ ପ୍ରବଣତାର କଳାପକ୍ଷ ଓ ଉପାଦାନକୁ ଏ ଧରଣର ଅନନ୍ତୀୟ କବିତା ବିରୋଧ କରିଛି । ତେଣୁ ସାମ୍ୟବାଦୀ ବାମପନ୍ଥୀ ଚେତନାର ଚିନ୍ତାନାୟକ ଲୁନ୍‍ଚାରସ୍କିଙ୍କ ପରିଭାଷା ଆଳରେ ଅନନ୍ତଙ୍କ କବିତାକୁ ବିରୋଧୀ ଭାବର ଅଭ୍ୟୁଦୟ କବିତା (ଅପୋଜିଟ୍ ଲିଟେରଚର) ଭାବରେ ଗ୍ରହଣ କରାଯାଇ ପାରେ । ଏ କବିତା, ଧର୍ମ, ଦେବତା, ଅତୀତ, ଶାସ୍ତ୍ର, ମନ୍ଦିର, ସ୍ୱପ୍ନ, କଳ୍ପନା, ଆବେଗ, ଭେଦକୁ ବିରୋଧ କରିଛି ଏବଂ ଏସବୁ ସ୍ଥାନରେ ଯଥାକ୍ରମେ ମାନବିକତା, ମଣିଷ, ବର୍ତ୍ତମାନର ଭବିଷ୍ୟାୟିତ ଦାୟବଦ୍ଧତା, ଲୋକାଚାର, ସମାଜ, ସଂକଳ୍ପିତ ଶ୍ରମ, ବାସ୍ତବତା, ସାମୂହିକ ଆବେଗ ଓ ଜୀବନର ବେଗ (ଗତିଶୀଳତା) ଆଦିକ ସମର୍ଥନ ଜଣାଇ ସବୁଜ ଚେତନାମୟ କରି ପ୍ରତିଷ୍ଠା ଦେଇଛି । ଅନନ୍ତଙ୍କ କବିସତ୍ତାଟି ତାଙ୍କର ସଂଗ୍ରାମୀ ସେବକ ସତ୍ତା, ସାମାଜିକ ମୂଲ୍ୟବୋଧବାଦୀ ଚିନ୍ତାବିତର ସତ୍ତା, ପାର୍ଥିବ ବ୍ୟକ୍ତିସତ୍ତା ଓ ରାଜନୀତିକ ସ୍ୱାଭିମାନୀ ନିଷ୍କପଟୀ ସତ୍ତାକୁ ନେଇ ପୁନଶ୍ଚ ତହିଁରୁ ବିମୁକ୍ତ ହୋଇ ସମୂହ ଗଣଚେତନା ପ୍ରବୋଧିତ ଭାବସତ୍ତାରେ ପରିଣତ ହୋଇଯାଇଛି । କେତେକ ପ୍ରଚାର ସର୍ବସ୍ୱ ସ୍ଲୋଗାନବାଜି କବିଙ୍କ ପରି ହାଣ, ମାର, ଧର, ପିଟ୍, ଭାଙ୍ଗ୍, ନାଶ ଆଦିର କଥା ତାଙ୍କ କବିତାରେ ସମାଜ ଓ ମୂଲ୍ୟବୋଧ ପ୍ରତି ଦାୟବଦ୍ଧ କବିସତ୍ତା କହିନି କି କେବେ ନୈରାଶ୍ୟର ଗୀତ ଗାଇନି । ନବୀନ ଆଲୋକର ଅଂଶଦାର ହେବାକୁ ଶତମୁଖର ହୋଇ ପ୍ରୋତ୍ସାହନ ଦେଇଛି। ଏଦିଗରୁ ତାଙ୍କର ଅଧିକାଂଶ କବିତା ନବୋଭ୍ୟୁଦୟର ଗ୍ରସମାନ ଆହ୍ୱାନୀ କବିତା ରଚନା ପାଇଁ ମାର୍ଗ ଉନ୍ମୋଚନ କରିଦେଇଛି ଏବଂ ଅନେକ ତରୁଣ କବିଙ୍କୁ ରୁଢ଼ିବାଦ ପ୍ରତ୍ୟର୍ଥୀ ହେବାକୁ ଉପାଦାନ ଯୋଗାଇଛି ।

 

ମାନିଫେଷ୍ଟୋ ଅଫ୍ ଦି କମ୍ୟୁନିଷ୍ଟ ପାର୍ଟି, ଦାସ୍ କ୍ୟାପିଟାଲ, ମସ୍କୋଡ଼ାଇଲଗ , ମିରଟ୍, କାନ୍‍ସିପିରାସି କେସ ଆଦି ଗ୍ରନ୍ଥକୁ ପଢ଼ଇ ରାଜନୀତିକ ଗୋଷ୍ଠୀ ସମ୍ପୃକ୍ତ ହୋଇ ପଟାଦାରୀ କମ୍ୟୁନିଷ୍ଟ ହେବା ପୂର୍ବରୁ ଅନନ୍ତ ଗାନ୍ଧି-ମାର୍କସ୍-ଲେନିନ୍‌ଙ୍କୁ ବୁଝି-ମାନି ନିଜ ଭିତରେ ସମତାବୋଧର ବାମମାର୍ଗୀ ଦ୍ରୁମର ବୀଜଟିକୁ ପୋତି ସାରିଛନ୍ତି । ଖୁବ୍ ଗୋଟେ ବିନୟ ଜିଦଖୋର ଢଙ୍ଗରେ ସେ ଯେଉଁ ବିଦ୍ରୋହ ଓ ପ୍ରତିବାଦର ଚେତନା ଗଛଟିକୁ ବଢ଼େଇଛନ୍ତି ତା’ ଛାଇତଳେ ସାଥୀ ବିପ୍ଳବୀମାନେ ମେଳ ହୋଇଛନ୍ତି, ରଜଦୋଳି ଖେଳିଛନ୍ତି ଏବଂ ଭଦ୍ରୋଚିତ ଲାଲ୍ ତରୁଣ ଭାବରେ ସାମାଜିକ ପରିବର୍ତ୍ତନର କାରଣ ମଧ୍ୟ ହୋଇଛନ୍ତି । ସାମ୍ୟବାଦକୁ କେବଳ ପ୍ରତିକ୍ରିୟାର ସ୍ଲୋଗାନ ଭାବରେ ଗ୍ରହଣ ନ କରି ମାନବିକ ସମ୍ବନ୍ଧ ଓ ମାନବଜାତିର ଉତ୍‌ଥାନର (ଭଗବତୀଚରଣଙ୍କ ବିୟୋଗ ପରେ) ଏକ ଆଗ୍ନେୟ ମାଧ୍ୟମରୂପେ ସମର୍ଥନ କରାଯାଇଛି । ଦୀର୍ଘକାଳଧରି ଅନନ୍ତ ସାମ୍ୟବାଦୀ ଚିନ୍ତାଧାରାର ମଙ୍ଗୁଆଳ ହୋଇ ପ୍ରଗତିଶୀଳ ଓଡ଼ିଶୀ ସମୂହ ଆବେଗର ନାଟକଟିକୁ ଦିଗଦର୍ଶୀ କରାଇଛନ୍ତି । ଏକ ସାଙ୍ଗରେ ବିପ୍ଳବ-ଧ୍ୱଂସ-ଶାନ୍ତି- ସୃଜନ-ମାନବତାକୁ ସାମାଜିକ ନିର୍ଯ୍ୟାସର ମହାଂଶ ଭାବରେ ସାହିତ୍ୟରେ ସ୍ୱୀକୃତି ଦେଇ ଅନନ୍ତ ଓଡ଼ିଆ ସାହିତ୍ୟର ଭାବ-ରୂପ-ରେଖକୁ ବଦଳାଇ ଦେଇଛନ୍ତି ।

 

(ଚାରି)

 

ଶୀର୍ଷକର ତୃତୀୟ ଦିଗଟି ହେଉଛି- ‘ଆଦ୍ୟ ପ୍ରବର୍ତ୍ତକ’ । ପ୍ରଗତିବାଦୀ ସାହିତ୍ୟାଲୋଡ଼ନକୁ ଓଡ଼ିଶାର ବାଙ୍‌ମୟ ବାତାବରଣରେ ବଳିଷ୍ଠ ଓ ଅଗ୍ରଣୀ ପ୍ରତିଷ୍ଠା ଦେବାରେ ଅନନ୍ତଙ୍କ ଭୂମିକାକୁ ଏହି ଶବ୍ଦଟିଦ୍ୱାରା ବୁଝା ଯାଇପାରେ । ଶବ୍ଦଟି ଅନେକବାଗର ପ୍ରଶ୍ନ ବି ଆଣେ । ପ୍ରଗତିବାଦୀ ଆନ୍ଦୋଳନ ଓ ତା’ର ସାହିତ୍ୟିକ ପ୍ରତିଷ୍ଠା କ୍ଷେତ୍ରରେ ବହୁ କବି, କଥାକାର, ଗଦ୍ୟଶିଳ୍ପୀ ତା’ର ଆଦ୍ୟ ପିତୃତ୍ୱ ଅଥବା ପୁରୋଧାତ୍ୱ ଦାବୀ କରିଥାନ୍ତି । ବିଶୁଦ୍ଧ ବିପ୍ଳବୀତ୍ୱଟିକୁ ସତ୍-କବିତ୍ୱରେ ପରିଣତ କରି ବିଜ୍ଞାପନର ଗହଳିଠାରୁ ଦୂରେଇ ସମତା ଓ ଶାନ୍ତିର ବାର୍ତ୍ତା ପ୍ରସାର କରିକରି ଜୀବନ ବଞ୍ଚିଥିବା ଅନନ୍ତଙ୍କ ଅନୁପସ୍ଥିତିରେ ପ୍ରବର୍ତ୍ତକର ସିରିପାବନ୍ଧାଣକୁ ନେଇ ଗୋଟାଏ ଗହଳିଆ ଆଲୋଚନା ଓ ବିତର୍କ ଯେ ହୋଇପାରେ ଏମିତି ସେ ନିଜ ଜୀବ-ଦଶାରେ କେବେ ବି ଭାବିନଥିବେ କି ଲୋଡ଼ିବି ନ ଥିବେ । ତଥାପି ପ୍ରସଙ୍ଗ କ୍ରମେ ଆମେ ‘‘ପ୍ରବର୍ତ୍ତକ’” ଅବବୋଧଟି ସମ୍ପର୍କରେ ବିଚାରିବସିବା ।

 

ଯେତେବେଳେ ସମଗ୍ର ବିଶ୍ୱ ସାହିତ୍ୟକୁ ଭାଷା-ଭୁଖଣ୍ଡର ବ୍ୟବଧାନ ଉର୍ଦ୍ଧ୍ୱରେ ଗୋଟାସୁଦ୍ଧା ମାନବର ସାହିତ୍ୟ ଭାବରେ ବିବେଚନା କରିବାର ବାଟ ସଫା ହୋଇସାରିଛି, ଯେତେବେଳେ ମାନବର ସଂପ୍ରସାରିତ ଦୃଷ୍ଟି ସାରା ମଣିଷର ସାହିତ୍ୟକୁ ଯୋଡ଼ିଦେଇ ପ୍ରାଚୀନ- ମଧ୍ୟଯୁଗୀୟ ଆଧୁନିକ ଏପରି ଯୁଗଖଣ୍ଡରେ ଭାଗଭାଗ କରି ତହିଁରୁ ଭାଗେ ମାଡ଼ି ବସିବାକୁ ବାରଣ କଲାଣି ସେତେବେଳେ ସାହିତ୍ୟର ଯୁଗ ଓ ତା’ର ପ୍ରବର୍ତ୍ତକ ଏବଂ ସେ ପ୍ରବର୍ତ୍ତକତ୍ୱର ଆଦି–ମଧ୍ୟ-ଶେଷ ବିଚାର କରିବାର କୌତୁକ ଅବକାଶ କାହିଁ ଯେ । ସତ୍ୟଟି ହେଉଛି, ଜଣଙ୍କୁ ଛାଡ଼ି ସକଳ ଶ୍ରେଣୀର ଗଣଙ୍କୁ ନେଇ ଯେଉଁ ପ୍ରଗତିବାଦୀ- ଅଭ୍ୟୁଦୟ-ସାହିତ୍ୟ ଗୋଟାଏ ମହାମାନବର ଜୀବନଧାରା ଉଦ୍‌ବୋଧନୀ ପ୍ରତୀକ ହୋଇଯାଇଛି ତାହାର ପ୍ରଚାର ପ୍ରସାରରେ ‘ଜଣ’କୁ ମୁରବୀ କହି ଚିହ୍ନେଇ ପଗଡ଼ି ପିନ୍ଧାଇବାର ସମ୍ଭାବନାକୁ ବୋଧେ ଅନନ୍ତ ଏଠି ଆମତମଙ୍କ ଭିତରେ ଥିଲେ ତାଙ୍କ ଚିରାଚରିତ ଢଙ୍ଗରେ ଲୁଗାକାନିଟାକୁ ପଞ୍ଜାବି ଭିତରେ ଗୁଞ୍ଜି ତେରେଚ୍ଛା ଚାହାଣିଟିଏ ମାରି ଉଠି ଚାଲିଆନ୍ତେଣି ।

 

ଏସବୁ ସତ୍ତ୍ୱେ ଏ ଦିଗ ଉପରେ ତର୍କଣା କରିବାର ଡଗଡଗିଆ ଇଚ୍ଛାଶକ୍ତିଟିକୁ ଖଟାଯାଉ । ‘ପ୍ରବର୍ତ୍ତକ’ ଶବ୍ଦର ମୂଳ ଇଂରାଜୀ ଶବ୍ଦଟି ହେଉଛି ‘ପାୟନିୟର’ । ଏହା ପ୍ରାଚୀନ ଲାଟିନକୁ ଆଶ୍ରୟ କରିଥିବା ଏକ ପୁରାତନ ଫ୍ରେଞ୍ଚ-ଶବ୍ଦ । ଏହାର ମୂଳଧାତୁ ରୂପ ବା ପ୍ରକୃତିଟି ହେଉଛି ‘ପାଓନ/ପାଉନ’ (Paon/Poun) ଯାହାର ଅର୍ଥ–ଆଗରେ ପ୍ରଥମେ ନିଜେ ବାଟ ସଫାକରି ବା ବାଟଟିଏ ତିଆରି କରି ଚାଲିଚାଲିଯାଇଥିବା ଓ ପରେ ପରେ ଅନ୍ୟମାନଙ୍କ ପାଇଁ ଚାଲିବାର ସହଜ ଅବକାଶଟିଏ ସୃଷ୍ଟିକରିଥିବା ପଦାତିକ ସୈନିକ (ଫୁଟ୍ ସୋଲ୍‌ଜର/Foot Soldier) । ଭାରତୀୟ ଅର୍ଥ ନିଷ୍ପତ୍ତି ଦିଗରୁ ଏହି ଶବ୍ଦଟିରୁ ସୃଷ୍ଟ ବହୁଚର୍ଚ୍ଚିତ ଇଂରାଜୀ ଶବ୍ଦ ‘ପାୟନିୟର’ର ଭାବାର୍ଥ ହେଉଛି–ଆଗଚଲା, ଅଗ୍ରଦୂତ, ମୂଳ ଉଦ୍ୟମୀ, ମାର୍ଗଦର୍ଶୀ, ପଥପ୍ରଦର୍ଶକ, ନୂତନ ଉଦ୍ୟମର ଆରମ୍ଭକାରୀ, ଅନ୍ୟମାନଙ୍କ ପାଇଁ ନୂଆବାଟ ଦେଖାଳି, ପ୍ରବର୍ତ୍ତକ । ଯିଏ ନବଚେତନାର ବାଟଟିକୁ ଗଢ଼ି ବସିବ ସିଏ–ନୂଆ କଥା ଘୋଷଣା କରିବ, ପୁରୁଣା ଗୁଡ଼ାକୁ ଅଥବା ପିଛିଲାମାନଙ୍କୁ ଅସ୍ୱୀକାର କରିବ, ନୂଆ ବାର୍ତ୍ତାଟିଏ ଗାଇବୁଲିବ, ନୂତନ ଚୈତନ୍ୟର ଆଲୋକ ଆସୁଛି ବୋଲି ଅଗ୍ରଦୁତ ଭାବରେ ଶୁଣେଇ ଶୁଣେଇ ଆଗକୁ ଚାଲିବ । ନୂଆ ପ୍ରକାରର ଯାବତୀୟ ବାଗ-ଫନ୍ଦିଫିକରମାନ ଗଢ଼ିବସିବ । ପୁରୁଣାର ଭଲଗୁଡ଼ିକୁ ସମୟର ପ୍ରାସଙ୍ଗିକତା କ୍ରମେ ପୁନର୍ନବାଗୁଣରେ ବିଭାବନଶୀଳର କରିଦେବ । ନୂଆ ଜୀବନଶୈଳୀ ଓ ଚିନ୍ତାଧାରାର ଅନ୍ୱେଷଣ ଓ ସ୍ଫୁରଣ କରିବ ଏବଂ ସର୍ବୋପରି ନୂଆ ମାର୍ଗଟିର ଆଗାମୀ ଗତିଟି କିପ୍ରକାରେ ସାଧିତ ହେବ ତାହା ବିଷୟରେ ଭବିଷ୍ୟ ଦୃଷ୍ଟି (Fore sight ଫୋରସାଇଟ୍) ଟିଏ ଯୋଗାଇ ଦେବ । ମୋଟ ଉପରେ ପୂର୍ବରୁ ଜମାଟବନ୍ଧା ଧାରଣାଗୁଡ଼ିକୁ ପରିବର୍ତ୍ତନ କରି ବର୍ତ୍ତମାନରେ ନବନବ ସ୍ପନ୍ଦନ ସୃଷ୍ଟିକ୍ଷମ ଭାବ-ବସ୍ତୁ-ଢଙ୍ଗ ପ୍ରବୃତ୍ତିର ଅନୁବର୍ତ୍ତନ ସଞ୍ଚାରକାରୀହିଁ ପ୍ରବର୍ତ୍ତକ । ନୂଆ ମୂଲ୍ୟବୋଧର ସଞ୍ଚାର କରି ଦେଲେବି ଜଣେ ପ୍ରବର୍ତ୍ତକ ହୋଇପାରିବେ ନାହିଁ; ଯେତେବେଳଯାଏ ତାଙ୍କ ପ୍ରସ୍ତୁତ ଓ ପ୍ରତିଷ୍ଠିତ ରାସ୍ତାରେ ଆଉଥୋକେ ତାଙ୍କରି ପରି ହାତଗୋଡ଼ ହଲାଇ ତାଙ୍କରି ଭଳି ସଦମ୍ଭେ ଚାଲିନାହାନ୍ତି । ଅନନ୍ତ କ’ଣ ଏତେଗୁଡ଼ାଏ କଥା ଭାବି, ତାକୁ ଏକ ରଣନୀତିକ କୌଶଳ (ଷ୍ଟ୍ରାଟେଜୀ)ରେ ପକାଇ ସାହିତ୍ୟ ଲେଖିଥିଲେ ନା ଲେଖିବାକୁ ମାର୍ଗ ଓ ସୂତ୍ର ପ୍ରସ୍ତୁତ କରିଥିଲେ ? ଏମିତି ଗୋଟେ ଟାଣୁଆ ପ୍ରଶ୍ନର ଉତ୍ତର ଏତିକିମାତ୍ର–ନା ସେମିତି ଗଣନା କରି ମିଶାଇ ଫେଡ଼ାଇ ସେ ବାଟ ବତେଇ ନାହାଁନ୍ତି, ବରଂ ଗୋଟିଏ ମହତ ସଂକଳ୍ପରେ ଥୋକେ ସମଧର୍ମା ଗୋଠବାଦୀଙ୍କୁ ନେଇ ଚାଲୁଚାଲୁ ପ୍ରାୟ ସେ ନୂଆ ବାଟ ଦେଖାଳି ହୋଇଯାଇଛନ୍ତି ଏବଂ ଅନ୍ୟସାଥୀମାନେ ବି ନୂଆବାଟଟିକୁ ସମସ୍ୱରରେ ଭଲବାଟ ବୋଲି କହିଛନ୍ତି ।

 

(ପାଞ୍ଚ)

 

ଏଠାରେ ଗୋଟିଏ କଥା ଉଲ୍ଲେଖଯୋଗ୍ୟ–ପ୍ରବର୍ତ୍ତକ ହେବା ଓ ପ୍ରବର୍ତ୍ତକ କିଏ–ଏହା ବାଛିବା ଏଥିପାଇଁ ଅତିକମ୍‌ରେ ତିନୋଟି ନିଆରା ନିଆରା ତରିକାକୁ ଗ୍ରହଣ କରାଯାଇପାରେ । ଉପାୟ ତିନୋଟି ହେଉଛି–ଚାଲୁଚାଲୁ ବାଟ କରିବା, ଚାଲିଚାଲି ବାଟ କରିବା, ଦେଖିଚାହିଁ ଚାଲିକରି ବାଟ କରିବା । ପ୍ରଥମ ପ୍ରକାର ଅନୁସାରେ ଜଣେ ପୁରୁଣା ବାଟକୁ ଆଡ଼େଇ ଦେଇ ଆଗକୁ ଚାଲିବାକୁ ମନସ୍ଥ କରେ । କିଏ ତା’ର ପଛରେ ଅଛି, ଆଗକୁ କ’ଣ ହେବ ସେ ଜାଣି ନଥାଏ । ମାତ୍ର ସଂକଳ୍ପ ଥାଏ ଯାବତୀୟ ସରି ଓ ଗୁଳାର ଧାରକୁ ଭାଙ୍ଗି ରକ୍ଷଣଶୀଳ ଅରମାକୁ ସଫାକରି ତା’ବାଟରେ ସେ ଯିବ । ଏମିତି ଚାଳୁଚାଲୁ ତା’ ଅନ୍ୱେଷଣ ଓ ସଂକଳ୍ପକୁ ନେଇ ନୂଆ ବାଟଟିଏ ଫିଟିଯାଇଥାଏ । ଦ୍ୱିତୀୟ ପ୍ରକାରଟି ହେଉଛି–ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ପାଇଁ ବାରମ୍ବାର ସଫଳତା, ବିଫଳତା, ଚଢ଼ା ଉତ୍ତରା, ଉଠାପକା ହୋଇ ଚାଲିଚାଲି ଆଗେଇବା । ଶେଷରେ ନିଶ୍ଚିତ ଆକୃତିର ଗୋଟେ ସଫଳତାର ଚୂଡ଼ାନ୍ତ ମୁଣ୍ଡରେ ପହଞ୍ଚିବା । ଏଠି ପ୍ରବର୍ତ୍ତକଙ୍କର ଧୈର୍ଯ୍ୟ, ବାଧାତିକ୍ରମଣ ଶକ୍ତି, ମସୁଦା, ନୂଆନୂଆ କୌଶଳ ମିଶି ରହିଥାଏ । ତୃତୀୟ ପ୍ରକାରଟି ହେଉଛି- ଦେଖି ଚାହିଁ ଚାଲିବା ଓ ନୂଆ ବାଟ କରିବା । ମୁଁ ନୂଆ କରୁଛି । ପୁରୁଣା ସବୁ ଘଷରା ହେଲାଣି । ବର୍ତ୍ତମାନକୁ ସେହି ମରହଟ୍ଟା ଉପାୟମାନେ ଅଯୋଗା ହେଲେଣି । ଏବର ପ୍ରାସଙ୍ଗିକତା ଓ ଭିଡ଼କୁ ପୁରୁଣାଗୁଡ଼ାକ ଖାପ୍ ଖାଉ ନାହାନ୍ତି । ନୂଆ ଦେଖିବାର ତିଆରିବାର ଅଛି । ଏପରି ଏକ ସଚେତନତା ଓ ପରିବର୍ତ୍ତନ କରିବାର ପ୍ରଯତ୍ନସିଦ୍ଧ ମାନସିକତା ରଖି ପୁରୁଣା ସରିରେ ଶଗଡ଼ ଗୁଳାରେ ନ ଚାଲି ନୂଆ ଦିଗରେ ଚାଲିବାଦ୍ୱାରା ବାଟଚଲାଳି ନୂଆପଥଟିର ଆବିଷ୍କାର ଓ ପୁରୋଧା ହୋଇ ଯାଇଥା’ନ୍ତି । ଆମ ରାଧାନାଥ ଏଥିରେ ବେଶ୍ କ୍ଷମ, ସଫଳ ଓ ବରଣୀୟ । ସଚ୍ଚିଦାନନ୍ଦ, ମନୋରଞ୍ଜନ ଓ ଗୁରୁପ୍ରସାଦ ବି ଏପ୍ରକାର ବାଟ ନିର୍ମାଣ ପାଇଁ କମ୍ ଶକ୍ତି ବିନିଯୋଗ କରିନାହାନ୍ତି । ଏବେ ଆସନ୍ତୁ, ଅନନ୍ତଙ୍କ ପ୍ରବର୍ତ୍ତକତ୍ୱ ଓ ପ୍ରଗତିଶୀଳ ଚେତନାର ଆଦି ପୁରୋଧାତ୍ୱ ବିଷୟରେ ଭାବିବା ।

 

ଏକଥା ସତ୍ୟ ଅନନ୍ତ ଯେଉଁ ମାର୍ଗରେ ଚାଲିଛନ୍ତି ସେଇ ବାମପନ୍ଥୀ ପ୍ରଗତିଶୀଳ ମାର୍ଗଟିର ଆଦି ପ୍ରବର୍ତ୍ତକ ସେ ଏକା ନୁହଁନ୍ତି । ଏକ ମିଳିତ ଉଦ୍ୟମରେ ସେ ମାର୍ଗଟିର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା, ପାରିପାର୍ଶ୍ୱିକ ସ୍ଥିତାବସ୍ଥା, ଔପଦାନିକ ବସ୍ତୁନ୍ୟାସ ଏବଂ ନିର୍ମାଣର ସମାଜନିର୍ଯ୍ୟାସୀ ଆଭିମୁଖ୍ୟ ନିରୂପିତ ହୋଇଛି । ଏ ଦୃଷ୍ଟିରୁ ସେହି ମାର୍ଗର ବିଧିବ୍ୟବସ୍ଥା, ଆବେଦନ, ନିର୍ମାଣୋଚିତ ଆଦର୍ଶ ବିଷୟରେ ମାର୍ଗପୁରୋଧା ଓ ବାଟୋଇ ଚିନ୍ତକ ଅନନ୍ତ, ରାମପ୍ରସାଦ, ସଚ୍ଚିଦାନନ୍ଦ, ଅନନ୍ତପ୍ରସାଦ, ମନମୋହନ, ଲକ୍ଷ୍ମୀଧର, କୃଷ୍ଣଚନ୍ଦ୍ର, ଜୀବନାନନ୍ଦ, ଲକ୍ଷ୍ମୀଧର, କାଳିନ୍ଦୀ, ରାଧାମୋହନ, ଦୁର୍ଗାଚରଣ–ଏପରି ଅନେକ ଅନ୍ୟତମଙ୍କ ସ୍ୱର, ବକ୍ତବ୍ୟ, ଶାବ୍ଦିକ ସଂରଚନା, ପ୍ରାସଙ୍ଗିକ ପ୍ରତିପାଦ୍ୟ ପ୍ରାୟତଃ ଏକାଭଳି ପାଖାପାଖି ଲାଗନ୍ତି, ଅନୁଭୂତ ହୁଅନ୍ତି ଓ ବୁଝାପଡ଼ନ୍ତି । ସେହିବାଟର ଆଦିନକ୍‌ସା ଏବଂ ତା’ର ନିର୍ମାଣ-ବୈଷୟିକୀ କୌଶଳଗୁଡ଼ିକ ପୂର୍ବ ୟୁରୋପ, ବିଶେଷ କରି ଅବିଭକ୍ତ ସାମ୍ୟବାଦୀ ସୋଭିଏତ-ୠଷରେ ରହିଛି । ସ୍ୱଦେଶୀ ମେହେନତି ମଣିଷର ଶ୍ରମଦାନର ଉତ୍ପାଦନ ଓ ତା’ର ସାମ୍ରାଜ୍ୟବାଦୀ-ସାମନ୍ତୋତ୍ସୁକ ଭୋଗକରଣ ବିପକ୍ଷରେ ଯେଉଁ ବିରୋଧ ବିଘଟନାର ପ୍ରତିକ୍ରିୟା ୧୯୩୦-୩୫ ମସିହା ମଧ୍ୟରେ ଭାରତୀୟ ବଞ୍ଚିତ-ଶୋଷିତ-ଦଳିତ-ନିଷ୍ପେଷିତ-ନିର୍ଯ୍ୟାତିତ-ଅବହେଳିତ ବର୍ଗଙ୍କ ମଧ୍ୟରେ ମୂଲ, ଶ୍ରମ, କୃଷି, ସମାଜଚଳତି, ଜୀବନବିତାଣର ମର୍ଯ୍ୟାଦା କ୍ଷେତ୍ରରେ ଉପୁଜିଛି ତାହା ଭାରତର ପ୍ରତି ଅଞ୍ଚଳକୁ ପ୍ରସରିଯାଇଛି । ଏହାର ସମାଧାନ ପାଇଁ ନିମ୍ନଶ୍ରେଣୀ ପ୍ରତି ସପକ୍ଷବାଦୀ ଜାଣିଲା ଶୁଣିଲାମାନେ ଏବଂ କୋଠବାଦୀ ଗଣଚେତନାକୁ ଜନ୍ମ ଦେବାକୁ ଇଚ୍ଛିଛନ୍ତି ଓ ଚେତନା ଖୋଜାଣ ଆରମ୍ଭ କରିଛନ୍ତି । ଗାନ୍ଧିବାଦ ସେମାନଙ୍କୁ ଛାୟା ଦେଇଛି, ବସେଇ ବୁଝେଇଛି, ସେମାନଙ୍କ ଔଚିତ୍ୟକୁ ସମ୍ମାନ ଦେଇଛି; ମାତ୍ର ଆଶୁ ସମାଧାନର ଉପାୟ ଓ ମାର୍ଗ ଦେଇପାରୁନି- ଏପରି ଶୀତଳ ପ୍ରତିକ୍ରିୟାଟିର ସୃଷ୍ଟି ହୋଇଛି ।

 

ସଂଗ୍ରାମୀ ଗଣଚେତନାକୁ ଶୋଷକଶ୍ରଣୀ ପାଖରେ ଏକ ଯଥାର୍ଥ ଆଧୁନିକତାର ସଚେତନଶୀଳ ଡାକରା ରୂପେ ପହଞ୍ଚାଇବା ପାଇଁ ଋଷୀୟ ସମାଜତାନ୍ତ୍ରିକ ସାମ୍ୟବାଦୀ ଶ୍ରେଣୀଚେତନାର ଢାଞ୍ଚାରେ ନୂଆ-କାବ୍ୟଚେତନା ଓ ରାଜନୀତିକ ଚେତନାର ପଥ ଓ ପନ୍ଥା ନିର୍ମାଣକୁ ଏକାସାଙ୍ଗରେ ଏକ ବାସ୍ତବ-ସମୟୋଚିତ ପଦେକ୍ଷପ ଭାବରେ ପ୍ରତିଷ୍ଠା ଦିଆଯାଇଛି । ବାମପନ୍ଥୀ ସମାଜକୈନ୍ଦ୍ରୀ ରାଜନୀତିକ ଆନ୍ଦୋଳନକୁ ସାହିତ୍ୟକୁ ଉପାୟ ଓ ଉପେୟର ପରିଭାଷାଟିଏ ମିଳିଛି । ସେହିପରି ସାହିତ୍ୟିକଙ୍କୁ ନବଚେତନାର ଦୂତ ଓ ବାର୍ତ୍ତାବହ ସମାଜବିଶ୍ଵସ୍ତ କର୍ମୀ ଭାବରେ ମାନ୍ୟତା ମିଳିଛି । ଲେନିନ୍ ସାହିତ୍ୟକୁ ଏକ ସାମାଜିକ ଉତ୍ପାଦନ ଓ ସମାଜନିର୍ଯ୍ୟାସୀ କର୍ମୀ ଭାବରେ ବିଚାରିଛନ୍ତି । ତାଙ୍କ ମତରେ ସାହିତ୍ୟିକ ପ୍ରଥମେ କର୍ମୀ, ପରେ ସେବକ, ତା’ପରେ ଘୋଷକ ଓ ଶେଷରେ ଶ୍ରେଣୀଚେତନାର ବିପ୍ଳବୀ ସାରସ୍ୱତ ଚିନ୍ତକ ଓ ପ୍ରବକ୍ତା । ପ୍ରତ୍ୟେକ ସମାଜ ଦରଦୀ ପ୍ରକୃତ ଲେଖକ ଭିତରେ ସେ ଟଲଷ୍ଟୟୀ ଦୃଷ୍ଟିଭଙ୍ଗୀର ଉପସ୍ଥିତିକୁ ପସନ୍ଦ କରିଛନ୍ତି । ବାମପନ୍ଥୀ ଚେତନାର ବହୁଚର୍ଚ୍ଚିତ ଓ ପ୍ରଭାବୀ ସ୍ରଷ୍ଟା ଗର୍କିଙ୍କ ଧାରଣାଟି ଏ କ୍ଷେତ୍ରରେ ଆଉଟିକେ ସଫା, ବ୍ୟାପକ ଓ ଲେଖକ ସପକ୍ଷୀ । ତାଙ୍କ ମତଟିକୁ ଏବେ ଆମ ଭାଷାରେ ସାରାଂଶ କରାଯାଇପାରେ । କର୍ମୀ-ବିପ୍ଳବୀଟିଏ ଲେଖକ ହେଲେ ପୂର୍ବରୁ ବଳିଷ୍ଠ ଥିବା ବା ପ୍ରୟୋଜନ ଅନୁସାରେ ନୂଆହୋଇ ନିର୍ଣ୍ଣିତ ହୋଇଥିବା ସମାଜନିର୍ଯ୍ୟାସୀ ସିଦ୍ଧାନ୍ତ/ତତ୍ତ୍ୱ/ଧାରଣାକୁ ଶବ୍ଦରେ ରୂପଦିଏ ଓ ତାହାକୁ ବିପ୍ଳବ କ୍ଷେତ୍ରରେ ପ୍ରଚାର ଓ ପ୍ରସାର କରିବାର ଦାୟିତ୍ୱ ନେଇ ପ୍ରସ୍ତୁତ କରିଥାଏ । କବିତା, କଥା, ବକ୍ତବ୍ୟ ଲେଖିବା ଏକ ମହତ ସାମାଜିକ କର୍ମ ଓ ଅଙ୍ଗୀକାର । ମାତ୍ର କବିସତ୍ତାର ମଣିଷଟିଏ ବିପ୍ଳବୀ କର୍ମୀଟିଏ ହୋଇ ବିପ୍ଳବର ମାଧ୍ୟମରୂପେ ସାହିତ୍ୟ ସୃଷ୍ଟିକୁ ଜନ୍ମଦେଲେ ତାହା ସମାଜ ପରିବର୍ତ୍ତନର ମୂଳଶକ୍ତି ହୋଇଯାଏ । ଲେଖାଟି ଏ କ୍ଷେତ୍ରରେ ଲେଖକର ବ୍ୟକ୍ତିଗତ ଅନୁଭୂତି ପରିଧିରେ ରୁହେ ନାହିଁ । ସମୂହ ଆବେଗର ଲେଖାଟି ସ୍ୱୟଂ ଏକ ସକ୍ରିୟ କର୍ମୀ ହୋଇ ସମାଜ ସାମ୍ନାରେ ଉଭାହୁଏ । ଉଭୟ ଏକପ୍ରକାର ଲେଖା ଓ ଲେଖକକୁ ସମୂହ ଚେତନା ପାଇଁ ଦାୟବଦ୍ଧ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଇ ମର୍ମରେ ଉଭୟ ବିଶ୍ୱାସ କରନ୍ତି ଯେ ସାହିତ୍ୟ ସମାଜ ଓ ସମୟର ନିର୍ଭରଯୋଗ୍ୟ ଉତ୍ପାଦନ । ଲେଖକଙ୍କୁ ସମାଜ ବ୍ୟୁତ୍ପନ୍ନ କରିଥାଏ । ତେଣୁ ଯେହେତୁ ଲେଖକ ସମାଜ ସଂଭୂତ ସେହେତୁ ସାହିତ୍ୟର ପ୍ରତିଫଳିତ ଚିନ୍ତାଧାରା ଓ ରୂପାୟଣ ଚାତୁରୀ ଜଣେ ଲେଖକର ଏକଚାଟିଆ ପୁରୋହିତ୍ୟ ପରିଧିରେ ସୀମିତ ନୁହେଁ । ଗଣମିଶି, ଗଣଚେତନାକୁ ଗଣଭାଷାରେ ଗଣଭୋଗ କରୁଥିବା ଯୁଗସ୍ପନ୍ଦନ ଅନୁସାରେ ଗଢ଼ଣ କରିଥାନ୍ତି । ଏ ଦିଗରୁ ସାହିତ୍ୟ ହେଉଛି ଗଣ ଚେତନାର ନିର୍ମାଣ ।

 

ଭାରତୀୟ ଭିତ୍ତିଭୂମିରେ ଊଣାଅଧିକେ ଏପରି ଏକ ସମୟ ଓ ସମାଜ ଅନୁସାରୀ ଦାୟବଦ୍ଧତାରୁ ଏକ ନୂତନ ଧରଣର ସର୍ବଜନବିଶ୍ୱସ୍ତ ସାହିତ୍ୟକାନ୍ଦୋଳନ ଗଣଭାଷାରେ ସଂରଚିତ କରିବା ପାଇଁ ୧୯୩୦ ପରେ ପରେ ବିପ୍ଳବୀମନା ବ୍ୟବସ୍ଥା ପ୍ରତିବାଦୀ କବିଏ ଓ ଗଦ୍ୟଶିଳ୍ପୀଏ ଏକମନା ହୋଇଛନ୍ତି । ଆଗପଛ ହୋଇ ଅଥବା ସମାନ୍ତରାଳ ଢଙ୍ଗରେ ପାଦ ପକାଇ ପ୍ରତ୍ୟେକ ଲେଖକ ଗଣଭାଷା ଓ ଭାଷାର ଗଣବାଦୀ ସଂରଚନାକୁ ଆଶ୍ରୟ କରି ଜନଗଣଙ୍କ ଜାଗୃତି ଓ ସଚେତନତାର ସାହିତ୍ୟ ଲେଖି ନାହାନ୍ତି, ବରଂ ଅଧିକ ମାତ୍ରାରେ ନିର୍ମାଣ କରିଛନ୍ତି । ଭାରତରେ ଗଣବାଦୀ ବାମପନ୍ଥୀ ସାହିତ୍ୟ ଆହ୍ୱାନୀ ଓ ଉଦ୍‌ବୋଧନୀ କବିତା ହୋଇଉଠିଛି । ଋଢ଼ିବାଦୀ ଶୃଙ୍ଖାଳକୁ ଶିଥିଳ କରି ଲୋକଶକ୍ତିକୁ ବିଶିଷ୍ଟାୟିତ ନିଷ୍ପେଷଣ ବିପକ୍ଷରେ ସଂଗ୍ରାମୀ ଶକ୍ତିରେ ଛିଡ଼ା କରାଇବା ପ୍ରୟୋଜନରୁ ଏକ ମିଳିତ ଉଦ୍ୟମରେ ଭାରତୀୟ ପ୍ରଗତିବାଦୀ ସାହିତ୍ୟର ବିକାଶ ଘଟିଛି । ପ୍ରତ୍ୟେକ ଲେଖକ ସମତାର କଥା କହିଲା ବେଳେ କିଏ ଅଗ୍ରଗଣ୍ୟ-କିଏ ଅନୁକାରୀ, କିଏ ପ୍ରବର୍ତ୍ତକ-କିଏ ଅନୁବର୍ତ୍ତକ- ଏ ପ୍ରକାର ଅସମ ବିଚାର ଶୂନ୍ୟଫଳା ହୋଇଯାଇଛି । ପ୍ରତ୍ୟେକ ଲେଖକ କର୍ମୀ, ତା’ପରେ ସମତାଶୀଳ ସମାଜ ଗଠନର ଉଦ୍‌ଘୋଷକରା ଏବଂ ଏଥିପାଇଁ ସେ ସହେତୁକ ଅନ୍ୟ ସମଧର୍ମୀଙ୍କ ଭଳି ସାହିତ୍ୟକୁ ସଂଚାର ମାଧ୍ୟମ ରୂପେ ଗ୍ରହଣ କରିଛି।

 

ପ୍ରାୟତଃ ଓଡ଼ିଶାରେ ୧୯୩୦-୩୬ ମଧ୍ୟରେ ପରିସ୍ଥିତି ଅନୁସାରେ କବିତା ଓ କବି ବଦଳିବାକୁ ବାଧ୍ୟ ହୋଇଛନ୍ତି । ସାମାଜିକ ତାରତମ୍ୟ, ଶ୍ରେଣୀଗତ ତାରତମ୍ୟ ଓ ସୁବିଧାସୁଯୋଗ ଲାଭର ଭେଦଗୁଡ଼ିକ ସ୍ପଷ୍ଟ ହୋଇଉଠିଛି । ପ୍ରଜାଏ ସଚେତନ ହୋଇ ଯାଇଛନ୍ତି ଯେ ସାମ୍ରାଜ୍ୟବାଦୀ ଲାଭଖୋର ଶୋଷଣ ବ୍ୟବସ୍ଥା ଦେଶୀ ସାମନ୍ତଙ୍କୁ ଗୋଲାପଫୁଲର ଜୀବନ ବଞ୍ଚିବାକୁ ସୁଯୋଗ ଗଢ଼ିଛି । କଖାରୁଫୁଲର ମହକ ବି ପ୍ରଜାଙ୍କ ନାହିଁ । ସାଧାରଣ ଓ ସର୍ବନିମ୍ନ ସୁବିଧା ପ୍ରଜାଙ୍କ ପାଖରେ ନଥିବା ସ୍ଥଳେ ସାମନ୍ତବାଦର ଚୌହଦୀ ଭିତରେ ଥିବା ବିଶିଷ୍ଟବର୍ଗଙ୍କ ଯାବତୀୟ ଭଲଗୁଡ଼ିକୁ ବିନାଶ୍ରମରେ ପାଇ ସୁବିଧାବାଦୀ ଜୀବନ ବିତଉଛନ୍ତି । ସେମାନେ କେବଳ ହତାଶିଆ ଉପାସିଆ ଜୀବନ ବଞ୍ଚିଛନ୍ତି । ଗାନ୍ଧୀ ମହାତ୍ମା କ୍ରମଶଃ ଦୀର୍ଘସୂତ୍ରୀ ହୋଇଉଠୁଛନ୍ତି । ଏପ୍ରକାର ପରିସ୍ଥିତିରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ନବଶିକ୍ଷିତ ଯୁବକ ଯୁବତୀମାନେ ସାମ୍ୟବାଦୀ ସମଭାଗିତାର ଭେଦଶୂନ୍ୟ ନୂଆ ସମାଜ-ସଂସ୍କାରୀ ମୂଲ୍ୟବୋଧଟିଏ ଗଢ଼ିବା ପାଇଁ ତଳୁଆ ମଣିଷର ଅଭାବୀ ବାସ୍ତବତା ସହିତ କର୍ମୀଟିଏ ହୋଇ ଯୋଡ଼ି ହୋଇଯାଉଛନ୍ତି । ଯୋଡ଼ିହେବାବେଳେ ଚେତନାରେ ଋଷୀୟ ସାମ୍ୟବାଦୀ ବିଚାର ଏବଂ ସମସ୍ୟା ସଂପୃକ୍ତିମୂଳକ କର୍ମସାଧନରେ ଗାନ୍ଧି ମିଶିଯାଉଛନ୍ତି, ପୁଣୀ ଅନ୍ୟ ମୁହୂର୍ତ୍ତରେ କରଛଡ଼ା ହୋଇ ଚାଲୁଛନ୍ତି । ଲବଣ ସତ୍ୟାଗ୍ରହଠାରୁ ଭାରତଛାଡ଼ ଆନ୍ଦୋଳନ–ଏହି ବାରବର୍ଷ ମଧ୍ୟରେ ଉପନିବେଶବାଦର ନିଷ୍ପେଷକପଣିଆ ଓ ଦେଶୀଜମିଦାରୀ ସମାନ୍ତବାଦର ଶୋଷଣର ପ୍ରତିବାଦ ପାଇଁ ଗାନ୍ଧିଙ୍କୁ ପାଖରେ ରଖି ଭାରତୀୟ ପ୍ରତିବାଦୀ ବିପ୍ଳବୀମାନେ (ଅନୁରୂପ ଭାବରେ ଓଡ଼ିଶାରେ ବି) ମାର୍କସଓ ଲେନିନ୍‌ଙ୍କ ପ୍ରତି ଚରମ ବିଶ୍ୱସ୍ତତା ପ୍ରକାଶ କରିଛନ୍ତି ।

 

ଧର୍ମର ଛଳଶାନ୍ତ୍ୱନାର ପ୍ରତୀକସ୍ୱରୂପୀ ଦୟା-କରୁଣା-ସହଯୋଗର ଛଳପୋଷାକପିନ୍ଧା ସମ୍ବେଦନା ଓ ନୈତିକ ସହାନୁଭୂତି ଅପେକ୍ଷା ସମବ୍ୟଥୀ ସୃହୃଦ ବନ୍ଧୁତ୍ୱ ହିଁ ପ୍ରକୃତ ବିଜ୍ଞାନୋଚିତ ମାନବିକତା ବୋଲି ଭାବନାଟିଏ ବିନିର୍ମିତ ହୋଇଯାଇଛି । ସୁହୃଦତାର ହିତୈଷୀ ସମଦର୍ଶନକୁ ସମୂହ ଭାବନାର, ସମୃଦ୍ଧିର ଓ ସମତାଶୀଳ ନବବ୍ୟବସ୍ଥାର ଉଦ୍‌ବୁଦ୍ଧ-ମନ୍ତ୍ର ରୂପେ ବିଚାରି ସମକାଳର ସମାଜ, ସମସ୍ୟା, ଜୀବନ ଓ ବାସ୍ତବ ପରିସ୍ଥିତି ଭିତରେ କେବଳ ଜୀବନ ବଞ୍ଚୁଥିବା ଗଣ ଅନୁଭବକୁ ଜଣେ ନୁହେଁ ଅନେକ ଜନବାଦୀ ମାନସିକତାର ଲେଖକ- କର୍ମୀ ସାହିତ୍ୟ-ଭାବନାର ଉପାଦାନରେ ପରିଣତ କରି ଦେଇଛନ୍ତି । ସୁଦୂର ରହସ୍ୟଲୋକ ଓ ସ୍ୱପ୍ନପ୍ରବଣ ରୋମାଞ୍ଚି ମିଛକଳ୍ପନାର ଆବେଗକୁ ନେଇ ସାହିତ୍ୟ ଆଉ ଚେରେଇ ଉଧେଇ ପାରିବନି- ଏହା ନିଶ୍ଚିତ ହୋଇଉଠୁଛି । ବିଶ୍ୱବ୍ୟାପୀ ସାହିତ୍ୟମାନସ ଆବେଗିକ ଅସତ୍ୟଠାରୁ ଖସି ଆସି ଡୋରଟିକୁ ଧୀରେ କାଟି ଦେଇ ଧୂସର ମଣିଷ, ପୃଥିବୀ, ସମାଜ ଓ ଗଣସମସ୍ୟା ସହିତ ସମ୍ପୃକ୍ତ ହେବାକୁ ଶ୍ରେୟମଣୁଛି-। ଏପରି ଏକ ପରିସ୍ଥିତିରେ ଗଣଭାଷାର ଶକ୍ତି, ସୌନ୍ଦର୍ଯ୍ୟ ଓ ବହୁପାକ୍ଷିକ ସାମର୍ଥ୍ୟକୁ ଖଟାଇ ମିଶାଇ ଓଡ଼ିଶାରେ ଗଣ-ପ୍ରତିବାଦର ସାହିତ୍ୟ ପରିମଣ୍ଡଳଟିଏ ଅନେକ ଅନ୍ୟତମ, ପ୍ରମୁଖଙ୍କ ମିଳିତ ସର୍ଜନଶୀଳ ଶ୍ରମକୁ ଆଧାର କରି ଆତ୍ମପ୍ରକାଶ କରିଛି । ଏବେ ଲୁକାସଙ୍କ କଥାଟିକୁ ମନେ ପକାଇବା । କଥାଟି ପ୍ରାୟ ଏହିପରି–‘ସାମ୍ୟବାଦୀ ସାହିତ୍ୟ ମଣିଷର ସାହିତ୍ୟ । ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ମଣିଷ ଯେମିତି ଥାଏ ସାହିତ୍ୟ ସେମିତି ହୁଏ । ‘ସାହିତ୍ୟ ଜନଗଣଙ୍କର, ପରିସ୍ଥିତି ଜନଗଣଙ୍କୁ ନେଇ, ତେଣୁ ସାହିତ୍ୟ ରାଜ୍ୟର ଏକ ଏକାଙ୍ଗ ଚକ୍ରବର୍ତ୍ତୀ ରହିବାର ପ୍ରଶ୍ନ ଉଠୁନି ।

 

ଓଡ଼ିଶାର ବାଙ୍‌ମୟ ପାଣିପାଗରେ ଜଣେ ଅନନ୍ତ, କି ଜଣେ ଭଗବତୀ, ଜଣେ-ସଚ୍ଚିଦାନନ୍ଦ-ସୁରେନ୍ଦ୍ର-ମନମୋହନ–ରାମପ୍ରସାଦଙ୍କୁ କେନ୍ଦ୍ରପୁରୁଷ କରି ପ୍ରଗତିବାଦୀ ସାହିତ୍ୟର ଉତ୍‌ଥାନ ପତନ ଘଟିନାହିଁ । ଆଗ-ପଛ-ମଝି-ଧାରର ଏପରି ଭାବରେ ଥାଇ ସାହିତ୍ୟ ସ୍ଥିତିଟିକୁ ମଝିରେ ରଖି ଅନେକ ଅନ୍ୟତମ ପୁରୋଧା, ପ୍ରବକ୍ତା, ପ୍ରଦର୍ଶକ-ପ୍ରବର୍ତ୍ତକ ରୂପେ ପ୍ରଗତିବାଦୀ ସାହିତ୍ୟ ପଥଟିକୁ ନିର୍ମାଣ କରିଛନ୍ତି । ଏହାର ପ୍ରକୃଷ୍ଟ ପ୍ରମାଣ ୧୯୩୯ରେ ପ୍ରକାଶିତ ‘ରକ୍ତଶିଖା’ କବିତା ସଙ୍କଳନ । ଏହି ସଙ୍କଳନରେ ଚାରୋଟି ଚାରୋଟି କରି ଆଠଗୋଟି ବାମପନ୍ଥୀ ବିପ୍ଳବବୋଧର କବିତା ରହିଛି । ଚାରୋଟି ଅନନ୍ତଙ୍କର ଚାରୋଟି ସଚ୍ଚିଦାନନ୍ଦଙ୍କର । କେହି ଏଠି ପ୍ରବର୍ତ୍ତକ ନୁହନ୍ତି ଉଭୟ ବିରୋଧୀ ଭାବାନ୍ଦୋଳନର ପ୍ରତ୍ୟାଦେଶୀ କବି । ମିଳିତ ଉଦ୍ୟମରେ ଧାରାଟିଏ ବିସ୍ତୃତ କରିବାର ଆଭିମୁଖ୍ୟ ଏଠି ସୁରକ୍ଷିତ ।

 

ଓଡ଼ିଶାରେ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀ ଓ ଆନ୍ଦୋଳନ ଛଟକିନୀ କଟକ ନଗରୀରେ ବିଭିନ୍ନ ସମୟରେ କେତେକ ବନ୍ଧୁବାସିଆ ଆଲୋଚନାକୁ ଭିତ୍ତିକରି ସୃଷ୍ଟି ହୋଇଛି । ନବକୃଷ୍ଣ ଚୌଧୁରୀଙ୍କ ବାସଘର ହେଉ, ଅଥବା ଶ୍ରୀରାମଚନ୍ଦ୍ର ଭବନର ପଢ଼ାଘର ବାରଣ୍ଡା ହେଉ, କିମ୍ବା ରେଭେନ୍ସା କଲେଜ ପରିସର ହେଉ ଏମିତି କେତାଟି ସ୍ଥାନ ଋଷ, ଭାରତ, ଇଟାଲି, ଜର୍ମାନୀ, ଲଣ୍ଡନ, ଭିଏତ୍‌ନାମ, ଚୀନ, ଆମେରିକା, ଫ୍ରାନ୍‌ସ, ଜାପାନ ଆଦି ଭୂଭାଗର ସାହିତ୍ୟ, ରାଜନୀତି ରାଷ୍ଟ୍ରବ୍ୟବସ୍ଥା, ସ୍ୱାଧୀନତା ସଂଗ୍ରାମ ଆଦିକୁ ନେଇ ‘ବନ୍ଧୁଦାସିଆ ଆଲୋଚନାରୁ (ଅନନ୍ତଙ୍କ ବ୍ୟବହୃତ ଭାଷା) ଓଡ଼ିଶାରେ ପ୍ରଗତିବଦୀ ଚିନ୍ତାଧାରାର ଜନ୍ମ ଓ ବିକାଶ ଘଟିଛି । ନବକୃଷ୍ଣ, ମାଳତୀ, ସରଳା, ଗୁରୁଚରଣ, ଭଗବତୀ, ବିଶ୍ୱନାଥ, ପ୍ରାଣନାଥ, ଅନନ୍ତ, ସୁରେନ୍ଦ୍ରନାଥ, ସୁରେନ୍ଦ୍ର, ସଚ୍ଚିଦାନନ୍ଦ, ରାମପ୍ରସାଦ, ଗଙ୍ଗାଧର, ଗୋକୁଳମୋହନ, ଅଶୋକ, ପର୍ଶୁରାମ, ପୂର୍ଣ୍ଣଚନ୍ଦ୍ର ବଜେନ୍ଦ୍ର, ଦାମୋଦର... ପ୍ରମୁଖଙ୍କ ‘ବନ୍ଧୁ-ବାସିଆ’ ବିଚାର, ବିତର୍କ ଓ ନିଷ୍ପତ୍ତିକୁ ନେଇ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି, ସାମ୍ୟବାଦୀଦଳ, ପ୍ରଗତିବାଦୀ, ପ୍ରଜା ଆନ୍ଦୋଳନ ଓ ନବଯୁଗ ସାହିତ୍ୟ ସଂସଦର ଗଣାଭିମୁଖୀ କ୍ରମୋନ୍ନତି ଘଟିଛି । ନିଜେ ଅନନ୍ତ ଓଡ଼ିଶାରେ ପ୍ରଗତିବାଦୀ ଚିନ୍ତାଧାରା ଓ ସାହିତ୍ୟାନ୍ଦୋଳନକୁ ବହୁ ସମପନ୍ଥୀଙ୍କ ମିଳିତ ଶ୍ରମ ଓ ଅବଦାନର ପରିଣାମ ଭାବରେ ଦେଖି ଆସିଛନ୍ତି । ତାଙ୍କ ବିଚାରଟିକୁ ଏଠି ଶୁଣାଯାଉ- ‘‘ଗୋଟିଏ ଗୋଟିଏ ଐତିହାସିକ ପରବର୍ତ୍ତନ ମୁହୂର୍ତ୍ତରେ ଚିନ୍ତାରେ ଓ କର୍ମରେ ସମାନୁରୂପତା ପ୍ରକାଶ ପାଏ ବିଭିନ୍ନ ସ୍ଥାନରେ, ବିଭିନ୍ନ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ ବିଶେଷରେ ।’’ ପ୍ରଗତିବାଦୀ ସାହିତ୍ୟ ସଂଗଠନ, ସଂପ୍ରସାରଣ ଓ ସଂପ୍ରେରଣ କ୍ଷେତ୍ରରେ ଗୋଷ୍ଠୀବଦ୍ଧ ସମାନୁରୂପତା ପ୍ରକାଶ ପାଇଛି । ଏପରିକି କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶୀ ସଂସ୍କରଣର ପ୍ରତିଷ୍ଠା ବିଷୟରେ ଧାରଣା ଦେବାକୁ ଯାଇ ଅନନ୍ତ ନିଜେ କୌଣସି ହେତୁ ନରଖି ସତ୍ୟ ଓ ନିଷ୍କପଟ ଭାବରେ ଭଗବତୀ ଚରଣଙ୍କ ନିମନ୍ତେ ‘ଅନ୍ୟତମ’ ବିଶେଷଣଟିଏ ବ୍ୟବହାର କରିଛନ୍ତି । ଅନନ୍ତଙ୍କ ବକ୍ତବ୍ୟଟିକୁ ପଢ଼ାଯାଉ–ଶୁଣାଯାଉ: ‘‘ବୈଜ୍ଞାନିକ ସାମ୍ୟବାଦର ଆଦର୍ଶ ଓ କଳ୍ପନାକୁ ବିପ୍ଳବାତ୍ମକ ରୀତିରେ ବାସ୍ତବାୟିତ କରିବାରେ ପ୍ରଥମ ଅଗ୍ରଗାମୀ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତ ଭାବରେ ଓଡ଼ିଶାର ଇତିହାସକୁ ପ୍ରସାରିତ କରିଥିଲେ ସେ (ଭଗବତୀ) ବିଶ୍ୱ ଇତିହାସର ମହାନ୍ ପରିସରକୁ ।’’ (ଅନନ୍ତ ପଟ୍ଟନାୟକ ସ୍ମୃତିରୁ ଖିଏ ଭଗବତୀ ସଞ୍ଚୟନ) ବିଶେଷ କରି ଅନନ୍ତ ବ୍ରହ୍ମପ୍ରବକ୍ତାଙ୍କ କୋଠବାଦୀ ଉଦ୍ୟମରେ ପ୍ରସାରିତ ଓଡ଼ିଶାର ପ୍ରଗତିବାଦୀ ସାହିତ୍ୟର ପ୍ରବର୍ତ୍ତକ କଥା ଉଠିଲେ, ନିଜକୁ ନିଜ ସହିତ ଯୋଡ଼ିଯାଇ କବିତା ସଙ୍କଳନ ପ୍ରକାଶ କରିଥିବା ସଚ୍ଚିଦାନନ୍ଦ ଅଥବା ସେହିଭଳି ଅନ୍ୟ କୌଣସି ସ୍ରଷ୍ଟାଙ୍କୁ (ରାମପ୍ରସାଦ, ସୁରେନ୍ଦ୍ର, ମନମୋହନ, ପ୍ରାଣନାଥ, ଗୁରୁଚରଣ, କାଳିନ୍ଦୀ, ଅନନ୍ତଚରଣ ପଣ୍ଡା.... ପ୍ରମୁଖଙ୍କୁ) ସେଭଳି ସମ୍ବୋଧନରେ ସ୍ମରଣ କରି ନାହାନ୍ତି । ବରଂ ଏ ପ୍ରାଧାନ୍ୟଟିକୁ ଯଦି ଦେବାକୁ ପଡ଼େ ତେବେ ସେ ଦେଇଛନ୍ତି ତାଙ୍କରି ଭାଷାରେ–‘‘ସେ କେବଳ (ଭଗବତୀଚରଣ) ଏ ଦେଶର ଯୁବଶକ୍ତିଙ୍କୁ ନୂତନ ସାହିତ୍ୟ ସୃଷ୍ଟିପାଇଁ ଉପଯୁକ୍ତ ଉତ୍ସାହ ଦେଇପାରନ୍ତି । ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ପ୍ରକୃତ ପ୍ରବର୍ତ୍ତକ ଓ ସଂସ୍ଥାପକ ହେଉଛନ୍ତି ଦେବଲୋକର ଅମର ଆତ୍ମା ଓଡ଼ିଶାର ବୀର ଅମୃତ ସନ୍ତାନ ଡଃ ଭଗବତୀ ଚରଣ ପାଣିଗ୍ରାହୀ ।’’ ଏସବୁରୁ ଗୋଟିଏ କଥା ସ୍ପଷ୍ଟ ଅନନ୍ତ ପ୍ରଗତିବାଦୀ ସାହିତ୍ୟର ଅନ୍ୟତମ ଛାମୁଆ ସାଧକ ଭାବରେ ପ୍ରାୟତଃ ଏ ସମାଜତାନ୍ତ୍ରିକ ସାହିତ୍ୟଧାରର ପ୍ରବର୍ତ୍ତ୍ୟତ୍ୱ ଗୋଠବାଦୀ ବିଚାର ଓ ସର୍ଜନୀଶଳତାର ବୋଲି ପରୋକ୍ଷରେ ସୁକ୍ଷ୍ମତଃ ବିଚାରିଛନ୍ତି । ଏପରି ବିଚାରିବାଟା ହିଁ ଅଧିକ ସଙ୍ଗତ ଓ ଯୁକ୍ତିନିଷ୍ଠ ।

 

ସୁଧୀବର୍ଗେ । ଏକଥା ସତ ନୁହେଁ କି–କେବଳ ଆମ ଐତିହ୍ୟ ଅସ୍ମିତାର ପ୍ରତିଭୂପୁରୁଷ ସାରୋଳ ଚଣ୍ଡୀଦାସଙ୍କୁ ଛାଡ଼ିଦେଲେ କେଉଁ ଅବସ୍ଥାରେ ବି ଓଡ଼ିଆ ସାହିତ୍ୟ ଜଣକ ନେଇ ପ୍ରସରିଛି କି ? ପ୍ରାଚୀନ ଆଧ୍ୟାତ୍ମିକ ରହସ୍ୟବାଦୀ ଧାରାରେ ପାଞ୍ଚଜଣ ପଞ୍ଚସଖା ମୁଖିଆ ଅଛନ୍ତି । ମଧ୍ୟଯୁଗୀୟ ରୀତିସାହିତ୍ୟର ରସବାଦୀଧାରାରେ ଦୀନକୃଷ୍ଣ-ଭଞ୍ଜ- ଅଭିମନ୍ୟୁ-କବିସୂର୍ଯ୍ୟ-ଗୋପାଳକୃଷ୍ଣ-ଏପରି ଅନେକ ପ୍ରତିଭାଙ୍କ ବଳିଷ୍ଠ ଖେଳ କବିତାଦର୍ଶ ପ୍ରତିଷ୍ଠା ପଛରେ ଉପସ୍ଥିତ ରହିଛି । କବିତା-ଗୀତକବିତା-ଗଳ୍ପ-ଉପନ୍ୟାସ-ପ୍ରବନ୍ଧ-ନାଟକ-ସମାଲୋଚନା-ଲଘୁରଚନା-ଶିଶୁସାହିତ୍ୟ ଏମିତି ବିବିଧ ପ୍ରଜାତିଙ୍କୁ ନେଇ ପ୍ରସାରିତ ଆଧୁନିକ ଓଡ଼ିଆ ସାହିତ୍ୟର କ୍ରମ ବିକାଶର ପୁରୋଧାପଣଟି କାହାକୁ ଦେବା-ଭୀମଭୋଇଙ୍କୁ, ରାଧାନାଥଙ୍କୁ, ଫକୀର ମୋହନଙ୍କୁ, ମଧୁସୁଦନଙ୍କୁ, ଗଙ୍ଗାଧରଙ୍କୁ, ଜଗନ୍ମୋହନ-ରାମଶଙ୍କର-ଉମେଶଚନ୍ଦ୍ରଙ୍କୁ, ନାଁ ଏ ସମସ୍ତଙ୍କ ମିଳିତ ଭାବ ନିର୍ମାଣର ସାମର୍ଥ୍ୟକୁ ??? ଏପରି ପ୍ରଶ୍ନର ପ୍ରକୃତ ନିଷ୍ପତ୍ତିଟି ହେବ ବିଶିଷ୍ଟ ସାମ୍ୟବାଦୀ ସମାଲୋଚକ ଓ ଚିନ୍ତାନାୟକ ଇଲିୟା ଇହ୍‌ରେନ ବର୍ଗଙ୍କ ଅଭିମତ ଭିତ୍ତିରେ- ‘‘ସାମାଜିକ କାର୍ଯ୍ୟକାରିତା, ସମୂହବୁଝାମଣା ଓ ସମଷ୍ଟିଗତ ଧାରଣାକୁ ସତ୍ୟର ନିରପେକ୍ଷ ସତ୍ତା ଭାବରେ ପ୍ରତିପାଦନ କରୁଥିବା ପ୍ରକୃତ ମାର୍କସବାଦୀ ଦ୍ୱନ୍ଦ୍ୱାତ୍ମକ ସାହିତ୍ୟ ଏକ ସମଷ୍ଟିଗତ ବୁଝାମଣାର ନ୍ୟାସ । ଏ ସାହିତ୍ୟ ପାଇଁ ଅନେକ ସମୂହଚେତନା ନିର୍ମାତା ଦରକାର, ଯିଏ ଆଗୁଆ ମଣିଷକୁ ବୁଝିଲା ବାଲା ହୋଇଥିବେ । ଜଣେ (ବା ସେପରି କେତେଜଣ) ବଳିଷ୍ଠ ସମର୍ଥ ଥିବା ବୁର୍ଜୁଆ ବିଳାସୀ ଲେଖକ ଅପେକ୍ଷା ମଣିଷର ସାହିତ୍ୟ ପ୍ରସ୍ତୁତକାରୀ ସାଧାରଣ, ମଣିଷଟିଏ ଖୁବ୍ ଜରୁରୀ ।’’

 

‘ସାହିତ୍ୟରଚନା’ କ୍ଷେତ୍ରରେ ଅନନ୍ତ ଏହିପରି ସତ୍ୟକୁ ମାନିଥିଲେ ଓ ସେଥିପ୍ରତି ଅଙ୍ଗୀକାରତ୍ୱ ପ୍ରକାଶ କରିଥିଲେ । ସାହିତ୍ୟ ସମ୍ପର୍କରେ ତାଙ୍କ ଧାରଣା ଯେଉଁ ବିଶେଷତ୍ୱଙ୍କୁ ଧାରଣ କରିଥିଲା ତାହା ଏହିପରି:

 

ସାହିତ୍ୟରେ କେହି ମହାରଥୀ ନାହାନ୍ତି: ସାହିତ୍ୟରଥୀ ଅଛନ୍ତି, ସାହିତ୍ୟସେବୀ ଅଛନ୍ତି, ଖୁବ୍‌ବେଶୀରେ ସାହିତ୍ୟ ନିର୍ମାତା ବା ରଚୟିତା ଅଛନ୍ତି ।

 

ସାହିତ୍ୟ ମହାରଥୀଙ୍କ ପାଇଁ ବ୍ୟକ୍ତିଗତ ଆବେଗିକ ସତ୍ତା (ସବ୍‌ଜେକ୍‌ଟିଭ ରିଅଲିଟି) ଗୁରୁତ୍ୱପୂର୍ଣ୍ଣ । ମାତ୍ର ପ୍ରକୃତ ସାହିତ୍ୟସେବୀ ରଥୀଙ୍କ ପାଇଁ ସାମାଜିକ ସତ୍ତା (ଅବ୍‌ଜେକ୍ଟିଭ୍ ରିଅଲିଟି) ଗୁରୁତ୍ୱପୂର୍ଣ୍ଣ ଓ କରଣୀୟ । ମାଟିର ଗନ୍ଧ ଓ ଯୁଗର ଆବେଗକୁ ଅକୁଣ୍ଠରେ ଆହରଣ କରି ସମାଜନିର୍ଯ୍ୟାସୀ ସାହିତ୍ୟ ସୃଷ୍ଟିହୁଏ ।

 

*ସାହିତ୍ୟ ମନୁଷ୍ୟ ପାଇଁ । ମନୁଷ୍ୟ ସାହିତ୍ୟ ପାଇଁ । ସାହିତ୍ୟର ସ୍ରଷ୍ଟା ମନୁଷ୍ୟ । ସମାଜବାଦୀ ସୁଗମ ସାହିତ୍ୟ ମନୁଷ୍ୟର ସ୍ରଷ୍ଟା ।

 

*ମଣିଷ ଓ ଜୀବନର ସାହିତ୍ୟରଥୀ ସାହିତ୍ୟକୁ ଚିର ଉଡ଼ନ୍ତା ପକ୍ଷୀ ପରି ମାଟିଠୁ ଦୂରେଇ ଶୂନ୍ୟ କଳ୍ପଲୋକରେ ଉଡ଼ାଇ ଦିଏନି କି ମନର କଳ୍ପନାରୁ ଜନ୍ମଦେଇ ଚିତ୍ତ ରୋମାଞ୍ଚ କରିଦିଏନି । ଅସୀମ ସୌନ୍ଦର୍ଯ୍ୟ ହୋଇ ନିରୁଦ୍ଦିଷ୍ଟ ରହସ୍ୟ ଜଗତରେ ଅଛି; ତା’କୁ ଖୋଜିବାକୁ ମିଛ ବାହାନା ମାନବସାହିତ୍ୟ ରଚୟିତା ପୋଷଣ (ରୋମାଣ୍ଟିକ-ରହସ୍ୟବାଦୀଙ୍କ ଭଳି) କରେନି ।

 

*ମାନବିକତାର ଭାବନାରେ ଅନୁପ୍ରାଣୀତ ହୋଇ କୋଟି କୋଟି ନିର୍ଯ୍ୟାତିତଙ୍କୁ ମୁକ୍ତି ସଂଗ୍ରାମର ଅଂଶ ହେବାକୁ ଆହ୍ୱାନ କରୁଥିବା ସାହିତ୍ୟ-ପ୍ରଗତିବାଦୀ ସାହିତ୍ୟ । ଏ ସାହିତ୍ୟ ଫାସିଷ୍ଟ ଅଥବା ନତ୍‌ସୀ ବିଚାରର ବୁଦ୍ଧିବାଦୀ ବିଳାସ ଓ ଧନତାନ୍ତ୍ରିକ ସମୃଦ୍ଧିର ସାହିତ୍ୟ ନୁହେଁ । ଏ ସାହିତ୍ୟ ବାସ୍ତବଜୀବନ ଓ ସମୂହ ସାମାଜିକ ଆବେଗର ସାମ୍ରଗୀ; ଯାହା ସମତାର ବିରାଟ ଜୀବନଧାରା ଗଢ଼ିଦିଏ । ଏ ସାହିତ୍ୟର ପ୍ରତିକ୍ରିୟାଶୀଳ ଲେଖକମାନେ ମିଶି ଯେଉଁ ଆଦର୍ଶ ଗଢ଼ିଥା’ନ୍ତି ତାହା ଗୋଟିକୁ ପ୍ରଧାନ ମାନିନଥାଏ ସମଷ୍ଟିକୁ ସାରାଂଶ କରିଥାଏ ।

 

(ବିଶଷ ଦ୍ରଷ୍ଟବ୍ୟ–ଅନନ୍ତ ପଟ୍ଟନାୟକ ରଚନା ସମଗ୍ର ଚତୁର୍ଥଭାଗରେ ଥିବା ପ୍ରବନ୍ଧଭାଗର ଏକ ନିର୍ଯ୍ୟାସୀକରଣ ଏଠି କରାଯାଇଛି ମାତ୍ର ।)

 

(ଛଅ)

 

ସୁତରାଂ ଚିତ୍ତାଲୋଡ଼ନ ନୁହେଁ ଚେତନାର ପ୍ରକାଶ ଓ ପ୍ରସାର ପାଇଁ ସାହିତ୍ୟକୁ ଅସ୍ରାବିକଳ୍ପୀ କରି ବ୍ୟବହାର କରିଥିବା ଏବଂ ତହିଁରୁ ଉର୍ଦ୍ଧ୍ୱକୁ ଉଠି ସାହିତ୍ୟବାଣୀକୁ ଜାଗୃତି ଓ ମାନବସଂପ୍ରୀତିକର କରି ଗଢ଼ିଥିବା ଅନନ୍ତ ପ୍ରଗତିବାଦୀ ସାହିତ୍ୟର ଆଦି ପ୍ରବର୍ତ୍ତକ ନୁହନ୍ତି । ବରଂ (ତାଙ୍କରି ଭାଷାରେ–ଯାହା ଭଗବତୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ) ସମକାଳର ଅନେକ ଅନ୍ୟତମ ଆଦ୍ୟ ସଂସ୍ଥାପକଙ୍କ ମଧ୍ୟରୁ ଜଣେ ବଳିଷ୍ଠ ଓ ଅପରିବର୍ତ୍ତିତ ପ୍ରଗତିବାଦୀ ସାହିତ୍ୟ ରଥୀ । ୧୯୩୨ ରୁ ୧୯୪୫ ମଧ୍ୟରେ ଆଗପଛ ତା’ପର ତା’ପର-ସମାନ୍ତରାଳୀୟ ହୋଇ ଯେଉଁଯେଉଁ ମହାରଥୀମାନେ ସାମ୍ୟବାଦର ସାରସ୍ୱତୀ ନିନାଦ ସୃଷ୍ଟିକରି ସଂଗ୍ରାମ ରାସ୍ତାରେ ଚାଲୁଥିଲେ, ୧୯୪୫-୪୮ ବେଳକୁ ସେମାନଙ୍କ ମଧ୍ୟରୁ ଅନେକ କେବଳ ବାସ୍ତବବାଦୀ (ରିଆଲିଷ୍ଟିକ୍) ଅଥବା ଶିଥିଳ ଚାତୁରୀରେ ପ୍ରୟୋଗବାଦୀ ହେବାକୁ ପସନ୍ଦ କରିଛନ୍ତି । ସାମ୍ୟବାଦୀ ସାହିତ୍ୟ ଚେତନାର ପ୍ରବକ୍ତା, ପ୍ରବର୍ତ୍ତକ, ଅଗ୍ରଦୂତ, ମାର୍ଗଦର୍ଶକ- ଏପରି ବିଶେଷଣଗୁଡ଼ିକୁ ନିଜ ପଛରେ ଯୋଡ଼ିବାକୁ ମନ ବଳାଇଥିବା କେତେକ ଅନ୍ୟତମ ଓଡ଼ିଶୀ ବ୍ୟବସ୍ଥାରେ ସାମ୍ୟବାଦର ଚରମ ଶିଥିଳତା (emphatic defeat/ଇଂଫାଟିକ୍ ଡିଫିଟ୍) ଅବଶ୍ୟମ୍ଭାବୀ ହେବାକୁ ଯାଉଛି ଏବଂ ପାଶ୍ଚାତ୍ୟକରଣ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଆଧୁନିକତା ସଶକ୍ତ ଭାବରେ ମୁଣ୍ଡ ଟେକୁଛି ଅନୁମାନ କରି ଆଗୁଆ ବାଟକାଟି ଦେଖିଚାହିଁ ଚାଲି ନିଜକୁ ପୁନଶ୍ଚ ନୂଆବାଟ ଫିଟାଳିର ପ୍ରଶଂସାଟିଏ ପାଇବା ପାଇଁ କଲମର ଖେଳକୁ ଭିନ୍ନରେଖୀ କରି ଦେଇଛନ୍ତି । ଏମାନେ ସୁବିଧାବାଦୀ ନ ହୋଇ ପାରନ୍ତି ; କିନ୍ତୁ କମ୍ ଚତୁରୀ ଓ ଉପଯୁକ୍ତଦର୍ଶୀ ଅସ୍ତିତ୍ୱବାଦୀ ନୁହନ୍ତି । ଏପରି ବାଟଭାଙ୍ଗି ଚାଲିବା ଓ କଡ଼ବାଡ଼ ଦେଖି ନୂଆ ଗଳି ରାସ୍ତାଟିଏ ପକାଇ ପିଣ୍ଡି ପୁରୁଷର ମାଇନଟିଏ ମାଡ଼ି ବସିବାର ଚତୁରତା ଅନନ୍ତଙ୍କୁ ଯେ ଜଣା ନ ଥିଲା ପ୍ରାୟ ତାହା ନୁହେଁ । ମାତ୍ର ମାନବୀୟ ସମଦର୍ଶୀ ଭାବଧାରାକୁ ବଞ୍ଚିବାର ବେସାଲିସ ଆସ୍ପର୍ଦ୍ଧାର ଶୈଳୀ ରୂପେ ଯେଉଁ ଚେତନାସତ୍ତା ବରି ନେଇଥିଲା ଏବଂ ଜୀବନକୁ ଚଳମାନ, ସଞ୍ଚାରକ୍ଷମ, ବିନିମୟାତ୍ମକ କରି ସମାଜର ଅବଶିଷ୍ଟଙ୍କ ସହିତ ବାଣ୍ଟିହୋଇଯିବାକୁ ଯିଏ ପ୍ରକୃତ ମାନବିକତାର ଅଛିଦ୍ର ନିଃଶ୍ୱାସ ବୋଲି ମାନି ନେଇଥିଲା ସେହି ପ୍ରତିବାଦୀ ମାନସିକତାର ଦରଦୀ ବିପ୍ଳବୀ କବି ଅନନ୍ତ ଜୀବଦଶାର ଆଉ ବଳକା ଆୟୁଷକୁ ଉତ୍ତର ଉପନିବେଶବାଦୀ ସୁବିଧାତନ୍ତ୍ରୀ ଗହଳଭିତରେ ବିତାଉବିତାଉ ନିଜ ସାହିତ୍ୟର ସ୍ୱର-ବକ୍ତବ୍ୟ-ପ୍ରତିପାଦ୍ୟ ଭିତରେ ସମତାଶୀଳ ସମାଜତାନ୍ତ୍ରିକ ମାନବିକତାର ଓ ଶ୍ରେଣୀଦ୍ୱନ୍ଦ୍ୱିକ ଅବବୋଧକୁ ଉଜ୍ଜୀବିତ ରଖିଛନ୍ତି; ଏହା ହିଁ ତାଙ୍କ ସାହିତ୍ୟରଥୀତ୍ୱର ଗୌରବ ଓ ବିଶେଷତ୍ୱ ।

 

କିଞ୍ଚିତ୍, ଅଲୋଡ଼ାଲୋଡ଼ା, ଛାଇରଛିଟା, ଅବାନ୍ତର, ସୂତ୍ରଟିଏ ସ୍ୱୀକୃତିର ଓ ଅଋତୁଋତୁ–ଏହି ଅଖଣ୍ଡି କବିତା ସଙ୍କଳନର ପ୍ରାୟ ୯୫ ଭାଗ କବିତାରେ ବାସ୍ତବାଦୀ ଜୀବନଚିତ୍ର, ଗାନ୍ଧୀବାଦର, କ୍ରମବିଲୟ, କ୍ଷମତାଲିପ୍‌ସା ଗଣତନ୍ତ୍ରର ଅବକ୍ଷୟ, ସ୍ୱାଧୀନତାର ମୋହଭଙ୍ଗ, ସୁବିଧାବାଦୀ ନବ୍ୟ ଉପନିବେଶୀୟ ଛଦ୍ମତା ଓ ପ୍ରଦର୍ଶନମୁଖୀନତା, ଶିଳ୍ପାୟନୀକରଣ, ସହରୀକରଣ, ଅତିବାସ୍ତବାଦୀ ଆଶାବାଦ ଓ ମନସ୍ତାତ୍ତ୍ୱିକ ଜୀବନବୋଧ ଏବଂ ଅସ୍ତିତ୍ୱବାଦୀ ମାନବିକତା ଆଦିକୁ ମିଶାଇ ପୂର୍ବର ସମାଜତାନ୍ତ୍ରିକ ଶ୍ରେଣୀ ଚେତନାର ବାମପନ୍ଥୀ ସ୍ୱରଟିକୁ ସ୍ୱାଧୀନତୋତ୍ତର କାଳରେ ଅନନ୍ତଙ୍କ ସର୍ଜନଶୀଳ କବିସତ୍ତା ସମୂହ ଅବଚେତନାଶ୍ରିତ ଉଗ୍ରଅସ୍ତିତ୍ୱବାଦୀ ସମତାବୋଧର ଭାବନାରେ ରୂପାନ୍ତରିତ (ପାଦୋନ୍ନତିକ ରୂପାନ୍ତର/ଅପ୍-ଗ୍ରେଡ୍‍ଡ) କରି ଦେଇଛନ୍ତି । ଅନନ୍ତଙ୍କ ରୂପାନ୍ତରିତ ପ୍ରକ୍ରିୟାଟି ଭାବ ସୃଜନରେ ଓ ଆବେଦନରେ ଉଗ୍ର-ଲାଲ-ପ୍ରତିବାଦୀ ଉଦାତ୍ତ-ଉଦାର; ମାତ୍ର ଭାବ ପ୍ରକାଶରେ ସରଳ-ତରଳ-ଲଳିତ-ବିନୟ ଛନ୍ଦମୁଖର-ଗ୍ରାମ୍ୟାୟିତ-ମୂର୍ତ୍ତିବନ୍ତ, ଅତଏବ ଆବେଗିକ ଓ କଳାତ୍ମକ ।

 

ଏବେ ଆମ କାଳର ବୁଦ୍ଧିବାଦୀ ଫିକର ମାନିବାକୁ ବାଧ୍ୟ ହେବ ଓ ହେଉଛି ଯେ ଓଡ଼ିଆ ପ୍ରଗତିବାଦୀ କାବ୍ୟଧାରାର ଅନ୍ୟତମ ପଥ ପ୍ରଦର୍ଶକ ଓ ମୂଳ ଉଦ୍ୟମୀ (ଫୋରରନର) ଥିଲେ ଅନନ୍ତ । ନିଷ୍ପେଷକ ବ୍ୟବସ୍ଥା ଓ ଶୃଙ୍ଖଳା ଭିତରେ ଥିବା କଡ଼ତଳିଆ ମାନବ ମଥାଟେକି ମର୍ଯ୍ୟାଦାର ସହିତ ସମସ୍ତରୀୟ ହୋଇ ବଞ୍ଚିବାର ଦାବି ଓ ତା’ପାଇଁ ସଂଘଟିତ ବିପ୍ଳବକୁ କାବ୍ୟିକ ଉଦ୍‌ଘୋଷଣାରେ ପରିଣତ କରିବାରେ ସେ ଥିଲେ ନବଚେତନାର ବାର୍ତ୍ତାବହଙ୍କ (ହାରବିଙ୍ଗର/Harbinger) ମଧ୍ୟରେ ବଳିଷ୍ଠ (ଆମ ଭିତରେ ଅନେକ ବଳୁଆ ନବଚେତନାର ଦୂତଥିଲେ । ମାତ୍ର ଅନନ୍ତ ଥିଲେ ବଳିଷ୍ଠ ଓ ବେଶ୍ ଆଗୁଆ- ସୁରେନ୍ଦ୍ରନାଥ ) । ସମାଧାନ, ମୁକ୍ତ ସଙ୍ଗୀତ, ଆରେଦୁର୍ଭାଗାଦେଶ, ଆଗେଚାଲ, ସର୍ବହରା, ଆମେ ମୂଲିଆର ଜାତି, ଫୁଟିବି ମୁଁ ଫୁଟିବି, କାହାଗୋସାଥି, ବନାରେପାଇକ, ପ୍ରଳୟର ଆବାହନ... ଏପରି କବିତା ସହିତ ପାଠକେ ଯଦି ମିଶିଥିବେ ତେବେ ସ୍ମରଣକୁ ତହିଁରୁ ପଙ୍‌କ୍ତି କେତୋଟି ଆଣନ୍ତୁ (୧): ସେସବୁ ଭିତରେ ନିଶ୍ଚିତ ବସ୍ତୁବୋଧୀ ହୋଇ ଦେଖିବେ- ମଣିଷ ଓ ତା’ର ଭୂମିଲଗ୍ନ ଜୀବନର ସଂଘାତ ଓ ବାରମ୍ବାର ହାରି କାନ୍ଦି ପୁଣି ବଞ୍ଚି ଉଠୁଥିବାର ଆନୁଭୂତିକ ସୌନ୍ଦର୍ଯ୍ୟକୁ ଅବିକଳର ଦୃଶ୍ୟଧର୍ମରେ ଉପସ୍ଥାପନ କରି କବିତା ମାଧ୍ୟମରେ ବିଭାବନଶୀଳ ନବଯୁଗର, ମାନବସଂହତିର, ବିଶ୍ୱମଣିଷର ଓ ସାମାଜିକ ଋଢ଼ିବାଦୀ ନିର୍ଯ୍ୟାସର ପରିବର୍ତ୍ତନ ପାଇଁ ଉଚ୍ଚାଟ ଧ୍ୱନିତୋଳି ଅନନ୍ତଙ୍କ କବିପୁରୁଷ ଅଭଙ୍ଗ ବିସ୍ଫୋରଣକାରୀ । (ଏକସପ୍ଲୋରର ଅଫ୍ ନିଉ ସେନ୍‌ସ) ରୂପେ ଆଶାର ଆଲୋକ ବର୍ତ୍ତିକାଟେ ଧରି ଅନ୍ଧାର ସାମ୍ନାରେ ଛିଡ଼ାହୋଇଥିବ । କବିତାର ପଙ୍‌କ୍ତିମାନେ ବିଶ୍ୱାସ ପ୍ରେରଣାର ବନ୍ଧୁବଚନ ହୋଇ ଉଠୁଥିବେ । ଓଡ଼ିଆ ପ୍ରଗତିବାଦୀ କାବ୍ୟ ଚେତନାର ଆଦି ପର୍ଯ୍ୟାୟରେ କବିତା ରଚନାକୁ ସେ ଜଣେ ଭିତ୍ତିପ୍ରବକ୍ତା ଅପେକ୍ଷା ଭିତ୍ତିଘୋଷକ (Fore teller/ଫୋରଟେଲର) ରୂପେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସାମ୍ୟବାଦୀ ଚେତନାର ସାହିତ୍ୟକ ମୁଖପାତ୍ର (ଲିଟ୍‌ରାରୀ ଫୋର୍‌ ମ୍ୟାନ୍) ହେବା ପୂର୍ବରୁ (ରକ୍ତଶିଖା-ଶାନ୍ତି ଶିଖା, ତର୍ପଣକରେ ଆଜି ଓ କିଞ୍ଚିତ କବିତା ସଂକଳନର କବିତାଗୁଡ଼ିକ ଏଠାରେ ସ୍ମରଣୀୟ) ପ୍ରତ୍ୟେକ କବିତା ରଚନାର ଅନ୍ତରାଳରେ ଅନନ୍ତଙ୍କ ନବସ୍ପନ୍ଦନ ନିର୍ମାସୁ ସଂରଚନାସତ୍ତାଟି ତିନୋଟି ମାନସିକତାର ଖେଳ ଖେଳିଛି ।

 

(କ)

ପ୍ରଥମେ ସେ ପାରମ୍ପରିକ ଚେତନା ଓ ଧାରଣାର ନିବର୍ତ୍ତକ ହୋଇଛନ୍ତି । ନିବର୍ତ୍ତକମନା କବିଟି ପୁରୁଣା କୁସଂସ୍କାରୀ ବ୍ୟବସ୍ଥା ଓ କ୍ଷତିକାରଣ ଧାରଣାକୁ ବିରୋଧ କରେ । ମଣିଷର ସ୍ତରଭେଦକୁ ମାନିବାକୁ ବାରଣ କରେ । ପ୍ରତ୍ୟେକ କବିତା ଲେଖିବା ପୂର୍ବରୁ ଅନନ୍ତଙ୍କ ସମାଜତାନ୍ତ୍ରିକ ଓ ବ୍ୟବସ୍ଥାବିରୋଧୀମନ ଠାକୁର ମନ୍ଦିର-ମକଦ୍ଦମା-ମହାଶୃଙ୍ଖଳାର ବିଧି ସହିତ ଗୁରୁ-ଗଭର୍ଣ୍ଣମେଣ୍ଟ ଗାର୍ଡ଼ିଅନ ଆଦିକୁ ଅସ୍ୱୀକାର କରି ମଣିଷକୁ କେବଳ କବିତାଗର୍ଭରେ ସଞ୍ଚାର କରିବାକୁ ଦୃଢ଼ସଂକଳ୍ପ କରିଛି । ମାୟାକୋଭସ୍କିଙ୍କ କବିପୁରୁଷଭଳି ସମଉତ୍ତାପରେ ଭାବିଛି- ‘ମଣିଷର ପ୍ରତିଟି ଲୁହ ଓ ଲହୁକୁ ଗୋଳି ଆଗାମୀ କାଲିର ସୂର୍ଯ୍ୟୋଦୟ ମୋର ଶାବ୍ଦିକ ବିନ୍ୟାସରେ ଦେଖାଇଦେବି ।’ ଏ ପ୍ରକାର ସମ୍ଭାବନା, ଆଶା ଓ ବିନିର୍ମାଣଶୀଳ ଉତ୍ତାପ ତାଙ୍କ କବିତାରେ ଶବ୍ଦର ପାଖୁଡ଼ା ଧରି ଫୁଟିଛି (୩)

 

(ଖ)

ଦ୍ୱିତୀୟରେ ଅନନ୍ତଙ୍କ ସର୍ଜନଶୀଳତା ପ୍ରଦର୍ଶକ ହେବାକୁ ଶ୍ରେୟ ମଣିଛି । ସମୟକୁ ଚାହିଁ ସମୟ ଅନୁସାରେ ନୂଆ ଚେତନାର ନମୁନାଟିଏ ଦେଖାଇବା ପାଇଁ ଇଚ୍ଛାଶକ୍ତିଟିଏ ପ୍ରବଳ ହେଲେ ଶିଳ୍ପୀଟିଏ ନୂଆ ପଥିକ ଓ ପ୍ରଦର୍ଶକ ହୋଇଯାଏ । ସମାଜ ବିଶ୍ୱସ୍ତ କବିତ୍ୱକୁ ଏପ୍ରକାର ଆଗ୍ରହ ଗ୍ରାସି ବସିଲା ମାତ୍ରେ ତା’ର ସମଗ୍ର ଦୃଷ୍ଟିଟିଏ ସକର୍ତ୍ତବ୍ୟ ଉନ୍ମୋଚିତ ହୋଇଯାଏ । ସମାଜତାତ୍ତ୍ୱିକ ବାସ୍ତବବାଦୀଙ୍କ ବିବେଚନାରେ ଏ ପ୍ରକାର ମାନସିକତା ଯୁଗସ୍ପନ୍ଦନରୁ ଜାତ । ଏହାଦ୍ୱାରା ଅନୁପ୍ରାଣୀତ ଲେଖକୀୟତା ବାସ୍ତବତା ଭିତରେ ଲୁଚିଥିବା ଅନ୍ତଃବାସ୍ତବତାର ଯାବତୀୟ ବିଚିତ୍ର ଓ ଅଜ୍ଞତାକୁ ଆବିଷ୍କାର କରି ଦୃଶ୍ୟବତ୍ ଦେଖାଇଦିଏ । ବାମପନ୍ଥୀ ଚେତନାର ପ୍ରସାରଣ ଇତିହାସରେ ଶ୍ରେଣୀଚେତନା ଓ ଶ୍ରମଭିତ୍ତିକ ଉତ୍ପାଦନର ସମତାସୂଚକ ସମଭାଗୀ ରାଷ୍ଟ୍ରୀୟ ବିତରଣର ଚିନ୍ତାଧାରା ଏହିଭଳି ଏକ ଆବିଷ୍କାର । ଏଠାରେ ଦେଖାଇ ଦେବାର ଆଭିମୁଖ୍ୟଟି ହେଉଛି–ପାଠକ ଗ୍ରାହକଙ୍କୁ ଅବିକଳ ଯଥାର୍ଥଟିକୁ ଦେଖାଇ ତାକୁ ସମାଜ ସହିତ ଛନ୍ଦିଦେବା ଓ ତା’ର ପ୍ରତିବାଦୀ ସାମର୍ଥ୍ୟର ଚକ୍ଷୁଟିକୁ ଖୋଲିଦେବା । ଏ ଉଦ୍ଦେଶ୍ୟ ପ୍ରତି ନିଷ୍ଠା ରଖିଥିବା କବି ବାସ୍ତବ ସମସ୍ୟା ଓ ସାମାଜିକ ଭେଦଗୁଡ଼ିକର ଚିତ୍ର ଦେଖାଇ ଉଦ୍‌ବୋଧନ ଓ ଆହ୍ୱନର ମିଶ୍ରଣରେ ସାଧାରଣବର୍ଗଙ୍କ ବିଶ୍ୱାସକୁ ଅଭିଜାତର ଆବେଗଠାରୁ ମୁକ୍ତ କରି ଭିନ୍ନବାଟୁଆ କରିଦେବା । ଅନନ୍ତ କବିତା ଲେଖାକୁ ଏହି ଉଦ୍ଦେଶ୍ୟ ସାଧନର ସୂତ୍ର ଭାବରେ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ ଜୀବନ ଓ ଆବେଗଠାରୁ ସାହିତ୍ୟର ସୌନ୍ଦର୍ଯ୍ୟବେଦନାକୁ ଅଲଗା କରି ଅବହେଳିତ ସମୂହ ଜୀବନ ସହିତ ସଂଯୁକ୍ତ କରି ଦେବାକୁ ନୂଆ ବାଟଦେଖାଳିର କର୍ତ୍ତବ୍ୟ ବୋଲି ସେ ଧରି ନେଇଛନ୍ତି । ଅନନ୍ତ କବିତା ଲେଖିଲା ବେଳକୁ ଓଡ଼ିଶାରେ ଜମିଦାରୀ ରାଜତନ୍ତ୍ର, ସାମନ୍ତବାଦ, ଗୁମାସ୍ତ-ସାହୁକାରୀ ବ୍ୟବସ୍ଥା, ବିଶିଷ୍ଟବର୍ଗୀଙ୍କ ଅଭିଭାବକତ୍ୱର ବିଧିବିଧାନର ଶୋଷଣକୁ ପିଠିରେ ମୁଣ୍ଡରେ ଛାତିରେ ବୋହି ଚାଲିଥିବା ଖଟିଖିଆ-ଅଧାମରା ଗଣଗୋଷ୍ଠୀ ସିଂହଭାଗୀ ହୋଇ ଅଛନ୍ତି; ମାତ୍ର ସେମାନଙ୍କ ଚେତନା ସିଂହାରର ହୋଇନାହିଁ । ଗଣପାଠକ ସୃଷ୍ଟି ହୋଇନି କି ସେମାନେ ସାମ୍ୟବାଦର ମନ୍ତ୍ରଗାଇ ଜୀବନ ଚଳେଇ ନେବାକୁ ମନ ବଳେଇପାରି ନାହାନ୍ତି । ଏପରିକି ବିଶ୍ୱଚେତନାକୁ ପଢ଼ିବୁଝି ମାନିବାର ସାମର୍ଥ୍ୟ ଥିବା ନବୀନ ଶିକ୍ଷିତଗୋଷ୍ଠୀଙ୍କ ଭିତରୁ ଅନେକ ଲେଖନୀରେ ଶବ୍ଦକୁ ପେଣ୍ଡୁକରି ଖେଳିଲା ବେଳ ଆବେଗ- ସ୍ୱପ୍ନ- କଳ୍ପନା- ରହସ୍ୟ- ପଳାୟନବାଦୀ ଭାବପ୍ରବଣତାକୁ ନିଶାବତ୍ ସେବନ କରି ମନର ପ୍ରେୟସୀ ସହିତ ନିଷ୍ଫଳା ଆତ୍ମରତି କରୁଛନ୍ତି । ମାତ୍ର ଅନନ୍ତ ସମୟକୁ ଅନୁଭବ କରିଛନ୍ତି ଓ ସାହିତ୍ୟକୁ ନୂଆ ବାଟରେ ଚଳେଇ ନେବାପାଇଁ ତା’ ସହିତ ସମାଜ-ଜୀବନ-ବାସ୍ତବତାକୁ ସାଥୀ କରେଇ ଦେଇଛନ୍ତି । ସେ ମନସ୍ଥ କରିଛନ୍ତି ସାମ୍ୟବାଦୀ କର୍ମୀ ହେବା ପୂବର୍ରୁ ‘କବିବିପ୍ଳବୀ’ ହେବେ । ତାଙ୍କ କବିତା ଚିହ୍ନେଇେଦବ–ସାଆନ୍ତଙ୍କ ବାଟ ଓ ଖାଉନ୍ଦଙ୍କ ବାଟଚଲା ରଙ୍ଗ ଢଙ୍ଗ ଭାଷା ଖଟିଖିଆଙ୍କ ବାଟ ଓ ମର୍ମତଳର କଥାଠାରୁ ଅଲଗା । ଏଥିରେ ସମାନତା ଆଣିବା ଓ ମେହେନତି ମଣିଷ ପାଇଁ ମାର୍କସ୍, ଗାନ୍ଧୀ, ଲେନିନ୍, ନୂଆ ବାଟଟିଏ ବାହାର କରିଛନ୍ତି । ସେ ବାଟରେ ଚାଲିବା ଅର୍ଥ ଅନ୍ଧାରର ବକ୍ଷ ଚିରି ନୂଆ ସକାଳ ଦେଖିବା । ବାଟ ଚାଲିଲା ବେଳେ ଶୋଷଣ, ସଂଘର୍ଷ, ଶାନ୍ତି, ସମନ୍ୱୟ ଓ ପ୍ରଗତି ରାହା ତୋଳିବାକୁ ହେବ । କବିର ଶବ୍ଦ ଗଣଭାଷାର ବୋଲି ମାନିବ, କବି ମାନବତାର ଗୀତିକାର ହେବ । ‘ରକ୍ତ ଶିଖା’ ସଙ୍କନଳର ମୁକ୍ତ ସଙ୍ଗୀତ କବିତାଠାରୁ, ନବୀନ ଯୁଗର ତରୁଣ ଜାଗରେ, ‘ତର୍ପଣ କରେ ଆଜି’ କବିତାଗ୍ରନ୍ଥର ଜାଗଜାଗ ଦେଶବାଦୀ, ଏତେ ନିଷ୍ଠୁର କେଉଁଦିନୁ, ‘ଶାନ୍ତିଶିଖାର ଶାନ୍ତିକପୋତ ଆମ, ଆହେ ମହାଗଣକ, କିଞ୍ଚିତ୍‌ର ଝରରେ ରୁଧିର, ବରଫ ଧରିଛି ଫୁଲ ‘ଅଲୋଡ଼ାଲୋଡ଼ାର’ ଚାଲିଲି ମୁଁ ଚାଲିଲି, ଛାଇରଛିଟାର ‘ଛବିରଛାଇ’ ଅବାନ୍ତରର ଛବି, ଜୀବନ ଓ ‘ଅଋତୁ ଋତୁର’ ସକାଳଟିଏ ଚାହେଁ ମୁଁ–ପର୍ଯ୍ୟନ୍ତ ଅନେକ କବିତା ରଚନା ପଛରେ ଅନନ୍ତ ସର୍ଜନ କରିବାର ପ୍ରୋକ୍ତ ଆାକାଂକ୍ଷାଟି ପ୍ରତି ସଚେତନ ଅଛନ୍ତି । ସେଥିପାଇଁ ଏସବୁ ବା ଏଧରଣର ଭାବବହନ କରିଥିବା କବିତା ସମାଜର ନର୍ଯ୍ୟାତିତ ବ୍ୟବସ୍ଥା ଓ ଅପମାନିତ ମଣିଷର ନିପୀଡ଼ିତ ଚିତ୍ରକୁ ଦେଖାଇଦିଏ ଏବଂ ସମାଜସତ୍ତାର ସମତାକୁ ଦୁର୍ବଳ କରି ଦେଉଥିବା ଶୋଷଣର ରାହୁ ରେଖାଗୁଡ଼ିକ ଚିହ୍ନେଇ ସେହିସବୁର ଧ୍ୱଂସ ନିମନ୍ତେ ସଚେତନ–ଜାଗ୍ରତ ହେବାକୁ ଓ ସଂଘର୍ଷ କରିବାକୁ ଆହ୍ୱାନ କରେ ।

 

(ଗ)

ତୃତୀୟରେ ତାଙ୍କ କିତା ପ୍ରତ୍ୟାଦେଶୀ ପ୍ରଚେଷ୍ଟା ( ପୂର୍ବ ରୁଢ଼ିବାଦୀ ଧର୍ମୀ ଦେଶଗୁଡ଼ିକୁ ରଦ୍ଦ କରି ନୂତନ ଭାବନା ଘୋଷଣ କରିବା ପାଇଁ ନୂଆ ବାଟରେ ପ୍ରବେଶ କରିଥିବା ଚିନ୍ତକ) ଓ ପ୍ରବକ୍ତା (ନୂଆଚେତନାର ପ୍ରତିମା ନିର୍ମାଣକାରୀ ଓ ତା’ର ବ୍ୟାଖ୍ୟାକାର) ହେବାକୁ ଉଚିତ୍ ମଣିଛି । ଯେକୌଣସି କବିତା ଲେଖିବା ପୂବର୍ରୁ ସେ ମାନସିକ ପ୍ରଚେଷ୍ଟାରେ ପ୍ରଥମେ ରକ୍ଷଣଶୀଳ ପୂର୍ବ ଧାରଣା ଭିତରେ ପ୍ରବେଶ କରନ୍ତି ଓ ତା’ର ଅପଭୂତାଣୁକୁ ନିର୍ଣ୍ଣୟ କରନ୍ତି-। ନୂତନ ସମୟକୁ ଗଠନାତ୍ମକ କରିବା ପାଇଁ ଦେଖା ଦେଇଥିବା ମହନୀୟ ସିଦ୍ଧାନ୍ତକ୍ଷେତ୍ରରେ ପ୍ରବେଶ କରି ତହିଁରୁ ସମୂହ ହିତକର ଆବେଗଗୁଡ଼ିକୁ (ଓ୍ୱେଲ-ଡିସ୍‌ପୋଜ୍‌ଡ କଲେକ୍ଟିଭ୍ ଇମୋସନ) (୪) ସାଉଁଟି ତା’କୁ ସାଧାରଣ-ସୁଖପ୍ରଦ ‘ଶବ୍ଦସଜାଣ ମାଧ୍ୟମରେ ବିତରଣ କରିବାକୁ ଚାହାନ୍ତି । ଏ ଦୃଷ୍ଟିରୁ ତାଙ୍କ କବିତା ନୂତନ ଭାବାବେଗ ଖେଳାଇ ସମୂହ ଜୀବନର ଉତ୍‌ଥାନ ନିମନ୍ତେ କଳାତ୍ମକ ଆଦେଶୀବାର୍ତ୍ତା ହୋଇ ଯାଇଛି । ତାଙ୍କର ଅଧିକାଂଶ କବିତା ଅନ୍ୟ ସହିତ ବିତରିତ ହେବାକୁ, ବାଣ୍ଟି ହୋଇଯିବାକୁ ଅନ୍ୟର ଶାନ୍ତିର କାରଣ ହେବାକୁ, ପର ଅପରର ଶ୍ରେଣୀଗତ ବୈଭେଦ୍ୟକୁ ଟପିଯିବାକୁ ପ୍ରେରଣାଦିଏ ଛନ୍ଦତୋଳେ ଓ ପ୍ରଦାତା ଭଳି ଦାୟିତ୍ୱ ସମ୍ପାଦନର ଅଙ୍ଗୀକାରତ୍ୱକୁ ମାନିଥାଏ (୫) କବିତା ବନ୍ଧପରି ଋତ୍ୱିକ୍ ସ୍ୱରୂପରେ ଛିଡ଼ା ହୋଇ ପାଠକକୁ ଅନ୍ୟଉଦ୍ଦେଶ୍ୟ ଜୀବନ ବିତେଇବାକୁ ଶୁଭଗ ପ୍ରଗତି ବୋଲି ପ୍ରବୋଧିତ କରେ । (୬) ଏ ଦିଗରୁ ତାଙ୍କ କବିତାରେ ମୌଳବାଦୀ ଛଦ୍ମତାର କାୟା, ଛାୟା ଓ ମାୟା ବି ରହିଛି । ମାତ୍ର ଗାନ୍ଧିବାଦୀ ଦୃଷ୍ଟିଭଙ୍ଗୀ ଓ ମାର୍କସ୍‌ବାଦୀ ପ୍ରେରଣାଦ୍ୱାରା ପରିଚାଳିତ ନବୀନ ଜୀବନାଦର୍ଶ ପାଖରେ ସେଗୁଡ଼ିକ ଅଣ୍ଟାଭାଙ୍ଗି ପଡ଼ି ଯାଇଛନ୍ତି, ଆଉ ଉଧେଇପାରୁ ନାହାନ୍ତି–ଏପରି ଏକ ଅଣ୍ଟଭଙ୍ଗା ଚିତ୍ର ବି ରହିଛି ।

 

(ସାତ)

ଏ ତିନୋଟି କଥାକୁ ସର୍ଜନର ବୀଜସୂତ୍ର କରି ଅନନ୍ତଙ୍କ କବିମାନସ ୧୯୩୪ ରୁ ୧୯୮୬ ପର୍ଯ୍ୟନ୍ତ ପ୍ରଗତିବାଦୀ ଚିନ୍ତାଧାରାର ଅନ୍ୟତମ ଦୀର୍ଘକାଳୀୟ ପ୍ରବକ୍ତା ଓ ସମାଜବାଦୀ କାବ୍ୟାଦର୍ଶର ସଞ୍ଚାଳକରୂପେ ଗତିଶୀଳ ଅଛନ୍ତି । ଅନନ୍ତୀୟ ସର୍ଜନଶୀଳତା ନିଖିଳ ମଣିଷର ଅଖିଳ ଅଖଣ୍ଡତା ଓ ବିଶ୍ୱବୋଧୀ ମାନବତାର ଡୋରିଟିକୁ ଗଳାହାର କରିଛି, ତଳୁଆ ମଣିଷର ଦୁଃଖସୁଖ, ଆଶାନୈରାଶ୍ୟ ଦାବି ସଂଘର୍ଷକୁ ଗାନ୍ଧୀ-ଗୋପବନ୍ଧୁଙ୍କ ପରି ହୃଦୟର କଷଟି କରିଛି ଏବଂ ଶ୍ରେଣୀ ଚେତନାର କରାଳୀ ବିସ୍ତାରର ବିଲୟ ଓ ମାନବମୁକ୍ତିକୁ ମାର୍କସ୍-ଗର୍କି-ଲେଲିନଙ୍କ ଯୁକ୍ତି ଅନୁସାରେ ଜପାପାଳି କରିଛି । ଅନନ୍ତଙ୍କୁ ପଢ଼ି, ଶୁଣି, ଦେଖି, ଧରି, ମାନି ଓଡ଼ିଶୀ ମାନବ ଦରଦୀ ଭାବମାନସ ପ୍ରତିବାଦୀ–ପ୍ରତ୍ୟର୍ଥୀ ଚେତନାକୁ ନେଇ ଉଭୟ ସର୍ଜନଶୀଳ ଓ ରାଜନୀତିକ ସମାଜ ବ୍ୟବସ୍ଥାର ନୂଆରାସ୍ତାରେ ସଦମ୍ଭେ ଚାଲିଛନ୍ତି । ସମାଜତାନ୍ତ୍ରିକ କାବ୍ୟବୋଧର ସଂଚାରଣକାରୀ ଅନନ୍ତଙ୍କ ଜାଗରଣୀ କବିତ୍ଵକୁ (ଇଭୋକେଟିଭ୍ କ୍ରିଏଟିଭନେସ୍) ବିଶ୍ଳେଷିବା ବେଳେ ଆମ ବୁଦ୍ଧିବାଦୀ ସମୀକ୍ଷା ଦୃଷ୍ଟିକୁ ଆଉ ଆଡ଼ଆଖିକ ନହୋଇ ନିମ୍ନଲିଖିତ ବିଶେଷତ୍ୱଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

 

୧.

ପାରମ୍ପରିକ ପ୍ରଗତିବାଦୀ ଚିନ୍ତାଧାରାକୁ ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ଅନନ୍ତ ପ୍ରତିଷ୍ଠା ଦେଇଥିଲେ ଓ ସ୍ୱାଧୀନତୋତ୍ତର ପର୍ଯ୍ୟାୟରେ ଏହି ଚେତନାକୁ ଉଗ୍ର-ସମୂହ ଆବେଗର ପ୍ରତିବାଦୀ ଅସ୍ତିତ୍ୱବାଦରେ ପରିଣତ କରିଥିଲେ ।

 

୨.

ମାନବ-ମାନବ ପ୍ରତି ଉତ୍ତରଦାୟବଦ୍ଧ- ଏ ପ୍ରକାର ବାର୍ତ୍ତାଦେଶୀ କାବ୍ୟସ୍ୱରଟିଏ ବିସ୍ତାରିଦେଇ ପରସ୍ପର ବିରୋଧୀ ଭାବଗୁଡ଼ିକୁ ମଣିଷର କଲ୍ୟାଣ ପାଇଁ ମିଳେଇ ଦେଇ ସେ ପ୍ରଗତିବାଦୀ ହେତୁଟିକୁ ନୂଆ ପ୍ରକାରେ ସଜାଡ଼ି, ବଢ଼େଇ ବାଟଚଲେଇ ନେଇଛନ୍ତି ।

 

୩.

ଅନନ୍ତଙ୍କ କିଞ୍ଚିତ୍, ଶାନ୍ତିଶିଖା, ଛାଇରଛିଟା, ଅଲୋଡ଼ାଲୋଡ଼ା କବିତା ଏକ ସର୍ବଭାରତୀୟ ଓ ବିଶ୍ୱସ୍ତରୀୟ ଅନୁବାଦ ଲୋଡ଼ୁଛି, ଯାହା ସାଧନଦ୍ୱାରା ଏହା ସ୍ପଷ୍ଟ ହୋଇଯିବ ଯେ ଭାରତୀୟ ବିପ୍ଳବୀ କାବ୍ୟଚେତନାର ପଥଦର୍ଶୀ ଚାତରୁ ଅନନ୍ତଙ୍କ ବ୍ୟବସ୍ଥା ବିରୋଧୀ ମାନବ ସଂପ୍ରୀତି ସୂଚକ କାବ୍ୟାନୁଭୁତିର ଆଭିବ୍ୟକ୍ତିକ ଭାଷା ଓଡ଼ିଆ ମାତ୍ର ଭାବର ସ୍ପନ୍ଦନ-ଆବେଦନ-ପ୍ରଭାବ ବେଶ୍ ବିଶ୍ୱମାନବବୋଧକ ।

 

୪.

ପାଠକମାନଙ୍କୁ ସେ ଜାଗୃତିର ଉପେଭାକ୍ତା ଭାବରେ ବିଚାରିଥିଲେ । ପାଠକମାନେ ତାଙ୍କ କବିତାର ପଙ୍‌କ୍ତି ସହିତ ବନ୍ଧୁତା ସ୍ଥାପନ କରି ବାଟ ଚାଲୁଚାଲୁ ଅଥବା ଭଲରେ ମନ୍ଦରେ ଗୁଣୁଗୁଣୁଉ ଗୁଣଉ ସଂସାରଟାଯାକର ଅସନା, ଝାଟୁଆ ଓ କଦର୍ଯ୍ୟର ରୂପ ବଦଳାଇବାରେ ସହଯୋଗ କରନ୍ତୁ ଏ ପ୍ରକାର ଦାୟବଦ୍ଧ କବିମନୀଷୀର ପ୍ରତ୍ୟାଶାଟିଏ ସେ ରଖିଥିଲେ । ତେଣୁ ତାଙ୍କ କବିତାରେ ଆବେଗିକ ଶବ୍ଦର ଲହରାୟିତ ରସାଣମେଳି ରହିଛି, ରହିଛି ଅନ୍ୟାୟକୁ ଅନ୍ୟାୟ କହିବାର ଆସ୍ପର୍ଦ୍ଧାଶୀଳ ପ୍ରେରଣା ଓ କାଣୀକୁ ରୂପସୀ କଣାକୁ ଭାବଦର୍ଶୀ କହିବାର ଉଦାର ମାନବବାଦୀ ଆହ୍ୱାନ ।

 

୫.

ପ୍ରେମରେ ଭାଙ୍ଗି ପଡ଼ିଥାଉକି ଶ୍ରେଶୀ ଚେତନାର ଶିକାରରେ ଭଗ୍ନପକ୍ଷ ହୋଇ ଯାଇଥାଉ ଯେକୌଣସି ଅବସ୍ଥାରେ ଶ୍ରଦ୍ଧାର, ମାନବତାର, ବ୍ୟାକୁଳତାର କାରୁଣ୍ୟର, ବୁଭୁକ୍ଷୁର ଡାକ ଶୁଣି ଚହଲି ଯିବାକୁ ତାଙ୍କ କବିତା ପାଠକକୁ ବଳେଇ ଦିଏ । ଦୁନିଆସାରା (ଓଡ଼ିଶାର ଗଡ଼ଜାତି ପ୍ରଜାମଣ୍ଡଳ ଶୋଷିତ ଗାଁ ହୋଇପାରେ, ଭିଏତନାମର ଯୁଦ୍ଧକ୍ଷେତ୍ର ହୋଇପାରେ-। ସହରତଳୀ ନର୍ଦ୍ଦମାକଡ଼ର ମଣିଷ ହୋଇପାରେ) ରାସ୍ତାକଡ଼ରେ, ଯୁଦ୍ଧକ୍ଷେତ୍ରରେ, କୃଷି ଖେତରେ, ଶିଳ୍ପ ପାଚେରୀରର କଡ଼ବାଡ଼େ, ଗାଁ ଶେଷ ମୁଣ୍ଡରେ, ସାହେବୀ କୋଠିର ଛାଇଧାରରେ ଥିବା ମଣିଷମାନେ ଅନ୍ଧାରକୁ ଅନ୍ଧାର ବୋଲି ଚିହ୍ନନ୍ତୁ, ଆଉ ଆଲୋକର ମହାଦୀପ ଧରି ହସନ୍ତୁ ଜୀବନର ଅନ୍ୱେଷଣ ପାଇଁ ଶ୍ରେଣୀ ଚେତନାର ପାଚେରୀ ଡେଇଁ ଧନତାନ୍ତ୍ରିକ ତୋରଣ ଭାଙ୍ଗି ବାହାରି ଆସନ୍ତୁ–ଏପରି ଏକ ଉଦ୍ଦୀପିତ ଚେତନା ତାଙ୍କ କବିତା ସଞ୍ଚାର କରିଦିଏ ।

 

୬.

ସ୍ୱାର୍ଥାର୍ଥୀ ଜୀବନର ହୃନ୍ଦରତାକୁ ଅସାର ଘୋଷଣା କରି ତାଙ୍କ କବିତା ଗୋଟାସୁଦ୍ଧା ମାଟିକାମୁଡ଼ି ଜୀବନ୍ତ ମରଣର ଜୀବନ ବଞ୍ଚୁଥିବା ମଣିଷର ବତୁରା ଅନୁଭବ ସହିତ ଆମ ପାଠକୀୟତାକୁ ଯୋଡ଼େଇଦିଏ । ବେଳେବେଳେ ମନେହୁଏ ଅନନ୍ତ କବିତା ଲେଖନ୍ତି ନାହିଁ., କବିତାରେ ଓଡ଼ିଆଙ୍କ ଧୂଳି ମଖା ଜୀବନ, ପାଣିପବନ ଲୁଗା ସ୍ମୃତି ଓ ମିଳିତ ଗଣଜୀବନର ଅକପଟ ଲାଲିତ୍ୟ ସ୍ୱୟଂ କବିତା ହୋଇ ପାଠକ ପାଖରେ ବସିଯାଏ ।

 

୭.

ଅନେକ ସମୟରେ ଅନନ୍ତଙ୍କ କାବ୍ୟନାୟକ ପ୍ରେୟସୀକୁ, ପ୍ରାଣମିତଣୀକୁ ଚିଠିଲେଖା, ବାର୍ତ୍ତାଦିଏ, ଅନୁଭବକୁ ତା’ପାଖରେ ଅଜାଡ଼ିଦିଏ । ଏ ପ୍ରକାର କବିତାର ଶବ୍ଦଗୁଡ଼ିକ ଖୁବ୍ ରାଗାନୁଗା ରାଗାନୁଗା ଲାଗନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥାଟି ହେଉଛି କବିତାଗୁଡ଼ିକ ପାଠକକୁ ସପନ ସରିତରେ ହଜି ସଭିଙ୍କ ଦୁଃଖରେ ଭାଗୀ ହୋଇଯିବାର କାବ୍ୟାବେଦନାଟିଏ ଦେଇଥାଏ । କବିତାର ସ୍ୱର ଋଷୀୟ ଭବିଷ୍ୟବାଦୀ (ଫିଉଚରିଷ୍ଟ ) କାବ୍ୟବୋଧଠାରୁ ମୋଟେ ଉଣା ନୁହେଁ ।

 

୮.

କେତେକ କବିତାରେ କବି ଅନନ୍ତ ବୈପରୀତ ଭାବ, ଦୃଶ୍ୟ, ଅନୁଭବ ଓ ସେସବୁର ବିରୋଧାଭାସୀ ସହାବସ୍ଥାନକୁ ନିବନ୍ଧନ କରିଥାନ୍ତି । ଗୋଟାଏ ପଟରେ ଅସମୟର କରାଳତା, ଶୋଷଣର ଓ ଛଦ୍ମତାର ଉପସ୍ଥିତି, ଅସୁନ୍ଦର ଅବିଶ୍ୱାସ ଓ ଅଭାବୀ ମଣିଷର ଲହୁଲୁହର ଗାଥା, ଅନ୍ୟ ପଟରେ ଆଗାମୀ ସୂର୍ଯ୍ୟୋଦୟର ସମ୍ଭାବନା, ସମତାର ଆଗମନ, ବିଶ୍ୱାସର ଜୟଗୀତି, ଧ୍ୱଂସ ପରବର୍ତ୍ତୀ ସୃଜନର ଲଳିତ ଆଶା, ମଣିଷକୁ ସମ୍ମାନ ଓ ଅଭାବୀ ମଣିଷ ପ୍ରତି କୋମଳଦରଦୀ-ସବୁଗୁଡ଼ିକ ମିଶି କବିତାକୁ ନୂଆ ଆଲୋକର ବାର୍ତ୍ତାବାହକ କରିଦିଏ ।

 

୯.

କେତେକ ସ୍ଥଳରେ ଶବ୍ଦମାନେ ମିଶି ନୂତନ ସମାଜର ବାର୍ତ୍ତାକୁ ଚିଦ୍‌ବତ୍ ସଜାଇବା ପରି ବୋଧହୁଏ । ଅନନ୍ତ କାବ୍ୟିକଶବ୍ଦ (ପୋଏଟିକ୍ ଡିକ୍‌ସନ୍‍) ଚୟସ, ଭାବାନୁସାରୀ ବସାଣ ସମୟରେ ସମକାଳୀନ ଆଧୁନିକତାର ପଦ୍ଧତିଗୁଡ଼ିକୁ ଅନୁସରଣ କରିନାହାନ୍ତି । ବରଂ ଗଣଚେତନା ସ୍ତରରେ କବିତାକୁ ଭାବ ବିନିମୟାତ୍ମକ ଗ୍ରସମାନ ଜାଗରଣୀ କବିତା ଭାବରେ ଆଦୃତ କରାଇବା ପାଇଁ ସେ ଶହଶହ ବର୍ଷର ଓଡ଼ିଆ କାବ୍ୟାନୁଶାସନ ପରମ୍ପରାରେ ପ୍ରଚଳିତ ଓ ବ୍ୟବହୃତ ଶାବ୍ଦିକପଦ୍ଧତିକୁ ମିଶେଇ ଏକ ସ୍ୱତନ୍ତ୍ର କାବ୍ୟ-ବାନ୍ଧକଳା ପ୍ରସ୍ତୁତ କରିଛନ୍ତି । ଏଥିରେ ଲୋକଭାଷା, ଗ୍ରାମ୍ୟଭାଷା, ସମକାଳୀନ ବ୍ୟବସ୍ଥାନୁସାରୀ ଭାଷାର ଶବ୍ଦ ସହିତ ସାରଳାଙ୍କ ଶବ୍ଦିକ ଚାତୁରୀ, ଜଗନ୍ନାଥ ଦାସଙ୍କ ଲଳିତ ତତ୍ ସମାୟିତ ବିନ୍ୟାସ, ଭଞ୍ଜୀୟ ଶବ୍ଦ-ଗୁଂଫନ ରୀତି, ରାଧାନାଥୀୟ ତାରଲ୍ୟ, କାଳିନ୍ଦୀଚରଣଣ ରୂପକାତ୍ମକତା, ଗୋପବନ୍ଧୁଙ୍କ ଲୋକାଭିମୁଖୀନତା, ଗୋଦାବରୀଶଙ୍କ ସମ୍ବୋଧନଧର୍ମୀ ଗ୍ରାମୀଣତା, ଗୋଦାବାରୀଶ ମହାପାତ୍ରଙ୍କ ଅନୁରୂପ ଛାନ୍ଦସିକ ତାନିକତା ଓ ଗାଉଁଲୀ ଗୀତର ଚାତୁର୍ଯ୍ୟୋକ୍ତିର ଲହର ମିଶି ଅନନ୍ତଙ୍କ କବିତା ଶୈଳୀ ଚିତ୍ରଭାଷାର ହୋଇଉଠିଛି । ଫଳରେ ତାଙ୍କ କବିତା ସମାକଳର ଅନ୍ୟ କବିମାନଙ୍କ ଅପେକ୍ଷା ଅଧିକ ଗେୟପ୍ରଧାନ, ଆବୃତ୍ତିଯୋଗ୍ୟ ଓ ବିତରଣାତ୍ମକ ହୋଇପାରିଛି । ତାଙ୍କ କାବ୍ୟଭାଷା ଜନଗଣମନ ରଞ୍ଜକ ହେବା ସହିତ ଚେତନାର ସଂପ୍ରେରକ ଓ ଭାବର ପ୍ରତିନିଧିତ୍ୱ କରିବାରେ ସଫଳ ହୋଇଛି ।

 

(ଆଠ)

 

ଅନନ୍ତଙ୍କ କବିତା ଯେଉଁ ସମୟ, ପରିସ୍ଥିତି, ପ୍ରୟୋଜନ ଓ ସାମାଜିକ ଦୋଳନକୁ ନେଇ ପରିବର୍ଦ୍ଧିତ ସେହି ସମୟରେ ବିଦ୍ରୁପାତ୍ମକତା, ମୁକ୍ତଛନ୍ଦ, ଗଦ୍ୟଛନ୍ଦ, ବାକ୍‌ଛନ୍ଦ, ଅକ୍ଷରମାତ୍ରିକ ଆରୋହ-ଅବରୋହଧର୍ମୀ ଛାନ୍ଦସିକତା, ରୋମାଣ୍ଟିକଚେତନା ସହିତ ଜାତୀୟତାବାଦ ଅଥବା ରହସ୍ୟବାଦ ଅଥବା ବାସ୍ତବାବାଦର ସଂଯୋଗ, ଆଦର୍ଶବାଦ ସହିତ ବାସ୍ତବବାଦ ଓ ମାନବବାଦର ବିରୋଧାଭାସ ରହିତ ଦାମ୍ପତ୍ୟାୟିତ ମିଳନ, ସାମ୍ୟବାଦ ସହିତ ଜାତୀୟତାବାଦୀ ଚିନ୍ତାଧାରା ଓ ଗାନ୍ଧିବାଦୀ ଭାବନାର ସଂଶ୍ଳେଷ ଏବଂ ଅସ୍ତିତ୍ୱବାଦ ସହିତ ଅତିବାସ୍ତବବାଦର ଯୁଗନଦ୍ଧତା ଏବଂ କାବ୍ୟ ତା ଭାଷାର ପ୍ରତୀକାତ୍ମକତା (ମିଥ୍, ଚିତ୍ରକଳ୍ପ, ପ୍ରତୀକ, ଲୋକଉପାଦାନ, ପୁରାକଳ୍ପରର ପ୍ରୟୋଗ) ଆଦିକୁ ନେଇ ଓଡ଼ିଆ କବିତା ଉଭୟ ଭାବପକ୍ଷ ଓ ରୂପପକ୍ଷ ଦିଗରୁ ନାନାମୁଖୀ । ଅନନ୍ତଙ୍କ କାବ୍ୟମାନସ ଏସବୁ ପ୍ରତି ସଚେତନ, ଅନୁକୁଳ ଓ କୌଣସି ଅସୂୟାନରଖି କମ୍ ବେଶିରେ ପ୍ରତ୍ୟେକକୁ ନିଜ କବିତା ପରିମଣ୍ଡଳ ଭିତରକୁ ଆମନ୍ତ୍ରି ଆଣିଛନ୍ତି । କିନ୍ତୁ ବିଚିତ୍ର କଥାଟି ହେଉଛି ତାଙ୍କ କବିତାଲୋକଟି ମିଶ୍ରରଙ୍ଗର ଇନ୍ଦ୍ରଧନୁ ତିଆରି ନ କରି ପାଠକଙ୍କୁ ଏକ ଦାୟାବଦ୍ଧ କବିତ୍ୱର ଆବେଦନ ଯୋଗାଇ ଦେଇଥାଏ ।

 

ଏକଥା ସତ ଯେ ଅନନ୍ତ ସାମ୍ୟବାଦ ପ୍ରତି ବିଶ୍ୱସ୍ତ କର୍ମୀଟିଏ । ମାତ୍ର କର୍ମୀଟିଏ କବି ହେବାର କର୍ତ୍ତବ୍ୟକୁ ମାନି ସେ ପ୍ରଚାରସର୍ବସ୍ୱ ଦଳୀୟ ବିଜ୍ଞପ୍ତି ବୋଲି ରଚନା କରିନାହାଁନ୍ତି । ବରଂ ବିପ୍ଳବୀଟିଏ କବିହେବା ଏବଂ ମାନସିକ ବାସ୍ତବତା ଜଗତରେ ବଞ୍ଚିଥିବା କବି ସ୍ୱଭାବଟି ବିପ୍ଳବୀ ହେବା–ଏ ଉଭୟ ଗୁଣକୁ ନେଇ ଅନନ୍ତଙ୍କ ସାମାଜିକ ଦାୟବଦ୍ଧତାର କବିଜୀବନ ଜୟଯାତ୍ରା ବିପ୍ଳବୀ ହେବା–ଏ ଉଭୟ ଗୁଣକୁ ନେଇ ଅନନ୍ତଙ୍କ ସାମାଜିକ ଦାୟବଦ୍ଧତାର କବିଜୀବନ ଜୟଯାତ୍ରା କରିଛି । ସେଠି ବିପ୍ଳବର ସ୍ୱର, ପ୍ରତିବାଦୀ ବିରୋଧୀ ଚେତନାର ସ୍ୱର, ବ୍ୟବସ୍ଥା ବିରୋଧୀସ୍ୱର, ଆଶାବାଦୀ ସ୍ୱର, ତଥ୍ୟକବିତା ହେବାର ରମ୍ୟଗଢ଼ଣ, ବାହ୍ୟାକୃତିରେ ରୋମାଣ୍ଟିକ ସଂରଚନାଧର୍ମରେ ଶବ୍ଦବିନ୍ୟାସ ଓ ଅନ୍ତଃସୌନ୍ଦର୍ଯ୍ୟର ଆବେଦନରେ ଭାବାତ୍ମକ ଗାମ୍ଭୀର୍ଯ୍ୟ ଏବଂ ଭାବକୁ ବାର୍ତ୍ତାକରିବା ଓ ବାର୍ତ୍ତାକୁ ଲଳିତକବିତା କରିବାର ଚାତୁରୀ ଆଦି ବୈଶିଷ୍ଟ୍ୟ ବିବିଧାତ୍ମକ ହୋଇ ଭରି ରହିଛି । କିନ୍ତୁ ଲାକ୍ଷଣିକ ବିଶେଷତ୍ୱଟି ହେଉଛି ପ୍ରତ୍ୟେକ କବିତା ପରସ୍ପରଠାରୁ ଭିନ୍ନପ୍ରଭାବୀ ହୋଇପାରିଛି । ମାତ୍ର ପ୍ରତିଟି କବିତା ପାଠକକୁ ସ୍ୱତନ୍ତ୍ର ଢଙ୍ଗରେ ଦାୟବଦ୍ଧ ଉଦ୍‌ବୋଧନୀ ଗୁଣରେ ବାନ୍ଧି ରଖି ପାରିଛି । ଭାବକୁ ଆବାହନୀ ଓ ଉଦ୍‌ବୋଧନୀ ଗୁଣ କରିବା ଓ ତାକୁ ଚିତ୍ରଭାଷାରେ ରୂପାୟଣ କରି କବିତା ସଂରଚନା କରିଥିବା ଆଉ ଏକ ଅନନ୍ତଙ୍କୁ ସହଜରେ ଦେଖି ହେବ କି ??? ଏହି ମର୍ମରେ କେତେକ କବିତା ପଙ୍‌ନ୍ତି ସଦୃଷ୍ଟାନ୍ତ ଉଦ୍ଧାରଯୋଗ୍ୟ ।

 

(୧)

ହିମାଳୟ ଚୂଳେ ଅନାଇ ଦେଲିରେ ଅନାଇ ଦେଲି

                  ବରଫ ଧରିଛି ଫୁଲ

ବହଳ ଦୁଃଖରେ ଗହଳ ଆଶାମୋ ମହଳ ଭାଷା

                  ପୋହଳା କରୁଛିମୂଲ ।

ପାସୋରାଉଷାର ହସରୁ ଖିଏଲୋ ହସରୁ ଖିଏ

                  କିଏ ସେ ବସିଛି ବଳି

ଲୁହ ଜରଜର କୋହଲା ପାଗରେ ଦୋହଲାଲାଗେ

                  କାହାର ସରମ ଝଳି ।’’

 

(ବରଫ ଧରିଛି ଫୁଲ)

(ଖ)

ଆମ ଲାଗି ନୁହେଁ ନୁହେଁ ଶାନ୍ତିତ ନୁହେଁ ନୁହେଁ

            ହତାଶିଆ ଉପାସିଆ ସକାଳ

ସାହୁକାର ଋଣଜାଲେ ଚାଷୀକୂଳ-ଚାହାଣୀ,

ଶାନ୍ତିତ ନୁହେଁ ତିଳେ      କୋଇଲାର ଚଟକଳି-ପଖାଳ

                  ମୁଲିଆର ଝାଳମୂଲେ ମାଲିକର କାହାଣୀ

ନୁହେଁ ନୁହେଁ ସ୍ୱାଧୀନତା ପକାଇବା ବନ୍ଧା

ବାଡ଼ିହିଡ଼େ ମଥାକୋଡ଼ା, ସୁଆଦବି କନ୍ଦା

କିଳାପୋତା ବେସାଦିର ଫିସାଦିଆ ଫନ୍ଦା

ପରଦେଶୀ ଦରବରେ ଘରଦ୍ୱାର ଭରଣି

ଉଉଣୀର ରୂପସରେ ଭସାଇବା ହସାଇବା ଗଣିକାର ତରଣୀ ।

 

(ଆହେ ମହାଗଣକ)

(ଗ)

କେଉଁ ମାୟାମ ଛାୟାର ଘରେଲୋ/ଛପିଛପି ଜଳେ ବିଜୁଳିବତୀ

ନଥିରେ ଓହଳେ ନାଲିନାଲି ଫିତା/କେରିକେରି କେଶ ନିଖୁରାସତୀ

      x            x            x            x

ଗହନ ରାତିରେ ନିଲତା ଛାତିରେ କାହିଁକି ପୁଣି ମଳୟ ବାଆ

ଭୁଜଭିଡ଼ାଭିଡ଼ି ହୃଦଇଡ଼ାଇଡ଼ି, ପରଣର ତଳେ କିଦୀପ ଜଳେ ଲୋ

ଛାଇରେ ଛାଇରେ ଉକୁଟେ ଆହା ।

(ନୂଆବୋହୂଟି ସେ ଅନାଇଥାଏ)

 

(ଗ)

ଲଙ୍ଗଳର ପ୍ରତିରୋଧ କର କିଏ ? ପ୍ରସ୍ତର

ଶସ୍ୟର ସ୍ମିତ ରୋଧକର କିଏ ? ପଙ୍ଗପାଳ

ଆତ୍ମାର କଣ୍ଠରୋଧ କର କିଏ ? ଆତତାୟୀ

ବୈପ୍ଳବିକ ଶ୍ରେଣୀଚେତନାର ସ୍ୱର ପ୍ରତୀକାତ୍ମକ ବିନ୍ୟାସ ।

 

 

 

(ଘ)

‘ହଟାଅ ହଟାଅ ମୃତ୍ୟୁବାହିନୀ ଦୁଆରୁ

କିଏ କାହିଁ ଅଛି ଆରେ ବିଦଳିତ ଜନତା

ପ୍ରାଣଦେଇ ଆଣ ଶାନ୍ତି ଓଟାରି ଲୁହରୁ

ଦୈତ୍ୟକବଳୁ ଉଦ୍ଧାର ପ୍ରୀତିମମତା’ ।

ପ୍ରତିବାଦୀ ସ୍ୱର-ଉଦ୍‌ବୋଧନଗୁଣର ଆହ୍ୱାନୀ କବି ଭାବର ବସ୍ତୁକରଣ ବିନ୍ୟାସ ।

 

(ଙ)

କାଲି ଯେ ଗାଇଲା ଜନବନ୍ଦନା/ହାତରେ

ତା’ ଚୋରା ପୁଞ୍ଜିବାନା ସତ୍ୟାଗ୍ରହୀର

ସତ୍ୟଶିବିରେ/ଆଜିତ ସାହେବୀ ଡିନରଖାନା

 

ବିରୋଧୀପ୍ରତିକ୍ରିୟାଶୀଳ ସ୍ୱର ନବ୍ୟଉପନିବେଶବାଦୀ ବ୍ୟବସ୍ଥା ମଧ୍ୟରେ ଗାନ୍ଧିବାଦର ବିଲୟ ଓ ସ୍ୱାଧୀନତାର

ମୋହଭଙ୍ଗର ଚିତ୍ର ପ୍ରତୀକାତ୍ମକ ବିନ୍ୟାସ ।

 

(ଚ)

‘ଖଦୀ କଉପୀନ ଖଦିଚାଦର/ହାତେ ବାଡ଼ିଟିଏ ପାଦରେଚଟି କହି ଦେଉଥାନ୍ତି ଠାରିଠାରିକା/ଦେଶୀ ଜିନିଷର କରଆଦର ସେବା ଧରମରେ ସ୍ନେହ ଆଚାର/ଖସାଅ ବେକରୁ ଗୋଲମପଟି ନରହୁରେ କାହିଁ ଭୋକରଦାଉ/ନବହୁରେ କାହା ଆଖିରୁ ଲୁହ ନଛୁଟୁ କେଉଁଠି ରକତ ସୁଅ/କେହିହେଲେ କେବେ ଦୁଃଖ ନ ଥାଉ’

 

ଶବ୍ଦର କୋମଳ ବସାଣରେ ତଥ୍ୟଚିତ୍ର ହେଉଛି ଓ ଚିତ୍ରରେ ରୂପ ମାଧ୍ୟମରେ ଗାନ୍ଧିଚେତନା ସହିତ ମାର୍କସୀୟ ଦର୍ଶନ ବାର୍ତ୍ତାମୁଖର ହୋଇ ଉଠିଛି । ସମଗ୍ର ପଙ୍‌କ୍ତି ବିନ୍ୟାସରେ ଅନ୍ତଃସଲିଳା ହୋଇ ଆବୃତ୍ତିଧର୍ମର ଛାନ୍ଦସିକତା ଉପସ୍ଥିତ ଅଛି ।

 

ପ୍ରାୟ ୨୯୬ରୁ ଅଧିକ ପ୍ରକାଶିତ କବିତାର ୪୨୮୮ରୁ ଅଧିକ ପଙ୍‌କ୍ତି ମଧ୍ୟରୁ ଏମାତ୍ର ସାତଗୋଟି ଦୃଷ୍ଟାନ୍ତ । ପ୍ରତ୍ୟେକ ପଙ୍‌କ୍ତିକୁ ଆବୃତ୍ତି କରନ୍ତୁ ଓ ତା’କୁ ଶୁଣିବା ହୁଅନ୍ତୁ ପାଠକେ, ଶବ୍ଦ ବିନ୍ୟସ୍ତ ହୋଇନି, ବରଂ ଗୁନ୍ଥା ହୋଇଛି । ଠିକ୍ ଭାବ ଅନୁସାରେ ଠିକ୍ ଶବ୍ଦ ବସାଣର ତରିକା ମାନି ନ ଥିବାରୁ ଅନ୍ତଃଛନ୍ଦରେ କବିତାର ପ୍ରତିପାଦ୍ୟ ଭାବ ଆରୋହ-ଅବରୋହ ଧର୍ମରେ ତାନିକଧର୍ମ ରକ୍ଷାକରି ପ୍ରମୂର୍ତ୍ତ ହୋଇଉଠିଛି । ଶବ୍ଦମେଳି ଭିତରେ ଜୀବନ ଅଛି–କରୁଣ, ଗମ୍ଭୀର । ସମାଜ ନିର୍ଯ୍ୟାସ ଅଛି–ବାସ୍ତବ ଓ ଜୀବନ୍ତ । ଧ୍ୱଂସ ଓ ସୃଜନ ଅଛି । ପ୍ରତିବାଦୀ ଓ ଆଶାମୁଖର । ଯନ୍ତ୍ରଣା, ବ୍ୟାକୁଳତା ଅଛି–ମାତ୍ର ଦରଦୀ ସମ୍ବେଦନାର । କଳୁଷ କୁମ୍ଭିତତୀ, ଭେଦ ଓ ଅସୁୟା ଅଛି–ମାତ୍ର ଏସବୁ ମାନବର ଆଶା ଓ ମର୍ଯ୍ୟାଦା ପାଖରେ ଗୁରୁତ୍ୱହୀନ । ଏସବୁ ସ୍ୱପ୍ନ ଓ ଆବେଗ ମଧ୍ୟ ଅଛି । କିନ୍ତୁ ତାହା କଳ୍ପନାର ପକ୍ଷ ମେଲାଇ ସୁଦୂରକୁ ଉଡ଼ିଯାଉଛି, ଧୂଳିମାଖି ହୋଇ ସାମ୍ନାରେ ବାସ୍ତବ ଧର୍ମରେ ବହିଯାଉଛି ଓ ଆଣିଷର ଦୁଃଖସୁଖରେ ଜଡ଼ିଯାଉଛି । ପ୍ରତିକୂଳପରିସ୍ଥିତିର ଅନ୍ଧାରୀଛାୟା ରହିଛି–ମାତ୍ର ଆଶାର ଆଲୋକରେ ଜୀବନର ସୁନ୍ଦରତା ଫୁଟି ଉଠୁଛି । ପ୍ରତ୍ୟେକ ପଙ୍‌କ୍ତି କେବଳ ଚିତ୍ତକୁ ନୁହେଁ ଚେତନାସ୍ତରକୁ ଆନ୍ଦୋଳିତ ଓ ମୋହାବିଷ୍ଟ କରିଦେଉଛି ।

 

ଏ ପ୍ରକାର କବିତା ପଙ୍‌କ୍ତିମାନଙ୍କର ବି ଗୋଟାଏ ଗୋଟାଏ ଉଷ୍ମ ଜୀବନ ଅଛି । ଏମାନେ ବି ତମ ଆମମାନଙ୍କ ଜୀବନଠାରୁ ସୂତାଏବି ଖୁଞ୍ଚି ଯାଇନାହାଁନ୍ତି । ଅଭିବ୍ୟକ୍ତିରେ ରୋମାଣ୍ଟିକ ଓ ଆବେଦନରେ ସମାଜବାଦୀ ବାସ୍ତବତା ହାତ ଧରାଧରି ହୋଇ ରହିଛନ୍ତି, ବସିଛନ୍ତି, ଚାଲିଛନ୍ତି । ଏଠାରେ ସ୍ମରଣ ଯୋଗ୍ୟ ଅନନ୍ତ କବିତା ଗଢ଼ିବାବେଳକୁ ଓଡ଼ିଆ ସାହିତ୍ୟର ପାଣିପାଗରେ ସାମ୍ୟବାଦୀ ରାଜନୀତିକ ଚେତନା, ଗାନ୍ଧିବାଦୀ ଜାତୀୟତା ସହିତ ରୋମାଣ୍ଟିକ୍ ବାସ୍ତବାବାଦର ମିଳିତ ଘନକାଳ । ଏ ପରିସ୍ଥିତି ସହିତ ଅନନ୍ତଙ୍କ କବିସତ୍ତା ବନ୍ଧୁ ବସିଛି । କବିତାର ପ୍ରତି ଛତ୍ରରେ ଶବ୍ଦର ମାୟା ଓ ଭାବର ବାସ୍ତବତା ଗୋଟିଏ ମିଥ୍ୟା ଦେହଳୀ (୮) ସୃଷ୍ଟି କରିଛି । ଦେହଳୀର ବାହ୍ୟ ଆବରଣକୁ (ଆଉଟର୍‍ ଷ୍ଟ୍ରକ୍‍ଚରାଲ ସର୍‌ଫେସ) ମିଥ୍ୟା ଓ ବାସ୍ତବତାର କୁହୁକୀ କଳ୍ପନା ମାଖିରଖିଛି । ଆବରଣର ବାହ୍ୟ ମଖାଣର ଅଗଣାରେ ଆବେଗ, ବିଷଣ୍ଣତା, ଦରଦ ଆଦି ପ୍ରଲେପିତ ହୋଇ ଜୀବନ ଚଢ଼ାଉତ୍ତରା-ଉଠାପକା ଖେଳ ଖେଳୁଛି । ସାବଧାନ ପାଠକେ ! ଏ ଜୀବନକୁ ପ୍ରୀତିୟାବୋଧିମାନଙ୍କର ବ୍ୟକ୍ତିବାଦୀ ଭାବ ପ୍ରବଣତାର ବୋଲି କଦାପି ଭାବିବେନି । ଏସବୁ କବିତାରେ ସେମିତି ସେମିତି ବୟକ୍ତିକ ଆବେଗର ଦେଖା ଯାଉଥିବା ନୂଆବୋହୁ, ବୁଢୀମା’, ବଡ଼ଦେଇ, ସାନଭାଇ, ପଡ଼ିଶାବୁଢ଼ା, ବେପରୁଆ ତରୁଣ, ପାଚେରିପାଖରେ ମୁଣ୍ଡପୋତି ବସିଥିବା ମେହନତୀ ରିକ୍‌ସାବାଲା, ହିଡ଼ଉପରେ ଫାଁଗାଳି ବସି ପଡ଼ିଥିବା ଖଟିଖିଆ, ଛୋଟ ଶିଶୁକୁ ସ୍ୱପ୍ନଧରି ବାପା ଆସୁଥିବାର ସାନ୍ତ୍ୱନା ଦେଉଥିବା ଅସରନ୍ତି ଆଶାର ବସାବାନ୍ଧୁଣୀ ମାଆ- ଏମିତି ଅନେକ ପ୍ରକାରର ଜୀବନ ଦେହଳୀ ଭିତରେ ଆତଯାତ ହେଉଛନ୍ତି, ସଂଘର୍ଷ କରୁଛନ୍ତି, ପ୍ରତିବାଦୀ ହେଉଛନ୍ତି; କିନ୍ତୁ ସମସ୍ତେ ମାଟିସାଉଁଟା ଆଖିଦେଖା ଜୀବନ । କବିତାର ଏ ରୂପକଧର୍ମର ଜୀବନ ସତଜୀବନର ପ୍ରତିନିଧିତ୍ୱ କରୁଥିବା ଏକ ଏକ ପ୍ରତୀକ ।

 

ଅନନ୍ତଙ୍କ ତରଣ ଶବ୍ଦ ମଖାଣର କବିତାର ବାହ୍ୟ ଆବରଣକୁ ଧୀରେ ସଯତ୍ନରେ ଖୋଲିଲେ ଏ ପ୍ରକାର ପ୍ରତୀକାତ୍ମକ ଜୀବନର ପ୍ରକୃତ ନିର୍ଯ୍ୟାସୀ ବାସ୍ତବତାକୁ ଚିହ୍ନି ପାରିବେ ପାଠକେ । ଆପଣ କମ୍ପି ଉଠିବେ ଅଥବା ତଟସ୍ଥ ହୋଇଯିବେ । ଆପଣଙ୍କ ସୁକୁମାରିଆ ସୌଖୀନ ଜୀବନଚର୍ଯ୍ୟାର କୋମଳ ଧାରଣା ଥରିଉଠିବ । ଆଗେ ଆଶ୍ଚର୍ଯ୍ୟରେ ଚୁପ୍ ହୋଇଯିବେ । ତା’ପରେ ସମ୍ବେଦନାରେ ଅଶ୍ରୁ ନିଗାଡ଼ିବେ । ଟିକିଏ ପରେ କବିତାର ଜୀବନମାନେ କିପରି ସାମାଜିକ-ନିର୍ଯ୍ୟାସକୁ ଆଦରି ଅନ୍ଧାର ଓ ଆଲୋକର ଲୁଚକାଳି ଖେଳରେ ଛନ୍ଦି ହୋଇ ଯାଉଛନ୍ତି ଦେଖିବେ । ଶେଷରେ କେବଳ ଶୁଣିପାରିବେ ନୂଆ ସକାଳର ଆଶାରେ ମୃତ୍ୟୁର ଜଳଧାରାକୁ ପହଁରି ପହଁରି ରକ୍ତକଇଁ ଧରି କୃଷ୍ଣନାଗର ସକଳ ବିଷାକ୍ତୀ ବାତାବରଣକୁ ଟପି ଜୀବନମାନେ ମେଳିବାନ୍ଧି କିପରି ବିଦ୍ରୋହ, ବିରୋଧ, ପ୍ରତିବାଦ ଓ ପ୍ରତିକ୍ରିୟାର ସ୍ୱର ଉତ୍ତୋଳନ କରୁଛନ୍ତି । ଜୀବନ ବଞ୍ଚିବା ଓ ସେଥିପାଇଁ ମାୟା ଦେହଳୀ ଟପି ଆଗେଇବାର ଶିବସଙ୍କଳ୍ପରେ ଧାଇଁବା ହିଁ ଯଥାର୍ଥ ବାସ୍ତବତା । ଏ ଦିଗରୁ ଅନନ୍ତଙ୍କ କବିତା ସମଗ୍ର ଆମ ଉତ୍କଳୀୟ ଜୀବନର, ବିଶ୍ୱମଣିଷର ସାମାଜିକ ନିର୍ଯ୍ୟାସର ସତ୍ୟକୁ (ଟ୍ରୁଥ୍ ଅଫ୍ ସୋସିଆଲ ଏସେନ୍‌ସ) ଧରି ରଖିଥିବା ଏକ ଅନଭାବିତ ପୂର୍ବ ସଂରଚନା । କଳ୍ପନାର ପିଠିରେ ଲାଭ ହୋଇ ଯେତେବେଳେ ଆଉ ଆଗେଇ ନ ପାରିବାର ସ୍ଥିତିରେ କବିତା ସଂଗ୍ରାମ କରୁଥିଲା ଏବଂ ସନ୍ଧିକାଳରେ ଆବାକାବା ହୋଇ ଅସ୍ଥିର ହୋଇ ଉଠୁଥିଲା ସେହି ସମୟରେ ସମାଜବାଦୀ ବାସ୍ତବତା ବନାମ ସାମ୍ୟବାଦର ସବାରିରେ ବସାଇ ଅନନ୍ତ କବିତାକୁ ସବଳା କରିଦେଇ ବିଶ୍ୱମାନବତାବୋଧ ଦିଗରେ ଚଳେଇ ନେଇଛନ୍ତି । ଅତିସୁକ୍ଷ୍ମରେ ସମାଜ ଜୀବନ ଛନ୍ଦର ଫରୁଆ ଭିତରେ ବିପ୍ଳବ ଓ ମାନବୀୟ ସମତାବୋଧର ମର୍ଯ୍ୟାଦା ମରୁଆ ଭଳି କିପରି ରହିଛି ? ଏମିତି ଅନୁଭବଟିଏ ଖୋଜିବସିଲେ କେବଳ ଓଡ଼ିଆ ସାହିତ୍ୟରେ ଅନନ୍ତଙ୍କ କବିତ୍ୱକୁ ସମର୍ଥ ରୂପେ ଲୋଡ଼ିବା ।

 

(ନଅ)

 

ଏଥିରେ ପୂବର୍ରୁ ସଂଯୁକ୍ତ ଉଦାହରଣ ଅଥବା ଯେକୌଣସି ଅନନ୍ତ–ପଠିତରେ କବିତାର ଯେକୌଣସି ପଙ୍‌କ୍ତିକୁ ଡାକି ପାଖରେ ବସାଇଲେ ଆମମାନଙ୍କ ପାଠକୀୟତା ଅନନ୍ତଙ୍କ ବିବିଧତାକୁ ଦେଖି ଜିଜ୍ଞାସୁ ହୋଇଉଠିବ । ଏଭଳି କବିତାର ଶବ୍ଦବୈଠକୀରେ ଗାନ୍ଧି ମାର୍କସ-ଲେନିନ୍-ଗୋପବନ୍ଧୁଙ୍କୁ ନେଇ ଏକ ନୂଆଯୁଗ, ନବଜୀବନ ଓ ଅଭିନବ ପ୍ରଗତିର ରାହାଟିଏ ଚିନ୍ତୁଥିବା ଅନନ୍ତଙ୍କୁ ଦେଖିବା ?- ନାଁ ହଁ । ପେଟରେ ଭୋକ, ଉପରେ ଶୋଷଣର ତାପ, ମନରେ ଆନସମ ହେବାର ଅଭିଳାଷ ଆଖି ସାମ୍ନାରେ ଜୀବନଫୁଲ ମଉଳି ଯାଉଥିବା ନିପୀଡ଼ିତ ମଣିଷର ଲୁହଲହୁର ସଂଗ୍ରାମ, ପ୍ରତିକ୍ରିୟାରେ ଉଦ୍‌ବେଳିତ ଓ ଶୋଷଣରେ ଜର୍ଜରିତ ମଣିଷ ନିଜ ଶ୍ରମରେ ନଭଗର୍ଭରେ ମାଟିର ଦ୍ରୁମକୁ ରୋପିବାରେ ସଂକଳ୍ପ ବାଞ୍ଛୁଥିବା ଉପେକ୍ଷିତ ମଣିଷ ପାଖରେ ନଇଁ ପଡ଼ିଥିବା ଓ ରକ୍ତାଭ ଅଭିବାଦନ ଦେଇଥିବା ମୁଖ୍ୟସମ୍ମତ ପ୍ରେରଣାଦାୟ ଅନନ୍ତଙ୍କ ନିର୍ମଳ କବି ସତ୍ତାକୁ ପାଇବା ? ହଁ–ନାଁ । ସବୁ ଚିରାଚରିତ ପରମ୍ପରାର ସମତାଶୀଳ ଜୀବନ ବିଦ୍ୱେଷୀ ଶୃଙ୍ଖଳା ଭାଙ୍ଗିଯାଉ, ଗଙ୍ଗା ମୁହାଁଣ ପାଖକୁ ପଛକୁ ଫେରିଆସୁ, ପୂର୍ବଘାଟ ପର୍ବତମାଳା ବକ୍ଷକୁ ସଙ୍କୁଚିତକରୁ, ଖଟିଖିଆ ସ୍ୱପ୍ନହଜା ମଣିଷ ଶବର ସଂସାର ପରେ ଶସ୍ୟର ସାଗର, ସୃଜୁ, ଏପାରି ଗଛର ଛାଇ ସୌହାର୍ଦ୍ଦ୍ୟଗୁଣରେ ସେପାରି ଘାଟରେ ପଡ଼ୁ, ଭୋକିଲା ତଟିନୀ ଅନାହତ ପ୍ରେମର ସଙ୍ଗୀତ ଗାଉ.... ଏପରି ବହୁବାଗୀ ବିନିର୍ମାଣ ଧର୍ମର ଚେତନା ସୃଷ୍ଟି କରିଥିବା ଏବଂ ଅଙ୍ଗୀକାରବଦ୍ଧତାର ଉତ୍ତାପବର୍ଷୀ ଆଗ୍ନେୟ ଶିଖା ଯୋଗାଇ ଦେଇ ଆମ ଧାରଣାକୁ ଘଷିମାଜି, ତତେଇ ଚେତେଇ ମତେଇ ଦେଉଥିବା ବିରୋଧଭାସୀ ଭାବନିର୍ମାତା ଅନନ୍ତଙ୍କୁ ଚିହ୍ନିବା ?–ହଁ–ନାଁ । ଓଡ଼ିଶାର ସାପୁଆକେଳାର ଝାଳଲତା କଷିଧରା ହସଠୁ ପିଲାଛୁଆଙ୍କୁ ସ୍ୱପ୍ନ ଦେଖାଇ ପାରୁ ନଥିବା ଚଇତି ଚିଠି ଲେଖାଳି ବାପା ଆଉ ମରୁ ଅଞ୍ଚଳରୁ ଭିଏତ୍‌ନାମର ରକ୍ତଭୂମି ଯାଏ ଶାନ୍ତିର କପୋତ ଊଡ଼ାଇବାର ଶିବସଙ୍କଳ୍ପୀ ମନୋଭାବ ପର୍ଯ୍ୟନ୍ତ ନିଜର କାବ୍ୟଦୃଷ୍ଟିକୁ ବିଶ୍ୱାୟିତ କରି ପହଁରାଇ ଆଣିଥିବା ବିସ୍ତାରମନା ମାନବହିତୈଷୀ ଅନନ୍ତଙ୍କୁ ?–ହଁ–ନାଁ । ଏସବୁ ପ୍ରଶ୍ନର ଗୋଟିଏ ଉତ୍ତର ହେବ–ସରଳରେ ନାଁ । ଏସବୁ ଅନନ୍ତଙ୍କ ଅନ୍ତହୀନ କାବ୍ୟସାଧନା ଗୋଟିଏ ଗୋଟିଏ ସରସ ଉଜ୍ଜ୍ୱଳ ଖଣ୍ଡିତ ଅଙ୍ଗ । ଅନନ୍ତ ପୂର୍ଣ୍ଣତଃ ଏସବୁରେ ନାହାନ୍ତି । ବରଂ ଏ ସମସ୍ତଙ୍କୁ ଫେଣ୍ଟି, ଘୋରି, ଗୋଳି, ମିଶାଇ ଦେବାପରେ ଆମେ ସମଦର୍ଶୀ ଭାବନାର ପୂର୍ଣ୍ଣାଙ୍ଗ ଅନନ୍ତଙ୍କୁ ‘ହଁ’ ଉତ୍ତର ଛଳରେ ପାଇପାରିବା । ଏ ଅନନ୍ତଙ୍କ କବିତା ନିର୍ମାଣର କଳାଶକ୍ତିଟି ମାନବିକତାର ଓ ବୃହତ୍ତର ଜୀବନର ଆହ୍ୱାନକୁ ହିଁ କେବଳ ଗ୍ରହଣ କରିଛି ।

 

ଅନନ୍ତଙ୍କ କାବ୍ୟଚେତନା ଓ ତା’ର ପ୍ରତିମାୟିତ ବିନିମୟାତ୍ମକ ଗଢ଼ଣଚାତୁରୀ ତାଙ୍କ ସମକାଳର ଅନେକ ଶବ୍ଦାର୍ଥ ନିର୍ମାଣକାରୀଙ୍କଠାରୁ ନିଆରା । ‘ମୃତ୍ୟୁ ସାଗରୁ ପ୍ରାଣ-ପରମାରୁ ଛାଣିଲୁ, ଭୋକର ଭାଡ଼ିରେ ଚିରା କତରାର ସଜା, ଜାଣେ ମୁଁ ଯୁଗ ବାରୁଣୀ ପିଇ ତରୁଣୀ ଆଜି ବାରଙ୍ଗନା, କିଏ ଯିବ ଆସ ଯାତ୍ରୀ ଘେନି ତୃଷା ଉଦ୍ଦାମ ତରଳ, ହିଂସାରେ ବାବୁ ମଣିଷଭାଗ୍ୟ ନାହିଁ, ଲୁହରେ ଲୁହରେ ସରଜି ସହାସେ କମ୍ର କମଳଶିରୀ, ଆଶାର ଅରଣ୍ୟେ କାମାର୍ତ୍ତ କେତକୀର କ୍ରାନ୍ତି ରଚେ, ଏପଟେ ଧ୍ୱଂସ ସେପଟେ ଶାନ୍ତି ମଝିରେ କପୋତ ସ୍ମରେ.... ଏପରି ଶବ୍ଦ ଗୁଂଫନର କାରିଗରୀ ଓ ତହିଁରେ ବୈପରିତ୍ୟ ବିଲକ୍ଷଣଗୁଡ଼ିକୁ ଭାଙ୍ଗି କାଟି ସୌମ୍ୟଦର୍ଶୀ ଭାବନାର ରମଣୀୟ ଖଞ୍ଜାଣ ଆଗରୁ ଓଡ଼ିଆ ପାଠକଙ୍କ ପାଇଁ ଉବଲବ୍ଧ ନ ଥିଲା । ଏ ପ୍ରକାର କେବଳ ନିରୁତା ଅନନ୍ତୀୟ-। ଲେନିନ୍‌ଙ୍କ ଖଡ୍‍ଗ, ଟଲଷ୍ଟୟଙ୍କ ବିନମୟ ଧୈର୍ଯ୍ୟ, ମାର୍କସଙ୍କ ମଶାଲ, ଗର୍କିଙ୍କ ହାତୁଡ଼ି ପାହାର ସାମ୍ୟବାଦୀଙ୍କ ସମାଜ ବଦଳାଇବାର ଭରସା, ଅସ୍ତିତ୍ୱବାଦୀଙ୍କ ସମଭାଗୀ ମାନବିକତା, ଗାନ୍ଧୀଙ୍କ ମୈତ୍ରୀପ୍ରେମର ମନ୍ତ୍ର, ଗୋପବନ୍ଧୁଙ୍କ ମଣିଷ ସହିତ ବାନ୍ଧି ହୋଇଯିବାର ଅହେତୁକ ବାଣ୍ଟୁରା ଇଚ୍ଛା, ଗ୍ଲାଡ୍‍କୋଭଙ୍କ ଶ୍ରେଣୀଶତ୍ରୁର ରକ୍ତନଦୀରେ ଶାନ୍ତିର ନାବ ବାହି ନେବାର ସଙ୍କଳ୍ପ–ଏସବୁ ବ୍ୟତିକ୍ରମୀ ଭାବନା ତାଙ୍କ କବିସତ୍ତା ପାଖରେ ଏକା ଭଳି (୯) ଅନନ୍ତଙ୍କ ମହତ୍ୱଟି ହେଉଛି–ଅନ୍ୟମାନେ ପ୍ରଗତିଶୀଳ ହେବା ପାଇଁ ବାଟ ଦେଖିଚାହିଁ ଚାଲିଛନ୍ତି ଓ ବିପ୍ଳବୀକବି ହୋଇଛନ୍ତି । ଅଥବା ପଟାଟିଏ ନିଜ ନାଁରେ ପାଇବାକୁ ସମର୍ଥ ହୋଇଛନ୍ତି । ମାତ୍ର ଅନନ୍ତ ସମକାଳକୁ ନୂଆ ରକମର କରିବାର ନିଶାରେ ଚାଲୁଚାଲୁ କର୍ମୀ ବିପ୍ଳବୀ ଓ ଚାଲୁଚାଲୁ କର୍ମୀ ବିପ୍ଳବୀରୁ କବି ବିପ୍ଳବୀ ହୋଇ ଉଠିଛନ୍ତି । କବି ଆତ୍ମାର ମଣିଷଟିଏ ବିପ୍ଳବୀ ହେଲେ ସେ ମାୟାକୋଭସ୍କି ହୁଅନ୍ତି, ନେରୁଦା ହୁଅନ୍ତି, ନଜରୁଲ ହୁଅନ୍ତି ଅଥବା ଆମଜାଣତର ଅନନ୍ତ ହୁଅନ୍ତି ।

 

(ଦଶ)

 

ଅନନ୍ତଙ୍କ ପ୍ରତ୍ୟେକ ସଙ୍କଳନ ଓ ପ୍ରତ୍ୟେକ କବିତା ପ୍ରକୃତ ଜୀବନାନୁଭୂତି ଓ ସମୟାନୁସାରୀ ସାମାଜିକ ପରିସ୍ଥିତିର ପଟ୍ଟଭୂମି ଉପରେ ପ୍ରତିଷ୍ଠିତ । ଅନନ୍ତ ସମାଧାନ, ଦେବତା ନାହିଁ, ଭୁବନବନେ, ନବୀନଯୁଗର ତରୁଣ ଜାଗରେ, କୃଷକ ଜାଗୃତି, ଦଳିତ ଜାଗୃତି ଆଦି କବିତା ଲେଖା ହେବା ବେଳକୁ ଭାରତୀୟ ରାଜନୀତି ଓ ସମାଜନୀତି ପଟ୍ଟ ପରିବର୍ତ୍ତନ କରିଛି । ୧୯୩୨-୩୫ ମସିହା ମଧ୍ୟରେ ଗୋଲଟେବୁଲ ବୈଠକ ଏବଂ ଗାନ୍ଧୀ-ଇରଉଇନ୍ ଚୁକ୍ତି ଦୁଇଟି ଦିଗରୁ ଭାରତୀୟ ଜନଚେତନା ଓ ସମାଜବ୍ୟବସ୍ଥା ପ୍ରଭାବିତ କରିଛି । ପ୍ରଥମଟି ହେଉଛି–ଗୋଲଟେବୁଲ୍ ବୈଠକର ବିଫଳତା ଭାରତରେ ଗାନ୍ଧିବାଦୀ ଆନ୍ଦୋଳନକୁ ନରମ କରି ଦେଇଛି ଏବଂ ଇଂରେଜ-ସାମ୍ରାଜ୍ୟବାଦର ଦମନଲୀଳା ବଢ଼ିଛି । ଦ୍ୱିତୀୟଟି ହେଉଛି–କଂଗ୍ରେସ ଦଳ ଭିତରେ ସୋସିଆଲିଷ୍ଟ ଚିନ୍ତାଧାରାର ବୃଦ୍ଧି ଘଟିଛି ଏବଂ ଦଳ ବାହାରେ ମୁକ୍ତିସଂଗ୍ରାମ ଅନୁରକତ ଯୁବପିଢ଼ୀଙ୍କ ଭରସା ହୋଇଛି । ମାର୍କସ, ଲେନିନ–ଷ୍ଟାଲିନ୍ ମାର୍ଗରେ ସମତା ଓ ମୁକ୍ତି ଅଣାଯାଇ ପାରିବ । ଭାରତ ବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଗାନ୍ଧିବାଦୀ ସୋସାଲିଷ୍ଟ ଚେତନା ସହିତ ମାର୍କସୀୟ-ଲେନିନୀୟ ବାସ୍ତୁବାଦ ଦ୍ୱନ୍ଦ୍ୱାତ୍ମକ ଶ୍ରେଣୀ ଚେତନାଶ୍ରିତ ସମାଜତାନ୍ତ୍ରିକ ସାମ୍ୟବାଦର ମିଳନ ଘଟିଛି । ଏହି ମିଶ୍ରଣ ହେତୁ ଗୋପବନ୍ଧୁ କର୍ତ୍ତୃକ ଆଧୁନିକ ମାନବ ଦରଦୀ ବାସ୍ତବତାବୋଧ ଯାହା କୁନ୍ତଳା, ଲକ୍ଷ୍ମୀକାନ୍ତ, କାଳିନଦୀ-ବୈକୁଣ୍ଠ-ଗୋଦାବରୀଶଙ୍କ ମାଧ୍ୟମରେ ସମ୍ବେଦନଶୀଳ ବାସ୍ତବତାବାଦ (ଡେଡ଼ାକ୍ଟିକ୍ ରିଅଲିଜମ୍) ଭାବରେ ସାହିତ୍ୟ-ପ୍ରସିଦ୍ଧ ପାଇଥିଲା ତାହା ସମାଜ ତାନ୍ତ୍ରିକ ବସ୍ତୁନିଷ୍ଠ ବାସ୍ତବତାବାଦ ( ମାଟେରାଲିଷ୍ଟିକ୍-ସୋସିଆଲିଷ୍ଟି ରିଅଲିଜମ୍)ରେ ରୂପାନ୍ତରିତ ହେଲା । କବିତା ରଚନା କ୍ଷେତ୍ରରେ ପ୍ରଥମେ ଅନନ୍ତ ହିଁ ଓଡ଼ିଶା କମ୍ୟୁନିଷ୍ଟ-ସୋସାଲିଷ୍ଟ-ଚେତନା ପଟ୍ଟଭୂମିରେ ଦ୍ୱନ୍ଦ୍ୱାତ୍ମକ ସାମ୍ୟବାଦୀ ଚେତନାକୁ ପ୍ରବେଶ କରାଇଲେ । ସମାଧାନ, ଦେବତା ନାହିଁ ଭୁବନବନେ, ପ୍ରଳୟର ଆବାହନ, ନୂତନଯୁଗର ତରୁଣ ଜାଗେ (ନବଯୁଗର ସାହିତ୍ୟ ସଂସଦ ପ୍ରତିଷ୍ଠା ଦିବସର ଆବାହନୀ ସ୍ୱାଗତ ସଙ୍ଗୀତ), ଦଳିତଜାଗୃତି, କୃଷ୍ଣଙ୍କ ଜାଗୃତି (୧୯୩୪-୧୯୩୬) ଏବଂ ‘ରକ୍ତଶିଖା’ ସଙ୍କଳନ (୧୯୩୯-ନବଯୁଗ ଗ୍ରନ୍ଥମାଳା ପ୍ରକାଶନୀ)ର ମୁକ୍ତିସଙ୍ଗୀତ, ଆଗେଚାଲ, ସର୍ବହରା, ଆମେ ମୁଲିଆର ଜାତି ଜାଗିବୁ ଆଦି କବିତା ଏହି ପୃଷ୍ଠଭୂମିରେ ସାମ୍ୟବାଦୀ ନବଚେତନାକୁ ଆଧାର କରି ଆତ୍ମପ୍ରକାଶ କରିଛି । ଏସବୁ କବିତାରେ ସାଲିସବିହୀନ ଶ୍ରେଣୀସଂଘର୍ଷ ଓ ବିଦ୍ରୋହର ସ୍ୱର ପ୍ରକାଶ ପାଇଛି । ଏସବୁ କବିତାର ପାଠକୀୟ ପ୍ରଭାବଟି ହେଉଛି–ଶୁଣିବା, ପଢ଼ିବା ଓ ସମ୍ପର୍କରେ ଆସିବା ମାତ୍ରେ କବିତା ପାଠକଙ୍କୁ ଜଗେଇ ଦେବ, ଦଳିତ-ନିର୍ଯ୍ୟାତିତ ମଣିଷର ମୁକ୍ତିପିପାସା ପ୍ରତି ସଚେତନ କରିନେବ ଏବଂ ବିଦ୍ରୋହ ପାଇଁ ବହ୍ନିମାନ କରିଦେବ । ତେଣୁ ଏଗୁଡ଼ିକ ଯେପରି ଆହ୍ୱାନୀଗୁଣର ସେପରି କ୍ରାନ୍ତିର, ଉଦ୍‌ବୋଧନ ଧର୍ମର (୧୦) ଓ ମାନବ ଯନ୍ତ୍ରଣା ସହିତ ସମଭାଗୀ ହେବା ଦରଦୀ ମାନସିକତାର ।

 

ଅନନ୍ତଙ୍କ ସ୍ୱାଧୀନ-ସ୍ୱତନ୍ତ୍ର-ମୁକ୍ତାମନର କବିତା ସଙ୍କଳନ ହେଉଛି ‘ତର୍ପଣକରେ ଆଜି’ (୧୯୪୯) । ସ୍ମୃତିଚାରଣ, ସମ୍ବୋଧନ, ଶୋକ-ଗୀତିକାକରଣ ଓ ତଥ୍ୟାତ୍ମକ ବାର୍ତ୍ତାର ସମ୍ବେଦନଶୀଳ କବିତାକରଣ ଚାତୁରୀରେ ଏ ସଂକଳନର କବିତାଗୁଡ଼ିକ ରଚିତ । ଯୁଗପୁରୁଷ ମହାତ୍ମାଗାନ୍ଧୀଙ୍କ ବିୟୋଗର ବର୍ଷକ ପରେ ତାଙ୍କର ଚେତନାର ଅଭାବକୁ ଅନୁଭବ କରି ଅନନ୍ତ ଏ ସଙ୍କଳନର କବିତାଗୁଡ଼ିକୁ ଲେଖିଛନ୍ତି । ବିଶ୍ୱମାନବ କଲ୍ୟାଣ ଗାନ୍ଧି ଦର୍ଶନର ଓ ବିଚାରର ମହିମାକୁ ପ୍ରେରଣାତ୍ମକ ଭଙ୍ଗୀରେ ମାନ୍ତ୍ରିକ ଗ୍ରହଣଯୋଗ୍ୟ ସଂରଚନା ପଦ୍ଧତିରେ ପ୍ରତ୍ୟେକ କବିତା ଦରଦୀ ଆବେଦନର ଆହ୍ୱାନୀ କବିତା ହୋଇପାରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବିଶ୍ୱମାନବୀୟ ଭାବନାର ଶାନ୍ତିକାମୀ ଦିଗକୁ ଶାନ୍ତିଶିଖା (୧୯୫୨) କବିତା ସଙ୍କଳନରେ ଜାଗରଣୀ ସଙ୍ଗୀତରୂପ ଦିଆଯାଇଛି । ପ୍ରତ୍ୟେକ କବିତା ପ୍ରଗତିବାଦୀ ମାନବୀୟ ଚେତନାରୁ ଆରମ୍ଭ ହୋଇଛି । କବିତାର ମଧ୍ୟଭାଗରେ ମାନବ ଜାଗୃତିର ବାଧକ ଶକ୍ତିର ଧ୍ୱଂସ କାମନା କରାଯାଇଛି । କବିତାର ପରିସମାପ୍ତି ସ୍ତରରେ ଫାସିବାଦୀ ଧନତାନ୍ତ୍ରିକ ଦୃଷ୍ଟିକୋଣର ବିଲୟ ନିର୍ଦ୍ଦିଷ୍ଟ କରାଯାଇ ଶାନ୍ତିର ସମଭାବାବେଗୀ ବିଶ୍ୱାୟିତ ମାନବ ବ୍ୟବସ୍ଥା ଗଠନ ଉପରେ କଳାତ୍ମକ ଧ୍ୟାନ ଦିଆଯାଇଛି । କବିତାଗୁଡ଼ିକ ବାର୍ତ୍ତାମୁଖୀ; ମାତ୍ର ଅନନ୍ତଙ୍କ କବିତା ଗଢ଼ଣର କୋମଳ ଶିଳ୍ପଚାତୁରୀ ପ୍ରତ୍ୟେକ କବିତାକୁ ପ୍ରବୋଧନାତ୍ମକ କବିତାରେ ରୂପାନ୍ତରିତ କରିଦେଇଛି । ଏ କ୍ଷେତ୍ରରେ ଶାନ୍ତିର କପୋତଆମ, ଏସିଆର ମର୍ମପାଖେ, ଆସିଚି ମୁଁ ଆସିଚି’ କବିତାତ୍ରୟ ଭାବ ଓ କଳାବେଦନ ଦିଗରୁ ଆସପତ୍ନ । ଜୀବନପ୍ରଲୁବ୍ଧ, ମାଟିମଗ୍ନ, ମାନବୀୟ ମୂଲ୍ୟବୋଧ ପ୍ରତି ଦାୟବଦ୍ଧ ଓ ଉପସ୍ଥାପନା ଦିଗରୁ ବିଦୁଗ୍ଧ କାରଣ କାବ୍ୟଗୁଣର ପଚିଶଟି କବିତାକୁ ନେଇ ୧୯୫୯ରେ ପ୍ରକାଶ ପାଇଛି ‘କିଞ୍ଚିତ୍’ କବିତାଗୁଚ୍ଛ-। ଏସବୁ କବିତାରେ ଶୋଷଣମୁକ୍ତ ସମାଜ ପାଇଁ ସମ୍ଭାବନା ଅଛି, ଅଛି ପୁଞ୍ଜିବାଦ ବିଶିଷ୍ଟାୟିତ ବ୍ୟବସ୍ଥା ବିରୋଧରେ ପ୍ରତିବାଦ; କିନ୍ତୁ ଏସବୁ ଉର୍ଦ୍ଧ୍ୱରେ ଧ୍ୱଂସ-ସୃଜନର ମିଶ୍ରରାଗ ମଧ୍ୟରେ ନବଜୀବନ ଓ ନବମାନବାଦୀ ଶୁଭଗ ଚେତନାର ଛନ୍ଦ ହିଲ୍ଲୋଳିତ ହୋଇରହିଛି । ଶାନ୍ତିବର୍ଦ୍ଧିତ–ସମତାଶୀଳ–ମାନବବାଦୀ ବିଶ୍ୱବୋଧଟିଏ ଗଠନ ପାଇଁ ତାହା ପ୍ରତି ନିଃସର୍ତ୍ତ ପ୍ରତିଶ୍ରୁତିବଦ୍ଧ ହେବାର ମାନସିକତାଟିଏ ‘କିଞ୍ଚିତ୍’ ସଙ୍କଳନରୁ ପାଠକ ପାଇପାରିଛି । ଦ୍ୱାନ୍ଦ୍ୱିକ ସମାଜବାଦୀ ବସ୍ତୁବାଦୀ (ଡାଏଲେକ୍ଟିକାଲ ସୋସିଓ-ମାଟେରିଆଳିଜମ୍) ତତ୍ତ୍ୱକୁ ଓଡ଼ିଶା ସମାଜ ବ୍ୟବସ୍ଥା ଭିତ୍ତିରେ ଏହି କବିତାରେ ସଂଯୋଗ କରାଯାଇଛି ।

 

ସ୍ୱାଧୀନତାର ମୋହ ଓ ମୁକ୍ତିର ସ୍ୱପ୍ନ ଦେଖିଥିବା ଅନନ୍ତମାନେ ସ୍ୱାଧୀନତୋତ୍ତର ପର୍ଯ୍ୟାୟରେ ବହୁବିରୋଧଭାସୀ ପରିବର୍ତ୍ତନ ଦେଖିଛନ୍ତି । ଗଣତନ୍ତ୍ର ଧନାତାନ୍ତ୍ରିକ, ନବ୍ୟ ଉପନିବେଶବାଦୀ ସୁବିଧାବାଦ ଓ କ୍ଷମତାଲିପ୍‌ସା ଭ୍ରଷ୍ଟାଚାର ବିମଣ୍ଡିତ ରାଜନୀତିରେ ପରିଣତ ହୋଇଛି । ସମାଜବାଦୀ ସାଧାରଣତାନ୍ତ୍ରିକ ଧାରଣାରେ ଏକପ୍ରକାର ଧୂଳି ଜମି ଯାଇଛି । ଗାନ୍ଧିବାଦର ଅବକ୍ଷୟ ଘଟିଛି ଏବଂ ସ୍ୱାଧୀନତାର ମୋହଭଙ୍ଗ ହୋଇଛି । ଶିଳ୍ପାୟନୀ-ସହରୀକରଣ ପୁଞ୍ଜିବାଦୀର ଅଧିକ ସୌଖୀନ ଜୀବନଚର୍ଯ୍ୟା ପ୍ରଗତିର ଲକ୍ଷଣ ଓ ପରିଣାମ ହୋଇଛି । ବ୍ୟକ୍ତିବାଦୀ ଅସ୍ତିତ୍ୱ ମଧ୍ୟରେ ବଞ୍ଚିବା ଜୀବନର ପରିଭାଷା ହୋଇଛି । ଏହାସତ୍ତ୍ୱେ ମଣିଷକୁ ବିଶ୍ୱାସ କରିବାକୁ ହେବ, ଜୀବନକୁ ସୁନ୍ଦର କରିବାକୁ ହେବ, ସାମାଜିକ ମୂଲ୍ୟବୋଧର ବାକ୍ୟଗୁଡ଼ିକର ସ୍ୱରୂପକୁ ଚିହ୍ନାଇବାକୁ ହେବ ଏବଂ ମାନବାତ୍ମା ସହିତ ସହଯୋଗସୂତ୍ରରେ ମିଶିବାକୁ ହେବ–ଏ ପ୍ରକାର ଅସ୍ତିତ୍ୱବାଦୀ ମାନବୀୟ ମୂଲ୍ୟବୋଧର ଦୃଷ୍ଟିଭଙ୍ଗୀରେ ଅନନ୍ତଙ୍କ କାବ୍ୟସାଧନା ଗତିଶୀଳ ହୋଇଛି-। ‘ଅଲୋଡ଼ା ଲୋଡ଼ା (୧୯୬୪), ‘ଛାଇରଛିଟା’ (୧୯୬୬), ‘ଅବାନ୍ତର’ (୧୯୭୮) କବିତା ସଙ୍କଳନ ତ୍ରୟୀରେ ଅସ୍ତିତ୍ୱବାଦୀ ମାନବିକତାର ସ୍ୱର ପ୍ରତିଫଳିତ । ଏଥିସହିତ ସମୂହ କଲ୍ୟାଣକର ଜୀବନବୋଧ ପ୍ରତି ଅନୁରାଗ, ନୂତନ ଜୀବନ ଇଚ୍ଛାସ୍ଵର ବିକାଶ ପାଇଁ ପ୍ରେରଣା, ଛଦ୍ମପ୍ରଦର୍ଶନମୁଖୀନତା ପ୍ରତି ବିରୋଧାତ୍ମକ ପ୍ରତିକ୍ରିୟା, ନବ୍ୟ ଉପନିବେଶବାଦୀ ଶୋଷଣ ଓ ଦୁର୍ନୀତି ପ୍ରତି ପ୍ରତିବାଦ ଏସବୁ ସଙ୍କଳନର କବିତାଗୁଡ଼ିକରେ ଭାବମଞ୍ଜ ଭଳି ଉପସ୍ଥିତ ରହିଛି । ସାମ୍ୟବାଦର ଭିତ୍ତିଉପରେ ମୁକ୍ତ ସୂର୍ଯ୍ୟବତ୍ ଛିଡ଼ା ହୋଇ ନିରୁତା ମାନବବାଦ ଓ ବୃହତ୍ତର ଗଣଚେତନାର ସାମବ୍ୟଦୀ ଜୀବନସ୍ୱର ଅନନ୍ତଙ୍କ କବିସତ୍ତାକୁ ଅନ୍ତହୀନ ଭାବ ବିକଳ୍ପକ ରୂପେ ପାଠକାଦୃତ କରି ରଖିଛି । ୧୯୭୬ରେ ପ୍ରକାଶିତ ‘ଅଋତୁଋତୁ’ ‘ସୂତ୍ରଟିଏ ସୁକୃତିର’ କବିତା ସଙ୍କଳନ ଦ୍ୱୟରେ କବି ସାମ୍ୟବାଦର ବଳୟରୁ ଖସିଆସି ବୃହତ୍ତର ଜୀବନବୋଧର ସ୍ୱରଟିଏ ସୃଷ୍ଟି କରିଛନ୍ତି । ଏ ସଙ୍କଳନଦ୍ୱୟର କବିତାଗୁଡ଼ିକ ଜଣାଇ ଦିଅନ୍ତି ଯେ ମହତ କବିତା ଜୀବନ ଭାଡ଼ି ଉପରେ ଲଟାଏ । ସାମ୍ୟବାଦୀ ଗାମ୍ଭୀର୍ଯ୍ୟକୁ ସାଥୀ କରି ଜୀବନବାଦୀ ବୃହତ୍ତର ରାସ୍ତାରେ ଅନନ୍ତ ଚାଲିଛି । ମୁଷ୍ୟର ଅଶ୍ରୁ ଓ ବ୍ୟଥାକୁ ସର୍ଜନଶୀଳ ଗର୍ଭରେ ଧାରଣ କରିଛନ୍ତି ।

 

(୧୧)

 

ପ୍ରକୃତରେ ଅନୁରାଗୀ ବର୍ଗେ, ଝଟକିନୀ କଟକ ନଗରୀ ଭଳି ଅନନ୍ତଙ୍କ କବିତା ନାନାମୁଖୀ ଓ ବହୁଢଙ୍ଗୀ । କୂଳ ଖାଉଥିବା ନଈର ଭୟ, ଭାଇଚାରାର ନାରା ଦେଇ ସମଦୃଷ୍ଟିଙ୍କ ହୋଇ ଚଳିବାର ସାଂସ୍କୃତିକ ବାସନା ଓ ଧବଳ ସୌନ୍ଦର୍ଯ୍ୟର ଜୀବନଚର୍ଯ୍ୟାକୁ ନେଇ କଟକ ନଗରୀ ଯେପରି ଝଟକିନୀ ଓ ଭାବମୟୀ ସେହିପରି ଜୀବନ-ଜାଗୃତି-ଧ୍ୱଂସ-ସୃଜନ-ଶାନ୍ତି-ମାନବତା ଆଦିକୁ ନେଇ ଏକପ୍ରକାର ଭାବସମ୍ବେଦୀ କାବ୍ୟଚିତ୍ର ଦୃଷ୍ଟାନ୍ତଧର୍ମରେ ଅନନ୍ତଙ୍କ କବିତା ପାଠକ ଚେତନାସ୍ତରରେ ଆଙ୍କି ଦେଇଛି । ଯେତେଥର ତାଙ୍କ କବିତାକୁ ପଢ଼ିବ ସେତେଥର ତାହା ସୌନ୍ଦର୍ଯ୍ୟ, ପ୍ରକୃତି, ଜୀବନ, ବିପ୍ଳବ, ସମାଜ, ମଣିଷ, ଠାକୁର, ପରମ୍ପରା, ମାନବସମ୍ପର୍କରେ ପରିଭାଷାକୁ ନୂଆନୂଆ ପ୍ରକାର କରି ଗଢ଼ି ବସିବ । କାବ୍ୟିକ ଶବ୍ଦର ଅର୍ଥ ନିଷ୍ପତ୍ତିକର ସଂପ୍ରସାରଣଶୀଳ ଶକ୍ତି ଓ ସୌନ୍ଦର୍ଯ୍ୟ ଯେ ଅକଳନୀୟ–ଏହା ଅନନ୍ତଙ୍କ କବିତାମଣ୍ଡଳ ଜଣାଇଦିଏ । ଆଉ ଭାବାବେଦନ ଦିଗରୁ କବିତା ସହିତ ସମ୍ପର୍କ ସ୍ଥାପନ କରିବା ମାତ୍ରେ ତାହା ଜଣାଇଦେବ–ଚାରିପାଖକୁ ଦେଖ, ଅନ୍ତଶ୍ଚେତନର ବନ୍ଦନା ପଢ଼, ସକଳ ସହିତ ନିଜକୁ ଯୋଡ଼, ସଭିଙ୍କ ଦରଦକୁ ମାପିବାର ସାମର୍ଥ୍ୟ ଲାଭକର । ଚାଲ-ପଡ଼-ଉଠ ଏବଂ ଶେଷରେ ଧାଉଡ଼ିକର-ଆଲୋକମୟ ସ୍ଥିତାବସ୍ଥାଟିଏ ଉପୁଜେଇ ପାରିବ । ନୈରାଶ୍ୟକୁ, ତାକୁ ଦୂରୁ ଜୁହାର, ଶତ୍ରୁ ହେଲେ ବି ଆଶାର ସହିତ ମଣିଷକୁ ବିଶ୍ୱାସ କର । ସଂକ୍ଷେପରେ ଓଡ଼ିଆ ଜାତିର ଅହୋଭାଗ୍ୟ ଝଟକିନୀ କଟକ ନଗରୀ ଭିତରେ ଜୀବନ ବିତାଉ ବିତାଉ ଯୁଗଯୁଗ ପାଇଁ ବିପ୍ଲବୀ ଆତ୍ମାକୁ ଶବ୍ଦଫୁଲର ପୋଷାକ ପିନ୍ଧାଇ ନୂଆ ଆଶାର ମଶାଲ ଧରି ଶାନ୍ତିର ଉଦାର ବାର୍ତ୍ତା କଅଁଳ ସ୍ୱରରେ ବିତରି ଥିବା କବି ସତ୍ତାଟିଏ ଅନନ୍ତ ନାଁରେ ପାଇଛି; ଯିଏ ଅନ୍ୟତମ ପ୍ରବର୍ତ୍ତକ ଅଥବା ନିବର୍ତ୍ତକ ହେବା ଅପେକ୍ଷା ଓଡ଼ିଶା-ଭାରତ ଡେଇଁ ନିଖିଳ ମଣିଷର ଯନ୍ତ୍ରଣାକୁ କାନ୍ଧରେ ବୋହିବାର ହୃଦୟରେ ଧରିବାର ଶାଶ୍ୱତ ଲହର ସୃଷ୍ଟି କରିପାରିଛି ।

 

ସଙ୍କେତ ଟିପ୍ପଣୀ

 

୧.

(କ)

‘ପ୍ରତି ନିମିଷେ ମରୁଛୁ ତୁ ତ ତୋଳରେ ତୋଳ ଶିର/ପ୍ରତିକ୍ରିୟାର ତଣ୍ଟିଚିପି ଖେଳାଅ ପ୍ରାଣଧାର‘–ଆଗେ

ଚାଲ, ରକ୍ତଶିଖା- ଅନନ୍ତପଟ୍ଟନାୟକ- ପୃ.୪ ।

 

(ଖ)

‘କ୍ଷୁଧାର ବହ୍ନି ଜଠରେ ତୋର/ନୟନୁ ଝରୁଛି ରକ୍ତଲୋର/ଆଣ ବିପ୍ଳବ ଜୀବନେ ଜୋର, ପୋଛରେ

ଲୋତକଧାର’–ମୁକ୍ତିସଙ୍ଗୀତ, ରକ୍ତମିଶା, ଅନନ୍ତପଟ୍ଟନାୟକ, ଅନନ୍ତରଚନା ସମଗ୍ର–ପୃ-୩

 

(ଗ)

‘ଥରୁରେ ଧରଣୀ ଆକାଶ ପବନ ଥରୁରେ ଶୋକକୁଳା/ହାସିଉଠୁ ଆଜି ସମତା ଜଗତେ ଭାଜୁରେ ପାହାଡ଼ଚୂଳ’–ସର୍ବହରା, ତତ୍ରୈବ-ପୃ-୩୧

 

(ଘ)

‘ପାଖୁଡ଼ା ପରେ ପାଖୁଡ଼ା ମୋ ଫୁଟାଇ/ଶାନ୍ତିର ଆଉ କାନ୍ତିର/ରାତ୍ରିର ଛାତିରେ ମୁଁ ରଶ୍ମିର ବର୍ଚ୍ଛା/ଫୁଟିବି ମୁଁ ଫୁଟିବି’ । ଫୁଟିବି ମୁଁ ଫୁଟିବି, ଶାନ୍ତିଶିଖା, ଅନନ୍ତ ପଟ୍ଟନାୟକ–ଏଜନ-ପୃ-୫୩ ।

୨.

 

ଅନନ୍ତ ପଟ୍ଟନାୟକ-ଡଃ ବିଜୟ କୁମାର ଶତପଥୀ, ସାହିତ୍ୟ ଏକାଡେମୀ, ପୃ-୧୧, ପଠନ ଦ୍ରଷ୍ଟବ୍ୟ ।

୩.

(କ)

ବିପ୍ଳବ ନାଚେ ବିଶ୍ୱଦୁଆରେ/ନିଃସ୍ୱର ଆଜି ନିଃସ୍ୱତସାହାରେ/ଦତଜନର ମିଳିତଯତ୍ନେ ଶୋଷଣର ହେବ ଶେଷ/ଜାଗ ଦୁର୍ଭାଗାଦେଶ । ’–(ଅନନ୍ତ ପଟ୍ଟନାୟକ, ଆରେ, ଦୁର୍ଭାଗା ଦେଶ, ନବଭାରତ, ମିଥୁନ, ୧୩୪୩)

 

(ଖ)

‘ନବ ଜୀବନର’ ଆହ୍ଵାନ ଆସେ ଖରେ/ଛାଡ଼ିଦିଅ ପଥ ନବୀନ ଆଲୋକ ଜାଳି/ତରୁଣ ବାହିନୀ ଛୁଟୁରେ ଦର୍ପଭରେ । - ଆଲୋଡ଼ା ଲୋଡ଼ା, ପୃ-୪୫ ।

୪.

(i)

ଦି ଫଙ୍କସନ୍ ଅଫ୍ କ୍ରିଟିସିଜମ୍–ତେରୀ ୟିଗ୍ଲେଟନ୍

 

(ii)

ଇନ୍‌ଡ଼ିଫେନ୍‌ସ ଅଫ୍ ହିଷ୍ଟ୍ରି ( ମାର୍କସିଜମ୍ ଆଣ୍ଡ ଦି ପୋଷ୍ଟମଡ଼ର୍ଣ୍ଣ ଏଜେଣ୍ଟ) ଇ.ଏମ୍.ଉଡ଼୍

 

(iii)

ସି.କାଡଓ୍ୱେଲ–‘ଇଲ୍ୟୁଜନ୍ ଆଣ୍ଡ ରିଅଲିଟି’-ପଠନଦ୍ରଷ୍ଟବ୍ୟ ।

୫.

‘‘ସ୍ନେହୀ କବିଟିଏ ପ୍ରକୃତ କବି । ଯେଉଁଠି ଦୁଃଖ, ଯେଉଁଠି ହାହାକାର, କାନ୍ଦଣା ସେଇଠି ଛିଡ଼ାହୁଏ । ବିପ୍ଳବର ସୁକ୍ଷ୍ମମନ୍ତ୍ର କାନରେ ଫୁଙ୍କିଦିଏ । ଶବ୍ଦହିଁ ହୁଏ ସନ୍ଦୀପନ । ତା‘ରି କୋମଳ ଅଗ୍ନିଜାଳରେ ଜଳିଯାଏ ଅନ୍ୟାୟ ଅତ୍ୟାଚାର ।’’–ସୀତାକାନ୍ତ ମହାପାତ୍ର, ଧୂଳିଫୁଲର ମହକ, କବି ଅନନ୍ତ ପଟ୍ଟନାୟକ ସ୍ମରଣିକା, ଓଡ଼ିଆ ସାହିତ୍ୟ ଏକାଡେମୀ-ଦ୍ରଷ୍ଟବ୍ୟ ) ।

୬.

(କ)

‘ଝରିଯା ଲହୁ ମୋ, ଝରିଯା ପୁଲକେ ଜନ୍ମଭୂମିର ଜୀବନପଥେ ଜଞ୍ଜିର ଶତ ଖସୁ ମୋ ଜାତିର, ଚଳୁ ସେ ମାତିରେ ସୃଜନ ରଥେ । (ଝରରେ ରୁଧିର,କିଞ୍ଚିତ୍, ଅନନ୍ତ ପଟ୍ଟନାୟକ, ପୃ-୯)

 

(ଖ)

‘ନିଃସ୍ୱର ପୋଷରେ–ଲହୁର କଲ୍ୟାଣ ଆଣି/ଚାଲିଲି ମୁଁ ଚାଲିଲି । (ଅନନ୍ତ ପଟ୍ଟନାୟକ, ଅଲୋଡ଼ା ଲୋଡ଼ା, ପୃ-୩୯)

୭.

‘ନଥିବ ନୟନେ ଦୁଃଖର ବୋଳ ହତ୍ୟା ନିଶାଣ ବହି/ଘାତ ଜନର ମାରଣବିଦ୍ୟା ଚମକୁ ନ ଥିବା ରହି/ ଖେଳିଥିଲା ଏତେ ଆଗାମୀର ବାଣୀ, ଅଶ୍ରୁ ବାରିଧି କୂଳେ / ପିଶାଚକୂଳର ଅସ୍ଥିଧମଳ ମୃତ୍ୟୁ-ଶଇଳ-ଚୂଳେ’ (ଲକ୍ଷ ବରଷ ପରେ, ତର୍ପଣ କରେ ଆଜି, ଅନନ୍ତ ପଟ୍ଟନାୟକ ଅନନ୍ତରଚନା ସମଗ୍ର ପୃ-୧୫-୧୬) ।

୮.

(i)

ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି... (ସର୍ବହରା)

 

(ii)

ଶ୍ରମିକବଧୂର ସଙ୍ଗୀତସୁରେ ବାଜୁଥିବ ଯେବେ ପ୍ରୀତିର ସୁରଜବେଣୁ... (ତର୍ପଣକରେ ଆଜି)

 

(iii)

ଧରଣୀଧୂଳିର ମଲ୍ଲୀ ସତେ କି ଉର୍ଦ୍ଧ୍ୱେ ଉଠଇ ହସି... (କିଞ୍ଚିତ୍) ଏପରି ଅନେକ ପଙ୍‌କ୍ତି ଭିତରେ ରୋମାଣ୍ଟିକ୍ ଶବ୍ଦର କୋମଳ କାରୁକାର୍ଯ୍ୟର ଘେର, ଘେରଭିତରେ ବିପ୍ଳବର ଭୈରବୀ ଓ ଧ୍ୱଂସର ଉତ୍ତାପ ସହିତ ବ୍ୟାପକ ଜୀବନନିଷ୍ଠାର ମାୟା ଦେହଳୀଟିଏ ହିଁ ଅନନ୍ତଙ୍କ ସର୍ଜନ ଧର୍ମରେ କବିତା ହୋଇଉଠିଛି ।

୯.

 

‘ତା’ ପାଇଁ ଗାନ୍ଧି ବୁକୁର ରକତଧାର, ଲେଲିନ ଆଖିର ଲୋହିତଗାର–ଏକାକଥା ।’- ରମାକାନ୍ତ ରଥ, ଅନନ୍ତପଟ୍ଟନାୟକ ଆସିଲେ, ରହିବେ ଅଳକାନନ୍ଦା, ୫/୩ ସଂଖ୍ୟା-୨୦୧୧, ପୃ-୨ ।

୧୦.

(କ)

ତାଙ୍କର ଆହ୍ୱାନୀ କବିତା ଜୀବନକୁ ଭଲ ପାଇବା ପୁଣି ଜୀବନକୁ ଗ୍ରାସକରି ଚାଲିଥିବା ଯାବତୀୟ ନଷ୍ଟ

ମୂଲ୍ୟବୋଧ ତଥା ଦୁଷ୍କୃତିଗୁଡ଼ିକର ଅବସାନ ନିମିତ୍ତ ସେଥିରେ ରହିଛି ଇଙ୍ଗିତ ।- ଡଃ ବିଜୟ କୁମାର ଶତପଥୀ, ପ୍ରଗତିବାଦୀ କାବ୍ୟଚେତନା, ପଠନ ଦ୍ରଷ୍ଟବ୍ୟ ।

 

(ଖ)

‘ଜୀବନର ଯାତ୍ରାପଥେ ଯିବକିଏ, ଆସ ଯାତ୍ରୀଦଳ/ଜଗତର ଦୁଃଖ ଘେନି, ଘେନି ବୁକେ ଯନ୍ତ୍ରଣା ସକଳ’–ଅନନ୍ତ ପଟ୍ଟନାୟକ, ଶାନ୍ତିଶିଖା, ଅନନ୍ତରଚନା ସମଗ୍ର–ପୃ ୪୯ ।

 

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ,

ଉତ୍କଳ ବିଶ୍ୱବିଦ୍ୟାଳୟ,

ଭୁବନେଶ୍ୱର

 

***

 

Unknown

ଗଣ କବିଙ୍କ ସାହିତ୍ୟରେ ରସଧାରା

ଅଭୟ କୁମାର ରାଉତ

 

‘‘ଅଙ୍ଗାର ଗରଭେ ଯଥାହୀରକ ଜନମ

ତମୋଗର୍ଭେ ଜନମିବା ଜ୍ୟୋତିଷ୍କ ଧରମ ।’’

-ଗଙ୍ଗାଧର

 

ସ୍ୱଭାବକବି ଗଙ୍ଗାଧରଙ୍କ ଏହି ଭକ୍ତି ଗଣକବି ବୈଷ୍ଣବ ପାଣିଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ । ୧୮୮୨ ମସିହା କୁମାର ପୂର୍ଣ୍ଣିମା ଗୁରୁବାର ଦିନ କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଥାନାର କୋଠପଦା ଗ୍ରାମରେ ଏକ ଦରିଦ୍ର ବ୍ରାହ୍ମଣ କୁଳରେ କବିଙ୍କର ଜନ୍ମ । ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦଦେବୀ । ଶରତ ଋତୁରେ କୁମାର ପୂର୍ଣ୍ଣିମାର ଜହ୍ନପରି ସେଥିରେ ଓଡ଼ିଆ ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ଜ୍ୟୋତିଷ୍କ । ତାଙ୍କର କାବ୍ୟକୃତି ପାଇଁ ସେ ଏବେ ମଧ୍ୟ ଜନ ମାନସରେ ଜୀବିତ ହୋଇ ରହିଅଛନ୍ତି । କାବ୍ୟ କହିଲେ ସାଧାରଣତଃ ଦୁଇ ପ୍ରକାର କାବ୍ୟକୁ ବୁଝାଇଥାଏ । ଦୃଶ୍ୟକାବ୍ୟ ଓ ଶ୍ରାବକାବ୍ୟ । ଅନେକ କାବ୍ୟ କବିତା ରହିଛି ଯାହାକୁ ପାଠକଲେ ପାଠକ କାବ୍ୟ ମଧ୍ୟରେ ଥିବା ସମସ୍ତ ରସର ଗ୍ରହୀତା ହୋଇଥାଏ । କିନ୍ତୁ ଦୃଶ୍ୟକାବ୍ୟର କଥାଟି ସମ୍ପୂର୍ଣ୍ଣ ଭିନ୍ନ । କାବ୍ୟ କ୍ଷେତ୍ରରେ ଯାହାଘଟେ ନାଟକ କ୍ଷେତ୍ରରେ ତାହା ହିଁ ଘଟେ । ଦୃଶ୍ୟକାବ୍ୟ ହେଉ ବା ଶ୍ରାବକାବ୍ୟ ହେଉ, ପଢ଼ି ସାରିବା ପରେ କିମ୍ବା ଦେଖିସାରିବା ପରେ ପାଠକ ବା ଦର୍ଶକ ସମାଜ ତହିଁ ମଧ୍ୟରେ ଥିବା ରସ ସାହିତ୍ୟକୁ ଆସ୍ୱାଦନ କରି ପରମତୃପ୍ତି ଲାଭ କରନ୍ତି । ତାହା ହିଁ ହେଉଛି କବିମାନଙ୍କର ଆଦୃତି ଓ ପରିଚିତ । ଗଣ ମାନବର ଓ ଗଣ ଚେତନାର କବିରୂପେ ଗଣକବି ବୈଷ୍ଣବ ପାଣିଙ୍କ ନାମ ସର୍ବାଗ୍ରେ ଗ୍ରହଣୀୟ । ସେ ତାଙ୍କ ଜୀବନକାଳ ମଧ୍ୟରେ ଲୀଳା, ରାସ ସୁଆଙ୍ଗ, ଯାତ୍ରା, ଗୀତିନାଟ୍ୟ, ଗୀତାଭିନୟ ଓ ଫାର୍ଶ ପ୍ରଭୃତି ଶତାଧିକ ସାହିତ୍ୟ ରଚନା କରି ଗଣମାନସ ପଟରେ ଏବେ ମଧ୍ୟ ଜୀବନ ହୋଇ ରହିଅଛନ୍ତି ।

 

ବାଲ୍ୟକାଳରୁ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ବୈଷ୍ଣବପାଣି ଈଶ୍ୱରଙ୍କ ଆଶୀର୍ବାଦ ଘେନି ଅଳ୍ପ ପାଠୁଆ ହୋଇ ମଧ୍ୟ ଗୋଟିଏ ପରେ ଗୋଟିଏ ଅଭିନବ କଳାକୃତିକୁ ସର୍ଜନା କରି ଚାଲିଲେ । ଯାହାଫଳରେ ସୃଷ୍ଟି ହେଲା ଶତାଧିକ ନାଟକ ସମ୍ଭାର । ଏହାର ମୁଖ୍ୟ କାରଣ ହେଉଛି, ଗଣକବିଙ୍କର ସାବଲୀଳ, ସରଳ, ତରଳ ଭାଷା । ତତ୍‌ସମ ଓ ତଦ୍‌ଭବ ଶବ୍ଦ ସହିତ ଦେଶଜ ଗ୍ରାମୀଣ ଭାଷାକୁ ବ୍ୟବହାର କରି ଗଣକବି ତାଙ୍କର ଦୃଶ୍ୟକାବ୍ୟ ନାଟ୍ୟ ସାହିତ୍ୟରେ ଏକ ପରମ୍ପରା ସୃଷ୍ଟିକଲେ ।

 

ସାହିତ୍ୟର ମୁଖ୍ୟ ଆଧାର ହେଉଛି ରସ । ଏହି ରସ ସମ୍ପର୍କରେ ଭରତମୁନି ତାଙ୍କର ନାଟ୍ୟଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି । ସେ ଆଠଟି ରସର ପରିକଳ୍ପନା କରିଥିଲେ, ସେଗୁଡ଼ିକ ହେଲା ଶୃଙ୍ଗାର, ବୀର, କରୁଣ, ଅଦ୍ଭୁତ, ହାସ, ଭୟାନଗ, ବିଭତ୍ସ ଓ ରୌଦ୍ର । ଭାରତୀୟ ସାହିତ୍ୟ ତତ୍ତ୍ୱରେ ପ୍ରାୟତଃ ଆଠଟି, ନଅଟି ବା ଦଶଟି ରସର ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ଗଭୀର ଅନୁଶୀଳନର ବିବିଧତା ଭିତରେ ଭରତଙ୍କର ଏହି ଆଠଗୋଟି ରସ ପରିବର୍ଦ୍ଧିତ ହୋଇ ନବୀନ ରସର ସନ୍ଧାନ ଦେବାରେ ସକ୍ଷମ ହୋଇପାରିଛି । ଏହି ସମସ୍ତ ରସ ଯେ ସର୍ବଜାନୃତ ତାହା ନୁହେଁ, ତଥାପି ଏଗୁଡ଼ିକୁ ରସ ଚର୍ଚ୍ଚାର ଇତିହାସରେ ଅସ୍ୱୀକାର ମଧ୍ୟ କରାଯାଇ ନ ପାରେ ।

 

ହୃଦୟରେ ସୃଷ୍ଟି ହେଉଥିବା ଆନନ୍ଦାନୁଭୂତି ସ୍ଥାୟୀତ୍ୱ ପ୍ରାପ୍ତ ହୋଇ ରସ ନିଷ୍ପତ୍ତି ହୋଇଥାଏ-। ରସର ସ୍ଥାୟୀଭାବ ମୁଖ୍ୟକଥା, ରତି, ହ୍ରାସ, ଶୋକ, କ୍ରୋଧ, ଉତ୍ସାହ, ଭୟ, ଜୁଗୁପ୍‌ସା, ବିସ୍ମୟ ଓ ଶାନ୍ତି ମାଧ୍ୟମରେ ରସ ସ୍ଥାୟୀଭାବରେ ନବରସ ସୃଷ୍ଟି କରିଥାଏ । ରସର ସ୍ଥାୟୀଭାବ ଦୁଇ ପ୍ରକାର ଆଲମ୍ବନ ବିଭାଗ ଓ ଉଦ୍ଦୀପନ ବିଭାବ । ରସ ଯାହାର ଉପରେ ଆଧାରିତ ତାହା ଆଲମ୍ବନ ଓ ଯାହାଦ୍ୱାରା ଉଦ୍ଦୀପ୍ତ ତାହାକୁ ଉଦ୍ଦୀପନ ବିଭାଗ କୁହାଯାଏ । ନାୟକ ନାୟିକା ଆଲମ୍ବନ ବିଭାଗ, ବସନ୍ତ ଋତୁ, ମଳୟପବନ, ଚନ୍ଦ୍ରକିରଣ, ଲତାକୁଞ୍ଜ, କୋକିଳର କୁହୁତାନ ପ୍ରଭୃତି ଉଦ୍ଦୀପନ ବିଭାଗ-। ନାୟକ ନାୟିକାଙ୍କ ମଧ୍ୟରେ ରସ ସଞ୍ଚାର ହୋଇ ଆଲମ୍ବନ ଓ ଉଦ୍ଦୀପନ ଘଟି ପୁଲକ ରୋମାଞ୍ଚ ସୃଷ୍ଟି ଘଟିଲେ ଅନୁଭବ ସୃଷ୍ଟି ହୋଇଥାଏ । ଏଥିରେ ରୋମାଞ୍ଚ, ବେପଥୁ, ସ୍ୱରଭଙ୍ଗ, ସ୍ତମ୍ଭ, ସ୍ୱେଦ, ଅଶ୍ରୁ ପ୍ରଭୃତି ସୃଷ୍ଟି ହୋଇଥାଏ ।

 

ବୈଷ୍ଣବ ପାଣିଙ୍କ କାବ୍ୟକୃତି ମଧ୍ୟରେ ନବରସର ପରିପ୍ରକାଶ ଏକ ଅଦ୍‌ଭୁତ ସଂଯୋଜନା କହିଲେ ଅତ୍ୟୁକ୍ତି ହେବନାହିଁ । ଭରତ ମୁନିଙ୍କ ଆଠ ଗୋଟି ରସ ସହିତ ବିଶ୍ୱନାଥ କବିରାଜ ଅଦ୍‌ଭୁତ ରସର ସଂଯୋଗ ଘଟାଇଲେ । ଅଭିନବ ଭାରତୀ ବାତ୍ସଲ୍ୟ ରସର ସନ୍ଧାନ ଦେଲେ । ବୈଷ୍ଣବ ତତ୍ତ୍ୱଜ୍ଞମାନେ ଭକ୍ତି ରସର ସଂଯୋଗ ଘଟାଇ ରସ ସଂଖ୍ୟା ଏକାଦଶକୁ ବୃଦ୍ଧିକଲେ । ପୂର୍ବ ବର୍ଣ୍ଣିତ ଶାନ୍ତରସର ଏହି ଦୁଇରସ ଅନ୍ତଭୁର୍କ୍ତ ବୋଲି ମତପ୍ରକାଶ ପାଇଛି । ସେ ଯାହା ହେଉନା କାହିଁକି, ବୈଷ୍ଣବ ପାଣିଙ୍କ ନାଟ୍ୟ ମାନସ କୃତିଗୁଡ଼ିକରେ ଉପରୋକ୍ତ ବର୍ଣ୍ଣିତ ସମସ୍ତରସ ଦେଖିବାକୁ ମିଳିଥାଏ । ପାଚିଲା ଆମ୍ବଟିକୁ ଖାଇବା ପରେ ଲୋକଟିକୁ ଆମ୍ବର ସ୍ୱାଦ ପଚାରିଲେ ସେ ଯେପରି ତାହା ଖଟା କିମ୍ବା ମିଠା ବର୍ଣ୍ଣନା କରିଥାଏ, ଠିକ୍ ସେହିପରି ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଦେଖି ସାରିଥିବା ଯେ କୌଣସି ଦର୍ଶକକୁ ପଚାରିଲେ ସେ ତା’ର ଅଭିବକ୍ତି ପ୍ରକାଶ କରି ନାଟକରେ ଏକ ଉଚ୍ଚ ପ୍ରଶଂସକ ରୂପେ ନିଜର ପରିଚୟ ଦେଇଥାଏ । ଖଟା, ମିଠା, କଷା, ପିତା, ବାରିବା ପାଇଁ ଈଶ୍ୱର ଯେପରି ଆମ ଦେହରେ ଜିହ୍ୱାକୁ ସ୍ୱାଦର ତର୍ଜମା କାରକ ରୂପେ ଅବସ୍ଥାପିତ କରିଛନ୍ତି ଠିକ୍ ସେହିପରି ଈଶ୍ୱର ମଧ୍ୟ ସାହିତ୍ୟର ଅନ୍ତର୍ନିହିତ ରସ ଆସ୍ୱାଦନ ନିମନ୍ତେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ମନ ଓ ହୃଦୟକୁ ସଂଯୋଜିତ କରିଛନ୍ତି ।

 

ଶୃଙ୍ଗାର ରସ:- କୀଟ ପତଙ୍ଗଠାରୁ ଆରମ୍ଭ କରି ମନୁଷ୍ୟ ସମାଜ ପର୍ଯ୍ୟନ୍ତ ସମସ୍ତ ପ୍ରାଣୀ ଶୃଙ୍ଗାର ରସର ଅଧୀନସ୍ଥ । ଶୃଙ୍ଗାର ରସର ସ୍ଥିତି ନ ଥିଲେ ପ୍ରାଣୀମାନଙ୍କର ବିକାଶ ଓ ବିସ୍ମୃତି ସମ୍ଭବ ହୁଅନ୍ତା ନାହିଁ । ଏହି ଆଦିରସ ପ୍ରଭାବରେ ସ୍ତ୍ରୀ ପୁରୁଷ ପରସ୍ପର ସ୍ନେହ ଶ୍ରଦ୍ଧା ଆଦରର ନିବିଡ଼ ବନ୍ଧନରେ ବାନ୍ଧି ହୋଇଥାନ୍ତି । ସେହି ପର୍ଯ୍ୟାୟରୁ ହିଁ ନୂତନ ବଂଶଧରଙ୍କର ସୃଷ୍ଟି ସମ୍ଭବ ହୁଏ-। କାହିଁ କେଉଁ ଅନାଦି କାଳରୁ, ଆଦିମ ଅଧିବାସୀଙ୍କଠାରୁ ଆରମ୍ଭ କରି ଆଧୁନିକ ସଭ୍ୟ ସମାଜ ପର୍ଯ୍ୟନ୍ତ ସଭିଏଁ ଏହି ରସକୁ ପ୍ରାଧାନ୍ୟ ଦେଇଥାଆନ୍ତି । ଶୃଙ୍ଗାର ରସ ମଧୁର ଓ ଆନନ୍ଦ ଦାୟକ । ଶୃଙ୍ଗାର ରସମୟ କାବ୍ୟରେ ଥାଏ ମାଧୁର୍ଯ୍ୟଗୁଣ । ଏହି ରସର ସ୍ଥାୟୀଭାବ ରତି । ନାୟକ ଓ ନାୟିକା ଆଲମ୍ବନ ବିଭାବ । ପ୍ରାକୃତିକ ପରିବେଶ, ରୂପା, ଭୂଷଣ, ଚନ୍ଦ୍ରାଲୋକ ଇତ୍ୟାଦି ଉଦ୍ଦୀପନା ବିଭାବ । ଯୌବନ ଅବସ୍ଥାରେ ନାୟକ ନାୟିକାଙ୍କ ମନରେ ରତିଭାବ ପ୍ରକାଶ ମିଳନ ଉତ୍‌କଣ୍ଠା ସେତିକି ସୁତୀବ୍ର ହୋଇଥାଏ । ଉପବନ, କୋଇଲିର କୁହୁତାନ, କୁସୁମ, ସୁଗନ୍ଧ, ଚନ୍ଦ୍ର, ରଜନୀ, ବସନ୍ତ ଋତୁ, ମଳୟପନ ଇତ୍ୟାଦି ଉଦ୍ଦୀପନ ବିଭାଗ ତା’ପରେ ସୁରତି କେଳି ଘଟିଥାଏ ।

 

ଗଣକବି ବୈଷ୍ଣବ ପାଣି ମଧ୍ୟ ତାଙ୍କ ନାଟ୍ୟକୃତି ମଧ୍ୟରେ ଶୃଙ୍ଗାର ରସକୁ ଅତିସାବଲୀଳ ଭାବରେ ପ୍ରୟୋଗ କରି ନାଟକଗୁଡ଼ିକରେ ଶୃଙ୍ଗାର ବା ପ୍ରେମ ବ୍ୟାପାରକୁ ଅତି ନିଖୁଣ ଭାବେ ଚିତ୍ରଣ କରିଛନ୍ତି ଜନମାନସରେ ପ୍ରେମର ବୀଜବୁଣି ଚାଲିଛନ୍ତି ।

 

କେତୋଟି ନାଟ୍ୟକୃତିରୁ ଏ ସମ୍ପର୍କରେ ଆଲୋଚନା କରାଗଲା । ‘‘ରଙ୍ଗସଭା’’ ଗୀତିନାଟ୍ୟରେ କୃଷ୍ଣ ଯେତେବେଳେ ମଥୁରା ନଗରୀକୁ ଅକ୍ରୁର ସହାୟତାରେ ଯାତ୍ରା କରୁଥିଲେ, ସେତେବେଳେ ଗୋପୀଗଣ ନିଜର ପ୍ରେମ ଓ ବିରହଦଶା ଜନିତ କଷ୍ଟକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି-

 

ପାସୋରିଲ ପୂର୍ବ ଭାବ ହେ ମାଧବ

            ପଛରେ ମନେ କରୁଥିବ,

ରଥରେ ବସିଛ ପଥର ପରାୟେ

            ଉତ୍ତର କି ନ କହିବ ହେ ।

(ରଙ୍ଗସଭା)

 

ଗୋପାଙ୍ଗନା ଓ ମାଧବ ଏଠାରେ ଆଲମ୍ବନ । ଗୋପାଙ୍ଗନାମାନଙ୍କର ବିଷାଦ, ଚିନ୍ତା, ଉତ୍ସୁକତା ପ୍ରଭୃତି ସଞ୍ଚାରୀଭାବ । ବିପ୍ରଲମ୍ବରେ ପ୍ରିୟ ପ୍ରିୟାକୁ ବା ପ୍ରିୟାପ୍ରିୟକୁ ପାଇ ନ ଥାଏ ।

 

ସେହିପରି ‘‘ଜଳନ୍ଧର ବଧ‘‘ ଗୀତିନାଟ୍ୟରେ ଦେବ ଦେବ ମହାଦେବଙ୍କ ଧର୍ମପତ୍ନୀ ଉମା ଠାକୁରାଣୀଙ୍କ ପ୍ରତି ପାପାଚରୀ ଜଳନ୍ଧରକୁ ଆକୃଷ୍ଟ କରାଇ ତାକୁ ନିଧନ କରିବା ନିମେନ୍ତ ନାରଦ ଦେବତାମାନଙ୍କଦ୍ୱାରା ପ୍ରେରିତ ହୋଇ ଜଳନ୍ଧର ସମ୍ମୁଖରେ ପାର୍ବତୀଙ୍କର ରୂପ ମାଧୁରୀ ବର୍ଣ୍ଣନା କରି ପ୍ରେମଭାବ ସୃଷ୍ଟି କରାଇଛନ୍ତି । ଏଥିରେ ନାରଦଙ୍କ ବର୍ଣ୍ଣନା ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ-

 

ଶୁର ବୀର ମଣି            ଶଙ୍କର ଘରଣୀ

ଉମାଠାରୁ ନାହିଁ ସୁନ୍ଦରୀ

ତାର ରୂପ ଗୁଣ            ବର୍ଣ୍ଣିକେ ପାରିବ

କୁନ୍ଦତନ୍ତୀ କଳା ମାଧୁରୀ ।

(ଜଳନ୍ଧର ବଧ)

 

ନଳଦମୟନ୍ତୀ ପ୍ରେମ କାବ୍ୟରେ ବର୍ଣ୍ଣିତ ପ୍ରେମ ବର୍ଣ୍ଣନା ଅତୀବ ମନୋରମ । ପୁଷ୍କର ସହିତ ଜୁଆ ଖେଳରେ ପରାଜିତ ନଳ ମହାରାଜା ରାଜ୍ୟ, ଧନ, ସମସ୍ତ ହରାଇ ନିଃସ୍ୱଭାବରେ ବନମଧ୍ୟକୁ ପଳାୟନ କଲେ । ସଙ୍ଗରେ ଅଛନ୍ତି ପ୍ରିୟତମା ପତ୍ନୀ ଦମୟନ୍ତୀ । କାଲି ଯେ ରାଜେନ୍ଦ୍ର ଆସନ ଅଳଙ୍କୃତ କରୁଥିଲେ ଆଜି ସେ ଭିକାରି । ସେଠାରେ ମଧ୍ୟ ପତିପତ୍ନୀଙ୍କ ଦାମ୍ପତ୍ୟ ପ୍ରେମ ଉଦ୍‌ଭାସିତ ହୋଇଅଛି । ସେଠାରେ ପତ୍ନୀ ଦରିଦ୍ରତମ ସ୍ୱାମୀକୁ ଉପେକ୍ଷା ନ କରି ତାଙ୍କର ସେବା ଓ ମନୋରଞ୍ଜନ ପାଇଁ ଯଥେଷ୍ଟ ସଚେତନ ହୋଇଅଛି ଓ ସ୍ୱାମୀଙ୍କୁ ବିପଦ ସମୟେ ଧୈର୍ଯ୍ୟଧାରଣ କରିବାକୁ ବିନମ୍ର ଭାବେ ପରାମର୍ଶ ଦେଉଅଛି । ଏହିତ ହେଉଛି ଶ୍ରେଷ୍ଠ ଦାମ୍ପତ୍ୟ ବନ୍ଧନ । ତୂଳି ତଳପ ଶଯ୍ୟା ପରିତ୍ୟାଗ କରି ବୃକ୍ଷମୂଳେ ଘାସ ପଡ଼ିଆକୁ ଉତ୍ତମ ଶେଯରୂପେ ପ୍ରତିପାଦନ କରାଯାଇଛି, ପ୍ରେମ ଧନର ପ୍ରାଚୁର୍ଯ୍ୟ, ରାଜପ୍ରାସାଦ ଉଚ୍ଚନୀଚ ଭେଦଭାବ ମାନେ ନାହିଁ । ଏହାକୁ ପ୍ରତିପାଦନ କରିବାକୁ ଯାଇ କବି ‘‘ନଳଦମୟନ୍ତୀ ନାଟକରେ ଲେଖିଛନ୍ତି ।

 

‘‘ବନସୁକ ନ ମିଳିବ ଭୁବନେର

ଥିଲେ କତିରେ ପତି            ଅଛି ସ୍ୱର୍ଗ ସମ୍ପତ୍ତି

ଏହା ବିଚାରେ ମନରେ ।’’

(ନଳ ଦମୟନ୍ତୀ)

 

ଏହିପରି ବିସ୍ତୃତ ଆଲୋଚନା କଲେ ପ୍ରାୟ ଦେଖାଯାଏ ଯେ, ତାଙ୍କର ପ୍ରତ୍ୟେକଟି ନାଟକର ଛତ୍ରେ ଛତ୍ରେ ଶୃଙ୍ଗାର ରସ ପରିପୂର୍ଣ୍ଣ ହୋଇ ରହିଅଛି ।

 

ହାସ୍ୟରସ:- ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହସିବାକୁ ଭଲ ପାଆନ୍ତି । ହସିବାଟା ମଧ୍ୟ ରୋଗ ଉପଶମରେ ସହାୟକ ହୁଏ । ମନ ଆନନ୍ଦରେ ବିଭୋର ହୋଇ ଉଠିଲେ ଆପେ ଆପେ ହସ ଓଠରୁ ଝରି ଆସେ । ଯାହାର ଦର୍ଶନରେ ହସର ଉଦ୍ରେକ ହୁଏ, ତାକୁ ଆଲମ୍ବନ ବିଭାବ ଓ ହସ ଉଦ୍ରେକକାରୀର କାର୍ଯ୍ୟକଳାପ ହେଉଛି ଉଦ୍ଦୀପନ ବିଭାବ । ଚକ୍ଷୁର କଟାକ୍ଷ, ଆନନ୍ଦ, ଆଳସ୍ୟବୋଧ, ଚପଳତା ଆଦି ଏହାର ସଞ୍ଚାରୀଭାବ । ହାସ୍ୟ ଏହାର ସ୍ଥାୟୀଭାବ । ନାଟକରେ ହାସ୍ୟରସ ସୃଷ୍ଟି ନିହାତି ଅପରିହାର୍ଯ୍ୟ, ଭାରାକ୍ରାନ୍ତ ଜନମାନସର ଦୁଃଖ ଦୁର୍ଦ୍ଦଶାକୁ ଲାଘବ କରିବା ପାଇଁ ହାସ୍ୟରସର ସୃଷ୍ଟି । ଗଳ୍ପ ହେଉ, କବିତା ହେଉ ବା ନାଟକ ଗୀତିନାଟ୍ୟ ହେଉ ସବୁଥିରେ ହାସ୍ୟରସ ବିଦଗ୍ଧ ପାଠକ ବା ଦର୍ଶକଙ୍କୁ ଆମୋଦ ପ୍ରମୋଦ ଦେବାରେ ସହାୟକ ହୋଇଥାଏ । ଗଣକବି ବୈଷ୍ଣବ ପାଣିଙ୍କର ଉନ୍ନତ ହାସ୍ୟରସ ସୃଷ୍ଟି ଏକ ଅନବଦ୍ୟ ଅବଦାନ । ଭାଷା, ଚରିତ୍ର ତଥା ବିଷୟବସ୍ତୁର ସାମୟିକ ଅସଙ୍ଗତି, ଦୈହିକ ବିକୃତି, ବସ୍ତୁଭ୍ରାନ୍ତି ଓ ଅନୁକରଣ ଜରିଆରେ କବିଙ୍କର ହାସ୍ୟରସ ପ୍ରକାଶ ଲାଭ କରିଛି । କବି ତାଙ୍କର ପ୍ରତ୍ୟେକଟି ନାଟକରେ ଦୁଆରୀ, ଦୂତ, ଫାର୍ସ ମାଧ୍ୟମରେ ହାସ୍ୟ ରସ ସୃଷ୍ଟି କରିଛନ୍ତି । ବିଭିନ୍ନ ଜାତି, ବିଭିନ୍ନ ଦ୍ରବ୍ୟ ଓ ତତ୍‌କାଳୀନ ବିଚିତ୍ର ସମସ୍ୟାଗୁଡ଼ିକ ହାସ୍ୟରସ ମାଧ୍ୟମରେ ଉପସ୍ଥାପନ କରି ଗଣକବି ବାସ୍ତବିକ୍ ଧନ୍ୟବାଦର ପାତ୍ର ହୋଇ ରହିଛନ୍ତି । ସେ ଥିଲେ ଅଭିନବ ସ୍ରଷ୍ଟା ଯାହା ଜନଜୀବନରେ ଘଟୁଥିଲା, ଲୋକମାନେ ଯାହା ଅଙ୍ଗେ ଲିଭାଉଥିଲେ ତାହାକୁ ସେ ଅତି ସରଳ ତରଳ ସହଜ ଓ ସାବଲୀଳ ଭାଷା ପ୍ରୟୋଗରେ ବର୍ଣ୍ଣନା କରୁଥିଲେ । ଦୂତ ବା ଦୁଆରୀର ବିଚିତ୍ରବେଶ ସହିତ ହାତରେ ଧଡ଼ଧଡ଼ିଆ ବାଡ଼ି ଆହୁରି ହାସ୍ୟରୋଳ ସୃଷ୍ଟିକରେ ନାଟକରେ । ବର୍ତ୍ତମାନ ତାଙ୍କର ‘ପ୍ରହଲ୍ଲାଦ ଚରିତ’ ଗୀତାଭିନୟ କଥା ଆଲୋଚନା କରାଯାଉ । ଏହି ଗୀତାଭିନୟରେ ହିରଣାକ୍ଷ ରାଜାଙ୍କ ମୃତ୍ୟୁପରେ ଯେତେବେଳେ ଦର୍ଶକ ସମାଜ ଶୋକାଭିଭୂତ, ସେହି ସମୟରେ ଦୂତ ପାରମ୍ପରିକ ପୋଷାକ ପରିଚ୍ଛଦରେ ସଜ୍ଜିକରଣ ହୋଇ ମଞ୍ଚକୁ ପ୍ରବେଶ କରୁଛି । ତତ୍‌କାଳୀନ ସମାଜର ଘଟଣାବଳୀକୁ ବର୍ଣ୍ଣନା କରିବାକୁ ଯାଇ କହି ଲେଖିଛନ୍ତି–

 

କ୍ଷିତିକୁ ଭୀତି ହେଲା ପ୍ରବଳ

ପଇସାରେ ପାନ ପାଞ୍ଚଟା ଛଅଟା

ଟଙ୍କାରେ ଛଅ ସେରେ ଅଧେ ଚାଉଳ ।

(ପ୍ରହଲ୍ଲାଦ ଚରିତ)

 

ମଦ, ଗୁଲି, କାଞ୍ଜି, ମୁଢ଼ି ଇତ୍ୟାଦି ବିଷୟରେ ଦ୍ୱାରୀ ମୁହଁରେ କବିତା ବୋଲାଇ କବି ହାସ୍ୟରସ ସୃଷ୍ଟି କରିଛନ୍ତି । ମୁଢ଼ିର ବର୍ଣ୍ଣନା ଦେବାକୁ ଯାଇ କହି ଲେଖିଛନ୍ତି:-

 

ଧନ୍ୟ ଧନ୍ୟ ଧନ୍ୟରେ ମୁଢ଼ି

            ତୋତେ ଖାଇ ଟୋକୀ ହୁଅନ୍ତି ବୁଢ଼ୀ;

ନିରୋଳା ସୋରିଷ ତେଲମାଖି ଯେବେ

            ଚାଖିବ ପାଟିରୁ ନ ଯାଉଛାଡ଼ି ।।

କଞ୍ଚାଲଙ୍କା ସଙ୍ଗରେ ତୋର

            ନିଃଶଙ୍କାରେ କଲେ ଆହାର

ନୋଟା ଗାମୁଛାକୁ ସତାର ନଥାଏ

            ପାଇଖାନାକୁତ ପଡ଼ଇ ଧାଡ଼ି ।।

 

କାଞ୍ଜିର ବର୍ଣ୍ଣନା ଦେବାକୁ ଯାଇ ଲେଖିଛନ୍ତି:

ବାହା ବାହା ବହାରେ କାଞ୍ଜି

ତୋର ଋଣକିଏ ପାରିବ ସୁଝି

ଶୀତ ତୋର ମିତ                  ତୁହିତାକୁ ହିତ

ପିତ୍ତ ତ ପଳାଏ ରାଇଜ ତେଜି ।।

 

ବିଭିନ୍ନ ଜାତିକୁ ଉପେକ୍ଷା କରି ମଧ୍ୟ କବି ଲେଖିଛନ୍ତି । ‘ରଙ୍ଗସଭା’ ସୁଆଙ୍ଗରେ ଧୋବା ଚରିତ୍ରର ବର୍ଣ୍ଣନାରେ କବି ଲେଖିଛନ୍ତି ।

 

ହାଣିଗଲି ବର ଖୋବା ଲୋ

            ହାଣିଗଲି ବର ଖୋବା

ଉଠା ଭାତୁଆଣୀ ବସା ଯାଉପାଣି

            ଅଇଲୁ ବେଠିଆ ଧୋବା ଲୋ ।

(ରଙ୍ଗସଭା)

 

ମାଧବ ସୁଲୋଚନା ଗୀତିନାଟ୍ୟରେ ପ୍ରଚେଷ୍ଟା ବାରିକ ଜାତିପ୍ରତି ଲଘୁ ପରିହାସ ମାଧ୍ୟମରେ କବି ପ୍ରକାଶ କରିଛନ୍ତି-

 

ଆମ ଭଣ୍ଡାରୀ ଜାତିଟା ଭାଇ ବଡ଼ କାବୁ

ବାବୁଙ୍କ ସାଙ୍ଗରେ ଆମେ ଅଧାବାବୁ

ବାବୁ ଖାଇଲେ ଆଗ ଛାଡ଼ିଯାନ୍ତି ଆମ ଭାଗ

ଚାଟିଚୁଟି ଆମେ ତାକୁ ଖାଉସବୁ ।

(ମାଧବ ସୁଲୋଚନା)

 

ଏହିପରି ଅସଂଖ୍ୟ ହାସ୍ୟରସ ଭରା କଉତୁକିଆ କଥାମାନ ଗଣକବିଙ୍କ ସୃଜନୀ ମାନସରୁ ଉତ୍ପତ୍ତି ହୋଇ ନାଟ୍ୟ ଜଗତକୁ ରସାଣିତ କରି ଦେଇଅଛି ।

 

କରୁଣ ରସ : କରୁଣ ବା ଦୁଃଖଦ ପରିସ୍ଥିତିରେ ଏହି ରସ ସଞ୍ଚାର ହୋଇଥାଏ । ଶୋକ ଏହାର ସ୍ଥାୟୀଭାବ । ଯାହା ସମ୍ପର୍କରେ ଶୋଚନା ବା ଦୁଃଖ କରାଯାଏ ତାହା ଆଲମ୍ବନ ବିଭାବ । ସେ ଯଦି ମୃତ ତାର ଦାହାଦି କ୍ରିୟା ଉଦ୍ଦୀପନ । ଦୈବନିନ୍ଦା, ଦୀର୍ଘଶ୍ୱାସ, ସ୍ତମ୍ଭୀଭାବ, ଭୂଲୁଣ୍ଠନ ପ୍ରଭୃତି ଅନୁଭବ ଉଦ୍‌ବେଗ, ଉଚ୍ଛ୍ୱାସ, ଚିନ୍ତା, ଉଦାସୀନତା, ଗ୍ଳାନି, ମୋହ, ସ୍ମୃତି ପ୍ରଭୃତି ସଞ୍ଚାରୀଭାବ ।

 

ଗୀତିନାଟ୍ୟ ବା ଗୀତାଭିନୟଗୁଡ଼ିକରେ କରୁଣରସ ଭରପୁର ହୋଇ ରହିବାର ଦେଖିବାକୁ ମିଳେ । ଦୁଃଖଦ ପରିସ୍ଥିତି ମଞ୍ଚରେ ଅଭିନୀତ ହେଉଥିବାବେଳେ ଦର୍ଶକ ସମାଜ ସାଧାରଣତଃ ବୃଦ୍ଧମାନେ ଶୋକାଭିଭୂତ ହୋଇ ନିଜ ନୟନରୁ ନୀର ବର୍ଷଣ କରିବାକୁ ମଧ୍ୟ ପଛାନ୍ତି ନାହିଁ ।

 

ଏହାର କାରଣ ଉପଯୁକ୍ତ ପାତ୍ରପାତ୍ରୀମାନଙ୍କର ନିପୁଣ କଳାନୈପୁଣ୍ୟ ପ୍ରଦର୍ଶନ ଓ ନାଟ୍ୟକାରଙ୍କ ମନ ବା ହୃଦୟକୁ ଛୁଇଁଲା ପରି ସଂଳାପ ବା ସଙ୍ଗୀତର ସଂଯୋଜନା । କରୁଣ ରସ ପରିବେଷିତ ହେଉଥିବା ସମୟରେ ଅଭିନେତା ବା ଅଭିନେତ୍ରୀ ନିଜେ କାନ୍ଦେ ଓ ତାହାଦେଖି ଦର୍ଶକ ସମାଜ ମଧ୍ୟ କାନ୍ଦେ । ଏହାକୁ କହନ୍ତି ଚମତ୍‌କାର ସଫଳ ନାଟକ ଅଭିନୟ । କରୁଣ ରସରେ ରସାଣିତ ସଙ୍ଗୀତଗୁଡ଼ିକ ସମସ୍ତଙ୍କ ହୃଦୟକୁ ଅତିଶୀଘ୍ର ସ୍ପର୍ଶକରେ । ଗଣକବିଙ୍କର ନାଟକଗୁଡ଼ିକ ଅଧିକ ଭାବରେ ସଙ୍ଗୀତଧର୍ମୀ ହୋଇଥିବାରୁ ଦର୍ଶକ ସମାଜ ଏହାକୁ ଅଧିକ ଆନ୍ତରିକତା ସହିତ ଗ୍ରହଣ କରିଥାନ୍ତି ।

 

‘କର୍ଣ୍ଣବଧ’ ଗୀତିନାଟ୍ୟରେ ଦୁଃଶାସନର ମୃତ୍ୟୁପରେ ମହାମାନୀ ଦୁର୍ଯ୍ୟୋଧନ ଶୋକାଭିଭୁତ ହୋଇ ସାଧାରଣ ମଣିଷ ପରି ଭ୍ରାତୃ ବିୟୋଗର ଦୁଃଖ ସହ୍ୟ ନ କରିପାରି କ୍ରନ୍ଦନ କରୁଛନ୍ତି ।

 

ଆହାରେ ମନ୍ଦଦଇବ ଏକି ଛନ୍ଦକଲୁ

ଦେଖୁ ଦେଖଉ ମୋର ଭ୍ରାତା ପରାଣକୁ ନେଲୁ

ବିଧାତା କି ଯଶ ପାଇଲୁ

ଶତାନଇ ଭ୍ରାତୃ ବଧୂ ରାଣ୍ଡ କରାଇଲୁ ।

(କର୍ଣ୍ଣବଧ)

 

ସେହିପରି ପ୍ରହଲ୍ଲାଦ ଚରିତ ଗୀତିନାଟ୍ୟରେ ରାଜ୍ୟ ହରିଣାକ୍ଷର ମୃତ୍ୟୁପରେ ରାଜା ହରିଣ୍ୟକଶ୍ୟପୁ ଦେବର୍ଷି ନାରଦଙ୍କଠାରୁ ନିଜ ଭାଇର ମୃତ୍ୟୁ ଖବରପାଇ କହିଛନ୍ତି-

 

ଆହା ହରିଣାକ୍ଷ ଭାଇ ତୁହି

      ମୋ ଦକ୍ଷିଣ ବାହାରେ....

(ପ୍ରହ୍ଲାଦ ଚରିତ)

 

ସେହିପରି ଦକ୍ଷଯଜ୍ଞ ଗୀତିନାଟ୍ୟରେ ଦକ୍ଷ ପ୍ରଜାପତିଙ୍କର ଆଦେଶ ନେଇ ନାରଦ ଦକ୍ଷଙ୍କର ଅଣଷଠି ଜଣ କନ୍ୟାକୁ ଯଜ୍ଞ ଦେଖିବା ପାଇଁ ନିମନ୍ତ୍ରଣ ଦେଇଥିଲେ । କିନ୍ତୁ ପାର୍ବତୀଙ୍କୁ ନିମନ୍ତ୍ରଣ ନ ଦେବାପାଇଁ କହିଥିଲେ । ଫଳରେ ନିମନ୍ତ୍ରିତା ହୋଇ ଭଉଣୀମାନେ ଦକ୍ଷ ପୁରୀକୁ ଯିବାବାଟରେ କୈଳାସ ପର୍ବତରେ ଥିବା ପାର୍ବତୀଙ୍କୁ ଭେଟି ଦକ୍ଷଯଜ୍ଞ ଦେଖି ଯିବାପାଇଁ କହିଥିଲେ କିନ୍ତୁ ପାର୍ବତୀ ଭଉଣୀମାନଙ୍କୁ ନିରାଶ କରିବାକୁ ଯାଇ କହିଲେ ଯେ ତାଙ୍କୁ ତ ନିମନ୍ତ୍ରଣ ନାହିଁ । ଅତି ନିଖୁଣ ଭାବେ ସାଧାରଣ ପରିବାର ପରି ଅଭିମାନିନୀ କନ୍ୟାର ମାର୍ମିକ ଅଭିବ୍ୟକ୍ତି କବିଙ୍କର ବିଚିତ୍ର ତୁଳୀସ୍ପର୍ଶରେ ଜୀବନ୍ତଭାବେ ଉପସ୍ଥାପିତ ହୋଇଅଛି ।

 

      କାହିଁପାଇଁ ଭଉଣୀ ମୋତେ ଡାକୁଅଛ

                  ପିତାପୁର ଯିବାକୁ ଗୋ

      କେଉଁ ଦୋଷ କରିଥିଲି ମୁଁ ତାଙ୍କରି

                  ବରଣ ନ କଲେ ଶିବ ଶିବାକୁ ଗୋ

(ଦକ୍ଷଯଜ୍ଞ)

 

ଏହିପରି କରୁଣ ରସର ବର୍ଣ୍ଣନା କବିଙ୍କର ନାଟକର ଛତ୍ରେ ଛତ୍ରେ ପ୍ରକଟିତ ହୋଇଅଛି ।

 

ବୀରରସ:- ବୀରତ୍ୱ ଏହି ରସର ସ୍ଥାୟୀଭାବ । ଧୈର୍ଯ୍ୟ, ଗର୍ବ, ତର୍କ, ସ୍ମୃତି, ମତି, ରୋମାଞ୍ଚ ଏହି ରସର ବ୍ୟଭିଚାରୀ ଭାବ । ନାଟକ ଗୁଡ଼ିକରେ ଆବଶ୍ୟକ ମତେ ବୀର ରସର ସ୍ଫୁରଣ ଘଟିଛି । କେତେବେଳେ ପାତ୍ରପାତ୍ରୀ ନିଜର ବୀରପଣିଆ ନିଜ ମୁଖରେ ପ୍ରକାଶିତ ତ କେତେବେଳେ ଅନ୍ୟପାତ୍ରଙ୍କ ମୁଖରେ ବୀରତ୍ୱ ଗାଥା ପ୍ରକାଶିତ । ବୈଷ୍ଣବପାଣିଙ୍କ ରଙ୍ଗସଭା’ରେ ଏହାର ସ୍ପଷ୍ଟ ଚିତ୍ର ପ୍ରଦତ୍ତ ।

 

ସେ ପ୍ରଚଣ୍ଡ କଂସ            ଅଣ୍ଡାଳିଣ ନିଶ

ଡାକଇ ଡଗର ଗଲୁ କେଣେ

ଫାଟିଯାଏ ହଣ୍ଡା             ଆଣିଲାକି ହୁଣ୍ଡା

ଗଉଡ଼ ଅଣ୍ଡାକୁ ମନ୍ତ୍ରୀ ଏଣେ ।

(ରଙ୍ଗସଭା)

ଏଡ଼େ ତୋର ଛାତି            ଆମେ ଶଚୀପତି

ହାତୀଚଢ଼ାପଢ଼ା ଛଡ଼ାଇବି

ମାତିବି ଦଇତ ବ            ମୁଁ ନେଇତୋ

ସହସ୍ର ନୟନ ତଡ଼ାଇବି ।

(ହିରଣ୍ୟବଧ)

 

କର୍ଣ୍ଣବଧ, ମହିଷାସୁର ବଧ ଆଦି ବିଭିନ୍ନ ନାଟକରେ ଏହିପରି ଅସଂଖ୍ୟ ବୀର ରସାତ୍ମକ ସଙ୍ଗୀତଗୁଡ଼ିକ ନାଟକ ମଧ୍ୟରେ ଗଣକବି ପ୍ରୟୋଗକରି ନାଟକକୁ ବଳିଷ୍ଠ କରି ପାରିଛନ୍ତି ।

 

ରୌଦ୍ରରସ:- କ୍ରୋଧ ହିଁ ଏହି ରସର ସ୍ଥାୟୀଭାବ । ଉଗ୍ରତା, ଆବେଗତା, ଗର୍ଜନ, ତର୍ଜନ, ଚକ୍ଷୁବିସ୍ତାର, ଅଧର ଦଂଶନ, ବାହାସ୍ଫୋଟ, ଆୟୁଧ କ୍ଷେପଣ ପ୍ରଭୃତି ଏହି ରସର ଅନୁଭବ ଓ ବ୍ୟଭିଚାରୀ ଭାବ ।

 

ରୌଦ୍ର କଥା କହିଲାବେଳେ ସାଧାରଣତଃ ଶିବ ବା ମହାଦେବଙ୍କ ତାଣ୍ଡବ ନୃତ୍ୟ କଥା ମନେପଡ଼େ । ଏହିରସ ସୃଷ୍ଟିନାଶ ବା ବିଲୟକାଳରେ ପ୍ରୟୋଗ କରାଯାଇ ଥାଏ । ଏହାର ବିଭିନ୍ନ ଦୃଷ୍ଟାନ୍ତ ପାଣି ସାହିତ୍ୟରେ ଦେଖିବାକୁ ମିଳେ । ଜଳନ୍ଧର ବଧ ଗୀତିନାଟ୍ୟରେ ଦେବଦେବ ମହାଦେବଙ୍କ ସହ ଯୁଦ୍ଧ କରିବାକୁ ଅସୁର ରାଜା ଜଳନ୍ଧର ଆଗଭର ହୁଅନ୍ତେ, ଶିବଙ୍କର କ୍ରୋଧ ଦ୍ୱିଗୁଣିତ ହୋଇ ପଡ଼ିଛି । ନିଜ ପତ୍ନୀ ପାର୍ବତୀଙ୍କ ସୁରକ୍ଷା ପାଇଁ ଶିବ ରୁଦ୍ରରୂପ ଧାରଣପୂର୍ବକ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଏଥିରେ ଭୟଭୀତ ହୋଇ ଅସୁର ସମ୍ରାଟ ଜଳନ୍ଧର ଉପରକୁ ଆସ୍ଫାଳନ ଦେଖାଇ କହୁଛି

 

ଯେତେ ଡରାଇଲେ ଶିବ ଡରିବିକି

ଛାର ପ୍ରାଣ ଭୟେ ଶରଣ ପଶିବିକି

କରୁକରୁ ରଣପଛେ ତେଜିବି ଜୀବନ

ଅଲୋଡ଼ା ଜୀବନେ କିମ୍ପା ଆଉ ପ୍ରୟୋଜନ

ନିଜ ପ୍ରାଣ ଭିକ୍ଷା କରି ଆଉ ରହିବିକି

(ଜଳନ୍ଧର ବଧ)

 

ସେହିପରି ଦକ୍ଷଯଜ୍ଞ ଗୀତିନାଟ୍ୟରେ ଦେବୀ ପାର୍ବତୀ ଦକ୍ଷଙ୍କର ଯଜ୍ଞ କୁଣ୍ଡରେ ପ୍ରାଣହାନୀ ଘଟିବା ଖବର ଦେବର୍ଷି ନାରଦଙ୍କଠାରୁ ପ୍ରାପ୍ତ ହୋଇ ଦେବାଧିଦେବ ମହାଦେବ କ୍ରୋଧ ଜର୍ଜରିତ ହୋଇ ପଡ଼ିଛନ୍ତି । ଆଖିରେ ଅଗ୍ନିର ସ୍ଫୁଲିଙ୍ଗ, ତୃତୀୟ ନୟନରୁ ଅଗ୍ନିକଣା ବିଚ୍ଛୁରିତ ହୋଇଉଠିଛି । ଜଟା ଫିଟିଯାଇ ଭୂଲୁଣ୍ଠିତ ହୋଇଅଛି ନିଜ ପତ୍ନୀର ମୃତ୍ୟୁରେ ବ୍ୟଥିତ ହୋଇ ଶିବ ସାଜିଛନ୍ତି ଧୂର୍ଜଟୀ । ଶିବ ତାଣ୍ଡବ ନୃତ୍ୟ ପ୍ରକଟ କରି ତ୍ରିଶୁଳ ଧାରଣପୂର୍ବକ ସଚରାଚର ସଂସାରକୁ ଧ୍ୱଂସ କରିବା ନିମନ୍ତେ ବଦ୍ଧପରିକର । ଏପରି ଭୟଙ୍କର ରୂପ ଅବଲୋକନ କରି ଦେବ, ଦାନବ, ଯକ୍ଷ, ଗନ୍ଧର୍ବ, କିନ୍ନର ଓ ନର ନାରୀଗଣ ସ୍ତମ୍ଭୀଭୂତ । ଶେଷରେ ଦେବଗଣ ଶିବଙ୍କ ରାଗ ଶାନ୍ତ କରିବାକୁ ଯାଇ ତାଙ୍କୁ ମିଳିତ ଭାବରେ ସ୍ତୁତି କରିଛନ୍ତି । ଶିବ ଦେବଗଣଙ୍କୁ କହୁଛନ୍ତି :-

 

      ଚଳ ଚଳଚଳ ଦେବଯୁଦ୍ଧେ

            ଏତେବେଳେ ଡାକୁ ଅଛ ମୋତେ

      ସରବେ ମିଳିଣ ମୋତେ କଲ ଏତେସରି

      ନାରୀହୀନ ହେଲାଶିବ ବୋଲ ହରିହରି

      ବିପ୍ରବଇଷ୍ଣବ ଭାଷେ ଗୀତେ ।

(ଦକ୍ଷଯଜ୍ଞ)

 

ସେହିପରି ‘ଅଭିମନ୍ୟୁ ବଧ’ ଗୀତିନାଟ୍ୟରେ ଅଭିମନ୍ୟୁ ଦୁଃଶାସନ ଉପରେ ଅତ୍ୟନ୍ତ କ୍ରୋଧ ପ୍ରକାଶ କରି କହୁଛି-

 

ଆରେ ଦୁଃଶା ହୋଇବୁ ଆଜି ମୂଷା ପରିକି,

ଧନ୍ୟ ତୋ ଗାନ୍ଧାରୀ ମାଆ

            କେଡ଼େ ଅଦ୍‌ଭୁତ ଏହା

      କେମନ୍ତେ ସେ ଶହେ ଛୁଆ

            ପେଟେଥିଲା ଧରିକି ।

(ଅଭିମନ୍ୟୁବଧ)

 

ଭୟାନକ: ଏହିରସର ସ୍ଥାୟୀ ଭାବ ଭୟ । ଯିଏ ବା ଯାହା ଭୟର କାରଣ ସେ ଆଲମ୍ବନ । ତାର କାର୍ଯ୍ୟକଳାପ ଉଦ୍ଦୀପନ । ଗଦ୍‌ଗଦ୍‌ ଭାଷଣ, ବିବର୍ଣ୍ଣତା, ସ୍ୱେଦ ନିର୍ଗମ, ରୋମାଞ୍ଚ କମ୍ପନ ପ୍ରଭୃତି ଅନୁଭବ । ଘୃଣା, ମୋହ, ସଂତ୍ରାସ, ଗ୍ଳାନି, ଆଦି ସଞ୍ଚାରୀଭାବ । ଗଣକବିଙ୍କର କେତେକ ନାଟକରେ ଏହି ରସର ସ୍ଫୁରଣ ଦେଖିବାକୁ ମିଳେ । ‘କଂସ ଦିଗ୍‌ବିଜେ’ ଗୀତାଭିନୟରୁ ଏହି ରସର ଉଦାହରଣ ସ୍ପଷ୍ଟ ହୋଇଯିବ । ଯେତେବେଳେ କଂସ ଦେବକୀଙ୍କର ଛଅଟି ଗର୍ଭର ସନ୍ତାନକୁ ହତ୍ୟା କରିଛି, ସପ୍ତମଗର୍ଭ ଅନ୍ତର୍ଦ୍ଧାନ ହୋଇଛି ସେତେବେଳେ କଂସଭୟରେ ଆତଙ୍କିତ । ଅଷ୍ଟମ ଗର୍ଭ ହେଉଛି କଂସର କାଳ । ତେଣୁ ସେ ଅତ୍ୟନ୍ତ ଭୟଭୀତ ହୋଇ ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ତାର ଅନୁଚରମାନଙ୍କୁ କହୁଛି-

 

      ଷଡ଼ଗର୍ଭ ମୁହଁ କଲିବିନାଶ,

            ବନ୍ଦୀଘରେ ଜଗିଥିବତା ପାଶ

      ସପ୍ତମ ଗର୍ଭଟି ଗଲେ ଉଭେଇ

            ଖୋଜିଲେ କି ଲୋଡ଼ି ପାଇବଯାଇ

      ଅଷ୍ଟମ ଗର୍ଭ ମୋ କାଳ ଯେ

            ନିଶିଦିବା ଜଗିଥିବ ସୈନ୍ୟଗଣ କହିଲେ ବ୍ରହ୍ମା ଦୁଲାଳ ଯେ ।।

(କଂସ ଦିଗ୍‌ବିଜେ)

 

ସେହିପରି ‘‘ମେଘନାଦ ବଧ’’ ସୁଆଙ୍ଗରେ ରାମ ଇନ୍ଦ୍ରଜିତକୁ ମାରିବା ପାଇଁ ଭୟଭୀତ ହୋଇ ବିଭୀଷଣକୁ କହୁଛନ୍ତି-

 

କହ ବିଭୀଷଣ, ଅନୁଜ ଲକ୍ଷ୍ମଣ, ଦନୁଜକୁ କେହ୍ନେ ବଧିବି

ଜନକନନ୍ଦନା, କନକବରନା ସୀତା ଲାଗି କେତେ କାନ୍ଦିବି ।

(ମେଘନାଦବଧ)

 

ବୀଭତ୍ସ: ଏହିରସ ଘୃଣିତ ବ୍ୟକ୍ତି ବା ବସ୍ତୁଠାରେ ପ୍ରଯୁଜ୍ୟ ହେଉଥିବାରୁ ଏହି ରସର ସ୍ଥାୟୀଭାବ ଘୃଣା । ଛେପ ପକାଇବା, ମୁହଁ ବିକୃତ କରିବା, ଆଖି ବୁଜିବା, ମୋହ, ବ୍ୟାକୁଳତା, ଗ୍ଳାନି ବ୍ୟାଧି ପ୍ରଭୃତି ଅନୁଭାବ ଓ ସଞ୍ଚାରୀଭାବ ।

 

ଗଣକବି ବୈଷ୍ଣବ ପାଣିଙ୍କ ସାହିତ୍ୟରେ ଏହି ରସର ସ୍ଫୁରଣ ଘଟିଛି । ତାଙ୍କର ‘କୁମ୍ଭକର୍ଣ୍ଣ ବଧ’ ନାଟକରେ ଦୂତ ମଞ୍ଚକୁ ପ୍ରବେଶ କରି ମାଙ୍କଡ଼ମାନଙ୍କୁ ଗାଳିଦେଇ କହୁଛି-

 

ମରୁ ନାହାନ୍ତି ଏ ବୁଢ଼ା ମାଙ୍କଡ଼ଗୁଡ଼ାରେ

            ଖତାଇ ହୁଅନ୍ତି ଦାନ୍ତ ଦେଖାଇ ପିଢ଼ାରେ

ଛାଡ଼ି ନିଜ ଘର ବାଡ଼ି ପର ପିଢ଼ାରେ ଏ ପଡ଼ି

            କାଢ଼ୁଥାନ୍ତି ମୁହଁ ତୋଡ଼ ଏଡ଼େ ଥୋବଡ଼ାରେ ।। ୧ ।।

(କୁମ୍ଭକର୍ଣ୍ଣ ବଧ)

 

ସେହିପରି ’ଲକ୍ଷଣା-ପରିଣୟ’ ଗୀତିନାଟ୍ୟରେ ଦୁର୍ଯ୍ୟୋଧନ ନାରଦଙ୍କ ଆଗରେ ଶ୍ରୀକୃଷ୍ଣଙ୍କୁ ତାଚ୍ଛଲ୍ୟରେ କହୁଛି

 

      ଗଉଡ଼-ବାଉଡ଼ ସେତ ହାଉଡ଼ିଆ ଜାତି

      ଲଉଡ଼ି ଧରି ବାଛୁରୀ ରଖୁଥାନ୍ତି ନୀତି ।ପଦ।

ଷଣ୍ଢାମରା ଦଣ୍ଡାବୁଲା ଭଣ୍ଡପଣେ

      ପର ରମଣୀକୁ ହରେନେଇ ବଣେ

ଛେଳି-ଗୋତରିଆ ମାଇଁ ତୁଲେ ତା ପୀରତି ।

(ଊକ୍ଷଣା ପରିଣୟ)

 

ଅଦ୍‌ଭୁତ : ମରିଥିବା ଲୋକ ବଞ୍ଚି ଉଠିବା, ଉଚ୍ଚ ପର୍ବତରୁ ଫିଙ୍ଗାଯାଇ ଥିବା ଛୋଟବାଳକ ଅକ୍ଷୁର୍ଣ୍ଣ ଅବସ୍ଥାରେ ଉଦ୍ଧାର ହେବା, ସର୍ପଦଂଶନରେ ମୃତ୍ୟୁ ନ ହେବା ଆଦି ଅଲୌକିକ ଦୃଶ୍ୟବଳୀର ଅବତାରଣା ପ୍ରକୃତରେ ଅଦ୍‌ଭୁତ ରସର ଅନ୍ତର୍ଭୁକ୍ତ । ପ୍ରହ୍ଲାଦ ଚରିତ, ରଙ୍ଗସଭା, ଦାନବୀର ହରିଶ୍ଚନ୍ଦ୍ର, ଦାନୀକର୍ଣ୍ଣ ଆଦି ଗୀତିନାଟ୍ୟରେ ଏହି ରସ ଦେଖିବାକୁ ମିଳେ । ‘କୁମ୍ଭକର୍ଣ୍ଣ ବଧ’ ଗୀତିନାଟ୍ୟରୁ ଏହି ରସର ଦୃଷ୍ଟାନ୍ତ ସ୍ପଷ୍ଟ ହୋଇଯିବ । ଯେତେବେଳେ ରାମଚନ୍ଦ୍ର କୁମ୍ଭକର୍ଣ୍ଣକୁ ବଧ କରିବାକୁ ବ୍ୟଗ୍ର ଏବଂ ଶର ଚାଳନା କରୁଛନ୍ତି ସେତେବେଳେ କୁମ୍ଭକର୍ଣ୍ଣ ତୁଣ୍ଡ ବିସ୍ତାର କରି ଶରଗୁଡ଼ିକୁ ଗିଳି ପକାଇଛି ।

 

      କେଡ଼େ କେଡ଼େ ବାଣଗଣ ଗଳିଯାଏ ତୁଣ୍ଡ

                  ବିସ୍ତାରି ଅସୁର

      ଦେଖିଣ ଲକ୍ଷ୍ମଣ ରାଇ ତତକ୍ଷଣ

                  କପିଗଣ ନିକଟର ।।

(କୁମ୍ଭକର୍ଣ୍ଣ ବଧ)

 

ଦାନବୀର ହରିଶ୍ଚନ୍ଦ୍ର ଗୀତିନାଟ୍ୟରେ ମଧ୍ୟ ଏହାର ବର୍ଣ୍ଣନା ଅଛି । ରୋହିତକୁ ସର୍ପ ଦଂଶନ କରିଛି ଓ ରୋହିତ ମୃତ୍ୟୁବରଣ କରିଛି କିନ୍ତୁ ପରିଣତିରେ ରୋହିତ ବଞ୍ଚି ଉଠିଛି । ପ୍ରହ୍ଲାଦ ନାଟକରେ ମଧ୍ୟ ସେହିପରି ଘଟିଛି ।

 

ଶାନ୍ତରସ: ନାଟକର ପରିସମାପ୍ତି କାଳରେ ପ୍ରାୟତ ଶାନ୍ତରସ ପ୍ରକଟିତ ହୋଇଥାଏ । ଦୃଷ୍ଟ ଦାନବର ମୃତ୍ୟୁପରେ ବା ଦୋଷୀ ଉପଯୁକ୍ତ ଦଣ୍ଡ ଭୋଗି ସାରିଲାପରେ ଶାନ୍ତିର ବାତାବରଣ ଫେରିଆସେ । ଭଲକାର୍ଯ୍ୟ ପାଇଁ ଭଲ ଫଳ, ମନ୍ଦକାର୍ଯ୍ୟ ପାଇଁ ମନ୍ଦ ଫଳ ଭୋଗ କରିବା ପାଇଁ ଏକ ନୀତିଗତ ମୀମାଂସା ହୋଇଥିବାରୁ ଦର୍ଶକ ସମାଜ ନାଟକ ଦେଖି ଶାନ୍ତରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହା ହିଁ ଶାନ୍ତି ରସର ପରିପ୍ରକାଶ ଅମୀମାଂସିତ ନାଟକକୁ ଦର୍ଶକ ସମାଜ ସାଧାରଣତଃ ଗ୍ରହଣ ନ କରି ସମାଲୋଚନା କରିଥାନ୍ତି । ବୈଷ୍ଣବପାଣିଙ୍କର ପ୍ରତ୍ୟେକଟି ନାଟକର ପରିଣତିରେ ଶାନ୍ତରସ ବିଦ୍ୟମାନ । ତେଣୁ ଏଠାରେ ଯେକୌଣସି ଗୋଟିଏ ବା ଦୁଇଟି ନାଟକର ଉଦାହରଣ ଦେଲେ ଏହି ରସପାଇଁ ଯଥାର୍ଥ ହେବ ।

 

କେଡ଼େ ମନୋହର ଦେଖ ସଂସାରର ରୀତିନୀତି

ଭଲେ ଭଲ ଘଟେ ମନ୍ଦ ମନ୍ଦେ ହୁଏ ପ୍ରାପତି

ଯେ କରବି ନାରୀ ଚୋରି,             ସେ ହେବ ରାବଣ ପରି

ବଇଷ୍ଣବ ବୋଲେ ଆୟୁ ଥାଉଁ ନେବ ଜନ୍ତୁପତି ।।

(ରାବଣ ବଧ)

 

ଶିକ୍ଷାକର ପିତୃଭକ୍ତି                  ଦୀକ୍ଷାକର ଏହିନୀତି

ଭିକ୍ଷାକର ପଛେ ସତ୍ୟ ବାଟ ନ ଛାଡ଼ଇ

ଭାଇରେ ଭାଇରେ ସ୍ନେହ            କେମନ୍ତେ ଦେଖିଲ କହ

ବୃଥା ଅହଙ୍କାରେ ନର ଆଉ ନ ପଡ଼ ।।

 

ବାତ୍ସଲ୍ୟ ରସ: କେତେକଙ୍କ ମତରେ ଏହିରସ ଶାନ୍ତ ରସର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏହାର ଏକ ସ୍ୱାତନ୍ତ୍ର୍ୟ ରହିଅଛି । ସଂସ୍କୃତ ଭାଷାର ବତ୍ସସ୍ ଶବ୍ଦରୁ ବାତ୍ସଲ୍ୟ ଶବ୍ଦର ସୃଷ୍ଟି । ମାତା ସହିତ ସନ୍ତାନ ସନ୍ତତିମାନଙ୍କର ନିବିଡ଼ତମ ସ୍ନେହ ଆଦରକୁ ହିଁ ବାତ୍ସଲ୍ୟ ମମତା ବା ବାତ୍ସଲ୍ୟ ସ୍ନେହ କୁହା ଯାଇଥାଏ । ଗୀତିନାଟ୍ୟଗୁଡ଼ିକରେ ମାତୃହୃଦୟର ଅଭିବ୍ୟକ୍ତିକୁ ଗଣକବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସନ୍ତାନସନ୍ତତିଙ୍କର ଅନୁପସ୍ଥିତିରେ ଦୁଃଖିତା ମାତା ନୟନରୁ ଅଶ୍ରୁଧାର ବୁହାଇ ପୁତ୍ର କନ୍ୟାର ମଙ୍ଗଳ କାମନା କରିବା ସହିତ ତାଙ୍କର ଅତୀତର ଗୁଣାବଳୀକୁ ବର୍ଣ୍ଣନା କରିଥାନ୍ତି । ତାହା ଏହି ରସ ଆଲୋଚନା ସମୟରେ ବିଚାର୍ଯ୍ୟ । ‘‘ରଙ୍ଗସଭା’’ ଗୀତିନାଟ୍ୟରେ ମଥୁରାରାଟ କଂସର ନିର୍ଦ୍ଦେଶରେ ଅକ୍ରୁର କୃଷ୍ଣବଳରାମଙ୍କୁ ଗୋପପୁର ନେଇଯିବା ପାଇଁ ରଥ ନେଇଆସିଛି । ନନ୍ଦରାଜାଙ୍କଠାରୁ ବିଦାୟ ନେଇ ଆସିବା ପରେ ମାତା ଯଶୋଦାଙ୍କଠାରୁ ପୁତ୍ରଦ୍ୱୟ କୃଷ୍ଣବଳରାମ ବିଦାୟ ନେବା ସମୟରେ ନନ୍ଦରାଣୀ ଯଶୋଦା କାନ୍ଦିକାନ୍ଦି ନିଜ ମାତୃ ହୃଦୟର କରୁଣ ଅଭିବ୍ୟକ୍ତିକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ କହୁଛନ୍ତି-

 

      ଦୁଃଖୀ ଧନ ନୀଳମଣିରେ

            ମାଆ ବୋଲି କିଏ ଡାକିବ ମୋତେ

      ଗୋରୁ ଘେନି ଫେରି ଆସିଲା ବେଳକୁ

            କାହାପାଇଁ ଜଗି ବସିବି ପଥେ ।।

(ରଙ୍ଗ ସଭା)

ସେହିପରି ଦାନବୀର ହରିଶ୍ଚନ୍ଦ୍ର ଗୀତିନାଟ୍ୟରେ ମଧ୍ୟ ଅନୁରୂପ ବର୍ଣ୍ଣନା ରହିଛି । ରୋହିତକୁ ସର୍ପ ଦଂଶନ କଲାପରେ ଶୈବ୍ୟାରାଣୀ ପୁତ୍ର ଶୋକରେ ଅଧୀରା ହୋଇ ଗାଇଛନ୍ତି ।

 

ବାପ, କେଉଁପରି ତୋତେ ଯିବିଛାଡ଼ି

ଭାବିଲେ ସେ ଭାବମାନ            ପୋଡ଼ିଯାଉଛି ମୋ ମନ

ପଡ଼ିବ ଆକାଶ ଶିରେ ଛିଡ଼ି ।

(ଦାନବୀର ହରିଶ୍ଚନ୍ଦ୍ର)

 

ଏହିପରି ରସର ଅବତାରଣା ତାଙ୍କର ବହୁ ନାଟକରେ ଦେଖିବାକୁ ମିଳେ । ପ୍ରହଲ୍ଲାଦ ଚରିତ, ଦାନୀକର୍ଣ୍ଣ ଆଦି ବହୁ ଗୀତିନାଟ୍ୟ ଏହି ବାତ୍ସଲ୍ୟରସରେ ରସାଣିତ।

 

ଭକ୍ତିରସ: ପ୍ରତି ନାଟକରେ ପାଣିକବି ଧର୍ମ ଭାବକୁ ମୁଖ୍ୟତଃ ପ୍ରାଧାନ୍ୟ ଦେଇଛନ୍ତି । ଦେବର୍ଷି ନାରଦଙ୍କ ମୁଖରେ, ଭକ୍ତମୁଖରେ, ବିପଦକାଳର ପାତ୍ରପାତ୍ରୀଙ୍କ ମୁଖରେ ଭକ୍ତିରସ ପ୍ରକଟ କରାଇ ଏକ ଅଭିନବ ପରମ୍ପରା ସୃଷ୍ଟି କରିଛନ୍ତି । ସେହି ଭକ୍ତି ରସର ସଙ୍ଗୀତରୁ କେତୋଟି ନିମ୍ନରେ ଆଲୋଚିତ । ଦେବର୍ଷି ନାରଦଙ୍କର ଅନେକ ଭକ୍ତିରସଭରା ଗୀତଗୁଡ଼ିକୁ ଗାଇ ଗାଇ ପ୍ରବେଶ ପ୍ରକୃତରେ ଏହି ଅଭିନବ ସୃଷ୍ଟି ।

 

      ଗାଅରେ ବୀଣା,

                  ଗୋବିନ୍ଦ ଗୋକୁଳାନନ୍ଦ

      ଗୋବର ଧନ ଧାରଣ ନାରାୟଣ ଆଦିକନ୍ଦ

                  ନାଗ ଗରବ ଗଞ୍ଜନ

      ଜୟ ଜାମଳା ଭଞ୍ଜନ ଗୋପୀ ସମ୍ପଦ

                  ଗରୁଡ଼ ଆସନ ଗଙ୍ଗାଧରଙ୍କ ଚାନ୍ଦ ।

 

ହରିଣ୍ୟବଧ ଗୀତିନାଟ୍ୟରେ ପ୍ରହଲ୍ଲାଦର ପ୍ରାର୍ଥନା-

 

      ଶ୍ରୀ ନନ୍ଦ ନନ୍ଦନ ଜଗତ ବନ୍ଦନ

                  ଜୟ ଜୟ ଯଶୋଦା କୁମର ।

 

      ହନ୍ତୀ ପାଦତଳୁ ରକ୍ଷା ପାଇବା ପାଇଁ ମଧ୍ୟ ପ୍ରାର୍ଥନା କରି ଗାଇ ଉଠିଛି-

 

ଜୟ ଜୟ ହେ ଦେବ ଦଇତାରୀ

ହସ୍ତୀ ପଦରୁ ବାରେ କର ପାରି ।

 

ଗୀତିନାଟ୍ୟ ବ୍ୟତିତ ତାଙ୍କର ଅନେକ ଭକ୍ତି ରସାତ୍ମକ ଭଜନମାନ ମଧ୍ୟ ଅଛି । ଭଜନ ମାଧ୍ୟମରେ ଭକ୍ତିରସର ପରିପ୍ରକାଶ କରିବାକୁ ଯାଇ କି ଲେଖିଛନ୍ତି ।

 

                  ଛାଡ଼ ମାଡ଼ ଖିଆ ବୁଦ୍ଧି ହେ

                              ବଡ଼ ଦେଉଳ ବଡ଼ ଗୋସାଇଁ

                  ଯେ ମାଇଲା ମାଡ଼ ସେ ହୋଇଲା ବଡ଼      

                              ବାଡ଼ ଦେଲୁ ତାକୁ ତୁହି ।

 

                  ମାଡ଼ ଦେଲା ଗୋପେ ଗଉଡ଼ୁଣୀ ରାଧା

                              ତା ଗୋଡ଼ ଧଇଲୁ ଯାଇ

                  ନନ୍ଦରାଟ ଛାଟ ଆଣ୍ଟେ ପିଟିବାରୁ

                              ନେଲୁ ବଇକୁଣ୍ଠ ଭୂଇଁ ।

 

ଅନ୍ୟ ଏକ ଭଜନ :

            ହେଳା କରନା ହେ ନୀଳାଚଳ ନାଥ ଆଉ

            ବଳାଇଲା ଦୁଃଖ କଳାକର ମୁଖ ତୋ ପରା ଚାଳକ ଥାଉ ।

 

ଗଣକବି ବୈଷ୍ଣବ ପାଣି ତାଙ୍କର ସୃଷ୍ଟି ଭିତରେ ଏକ ରସର ଝରଣା ବୁହାଇ ଦେଇଛନ୍ତି । ତାଙ୍କର ପ୍ରତ୍ୟେକଟି ରଚନା ଗଣଚିତ୍ତକୁ ଗଣମାନସକୁ ଆନ୍ଦୋଳିତ ଓ ଆକର୍ଷିତ କରିପାରୁଛି । ଏହି ଅତ୍ୟାଧୁନିକ ଯୁଗରେ ଗୀତାଭିନୟ ଓ ଗୀତିନାଟ୍ୟର ଯୁଗ ଅତୀତ ହୋଇଛି, ତଥାପି ଗଣକବି ବୈଷ୍ଣବ ପାଣିଙ୍କ କାବ୍ୟ କବିତାରେ ଆଦୃତି ଓ ଉଦ୍ଧୃତି ଅବଶ୍ୟମ୍ଭାବୀ କାରଣ ପାଠକ ଓ ଦର୍ଶକଙ୍କ ହୃଦୟରେ ବୈଷ୍ଣବପାଣିଙ୍କ ସାହିତ୍ୟ ରସର ଝରଣା ବୁହାଇ ପାରିଛି । ତାଙ୍କର ଭାଷା, ଅତୀବ ସରଳ । ଯାହା ଫଳରେ ଏହି ଜନଚିତ୍ତକୁ ଆକୃଷ୍ଟ କରି କବି ବୈଷ୍ଣବ ପାଣି ଯଥାର୍ଥରେ ଗଣକବି ବୋଲି ପ୍ରମାଣିତ ହୋଇଛି ।

 

 

ଗ୍ରାମ-ଖମାରବେଲରପା

ପୋଅ-ସାହାନିୟାଜପୁର, ଭାୟା-ନିଶ୍ଚିନ୍ତକୋଇଲି

ଜି.-କେନ୍ଦ୍ରାପଡ଼ା, ପିନ୍-୭୫୪୨୦୭

ମୋ:୮୮୯୫୨୮୩୫୨୫

 

***

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର କଳାତ୍ମକ ସୃଜନାଦର୍ଶ

ବୀଣାପାଣି କର

 

‘ସହିତର ଭାବ’ ସାହିତ୍ୟ । ଏହା ତା’ର ପାଠକକୁ ମିତ୍ର ସମ୍ମତ ସହଯୋଗ ଦେଇଥାଏ । ନାଟକ ହେଉଛି ସାହିତ୍ୟର ଏକମାତ୍ର ବିଭାଗ ଯେଉଁଥିରେ ଏହି ସହଯୋଗ ଅତ୍ୟନ୍ତ ଆକର୍ଷଣୀୟ । ନାଟକ ସମାଜର ଦର୍ପଣ ସଦୃଶ । ଏଥିରେ ସମାଜ ଓ ସଂସ୍କୃତିର ପ୍ରତିଫଳନ ଘଟେ । ସତ୍ୟର ଉଦ୍‌ଘାଟନ ହୁଏ । (୧) ଅଭିନୟ ମାଧ୍ୟମରେ କୌଣସି ଏକ ଚରିତ୍ରର ଭାବପ୍ରକାଶ ଓ ତା’ର ସମସାମୟିକ ସାମାଜିକ ପରିବେଶର ସମୁଚିତ ମୂଲ୍ୟାଙ୍କନରେ ହିଁ ନାଟକର କଳା ବିକଶିତ ହୁଏ ।

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର ସୃଜନ ଆଦର୍ଶ ସମ୍ପର୍କରେ ଆଲୋଚନା କରିବାକୁ ଗଲାବେଳେ ତତ୍କାଳୀନ ଓଡ଼ିଶାର ଜନଜୀବନ ଓ ଏହାର ରାଜନୈତିକ, ସାମାଜିକ, ସାଂସ୍କୃତିକ ତଥା ଅର୍ଥନୈତିକ ପ୍ରେକ୍ଷାପଟ୍ଟଗୁଡ଼ିକ ସମ୍ବନ୍ଧରେ ବିଶ୍ଳେଷଣ ସର୍ବାଦୌ ଆବଶ୍ୟକ । ଓଡ଼ିଆ ସାହିତ୍ୟରେ ପ୍ରାଥମିକ ପର୍ଯ୍ୟାୟର ନାଟକ ରୂପେ ସାଧାରଣତଃ ଜଗମୋହନଙ୍କଠାରୁ ଭିକାରୀ ଚରଣଙ୍କ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ । ଓଡ଼ିଆ ନାଟକର ଦ୍ୱିତୀୟ ପର୍ବ ଆରମ୍ଭ ହୁଏ ୧୯୨୦ ରୁ ୧୯୫୦ ମସିହା ପର୍ଯ୍ୟନ୍ତ । ଏହି ସମୟସୀମା ମଧ୍ୟରେ ମଞ୍ଚ, ଅଭିନୟ ଓ ନାଟକ ସବୁଥିରେ ପରିବର୍ତ୍ତନ ଆସିଛି । ଲୋକନାଟକ ପ୍ରଭାବରୁ ନାଟକ ମୁକ୍ତ ହେବାକୁ ଚେଷ୍ଟା କରିଛି । ସମୟର ପ୍ରାଣସ୍ପନ୍ଦନ ହିଁ ଏହି ସମୟର ନାଟକକୁ କବଳିତ କରିଛି । ସ୍ୱାଧୀନତା ପରେ ଦେଶରେ ଯେଉଁ ରାଜନୈତିକ ପରିବର୍ତ୍ତନମାନ ସଂଘଟିତ ହୋଇଛି ନାଟକରେ ତାହାର ପ୍ରତିଫଳନ ହେବ ଏକ ସ୍ୱାଭାବିକ ଘଟଣା । ସ୍ୱାଧୀନତାକୁ ନେଇ କୋଟି କୋଟି ଭାରତୀୟ ଜନତା ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନ ଭାଙ୍ଗିଯାଇଛି । ଅହିଂସା ମାର୍ଗରେ ସ୍ୱାଧୀନତା ଲାଭ କରିଥିବା ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟ ଭାରତରେ ତ୍ୟାଗ ବଦଳରେ ଭୋଗ, ମତ ବିରୁଦ୍ଧରେ ମତାନ୍ଧତା, ସମୂହ ସ୍ୱାର୍ଥ ନାମରେ ବ୍ୟକ୍ତିସ୍ୱାର୍ଥ, ଦେଶ ସେବା ନାମର ଆତ୍ମସେବା ଯୁଗୀୟ ନୀତିରେ ପରିଣତ ହୋଇଛି । ସ୍ୱାଧୀନତାର ମୋହଭଙ୍ଗ ହୋଇଛି । ସାଧାରଣ ଜନତା ଗାନ୍ଧି ଦର୍ଶନ ଓ ଜାତୀୟ ମୁକ୍ତି ଆନ୍ଦୋଳନର ଫଳାଫଳକୁ ନେଇ ଯେଉଁ ସ୍ୱପ୍ନର ବାଲିଘର ଗଢ଼ିଥିଲା ରାଜନୀତିର ତରଙ୍ଗରେ ତାହା ଭାଙ୍ଗି ଚୂରମାର ହୋଇଯାଇଛି । କଳା, ସାହିତ୍ୟ ଓ ସଂସ୍କୃତି ସମସ୍ତ ରାଜନୀତିର ରଙ୍ଗରେ ରଙ୍ଗାୟିତ ହୋଇଛନ୍ତି । ପରବର୍ତ୍ତୀ ସମୟେ ପଞ୍ଚବାର୍ଷିକ ଯୋଜନାର ବାସ୍ତବ ରୂପାୟନରେ ବିଫଳତା, ନିର୍ବାଚନ ଯୁଦ୍ଧର ହଟଚମକ, ବେକାରୀ ସମସ୍ୟା, ଦ୍ରୁତ ଶିଳ୍ପୀକରଣ, ମାର୍କସଙ୍କ ସାମ୍ୟବାଦର ପ୍ରବେଶ, ଫେମିନିଷ୍ଟ ଆନ୍ଦୋଳନ, ପପ୍ ଓ ଡିସ୍କୋ କଲଚର, ଇଲେକ୍ଟ୍ରାନିକ୍ ମାଧ୍ୟମର ଦ୍ରୁତ ପ୍ରସାର, ଦୁଇ ଦୁଇଟି ବିଶ୍ୱଯୁଦ୍ଧର ଭୟାବହତା ଓ ତତ୍‍ପରବର୍ତ୍ତୀ ଅର୍ଥନୀତିକ ସ୍ଥିତି, କୃଷିଭିତ୍ତିକ ଜୀବନ ପ୍ରବାହର କ୍ଷୟିଷ୍ଣୁ ଦିଗ ପୁଞ୍ଜିବାଦୀ ସମାଜର ପ୍ରସାର, ପାରିବାରିକ ଓ ସାମାଜିକ ଜୀବନରେ ନୀତିବାଦୀ ଚିନ୍ତାଧାରା ଓ ଆଦର୍ଶବାଦ ବିପର୍ଯ୍ୟୟ, ପିକାସୋଙ୍କ କଳା ଓ ଫ୍ରଏଡ଼୍‌ଙ୍କ ଯୌନତତ୍ତ୍ୱ ଇତ୍ୟାଦି ସମାଜ କବିଳିତ ତଥା ପରିବର୍ତ୍ତିତ ହୋଇଛି ।

 

ସ୍ୱାଧୀନତା ପରେ ଶିଳ୍ପ ସଭ୍ୟତାର ଅଭିବୃଦ୍ଧି ଫଳରେ ବ୍ୟକ୍ତିର ମାନସିକ ସ୍ଥିତି କ୍ଷତିଗ୍ରସ୍ତ ହୋଇଛି । ବ୍ୟଷ୍ଟି ନୁହେଁ ବ୍ୟକ୍ତି ଚେତନା ସମାଜରେ ପ୍ରତିଷ୍ଠା ଲାଭ କରିଛି । ‘ସର୍ବେ ଭବନ୍ତୁ ସୁଖୀନଃ’ ଆଦର୍ଶକୁ ମୂଳ କରି ଜିଉଁଥିବା ଦେଶର ଲୋକ ହଠାତ୍ । A world into himselfର ଦର୍ଶନକୁ ଗ୍ରହଣ କରି ନେଇଛି । (୨) ପାରମ୍ପରିକ ମୂଲ୍ୟବୋଧର ହ୍ରାସ ମନୁଷ୍ୟର ଆଧ୍ୟାତ୍ମିକ ଚେତନାକୁ ହ୍ରାସ କରିଦେଇଛି । ଈଶ୍ୱର ହୋଇଛନ୍ତି ମୃତ, ଏକ ଅଲୋଡ଼ା ଅଖୋଜା ବସ୍ତୁଟିଏ । ଦେଶର ଏହିପରି ସାମାଜିକ ଭିତ୍ତିଭୂମିରେ ପ୍ରତିଷ୍ଠିତ ଓଡ଼ିଶାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସଙ୍କଟ ଦେଖା ଦେଇଛି । ତାହା ହେଉଛି ଦେଶୀୟ ରାଜାମାନଙ୍କ ହାତରୁ ଶାସନର କ୍ଷମତା ଅପସାରଣ ଓ ତଦ୍‌ଜନିତ ଆତ୍ମ ହୀନମନ୍ୟତା । ସ୍ୱାଧୀନ ଭାରତ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ ମଧ୍ୟ ସାଧାରଣ ଜୀବନଯାତ୍ରାରେ କୌଣସି ପରିବର୍ତ୍ତନ ଆଣିପାରି ନାହିଁ । ତେଣୁ ସାଧାରଣ ଜନତାଟି ଭାବି ନେଇଛି ନୂଆ କିଛି ଘଟିବାର ନାହିଁ । ଫଳତଃ ସେ ଭାଗ୍ୟବାଦୀ ହୋଇଛି । ଲାଞ୍ଚମିଛ, ଚୋରାବେପାର, ଅସାଧୁତା ଅପମିଶ୍ରଣ, ମାଦବ ଦ୍ରବ୍ୟର ବହୁଳ ପ୍ରସାର ଓ ଶିକ୍ଷାର ଅଧୋଗତି ମନୁଷ୍ୟର ଜୀବନଯାତ୍ରାକୁ ଦୁର୍ବିସହ କରିଦେଇଛି । ଅସହାୟ ସାଧାରଣ ଜନତା ଅପେକ୍ଷା କରିଛି ଆଉ କୌଣସି ଏକ ଅଜଣା ବୃହତ୍ତର ଶକ୍ତିକୁ ଯେ ତା’ର ଦୁଃଖ ବୁଝିବ ଓ ସେ ଚାହୁଁଥିବା ସକଳ ପରିବର୍ତ୍ତନ ସାଧିତ ହେବ ।

 

ସମାଜ ଜୀବନର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ କବି/କଳାକାର/ନାଟ୍ୟକାର/ସାମ୍ବାଦିକ ତଥା ଶିକ୍ଷିତ ସମାଜ ସାଧାରଣ ଜନତାର ମୁଖପାତ୍ର ପାଲଟି ଯାଇଛନ୍ତି । ସାମାଜିକ ଜୀବନର ଏହି ଦୁଃସ୍ଥିତିକୁ ସେମାନେ ନିଜ ନିଜ ସୃଷ୍ଟି ମଧ୍ୟରେ ବାନ୍ଧି ରଖିବାକୁ ପ୍ରୟାସ କରିଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ଏହିପରି ଭିତ୍ତିଭୂମି ଉପରେ ନାଟକ ସମାଜ ଜୀବନର ବିଶିଷ୍ଟ ସାମାଜିକ ସମସ୍ୟାଗୁଡ଼ିକୁ ସିଧାସଳଖ ତଥା ଦୃଢ଼ଭାବରେ ପ୍ରକାଶିତ କରିବାର ଏକମାତ୍ର ସାହିତ୍ୟିକ ମାଧ୍ୟମ ହୋଇଛି, କାରଣ ନାଟକ ହେଉଛି କଥାକୁହା ସାହିତ୍ୟ ବା ଉଚ୍ଚାରଣ ଯୋଗ୍ୟ ଭାଷାର କାରିଗରୀ, ଅକ୍ଷରରେ ଗୁନ୍ଥା ହୋଇଥିବା ଗୁଡ଼ିଏ ଜୀବନ୍ତ ଅନୁଭୂତିର ନକଲ (୩)

 

ଓଡ଼ଆ ନାଟକର ଦ୍ୱିତୀୟପର୍ବ (୧୯୨୦ରୁ ୧୯୫୦)ରେ ନାଟ୍ୟକାରମାନେ ଅସହଯୋଗ ଆନ୍ଦୋଳନ, ଅଗଷ୍ଟ ବିପ୍ଳବ, ସ୍ୱାଧୀନତା ଆନ୍ଦୋଳନ, ଯୁଦ୍ଧବିରୋଧୀ ମନୋଭାବ, ବିଶ୍ୱଯୁଦ୍ଧର ପ୍ରଭାବ, ଅର୍ଥନୀତିକ ସମସ୍ୟା, ଅସ୍ପୃଶ୍ୟତା ବିରୁଦ୍ଧରେ ବିଦ୍ରୋହ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ, ଥିଲାବାଲା ନ ଥିଲାବାଲାର ସଂଘର୍ଷ, ଜାତୀୟତାବୋଧ, ବେକାରୀ ସମସ୍ୟା ଓ ଯୌତୁକ ସମସ୍ୟା ଆଦି କଥାବସ୍ତୁକୁ ନେଇ ନାଟକ ରଚନା କରିଛନ୍ତି । ଅଶ୍ୱିନୀକୁମାର, କାଳୀଚରଣ, ଗୋଦାବରୀଶ ମିଶ୍ର ପ୍ରଭୃତି ନାଟ୍ୟକାର ଭାରତୀୟ ତଥା ଉତ୍କଳୀୟ ବୀରପୁରୁଷଙ୍କ କାହାଣୀକୁ ଭିତ୍ତିକରି ନାଟକ ରଚନା ପୂର୍ବକ ତାହା ମାଧ୍ୟମରେ ଉତ୍କଳର ଐତିହ୍ୟକୁ ପୁନଃ ମୂଲ୍ୟାୟନ କରି ନିର୍ବେଦ ଉତ୍କଳବାସୀଙ୍କ ମନରେ ଅତୀତର ସ୍ମୃତିକୁ ଜାଗ୍ରତ କରିବା ପାଇଁ ପ୍ରଚେଷ୍ଟା କରିଛନ୍ତି ।

 

ଓଡ଼ିଆ ନାଟକର ଉତ୍ତର ପର୍ବ ଆରମ୍ଭ ହୋଇଛି ୧୯୫୦ ମସିହାଠାରୁ । ଏହାର ସମୟସୀମା ୧୯୫୦ ରୁ ୧୯୮୦ ମସିହା ମଧ୍ୟରେ ସୀମିତ । ଏହି ସମୟରେ ଓଡ଼ିଆ ନାଟକରେ ଐତିହାସିକ ଓ ପୌରାଣିକ ଚେତନା ଲୁପ୍ତ ପ୍ରାୟ ହୋଇ ସାମ୍ୟବାଦ, ଶ୍ରେଣୀସଂଘର୍ଷ, ମନସ୍ତତ୍ତ୍ୱ ଆଦି ନାଟ୍ୟକାରମାନଙ୍କ ସୃଜନ ଆଦର୍ଶ ହୋଇଛି । ମାର୍କ୍ସ ଓ ଫ୍ରଏଡ଼୍ ଓଡ଼ିଆ ନାଟକରେ ରାଜପଣ ଆରମ୍ଭ କରିଛନ୍ତି । ଗାନ୍ଧିବାଦୀ ମଳିନ ପଡ଼ିଯାଇଛି । ବିଶ୍ୱଯୁଦ୍ଧ ଜନିତ ସମସ୍ୟା, ଅର୍ଥନୈତିକ ସଙ୍କଟ, ଉଚ୍ଚନୀଚ ଭେଦଭାବ, ଦେଶ ଦେଶ ମଧ୍ୟରେ ସଂଘର୍ଷ, ପରମାଣୁ ଅସ୍ତ୍ରର ବିଷମୟ ପରିଣାମ, ଶାନ୍ତିପାଇଁ ବିଶ୍ୱରେ ଆର୍ତ୍ତଚିତ୍କାର ଓ ମାନବବାଦର ନବ ମୂଲ୍ୟାୟନ ନାଟକର କଳେବର ମଣ୍ଡନ କରିଛି । ନାଟ୍ୟକାରମାନେ ଚରିତ୍ରର ଅନ୍ତର୍ଦ୍ୱନ୍ଦ୍ୱ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣର ନୂତନ ରୂପରେଖ ନିର୍ଣ୍ଣୟ କରିଛନ୍ତି । ପଲ୍ଲୀ ଅବହେଳିତ ହୋଇ ଜନଜୀବନ ସହରାଭିମୁଖୀ ହୋଇଛି । ବିଜ୍ଞାନର ନବନବ ଆବିଷ୍କାରଦ୍ୱାରା ହୋଇଯାଇଛି ଯନ୍ତ୍ର ପ୍ରଭାବିତ । ସମସ୍ୟା ହୋଇଛି ବୌଦ୍ଧିକ । ରାଜନୀତିର ଧୂର୍ତ୍ତରୂପ ଏହି ସମୟ ମଧ୍ୟରେ ନୂତନ ରୂପ ପରିଗ୍ରହ ଲାଭ କରିଛି । ପାରିବାରିକ ଜୀବନର ଦୁଃସ୍ଥିତି, ଦାମ୍ପତ୍ୟ ଜୀବନର ସଂଘର୍ଷମୟ ପରିଣାମ ହୋଇଛି ନାଟକର ମୁଖ୍ୟ ବିଭବ । ସାମାଜିକ ଜୀବନର ବିଭିନ୍ନ ସମସ୍ୟା ଯଥା ପଞ୍ଚବାର୍ଷିକ ଯୋଜନାର ବିଫଳତା, ଦରଦାମ ବୃଦ୍ଧି ଓ ଖାଦ୍ୟ ସଙ୍କଟ ଇତ୍ୟାଦି ନାଟକରେ ସଫଳ ଭାବେ ରୂପାୟିତ ହୋଇଛି ।

 

ସ୍ୱାଧୀନତା ପରବର୍ତ୍ତୀ ସମୟରେ ନାଟକ ପାରମ୍ପରିକ ଓ ବୌଦ୍ଧିକ ଶ୍ରେଣୀଭୁକ୍ତ ହୋଇଛି । ପରମ୍ପରା, ଐତିହ୍ୟ ଓ ପୁରୋଦୃଷ୍ଟିରୁ ସମ୍ମୁଖରେ ରଖି କେତେକ ନାଟ୍ୟକାର ପାରମ୍ପରିକ ଶଗଡ଼ ଗୁଳାରେ କାଳୀଚରଣ ଓ ଅଶ୍ୱିନୀ କୁମାରଙ୍କୁ ଓ ଆଉ କେହି କେହି ଦ୍ୱିତୀୟ ଶ୍ରେଣୀର ନାଟ୍ୟକାର ବା ବୌଦ୍ଧିକ ଶୈଳୀରେ ନାଟ୍ୟସ୍ରଷ୍ଟା ମନୋରଞ୍ଜନ ଦାସଙ୍କୁ ଅନୁସରଣ କରିଛନ୍ତି । ପରମ୍ପରାବାଦୀ ନାଟ୍ୟକାର ଗଣ ଯଥା- କମଳଲୋଚନ ମହାନ୍ତି, ଧନେଶ୍ୱର ପଟ୍ଟନାୟକ, ଅଦୈତଚରଣ ମହାନ୍ତି, ସୁରେନ୍ ମହାନ୍ତି, ନରସିଂହ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ଆନନ୍ଦ ଶଙ୍କର ଦାସ, ବସନ୍ତ ମହାପାତ୍ର, ରଜତ୍ କୁମାର କର ଓ ନାରାୟଣ ପ୍ରସାଦ ଶତପଥୀ ଇତ୍ୟାଦି ସେମାନଙ୍କ ନାଟକରେ ସ୍ୱାଧୀନତା ପରବର୍ତ୍ତୀ ବା ଯୁଦ୍ଧ ପରବର୍ତ୍ତୀ ସମସ୍ୟାଗୁଡ଼ିକର ଯଥୋଚିତ ରୂପ ଦେଇଛନ୍ତି । ଏହି ଅବଧିରେ ହାସ୍ୟ, ବ୍ୟଙ୍ଗ ଓ କରୁଣ ଏକ ସମାନ୍ତରାଳଭାବେ ଗତି କରିଛି । ପ୍ରତ୍ୟେକ ସମସ୍ୟାର ସମାଜିକ ମୂଲ୍ୟାୟନ ଘଟିଛି । ନାଟ୍ୟକାର ନୂତନ ସମାଜ ଗଠନର ସ୍ୱପ୍ନ ଦେଖିଛି । ରାଜା, ଜମିଦାର, ସାମନ୍ତ, ସମାଜପତିଙ୍କଠାରୁ ଆରମ୍ଭ କରି ଦରିଦ୍ର ଖଟିଖିଆ ଶ୍ରମିକ ଅସ୍ପୃଶ୍ୟ ସର୍ବାହରା ଇତ୍ୟାଦି ସବୁ ଚରିତ୍ରକୁ ନାଟ୍ୟକାର ଆପଣେଇ ନେଇଛି । ନାଟକ ହୋଇଯାଇଛି ଏକ ଶିଳ୍ପ । ସାମାଜିକ ଅସମତା, ଜାତିଗତ ପାର୍ଥକ୍ୟ, ଶ୍ରମିକ ମାଲିକ ବିବାଦ, ନାରୀଶିକ୍ଷା, ଯୌଥ ପରିବାର, ପ୍ରାକ୍ ଦାୟିକତା ଇତ୍ୟାଦି ସମ ସାମୟିକ ସମସ୍ୟାବଳୀ ନାଟକରେ ସ୍ଥାନ ପାଇଛି । ସମାଜକୁ ବାଦ୍ ଦେଇ ନାଟକର ଯେ ସ୍ଥିତି ନାହିଁ ତାହା ହିଁ ଏଥିରୁ ସ୍ପଷ୍ଟ ହୋଇଛି ।

 

ଉପରୋକ୍ତ ଧାରାରେ ପାରମ୍ପରିକ ନାଟକ ଭଲ ଭାବେ ଆଗେଇଛି, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ଗତି ସମ୍ପୂର୍ଣ୍ଣ ମନ୍ଥର ହୋଇଯାଇଛି, ଏହାର ପ୍ରମୁଖ କାରଣ ପାଲଟିଛି ନାଟକରେ ନୂତନ ପରୀକ୍ଷା ନିରୀକ୍ଷାର ଆରମ୍ଭ, ସିନେମା ଓ ଟିଭିର ଦ୍ରୁତ ପ୍ରସାର, ମନୋରଞ୍ଜନ ଉପାଦାନର ଅଭାବ, ବ୍ୟବସାୟିକ ମଞ୍ଚରେ ଦଳୀୟ କନ୍ଦଳ ଓ ବ୍ୟଭିଚାର ଇତ୍ୟାଦି ।

 

ପରିବର୍ତ୍ତନର ଅନ୍ତଃସ୍ୱର ହେଉଛି ପ୍ରଗତି । ନାଟକ ମଣିଷ ଜୀବନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଥିବାରୁ ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ନାଟକରେ ଅଧିକ ପରୀକ୍ଷା ନିରୀକ୍ଷା ଓ ପ୍ରୟୋଗ କରାଯାଇଛି । ବିଶ୍ୱ ନାଟ୍ୟଧାରାରେ ଘଟୁଥିବା ପରିବର୍ତ୍ତନର ଧ୍ୱନି ଓଡ଼ିଆ ନାଟକକୁ ଶବ୍ଦାୟିତ କରିଛି । ନୂଆ କିଛି କରିବା, ନୂଆ କିଛି ଗଢ଼ିବାର ମୋହ ନାଟ୍ୟସ୍ୱରକୁ ଏକ ନୂତନ ମାର୍ଗର ସନ୍ଧାନ ଦେଇଛି । ନାଟ୍ୟକାରମାନଙ୍କର ପରମ୍ପରା ପ୍ରତି ବିମୁଖତା, establishment ବିରୁଦ୍ଧରେ ସ୍ୱର ଉତ୍ତୋଳନ, ବିଶ୍ୱଯୁଦ୍ଧର ଭୟାବହତା ସାଙ୍ଗକୁ ପାଶ୍ଚାତ୍ୟ ନାଟ୍ୟାଦର୍ଶନର ବିଭିନ୍ନ ବାଦ (ସ୍ଥିତିବାଦ, ଅଭିବ୍ୟକ୍ତିବାଦ, ବାସ୍ତବବାଦ, ସମାଜବାସ୍ତବ ବାଦ), ଭିନ୍ନ ଭିନ୍ନ ଦର୍ଶନ (ମାର୍କ୍ସଙ୍କ ସାମ୍ୟବାଦ, ଫ୍ରଏଡ଼୍‌ଙ୍କ ଯୌନତତ୍ତ୍ୱ ଇତ୍ୟାଦି) କାୟା ବିସ୍ତାର କରି ନାଟକ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉଗ୍ର ଆଧୁନିକତାର ସୁଅରେ ଭାସି ଚାଲିଥିବା ଆଧୁନିକ ମଣିଷର ଜୀବନ ହୋଇଯାଇଛି ନିଃସଙ୍ଗ ଯୁଗଯନ୍ତ୍ରଣାରେ ସେ କ୍ଷତାକ୍ତ ହୋଇଛି । ସମୟହୀନତା (timelessness) ସମୟ ରୂପେ ସ୍ୱୀକୃତି ପାଇଛି ଓ ନାଟକର ଅନ୍ତଃସ୍ୱର, ଛଳନା, ଅସଙ୍ଗତି, ଅଭାବବୋଧ ଓ କାରୁଣ୍ୟର ରୂପ ନେଇଛି । ଅତୃପ୍ତ ଯୌନକାମନା ନାଟ୍ୟ ପରିବେଶକୁ ଗମ୍ଭୀର କରିଛି । ନାଟକର ଏହିଭଳି ପରିବର୍ତ୍ତିତ ରୂପ ‘ଉଦ୍ଭଟ’ (Absurd) ରୂପେ ପରିଗଣିତ ହୋଇଛି । ଭାରତର ଅନ୍ୟାନ୍ୟ ପ୍ରାଦେଶିକ ନାଟ୍ୟକାରଙ୍କ ପରି ଓଡ଼ିଆ ନାଟ୍ୟକାରମାନେ ମଧ୍ୟ ଏହି ନୂତନ ଅତିଥି (Absurd)କୁ ସଙ୍ଗରେ ନେଇ ମଞ୍ଚକୁ ଓହ୍ଲାଇଛନ୍ତି । ଫଳତଃ ନାଟକ ତାହାର ମନୋରଞ୍ଜନ ଧର୍ମୀତାକୁ ହରାଇ ବସିଛି । ମନୋରଞ୍ଜନର ମାଧ୍ୟମଟି ବୁଦ୍ଧିଗ୍ରାହ୍ୟ ହୋଇ ସମାଜରେ ଥିବା ଏକ ନିର୍ଦ୍ଦିଷ୍ଟ ବୌଦ୍ଧିକ ଗୋଷ୍ଠୀର ନାଟକ ରୂପେ ବିବେଚିତ ହୋଇଛି ।

 

କେବଳ ଯେ ନାଟ୍ୟକାରର ସୃଜନ ଆଦର୍ଶରେ ପରିବର୍ତ୍ତନ ଆସିଛି ତାହା ନୁହେଁ, (well made play)ର ସମସ୍ତ ଫର୍ମୂଲା ନାଟକରୁ ଅନ୍ତର୍ହିତ ହୋଇ ସୃଷ୍ଟି ହୋଇଛି ଏକ ନୂତନ ଅନୁଭବ, ନାଟ୍ୟମଞ୍ଚ ‘multiset’ ରୁ ‘Oneset’ ହୋଇ ‘noset’ ରେ ପରିଣତ ହୋଇଛି । ପ୍ରତୀକାତ୍ମକ ମଞ୍ଚ ଓ ଦୃଶ୍ୟର ପରିକଳ୍ପନା ସହ ନାଟ୍ୟକାର telegraphic ସଂଳାପ ପ୍ରୟୋଗ କରି ଆଧୁନିକ ମଣିଷର ମାନସ ମନ୍ଥନ ପୂର୍ବକ ମନଗହନର ଗୋପନ ଭାଷାକୁ କଳାତ୍ମକ ଭଙ୍ଗୀରେ ପ୍ରକାଶ କରିଛି । ମଞ୍ଚ Single Zone, Double zone, multizone ବିଶିଷ୍ଟ ହୋଇ ତାହା Up stage ଓ Down stage ରେ ବିଭକ୍ତ ହୋଇଛି । ଆଲୋକ ସମ୍ପାତ ମାଧ୍ୟମରେ ଚରିତ୍ରମାନଙ୍କର ମାନସିକ ଅବସ୍ଥାର ବିଶ୍ଳେଷଣ ମଞ୍ଚରେ କରାଯାଇଛି । ନାଟ୍ୟକାର ଅନୁଭବ କରିଛି All that glitters is not gold, ବାହାରକୁ ଚକ୍‌ଚକ୍‌ କରୁଥିବା ବସ୍ତୁଟି ସୁନା ନୁହେଁ । ପରିଦୃଶ୍ୟମାନ ଜଗତ ବା ମନୁଷ୍ୟର ବାହ୍ୟରୂପ ପ୍ରକୃତରେ ତାହାର ସମ୍ପୂର୍ଣ୍ଣ ପରିଚୟ ନୁହେଁ । ସେଥିପାଇଁ ତା’ର ମନଗହନକୁ ସମ୍ପୂର୍ଣ୍ଣ ରୂପେ ବ୍ୟବଚ୍ଛେଦ କରିବାକୁ ହେବ, ତା’ର ଯାବତୀୟ ବାହ୍ୟ କ୍ରିୟାକଳାପ ଓ ଗତିବିଧିକୁ ନିୟନ୍ତ୍ରଣ କରୁଥିବା ପ୍ରକୃତିମାନଙ୍କର ବିଶ୍ଳେଷଣ ପୂର୍ବକ ତା’ର କ୍ଷତାକ୍ତ ଓ ବେଦଦେବନାସିକ୍ତ ଜୀବନର ଗୋପନ ତଥ୍ୟଟିକୁ ଅନୁସନ୍ଧାନ କରିବାକୁ ହେବ, ତା’ହେଲେ ପରିଦୃଶ୍ୟମାନ ବାସ୍ତବତା ବଦଳରେ ଆଉ ଏକ ବାସ୍ତବତା ଉଦ୍‌ଭାସିତ ହୋଇଉଠିବ । ଏହା ତାହାଠାରୁ ଆହୁରି ନିର୍ମମ, ନିଷ୍ଠୁର ଓ ବୀଭତ୍ସ । ମନୁଷ୍ୟର ଆଖିଦେଖା ବାସ୍ତବତା ଯେ ଏକ ମାୟା..... Iluusion ତାହା ପ୍ରମାଣିତ ହେବ । ନାଟ୍ୟକାର ଏହିପରି ଭାବରେ external reality କୁ ପ୍ରାଧାନ୍ୟ ନଦେଇ internal realityର ଚିତ୍ର ନାଟକରେ ଅଙ୍କନ କରିଛନ୍ତି । (୪) ମନୁଷ୍ୟର ବାହ୍ୟରୂପ ନୁହେଁ ଅଶରୀରୀ ଆତ୍ମାର ରୂପ ନାଟକରେ ରୂପ ପାଇଛି । ବାହ୍ୟ ବାସ୍ତବତା ବଦଳରେ ଅନ୍ତର୍ନିହିତ ବାସ୍ତବତା ପ୍ରାଧାନ୍ୟ ଲାଭ କରିଥିବାରୁ ଦର୍ଶକ ଓ ପାଠକର ଅବବୋଧ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ୧୯୨୮ ମସିହାଠାରୁ ୧୯୭୦ ମସିହାର ମଧ୍ୟରେ ଯେଉଁ କେତୋଟି ନାଟକ ଶକ୍ତିଶାଳୀ ରୀତିରେ ଅନ୍ତର୍ନିହିତ ବାସ୍ତବତାର ସ୍ୱରୂପକୁ ରୂପ ଦେଇଛି ସେଗୁଡ଼ିକ ହେଲେ ବନହଂସୀ, ଶବବାହକମାନେ ଓ ମୃଗୟା ଇତ୍ୟାଦି, ଏହି ପ୍ରକାର ନାଟକରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଗୋଟିଏ ବିନ୍ଦୁରେ ମିଳିତ ହୋଇ କଥାବସ୍ତୁହୀନତା ହୋଇଛି ନାଟକର କଥାବସ୍ତୁ । ନାଟକରେ ଏହି ନୂତନତା ତଥା ବୌଦ୍ଧିକରେ ପ୍ରାବଲ୍ୟ ନାଟକକୁ ସାଧାରଣ ଲୋକଙ୍କଠାରୁ ଦୂରେଇ ଦେଇଛି । ନାଟକର ଏହି ପରିବର୍ତ୍ତନ ହେଉଛି ନାଟ୍ୟକାରର ପରିବର୍ତ୍ତନ ।

 

ନାଟକ ହେଉଛି ଜୀବନର ପ୍ରତିଫଳନ, ସମ୍ପ୍ରତି ଆମେ ଏପରି ଏକ ସମୟରେ ଗତି କରୁଛେ ଯେଉଁ ସମୟରେ ଆମେ ସମସ୍ତେ ମାନସିକ ସ୍ତରରେ ପରିବର୍ତ୍ତିତ ହୋଇଯାଇଛୁ । ସମାଜର ଜଣେ ସାମାଜିକ ଭାବେ ନାଟ୍ୟକାରର ମାନସିକ ଚିନ୍ତନହିଁ ସ୍ଥାନ ପାଇଛି ନାଟକରେ । ଗଳ୍ପାଂଶର ଅନ୍ତର୍ହୀନତା, ଅବଚେତନ ମନରେ ରହସ୍ୟ ଉଦ୍‌ଘାଟନ, ବିଚ୍ଛିନ୍ନ ବ୍ୟକ୍ତି ସତ୍ତାର ସ୍ୱରୂପ ଆବିଷ୍କାର ଓ ସର୍ବୋପରି ଆତ୍ମଅନ୍ୱେଷା ହିଁ ନାଟକରେ ଉପଲବ୍ଧ ହେଲେ ମଧ୍ୟ ସେଥିରେ ସଂଯୋଜିତ ସଂଳାପ ଓ ଭାଷା ବିନ୍ୟାସରେ କୃତ୍ରିମତା ପରିଲକ୍ଷିତ ହୋଇଛି । ତେଣୁ ଏହି ବୌଦ୍ଧିକ ନାଟକ ମଞ୍ଚମାୟାରେ ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖି ପାରିନାହିଁ । ଏହିସବୁ ନାଟକର ମଞ୍ଚସ୍ଥ ହେବା ବେଳର ବ୍ୟୟ ବହୁଳତା ତଥା ପାଶ୍ଚାତ୍ୟ ନାଟ୍ୟାଦର୍ଶ ଦେଇ ଧସେଇ ପଶିଥିବା ଜଟିଳ ବୌଦ୍ଧିକତାଠାରୁ ଦୂରେଇ ରହି ନାଟ୍ୟପ୍ରେମୀ ଦର୍ଶକ ନିଜ ଜୀବନ କଥା କହୁଥିବା ଅନ୍ୟ ଏକ ନୂତନ ମାର୍ଗର ସନ୍ଧାନ କରିଛି । ଅତୀତର ମୋହ, ନୃତ୍ୟ ସଙ୍ଗୀତର ଆକର୍ଷଣ, ସାଜସଜ୍ଜାର ପ୍ରାଚୁର୍ଯ୍ୟ, ଲୋକ ନାଟକର ଦ୍ରୁତ ତାଳଲୟର ହିଲ୍ଲୋଳ ପୁଣି ଦର୍ଶକଙ୍କୁ ଉତ୍ସାହିତ କରିଛି, ମଞ୍ଚଠାରୁ ଦୂରେଇ ଯାଇଥିବା ଦର୍ଶକଙ୍କ ଏହି ରୁଚିକୁ ସମ୍ମାନ ଦେଇଛନ୍ତି ନାଟ୍ୟକାରଗଣ, ମଞ୍ଚବିମୁଖ ଦର୍ଶକ ପାଇଁ ବ୍ୟାକୁଳିତ ନାଟ୍ୟକାର ସେମାନଙ୍କୁ ପୁନଶ୍ଚ ମଞ୍ଚମୁଖୀ କରାଇବା ନିମେନ୍ତ ଅଣ୍ଟା ଭିଡ଼ିଛନ୍ତି । କେବଳ ଓଡ଼ିଶା ନୁହେଁ ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ରାଜ୍ୟମାନଙ୍କରେ ମଧ୍ୟ ନାଟକର ସେହି ଏକା ଅବସ୍ଥା ହୋଇଛି । ଗିରୀଶ କନ୍ନଡ଼, ବାଦଲ ସରକାର, ବିଜୟ ତେନ୍ଦୁଲକର, ହବିବ୍ ତନଭୀର ପ୍ରଭୃତି ନାଟ୍ୟକାରଗଣ ନାଟକରେ ଲୋକ ଉପାଦାନ ଗୁଡ଼ିକର ସଫଳ ପ୍ରୟୋଗ କରି ପ୍ରଶଂସତ ହୋଇଛନ୍ତି । ଏଥିରେ ସ୍ପଷ୍ଟ ସୂଚାଇ ଦେବା ଆବଶ୍ୟକ ଯେ ଯୁଗେ ଯୁଗେ ସୃଷ୍ଟି ଚିରନ୍ତନ ହୁଏ ଶାଶ୍ୱତ ମୂଲ୍ୟବୋଧକୁ ନେଇ, କିନ୍ତୁ ଏଥିରୁ ସମକାଳୀନତାର ହିଁ ହେଉଛି ପ୍ରତ୍ୟେକ ସ୍ରଷ୍ଟାର ଧର୍ମ । ତେଣୁ ନାଟ୍ୟକାରମାନେ ଉପେକ୍ଷିତ ହୋଇ ପଲ୍ଲୀ ପରିବେଶରେ ଲୋକମାନଙ୍କଦ୍ୱାରା ବଞ୍ଚି ରହିଥିବା ନାଟ୍ୟ ଉପାଦାନଗୁଡ଼ିକୁ ଗ୍ରହଣ କରି ସେମାନଙ୍କ ନାଟକରେ ସଂଯୋଜିତ କରିଛନ୍ତି । ଏହି ଲୋକ ଉପାଦାନଗୁଡ଼ିକ ହିଁ ପରମ୍ପରରା, ସଂସ୍କୃତି ଓ ଚିରକାଳୀନତାର ପ୍ରତୀକ । ବୌଦ୍ଧିକ ଚର୍ବି ବହୁତଳା ହେତୁ ସଳଖ ଠିଆ ହୋଇ ପାରୁ ନଥିବା ନାଟକର ସାହାଯ୍ୟକାରୀ ଆଶାବାଡ଼ିର ରୂପ ନେଇଛି ସେହି ବହୁ ଉପେକ୍ଷିତ ‘ଲୋକ’, ଫଳତଃ ଦର୍ଶକଙ୍କ ପ୍ରିୟ ଗୀତିନାଟ୍ୟ ସମ୍ରାଟ ବୈଷ୍ଣବପାଣି ଏକୀଭୂତ ହୋଇ ଯାଇଛନ୍ତି ମନୋରଞ୍ଜନ ଦାସଙ୍କ ନାଟକର କଥାବସ୍ତୁ ମଧ୍ୟରେ । ଏହି ସମୟରେ ନାଟକ ତୃତୀୟ ନାଟକ (Third theatre) ବା ମିଶ୍ରଧାରାର ନାଟକ (theatre of mixed means) ରୂପେ ଖ୍ୟାତି ଲାଭ କରିଛି । ନାଟ୍ୟକାରମାନେ ପ୍ରାଚୀନ ଲୋକ ନାଟକମାନଙ୍କରେ ମଞ୍ଚ ସହିତ ଦର୍ଶକର ସଂଯୋଗ ସ୍ଥାପନ ଲାଗି ଉଦ୍ଧିଷ୍ଟ ଥିବା ସୂତ୍ରଧର ନିୟତି, ଦୂତ, ଦ୍ୱାରୀ ଓ ଗାୟକ ଆଦି ଚରିତ୍ର ପରି ନୂତନ ଏପିକ୍‌ଧର୍ମୀ ସୂତ୍ରଧର ନିର୍ଦ୍ଦେଶକ, ସାମ୍ବାଦିକ ଓ ଘୋଷକ ଆଦି ଚରିତ୍ରର ଅବତାରଣା କରିଛନ୍ତି । (୫) ଆଧୁନିକ ଜୀବନବୋଧ ସମ୍ବଳିତ ନାଟକଗୁଡ଼ିକରେ ଲୋକ ଉପାଦାନଗୁଡ଼ିକର ବ୍ୟାପକ ପ୍ରୟୋଗ କରାଯାଇ ପରମ୍ପରା ପ୍ରତି ପ୍ରଗାଢ଼ ଶ୍ରଦ୍ଧା ନିବେଦନ କରାଯାଇଛି, ନାଟ୍ୟମନସ୍କ ଦର୍ଶକମାନଙ୍କର ନାଟକ ପ୍ରତି ବିତୃଷ୍ଣ ମାନସିକତାରେ ପରିବର୍ତ୍ତନ ଆସିଛି । କେବଳ ଦୂରେଇ ଯାଇଥିବା ସାଧାରଣ ଦର୍ଶକ ନୁହେଁ ବୁଦ୍ଧିଦୀପ୍ତ ଶିକ୍ଷିତ ଦର୍ଶକ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଦର୍ଶକ ଲୋକ ଉପାଦାନର ହାତ ଧରି ପୁଣି ନାଟକ ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ନାଟକ ‘ଜଣ’ର ନ ହୋଇ ‘ଗଣ’ର ହୋଇଯାଇଛି । ନାଟକରେ ଲୋକ ଉପାଦାନର ବ୍ୟବହାର ସମ୍ପର୍କରେ ମତ ଦେଇ ବଙ୍ଗଳା ଲେଖିକା ମହାଶ୍ୱେତା ଦେବୀ କହିଛନ୍ତି, ‘‘We being one-eyed deers, have not used the vast legacy of myths, social laws, ballads and songs. The folk material and the common peoples’ version of events and assets to literature in using then x x x I have my salvation,” (untapped, sources) Seminar-quoted in contempory Indian Drama. P-90)

 

ଓଡ଼ିଆ ନାଟ୍ୟ ବଳୟକୁ ଲୋକ ଉପାଦାନ କୌଣସି ପାଶ୍ଚାତ୍ୟ ନାଟ୍ୟଶୈଳୀର ଅନୁସରଣରେ ଆସିନାହିଁ । କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ପାଶ୍ଚାତ୍ୟ ନାଟ୍ୟାଦର୍ଶ ପ୍ରପୀଡ଼ିତ ଓଡ଼ିଆ ନାଟକ ନିକଟରୁ ମୁହଁ ଫେରେଇ ନେଇଥିବା ସାଧାରଣ ଦର୍ଶକଙ୍କୁ ମଞ୍ଚ ପ୍ରତି ଆକର୍ଷିତ କରାଇବାର ଏହା ଏକ ମାଧ୍ୟମ ମାତ୍ର । କାରଣ ପୁରାତନରେ ନୂତନତ୍ୱର କଳାତ୍ମକ ପ୍ରତିଫଳନ ଯେ ଦର୍ଶକ ଚିତ୍ତକୁ ଅଧିକ ଭାବେ ଆକୃଷ୍ଟ କରିବ ଏକଥା ବିଜ୍ଞ ନାଟ୍ୟକାରମାନେ ଅନୁଭବ କରିଛନ୍ତି । ଯେଉଁ ନାଟକ ସାଧାରଣ ଦର୍ଶକଙ୍କ ପାଇଁ ଅବୋଧ୍ୟ ଥିଲା ଲୋକ ଉପାଦାନର ପ୍ରୟୋଗ ଫଳରେ ତାହା ସେମାନଙ୍କ ବୋଧ ହୋଇପାରିଛି । ମନୋରଞ୍ଜନ ଦାସ ଅମୃତସ୍ୟପୁତ୍ରଃରେ ବହୁଧା ବିଭକ୍ତ ମନୁଷ୍ୟ ଚରିତ୍ରର ବୈଚିତ୍ର୍ୟ ମଧ୍ୟରେ ସମାଜଦୃଷ୍ଟିର ପରିଚ୍ଛନ୍ନ ସ୍ୱରକୁ ଅତି ସତର୍କତାର ସହିତ ଅନୁରଣିତ କରିଛନ୍ତି । ନାଟକର ମୁଖ୍ୟ ନାୟକ ‘ସନାତନ’ ଚରିତ୍ରଟି ଜୋକର ଭଳି ଅଭିନୟ କରିବା ଭିତରେ କେତେବେଳେ ରାଜା ତ କେତେବେଳେ ଦ୍ୱାରୀ ଚରିତ୍ରରେ ଅଭିନୟ କରିଛି । ତା’ର କଣ୍ଠରେ ଯାତ୍ରା ଅନୁରୂପ ସଙ୍ଗୀତ ଭରିଦେଇ ନାଟ୍ୟକାର ନାଟକଟିକୁ ସର୍ବଜନବୋଧ୍ୟ କରାଇଛନ୍ତି । ସାଧାରଣ ଦର୍ଶକ ମନସ୍ତତ୍ତ୍ୱର ଜଟିଳ ସମସ୍ୟାରାଜିକୁ ଗୀତିନାଟ୍ୟର ଆଙ୍ଗିକ, ମାଧ୍ୟମରେ ସନ୍ଦର୍ଶନ କରି ହୃଦୟଙ୍ଗମ କରିପାରିଛି । ନାଟ୍ୟକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇଛି । ଉପେକ୍ଷିତ ‘ଲୋକ’ ପୁଣି ନାଟକରେ ତା’ର ସ୍ଥାନ ଅଧିକାର କରି ବସିଛି । ଏହାର ମୁଖ୍ୟ କାରଣ ‘‘ଯେଉଁ ରାଜ୍ୟରେ ଲୋକ ଉପାଦାନର ପ୍ରାଚୁର୍ଯ୍ୟ ରହିଛି, ଯାହାର ଲୋକମାନେ ଏବେ ମଧ୍ୟ ପରମ୍ପରା ମୋହଗ୍ରସ୍ତ ସେପରି ସ୍ଥାନରେ ନାଟ୍ୟ ସାହିତ୍ୟରେ ଲୋକନାଟ୍ୟ ଉପାଦାନର ପ୍ରୟାଗ ଜନପ୍ରିୟତା ଲାଭ କରିବା ସ୍ୱାଭାବିକ । ଏହି ଭାବନାହିଁ ଓଡ଼ିଆ ନାଟ୍ୟକାରମାନଙ୍କ ପାଇଁ ସମନ୍ୱୟାତ୍ମକ ମିଶ୍ରରୀତିର ନାଟକ ଲେଖିବାର ମୂଳ ଅନୁପ୍ରେରଣା । (୭)

 

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକର କଳାଗତ ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିବାକୁ ଗଲାବେଳେ ଜଣାଯାଏ ଯେ ଅଶ୍ୱିନୀକୁମାରଙ୍କଠାରୁ ଆରମ୍ଭ କରି ରାମଚନ୍ଦ୍ର ମିଶ୍ରଙ୍କ ପର୍ଯ୍ୟନ୍ତ ନାଟ୍ୟକାରମାନେ ରଙ୍ଗମଞ୍ଚ ଉପଯୋଗୀ ସାମାଜିକ, ରାଜନୈତିକ ଓ ମନସ୍ତାତ୍ତ୍ୱିକ ସମସ୍ୟା ଆଦି କଥାବସ୍ତୁକୁ ନେଇ ନାଟକ ରଚନା କରୁଥିଲେ । ପରବର୍ତ୍ତୀ ସମୟରେ ନାଟ୍ୟକାର କାଳୀଚରଣଙ୍କ ପ୍ରଚେଷ୍ଟାରେ ଓଡ଼ିଆ ନାଟକରେ ସ୍ୱାଭାବିକ ସଂଳାପ ସୃଷ୍ଟି ହେଲା । ନାଟ୍ୟକାର, ନିର୍ଦ୍ଦେଶକ, ସଙ୍ଗୀତଜ୍ଞ ଓ ଅଭିନେତାଭାବେ ଖ୍ୟାତି କାଳୀ ଚରଣ ସାମାଜିକ ନାଟ୍ୟଯଜ୍ଞର ପୁରୋଧା ଭାବେ ପ୍ରଥମ ଥର ପାଇଁ ଓଡ଼ିଆ ମଞ୍ଚରେ ନାରୀମାନଙ୍କୁ ନାରୀ ଭୂମିକାରେ ନେଇ ଅଭିନୟ କରାଇଲେ । ସେ ହିଁ ପ୍ରଥମ ସ୍ରଷ୍ଟା ଯେ କି ନାଟକର କଥାବସ୍ତୁ, ସଂଳାପ, ସଙ୍ଗୀତ, ଗଠନଶୈଳୀ, ଦୃଶ୍ୟପଟ ଓ ମଞ୍ଚସଜ୍ଜା ପ୍ରତ୍ୟେକ କ୍ଷେତ୍ରରେ ନୂତନତ୍ୱ ଆଣିଲେ । ନାଟକର ଆରମ୍ଭରେ ସୂତ୍ରଧରର ଆଗମନ ଓ କଥାବସ୍ତୁର ସାରାଂଶ କଥନ, ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ବିଭିନ୍ନ ବାଦ୍ୟଯନ୍ତ୍ରକୁ ନେଇ କନସର୍ଟ, ସ୍ୱଗତୋକ୍ତି, ଯାଦୁକରୀ ମଞ୍ଚମାୟା, ମର୍ମସ୍ପର୍ଶୀ ସଙ୍ଗୀତ ଓ କୃତ୍ରିମ ସଂଳାପ ଆଦିକୁ ନେଇ ନାଟକ ନୂତନ ରୂପେ ଆତ୍ମପ୍ରକାଶ କଲା । ଯାତ୍ରାନୁସାରୀ ଭାଷା ସଂଯୋଜନାର ସେ ହିଁ ହେଉଛନ୍ତି ପ୍ରଥମ ଯାଦୁକର । କାଳୀଚରଣ ପ୍ରବର୍ତ୍ତିତ ଏହି ନାଟ୍ୟଧାରା ୧୯୭୦ ମସିହା ପର୍ଯ୍ୟନ୍ତ ଗଡ଼ି ଆସିଲା । କିନ୍ତୁ ତା’ଭିତରେ ୧୯୫୦ ମସିହାରେ ଓଡ଼ିଆ ନାଟକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସଂଘଟିତ ହେଲା ଯାହାକି ୧୯୬୦ ମସିହା ପରେ ନାଟକାଦିରରେ ବିକାଶ ଲାଭ କଲା-

 

୧୯୫୦ ମସିହା ପରେ ପରେ, ଓଡ଼ିଆ, ନାଟ୍ୟଜଗତରେ ଯେଉଁ ପରିବର୍ତ୍ତନ ହୋଇଥିଲା ତାହାକୁ ନୂତନ ଚିନ୍ତାଧାରାର ନାଟକ ବା ନବନାଟ୍ୟଧାରା ରୂପେ ପରିଗଣିତ କରାଗଲା । ଏହି ପାଶ୍ଚାତ୍ୟାଗତ ଚିନ୍ତାଧାରା ପାଇଁ ବିଶ୍ୱଯୁଦ୍ଧ, ଶିଳ୍ପବିପ୍ଳବ, ବୈଜ୍ଞାନିକ ଚୈତନ୍ୟୋଦୟ, ମାର୍କ୍ସ ଓ ଫ୍ରଏଡ଼୍‌ଙ୍କ ସର୍ବବ୍ୟାପୀ ଚିନ୍ତାଚେତନ ଓ ମାନବର ଅସହାୟତା ଇତ୍ୟାଦି ଦାୟୀ ।

 

ଓଡ଼ିଶାରେ ଯେଉଁ ନାଟ୍ୟକାରମାନେ ଏହି ନବନାଟ୍ୟଧାରାକୁ ଅନୁସରଣ କଲେ ସେମାନଙ୍କ ମଧ୍ୟରେ ମନୋରଞ୍ଜନ ଦାସ, ବିଜୟଶ୍ରୀ, ବିଶ୍ୱଜିତ୍ ଦାସ, ପ୍ରାଣବନ୍ଧୁକର, ରତ୍ନାକର ଚଇନି, ରମେଶ ପାଣିଗ୍ରାହୀ, କାର୍ତ୍ତିକ ରଥ, ଅକ୍ଷୟ ମହାନ୍ତି, ହରିହର ମିଶ୍ର ଓ ଜଗନ୍ନାଥ ପ୍ରସାଦ ଦାସ ଇତ୍ୟାଦି ଅନ୍ୟତମ । ମନୋରଞ୍ଜନ ଦାସଙ୍କ ଆଗାମୀର ହାତ ଧରି ଏହି ଧାରା ଓଡ଼ିଶାରେ ପ୍ରବେଶ କଲା । ଉପରୋକ୍ତ ନାଟ୍ୟକାରଗଣ ୧୯୬୦ ରୁ ୧୯୭୦ ମସିହା ମଧ୍ୟରେ ସେମାନଙ୍କ ନାଟକର ଏହି ଚିନ୍ତାଧାରାର ଦ୍ୟୋତନା ସୃଷ୍ଟି କଲେ । ଏହି ପରମ୍ପରାର ଉତ୍ତର ସାଧକ ସାଜିଲେ ପ୍ରସନ୍ନ କୁମାର ଦାସ, ପ୍ରସନ୍ନ ମିଶ୍ର, ପ୍ରମୋଦ ତ୍ରିପାଠୀ, ସୁବୋଧ ପଟ୍ଟନାୟକ, ରତିମିଶ୍ର, ନୀଳାଦ୍ରି ଭୂଷଣ ହରିଚନ୍ଦନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଜୟ ଶତପଥୀ, ନାରାୟଣ ସାହୁ, ପଞ୍ଚାନନ ପାତ୍ର, ଚନ୍ଦ୍ରଶେଖର ନନ୍ଦ, ଶଙ୍କର ତ୍ରିପାଠୀ ଓ ରଣଜିତ ପଟ୍ଟନାୟକ ପ୍ରଭୃତି ନାଟ୍ୟକାରମାନେ ।

 

ନବନାଟ୍ୟଧାରାର କଳାଗତ ମୂଲ୍ୟବୋଧ ବିଶ୍ଳେଷଣ କଲେ ଜଣାଯାଏ ଯେ ନାଟକ ଏଥିରେ ତା’ର ଦୀର୍ଘ ଅବୟବ ପରିତ୍ୟାଗ କରି କ୍ଷୁଦ୍ର ହୋଇଛି । ରଚନା ଓ ପରିବେଷଣରେ ବହୁ ନୂତନତାର ସଂଯୋଜନ ହୋଇଛି । ପାରମ୍ପରିକ ଶଗଡ଼ ଗୁଲାରୁ ଓହରି ଆସି ନାଟକ ନିଜ ପାଇଁ ଏକ ନୂତନ ମାର୍ଗ ନିର୍ମାଣ କରିଛି, ପାରମ୍ପରିକ ନାଟକର ସଙ୍ଗୀତମୟତାକୁ ପରିହାର କରି ତାହା ହୋଇଛି ସଙ୍କେତମୟ । ଯେହେତୁ ନାଟକ ସମାଜର ଦର୍ପଣ/ପ୍ରତିଫଳନ ତେଣୁ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା ନାଟକ ସମାଜରେ ଅଧିକ ଆଦୃତ । ସ୍ୱାଧୀନତା ପରବର୍ତ୍ତୀ କାଳରେ ଅଧିକାଂଶ ନାଟକ ଥିଲା ସାମାଜିକ । ୧୯୫୦ ମସିହା ପରେ ପରେ ନାଟକର ପାରମ୍ପରିକ ଧାରାରେ ପରିବର୍ତ୍ତନ ଘଟିଛି । ପାଶ୍ଚାତ୍ୟ ଆବସର୍ଡ଼ ନାଟକର ପରୀକ୍ଷା ନିରୀକ୍ଷା ଓଡ଼ିଆ ନାଟକରେ ଜନ୍ମ ଦେଇଛି ନବ ନାଟ୍ୟଧାରା । ଗତାନୁଗତିକତାରୁ ଓହରି ଆସି ନାଟକ ହୋଇଛି ପ୍ରୟୋଗବାଦୀ-। ତାର ଆଙ୍ଗିକ ଓ ଆତ୍ମିକ ଉଭୟ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ନାଟକର ସଂଳାପ ପ୍ରତୀକାତ୍ମକ, ବ୍ୟଞ୍ଜନଧର୍ମୀ ଓ କ୍ଳିଷ୍ଟ ହୋଇଛି । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଗୋଟିଏ ବିନ୍ଦୁରେ ମିଳିତ ହୋଇଛନ୍ତି । ସମୟହୀନତା ଏକ ବିଶେଷ ଗୁଣ ଭାବେ ପରିଗଣିତ ହୋଇଛି । ଯାହାର ସଫଳ ଉଦାହରଣ ବନହଂସୀ, ବିତର୍କିତ ଅପରାହ୍ନ, ମୃଗୟା, ଶବ ପଡ଼ିଛି, ମ୍ୟୁଜିୟମ ଓ ସାପ ଆଦି ନାଟକରେ ପରିଦୃଷ୍ଟ ।

 

ସମୟ କ୍ରମେ ଓଡ଼ିଆ ନାଟକରୁ wellmade playର ଫର୍ମୁଲା ଦୂରେଇ ଯାଇଛି । ଛଳନା/ପ୍ରତାରଣା ହୋଇଛି ନାଟକର ମୁଖ୍ୟସ୍ୱର । ସମ୍ବିତ୍, ଜଣେ ରାଜାଥିଲେ, ଅଥଚ ଚାଣକ୍ୟ, କ୍ଳାନ୍ତ ପ୍ରଜାପତି ଓ ଶବବାହକମାନେ ଆଦି ବହୁ ନାଟକାଦିରେ ଏହା ପ୍ରତିଫଳିତ ହୋଇଛି । ଫ୍ରଏଡ଼ୀୟ ଯୌନଚେତନା ଓ ମିଥ୍ ଇତ୍ୟାଦି ନାଟକର କଳାତ୍ମକ ମୂଲ୍ୟବୋଧକୁ ଶ୍ରୀଯୁକ୍ତ କରିଛି । ତଟ ନିରଞ୍ଜନା, ଆଗାମୀ ମୃଗୟା ଓ ହଂସଧ୍ୱନି ପ୍ରଭୃତି ନାଟକରେ ଏହା ରୂପାୟିତ ହୋଇଛି । ସ୍ୱାଧୀନତା ପରବର୍ତ୍ତୀ ସମୟର ଅଧିକାଂଶ ନାଟ୍ୟକାର ପାଶ୍ଚାତ୍ୟ ଜଗତର ବହୁ ଚର୍ଚ୍ଚିତ ଅସ୍ତିତ୍ୱବାଦ, ନିଃସଙ୍ଗତାବାଦ, ଏକାକୀତ୍ୱବୋଧ, ବିଚ୍ଛିନ୍ନତାବାଦ ଉଦ୍ଭଟବାଦ ଓ ସାମାଜିକ ବାସ୍ତବବାଦାଦ୍ୱାରା ପ୍ରଭାବିତ ହୋଇ ନାଟକ ରଚନା କରିଛନ୍ତି । କେବଳ ଆତ୍ମା ନୁହେଁ ନାଟକର କାୟାରେ ମଧ୍ୟ ପରିବର୍ତ୍ତନ ଘଟିଛି । ନାଟକରେ ନୂତନ ପରୀକ୍ଷାନିରୀକ୍ଷା ଓ ପ୍ରୟୋଗ ସଂଘଟିତ ହୋଇଛି । ଆଲୋକ ସଂଗାତ, zone ର ପରିକଳ୍ପନା, ଶବ୍ଦ ସଂଯୋଜନା ପ୍ରଭୃତି ଆଧୁନିକ technique ଗ୍ରହଣ କରି ନାଟକ ପରମ୍ପରାର ନିଗୂଢ଼ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଛି । କୌଣସି ନିର୍ଦ୍ଦିଷ୍ଟ ମଞ୍ଚଶୈଳୀ ବ୍ୟବହୃତ ନହୋଇ ଗୋଟିଏ ସେଟ୍‌ର ନାଟକ, ଆଲୋକ କୌଶଳଦ୍ୱାରା ପରିବେଷିତ ନାଟକ, ପ୍ରତୀକ ଧର୍ମୀ ମଞ୍ଚ, Stage freeze ର ପ୍ରୟୋଗ, ଚରିତ୍ରର ରୂପାନ୍ତରୀକରଣ, ମୁକ୍ତ ମଞ୍ଚଶୈଳୀ ଓ ରୂପକଥାର ପ୍ରବର୍ତ୍ତନ ଇତ୍ୟାଦି ନାଟକରେ କରାଯାଇଛି ।

 

ନବନାଟ୍ୟ ହେଉଛି ଏକ ଜୀବନବାଦୀ ଆନ୍ଦୋଳନ ଯେଉଁଥିରେ ମାନବାତ୍ମାର ଜୟଗାନ କରାଯାଇଛି । ପାରମ୍ପରିକ ନାଟକରେ ମୁଖ୍ୟ ନାୟକ/ନାୟିକା ବ୍ୟତିତ ଅନ୍ୟ ଗୌଣ ଚରିତ୍ର ସମୂହକୁ ଗୁରୁତ୍ୱ ନ ଦେଇଥିଲା ବେଳେ ପ୍ରୟୋଗବାଦୀ ନାଟକଗୁଡ଼ିକରେ ଏହି ଉପେକ୍ଷିତ ଚରିତ୍ର ସମୂହ ଉପଯୁକ୍ତ ନ୍ୟାୟ ପାଇଛନ୍ତି । ଏହି ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟଥିଲା ସମାଜକୁ ସଂସ୍କୃତ ତଥା ସଚେତନ କରାଇବା । ଚରିତ୍ରଟିଏ ଅଭିନୟ କଲାବେଳେ ତାର ହୃଦବୋଧ ହେଉଥିଲା ସତେ ଯେପରି ସେ ନାଟକର ସଂଳାପ ନୁହେଁ ତାର ଅଙ୍ଗେ ଲିଭା ଅନୁଭୂତିର କଥା କହୁଛି । ନାଟକକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ମଞ୍ଚମାୟା ମଧ୍ୟ ଏହିସବୁ ନାଟକରେ ପ୍ରୟୋଗ କରାଯାଇଛି । ମନୁଷ୍ୟର ମନସ୍ତତ୍ତ୍ୱ ଏଥିରେ ମୁଖ୍ୟସ୍ଥାନ ପାଇଛି, ତାର ଚେତନ, ଅଚେତନ ଓ ଅବଚେତନ ମନର ରହସ୍ୟ ଉଦ୍‌ଘାଟନ ଏହିସବୁ ନାଟକର ମୂଳ ଲକ୍ଷ୍ୟ ହୋଇଛି । ସମାଜଠାରୁ, ନିଜଠାରୁ ବିଚ୍ଛିନ୍ନ ହୋଇ ପଡ଼ୁଥିବା ନିଃସଙ୍ଗ ଅସହାୟ ମନୁଷ୍ୟର ଅସହାୟତାକୁ କଳାତ୍ମକ/ପ୍ରତୀକାତ୍ମକ ଭାବେ ପ୍ରକାଶ କରିବା ଏହି ନାଟକର ଧର୍ମ ହୋଇଛି । ଭାବ, ଭାଷା ଓ ଶୈଳୀ ସବୁକିଛି ବଦଳିଯାଇଛି । ନାଟକର ଚରିତ୍ର ସମୂହ ଆମ ଚେତନାର ପ୍ରତିନିଧିତ୍ୱ କରିଛନ୍ତି । ଯେଉଁମାନଙ୍କୁ ବୁଝିବା ପାଇଁ ହୃଦୟଠାରୁ ବୁଦ୍ଧିର ଆବଶ୍ୟକତା ଅଧିକ ହୋଇଛି । ଆନନ୍ଦ ପ୍ରଦାନ ତଥା ମନୋରଞ୍ଜନ ପରିବର୍ତ୍ତେ ଚିନ୍ତା ଉଦ୍ରେକ କରିବା ହେଉଛି ଏହି ନାଟକର ଲକ୍ଷ୍ୟ । କେବଳ ବୁଦ୍ଦିଦୀପ୍ତ ଶିକ୍ଷିତ ଦର୍ଶକଙ୍କୁ ଏହି ନାଟକ ଆକୃଷ୍ଟ କରିପାରିଛି । ନାଟକରୁ ଆନନ୍ଦ/ମନୋରଞ୍ଜନ ଆଶା କରୁଥିବା ସାଧାରଣ ଦର୍ଶକ ନାଟକ ଓ ମଞ୍ଚ ପାଖରୁ ନିଜକୁ ଦୂରେଇ ନେଇଛି । ଓଡ଼ିଆ ନାଟକର ଏହି ଦୁଃସ୍ଥିତି ସମୟରେ ନାଟ୍ୟକାରମାନେ ମଞ୍ଚ ବିମୁଖ ଦର୍ଶକମାନଙ୍କୁ ପୁନଶ୍ଚ ମଞ୍ଚକୁ ଆକର୍ଷିତ କରିବା ଆଣିବା ପାଇଁ ଖୋଜି ସିଛନ୍ତି ଅନ୍ୟ ଏକ ନାଟ୍ୟ ରୀତି ।

 

୧୯୭୦ ମସିହା ପରେ ଓଡ଼ିଶାର ଦର୍ଶକ ଓ ନାଟ୍ୟ ପାଠକମାନେ ପ୍ରଚଳିତ ନାଟ୍ୟ ରୀତିଠାରୁ ଭିନ୍ନ ଆଉ ଏକ ନାଟ୍ୟରୀତିର ସନ୍ଧାନ ପାଇଛନ୍ତି । ଏହା ସେମାନଙ୍କୁ ମଞ୍ଚ ପ୍ରତି ଆକୃଷ୍ଟ କରିଛି । ଏହି ସମ୍ପର୍କରେ ମତ ଦେଇ ବିଶିଷ୍ଟ ନାଟ୍ୟ ସମାଲୋଚକ ଶ୍ରୀଯୁକ୍ତ ବିଜୟ ଶତପଥୀ କୁହନ୍ତି, ‘‘ପ୍ରଚଳିତ ସମାଜ ବ୍ୟବସ୍ଥା, ରାଜନୀତିକ ଚିନ୍ତାଧାରା ଅର୍ଥନୀତିକ ଦୁର୍ଗତି ଏବଂ ସାଂସ୍କୃତିକ ବିପର୍ଯ୍ୟୟ ବିରୋଧରେ ଏହି ନାଟକଗୁଡ଼ିକ ସ୍ୱର ଉତ୍ତୋଳନ କରିଛି ଏବଂ ଏହାର ଧ୍ୱଂସ ସାଧନ କରି ନୂତନ ସକାଳର ବାର୍ତ୍ତା ଆଣି ପହଞ୍ଚାଇଛି । ଏହି Theatrs of revolt ବା Radical theatreର ବାର୍ତ୍ତା ଏତେ ଶାଣିତ ଓ ପ୍ରଖର ହୋଇଛି ଯେ ୧୯୮୦ ମସିହା ବେଳକୁ ତଥାକଥିତ ଅନ୍ତର୍ଲୋକର ସନ୍ଧାନ କରୁଥିବା ନାଟକଗୁଡ଼ିକ ଆଉ ପ୍ରଭାବଶାଳୀ ମନେ ହୋଇନାହିଁ । ପ୍ରତିବାଦ ଓ ଅଙ୍ଗୀକାରର ସ୍ୱର ଶୁଣା ଯାଉଥିବା ନାଟ୍ୟକାରଗଣ ନିଜେ ନିଜର ଶୈଳୀ ତିଆରି କରିଛନ୍ତି ଭିନ୍ନ ଭିନ୍ନ ଢଙ୍ଗରେ, ସେମାନେ କେତେବେଳେ ପୁରାଣ ପଟ୍ଟଭୂମିରେ କଥାବସ୍ତୁର ପରିକଳ୍ପନା କରି ବିଦ୍ରୋହର ବାର୍ତ୍ତା ଶୁଣାଇଛନ୍ତି ତ କେତେବେଳେ ଆଲିଗୋରୀ ଓ ଫାଣ୍ଟାସିର ପ୍ରୟୋଗ କରି ମଣିଷ ପାଇଁ ମୁକ୍ତିର ବନ୍ଦନାଗୀତ ଗାଇଛନ୍ତି । ସେମାନଙ୍କର ବକ୍ତବ୍ୟର ମଞ୍ଚାୟନ ପାଇଁ ସେମାନେ ଖୋଜିଛନ୍ତି ଦାସକାଠିଆ, ପାଲା ଓ ବିବିଧ ଲୋକନାଟକର ଆଙ୍ଗିକା ‘ଅମୃତସ୍ୟପୁତ୍ରଃ’ରେ ଲୋକାନାଟ୍ୟ ଶୈଳୀ ପ୍ରୟୋଗର ଯେଉଁ ଝଲକ ଦର୍ଶକ ଦେଖିଥିଲେ ତାହା ଆହୁରି ବ୍ୟାପକ ହୋଇଛି ୧୯୭୨ର ମଞ୍ଚସ୍ଥ ‘କାଠଘୋଡ଼ା’ରେ ଓ ରମେଶ ପାଣିଗ୍ରାହୀଙ୍କ ମହାନାଟକରେ’ (୮)

 

ଏହା ସର୍ବସ୍ୱୀକାର୍ଯ୍ୟ ଯେ ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଆ ନାଟକର କଳାତ୍ମକ ସୃଜନାଦର୍ଶରେ ପାରମ୍ପରିକ ଲୋକାନାଟ୍ୟ ଶୈଳୀକୁ ଗ୍ରହଣ କରାଯାଇଛି । ଏହା ମାଧ୍ୟମରେ ନାଟକକୁ ସର୍ବଜନବୋଧ୍ୟ କରାଇବା ସହିତ ଲୋକ ନାଟକ ଓ ବୌଦ୍ଧିକ ନାଟକ ମଧ୍ୟରେ ଥିବା ପାର୍ଥକକୁ ଅପସାରିତ କରାଯାଇଛି । ନାଟ୍ୟକାରମାନେ ଚରିତ୍ରଗୁଡ଼ିକର ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିବା ସହିତ ପାରମ୍ପରିକ ଲୋକ ନାଟକର ଆଙ୍ଗିକକୁ ବ୍ୟବହାର କରି ନାଟକର ବାର୍ତ୍ତାକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଚେଷ୍ଟା କରିଛନ୍ତି । ତେଣୁ ସେମାନେ ମିଥ୍, ଫାଣ୍ଟାସି, କିମ୍ବଦନ୍ତୀ, ଦାସକାଠିଆା, ପାଲା ଓ ଦେଶୀୟା ନାଟ ଇତ୍ୟାଦି ଲୋକ ନାଟକର ମଞ୍ଚଶୈଳୀକୁ ନାଟକର ଅଙ୍ଗୀଭୂତ କରିଛନ୍ତି । ଏହା ମାଧ୍ୟମରେ ସେମାନେ ନାଟକକୁ ଆକର୍ଷଣୀୟ କରାଇବା ସଙ୍ଗେ ସଙ୍ଗେ ପ୍ରଚଳିତ ବିଧିବ୍ୟବସ୍ଥା ପ୍ରତି ତୀକ୍ଷ୍ଣ କଟାକ୍ଷ କରି ସୁସ୍ଥ ସାମାଜିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଛନ୍ତି । ମଞ୍ଚଧାରା କ୍ଷେତ୍ରରେ ମଧ୍ୟ ବହୁ ପରିବର୍ତ୍ତନ ହୋଇଛି । ଏହା Prorenium theatre, Multiset, Oneset ଏବଂ Free theatre ବା ମୁକ୍ତଧାରାର ନାଟକରେ ବିବର୍ତ୍ତିତ ହୋଇ ନାଟକର କଳାତ୍ମକ ସୃଜନାଦର୍ଶକୁ ବଳିଷ୍ଠ କରି ପାରିଛି ।

 

ସହାୟକ ଗ୍ରନ୍ଥସୂଚୀ

(୧)

A. Nicole Theory of Drama Page-9’

(୨)

ଡଃ ହେମନ୍ତ କୁମାର ଦାସ ‘‘ଓଡ଼ିଆ ନାଟକର ଉତ୍ତର ଆଧୁନିକ ପର୍ବ’’ ପୃ. ୫,୨୦୦୮

(୩)

ଡଃ ସଂଘମିତ୍ରା ମିଶ୍ର ‘‘ନାଟକ ସୀମା ଓ ସମ୍ଭାବନା’’ ପୃ-୩୨,୧୯୯୯

(୪)

ଡଃ ବିଜୟ କୁମାର ଶତପଥୀ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା । ପୃ-୩୬୪;୨୦୦୪

(୫)

ଡଃ ହେମନ୍ତ କୁମାର ଦାସ । ଓଡ଼ିଆ ନାଟକର ଐତିହ୍ୟ ଓ ପରମ୍ପରା ପୃ-୨୦୧୧ ।

(୬)

Untapped; Sources) Seminar–quoted in Contemporary Indian Drama, Page-90)

(୭)

ଡଃ ନୀଳାଦ୍ରିଭୂଷଣ ହରିଚନ୍ଦନ ‘‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକରେ ଲୋକ ଉପାଦାନ’’ (ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା ) ପୃ-୩୩୧

(୮)

ଡଃ ବିଜୟ କୁମାର ଶତପଥି ‘‘ପଚାଷ ବର୍ଷ ଓଡ଼ିଆ ସାହିତ୍ୟ’’ ପୃ-୧୩୫

 

 

ବୀଣାପାଣି କର, ଅଧ୍ୟାପିକା,

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ମହିଳା ମହାବିଦ୍ୟାଳୟ

ଜପକୁଦ- କଟକ

 

***

 

Unknown

ମଧ୍ୟଯୁଗୀୟ ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ

ଅକ୍ଷୟ କୁମାର ପାଣିଗ୍ରାହୀ

 

ମଧ୍ୟଯୁଗୀୟ ଓଡ଼ିଆ ଏବଂ ବଙ୍ଗଳା ସାହିତ୍ୟ ମୁଖ୍ୟତଃ ପଦ୍ୟମୟ ଥିଲା । ବଙ୍ଗଳା ସାହିତ୍ୟରେ ମଙ୍ଗଳ କାବ୍ୟର ଧାରା ଦୀର୍ଘ ସମୟ ଧରି ସଂଖ୍ୟାଧିକ କାବ୍ୟ ସୃଷ୍ଟି କରିବାରେ ଯେଉଁ ବଳିଷ୍ଠ ପଦେକ୍ଷପ ଗ୍ରହଣ କରିଥିଲା, ତାହା ବଙ୍ଗଳା ସାହିତ୍ୟରେ ଏକ ‘ମଙ୍ଗଳଯୁଗ’ର ସୂତ୍ରପାତ କରିଥିବା ମନେହୁଏ । ଠିକ୍ ସେହିପରି ଅଳଙ୍କାର, ଉପମା, ଉପମେୟ, ରୂପକ, ରସ, ରାଗ, ଛନ୍ଦ ଇତ୍ୟାଦିର ପ୍ରୟୋଗ କରି ଓଡ଼ିଆ କାବ୍ୟ ସାହିତ୍ୟକୁ କବିମାନେ ନୂତନ ରୂପରେ ସଜାଇଲେ । ଓଡ଼ିଆ ସାହିତ୍ୟ ଓ ବଙ୍ଗଳା ସାହିତ୍ୟ ଉଭୟରେ ମଧ୍ୟଯୁଗୀୟ କେତେକ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ-। ଯଥା:- (୧) ଆଖ୍ୟାୟିକା ସମ୍ବଳିତ ଛନ୍ଦୋବଦ୍ଧ ରଚନା (୨) ପୌରାରିକ ବିଷୟାଲମ୍ବିତ କାବ୍ୟ ପରିମାଣ ଏହି ଯୁଗରେ ଅଧିକ ସଂଖ୍ୟକ ଦେଖାଯାଏ । (୩) ବଙ୍ଗ ଓ ଓଡ଼ିଶାର ଶିଳ୍ପ, ଭାସ୍କର୍ଯ୍ୟ, ସୁସମୃଦ୍ଧ ସଂସ୍କୃତ ସାହିତ୍ୟ ଏବଂ ସର୍ବୋପରି ଶାସନ ଦାୟିତ୍ୱ ବିନିର୍ମୁକ୍ତ ରାଜ ପୁରୁଷଙ୍କ ପୃଷ୍ଠେପାଷକତା । ଉଭୟ ପ୍ରଦେଶର କାବ୍ୟ ସାହିତ୍ୟରେ ଏକ ନୂତନ ଧାରା ପ୍ରବର୍ତ୍ତନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କଲା (୪) ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟର ଆଭିମୁଖ୍ୟ ଥିଲା ରୀତିକାବ୍ୟ ରଚନା ଏବଂ ପ୍ରଣୟ ଥିଲା ତାର ପ୍ରଧାନ ଉପଜୀବ୍ୟ ବିଷୟ । (୫) ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ବଙ୍ଗଳା ସାହିତ୍ୟଠାରୁ ବୌଦ୍ଧିକତା, ପାଣ୍ଡିତ୍ୟ, କାବ୍ୟିକ ଚାତୁର୍ଯ୍ୟରେ ବୟୋଜ୍ୟୋଷ୍ଠ ମନେହୁଏ । ପୁରାଣ ଯୁଗରୁ ଓଡ଼ିଆ ସାହିତ୍ୟ ନିଜକୁ ଓହରାଇ ଆଣି ରୀତିଯୁଗର ବୌଦ୍ଧିକ ସାହିତ୍ୟ ଜଗତରେ ବିଚରଣ କଲାବେଳେ ବଙ୍ଗଳା ସାହିତ୍ୟ କେବଳ ଧର୍ମ ଓ ଲୋକ ଜୀବନର ଆଦର୍ଶବୋଧକୁ ଜାବୁଡ଼ି ଧରି ଗୁଡ଼ିଏ ମଙ୍ଗଳ କାବ୍ୟ ଓ ଉପାଖ୍ୟାନମୂଳକ ଧର୍ମକାବ୍ୟ ସୃଷ୍ଟି କରିଥିଲା-

 

ମଧ୍ୟଯୁଗୀୟ କାବ୍ୟ ସାହିତ୍ୟର ରାଜନୈତିକ ପରିବେଶ : ମଧ୍ୟଯୁଗ ସମୟରେ ସାହିତ୍ୟ ମୁଖ୍ୟତଃ ରାଜ ପୃଷ୍ଠପୋଷକତା ଲାଭକରି ନିଜେ ଆତ୍ମପ୍ରକାଶ କରିଥିବାର ପ୍ରମାଣ କାବ୍ୟଗୁଡ଼ିକରୁ ଜଣାଯାଏ । ସାହିତ୍ୟର ଦରବାରୀ ପ୍ରଚ୍ଛଦପଟ ପରିବୃତ୍ତ ହୋଇ ଆତ୍ମପ୍ରକାଶ କରିବାର ସୌଖୀନ ମନୋବୃତ୍ତି ହେଉଛି ଏକ ପ୍ରାଚୀନ ଭାରତୀୟ ପରମ୍ପରା । ଗ୍ରାହକତ୍ୱ ହୋଇଛି ସାରସ୍ୱତର–ବୃତ୍ତର କେନ୍ଦ୍ରବିନ୍ଦୁ । ତା ନହେଲେ ବୈଶ୍ୟପ୍ରାୟ ପସରା ମେଲି ବସିବାକୁ କବି ନିତାନ୍ତ ପରିଶ୍ରମ ବିଚାରିଛି ।-

 

‘‘ଭାବେ ବୈଶ୍ୟ ପରାୟ ମୁଁ ମେଲିଛି ପସରା

ଭାବ ସବୁ ଦ୍ରବ୍ୟକୁ ଗ୍ରାହକ ଲୋଡ଼ା ପରା।’’

(ବିଦଗ୍ଧ ଚିନ୍ତାମଣି–ଅଭିମନ୍ୟୁ ସାମନ୍ତ ସିଂହାର)

 

ଐତିହାସିକ ଅନୁକ୍ରମରେ ଅନୁଧ୍ୟାନ କଲେ ଜଣାଯାଏ ଯେ, ପ୍ରତ୍ୟେକ ସଂସ୍କୃତି କାବ୍ୟ ସୃଷ୍ଟି ମୂଳରେ ରାଜପ୍ରୀତିର ନିଦର୍ଶନ ବିଦ୍ୟମାନ । ମଧ୍ୟଯୁଗର ସାହିତ୍ୟ ରାଜପୃଷ୍ଠ ପୋଷକତାକୁ ଆଶ୍ରୟ କରି ଗତିଶୀଳ । ଏଣୁ ସମାଜ ବିମୁଖତା ତଥା ସାଧାରଣ ଲୋକ ଜୀବନଠାରୁ ଦୂରେଇ ଯିବାର ଯଥେଷ୍ଟ କାରଣ ନିହିତ । ମୋଗଲ ସାମ୍ରାଜ୍ୟରେ ଶାସକବର୍ଗଙ୍କର ଉଚ୍ଚ ସାହିତ୍ୟିକ ଚେତନା ଓ ସାହିତ୍ୟପ୍ରତି ଅଜସ୍ର ଶ୍ରଦ୍ଧା, ପ୍ରତିଭାପୂଜା, କବି ତଥା କଳାକାର ଗୋଷ୍ଠୀଙ୍କୁ ଦରବାରୀୟ ଶୃଙ୍ଖଳ ଭିତରେ ଆବଦ୍ଧ କରି ରଖିଥିଲା । କବି ଓ କଳାକାରମାନେ ସାହିତ୍ୟ ଓ କଳାର ବିକାଶ ପାଇଁ ବହୁଭାବରେ ରାଜଶକ୍ତିଦ୍ୱାରା ଅନୁପ୍ରେରିତ ହୋଇଥିବାର ଜଣାଯାଏ ।

 

ସମାଜ ଚିତ୍ର :- ଓଡ଼ିଆ ହେଉ ବା ବଙ୍ଗଳା ହେଉ ଉଭୟ ସାହିତ୍ୟରେ ମଧ୍ୟଯୁଗୀୟ ଜନଜୀବନରେ ଓ ସମାଜର ପ୍ରତିଛବି ପ୍ରତିବିମ୍ବିତ । ସମାଜଠାରୁ ଯେଉଁ ସାହିତ୍ୟ ଦୂରେଇ ଯାଏ ତାହା ଯୁଗପୋଯୋଗୀ ହୋଇ ପାରେନାହିଁ । ମଧ୍ୟଯୁଗୀୟ କାବ୍ୟସାହିତ୍ୟରେ ସମାଜ ଓ ଲୋକ ଜୀବନ–ଚଳଣିର ବର୍ଣ୍ଣନା ଅତିକ୍ଷୀଣ ଓ ନଗଣ୍ୟ । ତଥାପି ପଲ୍ଲୀ ଜୀବନରେ ଦୁଃଖ-ସୁଖ, ଆନନ୍ଦ-ବିଷାଦ–ବିବାହ-ଉତ୍ସବ, ଓଷା-ବ୍ରତ, ଶିଳ୍ପ-ବାଣିଜ୍ୟ, ଖାଦ୍ୟପେୟ, ନରନାରୀଙ୍କର ବେଶଭୂଷା ତଥା ଅଳଙ୍କାରାଦି ବର୍ଣ୍ଣନାର ଚିତ୍ର ମଧ୍ୟଯୁଗୀୟ କାବ୍ୟ ସାହିତ୍ୟକୁ ସମାଜ ସୁଲଭ କରି ଗଢ଼ି ତୋଳିଛି ।

 

ଚାଟ ଇଚ୍ଛାବତୀ ଓ ଇଚ୍ଛାବତୀ କାବ୍ୟ :- ଓଡ଼ିଆ ପ୍ରେମାଖ୍ୟାନମୂଳକ କାଳ୍ପନିକ କାବ୍ୟଧାରାର ଦ୍ୱିତୀୟ ସୃଷ୍ଟିଭାବରେ ଚାଟ ଇଚ୍ଛାବତୀ କାବ୍ୟକୁ ସମ୍ମାନ ଦିଆଯାଏ । ଏହି କାବ୍ୟର ସ୍ରଷ୍ଟା ବନମାଳୀ ଦାସ । ‘ଚାଟ ଇଚ୍ଛାବତୀ’ କାବ୍ୟର ନାୟକ ଚାରବ୍ରହ୍ମ । ପିତା ମଦନବ୍ରହ୍ମ ତାଙ୍କ ବିବାହ ପାଇଁ ଯେତେ ପ୍ରସ୍ତାବ ସ୍ଥିର କରନ୍ତି । ସେ ରାଜି ହୁଅନ୍ତି ନାହିଁ । ଫଳରେ ଚାରୁବ୍ରହ୍ମ ହୁଅନ୍ତି ନିର୍ବାସିତ । ଚାରୁବ୍ରହ୍ମ ବୁଲିବୁଲି ଆସି ସୁବର୍ଣ୍ଣରେଖା ତୀରବର୍ତ୍ତୀ ଭୋଜ ରାଜ୍ୟରେ ଦାନ୍ତୁଆଣୀ (ଆଧୁନିକ ଦାନ୍ତୁନ) ନଗରରେ ଉପନୀତ ହେଲେ । ସେଠାରେ ବାସ କରୁଥିବା ଜନୈକ ବ୍ରାହ୍ମଣ କରୁଣାକରଙ୍କ ପାଠଶାଳାରେ ରାଜକନ୍ୟା ଇଚ୍ଛାବତୀଙ୍କ ସହିତ ତାଙ୍କର ସାକ୍ଷାତ ଓ ପ୍ରଣୟ ହୁଏ । ରାଜା ଏହା ଜାଣିପାରି ତାଙ୍କୁ ପ୍ରାଣଦଣ୍ଡ ଦେବାଲାଗି ବଧ୍ୟଭୂମିକୁ ପଠାନ୍ତେ ସେଠାରେ ଜଣେ ବେତାଳ ପହଞ୍ଚି ଚାରୁବ୍ରହ୍ମର ପ୍ରକୃତ ପରିଚୟ ପ୍ରଦାନ କରିଛି ଓ ଏବଂ ଚାରୁବ୍ରହ୍ମ ଓ ଇଚ୍ଛାବତୀଙ୍କର ବିବାହ ହୁଏ ।

 

କବି ବନମାଳୀଙ୍କର ’ଚାଟ ଇଚ୍ଛାବତୀ’ କାବ୍ୟର ଅନ୍ତସ୍ୱର ପ୍ରେମ ପ୍ରଣୟ କେବଳ ନୁହେଁ, ମହନୀୟ ମାନବବାଦ ଓ ମଣିଷ ପ୍ରତି ସମବେଦନାର ସ୍ୱର ଏଥିରେ ସ୍ପଷ୍ଟ ପ୍ରତିଫଳିତ । ଏହାର ଭାଷା ସରଳ ଓ ପରିବେଷଣ ଶୈଳୀ ସ୍ନିଗ୍ଧ ତଥା ସୁନ୍ଦର । ଏହି ଲୋକ କାହାଣୀଟି ମେଦିନୀପୁର ଅଞ୍ଚଳରେ ମଧ୍ୟ ଆଦୃତ । ଏହି ଲୋକ କାହାଣୀକୁ ଭିତ୍ତିକରି ଧନଞ୍ଜୟ ଭଞ୍ଜ ରଚନା କରିଥିଲେ ‘ଇଚ୍ଛାବତୀ’ କାବ୍ୟ । ଏହାର ନାୟିକା ଇଚ୍ଛାବତୀ ଓ ନାୟକ ମଧୁକର ଅଭିଶପ୍ତ ଗନ୍ଧର୍ବ କଳାବନ୍ତ ଓ କଳାବତୀ । ‘ଇଚ୍ଛାବତୀ’ କାବ୍ୟରୁ କବି ଧନଞ୍ଜୟ ଭଞ୍ଜଙ୍କର ସଂସ୍କୃତ ଓ ଓଡ଼ିଆ ଭାଷାରେ ଥିବା ଦକ୍ଷତାର ସ୍ପଷ୍ଟ ପ୍ରମାଣ ମିଳିଥାଏ । ଧନଞ୍ଜୟ ଭଞ୍ଜଙ୍କର ଇଚ୍ଛାବତୀ କାବ୍ୟର କଥାବସ୍ତୁ କିଞ୍ଚିତ୍ ଭାବେ ସଂସ୍କୃତରୁ ଆଦୃତ । ମାତ୍ର ବନମାଳୀଙ୍କ ଚାଟ ଇଚ୍ଛାବତୀରେ କବିଙ୍କର ମୌଳିକ କଳ୍ପନା ବିଳାସ ଲକ୍ଷ୍ୟ କରାଯାଏ ।

 

ଲାବଣ୍ୟବତୀ ଓ ବିଦ୍ୟାସୁନ୍ଦର : ଓଡ଼ିଆ ସାହିତ୍ୟରେ ୧୬୫୦ ରୁ ୧୮୫୦ ମସିହା ପର୍ଯ୍ୟନ୍ତ ସମୟ ରୀତିକାବ୍ୟର ସୁବର୍ଣ୍ଣଯୁଗ ଭାବରେ ସୁବିଦିତ । ରାଜକବି ଧନଞ୍ଜୟ ଭଞ୍ଜଙ୍କଠାରୁ ରୀତିକାବ୍ୟର ଯେଉଁ ବୈଚିତ୍ର୍ୟ ପ୍ରକାଶ ପାଇଲା, ତାହା ଉପେନ୍ଦ୍ର ଭଞ୍ଜଙ୍କ କବି-ପ୍ରତିଭାର ଶୀର୍ଷ ସ୍ଥାନ ଲାଭ କଲା । କବି ଉପେନ୍ଦ୍ର ଭଞ୍ଜ ଓଡ଼ିଆ କାବ୍ୟ ଜଗତର ସମ୍ରାଟ ଓ ପଟପୁରୋଧା । ଉପମା, ରୂପକ, ଅଳଙ୍କାର, ରସ, ଯମକ ପ୍ରଭୃତି ପୟୋଗରେ ତାଙ୍କ କବିତ୍ୱର ସିଦ୍ଧି ପ୍ରମାଣିତ ହୁଏ । ‘ଲାବଣ୍ୟବତୀ’ କବ୍ୟ କବି ପ୍ରତିଭାର ମଧୁର ଅଭିବ୍ୟକ୍ତି । ଏହି କାବ୍ୟରେ ପ୍ରଥମେ ପାର୍ବତୀଙ୍କ ମାନସ କନ୍ୟା ବାଞ୍ଛାବତୀର ସୌନ୍ଦର୍ଯ୍ୟ କବିଙ୍କ ଲେଖନୀରେ ଜୀବନ୍ତ ହୋଇଅଛି । ଲାବଣ୍ୟବତୀର ଜନ୍ମ, ବାଲ୍ୟ ଓ ଯୌବନ ବର୍ଣ୍ଣନା କବିଙ୍କ ଲେଖନୀରେ ପ୍ରାଣବନ୍ତ ହୋଇଉଠିଛି । ଚନ୍ଦ୍ରଭାନୁ ବିରହ ଯନ୍ତ୍ରଣା ଦୂର କରିବା ପାଇଁ ଶିବଙ୍କୁ ପ୍ରାର୍ଥନା କଲାବେଳେ ପାର୍ବତୀଙ୍କୁ ଲାବଣ୍ୟବତୀ ଏକ କାରଣ ପାଇଁ ପ୍ରାର୍ଥନା କରେ । ଯୋଗିନୀର ସହାୟତାରେ ଚନ୍ଦ୍ରଭାନୁ ଓ ଲାବଣ୍ୟବତୀଙ୍କର ସ୍ୱପ୍ନରେ ମିଳନ ହେବା କଥା ବର୍ଣ୍ଣିତ । ସ୍ୱପ୍ନ ପ୍ରସଙ୍ଗ ବର୍ଣ୍ଣନା କରି କବି ଉପେନ୍ଦ୍ର ଲାବଣ୍ୟବତୀର ମାନସିକ ଯନ୍ତ୍ରଣାକୁ ଅତି ଜୀବନ ଭାବରେ ରୂପାୟିତ କରିଛନ୍ତି ।

 

କବି ଲାବଣ୍ୟବତୀର କାବ୍ୟରେ ରୀତିଯୁଗୀୟ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖି ଯେଉଁ ଚିତ୍ର ବାଢ଼ିଛନ୍ତି ସେଥିରେ ଉତ୍କଳୀୟ ଜନଜୀବନ ଓ ସମାଜ ସଂସ୍କୃତିର ଚିତ୍ର ନିହିତ । ବିବାହ ପୂର୍ବରୁ ଯୁବକଯୁବତୀମାନଙ୍କ ମଧ୍ୟରେ ପ୍ରେମାନୁରାଗ ସୃଷ୍ଟି ହେଲେ ମଧ୍ୟ ସେମାନଙ୍କୁ ମିଳନ କରାଇ ଦେଇ ନାହାନ୍ତି କବି ତାଙ୍କ କାବ୍ୟରେ । ସାମାଜିକ ଶୃଙ୍ଖଳା ଥିଲା ତାଙ୍କ କାବ୍ୟର ଅନ୍ୟତମ ବୈଶିଷ୍ଟ୍ୟ ।

 

ମଧ୍ୟଯୁଗୀକାବ୍ୟ ସାହିତ୍ୟ ଧାରା ମଧ୍ୟ ବଙ୍ଗଳା ଭାଷା ଓ ସାହିତ୍ୟ ଉପରେ ଗଭୀର ପ୍ରଭାବ ବିସ୍ତାର କରିଥିଲା । ‘ଲାବଣ୍ୟବତୀ’ କାବ୍ୟର କଥାବସ୍ତୁ ସହିତ ସାମ୍ୟ ରକ୍ଷାକରି ରଚିତ ହୋଇଥିବା ବଙ୍ଗଳା କାବ୍ୟ ହେଉଛି ‘ବିଦ୍ୟାସୁନ୍ଦର’ । ଭାରତ ସୁନ୍ଦର ହେଉଛନ୍ତି ଭକ୍ତ କାବ୍ୟର ରଚୟିତା । ଏହି କାବ୍ୟର ନାୟିକା ବିଦ୍ୟା ଓ ନାୟକ ସୁନ୍ଦର । ନାୟିବାକୁ ଲାଭ କରିବାକୁ ଯାଇ ନାୟକ ଅନେକ ବିଦ୍ୟା ଅଧ୍ୟୟନ କରେ । ମାଳିନୀର ସହାୟତାରେ ଉଭୟଙ୍କର ଗୋପନ ମିଳନ ହୁଏ । ଏହି ଗୋପନ ମିଳନ ସମୟରେ କବି ଯେପରି ରତିକ୍ରୀଡ଼ାର ବର୍ଣ୍ଣନା କରିଛନ୍ତି ତାହା ମଧ୍ୟ ଉପେନ୍ଦ୍ରଭଞ୍ଜଙ୍କ ପ୍ରଭାବ ପରିପୁଷ୍ଟ ବୋଲି ମନେ ହୁଏ । କ୍ରମେ ସୁନ୍ଦର ଧରାପଡ଼େ ଓ ବଦ୍ଧଭୂମିକୁ ଯାଏ । ଶ୍ମଶାନରେ ସେ କାଳୀଙ୍କୁ ସ୍ତୁତି କରିଛି ଏବଂ ଦେବୀ ତାକୁ ଅଭୟ ବର ପ୍ରଦାନ କରନ୍ତି । ପରିଣତିରେ ସୁନ୍ଦର ମୁକ୍ତ ହୁଏ ଓ ବିଦ୍ୟା ସହିତ ତା’ର ହୋଇଛି ବିବାହ ।

 

ଭାରତଚନ୍ଦ୍ରଙ୍କ କାବ୍ୟରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି, ଜଗନ୍ନାଥଙ୍କ ପ୍ରସାଦ ଓ କ୍ଷେତ୍ରର ମାହାତ୍ମ୍ୟ ଯେପରି ବର୍ଣ୍ଣିତ ହୋଇଛି ତଦ୍ଦ୍ୱାରା ଓଡ଼ିଶା ବଙ୍ଗଳାର ସାଂସ୍କୃତିକ ସମନ୍ୱୟ ହିଁ ସୂଚିତ ହୋଇଥାଏ । ସହାୟକ ଗ୍ରନ୍ଥସୂଚୀ:-

 

(୧)

ଓଡ଼ିଆ ରୀତି କାବ୍ୟର ଭିତ୍ତି ଓ ଭୂତି (ଫ୍ରେଣ୍ଡସ୍‌ ପବ୍ଲିଶର୍ସ)–ଅଧ୍ୟାପକ ସୁରେନ୍ଦ୍ର କୁମାର ନାୟକ ।

(୨)

ସମାଲୋଚନାର ଦିଗଦିଗନ୍ତ (ଫ୍ରେଣ୍ଡସ୍ ପବ୍ଲିଶର୍ସ)–ଡଃ ଖଗେଶ୍ୱର ମହାପାତ୍ର ।

(୩)

ଚାଟଇଚ୍ଛାବତୀ (ଝଙ୍କାର-ବିଷୁବସଂଖ୍ୟା)–ନୀଳମଣି ମିଶ୍ର ।

(୪)

ଓଡ଼ିଆ ସାହିତ୍ୟର ଇତିହାସ –ଡଃ ପଠାଣି ପଟ୍ଟନାୟକ ।

(୫)

ଲାବଣ୍ୟବତୀ–ଉପେନ୍ଦ୍ର ଭଞ୍ଜ ( ଫ୍ରେଣ୍ଡସ୍ ପବ୍ଲିଶର୍ସ) ।

(୬)

ଭାରତ ଚନ୍ଦ୍ରେର ଗ୍ରନ୍ଥାବଳୀ (କଲିକତା )- ଭାରତଚନ୍ଦ୍ର ।

(୭)

ବଙ୍ଗଳା ସାହିତ୍ୟର ଇତିହାସ–ଡଃ ସୁକୁମାର ସେନା ।

 

 

ଅଧ୍ୟାପକ, ବାବା ପଞ୍ଚଲିଙ୍ଗେଶ୍ୱର (+୩) ସ୍ନାତକ ମହାବିଦ୍ୟାଳୟ

ସନ୍ତରାଗଡ଼ିଆ, ବାହାନଗା, ବାଲେଶ୍ୱର–୭୫୬୦୪୨

ମୋ- ୯୪୩୮୮୫୯୨୫୮, ୯୦୪୦୨୭୫୦୩୮

 

 

***

 

ନାକଟା ଚିତ୍ରକରର ସୌନ୍ଦର୍ଯ୍ୟ

ବିରଞ୍ଚି ସାହୁ

 

ରାମଚନ୍ଦ୍ରରୁ ଫତୁରାନନ୍ଦ : ରାମଚନ୍ଦ୍ର ମିଶ୍ର ପିତା–ବିଦ୍ୟାଧର ମିଶ୍ର, ମାତା-ସୁଭଦ୍ରା ମିଶ୍ର, ଜନ୍ମ ୧୯୧୫ ଜୁନ ୧ ତାରିଖ କଟକ ସହରର ଝାଞ୍ଜିରିମଙ୍ଗଳାଠାରେ । ସେଦିନ କଟକ ସହରରେ ହୁଏତ କିଛି ଗୋଟେ ଘଟଣା ଘଟି ନ ଥିବ କିନ୍ତୁ ଠିକ୍ ୧୯୯୫ ମସିହା ନଭେମ୍ବର ୬ ତାରିଖ ଦିନ ଗୋଟେ ବିରାଟ ଘଟଣା ଘଟିଗଲା । ଓଡ଼ିଆ ସାହିତ୍ୟ ଇତିହାସରେ ହାସ୍ୟବ୍ୟଙ୍ଗର ସ୍ରଷ୍ଟା ପୁରୁଷଙ୍କ ମହାପ୍ରୟାଣ । ଏକ ବିରାଟ ଶୂନ୍ୟସ୍ଥାନ । ଆଜିଯାଏ ଅପୂରଣୀୟ । ରାମଚନ୍ଦ୍ରଙ୍କୁ ପିଲାବେଳୁ ଭଲ ପରିବେଶ ମିଳିଥିଲା । ସୁତରା ବଡ଼ ଉଚ୍ଚା ଡାକ୍ତର ହେବା । ଡାକ୍ତରୀ ପଢ଼ିଲେ ଏଲ୍.ଏମ୍.ପି. । କିନ୍ତୁ ଚିକିତ୍ସାକୁ ଆପଣାର ନ କରି ସେ ଆପଣେଇ ନେଲେ ସାହିତ୍ୟକୁ । ମଣିଷର ନାଡ଼ି ପରଖିବା ଛାଡ଼ି ସେ ପରଖିଲେ ସାହିତ୍ୟର ନାଡ଼ି । ଯାହା ଅଭାବ ଥିଲା ମଣିଷ ପାଇଁ, ସେଇ ହସ ଟିକକ ସେ ବାଣ୍ଟିଲେ ସାହିତ୍ୟ ମାଧ୍ୟମରେ । ଡାକ୍ତରୀ ପାଠ ପଢ଼ିବା ସହିତ କ୍ରମେ ସେ ସାନ୍ଧ୍ୟ କ୍ଳବ (Evening Club)ରେ ଯୋଗ ଦିଅନ୍ତି । ବସାଉଠା କରନ୍ତି । ସାହିତ୍ୟ ଆଲୋଚନାରେ ଭାଗ ନିଅନ୍ତି । ସେଠି ହୁଏ ନୂଆ ନାମକରଣ । ରାମଚନ୍ଦ୍ରଙ୍କ ସେଇଠି ହୋଇଥିଲା ନୂଆ ନାମକରଣ–‘ଫତୁରାନନ୍ଦ’ । ସେହି ନାମକରଣ ସମ୍ପର୍କରେ ସେ କହିଛନ୍ତି–‘ମେଡ଼ିକାଲ ସ୍କୁଲରେ ପଢ଼ିଲାବେଳେ ସନ୍ଧ୍ୟାବେଳେ କଟକ ଷ୍ଟେସନ ପାଖରେ ଥିବା ଏକ ଇଭିନିଂ କ୍ଲବକୁ ମୁଁ ଅନ୍ୟାନ୍ୟ ସାଥୀମାନଙ୍କ ସହ ଯାଇଥିଲି । ଦିନେ ମୋର ଅନ୍ୟ ବନ୍ଧୁମାନେ କ୍ଳବକୁ ଆଗରୁ ଚାଲି ଯାଇଥିଲେ । ମୁଁ ପଛରେ ଯାଇ ପହଞ୍ଚିଲି । ସେ କ୍ଲବରେ ଜଣେ ବଙ୍ଗୀୟ ଭଦ୍ରବ୍ୟକ୍ତି ମୁଖାର୍ଜୀବାବୁ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ସାଧୁ ପୁରୁଷଙ୍କ ନାମରେ ନାମିତ କରୁଥିଲେ, ଯଥା–ବିଶୁଦ୍ଧାନନ୍ଦ, ବିବେକାନନ୍ଦ, ପ୍ରଣବାନନ୍ଦ, ଯୋଗାନନ୍ଦ ଇତ୍ୟାଦି, ମୁଁ ପହଞ୍ଚିଲାବେଳକୁ ତାଙ୍କର ସବୁ ନନ୍ଦ ସରି ଯାଇଥିଲା । ତେଣୁ ମୋତେ ଦେଖି ସେ କହି ଉଠିଲେ ତୁମେ ହୁଅ ‘ଫତୁରାନନ୍ଦ’ । ଯେତେବେଳେ ଲେଖା ଆରମ୍ଭ କରି ସେତେବେଳକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଆସି ନ ଥାଏ । ଲୋକେ ପଢ଼ି ନାପସନ୍ଦ କରି ମୋତେ ଗାଳିଗୁଲଜ କରି ପାରନ୍ତି ବୋଲି ମୋର ଭୟ ଥିଲା । ତେଣୁ ଛଦ୍ମ ନାମରେ ଲେଖା ପ୍ରକାଶ କରିବି ବୋଲି ମନସ୍ଥ କଲି । ନାମ ଖୋଜୁ ଖୋଜୁ ‘ଫତୁରାନନ୍ଦ’ ନାମଟି ମନେ ପଡ଼ିଲା ତାକୁ ହିଁ ଅବଲମ୍ବନ କରି ମୋର ପ୍ରଥମ ଲେଖା ‘କବି ଲଢେଇ’ରେ ଫତୁରାନନ୍ଦ ନାମ ଦେଲି । ଆଜି ପର୍ଯ୍ୟନ୍ତ ସେହି ଫତୁରାନନ୍ଦ ନାମଟିକୁ ଜକଟି ମକଟି ଧରିଛି । ଏପରିକି ମୋର ପଟ୍ଟା, ପାଉତି, ଭୁସମ୍ପତ୍ତି କାଗଜପତ୍ରରେ ଫତୁରାନନ୍ଦ ନାମ ରହିଛି । (ହାସ୍ୟ ସମ୍ରାଟ ଫତୁରାନନ୍ଦ/ଚଉଧୁରୀ ହେମକାନ୍ତ ମିଶ୍ର/ଓ.ସା. ଏକାଡ଼େମି/ପୃ ୯ ଷ୍ଠା) ସେବେଠାରୁ ରାମଚନ୍ଦ୍ରରୁ ସେ ରୂପାନ୍ତରିତ ହେଲେ ଫତୁରାନନ୍ଦରେ । ଯାହା କାଳ କାଳ ପାଇଁ ରହିଗଲା, ଆଉ ଲୁଚିଗଲେ ଡଃ ରାମଚନ୍ଦ୍ର ମିଶ୍ର ସବୁଦିନ ପାଇଁ ।

 

ସେ କଲେ, ‘ସାହିତ୍ୟ ଚାଷ’, ପରେ ‘ସାହିତ୍ୟ ବେଉଷଣ’ ଆଉ ‘ସାହିତ୍ୟ ବଛାବଛି’ କାମ ମଧ୍ୟ ଜୋର୍‌ରେ କଲେ । ‘ମଙ୍ଗଳ ବାରିଆ ସାହିତ୍ୟ ସଂସଦ’ ଗଠନ କଲେ । ‘ହସ କୁରାଏ’ ଆସି ଜମାହେଲେ । ‘ବୃହତ ଭାଣ୍ଡ’କୁ ପାଖରେ ପାଇଲେ । ‘ଭୋଟ ଦେଲେ’, ‘ଗମାତ’ ହେଲେ–‘ନିଦା ବେହେଲ’ ହୋଇ ‘ହେରେସା’ଙ୍କ ଭଳି ‘ନବଜିଆ’ କାମ କଲେ । କେତେବେଳେ ବିଦୂଷକର ଭୂମିକାରେ ଅବତୀର୍ଣ୍ଣ ହେଲେ । ‘ଟାହୁଲିଆ’, ‘ଟାପୁରିଆ’ ଆଉ ‘ମୁଚୁକୁନ୍ଦିଆ’ଙ୍କ ସହିତ ମିଳି ‘ଖିଲିଖିଲିଆ ହସ’ର ଢେଉ ସୃଷ୍ଟି କଲେ, ଆଉ ଶୁଣାଇଲେ ‘ଫୁଟାଡଙ୍ଗାର କାହାଣୀ ।’ ସେ ହେଲ ‘ନାକଟା ଚିତ୍ରକର’ ଓରଫ ଫତୁରାନନ୍ଦ ।

 

ଫତୁରାନନ୍ଦ ଓରଫ୍ ରାମଚନ୍ଦ୍ର ମିଶ୍ରଙ୍କର ଏକମାତ୍ର ଉପନ୍ୟାସ ହେଉଛି ‘ନାକଟା ଚିତ୍ରକର’-। ତାଙ୍କ ଲେଖା ଭିତରେ ଗଳ୍ପ, ବ୍ୟଙ୍ଗଧର୍ମୀ, ରଚନା, କବିତା, ଆଲୋଚନା, ଆତ୍ମଜୀବନୀ ଆଦି ଅନ୍ତର୍ଭୁକ୍ତ । ଖଣ୍ଡିଏ ମାତ୍ର ଉପନ୍ୟାସ ଲେଖି ଔପନ୍ୟାସିକର ମର୍ଯ୍ୟାଦା ପାଇଛନ୍ତି । ବ୍ୟଥା, ବେଦନା ଭରା ଜୀବନ ବଞ୍ଚିଥିବା ଫତୁରାନନ୍ଦ ନିଜେ ଦୁଃଖ, ଯାତନା, କଷ୍ଟ, ଲାଞ୍ଛନା ପାଇଥିବା ସତ୍ତ୍ୱେ ଆଉ ନିଜେ ଅନ୍ଧକାର ଭିତରେ ରହି ସେ ଯେଉଁ ଲେଖାମାନ ଛାଡ଼ି ଯାଇଛନ୍ତି ତାହା ଭାବିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହେବ । ଯୌବନରେ ସେ ହେଲ ବିକଳାଙ୍ଗ । ନିଜର ଅମୂଲ୍ୟ ସମ୍ପଦ ଚକ୍ଷୁ ଦିଓଟି ହରାଇ ନିଜେ ସିନା ଜ୍ୟୋତିଃହୀନ ହୋଇଗଲେ ମାତ୍ର ଓଡ଼ିଆ ସାହିତ୍ୟ ଇତିହାସରେ ସେ ହେଲ ଜ୍ୟୋତିଷ୍କ । ତାଙ୍କ ଲେଖାରେ ସେ ବ୍ୟଙ୍ଗ ଓ ହାସ୍ୟର ଅମଳିନ ଧାରା ପ୍ରବାହିତ କଲେ । ଓଡ଼ିଆ ସାହିତ୍ୟରେ ବ୍ୟଙ୍ଗ ଓ ହାସ୍ୟକୁ ନେଇ ଲେଖିବାର ଯେଉଁ ଧାରା ସୃଷ୍ଟି କରିଥିଲେ ଫକୀରମୋହନ, ଲକ୍ଷ୍ମୀକାନ୍ତ ମହାପାତ୍ର, ତାଙ୍କ ପରେ ଫତୁରାନନ୍ଦ ସେହି ଆସନରେ ହେଲେ ଅଧିଷ୍ଠିତ । ହାସ୍ୟ, ବ୍ୟଙ୍ଗ ସହିତ କରୁଣ ତାଙ୍କ ଲେଖାର ଅନ୍ୟତମ ସୌନ୍ଦର୍ଯ୍ୟ ।

 

ନାକଟା ଚିତ୍ରକର, ଫତୁରାନନ୍ଦ

ଫତୁରାନନ୍ଦଙ୍କ ସାହିତ୍ୟ ସୃଷ୍ଟି ଭିତରୁ ‘ନାକଟା ଚିତ୍ରକର’ ଗୋଟିଏ ଭିନ୍ନ ସୃଷ୍ଟି । ଗୋଟିଏ ମାତ୍ର ଉପନ୍ୟାସ ରଚନା କରିଥିଲେ ଫତୁରାନନ୍ଦ ଜୀବନକାଳ ଭିତରେ । ୧୯୫୩ ମସିହାରେ ରଚିତ ଏ ଉପନ୍ୟାସ ଓଡ଼ିଆ ସାହିତ୍ୟର ଇତିହାସରେ ସ୍ୱତନ୍ତ୍ର ଆସନଟିଏ ସୃଷ୍ଟି କରିପାରିଛି । ସର୍ବମୋଟ ବାରଗୋଟି ପରିଚ୍ଛେଦରେ ଉପନ୍ୟାସଟିକୁ ସମ୍ପୂର୍ଣ୍ଣ କରିଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଆ ଉପନ୍ୟାସ ରଚନାରେ ବ୍ରତୀ ହୋଇଥିବା ଔପନ୍ୟାସିକ ଫତୁରାନନ୍ଦଙ୍କ ନାକଟା ଚିତ୍ରକର ନୂତନ ଅଥଚ ଭିନ୍ନସ୍ୱର ଶୁଣାଇଥାଏ । ସ୍ୱାଧୀନତା ପରେ ସାହିତ୍ୟରେ ଅନେକ ବିଭାଗରେ କ୍ରମଶଃ ପରୀକ୍ଷା ନିରୀକ୍ଷା ଆଦି ଘଟଣାମାନ ଘଟିବାକୁ ଲାଗିଲା । ସାହିତ୍ୟର ଧାରାରେ ପରିବର୍ତ୍ତନ ସୂଚନା ମିଳିଲା । ଗୋଟିଏ କଥା, ଆମ ଓଡ଼ିଆ ସାହିତ୍ୟ ରଥୀମାନେ ଅନେକାଂଶରେ ବିଦେଶୀ ବା ବାହ୍ୟ ସାହିତ୍ୟକମାନଙ୍କଦ୍ୱାରା ଅନୁପ୍ରାଣୀତ ହୋଇଥିବା ଲକ୍ଷ୍ୟ କରାଯାଏ । ଉପନ୍ୟାସ ହେଉ ବା ଗଳ୍ପ ହେଉ ବା ନାଟକ ହେଉ ବା କବିତା ହେଉ, ଯେକୌଣସି ବିଷୟରେ ଆମେ ଲକ୍ଷ୍ୟକରୁ ପରିବର୍ତ୍ତନ । ମାଟିର କଥା, ମଣିଷର କଥା, ମଣିଷର ଦୁଃଖ, ଯନ୍ତ୍ରଣାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ପ୍ରେମ, ଯୌନ ସମ୍ଭୋଗ, ଧର୍ଷଣ, ହତ୍ୟା, ଲୁଣ୍ଠନ, ପାଣିପାଗ, ବର୍ଷା, ବନ୍ୟା ଝଡ଼ ଆଦି ପ୍ରାକୃତିକ ଘଟଣା ଏସବୁର ଚମତ୍କାର ଆରୋପ ସାହିତ୍ୟର ବିବିଧ ବିଭାଗରେ ପରିପୂର୍ଣ୍ଣତା ଲାଭ କରିଛି । ଫତୁରାନନ୍ଦଙ୍କ ନାକଟା ଚିତ୍ରକରରେ ଦୁଃଖ ଅଛି, ପେଟ ଫଟା ହସ ଅଛି । ଭାଇଚାରା ଅଛି ଆଉ ଅଛି ସମାଜର ବିଭିନ୍ନ ସମସ୍ୟା, କିନ୍ତୁ ଅନେକଙ୍କ ଲେଖାରେ ହସର ଜୁଆରରେ ଭଟ୍ଟା ପଡ଼ିଥିବା ବେଳେ କିନ୍ତୁ ଫତୁରାନନ୍ଦଙ୍କ ଆବିର୍ଭାବ ଏ କ୍ଷେତ୍ରରେ ନୂତନ ଆଶା ସଂଚାର କରାଇଛି । ଯେତେବେଳେ କ୍ରମଶଃ ହାସ୍ୟରସ କ୍ଷୀଣ, ଫତୁରାନନ୍ଦଙ୍କ ସାହିତ୍ୟରେ ସର୍ବତ୍ର ହସର ମନ୍ଦାକିନୀ ଧାରା ପ୍ରବାହିତ ହୋଇଛି, ଆଉ ବ୍ୟଙ୍ଗ ମଧ୍ୟ ପୂରା କଳାତ୍ମକ ରୂପ ଗ୍ରହଣ କରିଛି ।

 

ନାକଟା ଚିତ୍ରକର ମୁଖ୍ୟ ରମେଶ୍ୱର ଜୀବନ କାହାଣୀ ଏଥିରେ ବର୍ଣ୍ଣିତ । ଜୀବନର ଆରମ୍ଭରୁ କିଛି ଦୁଃଖ ଜାଣି ନଥିଲେ ମଧ୍ୟ ଯୌବନରୁ ଆରମ୍ଭ ହୋଇଛି ତା’ର ଦୁଃଖ । ବାପା, ମା ଆରପାରିକୁ ଚାଲିଯିବାପରେ ନିଜର ଜ୍ଞାତି, ବନ୍ଧୁଙ୍କଦ୍ୱାରା ପାଳିତ ହୋଇଛି ଓ କ୍ରମଶଃ ତା’ର ହେତୁ ହେଲାବେଳକୁ ନିଜର ଜ୍ଞାତି, ବନ୍ଧୁମାନେ ତାକୁ ଦାଣ୍ଡର ଭିକାରୀ କରି ସାରିଥିଲେ । ତା’ପରେ ଯାହାକିଛି ଥିଲା ନିଜର ପୈତୃକ ସମ୍ପତ୍ତିକୁ ବିକ୍ରୀ କରି କଟକର ଏକ ମଶା ଅଧ୍ୟୁଷିତ ଗଳିକୁ ଚାଲି ଆସି ଘର ଖଣ୍ଡେ କରି ରହିଲେ । ଏମିତି ସମୟ ଆସିଛି ସାଙ୍ଗକୁ ଯୁଟିଛନ୍ତି ଦୁଇଟି ଅକର୍ମା, ଗୋଟେ କେମ୍ପା ଆଉ ଜଣେ କାଲା । ସତିଆ ଓ ଭଗିଆ ନାମରେ ସମାଜରରେ ଅନ୍ୟମାନଙ୍କ ପାଖରେ ଏ ଦୁଇଟି ଜୀବ ଅପାଂକ୍ତେୟ ହେଲ ମଧ୍ୟ ରମେଶ ପାଖରେ ସ୍ନେହ, ଶ୍ରଦ୍ଧା ପାଉଥିଲେ ଆଉ ହୋଇଗଲେ ଅତି ଅନ୍ତରଙ୍ଗ । ରମେଶର ଅତୀତ ଥିଲା ବହୁ ସୁଖପ୍ରଦ, ମାତ୍ର ଯୌବନ ସମୟରେ ତାଙ୍କର ସୌନ୍ଦର୍ଯ୍ୟ ହେଲା ବିଲୁପ୍ତ । ବସନ୍ତଦାଗ ସହିତ ବିଲେଇର କାମୁଡ଼ା ଯୋଗୁଁ ନିଜର ନାକଟିକୁ ହରାଇ ସବୁଦିନ ପାଇଁ ନାକଟା ହୋଇଗଲେ, ଆଉ ଚିତ୍ରଶିଳ୍ପୀର ମର୍ଯ୍ୟାଦା ପାଇବା ପରେ ସେ ହେଲେ ‘ନାକଟା ଚିତ୍ରକର’ ।

 

ନାକଟା ଚିତ୍ରକର ଭାବେ ରମେଶର ମର୍ଯ୍ୟାଦା ବଢ଼ିଚାଲିଲା । ବାହ୍ୟସୌନ୍ଦର୍ଯ୍ୟ ହରାଇ ସେ ସବୁଦିନ ପାଇଁ କଦର୍ଯ୍ୟ, କଦାକାର ହୋଇଗଲେ ସତ ମାତ୍ର ଅନ୍ତଃ ସୌନ୍ଦର୍ଯ୍ୟର ସେ ଯେଉଁ ବୀଜ ବୁଣି ଗଲେ ତାହା ତାଙ୍କ ବାହ୍ୟ ରୂପକୁ ଘୋଡ଼ାଇ ପକାଇଲା । ରମେଶ ସହିତ ଯେଉଁ ଦୁଇଟି ଅପାଂକ୍ତେୟ ଚରିତ୍ର ଆସି ଜୁଟିଲେ ସତିଆ ଓ ଭଗିଆ ବାସ୍ତବିକ ରମେଶର ସାହଚର୍ଯ୍ୟରେ ସେମାନେ ବଞ୍ଚିଗଲେ । ଦୁଇ ଦୁଇଟି ଅପରିଚିତ ଲୋକଙ୍କୁ କିଏ ସ୍ଥାନ ଦେଇଥାନ୍ତା ? ନିଜେ ରମେଶ ଯେତେବେଳେ ନିଜର ପରିଜନମାନଙ୍କଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିଲା ସେତେବେଳେ ସେ ବୁଝି ସାରିଥିଲେ ମାନବିକତା କ’ଣ । ମାନବିକତା ଦ୍ୱାହିରେ ସେ ଆପଣେଇ ନେଇଥିଲେ ଦୁଇଟି ଜୀବଙ୍କୁ । ତା’ପରେ ଦୁଇଟି ଜୀବନ ବଞ୍ଚିଗଲେ ଆଉ ଆପଣାର ହୋଇଗଲେ । ସତିଆ ଆଉ ଭଗିଆ ଦୁହେଁ ମଧ୍ୟ ନିଜର ବୋଲି ଭାବିଛନ୍ତି ଶେଷ ଯାକେ । କିନ୍ତୁ, ସତିଆ ବେଶି ପରିମାଣରେ ରମେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ।

 

ଯେତେବେଳେ ରମେଶକୁ ଜ୍ୱର ହୋଇଛି ସେତେବେଳେ ସତିଆ ଅନ୍ୟ କିଛି ଉପାୟ ଅବଲମ୍ବନ କରି ପଇସା ରୋଜଗାର କରିଛି । ଯାହା ପ୍ରଥମେ ରମେଶ ଜାଣି ପାରିନାହିଁ । ପରନ୍ତୁ ସତିଆର ସକଳ କାର୍ନାମା ଧରା ପଡ଼ିଛି । ରମେଶ-ନାକଟା ଚିତ୍ରକର ପ୍ରମୁଖ ଚରିତ୍ର । ଉପନ୍ୟାସଟି ଗତିଶୀଳ ହୋଇଛି ରମେଶ ଚରିତ୍ରକୁ ନେଇ । ନିଜେ କଦାକାର ହେବାସତ୍ତ୍ୱେ ତା’ ଭିତର ଗୁଣକୁ ଚଢ଼ାଇଛି ଯାହା ତା’ର ଅନ୍ତଃ ସୌନ୍ଦର୍ଯ୍ୟ । ଏଥିରେ ପରିବାର ଲୋକେ ସାହାଯ୍ୟ କରିଛନ୍ତି ଯଦିଓ ବାଉରିଆ ନା ଲୋକଟି ଦଶଟଙ୍କା ପାଇଁ ଆସି ରମେଶର ଢେର ନିନ୍ଦା କରିଛି କିନ୍ତୁ ଶେଷରେ ତା’ ମତ ବଦଳାଇଛି । ରମେଶର ଦୁଃଖ ଆଉ ଦୁର୍ଦ୍ଦଶା ଯେମିତି ତା’ ଜନ୍ମ ସହିତ ଆସିଛି । ସର୍ବସ୍ୱ ହରାଇ କଟକ ଆସି ରହିଲା ସାରା ଜୀବନ, ଚିତ୍ର ଆଙ୍କିଲା । ସମୟକ୍ରମେ ସେହିଚିତ୍ରଦ୍ୱାରା ତା’ଗୁଣର ଆଦର ବଢ଼ିଲା । ଚିତ୍ର ଆଙ୍କି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତା’ର ଚିତ୍ରଗଲା ବାହାରକୁ, ଆସିଲା ଟଙ୍କା । ଆଉ ସେହି ଟଙ୍କାରେ ସେ ଚଳିଲା । ସେହି ଟଙ୍କା ହେଲା ତା’ର ରୋଜଗାରର ମାଧ୍ୟମ । ନିଜେ ଚଳିବା ସହିତ ଦୁଇଟି ଲୋକଙ୍କୁ ଚଳେଇବାର ଦାୟିତ୍ୱ ନେଲା । ସମୟ ଗଡ଼ି ଚାଲିଲା । ଗୋଟିଏ ଚିତ୍ର ପ୍ରଦର୍ଶନୀରେ ତା’ର ଚିତ୍ର ପୁରସ୍କାର ପାଇଲା । ସେହି ଚିତ୍ର ପ୍ରତି ଆକୃଷ୍ଟ ହେଲେ ସେ ଅଞ୍ଚଳ ପ୍ରତିପତ୍ତିଶୀଳ ପିତାଙ୍କର କନ୍ୟାରେଖା ଦେବୀ । ରେଖାଦେବୀ ଏ ଉପନ୍ୟାସର ଅନ୍ୟତମ ମୁଖ୍ୟ ଚରିତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ରେଖାଦେବୀଙ୍କର ପ୍ରଥମ ସମ୍ପର୍କ ବିମଳବାବୁ, ଦ୍ୱିତୀୟରେ ରମେଶ ଓ ତୃତୀୟ ତଥା ଶେଷରେ ଡାକ୍ତର ପ୍ରଶାନ୍ତ ବାବୁଙ୍କ ସହିତ-। ପ୍ରଶାନ୍ତ ବାବୁଙ୍କୁ ଶେଷରେ ବିବାହ କଲେ । ପ୍ରଶାନ୍ତଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ରମେଶର ଚିତ୍ରଦ୍ୱାରା ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୁଏ ମନରେ ।

 

ଲେଖକଙ୍କ ଭାଷାରେ ‘‘ରେଖାଦେବୀଙ୍କ ହୃଦୟଟା ଦବିଗଲା । ସେ ସ୍ୱପ୍ନେ ସୁଦ୍ଧା ଭାବି ନ ଥିଲେ ଯେ, ଅପରୂପ ସୌନ୍ଦର୍ଯ୍ୟର ସୃଷ୍ଟିକର୍ତ୍ତା ସ୍ୱୟଂ ସୌନ୍ଦର୍ଯ୍ୟର ସାମାନ୍ୟ ସ୍ପର୍ଶର ମଧ୍ୟ ବଞ୍ଚିତ ହୋଇପାରନ୍ତି, ଯେ ସ୍ୱୟଂ ତୂଳୀଦ୍ୱାରା ଅଗଣିତ ସୌନ୍ଦର୍ଯ୍ୟ ଲିପ୍‌ସୁ ଲୋକଙ୍କରଚକ୍ଷୁକୁ ଖାଦ୍ୟଦାନ କରନ୍ତି ତାଙ୍କୁ ଗଡ଼ିଲାବେଳେ ଜଗତପତିଙ୍କର ତୁଳୀ ଏପରି କମ୍ପି ଯାଇପାରେ ।’’ (ନାକଟା ଚିତ୍ରକର, ପୃ ୬୨ଷ୍ଠା/ଫତୁରାନନ୍ଦ/ସୁଧାପ୍ରକାଶନ) ଯଦିଓ ନିଜ ମନର ସଂଗୁପ୍ତ ଭାବନାକୁ ଲୁଚାଇ ରଖିବାକୁ ଚେଷ୍ଟା କରି ଧରା ପଡ଼ିଛନ୍ତି । ଧୀରେ ଧୀରେ ସମୟ ଗଡ଼ି ଚାଲିଛି । ରେଖାଦେବୀ କ୍ରମଶଃ ରମେଶଙ୍କ ନିକଟବର୍ତ୍ତୀ ହୋଇଛନ୍ତି । ରେଖାଦେବୀଙ୍କ ଜନ୍ମୋତ୍ସବକୁ ଯାଇ ନ ପାରିଥିବାରୁ ରେଖାଦେବୀଙ୍କ ଅଭିମାନ ବୃଦ୍ଧି ପାଇଛି । ରେଖାଦେବୀଙ୍କ ପ୍ରଶ୍ନର ଉତ୍ତର ଦେଇ ରମେଶ କହିଛନ୍ତି ‘‘ଯେଉଁ ଗୁଣଲାଗି ଆଣପଙ୍କର ମୋ ପ୍ରତି ଏତେଦୟା, ସେହି ଗୁଣକୁ ତ ମୁଁ ପଠାଇ ଦେଇଥିଲି’’ । କିନ୍ତୁ ଏହାର ପ୍ରତ୍ୟୁତ୍ତରରେ ରେଖାଦେବୀ କହିଛନ୍ତି ‘‘ରଖନ୍ତୁ ଆପଣଙ୍କର ଦର୍ଶନ, ଶରୀର ନଥିଲେ ଗୁଣର ଉଦ୍‌ଭବ ହେବ କୁଆଡ଼ୁ ? ଶରୀର ତ୍ୟାଗପରେ ଆପଣଙ୍କର ଏଗୁଣ ରହିବତ ? ଶରୀରଠାରୁ ଗୁଣକୁ ସ୍ୱତନ୍ତ୍ର କରି ଦେଖିବାମାନେ କେବଳ ମୋତେ ଭଣ୍ଡାଇବା’’ (ନାକଟା ଚିତ୍ରକର/ଫତୁରାନନ୍ଦ) ଧୀରେ ଧୀରେ ରେଖାଦେବୀଙ୍କ ମନରେ ଉଠୁଥିବା ଜୁଆରର ଭଟ୍ଟା ପଡ଼ିଲା । ରମେଶ ପ୍ରତି ତାଙ୍କ ଅଜାଣତରେ ଯେଉଁ ପ୍ରେମରାଗ ସୃଷ୍ଟି ହୋଇଥିଲା ତାହା ଧୀରେ ଧୀରେ ଅବଦମିତ ହୋଇଗଲା । ରେଖାଦେବୀ ତୃତୀୟ ଥର ପାଇଁ ଅର୍ଥାତ୍ ଶେଷଥର ପାଇଁ ଡାକ୍ତରଙ୍କ ପ୍ରେମ ପାଶରେ ଆବଦ୍ଧ ହେଲ ଓ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଯେତେବେଳେ ରେଖାଦେବୀଙ୍କ ସହିତ ଡାକ୍ତର ବାବୁଙ୍କ ବିବାହ ସ୍ଥିର ହୋଇଛି ସେତେବେଳେ ରମେଶ ମନଭିତରେ କମ୍‌ ଆଘାତ ପାଇ ନାହାନ୍ତି ତା’ର କାରଣ ଶରୀର କୁରୂପ ହେଲେ ବି ମନବିତ ଅଛି ନା ? ତେଣୁ କେଉଁ ପୁରୁଷ ନାରୀର ସାନ୍ନଧ୍ୟ ପାଇବାକୁ ଇଚ୍ଛା ନ କରେ ? ଯଦିଓ ରମେଶ ନିଜର ରୂପ ପାଇଁ ଅନ୍ୟମାନଙ୍କ ପାଖରେ ହେୟ ତଥାପି ‘‘ଯୌବନର ଜୁଆର ଯେତେବେଳେ ଆସି ଭସାଇ ନେବାକୁ ବସେ, ସେ ବ୍ୟାକୁଳ ହୋଇ ଆଶ୍ରା ଖୋଜେ, କିନ୍ତୁ ଦେଖେ ଚାରିଆଡ଼େ ଶୂନ୍‌ଶାନ୍ । ହଠାତ୍ ଗୋଡ଼ ଦୁଇଟା ଟାଣ କରି ଠିଆ ହୁଏ । ମନେ ମନେ ଭାବେ ‘ମୁଁ ପରା ନାକଟା । ଜୁଆ କିଛି କ୍ଷତି କରିପାରେନା । ଯୌନ ଚିନ୍ତାରୁ ମନକୁ ଟାଣି ନେଇ ଚିତ୍ରରେ ଲଗାଏ’’ । (ନାକଟା ଚିତ୍ରକର-ପୃ୧୫ ଷ୍ଠା) ସେ ଚିତ୍ରର ନିଶାରେ ମଜଗୁଲ । ତେଣୁ ତା’ର ଗୋଟିଏ ପରିଚୟ ସେ ନାକଟା ଚିତ୍ରକର । ଚିତ୍ରକରି ସେ ପ୍ରସିଦ୍ଧ ଅର୍ଜନ କରିଛି । ରେଖାଦେବୀଙ୍କ ବିବାହ ପରେ ମନଭିତରେ ତାର ଆସିଛି ବିରାଟ ପରିବର୍ତ୍ତନ । ସର୍ବସ୍ୱ ତ୍ୟାଗ କରି ରେଖାଦେବୀଙ୍କ ନିକଟକୁ ଚିଠିଟିଏ ଲେଖି ସତିଆ ହାତରେ ପଠାଇଛନ୍ତି । ଆଉ ଦୁଇ ଦୁଇଟା ଜୀବନ ଯେମିତି ଅବହେଳିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଲେଖି ସମ୍ପତ୍ତିକୁ ମଧ୍ୟ ଦୁଇଜଣଙ୍କ ନାମରେ ଲେଖିଦେଇ ସବୁଦିନ ପାଇଁ କେଉଁଆଡ଼େ ଚାଲିଗଲେ ତା’ର ପତ୍ତା ମିଳିଲାନି । ସତିଆକୁ ପ୍ରବୋଧନା ଦେଇ ରେଖାଦେବୀ କହିଲେ ‘‘ତାଙ୍କ ଚଳାଚଳ ସମ୍ପତ୍ତି ଓ ମୁଦ୍ରାଗାରରେ ଗଚ୍ଛିତ ଥିବା ପାଞ୍ଚ ହଜାର ଟଙ୍କା ତୁମ ଦୁଇ ଜଣଙ୍କ ନାଁରେ ଦତ୍ତପତ୍ର କରି ଦେଇଯାଇ ଅଛନ୍ତି ।’’ ସତିଆ ସବୁଦିନ ପାଇଁ ଭାଇକୁ ହରାଇ ପିଲାଟି ଭଳି କଇଁ କଇଁ ହୋଇ କାନ୍ଦିଛି । ସେଇ ସମୟରେ ରେଖାଦେବୀ କହିଲେ, ‘ଆଜିଠାରୁ ଯେତେବେଳେ ତୋର କିଛି ଦରକାର ପଡ଼ିବ ବା କିଛି ଅସୁବିଧା ହେବ ସେତେବେଳେ ସାଂଗେ ସାଂଗେ ଆସି ମୋ ସହିତ ଦେଖା କରିବୁ । ଆଜିଠାରୁ ମୁଁ ତୋହର ନୂଆ ଭଉଣୀ ।’ (ନକଟାଚିତ୍ରକର/ପୃ୧୨୧) ତା’ପରେ ରମେଶଙ୍କ ଆକସ୍କିମ ଅନ୍ତର୍ଦ୍ଧାନ ରେଖାଦେବୀଙ୍କ ହୃଦୟକୁ ଘାଣ୍ଟି ପକାଇଲା । ହୃଦୟ ଅବସନ୍ନ । ମନ ଭିତରେ ଅନେକ କଥା । ଅବସନ୍ନ ହୃଦୟରେ ସେ ଭାବିବାକୁ ଲାଗିଲେ ‘‘ତାଙ୍କପରି ବ୍ୟକ୍ତି ମୋତେ କାହିଁକି ଏପରି ଭୁଲ୍ ବୁଝିଲେ, ମୁଁ ତ ଏପରି କିଛି କରିନାହିଁ ଯଦ୍ୱାରା କି ସେ ମୋତେ ଏପରି ଭୁଲ୍ ବୁଝିବାକୁ ଅବକାଶ ପାଇଲେ । ଓଃ ! ମନୁଷ୍ୟ ମନ ବଡ଼ ବିଚିତ୍ର । ତାହା ଗତି ଲକ୍ଷ୍ୟ କରିବା ଦେବତାମାନଙ୍କର ବି ଦୁଃସାଧ୍ୟ’’ । (ନାକଟା ଚିତ୍ରକର/ପୃ ୧୨୨ ଷ୍ଠା) ଉପନ୍ୟାସର ଶେଷ ହୋଇଛି ଏହିପରି ଏକ କରୁଣ ପରିସ୍ଥିତି ସୃଷ୍ଟି ହୋଇ ।

 

ଉପନ୍ୟାସର ଆରମ୍ଭରୁ ଶେଷଯାଏ କରୁଣରସର ପ୍ଳାବନ ଘଟିଛି । ଏକ ଚିତ୍ରକରର ଜୀବନ କାହାଣୀ ଏଥିରେ ଗର୍ଭିତ । ଜୀବନର ଆରମ୍ଭରୁ ଶେଷଯାଏ କେବଳ ଦୁଃଖ ଆଉ ଦୁଃଖ । ସୁତରା ଏ ଉପନ୍ୟାସର ନାୟକ ରମେଶ ପାଇଛି ତା’ଜୀବନରେ ଖାଲି ଦୁଃଖ । ନିଜେ ଦୁଃଖକୁ ସହି ଅନ୍ୟକୁ ଦେଇଛି ଆନନ୍ଦ । ଯୌବନରେ ଯୌନଚିନ୍ତାରୁ ମନକୁ ମୁକୁଳାଇ ଆଣି ପାଇଛି କଷ୍ଟ ଅଥଚ ଚିତ୍ରରେ ମନକୁ ନିବିଷ୍ଟ କରି ଅନ୍ୟମାନଙ୍କ ପାଖରେ ପରିଚିତିଟିଏ ସୃଷ୍ଟି କରିପାରିଛି । ଯେଉଁ ଚିତ୍ରର ମୋହରେ ପଡ଼ିଯାଇଛି ସହରର ପ୍ରତିଷ୍ଠିତ ଝିଅ ରେଖାଦେବୀ । ଆଉ ରେଖାଦେବୀଙ୍କ ମନରେ ରମେଶ ପ୍ରତି ଯେଉଁ ସାମାନ୍ୟ ଭାବନା ସୃଷ୍ଟି ହୋଇଛି ତାହା ପରବର୍ତ୍ତୀ ପର୍ଯ୍ୟାୟରେ ପୂର୍ଣ୍ଣଛେଦ ଟାଣିଛି । ରମେଶ ସହିତ ଯେଉଁ ଦୁଇଟି ଜୀବନ ଅଛନ୍ତି ସତିଆ ଓ ଭଗିଆ ସେହି ଚରିତ୍ର ଦୁଇଟି ହାସ୍ୟ ଉତ୍ପାଦନର ମାଧ୍ୟମ । ଏଥିରେ କିନ୍ତୁ ସତିଆ ବେଶି ଭାଗୀଦାର ବନିଛି । ଏତେ ଆତ୍ମୀୟତା ପ୍ରକଟିତ ହୋଇଛି ଯେ ସତିଆ ନିଜର ଜୀବନକୁ ବାଜି ଲଗାଇଛି ଉତ୍କଳମାତାର ଗୁଡ଼ାଖୁ ବିକ୍ରୀ ବିଜ୍ଞାପନ କରିବା ସମୟରେ । ସେହି ସମୟରେ ନାଚି ନାଚି ଗାଡ଼ି ସାମ୍‌ନାକୁ ଆସିଛି ଆଉ ରେଖାଦେବୀଙ୍କ ଗାଡ଼ିରେ ବାଡ଼େଇ ହୋଇ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛି । ରେଖାଦେବୀଙ୍କ ବାପାଙ୍କଠାରୁ ତିନିଶହ ଟଙ୍କା ଧରି ଚମ୍ପଟ ମାରି ପଳାଇଛି ଘରକୁ କାରଣ, ସେହି ସମୟରେ ରମେଶ ରୋଗରେ ପଡ଼ିଛି, ପାଖରେ ପଇସା ନାହିଁ, ସତିଆ ସେହି ପଇସାରେ ରମେଶର ଭାଇର ଚିକିତ୍ସା କରାଇଛି । ଏତେବଡ଼ ତ୍ୟାଗ କ’ଣ କମ୍ ? ନିଜର, ଆତ୍ମୀୟମାନେ ମଧ୍ୟ ଏତେ କଥା କରିବା ଯେଉଁଠି ଅସମ୍ଭବ ଜଣେ ଅପରିଚିତ ଲୋକ ଏକାମ କରିବା କେତେ ଉଚ୍ଚ ଚିନ୍ତାର ଉଦ୍ରେକ କରିଛି ତାହା ଜାଣିବା ଦରକାର । ଫତୁରାନନ୍ଦଙ୍କ ଏ ଉପନ୍ୟାସରେ ଏହା ହୋଇଛି ମାନବବାଦର ସ୍ୱର । ଏଇଟା ଗୋଟେ ସୌନ୍ଦର୍ଯ୍ୟ । ଉପନ୍ୟାସରେ ଗୁଣି ଗାରେଡ଼ିର କଥା ରହିଛି । ଯାହାକି ତତ୍କାଳୀନ ସାମାଜିକ ପରମ୍ପରାର କଥାକୁ, ଅନ୍ଧବିଶ୍ୱାସ ଚଳଣିକୁ ମନେପକାଇ ଦିଏ । କଟକ ସହର ଭଳି ପୁରୁଣା ସହରରେ ମଧ ଭୂତପ୍ରେତ, ଗୁଣିଆ ଇତ୍ୟାଦି ଅନ୍ଧବିଶ୍ୱାସର କଥାକୁ ଦର୍ଶାଯାଇଛି । ବିଶେଷକରି ଏଥିରେ ହାସ୍ୟ, ବ୍ୟଙ୍ଗ ଓ କରୁଣାର ମହାପ୍ଳାବନ ଘଟିଛି । ଯେମିତି ହାସ୍ୟର ସୃଷ୍ଟି ହୋଇଛି ସେମିତି ବ୍ୟଙ୍ଗାତ୍ମକ ଭାଷା ବ୍ୟବହାର କରାଯାଇଛି ଆଉ କରୁଣ ରସର ପ୍ଳାବନ ଘଟିଛି ମଧ୍ୟ । ସବୁଠାରୁ ବଡ଼କଥା ହେଉଛି ନାକଟା ଚିତ୍ରକରର ଜୀବନର କରୁଣା ରାଗିଣୀ ଓ ତାକୁ ଆଧାର କରି ସୃଷ୍ଟି ହୋଇଥିବା ଏକ ବିଷର୍ଣ୍ଣ ପରିବେଶ ଏବଂ ଶେଷରେ ନାଇଟା ଓରଫ୍ ରେମଶର ପଳାୟନ ଏକ ଭିନ୍ନ ଭାବ ଓ ପରିବେଶ ସୃଷ୍ଟି କରିଛି ।

 

ଏ ଉପନ୍ୟାସର ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ କଥା ରହିଛି ତାହା ହେଉଛି ଗୋଟିଏ ପରିଚ୍ଛେଦର ଶେଷଶବ୍ଦକୁ ନେଇ ପରବର୍ତ୍ତୀ ଅଧ୍ୟାୟ ବା ପରିଚ୍ଛେଦ ଆରମ୍ଭ ବାସ୍ତବିକ୍ ଚମତ୍କାର ସଂଯୋଜନା, ଏହା ଏ ଉପନ୍ୟାସର ସୌନ୍ଦର୍ଯ୍ୟ ବୃଦ୍ଧିର କାରଣ ମଧ୍ୟ । ବ୍ୟକ୍ତି ସଚେତନତା ପାଇଁ ହାସ୍ୟ ରସର ଆବଶ୍ୟକତା ରହିଛି । ତେଣୁ ସମାଜର ପରିବର୍ତ୍ତନ ପାଇଁ ହାସ୍ୟରସ ଶୈଳୀକୁ ସେ ଗ୍ରହଣ କରି ନେଇଛନ୍ତି । ଏହାର କଥାବସ୍ତୁ ସରଳ, ଭାଷାବୋଧଗମ୍ୟ, ବିଶେଷ କରି ଗାଉଁଲି ଓ ପ୍ରଚଳିତ ଭାଷା ବିନ୍ୟାସ ଘଟାଇ ସେ ଉପନ୍ୟାସକୁ ସରଳ, ସାବଲୀଳ କରି ପାରିଛନ୍ତି ।

 

ଫତୁରାନନ୍ଦ ନିଜେ ମଧ୍ୟ ଥିଲେ ଚିତ୍ରଶିଳ୍ପୀ । ନିଜେ ଯୌବନରେ ମଧ୍ୟ ବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ ଆଉ ଚିରଦିନ ପାଇଁ ନିଜ ଅମୂଲ୍ୟ ଚକ୍ଷୁ ଦିଓଟିକୁ ହରାଇଥିଲେ । ସାରାଜୀବନ ଅବିବାହିତ ରହିଥିଲେ । ତେଣୁ ନାକଟା ଚିତ୍ରକର ମୁଖ୍ୟ ରମେଶର ଚାରିତ୍ରିକ ସାମଞ୍ଜସ୍ୟ ଲକ୍ଷ୍ୟ କରିହୁଏ ଫତୁରାନନ୍ଦଙ୍କ ନିକଟରେ । ତେଣୁ ଏଭଳି ଏକ ଉଚ୍ଚକୋଟୀର, ଉଚ୍ଚ ମୂଲ୍ୟବୋଧ ଭିତ୍ତିକ ଉପନ୍ୟାସଟିଏ ରଚନା କରି ଓଡ଼ଆ ପାଠକମାନଙ୍କ ହୃଦୟରେ ଚିରଦିନ ପାଇଁ ଅବିସ୍ମରଣୀୟ ରହିଗଲେ ।

 

 

ଅଧ୍ୟାପକ ଓଡ଼ିଆ ବିଭାଗ,

ଉତ୍କଳ ଭାରତୀ ବିଜ୍ଞାନ ମହାବିଦ୍ୟାଳୟ,

ପଳାଶୁଣି, ଭୁବନେଶ୍ୱର, ମୋ- ୯୯୩୭୧୯୯୮୦୦

 

***

 

ବସୁ ମାଷ୍ଟ୍ର : ଏକ ପ୍ରଣତି

ଦୁର୍ଗାପ୍ରସନ୍ନ ପଣ୍ଡା

 

ବିଶ୍ୱର ଜଣେ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖିଥିବା କଲିକତାର ସେଣ୍ଟ ଜେଭିୟର୍ସ କଲେଜର ଚତୁର୍ଥ ବାର୍ଷିକ ରସାୟନ ଅନର୍ସ ଛାତ୍ର କୃଷ୍ଣପ୍ରସାଦ ବସୁ ଭାଗ୍ୟର ନିର୍ଦ୍ଦୟ ପ୍ରହାରରେ ଜର୍ଜରିତ ହୋଇ ଓଡ଼ିଶାରେ ‘ବସୁମାଷ୍ଟ୍ରେ’ ଭାବେ ଅଗଣିତ ଚାଟଙ୍କ ହୃଦୟ ଜିଣିବାର ଏକ ବିଧି ଏକ ନିର୍ଦ୍ଦିଷ୍ଟ ସୁଯୋଗ ପାଇଥିଲେ । ବିଶ୍ୱର ଅନେକ ଲୋକଙ୍କ ଜୀବନ କାହାଣୀକୁ ଅନୁଧ୍ୟାନ କରିଥିବା ପଣ୍ଡିତମାନେ ଯେଉଁ ତଥ୍ୟ ଆମ୍ଭମାନଙ୍କୁ ପ୍ରଦାନ କରିଛନ୍ତି ସେ ସବୁ ପାଠକଲେ ମନେ ହେବ ଭଗବାନଙ୍କ ଇଚ୍ଛାରେ ହିଁ ମଣିଷ ତାର ଈପ୍‌ସିତ ପଥରୁ ଭିନ୍ନମୁଖୀ ହୋଇ ଜଗତର କଲ୍ୟାଣ ସାଧନ କରିଛନ୍ତି । କୁହା ଯାଇଥାଏ ସେକ୍ସପିଅର ଜଣେ ଜମିଦାର (ଆର୍ଲ)ଙ୍କ କୋପଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ଲଣ୍ଡନର ଏକ ଥିଏଟର ପାର୍ଟି ମଧ୍ୟକୁ ପ୍ରବେଶ କରିଥିଲେ । ବଞ୍ଚିବା ପାଇଁ ଶୈଶବରେ ଫୁଲ ବିକୁଥିବା ଚାର୍ଲସ ସ୍ପେନର ଚାପ୍ଲିନ୍ Legion of Honour ଉପାଧିରେ ଭୂଷିତ ହୋଇଥିଲେ ଏବଂ କଳା ଓ ହାସ୍ୟ ସୃଷ୍ଟିର ଯାଦୁକର (Wizard of Art and comedy) ଭାବେ ସମ୍ମାନିତ ହୋଇଥିଲେ । ଭାଗ୍ୟ କାହାକୁ ନେଇ କେଉଁଠି ଥୋଇଦିଏ ତାହା କେହି ଅନୁମାନ ମଧ୍ୟ କରିପାରିବେ ନାହିଁ । ଆମ୍ଭମାନଙ୍କ ପ୍ରବନ୍ଧର ‘ବସୁ ମାଷ୍ଟ୍ରେ’ ବୈଜ୍ଞାନିକ ହେବାର ଆଶା ଛାଡ଼ି କାହିଁକି ଯାତ୍ରା ଜଗତରେ ପ୍ରବେଶ କଲେ ତାହା ଅନେକଙ୍କୁ ଅଜଣା । ତାଙ୍କୁ ପ୍ରଣିପାତ କରିବା ଲକ୍ଷ୍ୟରେ ଏହି ପ୍ରବନ୍ଧ ପ୍ରସ୍ତାବିତ ।

 

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ (୨୦/୧୦୧୮୯୪-୧୮/୮/୧୯୬୮) ଯାଜପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପ୍ରଥମେ ନାମ ଲେଖାଇଥିଲେ । ତତ୍‍ପୂର୍ବରୁ ସେ କୌଣସି ସ୍କୁଲକୁ ନ ଯାଇ ଘରୋଇ ଭାବେ ଶିକ୍ଷା ଗ୍ରହଣ କରିଥିଲେ । ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କରି ରେଭେନ୍ସା କଲେଜରେ ବିଜ୍ଞାନ ଛାତ୍ର ଭାବେ ସେ ତାଙ୍କ ଉଚ୍ଚଶିକ୍ଷା ଆରମ୍ଭ କଲେ । ରେଭେନ୍ସା କଲେଜରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସହିତ ତାଙ୍କର ପରିଚୟ ହେଲା । ଦୁଇବନ୍ଧୁଙ୍କ ଉଦ୍ୟମରେ ‘ସଂଗୀତ ଚକ୍ର’ ନାମରେ ଏକ ଅନୁଷ୍ଠାନ ଗଠିତ ହେଲା । ସେତେବେଳେ ପଦାର୍ଥ ବିଜ୍ଞାନ ବିଭାଗରେ ସତୀଶ ଚନ୍ଦ୍ର ରାୟ ନାମକ ଜନୈକ ଅଧ୍ୟାପକ କାନ୍ତକବି ଏବଂ କୃଷ୍ଣ ପ୍ରସାଦଙ୍କୁ ବାଦ୍ୟଯନ୍ତ୍ର ବାଦନର କଳା ଶିଖାଇଥିଲେ । ମୋହିନୀମୋହନ ସେନାପତି, ପ୍ରାଣକୃଷ୍ଣ ପରିଜା, ଲକ୍ଷ୍ମୀକାନ୍ତ ଚୌଧୁରୀ ଆଦି ଶିକ୍ଷକ ସତୀଶଚନ୍ଦ୍ରଙ୍କ ବାଦ୍ୟଶିକ୍ଷା କୌଶଳରେ ମୁଗ୍ଧ ହୋଇଥିଲେ । ସଙ୍ଗୀତ ଚର୍ଚ୍ଚାର ଅଧିକ ସୁଯୋଗ ପାଇବା ଲକ୍ଷ୍ୟରେ ରେଭେନ୍ସା ଛାଡ଼ି କୃଷ୍ଣପ୍ରସାଦ କଲିକତାର ସେଣ୍ଟ ଜାଭିୟର୍ସ କଲେଜର ବି.ଏସ୍.ସି.ରେ ନାମ ଲେଖାଇଲେ ୧୯୧୪ ମସିହାରେ । ସେକାଳରେ ପ୍ରଥମ ଶ୍ରେଣୀରେ ଆଇ.ଏସ.ସି. ପାଶ୍ କରିବା ଥିଲା ଏକ ବଡ଼ ଗୌରବର ବିଷୟ । ତେଣୁ ଛାତ୍ର ତଥା ଅଧ୍ୟାପକ ମହଲରେ କୃଷ୍ଣପ୍ରସାଦ ବିଶେଷ ପରିଚିତ ହୋଇ ଉଠିଲେ । ବଙ୍ଗର କଲିକତା ସହର ଥିଲା କଳା ଓ ସଂସ୍କୃତିର ଏକ ଦୃଶ୍ୟମାନ ପୀଠ । ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦ ମଠ’ରେ ଥିବା ବନ୍ଦେ ମାତରମ୍‍କୁ ୧୯୦୫ଠାରୁ ପ୍ରତ୍ୟେକ ସଭାସମିତିରେ ପ୍ରାରମ୍ଭିକ ସଂଗୀତଭାବେ ଗାନ କରାଯାଉଥିଲା । ‘‘ଦେବୀ ଚୌଧୁରାନୀ’’ର ନାଟ୍ୟରୂପ କଲିକତାର ବଡ଼ ବଡ଼ ଥିଏଟରରେ ପରିବେଶିତ ହେଉଥାଏ । କୃଷ୍ଣପ୍ରସାଦ ବଙ୍ଗୀୟ ରମଣୀ ଆଶ୍ଚର୍ଯ୍ୟମୟୀଙ୍କ ଅଭିନୟ, ନୃତ୍ୟ ଏବଂ ସଂଗୀତରେ ମୁଗ୍ଧ ହୋଇ ତାଙ୍କଠାରୁ ସଙ୍ଗୀତ ଶିକ୍ଷାକଲେ । ଆଶ୍ଚର୍ଯ୍ୟମୟୀ କୃଷ୍ଣପ୍ରସାଦଙ୍କଠାରୁ କେତୋଟି ଓଡ଼ିଆ ଗୀତ ଶିକ୍ଷା କଲେ । କୃଷ୍ଣ ପ୍ରସାଦ ବାଦ୍ୟଯନ୍ତ୍ର, ସଙ୍ଗୀତ ଓ ନୃତ୍ୟ ଶିକ୍ଷା ସହିତ ଶ୍ରେଣୀଶିକ୍ଷା କ୍ଷେତ୍ରରେ ଯଶସ୍ୱୀ ହୋଇ ଉଠିଲେ । ସେ କେମେଷ୍ଟ୍ରି ଅନର୍ସ ନେଇଥିଲେ, କିନ୍ତୁ ଶ୍ରେଣୀରେ ଫିଜିକ୍ସରେ ସର୍ବୋଚ୍ଚ ନମ୍ବର ରଖୁଥିଲେ ।

 

‘ବଙ୍ଗଭଙ୍ଗ’ ଯୋଗୁଁ କଲିକତା ସହରରେ ସ୍ୱଦେଶୀ ଆନ୍ଦୋଳନ ତୀବ୍ର ହୋଇ ଉଠିଥିଲା । ଏହି ସମୟର ଉଷ୍ମତା ଓ ଆବେଦନ ସମ୍ପର୍କରେ କୃଷ୍ଣ ପ୍ରସାଦ ତାଙ୍କ ଅଦ୍ୟାବଧି ଅପ୍ରକାଶିତ ଆତ୍ମଜୀବନୀ ‘‘ପଥଭ୍ରଷ୍ଟର ଜୀବନକଥା’’ରେ ଲେଖିଛନ୍ତି, ‘‘ବଙ୍ଗର ଅଙ୍ଗଛେଦ ପରେ ବଙ୍ଗଦେଶରୁ ସ୍ୱଦେଶ ଆନ୍ଦୋଳନ ଉଠିଲା । ସତ୍ୟବାଦୀରେ ଗୋପବନ୍ଧୁ, ଗୋଦାବରୀଶ, କୃପାସିନ୍ଧୁବାବୁ, ଆଚାର୍ଯ୍ୟ ମହାଶୟମାନେ ନୂତନ ଦୀକ୍ଷାର ପ୍ରଚାର କରାଉଥାଆନ୍ତି । ତେଣେ ମେଦିନୀପୁର, ଚିଟାଗଞ୍ଜ, ମିରଟ୍ ଆଦିରେ କେତେ ଷଡ଼ଯନ୍ତ୍ରରେ କେତେ ଫାଶୀ, ଦ୍ୱୀପାନ୍ତର ଭୋଗୁଥାଆନ୍ତି । ଜର୍ମାନ ଦେଶରୁ ଚୋରାରେ ବନ୍ଧୁକ ଆଣି ସେମାନଙ୍କୁ ବନ୍ଧୁକ ବ୍ୟବହାର କୌଶଳ ଶିକ୍ଷା ଦିଆ ହେଉଥାଏ । କ୍ଷୁଧିରାମ, କାନାଲ, ବାଘାଯତିନଙ୍କ ତ୍ୟାଗ ଓ ବୀରତ୍ୱର, ଆତ୍ମୋତ୍ସର୍ଗର ବାତ୍ତା ମଧ୍ୟ କାନରେ ବାଜୁଥାଏ । ପୋଲିସ ଦେଖିବା କ୍ଷଣି ଛାନିଆ ହେବା ପରିବର୍ତ୍ତେ ପଲ୍ଲୀବାସୀ ମଧ୍ୟ କିଛି ହେମତିଆ ହେବାର ଶିକ୍ଷା ଓ ତହିଁ ସଙ୍ଗେ ତେଜ, ଦମ୍ଭ ଓ ସାହସରେ ଅନୁପ୍ରାଣିତ ହେବାକୁ ଶିଖିଲେଣି । ସେହି ସମୟରେ ମୁଁ ପଢ଼ୁଥାଏ–କଲିକତା ପ୍ରାୟ hot bed ରେ । ‘ବସୁମତୀ’ ପତ୍ରିକାର ସମ୍ପାଦକଙ୍କର ‘‘ଦେଶର କଥା’’ ଓ ‘‘ଦେଶର ଡାକ’’ ବିଷୟରେ ଲିଖିତ ଗ୍ରନ୍ଥ ଦୁଇଖଣ୍ଡ Prescribed ହୋଇ ମଧ୍ୟ ଘରେ ଘରେ ଛାତ୍ର ସମାଜେ ଅସଂଖ୍ୟ ପ୍ରଚୁର ଭାବେ ମିଳୁଥାଏ । ‘ଅମୃତବାଣୀ’ର article ଗୁଡ଼ିକ ‘‘ବନ୍ଦେମାତରଂ’’ ଭାବର ଉଦ୍‍ବୋଧକ । ପ୍ରବାସୀ ପ୍ରତ୍ୟେକ ବହୁଳ ଇଂରାଜୀ ଅତ୍ୟାଚାର, ପିଳେଇ ଫଟା, ଆଙ୍ଗୁଳି କଟାର ବାର୍ତ୍ତା ପ୍ରଚୁର କରୁଥିଲେ । ସେ ସମସ୍ତ ତନ୍ନ ତନ୍ନ କରି କେତେକ କଟିଂ ସଂଗ୍ରହ କରି ବେଳେବେଳେ ତହିଁର ତର୍ଜମାରେ ଗୀତ ରଚନା କରି ଆନନ୍ଦ ପାଉଥାଏଁ । ଭଲପିଲା ମୁଁ, ରସାୟନ ଅନର୍ସ ନେଲେ ମଧ୍ୟ ଫିଜିକ୍ୱଟା ଥାଏ ମୋର ପ୍ରିୟ ସବ୍‌ଜେକ୍ଟ ।’’ ମୋର ସାଙ୍ଗମାନେ ମୋତେ ଡାକନ୍ତି ‘‘ଉଡ଼େ ବୋଷ’’ । ଛାତ୍ର ଓ ଗୁରୁଙ୍କ ମଧ୍ୟେ ଏତେ ଅମାୟିକ ସୌହାର୍ଦ୍ଦ୍ୟ ଗୋରା କାଲାଙ୍କ ମଧ୍ୟରେ କଲିକତାର ଅନ୍ୟ କଲେଜରେ ମିଳିବା କଠିନ । କିନ୍ତୁ ଏହି ବନ୍ଦେମାତରମ୍’ ଆନ୍ଦୋଳନ ପରେ ସେମାନଙ୍କ ଅବିଶ୍ୱାସ ଓ ତିକ୍ତଭାବ ବୋଧହୁଏ ଶତେଗୁଣ ବଢ଼ିଗଲା । ମୁଁ ଜଣେ ଓଡ଼ିଆ ଅର୍ଥାତ ମାଳି, ଚପ୍ରାସି, କାରପେଣ୍ଟରମାନଙ୍କ ଗୋଷ୍ଠୀର ବୋଲି ମୋ ପ୍ରତି ଦୃଷ୍ଟି, ବିଶ୍ୱାସ କ୍ଷୁର୍ଣ୍ଣ । ମୋତେ ଜଣେ anarchist ଜାଣିଲା ପରେ ମୋର ଅତି ପୂଜ୍ୟ ଗୁରୁମାନେ ମୋ ପ୍ରତି କି କ୍ରୁର ବ୍ୟବହାର କରି ମୋତେ ଚପ୍ରାସିଦ୍ୱାରା ବହିଷ୍କୃତ କଲେ Nation Niggatrd ରାସ୍‌କେଲ ଭାବେ ।’’ (ପଥଭ୍ରଷ୍ଟର ଜୀବନ କଥାରୁ ସଂଗୃହୀତ)

 

କଲେଜରୁ କବି ମଞ୍ଜୁଳ କୃଷ୍ଣ ପ୍ରସାଦ କାହିଁକି ବହିଷ୍କୃତ ହେଲେ ତାହା ଏଠାରେ ସୂଚାଇ ଦିଆଯିବା ଆବଶ୍ୟକ । ଆର୍ମହର୍ଷଷ୍ଟ୍ରିଟରେ ଗୋଟାଏ ବଡ଼ କଲେଜ ହଷ୍ଟେଲ । ସେତେବେଳେ ହଷ୍ଟେଲକୁ ‘ବୋଡ଼ିଂ’ କୁହା ଯାଉଥିଲା। ବୋଡ଼ିଂର ତେତାଲା ଉପରେ ଥିଲେ ଦୁଇଜଣ ପ୍ରଫେସର । ସେମାନେ କୃଷ୍ଣ ପ୍ରସାଦଙ୍କୁ ପାଖକୁ ଡାକି ପାଠ ପଢ଼ାଉଥିଲେ । ସେମାନେ ଥିଲେ ବୃତ୍ତିରେ ଅଧ୍ୟାପକ ମାତ୍ର ପ୍ରବୃତ୍ତିରେ ସେ କାଳର ଆନାର୍କିଷ୍ଟ । ଖୁବ୍ ସତର୍କତାର ସହିତ ଦେଶପ୍ରେମ ବହ୍ନି ଯାହାଠାରେ ବିଦ୍ୟମାନ ଥିବ ସେହି ପିଲାକୁ ସେମାନେ ଆନର୍ବିଷ୍ଟ ହେବାକୁ ତାଳିମ ଦେଇଥିଲେ । ଦିନେ ପୁଲିସ ରେଡ଼ କଲାବେଳକୁ ସେମାନେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ସମସ୍ତ କାଗଜପତ୍ର ମଧ୍ୟରେ ଅଗ୍ନିରେ ସ୍ୱାହା ହୋଇ ଯାଇଥିଲା । ଗୋଟାଏ ଜଳନ୍ତା କାଗଜର ସ୍ତୁପ ମଧ୍ୟରୁ କୃଷ୍ଣପ୍ରସାଦଙ୍କ ପୋଡ଼ା ଫଟୋ ଖଣ୍ଡିଏ ସେମାନେ ପାଇଥିଲେ । ସେତେବେଳକୁ କୃଷ୍ଣପ୍ରସାଦ ସେମାନଙ୍କଠାରୁ ବନ୍ଧୁକ ଚାଳନା, ବୋମା ନିର୍ମାଣ କୌଶଳ ଶିକ୍ଷାକରି ସାରିଥିଲେ । ଦରପୋଡ଼ା ଫଟୋ ମିଳିବା ପରେ କୃଷ୍ଣପ୍ରସାଦଙ୍କ ବହିପତ୍ର ଖାତା ଆଦି ସର୍ଚ୍ଚ କରାଗଲା । ତାଙ୍କୁ ଜେଲ୍ ଭେନ୍‌ରେ ନିଆଗଲା । ସଙ୍ଗେ ସଙ୍ଗେ ଦେଶଦ୍ରୋହୀ ଅପରାଧର କାଳିମା ତାଙ୍କ ଦେହରେ ଲାଗିଲା-। ବାପାମାଆ ଯାଜପୁରରେ ଗୁଜବ ଶୁଣି ଆତଙ୍କିତ । ଲୋକେ କହିଲେ, ‘‘କୃଷ୍ଣ ଫାଶୀ ଖୁଣ୍ଟରେ’’ । କଲେଜରୁ ଦେଶଦ୍ରୋହୀ ଭାବେ ବିଦାୟ ନେବାର ଏହାହିଁ ସଂକ୍ଷିପ୍ତ ଇତିହାସ ।

 

ପୁଲିସ କୃଷ୍ଣପ୍ରସାଦଙ୍କ ଉପରେ ନଜର ରଖିବାକୁ ତାଙ୍କୁ ଲାଲ ବଜାରର ଗୋଟାଏ ସ୍ଥାନରେ ରଖିଲେ । ସେ କୋରିଆନ୍‌ଥିଆନ୍ ଥିଏଟରର ମାଲିକଙ୍କ ପୁଅର ସହାୟତାରେ ଛଦ୍ମବେଶ ଧାରଣ କରି ସେହି ଥିଏଟରର ନବନିଯୁକ୍ତ ଦ୍ୱାରପାଳ ଭାବେ ଆତ୍ମଗୋପନ କଲେ । ଆଉ ମାସକ ପରେ ସେ ଅନର୍ସ ଗ୍ରାଜୁଏଟ ହୋଇ ବାହାରିବାର ସ୍ୱପ୍ନ ସେଇ ଛଦ୍ମ ପୋଷାକ ତଳେ ଚାପି ହୋଇଗଲା ଚିରଦିନ ପାଇଁ ।

 

ବିପ୍ଳବୀ ଭାବେ ବିନା କାରଣରେ ମୁଦ୍ରାଙ୍କିତ ଛଦ୍ମବେଶୀ ଦରଓ୍ୱାନ କୃଷ୍ଣପ୍ରସାଦ ପାର୍ଶୀଆନ ମାଲିକଙ୍କଦ୍ୱାରା ପ୍ରଦତ୍ତ ଏକ ‘‘ଗୁମ୍‌ଟି କୋଠା’’ ଭିତରେ ରହିଲେ । କୃଷ୍ଣପ୍ରସାଦ ଲେଖିଛନ୍ତି, ‘‘ଦେଶରେ ରାଷ୍ଟ୍ର ହୋଇଗଲା, ମୁଁ ପଳାତକ । ମୁଁ ଗୁଜୁରାଟି ପରିଚ୍ଛଦରେ ଥାଏଁ । ଅଧିକ କଥା କହୁ ନ ଥାଏ । ସିଙ୍ଗଲ ରିଡ୍‍ ଖଣ୍ଡିଆ ହାର୍ମୋନିୟମ ରଖିଥାଏଁ । ବେତନ ମାତ୍ର ୫୨ ଟଙ୍କା । ଷ୍ଟୋଭ୍, ଉଠାଚୁଲି, ଚଟୁ, ଛୋଟ ଡେକଚି–ଏସବୁ ମୋର ଉପକରଣ । ମୋ କୋଠାଟି ପରିଷ୍କାର ପରିଚ୍ଛନ୍ନ । ଖଟିଆ ଉପରେ ବିଛଣାଟି ସୁନ୍ଦର ।’’ ଗୋଟାଏ ବଡ଼ ଟ୍ରଙ୍କରେ ମୋର ଗୁଜୁରାଟି ପୋଷାକ ।’’

 

ଦିନେ ଥିଏଟରର ସବୁଦିନିଆ ଲାଇଟମେନ ମଦ ପିଇ ଅଚେତ ହେଲା । କୃଷ୍ଣ ପ୍ରସାଦ ସେଦିନ ଲାଇଟ୍ ଚାଳନା କାର୍ଯ୍ୟ କରି ମଞ୍ଚକୁ ଚମକାଇ ଦେଲେ । ମାଲିକମାଦାନ୍‍ ଦେଖିଲେ ଫ୍ଲଡ଼ଲାଇଟ୍‍ଦ୍ୱାରା ଇନ୍ଦ୍ରଧନୁର ଏକ ଶୋଭା ମଞ୍ଚରେ ପ୍ରତିଫଳିତ । ସଂଗେ ସଂଗେ ସେ ଲାଇଟମେନ (କୃଷ୍ଣପ୍ରସାଦ)ଙ୍କ ପାଖକୁ ଆସି କହିଲେ ‘‘Have you procured a new type of dial ? No, your honour.’’ ଥିଏଟର ମାଲିକ କହିଲେ, ‘‘ସେହି ଜମାଦାର ନୁହେଁ କି ତୁମେ ।’’ ସେହି ଦିନଠାରୁ ମାସିକ ୨୦୦ ଟଙ୍କା ପାଇ କୃଷ୍ଣପ୍ରସାଦ ଆଲୋକ ସଂଚାଳକ ଭାବେ କାର୍ଯ୍ୟ କଲେ । କୋରିଆନଥିଏଟର ଭାଙ୍ଗିଗଲା । ୧୯୧୬ ରୁ ୧୯୨୦ ଏକ ଚାରିବର୍ଷ କୃଷ୍ଣପ୍ରସାଦ ରହିଲେ ଥିଏଟର ଭିତରେ ।

 

ଘରବାହୁଡ଼ା

କବି ମଞ୍ଜୁଳ କୃଷ୍ଣପ୍ରସାଦ ୧୯୨୦ରେ ଯାଜପୁରକୁ ଫେରି ଯାତ୍ରା ନାଟକର ଲେଖକ, ନିର୍ଦ୍ଦେଶକ, ସଂଗୀତ ନୃତ୍ୟ ଶିକ୍ଷକ ଏବଂ ବାଦ୍ୟଯନ୍ତ୍ରର ଶିକ୍ଷାଦାତା ଭାବେ କାର୍ଯ୍ୟ ଆରମ୍ଭ କଲେ । ନିଜ ଆତ୍ମଜୀବନୀରେ ସେ ନିଜକୁ ‘‘ଯାତ୍ରାବାଲା’ ଭାବେ ଘୋଷଣା କରି ପ୍ରଥମେ ନୂତନ ଧରଣର ଯାତ୍ରା ନାଟକ ଲେଖିବାକୁ ଆରମ୍ଭ କଲେ । ଡାଏଲଗ୍ ସଙ୍ଗୀତ ବହୁଳ ଥିଲା, କୃଷ୍ଣପ୍ରସାଦ ତାହାକୁ ପାତ୍ରୋଚିତ ଗଦ୍ୟ ସଂଳାପରେ ରୂପାନ୍ତରିତ କଲେ । ସେ କହିଛନ୍ତି, ‘‘ଯାହା ବିଜ୍ଞାନସିଦ୍ଧ ନୁହେଁ, ତାହା ମୋ କଲମରୁ ବାହାରେ ନାହିଁ । କଦାପି କହିବିନି ରାହୁ ଗିଳିଛି । ପୁରାଣ ଶାସ୍ତ୍ରରେ ବେଦବ୍ୟାସଙ୍କ ଅସଲ ମାର୍ଗ କେଉଁଠି ଖୋଜୁଥାଏ । ଭାଗବତର ଆଧ୍ୟାତ୍ମଟୀକା ବାରମ୍ବାର ପଢ଼େ । ତାହାକୁ ହିଁ ଅବଲମ୍ବନ କରି ଲେଖିଛି ‘କଂସବଧ’’, ‘‘କୃଷ୍ଣଚରିତ’’ । ‘‘ବିରଜା ଅପେରା’’ର ଛତା ତଳେ ସେ ଅନେକ ଲୋକଙ୍କୁ ଏକଜୁଟ କଲେ । ବିରଜା ଅପେରା କଲିକତା, ଚବିଶ ପ୍ରଗଣା, ଟାଟା, ସିଂହଭୂମି, ଖରସୁଆଁ ଆଦି ଅଞ୍ଚଳ ବୁଲିବା ସହିତ ଓଡ଼ିଶାର ରାଜା ମହାରାଜାଙ୍କ ଦରବାରକୁ ମୁଖରିତ କଲା । ଏଡ଼ତାଳରେ କବିମଞ୍ଜୁଳ ଭୂୟାଁ ଭାସ୍କରଚନ୍ଦ୍ର ମହାପାତ୍ରଙ୍କ ସହଯୋଗ ପାଇଁ ସେଠାରେ ଦୀର୍ଘଦିନ ଧରି ଯାତ୍ରପାର୍ଟିର ଓସ୍ତାଦ ଭାବେ ରହିଲେ । ତାଙ୍କ ଶିଷ୍ୟମାନେ ତାଙ୍କୁ ଶ୍ରଦ୍ଧାରେ ଡାକିଲେ ‘‘ବସୁ ମାଷ୍ଟ୍ରେ’’ ।

 

ନାଟକ ‘ନୀଳଗିରି’

କବି ମଞ୍ଜୁଳଙ୍କ ନୀଳଗିରି ନାଟ ସମ୍ପର୍କରେ ଏକ କାହାଣୀ ରହିଛି । କାହାଣୀଟି ଏହିପରି–

 

ନୀଳଗିରି ରାଜା ଥିଲେ ନିତାନ୍ତ ଏକଜିଦିଆ । ସେ ‘ନୀଳଗିରି’ ଶୀର୍ଷକ ଏକ ବରାଦି ନାଟକ ଲେଖିବା ପାଇଁ ନାଟ୍ୟଭାରତୀ ଅଶ୍ୱିନୀକୁମାର ଘୋଷଙ୍କୁ ଟ.୩୦୦.୦୦ ବୟନା ଦେଇ ଉଆସକୁ ଡକାଇଲେ । ଦୀର୍ଘଦିନ ଧରି ସେ ରାଜବାଟୀରେ ଥିବା ନଥିପତ୍ର ପଢ଼ି ‘‘ଭଞ୍ଜଭୁଜଙ୍ଗ’’ ନାମଦେଇ ନାଟକ ରଚନା କଲେ । ପ୍ରଥମ ଅଙ୍କ ଦୃଶ୍ୟରେ ନୀଳଗିରିର ବୁଢ଼ାରାଜା ବନ୍ଦୀ ଅବସ୍ଥାରେ ମଞ୍ଚକୁ ଆସିଲେ । କିଛି ବଚନିକା ଆରମ୍ଭ ହେବା ପୂର୍ବରୁ ରାଜା ସାହେବଙ୍କ ଆଦେଶ ହେତୁ ନାଟକ ବନ୍ଦ ହେଲା । ଅଶ୍ୱିନୀକୁମାର ଭୟରେ ପଳାୟନ କଲେ । ତା’ପରେ ଆସିଲେ କୃଷ୍ଣପ୍ରସାଦ । ତାଙ୍କୁ ସନ୍ତୁଷ୍ଟ କରିବାକୁ ଏବଂ ତାଙ୍କ ମଗଜକୁ ଉର୍ବର କରିବାକୁ ରାଜା ତାଙ୍କୁ ପ୍ରତ୍ୟହ ବିଲାତି ମଦ ପିଇବାକୁ ଦେଉଥିଲେ । ସେ ଆତ୍ମଜୀବନୀରେ ଲେଖିଛନ୍ତି, ‘‘ଛାତ୍ରଗଣ, କେହି ଘୃଣା କରିବନି । ଯାହା ହୋଇଛି ଲେଖିଛି । ଆତ୍ମ ଜୀବନରେ ମିଥ୍ୟା କିଛି ରହିବନି ।’’

 

ନୀଳଗିରି ରାଜ ଇତିହାସ ଅନୁସାରେ ନୀଳଗିରିର ପୂର୍ବତନ ରାଜା ବନ୍ଦୀ ଜୀବନ କଟାଇଥିଲେ । ଅଶ୍ୱିନୀବାବୁ ତାହା ହିଁ ନାଟକରେ ଲେଖିଥିଲେ । କୃଷ୍ଣପ୍ରସାଦ ତ ଇତିହାସକୁ ଅବମାନନା କରିବେ ନାହିଁ । ସେ ପ୍ୟାରିମୋହନ ଆଚାର୍ଯ୍ୟ ଓ ରାଖାଲ ଦାସ ବାନାର୍ଜୀଙ୍କ ଓଡ଼ିଶା ଇତିହାସରୁ କିଛି ଚରିତ୍ର ଆଣିଲେ । ପଞ୍ଚଲିଙ୍ଗେଶ୍ୱରଙ୍କ ଭକ୍ତିଗୀତ ଅର୍ପଣ କରି ନାଟକ ଲେଖିଲେ । ନାଟକରେ ସବୁ କଥା ରହିଲା, ଅଥଚ ନୀଳଗିରି ରାଜାଙ୍କ ବଡ଼ପଣ ମଧ୍ୟ ରହିଲା । ରାଜା ସାହେବ କହିଲେ, ‘ପ୍ରହରାଜ (ଗୋପାଳ ଚନ୍ଦ୍ର ପ୍ରହରାଜ) ପ୍ରଦତ୍ତ ତୁମର ଉପାଧି ‘କବିମଞ୍ଜୁଳ’କୁ ମୁଁ ସ୍ୱୀକାର କରୁଛି । ରାଜା ଦେଲେ ସୁନାଘଡ଼ି, ସୁନାମୁଦି ଓ ଚେନ୍ ।’’

 

କୃଷ୍ଣପ୍ରସାଦଙ୍କୁ ପ୍ରଦତ୍ତ ଉପାଧି

୧.

ଡଗର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ କାନ୍ତକବି କୃଷ୍ଣପ୍ରସାଦଙ୍କୁ ‘ନାଟୁଆ ନଟବର’ ଉପାଧି ଦେଇ ଏକ ମାନପତ୍ର ଲେଖିଥିଲେ (୧୯୩୭) ।

୨.

ଉତ୍କଳ ସାହିତ୍ୟ ସମାଜରେ ସଙ୍ଗୀତ ପରିବେଷଣ କରି ଉଠିବା ବେଳକୁ ଗୋପାଳଚନ୍ଦ୍ର ପ୍ରହରାଜ ତାଙ୍କୁ ଆଲିଙ୍ଗନ କରି କହିଲେ, ‘ଆପଣ କବିମଞ୍ଜୁଳ’ ।

୩.

ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଦରବାରରେ ତାଙ୍କୁ ‘ଉତ୍କଳ ଗନ୍ଧର୍ବ’ ଉପାଧି ପ୍ରଦାନ କରାଯାଇଥିଲା ।

 

ଯାତ୍ରାବାଲାରୁ ପାଲା ଲେଖକ ଓ ପାଲା ଶିକ୍ଷକ

ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଯାତ୍ରା ଉପରେ ସ୍ଥାନୀୟ ଅଫିସର କଟକଣା କଲେ । ଆଲୁଅ ଜଳିଲେ ବୋମା ପଡ଼ିବ–ଏଇ ଭୟ ହେତୁ ଅପେରା ବନ୍ଦ ହୋଇଗଲା । କୃଷ୍ଣପ୍ରସାଦ ପାଲା ବହି ଲେଖିଲେ । ପାଲା କିପରି ପରିବେଷଣ କରାଯିବ, କୃଷ୍ଣପ୍ରସାଦ ତାର ଏକ ଇସ୍ତାହାର ଦେଲେ ।

 

ଶେଷରେ ବିଜ୍ଞାନ ବିଜ୍ଞାନ ଓ ଗଣିତ ଶିକ୍ଷକ

ପ୍ରଥମେ ବସ୍ତାରେ ଏବଂ ପରେ କୃଷ୍ଣପ୍ରସାଦ ଯାଜପୁରରେ ଶିକ୍ଷକତା କରି ଅବସର ନେଲେ । ଯାଜପୁର ହାଟରେ ସେ ଥିଲେ ମାଲିକ ମାତ୍ର ହାଟକୁ ସେ କେବେ ଯାଇ ନଥିଲେ । ଯାଜପୁର ହାଇସ୍କୁଲରେ ସେ ଜୀବନର ଶେଷ ଦଶବର୍ଷ ଅଧ୍ୟାପନାରେ କଟାଇଥିଲେ ।

 

୧୯୪୯ ଝଙ୍କାରରେ ଆଖଡ଼ାଓସ୍ତାଦ

ଝଙ୍କାର ବାହାରିଲା ୧୯୪୯ ଠାରୁ । ଡଃ ହରେକୃଷ୍ଣ ମହତାବଙ୍କ ଅନୁରୋଧରେ ସେ ଲେଖିଲେ ‘‘ଆଖଡ଼ା ଘରେ ବୈଠକ’’ । କବି ମଞ୍ଜଳୁ ଲେଖିଥିବା ‘ବୈଠକ’ଗୁଡ଼ିକର ସଂଗ୍ରହ କରିଛନ୍ତି ମୋର ଗବେଷକ ଛାତ୍ର ଡଃ ଉମାକାନ୍ତ ଜେନା । ସେ ୫୦ଟି ‘ବୈଠକ’ (ପ୍ରକାଶିତ) ଝଙ୍କାରରୁ ଏବଂ ପାଞ୍ଚଟି ‘ବୈଠକ’ ତାଙ୍କ ପୁତ୍ର ବିଶ୍ୱେଶ୍ୱର ବସୁଙ୍କଠାରୁ ସଂଗ୍ରହ କରିଛନ୍ତି । ମୁଁ ଏଠାରେ କହି ଦେବାକୁ ଚାହେଁ ଯେ ଯେଉଁ ମୁଷ୍ଟିମେୟ କେତେଜଣ ‘‘ଆଖଡ଼ା ଘରେ ବୈଠକ’’ ଉପରେ କିଛି ଲେଖିଛନ୍ତି ସେମାନେ ବିନା ବିଚାରରେ କହି ଦେଇଛନ୍ତି ‘ଆଖଡ଼ା ଘରେ ବୈଠକ’ ରମ୍ୟରଚନା ପର୍ଯ୍ୟାୟର । ଅନେକଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛି ଯେ ‘ଆଖଡ଼ାଘରେ ବୈଠକ’ରେ ପ୍ରାୟ ତିନିଗୋଟି ବଡ଼ଗଳ୍ପ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଗଳ୍ପ ସାହିତ୍ୟର ଗବେଷକମାନେ ଏସବୁ ଗଳ୍ପ ଦେଖି ନାହାନ୍ତି ।

 

ସୁଧୀ ପାଠକମାନଙ୍କୁ ମୋର ବିନମ୍ର ନିବେଦନ

ମୁଁ ମୋର ଗବେଷକ ଛାତ୍ର ଡ଼. ଉମାକାନ୍ତ ଜେନାଙ୍କ ସହିତ କବି ମଞ୍ଜୁଳଙ୍କ ପୁଅ ନ୍ୟାୟମୂର୍ତ୍ତି ବିଶ୍ୱେଶ୍ୱର ପ୍ରସାଦ ବସୁଙ୍କୁ ସାକ୍ଷାତ କଲି । ସେ ମହାଶୟ ମୋତେ ଦୁଇଗୋଟି ନାଲିକନାରେ ବନ୍ଧା ଯାଇଥିବା ବୁଜୁଳା ଦେଖାଇଲେ । ମୋର ଅନୁରୋଧ ରକ୍ଷା କରି ସେ ତାହା ଖୋଲିଲେ କିନ୍ତୁ ସ୍ପର୍ଶ କରିବାକୁ ଦେଲେ ନାହିଁ । ଅନ୍ୟ ଏକ ଦିବସେ ତାଙ୍କର ଅନୁମତି ନେଇ ମାତ୍ର ଦୁଇ ଘଣ୍ଟା ପାଇଁ ସେଗୁଡ଼ିକ ଦେଖିବାକୁ କହିଲେ । ସେଦିନ ବିରଜାଙ୍କ ପାଖରେ ଦୀର୍ଘ ସମୟ ପ୍ରାର୍ଥନା କଲି । କିଛିଦିନ ପରେ ଜଷ୍ଟିସ୍‌ବାବୁଙ୍କ ଦେହାନ୍ତ ହୋଇଗଲା । ତାଙ୍କ କନ୍ୟା ବାଲେଶ୍ୱରର ବଧୂ ଶୁଭଙ୍କରୀ ନନ୍ଦୀଙ୍କୁ ଚାନ୍ଦବାଲିରେ ଦେଖାକଲି । ସେ ମହାଶୟା ଆମକୁ ଅନେକ ହାତଲେଖା ସାମଗ୍ରୀ ଦେଲେ । ତହିଁରୁ ଆତ୍ମଜୀବନୀ ‘ପଥଭ୍ରଷ୍ଟର ଜୀବନ କଥା’ର ଜେରକ୍ସ କପି ପ୍ରସ୍ତୁତ ହେଲା-। କିନ୍ତୁ ‘ନାନାନିଧି’ର କପି କରାଯାଇ ପାରିଲା ନାହିଁ । ସବୁ କାଗଜ ପତ୍ର ଶୁଭଙ୍କରୀ ଦେବୀ ନେଇଗଲେ । କବିଙ୍କ ଆତ୍ମଜୀବନୀର ଏକ କପି ଗିରିଜାପ୍ରସାଦ ବସୁଙ୍କୁ ଦେଇଛି । ସେ ମହାଶୟ କିଛି ଅଂଶ ‘ମହାଗିରି’ରେ ବାହାର କରିଛନ୍ତି ।

 

ଅଧୁନା ଆତ୍ମଜୀବନୀର କପି ରହିଛି ଡଃ ବ୍ରଜନାଥ ରଥଙ୍କ ଗବେଷଣାଗାରରେ । ପାଷାଣୀ ଅହଲ୍ୟାଙ୍କୁ ରାମଚନ୍ଦ୍ର ଶାପମୁକ୍ତ କଲେ, କିନ୍ତୁ କବିମଞ୍ଜୁଳଙ୍କ ଆତ୍ମଜୀବନୀକୁ ଉଦ୍ଧାର କରିବ କିଏ ? ଜେରକ୍ସ କପିକୁ ଠିକ୍ ଭାବେ ଏଡ଼ିଟ୍ କରିବା ପାଇଁ ଏବଂ ବିନା ଖର୍ଚ୍ଚରେ ଛାପିବା ପାଇଁ କେହି କ’ଣ ରାଜି ହେବ ?

 

ଜୀବନରେ ଅସଂଖ୍ୟା ହାତତାଳି, ଶହଶହ ସୁନାମେଡ଼ାଲ ପାଇଥିବା ବସୁମାଷ୍ଟ୍ରେ ଅତୃପ୍ତ ଥିବେ । କିଏ ତାଙ୍କୁ ଲୋକ ଲୋଚନକୁ ଆଣିବ ? ମୋ ପରି ଜଣେ ୮୧ ବର୍ଷର ବୃଦ୍ଧ କେବଳ ହାତ ଯୋଡ଼ି ବିଦଗ୍ଧପାଠକଙ୍କୁ ଅନୁରୋଧ କରିବା ବ୍ୟତିତ ଅନ୍ୟ କିଛି କରିପାରିବ ନାହିଁ ।

 

ଟୋଲଙ୍କ ସାହି, ବାଲେଶ୍ୱର

***

 

ଓଡ଼ିଶାର ସାଂସ୍କୃତିକ ଐତିହ୍ୟ : ଭଦ୍ରକ ଅଞ୍ଚଳର ବିଶେଷ ଦୃଷ୍ଟିପାତ

(INTACHର ଭଦ୍ରକ ଚାପ୍‌ଟରର ବାର୍ଷିକ ଆଲୋଚନାଚକ୍ରରେ

ପଠିତ ଓ ଆଲୋଚିତ- ତା. ୧୮/୦୩/୨୦୧୨)

ମନୀନ୍ଦ୍ର ମହାନ୍ତି

 

।। ଏକ ।।

 

ଆଦି ମାନବ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ମଧ୍ୟରେ ଯାଯାବର ଜୀବନ ଅତିବାହିତ କରୁଥିଲା । ଯେତେବେଳେ ସେ ନଦୀ ବା ସରୋବର କୂଳରେ ଖାଦ୍ୟପାଇଁ ବ୍ୟବସ୍ଥା କରିପାରିଲା, ସେତେବେଳେ ସେ ସ୍ଥାୟୀ ବସତି ସ୍ଥାପନ କଲା । ତେଣୁ ନିର୍ଦ୍ଦିଷ୍ଟ ଅଞ୍ଚଳର ଭୌଗୋଳିକ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ସେ ତା’ ଆତ୍ମୀୟ ସ୍ୱଜନଙ୍କୁ ନେଇ ନିଜର ଜୀବନ ଯାତ୍ରା ଆରମ୍ଭ କରିଦେଲା । ଫଳରେ ସେହି ଗୋଷ୍ଠୀ ବା ସମବେତ ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସମଭାବାପନ୍ନ ମାନସିକତାର ସୃଷ୍ଟି ହେଲା । ସେମାନଙ୍କର ଖାଦ୍ୟ, ପେୟ, ପୋଷାକ, ରୀତିନୀତି, ପ୍ରଥା ଓ ଚଳଣି ଏକ ନୂଆରୂପ ଗ୍ରହଣ କରିଲା । ତାହା ହେଲା–ତା’ର ‘ସମାଜ’ । ଏହି ‘ସମାଜ’କୁ ନେଇ ସେ ତା’ର ବୁଦ୍ଧି ଓ ଜ୍ଞାନକୁ ପ୍ରୟୋଗ କରି ନୂତନ ସଭ୍ୟତାର ଓଁକାର ଧ୍ୱନି ତୋଳିଲା । ଏହି ‘ସମାଜ’ ଓ ‘ସଭ୍ୟତା’ ମଧ୍ୟରେ ତା’ର ବିଚାର ଧାରା, ଜ୍ଞାନ-ବିଜ୍ଞାନ, ବ୍ୟବହାର, ଜୀବନ ପ୍ରତି ଦୃଷ୍ଟିକୋଣ କ୍ରମେ ଆକାର ନେବାକୁ ବସିଲା । ଯାହାକୁ ଆମେ ନାମ ଦେଉଛୁଁ–‘ସଂସ୍କୃତି’ । ଏହି ‘ସଂସ୍କୃତି’ କୌଣସି ଏକ ସମାଜରେ ହଠାତ୍ ଗଢ଼ି ଉଠିନାହିଁ । ସମୟ ସ୍ରୋତରେ ଏହି ସଂସ୍କୃତି କ୍ରମେ ତା’ର ରୂପ ଗ୍ରହଣ କରିଛି । ଅତୀତର ଧର୍ମ-ଧାରଣା, ଅନୁଭୂତି-ଅଭିଜ୍ଞତା, ବିଶ୍ୱାସକୁ ପୁଞ୍ଜିକରି ପୃଥିବୀର ବିଭିନ୍ନ ସ୍ଥାନରେ ଏହି ‘ସଂସ୍କୃତି’ ବିଭିନ୍ନ ରୂପ ନେଇଛି । ଇଂରାଜୀରେ ଏହାକୁ Culture କୁହାଯାଏ । ଏହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଲା–‘ସମ’ ଉପସର୍ଗ–‘କୁ’ ଧାତୁର ‘ତି’ ପ୍ରତ୍ୟୟ । ତେଣୁ ଏହାର ଅର୍ଥ ହେଲା–ଉତ୍ତମ କୃତି । ମାନବର ଆଚାର, ବିଚାର ବା ଚାଲି ଚଳଣୀକୁ ଯାହା ଏକ ଅସାଧାରଣ ସ୍ତରକୁ ଘେନିଯାଏ, ତାହା ହିଁ ‘ସଂସ୍କୃତି’ । ତେଣୁ, କୌଣସି ଦେଶ ବା ଜାତିର ବର୍ହିବିକାଶ ହିଁ–‘ସଭ୍ୟତା’ ଓ ଅନ୍ତଃର୍ପ୍ରକୃତି ହେଲା ‘ସଂସ୍କୃତି’ ।

 

ସ୍ୱର୍ଗତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପ୍ରସିଦ୍ଧ ଓଡ଼ିଆ ଭାଷାକୋଷରେ ‘ସଂସ୍କୃତି’ ପ୍ରସଙ୍ଗରେ ଲେଖାଯାଇଛି–ସଭ୍ୟତା, ଶିକ୍ଷା, ଭଦ୍ରତା ଓ ସାମାଜିକତା ଆଦିରେ ଧାରାବାହିକ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ ହେଉଛି–ସଂସ୍କୃତି । ଏହି ‘ସଂସ୍କୃତି’ର ପରିବର୍ତ୍ତନ ହେବା ସ୍ୱାଭାବିକ । ‘ସଭ୍ୟତା’ ହେଉଛି ସମାଜର ‘ଭୌତିକ ବିକାଶ’ । ‘ସଂସ୍କୃତି’କୁ ଅନୁଭବ କରାଯାଏ । ଏଥିରେ ଜ୍ଞାନ, ବିଶ୍ୱାସ, କଳା, ନୀତି ନିୟମ, ପ୍ରଥା, ପରମ୍ପରା, ମାନବ ଆଚାରିତ ସମସ୍ତ କ୍ରିୟା-ପ୍ରକ୍ରିୟା ନିହିତ ଥାଏ ।

 

ଏହାର ଭୌତିକ ବିକାଶରେ ଶିଳ୍ପ, ବାଣିଜ୍ୟର ପରିଚୟ ମିଳେ, ମାତ୍ର ସମାଜର ପ୍ରଚଳିତ ପ୍ରଥା, ଚଳଣି, ବିଶ୍ୱାସ ଓ ପରମ୍ପରା ସଂସ୍କୃତିର ଅନ୍ତରଙ୍ଗ ରୂପ ପ୍ରକାଶ ପାଇଥାଏ । ଏହା ଆମର ଲୋକ ଜୀବନର ଆତ୍ମାକୁ ପ୍ରକାଶ କରିଥାଏ ।

 

ଏହି ‘ଲୋକସଂସ୍କୃତି’ (Falk Culture) । ଆମ ଲୋକମୁଖରେ ପ୍ରଚଳିତ ବିଭିନ୍ନ ଗୀତ, କାହାଣୀ, ଯାତ୍ରା, ତାମସା ଆଦିର ପ୍ରକାଶ ପାଇଥାଏ । ଏହିସବୁ ହେଲା ଗୋଟିଏ ଜାତିର ସାଂସ୍କୃତିକ ବିଭବ । ଏହାର ମାଧ୍ୟମରେ ସମାଜର ସାଂସ୍କୃତିକ ମୂଲ୍ୟାୟନ କରାଯାଇ ଥାଏ । ଏହିସବୁ ଦିଗରୁ ଭାରତ ଭୂଖଣ୍ଡ ବା ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ ଅଧ୍ୟୟନ କରାଯାଇ ପାରେ । ସେହିପରି ଉତ୍ତର ଓଡ଼ିଶାର ସୀମା ମଧ୍ୟରେ ମଧ୍ୟ ଏହାର ଅଧ୍ୟୟନ କରାଯାଇ ପାରେ ।

 

ମାତ୍ର, ଆଲୋଚନାର ସମୟ ଅବଧିକୁ ଚକ୍ଷୁ ସମ୍ମୁଖରେ ରଖି ଏଠାରେ କେବଳ ଭଦ୍ରକ ଅଞ୍ଚଳରେ ପ୍ରଚଳିତ ଲୋକ ସାଂସ୍କୃତିକ ଐତିହ୍ୟର ବିଶ୍ଳେଷଣ କରାଯାଉଛି । ଆଲୋଚନାର କଳେବର ଦୃଷ୍ଟିରୁ ଯଥାସମ୍ଭବ ସୂଚନାତ୍ମକ ଭାବରେ ଏଠାରେ ଆଲୋଚନା କରାଯାଉଛି ।

 

 

।। ଦୁଇ ।।

 

ଇଂରେଜ ଅମଳରେ ୧୮୨୮ ମସିହାରେ ବାଲେଶ୍ୱର ଏକ ଜିଲ୍ଲାର ମାନ୍ୟତା ଲାଭ କରିଥିଲା । କିନ୍ତୁ ୧୯୯୩ ମସିହା ଏପ୍ରିଲ୍ ମାସରେ ଭଦ୍ରକ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଲାଭ କଲା । ପୂର୍ବରୁ ଏହା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ସବ୍‌ଡ଼ିଭିଜନ ଥିଲା । କେବଳ ଭୌଗଳିକ କାରଣରୁ ନୁହେଁ, କିମ୍ବା ଶାସନଗତ କାରଣରୁ ନୁହେଁ, ଭଦ୍ରକ ଜିଲ୍ଲାର ବହୁ ସ୍ୱାତନ୍ତ୍ର୍ୟ ସାଂସ୍କୃତିକ ଜୀବନରେ ରହିଛି ମଧ୍ୟ । କେବଳ ବିଦଗ୍ଧ ସାହିତ୍ୟ ଦିଗରୁ ନୁହେଁ, ଏହାର ସଂଗୀତ ଓ ନାଟ୍ୟକଳା ଦିଗରୁ ମଧ୍ୟ ଏହାର ବୈଶିଷ୍ଟ୍ୟ ରହିଛି । ତେଣୁ ପାରମ୍ପରିକ ଲୋକ ସଂସ୍କୃତି ଦିଗରୁ ଆଲୋଚନା କଲେ ଏହାକୁ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ ।

 

ପ୍ରଥମ ପର୍ଯ୍ୟାୟ–ଲୋକ ନାଟକ ଓ ଯାତ୍ରା :

(କ) ଚଇତି ତାମସା :

ଓଡ଼ିଶା ପ୍ରସିଦ୍ଧ ‘ଚଇତି ତାମସା’ର ସୃଷ୍ଟି ଓ ପରିବେଷଣ ଏହି ଭଦ୍ରକ ମାଟିରେ ହୋଇଛି । ଚଇତ୍ର ମାସରେ ଏହାର ପରରିବେଷଣ ସମୟ ହେତୁ ଏହାକୁ ‘ଚଇତି ତାମସା’ କୁହାଯାଏ । ଏହି ‘ଚଇତି ତାମସା’-୭ ପ୍ରକାରର । ଯଥା- ଭିଲ୍ ତାମସା, ରାଧାକୃଷ୍ଣ ତାମସା, ଚଉଡ଼ା ବା ଚେହୋଡ଼ା ତାମସା, ଯୋଗୀ ତାମସା, ଫକୀର ତାମସା, ଲୋଲିନ ମଜାବାଇ ତାମସା ଓ ମୋଗଲ ତାମସା । ଏହି ତାମସା ସବୁ ଚୈତ୍ରମାସ ଶେଷ ୭ ଦିନରୁ ଆରମ୍ଭ ହୋଇ ବୈଶାଖମାସ ସଂକ୍ରାନ୍ତି ଦିନ (ବିଷୁବ ସଂକ୍ରାନ୍ତି) ଶେଷ ହୁଏ । ଏହା ଶିବମନ୍ଦିର ପରିସରରେ ପରିବେଷଣ କରାଯାଏ । ଏହି ଚଇତି ତାମସାର ଅନ୍ୟ ଜଣେ ସଂଗ୍ରାହକ ଡା. ଦ୍ୱିଜେନ୍ଦ୍ର କୁମାର ବେହେରା ଆଉ ଗୋଟିଏ ତାମସା ‘ଇନ୍ଦ୍ରସଭା’ ନାମରେ ପାଇଥିବାର ଉଲ୍ଲେଖ କରିଛନ୍ତି । (ଚୈତ୍ର ତାମସା -୧୯୯୮) । ମାତ୍ର ଓଡ଼ିଶା ସାହିତ୍ୟ ଏକାଡ଼ମୀ ୨୦୦୩ ମସିହାରେ ଯେଉଁ ‘ଚଇତି ତାମସା’ ଶିରୋନାମାରେ ପୁସ୍ତକ ପ୍ରକାଶ କରିଛନ୍ତି । ସେଥିରେ ଛଅଗୋଟି ତାମସା ସ୍ଥାନ ପାଇଛି ।

 

ଏହି ସବୁ ତାମସାର ରଚୟିତା ହେଲେ ଭଦ୍ରକ ନିକଟସ୍ଥ ସଂଗତ ଗ୍ରାମର ବଂଶୀବଲ୍ଲଭ ଗୋସ୍ୱାମୀ (ଖ୍ରୀ.ବ୍ଦ. ୧୭୨୮) । ତାଙ୍କପରେ ସଂଗତର ନିକଟସ୍ଥ ବାଙ୍କାଠାରେ ଜଗନ୍ନାଥ ଚକ୍ରବର୍ତ୍ତୀ ମଧ୍ୟ ଏହି ଧରଣର କେତୋଟି ତାମସା ରଚନା କରିଥିବାର ସମ୍ବାଦ ମିଳେ ।

 

ଏଥି ମଧ୍ୟରୁ ‘ମୋଗଲ ତାମସା’ର ଅଭିନୟ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା । ଏଥିରେ ମୋଗଲ ଦରବାରରେ ଯେଉଁ ଶାସନ ନୀତି ପ୍ରଚଳିତ ଥିଲା । ତାହା ଏଥିରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପରିବେଷଣ କରାଯାଇଛି । ଏବେ ବି ଏହା ଜାନୁଗଞ୍ଜ, ସାହାପୁର, ଗରଦପୁର, ସଂଗତ ଓ ଚରମ୍ପା ଅଞ୍ଚଳରେ ପରିବେଷଣ ହେବାର ଚଳଣି ରହିଛି । ଏଥିରେ ଭାଷା ଓଡ଼ିଆ ସହିତ ବଙ୍ଗଳା, ଉର୍ଦ୍ଧୁ, ହିନ୍ଦୀ ଓ ପାର୍ଶୀ ଆଦି ଶବ୍ଦର ପ୍ରୟୋଗ ରହିଛି । ସଂଗୀତ କଳାର ପରିବେଷଣ ଦିଗରୁ ଏହାର ବିଭିନ୍ନ ସଂଗୀତ ସଂଳାପ ବେଶ୍ ପାରମ୍ପରିକ ଢଙ୍ଗରେ ରଚିବ ।

 

(ଖ) ସୁଆଙ୍ଗ, ଲୀଳା, ଗୀତିନାଟ୍ୟ ଓ ଯାତ୍ର : ଭଦ୍ରକର ନଳାଙ୍ଗ ନିବାସୀ ଜଗନ୍ନାଥ ପାଣି (୧୮୩୬-୧୮୯୬) ଓଡ଼ିଆ ଲୀଳା, ସୁଆଙ୍ଗ ତଥା ଗୀତିନାଟ୍ୟ ରଚନା କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ କରି ଦେଇଥିଲେ । ତାଙ୍କର ରଚିତ ଅଶ୍ୱମେଧ ଯାଗ, ମହୀରାବଣ ବଧ, ଦକ୍ଷ ଯଜ୍ଞ, ପାରିଜାତ ହରଣ ଆଦି ଲୀଳା ଓ ସୁଆଙ୍ଗ–ଓଡ଼ିଶାର ନାଟ୍ୟ ଜଗତରେ ବେଶ ଚହଳ ସୃଷ୍ଟି କରି ଦେଇଥିଲା । ତାଙ୍କ ରିଚିତ ୩୦ଟି ଛନ୍ଦ ନାଟ୍ୟ ରଚନା ସହିତ ୨୦ ଖଣ୍ଡରୁ ଅଧିକ ନାଟକ, ସୁଆଙ୍ଗ, ଆଦି ଓଡ଼ିଶା ନାଟ୍ୟ ଜଗତରେ ତାଙ୍କୁ ବେଶ୍ ପରିଚିତ କରାଇ ପାରିଥିଲା । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମତରେ–‘‘ପୌରାଣିକ ଆଖ୍ୟାୟିକା ଅବଲମ୍ବନରେ ‘ଛନ୍ଦନାଟ୍ୟ’ ପ୍ରଚଳନ ଦିଗେ ଜଗନ୍ନାଥ ପାଣି ଥିଲେ ପ୍ରଥମ ।’’ (ଓଡ଼ିଆ ଯାତ୍ରା ଜଗତର ଅନ୍ତୁଡ଼ିଶାଳ : ଭଦ୍ରକ INTACH ପ୍ରକାଶନ–୨୦୧୧- ପୃ.୩୨) ।

 

ଭଦ୍ରକର ଗରଦପୁରବାସୀ ନାଟ୍ୟକାର ଭାଗୀରଥି ମହାପାତ୍ର (୧୮୮୬-୧୯୪୫)ଙ୍କର ବବ୍ରୁବାହାନ, ହରିଶ୍ଚନ୍ଦ୍ର, ଧ୍ରୁବ, ସୁଭଦ୍ରା ବିବାହ, ସୀତା ବନବାସ ଆଦି ବହୁ ଗୀତିନାଟ୍ୟ, ତାଳପଦାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩) ବସନ୍ତ ବିଳାପ, ବରୁଣ ବିଜୟ, କାଳୀୟ ଦଳନ, ଲକ୍ଷ୍ମୀ ଚଣ୍ଡାଳୁଣୀ, ପଞ୍ଚାମୃତ ଆଦି ଏବଂ ବଙ୍କ ସାହିସ୍ଥ ବୈଷ୍ଣବ ଚରଣ ଦାସଙ୍କ (୧୮୯୯-୧୯୫୮) ‘ପଦ୍ମାବତୀ’ କୃତିଗୁଡ଼ିକ ଏହି ପ୍ରସଙ୍ଗରେ ସ୍ମରଣଯୋଗ୍ୟ ।

 

ପରବର୍ତ୍ତୀ କାଳରେ ଏକମୁଖୀ ରଙ୍ଗମଞ୍ଚ ଓ ଚତୁର୍ମୁଖୀ ରଙ୍ଗମଞ୍ଚର ମିଳନରେ ଯେଉଁ ଆଜିର ଯାତ୍ରା ନାଟକର ପ୍ରସାର ଘଟିଲା, ସେମାନଙ୍କ ମଧ୍ୟରେ ଭଦ୍ରକ ଅଞ୍ଚଳର ସର୍ବଶ୍ରୀ ନାଟ୍ୟାଚର୍ଯ୍ୟା ରଘୁନାଥ ପଣ୍ଡା (ଗଞ୍ଜାମାଳ–୧୯୧୬-୧୯୯୦), ପଲ୍ଲୀକବି କୃଷ୍ଣ ପ୍ରସାଦ ବେହେରା ( ମୂଳଗାଁ, ଧାମନଗର–(୧୯୧୭-୧୯୭୧), ଶ୍ୟାମସୁନ୍ଦର ମହାପାତ୍ର (ଶ୍ୟାମପୁର- ୧୯୨୭-୧୯୮୧) ନବକୁମାର ସାହୁ (ମତୋ- ୧୯୩୭-୧୯୯୩) ଶ୍ରୀ ଉମାକାନ୍ତ ବେହେରା । (ଆଳମଙ୍ଗା–୧୯୩୩) କାହ୍ନୁଚରଣ ନାୟକ (ଗଭରପୁର–ବନ୍ତ–୧୯୨୮-୧୯୮୫) ପ୍ରଭୃତି ଯାତ୍ରା ନାଟକ ରଚନା କରି ଓଡ଼ିଆ ଯାତ୍ରା ଜଗତକୁ କେବଳ ପ୍ରତିଷ୍ଠିତ ରୂପ ଦେଇନାହାନ୍ତି, ତା’ର ପ୍ରସାର କରାଇ ବେଶ୍ ଲୋକପ୍ରିୟ ହୋଇଛନ୍ତି ।

ବିଭିନ୍ନ ସ୍ଥାନରେ ଯାତ୍ରାଦଳ ଗଠନ କରି ତା’ର ପରିବେଷଣ କରିବା, ଯୁଗ ରୁଚି ଅନୁସାରେ ସମାଜକୁ ଚିତ୍ରଣ କରିବା ଦିଗରେ ଏମାନେ ସିଦ୍ଧହସ୍ତ ଥିଲେ । ଏମାନେ ଯେଉଁ ଶତାଧିକ ଯାତ୍ରା ନାଟକ ଓ ଶତାଧିକ ଯାତ୍ରାନୁଷ୍ଠାନ ଗଠନ କରି ଓଡ଼ିଶା ଓ ପଡ଼ୋଶୀ ରାଜ୍ୟମାନଙ୍କର ଯେପରି ଏହି ଧରଣର ନାଟ୍ୟକୃତି ଓ ସଂସ୍ଥାକୁ ଲୋକପ୍ରିୟ କରାଇ ପାରିଥିଲେ, ତାହା ଏପର୍ଯ୍ୟନ୍ତ ମଧ୍ୟ ଦର୍ଶକମାନେ ସ୍ମରଣ ରଖିଛନ୍ତି । ସୁଖର କଥା, ଏସବୁ ଦିଗରେ ବହୁ ଗବେଷକ ତାଙ୍କର ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରି ସାରିଲେଣି । (ଓଡ଼ିଆ ସାହିତ୍ୟକୁ ପଲ୍ଲୀକବି କୃଷ୍ଣପ୍ରସାଦଙ୍କ ଅବଦାନ–ଡ. ମନ୍ମଥ କୁମାର ପ୍ରଧାନ–୧୯୮୮–ଉତ୍କଳ ବିଶ୍ୱବିଦ୍ୟାଳୟ । ଲୋକନାଟ୍ୟକାର ଜଗନ୍ନାଥ ପାଣି–ଡ. ପ୍ରଦୀପ କୁମାର ମିଶ୍ର–୧୯୯୧–ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ଆଧୁନିକ ଓଡ଼ିଆ ଯାତ୍ରା ନାଟକ ଡ. ପଦ୍ମଲୋଚନ ମହାକୁଡ଼–୨୦୦୧–ଉତ୍କଳ, ଓଡ଼ିଆ ଲୋକ ନାଟକକୁ ରଘୁନାଥ ପଣ୍ଡାଙ୍କ ଅବଦାନ–ଡ. ଅକ୍ଷୟ କୁମାର ପାଣିଗ୍ରାହୀ–ଉତ୍କଳ’ ।)

 

(ଗ) ଚଢ଼େଇଆ–ଚଢ଼େଇଆଣୀ ନାଟ : ଭଦ୍ରକର ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଅଞ୍ଚଳରେ ଏକ ଚଢ଼େଇଆ–ଚଢ଼େଇଆଣୀ ନାଟକ ଦେଖିବାକୁ ମିଳେ । ଏହାର କଥାବସ୍ତୁ ହେଲା- ଯାଜପୁରର ବାରୁଣୀଯାତ୍ରା ଦେଖିବା ପାଇଁ ଚଢ଼େଇଆ–ଚଢ଼େଇଆଣୀ ଦୁହେଁ ଯାଇଥିଲେ । ମାତ୍ର ଲୋକଭିଡ଼ରେ ଚଢ଼େଇଆଣୀ ହଜି ଯାଇଛି । ତେଣୁ ଚଢ଼େଇଆା ଚାରିଆଡ଼େ ଖୋଜି ଖୋଜି ବ୍ୟସ୍ତ ହୋଇପଡ଼ିଛି ଓ ଶେଷରେ ମଉସା ବୋଲି ଏକ ଚରିତ୍ର ସାହାଯ୍ୟରେ ଚଢ଼େଇଆଣୀକୁ ପାଇଛି । ଚଢ଼େଇଆଣୀ ସେହିପରି ଖୋଜି ଖୋଜି ଗାଁର ଚୌକିଦାରକୁ ସାକ୍ଷାତ କରିଛି । ଶେଷରେ ମଉସା ଓ ଚୌକିଦାର ଦୁହେଁ ଚଢ଼େଇଆ ଚଢ଼େଇଆଣୀଙ୍କର ମିଳନ ଘଟାଇଛନ୍ତି । ପରେ ଚଢ଼ା-ଉତ୍ତରା (ପ୍ରଶ୍ନୋତ୍ତର) ଛଳରେ ଦୁହେଁ ଗୀତ ଗାଇଛନ୍ତି । ଏମାନଙ୍କର ସଂଳାପ ଉଭୟ ଗଦ୍ୟ ଓ ପଦ୍ୟ । ଚୌକିଦାର ଚରିତ୍ରଟି ଏକ ହାସ୍ୟୋଦ୍ଦୀପକ ଚରିତ୍ର । ମାତ୍ର ଏହିପରି ନାଟ୍ୟ ପରିବେଷଣ କ୍ରମେ ଲୋପ ପାଇ ଆସୁଛି ।

 

(ଘ) ଦଧିନାଟ : ମୃତ୍ୟୁର ବାରଦିନ ଶୁଦ୍ଧକ୍ରିୟା ଭାବରେ କିମ୍ବା ଶ୍ରାଦ୍ଧୋତ୍ସବରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ଶେଷରେ ବୈଷ୍ଣବମାନେ ଏହି ଦଧିନାଟ ପରିବେଷଣ କରିଥାନ୍ତି । ଚୂଡ଼ାମଣି, ଗୁଡ଼, ସୁଆଁ ଓ ବଚ୍ଛଦା ଅଞ୍ଚଳରେ ଏହି ଦଧିନାଟର ପରିବେଷଣ ହୋଇଥାଏ । ଶ୍ରୀରାଧା ଦଧିଭାଣ୍ଡ ଧରି ମଧୁରାପୁର ହାଟକୁ ଯିବା ଏବଂ ଶ୍ରୀକୃଷ୍ଣ ତାଙ୍କ ବାଟ ଓଗାଳି ଘାଟ ପାରି କରିଦେବା ପାଇଁ ଘାଟ ସଉଦା ମାଗିବା ଏବଂ ଶେଷରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କର ମିଳନ ହେବ–ଏହି ଦଧିନାଟର କଥାବସ୍ତୁ । ଏହାର ସଂଳାପ ଉଭୟ ଗଦ୍ୟ ଓ ପଦ୍ୟଧର୍ମୀ । ସ୍ଥଳବିଶେଷରେ ରାଧାକୃଷ୍ଣଙ୍କ ସହିତ ଲଳିତା, ଚିତ୍ରଲେଖା, ସୁବଳ, ସୁଦାମ ଆଦି ଚରିତ୍ର ମଧ୍ୟ ସ୍ଥାନ ପାଇଥାଏ । ମଧୁମଂଗଳ, ସୁଦାମ ଓ ସୁବଳ ତିନୋଟି ହାସ୍ୟରସାତ୍ମକ ଚରିତ୍ର ।

ଏହି ଉପଲକ୍ଷେ ବୈଷ୍ଣବ ଗୋସ୍ୱାମୀ ବା ଅଧିକାରୀ ଭାଗବତ ଗାଦି ଗୋଟିଏ ଆସ୍ଥାନ ବା ଖଟୁଳି ଉପରେ ରଖି ପୂଜା କରନ୍ତି । ଏହା ପାଖରେ ‘ଦଧିପସରା’ ରଖା ଯାଇଥାଏ । ଏହି ଦଧିପସରା ହେଲା–ଗୋଟିଏ ଚାଉଳଧୁଆ ପାଛିଆରେ ନୂଆହାଣ୍ଡିରେ ଚୂନଦେଇ ସିନ୍ଦୁର ଦେଇ ପସରା ଲୁଗା ଖଣ୍ଡେ କଳସ ଉପରେ କୁଞ୍ଚ ପକାଇ ରଖା ଯାଇଥାଏ । ଏହି ହାଣ୍ଡିରେ ପଞ୍ଚାମୃତ ଥାଏ । ଏଥିରେ ଅରୁଆ ଚାଉଳ, ଗୋଟାଗୁଆ, ହଳଦୀ, ପାନ ଓ ନଡ଼ିଆ ଖଣ୍ଡମାନ ମିଶ୍ରିତ ହୋଇଥାଏ । ନାଟ ଶେଷରେ ଶ୍ରୀରାଧା ଓ ଶ୍ରୀକୃଷ୍ଣ ଦୁହେଁ ସାହିର ବିଭିନ୍ନ ପରିବାରକୁ ଯାଇ ଘରେ ଦଧି ସିଞ୍ଚନ କରି ପବିତ୍ର କରିଥାନ୍ତି ଓ ବିଧିମତେ ଲୋକେ ହାଣ୍ଡିରେ ଭେଟି ସ୍ୱରୂପ ପଇସା ପକାନ୍ତି । କେଉଁଠି ଧୋତି, ଶାଢ଼ୀ ମଧ୍ୟ ସେମାନେ ମାଗଣା କରିଥାନ୍ତା ।

 

ଏହାର ସ୍ୱର ଗୌଡ଼ୀୟ ବୈଷ୍ଣବଧର୍ମୀ କୀର୍ତ୍ତନର ସ୍ୱର । ଏହାର ଗୀତ ରଚନାରେ ଲକ୍ଷ୍ମୀନାରାୟଣ ଓ ବୈଦ୍ୟନାଥଙ୍କ ନାମ ଦେଖିବାକୁ ମିଳେ ( ଦଧିନାଟ–ଓଡ଼ିଆ ଲୋକାନାଟ୍ୟ ପରମ୍ପରା–ପୃ.୨୭-୪୧) ।

 

(ଙ) ବହୁରୂପା : ଏହି ପର୍ଯ୍ୟାୟରେ ଭଦ୍ରକର ପୁରପଲ୍ଲୀ ଅଞ୍ଚଳରେ ଥିବା ବହୁରୂପା ପରିବେଷଣକୁ ଗ୍ରହଣ କରାଯାଇ ପାରେ । ଏଥିରେ ଯଦିଓ ସଂଳାପ ଓ ଗୀତ ନ ଥାଏ, ତେବେ ପୌରାଣିକ ଓ ଆଧୁନିକ ଚରିତ୍ରମାନେ ରୂପ ପାଇଥାନ୍ତି । - ନୀରବତା ମଧ୍ୟରେ । କେବଳ ପୋଷାକ ବା ରୂପ ଦେଖାଇ ଦର୍ଶକମାନଙ୍କୁ ମୁଗ୍ଧ କରାଯାଇଥାଏ ।

 

ଜଣେ ବା ଦୁଇଜଣ ବ୍ୟକ୍ତି କେତେଦିନ ଧରି ସନ୍ଧ୍ୟା ଓ ଦିନରେ ପୁରାଣ, ଇତିହାସ ବା ଏବର ସମାଜର ବିଭିନ୍ନ ଚରିତ୍ରର ରୂପ ଧାରଣ କରି ଗାଁର ସବୁ ଘରର ଦାଣ୍ଡକୁ ଆସିଥାନ୍ତି । ସେମାନଙ୍କ ରୂପ ପ୍ରଦର୍ଶନ କରି ଶେଷଦିନ ଲୋକେ ତାଙ୍କୁ କିଛି ବିଦାକି ବା ପଇସା ଦିଅନ୍ତି ବହୁରୂପାର ଅଧିଷ୍ଠାତ୍ରୀ ଦେବୀ ହେଲେ–ଶକ୍ତି ବା କାଳୀ । ଶାକ୍ତ ଧର୍ମ ଓ ତନ୍ତ୍ରରୁ ଏହି ବହୁରୂପାର ସୃଷ୍ଟି । କାଳୀ, ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ, ସୀତା-ରାମ, ଶିବ-ପାର୍ବତୀ ଆଦି ଦିନରୂପ-ଚଣ୍ଡାଳ, ଯୋଗୀ, ଧୋବଣୀ, ମାଲୁଣୀ, ଚୌକିଦାର, ପୋଲିସ, ବର-କନ୍ୟା, ପାଗଳ ଇତ୍ୟାଦି । ଏହାର ଚଣ୍ଡାଳ ରୂପଟି ପଲ୍ଳୀର ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଥାଏ । ଚଣ୍ଡାଳ ନିଜ ଜିଭକୁ ଗୋଟିଏ ମୋଟା ଛୁଞ୍ଚି ବା ତାରରେ ବିଦ୍ଧ କରି ଡମ୍ବରୁ ବଜେଇ ଯେତେବେଳେ ଗାଁ ଗୋହିରିରେ ଚାଲିଯାଏ, ସେତେବେଳେ ଏହା ସମସ୍ତଙ୍କୁ ତଟସ୍ଥ କରିଦିଏ । ପଢ଼ୁଆଁ ଓ ଇରମ ଅଞ୍ଚଳରେ ଏହାର ପ୍ରଦର୍ଶନ ହେଉଛି । ମାତ୍ର, ଆଜିକାଲି ଏହା କ୍ରମେ ଲୋପ ପାଇ ଆସିଲାଣି ।

 

ଦ୍ୱିତୀୟ ପର୍ଯ୍ୟାୟ–ସଂଗୀତ ପରିବେଷଣ

(କ) ସଂକୀର୍ତ୍ତନ–ଦେବ ଦେବୀଙ୍କ ନାମ କୀର୍ତ୍ତନ କରିବା ବା ଭଜନ କରିବା ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ । ବିଶେଷତଃ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳନକୁ କେନ୍ଦ୍ରକରି ଉତ୍କଳୀୟ ଗୌଡ଼ୀୟ ବୈଷ୍ଣଣବଧର୍ମାବଲମ୍ବୀମାନେ ସଂକୀର୍ତ୍ତନ କରିଥାନ୍ତି । ମୃଦଙ୍ଗ ବା ଖୋଳ, ଗିନି ବା କୁବୁଜି ଏବଂ ଝାଞ୍ଜର ସମ୍ମିଳିତ ତାନରେ ଶ୍ରୋତା ମନରେ ଭକ୍ତିଭାବ ଉଦ୍ରେକ କରିବା ଏହାର ମୂଳ ଉଦ୍ଦେଶ୍ୟ ।

 

ଭଦ୍ରକର ଜଗନ୍ନାଥପୁରର ତିନି ସାହି, ଗେଲଟୁଆର ଦୁଇସାହି, ସନ୍ଥିଆ ଆଦି ସ୍ଥାନରେ ଝୁଲଣ ଯାତ୍ରାରେ ଯେଉଁ କୀର୍ତ୍ତନ, ତାହା ଏ ସୁଦୃଆ ପରମ୍ପରା ସୃଷ୍ଟି କରିଛି । ଏଥି ସହିତ ହୋରି, କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସଂକୀର୍ତ୍ତନ ମଣ୍ଡଳୀ ଯେଉଁ କୀର୍ତ୍ତନ କରିଥାନ୍ତି ତାହା ଓଡ଼ିଶାର ଧାର୍ମିକ ଚିନ୍ତାକୁ ଦହନ କରିଥାଏ ।

 

ଅଷ୍ଟମ ପ୍ରହରୀ, ଚିଶ ପ୍ରହରୀ ଓ ନିଶି ପ୍ରହରୀରେ ଘଣ୍ଟା ଘଣ୍ଟା ଧରି ହରିନାମ ନେବା ଓ ଏହାର ଆରମ୍ଭ ଏବଂ ଶେଷରେ ଯେଉଁ ସଂକୀର୍ତ୍ତନ ହୋଇଥାଏ, ତାହା ଓଡ଼ିଶାର ଆଧ୍ୟାତ୍ମିକ ଜୀବନକୁ ସୂଚାଇଥାଏ ପୁଣି ଦଶାହକ୍ରିୟା ପରେ ଓ ବର୍ଷିକିଆ ବା ପ୍ରତିବର୍ଷ ଶ୍ରାଦ୍ଧୋତ୍ସବରେ ଯେଉଁ ଅଷ୍ଟମପ୍ରହରୀ ନିଶିପ୍ରହରୀ ବା ଚବିଶ ପ୍ରହରୀର ପ୍ରଚଳନ ରହିଛି, ତାହା ଏହି ମାଟିରେ ସଂକୀର୍ତ୍ତନର ପରମ୍ପରାକୁ ସୂଚାଇ ଦେଉଛି ।

 

ପୁଣି କେତେକ ସ୍ଥାନରେ ଅଖଣ୍ଡ କୀର୍ତ୍ତନ ମାସ-ମାସ ବର୍ଷ-ବର୍ଷ ଧରି ଚାଳିଛି । ଏ ଦିଗରେ ରାଜଘର ପୋଖରୀ ଓ ପାଞ୍ଚୁଟିକିରିର ନଣ୍ଡାବାବା ଆଶ୍ରମରେ ଦୀର୍ଘବର୍ଷ ଧରି କୀର୍ତ୍ତନ ହେବାର ଦୁଇଟି ଉଦାହରଣ ।

 

(ଖ) କେନ୍ଦରାଗୀତ ଓ ଖଞ୍ଜଣୀଗୀତ : ଯୋଗୀ ସଂପ୍ରଦାୟର ଲୋକମାନେ କେନ୍ଦରା ବଜେଇ, ଖଞ୍ଜଣୀ ସହିତ ସଖୀକଣ୍ଢେଇ ନଚାଇ ଗୀତ ବୋଲିଥାନ୍ତି । ଗାଁ ଗହଳିରେ ଘର ଘର ବୁଲି କେନ୍ଦରା ଓ ଖଞ୍ଜଣୀ ବଜେଇ ଗୀତ ଗାଇ ଗ୍ରାମବାସୀଙ୍କୁ ମୁଗ୍ଧ କରିବା ସହିତ ସେମାନେ ନାଉ ଥାଳରେ ମୁଷ୍ଟି ଭିକ୍ଷା ଗ୍ରହଣ କରିଥାନ୍ତି । ସେମାନେ ମୁଖ୍ୟତଃ ‘ଟୀକା ଗୋବିନ୍ଦ ଚନ୍ଦ୍ର’ ଓ ‘ବଉଳା ଗାଈ’ ଉପାଖ୍ୟାନକୁ ବଡ଼ ମାର୍ମିକ ଭାବରେ ସ୍ୱର ଲହରେଇ ବୋଲିଥାନ୍ତି ।

 

ବାସୁଦେବପୁର ଆର୍ତ୍ତୁଂ ଓ ଆଗରପଡ଼ା ଅଞ୍ଚଳରେ ଏହି ସଂପ୍ରଦାୟର ଲୋକମାନେ ଏବେ ବି କେନ୍ଦ୍ରରା ଓ ଖଞ୍ଜଣୀ ବଜେଇ ଭଜନମାନ ଗାନ କରୁଛନ୍ତି । ପୁରପଲ୍ଲୀର ପିଲାମାନଙ୍କୁ ଆକର୍ଷଣ କରିବା ପାଇଁ ଖଞ୍ଜଣୀ ସହିତ ଡାହାଣ ହାତରେ ଆଙ୍ଗୁଳିଦ୍ୱାରା ନାଥଙ୍କର ସଖୀ କଣ୍ଢେଇ ନାଚ ବେଶ୍ ଆକର୍ଷଣୀୟ । ଏହି ପ୍ରସଙ୍ଗରେ ଏକତାରା ବଜେଇ ଭଜନ ଗାନ କରିବାର ପରମ୍ପରା ମଧ୍ୟ ପ୍ରଚଳିତ ଅଛି । ଗୋଟିଏ ତାରର କମ୍ପନ ଶ୍ରୋତା ମନର ତନ୍ତ୍ରକୁ ଦୋହଲାଇ ଦିଏ ।

 

(ଗ) ଚକୁଳିଆ ପଣ୍ଡା ଗୀତ : ଚକୁଳିଆ ପଣ୍ଡାମାନେ ବରଡ଼ାପତ୍ରର ଛତାଧରି, ଡାହାଣ ହାତରେ ପିତ୍ତଳର ହାଣ୍ଡି ଦରି ଲହରୀଆ ଗୀତ ଗାଇ ଗାଁ ଦାଣ୍ଡରେ ବୋଲି ଚାଲି ଯାଆନ୍ତି । ସେ କାହାରି ଘର ଦୁଆରକୁ ଆସି ଭିକ୍ଷା ମାଗନ୍ତି ନାହିଁ । ସେମାନେ ଗୀତ ଗାଇ ଚାଲି ଯାଆନ୍ତି । ଯିଏ ଧାର୍ମିକ ବ୍ୟକ୍ତି, ତାଙ୍କ ପାଖକୁ ଯାଇ ଚାଉଳ, ପରିବା ବା ପଇସା ଦାନ କରନ୍ତି ।

 

(ଘ) ପାଟୁଆଗୀତ : ବିଷୁବ ସଂକ୍ରାନ୍ତିରେ ଗ୍ରାମଦେବୀଠାରେ ମାନସିକ କରିଥିବା ବାଳକ ବା ଯୁବକମାନେ ପଟ୍ଟବସ୍ତ୍ର ପରିଧାନ କରି ହାତରେ ବେତଧରି ଢୋଲର ତାଳେ ତାଳେ ନାଚନ୍ତି । ଗୀତର ତାଳେ ତାଳେ ପାଟୁଆମାନେ ଘର ଘର ବୁଲି ଘର ଆଗ ଦାଣ୍ଡରେ ନାଚନ୍ତି । କାଳିସୀ ଲାଗେ । ଏଥିରେ ଜଣେ ଗାୟକ ଗୀତ ବୋଲନ୍ତି ଓ ଗୀତର ପଦେ ଗାନକଲା ପରେ ଢୋଲ ଓ ମହୁରୀର ତାଳେ ତାଳେ ଠାକୁରାଣୀଙ୍କ ବେତଧରି ନାଚିଥାନ୍ତି । ଏଥିରେ ମୁଖ୍ୟତଃ ସ୍ଥାନୀୟ ଠାକୁରାଣୀଙ୍କର ଭଜନ ଗାନ କରା ଯାଇଥାଏ । ଭଦ୍ରକର ପୁରପଲ୍ଲୀରେ ବିଭିନ୍ନ ଗ୍ରାମଦେବୀଙ୍କଠାରେ ଏହି ପାଟୁଆଗୀତ ଗାଇ ନୃତ୍ୟ ପରିବେଷଣ କରା ଯାଇଥାଏ ।

 

(ଙ) ଗୋପାଳଙ୍କ ଓଗାଳ ବା ଲହୁଡ଼ି ନାଟ : ଗୋପାଳ ସଂପ୍ରଦାୟର ଲୋକମାନେ ଏହି ଗୀତ ଗାଇ ଲହୁଡ଼ି (ଲଉଡ଼ି) ବା ବାଡ଼ି ଖେଳ ଖେଳିଥାନ୍ତି । ଫାଲଗୁନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ହୋଲି ବା ଦୋଳ ଉତ୍ସବରେ ଏହି ଲହୁଡ଼ି ଖେଳରେ ଗୀତ ଗାଇଥାନ୍ତି । ଏହାର ପୂର୍ବଦିନ କୁମ୍ଭାରକୁ ଅନୁକୂଳ ଦେଇ (ଚାଉଳ, ପରିବା, ପଇସା) କୁମ୍ଭ, ଆଟିକା ( ବା ହାଣ୍ଡି ଓ ବେକା) ଅଣାଯାଏ । ବାଉଁଶରେ ତିଆରି ବାଉଙ୍ଗି ପ୍ରସ୍ତୁତ ହୁଏ । ପୂର୍ଣ୍ଣିମାଦିନ ଘରଦ୍ୱାର ଲିପାପୋଛା ପରେ ଝୋଟି ଦିଆଯାଏ । ହାଣ୍ଡିଶାଳରେ ନୂଆହାଣ୍ଡି ବସେ । ଗୋପାଳୁଣୀମାନେ ସ୍ନାନ ସାରି ପାଞ୍ଚପୁଡ଼ି ଶୁକ୍ଳଧାନ ପାଞ୍ଚଟି ସ୍ଥାନରେ ରଖି କଳସ ବୁଡ଼େଇ ଆଣି ନୂଆ ଶିକାରେ ରଖି ଘର ଭିତରେ ବାନ୍ଧି ଦିଅନ୍ତି । ଗୋପାଳ କୁମ୍ଭଭାର ନେଇ ଅନ୍ୟ ଏକ ପୋଖରୀକୁ ଯାଇ କୁମ୍ଭ ବୁଡ଼ାଇ ଥାନ୍ତି । ଘରୁ ବାହାରିଲା ବେଳେ ସେମାନେ ‘ହୁଁ’ ଗୀତ ବୋଲିଥାନ୍ତି । ଜଣେ ଗୀତ ପଦେ ଗାଇ ସାରିବା ପରେ–ଅନ୍ୟମାନେ ‘ହୁଁ-ହେ’ ବୋଲି ପାଳି ଧରନ୍ତି । ଏଥିରେ ମୁଖ୍ୟତଃ ରାଧାକୃଷ୍ଣଙ୍କର ଲୀଳା ବର୍ଣ୍ଣନା କରାଯାଇଥାଏ ।

 

ଗୋପାଳମାନେ ପୋଖରୀ ତୁଠରେ ପହଞ୍ଚି ଗୋବରପାଣି ମାରି ଶୁଦ୍ଧ କରି ବାଉଙ୍ଗି ରଖି ପ୍ରଥମେ ବାଡ଼ି ଓ ଛାଟିଆ ଜଳରେ ଧୋଇ ନିଜେ ସ୍ନାନ କରନ୍ତି । ତା’ପରେ କୁମ୍ଭ ଭର୍ତ୍ତିକରି ଆମ୍ବଡ଼ାଳ, ପଇଡ଼ରଖି ଠାକୁର ମନ୍ଦିରକୁ ଅଣାଯାଏ । ପରେ ସଧବା ସ୍ତ୍ରୀ ଗୋପାଳୁଣୀମାନେ ବନ୍ଦାପନା କରନ୍ତି । ଶଙ୍କ, ହୁଳହୁଳୀ ମଧ୍ୟରେ ଗୋପାଳୁଣୀମାନଙ୍କ ପ୍ରସ୍ତୁତ ହୋଇଥିବା ସ୍ଥାନରେ ସ୍ଥାପନ କରାଯାଏ ।

 

ସେଦିନ ରାତିରେ ସେହି କୁମ୍ଭର ବନ୍ଦାବନା କରାଯାଏ । ଗୋପାଳମାନେ କେତୋଟି ଲହୁଡ଼ି ସାହାଯ୍ୟରେ ‘ମଧୁବନ’ ତିଆରି କରନ୍ତି ତା’ପରେ ନୂଆଲୁଗା ଘରେଇ ଦିଆଯାଏ । ମଇଁଷି ଶିଙ୍ଗରେ ମଧ୍ୟ ନୂଆ କନା ବନ୍ଧା ଯାଏ । ଏହାପରେ ଶିଙ୍ଗା ବଜାଇ ଲହୁଡ଼ି ଖେଳ ଆରମ୍ଭ ହୁଏ । ଗୀତ ଓ ନାଚରେ ରାତି ପାହିଯାଏ ।

 

ଫଗୁଣ ପୂର୍ଣ୍ଣିମା ପରଦିନ ଦୋଳମେଲଣ ଦିନ ବେଶ ଜନ ସମାଗମ ହୁଏ । ବାଡ଼ିଖେଳ ଓ ଗୀତର ପରିବେଷଣ ମେଲଣ ପଦାରେ ଠାକୁର ବିମାନ ଆଗରେ ହୋଇଥାଏ । ଗୋକୁଳପୁର, କରଞ୍ଜିଆଡ଼ିଆ, ପୀରହାଟ ଆଦି ଅଞ୍ଚଳରେ ଏହି ପୋଥିରେ ଗୋପାଳମାନଙ୍କ ଜନ୍ମ, ବେଶ, ଶିଙ୍ଗାବାଦନ, ବଂଶୀର ସୃଷ୍ଟି, ଘଣ୍ଟିଘାଗୁଡ଼ିର ଜନ୍ମ, ତାଳପତ୍ର ଛତା ଆଦି ବିଷୟରେ ଗୀତ ଲିଖିତ ଅଛି । ମୁଖ୍ୟତଃ ଏହି ଗୋଧନ ପୂଜା । ଚଢ଼ା–ଉତ୍ତରା ମଧ୍ୟରେ ଗୀତ ସହିତ ଢୋଲ, ମହୁରି, ଘଣ୍ଟିଘାଗୁଡ଼ି ଓ ଶିଙ୍ଗାର ବାଦନ ପଲ୍ଲୀର ଗୋହିରିକୁ ଲୋକାରଣ୍ୟ କରିଦିଏ ।

 

(ଚ) ଚଇତି ଘୋଡ଼ା ନାଟ : ଚୈତ୍ର ପୂର୍ଣ୍ଣିମା–କୈବର୍ତ୍ତମାନଙ୍କର ଏକ ପବିତ୍ର ଉତ୍ସବ । ସେଦିନ ଦେହୁରୀ ବା ପୂଜକ ଉପବାସ ରହି ଏକ ନିଖୁଣ ବାଉଁଶ ଗଛମୂଳରେ ପାଣି, କ୍ଷୀର, ଛେନା, ଗୁଡ଼ ଓ ଅରୁଆ ଚାଉଳ ଭୋଗ ଲଗାଇ ଈଶ୍ୱରଙ୍କ ନାମ ନେଇ ବାଉଁଶ କାଟନ୍ତି । ସ୍ନାନପରେ ଓଦାଲୁଗା ପିନ୍ଧି ଏହାର ବତା ତିଆରି କରନ୍ତି । ଏହି ବତାରେ ଘୋଡ଼ାର ପିଞ୍ଜରା ତିଆରି ହୁଏ । କାଠରେ ତିଆରି ଘୋଡ଼ାର ମୁଣ୍ଡ ଏଥିରେ ଖଞ୍ଜି ଦିଆଯାଏ । ଏହି ପିଞ୍ଜରା ଉପରେ ପରସ୍ତ ପରସ୍ତ କରି ବିଭିନ୍ନ ରଙ୍ଗର ଲୁଗା ପିନ୍ଧାଇ ଦିଆଯାଏ । ବ୍ରାହ୍ମଣ ଓ ଜ୍ୟୋତିଷ ପୂଜା କଲା ପରେ ଦେହୁରୀ ଘୋଡ଼ା ନଚେଇବାକୁ ବାହାରିଯାଏ ।

 

ଦେହୁରୀ ଘୋଡ଼ାର ପିଞ୍ଜରା ଭିତରେ ରହି ଦୁଇ କାନ୍ଧରେ ତାକୁ ବହନ କରିଥାଏ ଓ ଠିକ୍ ସମ୍ମୁଖ ଭାଗରେ ଅନ୍ୟ ଜଣେ ଲୋକ ଢାଲ ଓ ଖଣ୍ଡାଧରି ଯୁଦ୍ଧର ଅଭିନୟ କରି ନୃତ୍ୟ କରିଥାନ୍ତି ଢୋଲ ଓ ମହୁରିର ତାଳେ ତାଳେ ! ଏଥି ସହିତ ରାଉତ ରାଉତାଣୀ ମଧ୍ୟ ନୃତ୍ୟ କରିଥାନ୍ତି । ଏହା ସହିତ କେଳା-କେଳୁଣୀ, ବୁଢ଼ା-ବୁଢ଼ୀ, ରାବଣ, ହନୁମାନ ଆଦି ବେଶରେ ମଧ୍ୟ କେତେକ ସ୍ଥଳରେ ନୃତ୍ୟ କରିଥାନ୍ତି । ପ୍ରଥମେ ଗାୟକ ଗୀତ ବୋଲିଥାଏ, ପରେ ଢୋଲ ସହିତ ମହୁରିର ବାଦନ ମଧ୍ୟରେ ଘୋଡ଼ା ଓ ରାଉତ୍ –ରାଉତାଣୀ ନୃତ୍ୟ କରନ୍ତି । ଏହି ଗୀତରେ ମଙ୍ଗଳା, ବାସୁଳୀ ଠାକୁରାଣୀଙ୍କ ବନ୍ଦନା ସହିତ ବାଉଁଶର ସୃଷ୍ଟି । କୈବର୍ତ୍ତଗୀତା ଓ ବ୍ରହ୍ମପୁରାଣ କଥାର କଥାବସ୍ତୁକୁ ସ୍ଥାନିତ ହୋଇଥାଏ । କେତେକ ସ୍ଥାନରେ ଚଇତି ଘୋଡ଼ାମାନଙ୍କର ମେଳଣ ଅନୁଷ୍ଠିତ ହୁଏ । ଦୋଳସାହି ନିକଟସ୍ଥ ଏକ ଗ୍ରାମରେ ଏହି ମେଳଣ ବହିୁଦିନରୁ ଅନୁଷ୍ଠିତ ହେଉଛି ।

 

(ଛ) ପାଲା : ସତ୍ୟନାରାୟଣ ପାଲା ଓ ଠିଆ ପାଲା ଭଦ୍ରକ ଅଞ୍ଚଳ କେବଳ କାହିଁକି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବେଶ ପ୍ରଚଳିତ । ଏବେ ଅବଶ୍ୟ ଠିଆପାଲା ଦିଗରେ ନାରୀମାନେ ମଧ୍ୟ ଆଗେଇ ଆସିବା–ଏକ ଶୁଭ ସମ୍ମାନ । (ପାଲା ପରମ୍ପରା ଓ ସଂସ୍କୃତିରେ ଓଡ଼ିଶାର ନାରୀ ଗାହାଣ-ବିଶେଷ ଖବର- ତା ୪.୮.୨୦୧୧ ରିଖ–ପୃ.୧୫)

 

ତୃତୀୟ ପର୍ଯ୍ୟାୟ–ଲୋକବାଦ୍ୟ : ଲୋକାନାଟକ, ନୃତ୍ୟ ଓ ସଂଗୀତକୁ ରସାଳ କରିବା ପାଇଁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବାଦନ କରାଯାଇଥାଏ । ଏହି ଲୋକବାଦ୍ୟ ମଧ୍ୟରେ ଢୋଲ, ମୃଦଙ୍ଗ ଓ ଝାଞ୍ଜ ପ୍ରଭୃତି ପ୍ରଧାନ । ବର୍ତ୍ତମାନ ଏହି କେତାଟି ବାଦ୍ୟଯନ୍ତ୍ର ଉପରେ ଆଲୋକପାତ କରାଯାଉଛି ।

 

(କ) ଢୋଲ–ଗୀତ ଓ ନୃତ୍ୟରେ ଢୋଲ ହେଉଛି ମୁଖ୍ୟ ବାଦ୍ୟଯନ୍ତ୍ର । ଏହାର ସୃଷ୍ଟି ପ୍ରସଙ୍ଗରରେ ପୌରାଣିକ ଆଖ୍ୟାନ ହେଲା–ଶିବ ତ୍ରିପୁର ଦୈତ୍ୟକୁ ବଧ କଲାପରେ ସେହି ରକ୍ତଭିଜା ମାଟିରେ ଢୋଲର ଖୋଳ ତିଆରି କଲେ ବ୍ରହ୍ମା । ତ୍ରିପୁର ରାକ୍ଷସର ଚର୍ମକୁ ଏହି ଢୋଲର ଦୁଇ ଦିଗରେ ମଡ଼େଇ ନିଆଯାଏ ବୋଲି କଥିତ ଅଛି । କୈବର୍ତ୍ତଗୀତା (ଅଭିମନ୍ୟୁ ଦାସ)ରେ ଉଲ୍ଲେଖ ଅଛି ଯେ ତୋହର ବାଦକ ହେଲେ–ନିଜେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ସେ ହାତୀରୂପ ଧାରଣ କରି ଢୋଲ ବଜାନ୍ତି । (କୈବର୍ତ୍ତଗୀତା- ୧୩ଶ ଅଧ୍ୟାୟ–ଧର୍ମଗ୍ରନ୍ଥ ଷ୍ଟୋର୍–ପୃ.୪୭) । ଢୋଲର ଖୋଳ କାଠରେ ତିଆରି ଓ ଏହାର ଦୁଇ ପାଖରେ ଗୋରୁ ଚମଡ଼ା ଲାଗିଥାଏ । ବାମ ଦିଗଟିରେ ଉର୍ଦ୍ଧ୍ୱଧ୍ୱନି ଓ ଦକ୍ଷିଣ ଦିଗରେ ଅଧଃସୂକି ନିସୃତ ହୁଏ । ଦକ୍ଷିଣ ଦିଗରେ ଖଣ୍ଡେ କାଠିରେ ଢୋଲକୁ ଆଘାତ କରି ଶବ୍ଦ ସୃଷ୍ଟି କରାଯାଏ ।

 

ଅଧିକାଂଶ ଲୋକଗୀତ ଓ ନାଟରେ ଢୋଲ ବାଜିବାର ବିଧି ରହିଛି । ଢୋଲର କ୍ଷୁଦ୍ରରୂପକୁ ଢୋଲକି କୁହାଯାଏ । ଏହି ଢୋଲକିର କେତେକ ସ୍ଥଳରେ ଚମଡ଼ା ଦଉଡ଼ି ପରିବର୍ତ୍ତେ ମୋଟା ସୂତୁଲି ମଧ୍ୟ ବ୍ୟବହାର କରାଯାଇଥାଏ ।

 

ବାସୁଦେବପୁର ଅଞ୍ଚଳରେ ଯେଉଁ ‘ରଙ୍ଗଢୋଲ’ର ପ୍ରଚଳନ ରହିଛି, ତାହା ଟିକେ ଭିନ୍ନ ଧରଣର । ଏହାର ଦୈର୍ଘ୍ୟ ଯେପରି ସାନ, ସେହିପରି ଏହାର ଦୁଇପାଖ ଶବ୍ଦରେ ‘ଉର୍ଦ୍ଧ୍ୱ’ ଓ ‘ଅଧଃ’ର ପାର୍ଥକ୍ୟ ରହିଛି । ତେଣୁ ଏହା ଅଧିକ ଶ୍ରୁତିମଧୁର ହୋଇଥାଏ ।

 

(ଖ) ମୃଦଙ୍ଗ : ‘ମର୍ଦ୍ଦଳ’ ଶବ୍ଦରୁ ‘ମୃଦଙ୍ଗ’ର ସୃଷ୍ଟି । ଏହାର ଖୋଳଟି ମାଟିରେ ନିର୍ମିତ ଓ ଗୋଟିଏ ପାଖରେ ଆଠଇଞ୍ଚ ବ୍ୟାସର ଚମଡ଼ା ଥାଏ ଓ କିରଣ ଲଗାଇ ଅଧଃଶ୍ୱର ସୃଷ୍ଟି କରାଯାଇଥାଏ । ଅପରିଦିଗଟିରେ ପ୍ରାୟ ୪/୫ ଇଞ୍ଚ ବ୍ୟାସର ଚମଡ଼ା ମଢ଼ଥାଏ, ଓ ଏଥିରେ କିରଣ ଲଗାଇ ଉଚ୍ଚସ୍ୱର ସୃଷ୍ଟି କରାଯାଇଥାଏ, ଠିଆପାଲା, ପରିବେଷଣ ସମ୍ଭବ ନୁହେଁ । ଏହା ଦଧିନାଟ ଓ ମୋଗଲ ତାମସାରେ ମଧ୍ୟ ବ୍ୟବହୃତ ହୋଇଥାଏ । ଅଷ୍ଟମପ୍ରହରୀ, ନିଶିପ୍ରହରୀ ଓ ଚବିଶପ୍ରହରୀ ଏହା ବିନା ସମ୍ଭବ ନୁହେଁ ।

 

(ଗ) ଝାଞ୍ଜ : କଂସା ଧାତୁରେ ଏହି ଝାଞ୍ଜ ନିର୍ମିତ । ବାଦକ ଦୁଇହାତରେ ଦୁଇଟି ଧରି ପରସ୍ପରକୁ ଆଘାତ କରି ଧ୍ୱନି ସୃଷ୍ଟି କରିଥାଏ । ଏହା ସଂଗୀତର ‘ତାଳ’ ପକ୍ଷକୁ ସୂଚନା ଦିଏ । ‘କର’ରେ ଏହି ତାଳକୁ ସୂଚାଇ ଦେଉଥିବାରୁ ଏହାର ଅପରନାମ–‘କରତାଳ’ । ପୁଣି ଏହା ଝାଏଁ-ଝାଏଁ ଶବ୍ଦ କରୁଥିବାରୁ ଏହାକୁ ‘ଝାଞ୍ଜ’ କୁହନ୍ତି । ପୌରାଣିକ ଆଖ୍ୟାନ ରହିଛି–ବ୍ରହ୍ମାଙ୍କ ଆଦେଶରେ ନାରଦ ତାମ୍ରଗିରି ଯାତ୍ରା କରି କଂସାକୁ ଆଣି ବିଧାତାଙ୍କୁ ଦେଲେ ଓ ବିଧାତା କଶ୍ୟପମୁନିଙ୍କୁ ଦେଲେ । (ଓଡ଼ିଶା ଲୋକବାଦ୍ୟ–ପୃ. ୧୬୩) । ଠିଆପାଲା, ସଂକୀର୍ତ୍ତନ, ଅଷ୍ଟମପ୍ରହରୀ, ହୋରି ଓ ଝୁଲଣ ଯାତ୍ରାରେ ଏହା ବ୍ୟବହାର ପ୍ରାଚୁର୍ଯ୍ୟ ରହିଛି ।

 

ଏଥି ସହିତ ଗିନି ଓ କୁବୁଜି ଓ ‘ରାମତାଳି’ (ଦୁଇଟି କାଠରେ ତିଆରି ସାନସାନ ଗିନିର ସମାହାର)ର ବ୍ୟବହାର ମଧ୍ୟ ଏହି ସଂକୀର୍ତ୍ତନରେ ବ୍ୟହାର କରାଯାଏ ।

 

ଚତୁର୍ଥ ପର୍ଯ୍ୟାୟଲୋକ ଚିତ୍ରକଳା : ଭଦ୍ରକ ଅଞ୍ଚଳରେ ଯେଉଁ ଲୋକକଳା ରହିଛି ସେଥିମଧ୍ୟରୁ ଝୋଟି ଓ ଝୁଣ୍ଟି ଚିତା, ମୁରୁଜ, ଚିତାକୁଟା ଓ ମେହେନ୍ଦୀ (ମେଞ୍ଜୁଆତି) ଆଦି ପ୍ରଧାନ ।

 

(କ) ଝୋଡ଼ି ବା ଝୁଣ୍ଟି ବା ଚିତା : ଏହାର ଚିତ୍ରକରମାନେ ହେଲେ ପରିବାରର କୁମାରୀ ଓ କୂଳବଧୁମାନେ । ମାଟି ଉପରେ ଗୋବର ଓ ଧାନକ୍ଷେତର ମାଟି (ବନମାଟି)ର ପ୍ରଲେକ ଉପରେ ଅରୁଆଚାଉଳ ବାଟି ସେଥିରେ ହାତ ଆଙ୍ଗୁଳି ବା କାଠି ଆଗରେ ତୁଳୀରେ ଚିତ୍ର କରିଥାଏ ଓଡ଼ିଆଣୀ ବୋହୂ ।

 

ବିଶେଷତଃ ମାର୍ଗଶୀର ମାସର ଚାରି ଗୁରୁବାର ଦିନ ଲକ୍ଷ୍ମୀପାଦ ସହିତ କାନ୍ଥରେ ଝୋଟି ପକାଇ ବିଭିନ୍ନ କଳା ପ୍ରଦର୍ଶନ କରିବା ଏହି ଅଞ୍ଚଳର ଏକ ଗୌରବମୟ ପରମ୍ପରା । ଯେଉଁଠି ମାଣବସାଥାଏ ତା’ ପାଖ କାନ୍ଥରେ ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ତାଙ୍କ ବାହାନ ପେଚା ଓ ଦୁଇ ହସ୍ତୀଙ୍କର ଚିତ୍ର ସହିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମଧ୍ୟ ଅଙ୍କନ କରା ଯାଇଥାଏ । ଚଟାଣରେ ଲକ୍ଷ୍ମୀଙ୍କ ପାଦ ସହିତ ପଦ୍ମଫୁଲ ଚିତା ଜନମନକୁ ହରଣ କରିଥାଏ । ଜାନୁଗଞ୍ଜ ଅଞ୍ଚଳରେ କାନ୍ଥରେ ଏହି ଚିତା ଦେଖି ଦର୍ଶକ ମୁଗ୍ଧ ହୋଇଥାଏ ।

 

କେବଳ ଅରୁଆଚାଉଳର ପିଠଉରେ ଝୋଟି ନୁହେଁ, ଗେରୁରେ ମଧ୍ୟ ଦୁର୍ଗାପୂଜାର ସପ୍ତମୀ ଦିନ ଗୃହର ପ୍ରବେଶଦ୍ୱାରର ଦୁଇ ପାଖରେ ଗେରୁର ଝୋଟି ଦିଆଯାଏ । ଲୋକ ବିଶ୍ୱାସ ରହିଛି–ଦୁର୍ଗାମାତା ରକ୍ତମୁଖା ହୋଇ ପୃଥିବୀରେ ଅବତରଣ କରିଥାନ୍ତି–ମହିଷାସୁରକୁ ବଧ କରିବା ପାଇଁ । ଯଦି ଗୃହ ସମ୍ମୁଖସ୍ଥ ପ୍ରବେଶ ଦ୍ୱାରରେ ରକ୍ତବର୍ଣ୍ଣର ଝୋଟି ଦିଆ ନ ଯାଏ, ତେବେ ସେହି ପରିବାରର ନାରୀମାନେ ସେମାନଙ୍କ ସ୍ୱାମୀ ଅଥବା ଭାଇମାନଙ୍କର ଚିତା ଘେନିବେ ।

 

(ଖ) ମୁରୁଜ : କାର୍ତ୍ତିକ ପୂର୍ଣ୍ଣିମାଦିନ ତୁଳସୀ ଚଉରାରେ ପଞ୍ଚବର୍ଣ୍ଣ ମୁରୁଜ ପକାଇବା ଭଦ୍ରକ ଅଞ୍ଚଳର ଏକ ପରମ୍ପରା । ଧଳା, କଳା, ନାଲି, ହଳଦିଆ ଓ ସବୁଜ–ଏହି ପାଞ୍ଚଟି ବର୍ଣ୍ଣ ହେଲା ମରୁଜୁର ରଙ୍ଗ’ । ମାତ୍ର ଏକାଧିକ ରଙ୍ଗର ସମ୍ମିଶ୍ରଣରେ ଆଉ କେତୋଟି ରଙ୍ଗ ମଧ୍ୟ ସୃଷ୍ଟି କରାଯାଇପାରେ ।

 

ତୁଳସୀ ଚଉରା ପାଖରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସହିତ ସ୍ୱର୍ଗଯାତ୍ରା ପାଇଁ ଶିଡ଼ି, ଚକ୍ର, ଗଦା, ପଦ୍ମ, କପ୍ତା-କପ୍ତି, ତୁଳସୀଗଛ, ଆକାଶ ଦୀପ ସହିତ ବିଭିନ୍ନ ଅବତାର ରୂପକୁ ମଧ୍ୟ ଚିତ୍ରଣ କରାଯାଇଥାଏ ।

 

ପୁଣି ବିହାହ, ପର୍ବପର୍ବାଣିରେ ମଧ୍ୟ ମୁରୁଜ ପକାଇବାର ବିଧି ରହିଛି । ବିବାହ ପରେ ବରକନ୍ୟାଙ୍କ ଭୋଜନ ସ୍ଥାନରେ ଠା’ ପିଢ଼ା ପାଇଁ ଫୁଲ ଓ କୁମ୍ଭ ଆଦିର ମୁରୁଜ ଆଙ୍କିବାର ବିଧି ରହିଛି । ବିଶେଷତଃ କୁମ୍ଭ ସ୍ଥାପନ ସ୍ଥାନରେ ମୁରୁଜ ପକାଇବାର ବିଧି ପ୍ରଚଳିତ ଅଛି ।

 

(ଗ) ମେଞ୍ଜୁଆତି : ମେଞ୍ଜୁଆତି ପତ୍ରକୁ ବାଟି ତାକୁ ହାତରେ ଲଗାଇ ହାତକୁ ଚିତ୍ର-ବିଚିତ୍ର କରିବା ଏବଂ ହାତ ପାଦରେ ନାରୀମାନେ ଚିତା କୁଟେଇବା ମଧ୍ୟ ଏକ ପାରମ୍ପରିକ କଳା । ମାତ୍ର ମେଞ୍ଜୁଆତି ବା ମେହେନ୍ଦୀର ପ୍ରଚଳନ ଥିଲାବେଳେ ଚିତାକୁଟା ପ୍ରଥା କ୍ରମେ ଲୋପ ପାଇ ଆସିଲାଣି ।

 

ପଞ୍ଚମ ପର୍ଯ୍ୟାୟ–କୁମାରୀ ଓଷା : ଭଦ୍ରକ ଅଞ୍ଚଳରେ ବିଭିନ୍ନ ଓଷା, କିନ୍ତୁ ଭଦ୍ରକ ଅଞ୍ଚଳରେ ପ୍ରଚଳିତ ଅଛି । ସେହିପରି ନିଆରା ଓଷା ଦୁଇଟି ପ୍ରସଙ୍ଗରେ ଏଠାରେ ସୂଚନା ଦିଆଯାଉଛି ।

 

(କ) କୋଇଲି ଓଷା : ବାସୁଦେବପୁର ନିକଟସ୍ଥ ସୁଆଁ ଗ୍ରାମରେ କୁମାରୀମାନେ ଏକ ନିଆରା ଓଷା–‘କୋଇଲି ଓଷା’ ସାତଦିନ ବ୍ୟାପି ପାଳନ କରିଥାନ୍ତି । ମାଟିରେ କୋଇଲି ମୂର୍ତ୍ତି ତିଆରି କରି ତାକୁ ଫୁଲ, ଚନ୍ଦନ ଦେଇ ପୂଜା କରାଯାଏ । ଗାଁର କୁମାରୀମାନେ ଚୈତ୍ରମାସ ଶୁକ୍ଳପକ୍ଷରେ ଏହି ଓଷା ପାଳନ କରିଥାନ୍ତି । ଓଷେଇତିମାନ ଏହି ସାତଦିନ ମାଛ, ଖଟା, ଆମ୍ବ, ପିଆଜ, ରଶୁଣ, ଶାଗ, ବୋଇତାଳୁ ଓ ଲୁଣ ଖାଆନ୍ତି ନାହିଁ । ସେମାନେ କଳସ ବସେଇ ଦୀପଜାଳି ‘ବାରମାସି ଗୀତ’ ବୋଲନ୍ତି । ମାର୍କଣ୍ଡ ଦାସଙ୍କର ‘କେଶବ କୋଇଲି’ ମଧ୍ୟ ବୋଲିଥାନ୍ତି । ଷଷ୍ଠଦିନ ଅପରାହ୍ନରେ ଓଷେଇତିମାନେ କୋଇଲିକୁ ନେଇ ଆମ୍ବଗଛ ମୂଳରେ ଥୋଇ ବଳରାମ ଦାସଙ୍କ ‘କାନ୍ତ କୋଇଲି’ ଗାନ କରି ପୂଜା କରନ୍ତି । ସେମାନେ ପୂଜା ସାରି ଘରକୁ ଫେରିଗଲେ ତାଙ୍କ ଅଗୋଚରରେ ସେମାନଙ୍କ ସାନ ଭାଇମାନେ କୋଇଲି କଣ୍ଢେଇକୁ ନେଇ ଆମ୍ବଗଛ ଡାଳରେ ଏକ ବସା ତିଆରି କରି ସେଥିରେ ଛାଡ଼ି ଦେଇ ଆସନ୍ତି । ପରେ ଯେତେବେଳେ ଓଷେଇତିମାନେ ଆସି ଆମ୍ବଗଛ ମୂଳରେ କୋଇଲିକୁ ଖୋଜନ୍ତି ସେତେବେଳେ କୋଇଲିକୁ ନ ପାଇ ସମବେତ ଭାବରେ ବାହୁନି ଉଠନ୍ତି–

 

‘ଆମ୍ବ ଖାଇକି ଟାଙ୍କୁରା ଦେଲ, କୋଇଲି କାନ୍ତ,

ହଳଦୀ ଲଗାଇ ମଳକୁଟି ଦେଲ, କୋଇଲି କାନ୍ତ,

ତେଲ ଲଗାଇକି ଝାଳକୁ ଦେଲ, କୋଇଲି କାନ୍ତ,

ଆଉ ଦୁଇଦିନ ରହି ଥାଆନ୍ତ, କୋଇଲି କାନ୍ତ,

କେତେ ପୂଜା ଫୁଲ ପାଇ ଥାଆନ୍ତ, କୋଇଲି କାନ୍ତ,

(ଓଡ଼ିଆ ଶିଶୁ-ସାହିତ୍ୟ : ଉନ୍ମେଷ ଓ ବିକାଶ–ପୃ ୧୫୨)

 

(ଖ) ସୁଆଙ୍ଗ ବୁଡ଼ : ଭଦ୍ରକର ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ନିକଟସ୍ଥ ଜାରପଡ଼ା, କୁଆଁରପୁର, ଗୁଡ଼ସାହି, ବଢ଼େଇ ବାଡ଼ି, ନୂଆଶାସନ, ଶଙ୍କରପୁର ଓ ଖଣ୍ଡପଡ଼ା ଅଞ୍ଚଳରେ କୁମାରୀ ସମାଜରେ ଏହି ସୁଆଙ୍ଗ ବୁଡ଼ ଓଷା ପ୍ରଚଳିତ । ଆଶ୍ୱିନ ମାସ ଚତୁର୍ଥୀ ଓ ପଞ୍ଚମୀ ଦିନ ଏହି ଓଷା ପାଳନ କରାଯାଏ ।

 

କୁମାରୀମାନେ ସାଙ୍ଗ ହୋଇ କାନ୍ଥରେ ଚିତା ଆଙ୍କି ଗାଁ ପୋଖରୀରେ ସ୍ନାନ କରି ବାଲୁକା ସ୍ଥାପନ କରନ୍ତି । ତାଳଗଛ ପତ୍ରରେ ପଞ୍ଚପଲ୍ଲବ (ବେଲ, ଲେମ୍ବୁ, ଲିମ୍ବ, ତୁଳସୀ, ଅଁଳା ପତ୍ର) ରଖି ତାକୁ ବାନ୍ଧି ସେଥିରେ ସିନ୍ଦୁର, କଳା ଓ କଉଡ଼ି ଦେଇ ପୂଜା କରାଯାଏ । ଏହା ଗୌରବର ପ୍ରତୀକ । ଏହିପରି ଦଶଦିନ ପର୍ଯ୍ୟନ୍ତ ପୂଜା କରାଯାଏ । ନବମ ଦିନ ରାତିରେ ପୋଖରୀରେ ଡଙ୍ଗା ଭସାଯାଏ-। ଦଶମୀ ଦିନ ପ୍ରାୟ ଦଶଟା ବେଳେ ଓଷେଇତିମାନେ ସେହି ତାଳପତ୍ର (ଗଉରା)କୁ ନେଇ ଚିରି ଦେଇ ପୋଖରୀରେ ଭସେଇ ଦିଅନ୍ତି । ସେତେବେଳେ ସେମାନେ ବୋଲନ୍ତି–

 

ଯେଉଁ ଗଉରା ପତ୍ରରେ କରୁଥିଲେ ପୂଜା

ସେ ଦେବୀ ଯାଉଛନ୍ତି ଉଡ଼ାଇଣ ଧ୍ୱଜା

ନଦୀ ତୀରେ ଗୋ

କନ୍ଦାଇ ଏ ବାଳିକା ଗହନେ ଗୋ ।’’

 

ଓଷେଇତିମାନେ ଘରକୁ ଫେରିବା ବାଟରେ ପରସ୍ପର ମଧ୍ୟରେ ବୋଲନ୍ତି ଓ ପୋଖରୀ ତୁଠରୁ ଘରେ ପହଞ୍ଚିବା ବାଟରେ ବୋଲନ୍ତି –

 

‘‘ଯିଏ ଖାଇବ ଜହ୍ନି–ସେ ହୋଇବ ଖନୀ,

ଯିଏ ଖାଇବ ଲଙ୍କା–ତା ହାତରୁ ଖସିବ ଶଙ୍ଖା

ଯିଏ ଖାଇବା ଦହି–ସେ ରାଜ ଘର ସହି

ଯିଏ ଖାଇବ ଘିଅ–ସେ ରାଜାଘର ଝିଅ ।’’

(ଓଡ଼ିଆ ଶିଶୁ-ସାହିତ୍ୟ : ଉନ୍ମେଷ ଓ ବିକାଶ–ପୃ.୧୧୬)

 

ଷଷ୍ଠ ପର୍ଯ୍ୟାୟ–ଲୋକ ଉତ୍ସବ :

ଭଦ୍ରକ ଅଞ୍ଚଳରେ ଅନ୍ୟସବୁ ଉତ୍ସବ ସହିତ ତନ୍ମଧ୍ୟରୁ ଅଳ୍ପ କେତୋଟି ନିଆରା ଉତ୍ସବ ଏହି ଅଞ୍ଚଳରେ ପାଳିତ ହୁଏ । ବର୍ତ୍ତମାନ ଏହି କେତୋଟି ଉତ୍ସବର ସୂଚନା ଦିଆଯାଉଛି ।

 

(କ) ଭୂତକେଳି ଉତ୍ସବ : ‘ଭୂତକେଳି ଉତ୍ସବ’ ହେଲା–ଏକ ବିରାଟ ଶୋଭାଯାତ୍ରା । ହରିବଂଶର ଶ୍ରୀରାଧାକୃଷ୍ଣ ମିଳନ–ଏହାର କଥାବସ୍ତୁ । ଶ୍ରୀରାଧାଙ୍କ ଶାଶୁ ଜଟିଳା ଆଉ ନଣନ୍ଦ କୁଟୀଳା ରାଧାକୃଷ୍ଣଙ୍କ ମିଳନରେ ଅନ୍ତରାୟ ସୃଷ୍ଟି କରୁଥିଲେ । ତେଣୁ ଶ୍ରୀକୃଷ୍ଣ ମାୟାକରି ‘ଭୂତ’ ସୃଷ୍ଟିକଲେ । ଏହାକୁ ଦେଖି ଚନ୍ଦ୍ରଶେଣାଙ୍କ ସହିତ ସମସ୍ତେ ଭୟରେ ରହିଲେ ଏବଂ ଏହି ଅବସରରେ ଶ୍ରୀରାଧା କୃଷ୍ଣଙ୍କ ବଂଶୀଧ୍ୱନି ଶୁଣି କୁଞ୍ଜବନକୁ ଧାଇଁଗଲେ ଏବଂ ଶ୍ରୀରାଧା କୃଷ୍ଣଙ୍କର ମିଳନ ହେଲା । ଏହିପରି କଥାବସ୍ତୁକୁ ନେଇ ଭଦ୍ରକସ୍ଥ କୁଆଁସ ଗ୍ରାମର କଦମ୍ ବେଡ଼ା ନିକଟସ୍ଥ ବାଲିଅରଡ଼ା ଗ୍ରାମରେ ରଜ ଉତ୍ସବରେ ଏହି ଭୂତକେଳି ନାଟ ହୋଇଥାଏ । ରଜ ତିନିଦିନ ଧରି ‘ଭାଗବତ ଟୁଙ୍ଗି’ରେ ଭାଗବତ ଶୁଣିବା ପରେ ଗ୍ରାମବାସୀମାନେ ପଂକ୍ତି ଭୋଜନ କରନ୍ତି । ପହିଲି ରଜରେ ‘ସତ୍ୟ ନାରାୟଣ ପୂଜା’ ହୁଏ । ୨ୟ ଦିନରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ରାଧାକୃଷ୍ଣ ଓ ଗୋପୀମାନଙ୍କର ମୂର୍ତ୍ତି ନିର୍ମାଣ କରି କଳସ ଆଣି ପୂଜାର୍ଚ୍ଚନା ହୁଏ ଏବଂ ୩ୟ ଦିନ ଭୂତକେଳି ଉତ୍ସବ ଅନୁଷ୍ଠିତ ହୁଏ । ଚତୁର୍ଥ ଓ ୫ ଦିନ ସନ୍ଧ୍ୟାରେ ଜାତି, ଧର୍ମ ନିର୍ବିଶେଷରେ ପଂକ୍ତି ଭୋଜନ ହୁଏ । ଏହାକୁ ‘ମହୋତ୍ସବ’ କହନ୍ତି ।

 

ଶେଷଦିନ ସାଳନ୍ଦୀ ନଦୀର ଧୋବା ଘାଟରେ ଠାକୁର ମେଢ଼ ବିସର୍ଜନ କରାଯାଏ । ଏହି ଶୋଭାଯାତ୍ରାରେ ‘ଭୂତ’ ଠିକ୍ ପାଳଭୂତ ପରି ସଜ୍ଜିତ ହୋଇଥାଏ । ଗୋଟିଏ ମାଟି ହାଣ୍ଡିରେ ବିଭିନ୍ନ ରଂଗରେ ଚିତ୍ରକରି ମୁଣ୍ଡରେ ଘୋଡ଼େଇ ଥାଏ ସେ । ଦେହସାରା ଚିତ୍ରବିଚିତ୍ର ହୋଇଥାଏ । ଢୋଲ ମହୁରିର ତାଳେ ତାଳେ ସେ ଉଦଣ୍ଡ ଭଙ୍ଗୀରେ ନୃତ୍ୟ କରିଥାଏ । ପୁରପଲ୍ଲୀର ଜନପଥ ରଙ୍ଗମଞ୍ଚରେ ପରିଣତ ହୋଇଥାଏ । ଏଠାରେ ସତ୍ୟ ନାରାୟଣ ପାଲା ହେଉଥିବାରୁ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଯେଉଁ ଜାତୀୟ ସଂହତି ବା ଭାଇଚାରା ସୃଷ୍ଟି ହୁଏ ତାହା ଅନ୍ୟତମ ଦୁର୍ଲଭ ।

 

(ଖ) ଗୁଣ୍ଡୁଣି ଯାତ୍ରା : ଭଦ୍ରକର ପାଳିଆବିନ୍ଧାର ବିରଞ୍ଚିନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା (ଅଘି ପୂର୍ଣ୍ଣିମା) ପର ଦିନ ଏହି ଗୁଣ୍ଡୁଣି ମେଳା ଅନୁଷ୍ଠିତ ହୁଏ । ଏହା ଏକ ସୂର୍ଯ୍ୟ ମନ୍ଦିର-। ପୁରାଣର ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ପାଇ ମହାବ୍ୟାଧିଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ । ମାତ୍ର ସେ ସୂର୍ଯ୍ୟ ଉପାସନା କରି ଏହି ରୋଗରୁ ମୁକ୍ତି ଲାଭ କରିଥିଲେ । ତେଣୁ ସାଧାରଣ ଲୋକ ଚର୍ମରୋଗ, ଧବଳକୁଷ୍ଠ ଆଦି ରୋଗରୁ ମୁକ୍ତିପାଇଁ ଏଠାରେ ଅଧିଆ ପଡ଼ନ୍ତି । ତେରୁ ବିରଞ୍ଚିନାରାୟଣଙ୍କୁ ଫୁଲର ଛତା ଓ ବିଞ୍ଚଣା ଦେଇ ପୂଜା କରାଯାଏ । ପୂର୍ବରୁ ଗୋଟିଏ ଦିନ ଏହି ମେଳା ହେଉଥିଲା । ଏବେ ଦୁଇଦିନ ବ୍ୟାପୀ ଏହି ମେଳା ହେଉଛି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଦର୍ଶନ କରିବାକୁ ଆସିଥାନ୍ତି ।

 

(ଗ) ମୁନିଯାତ୍ରା : ମାଟିକୁ ପୂଜା କରିବାର ବିଧି ବାସୁଦେବପୁର ବିଦେଇପୁରର ଶ୍ରୀ କପିଳ ମୁନି ଯାତ୍ରା ସ୍ମରଣୀୟ ଲୋକପର୍ବ । ମକର ସଂକ୍ରାନ୍ତିଠାରୁ ଏହି ମୁନିଯାତ୍ରା ପ୍ରାୟ ଏକମାସ ବ୍ୟାପୀ ଅନୁଷ୍ଠିତ ହୁଏ । ସପ୍ତଋଷିଙ୍କ ଉଦ୍ଦେଶ୍ୟରେ ସାତଟି କଳସ ପ୍ରତିଷ୍ଠା କରି ପୂଜାର୍ଚ୍ଚନା ଆରମ୍ଭ ହୁଏ । ଭକ୍ତମାନେ ମାଟିଗୁଳା ନେଇ ଏହି କଳସ ନିକଟସ୍ଥ ନିମ୍ନଗଛ ମୂଳରେ ଦେଇ ଭୋଗ ଲଗାନ୍ତି-। ଭକ୍ତମାନେ କ୍ଷୀରି, ଖେଚୁଡ଼ି ଦେଇ ମାନସିକ ଭୋଗ କରିଥାନ୍ତି । ସେହି ନିମ୍ବଗଛରେ ନାଲିଲୁଗା ବାନ୍ଧିବାକୁ ମଧ୍ୟ ମାନସିକ କରିଥାନ୍ତି । ପରବର୍ତ୍ତୀ କାଳରେ ଶ୍ରୀ କପିଳ ମୁନିଙ୍କର ଏକ ମୂର୍ତ୍ତି ଏଠାରେ ସ୍ଥାପିତ ହୋଇଛି । ଏଠାରେ ଯେଉଁ ମେଳା ହୁଏ, ସେଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ଦୋକାନୀ ତାଙ୍କ ପସରା ନେଇ ଆସିଥାନ୍ତି ।

 

ସେହିପରି କରଞ୍ଜଆଡ଼ିଆ, ବେତଡରା, ତୁଳମ୍‌ତୁଳା, ଇରମର ମାଳଙ୍ଗମୁନିୀ, ବାରାପୁରର ଶଙ୍ଖାରୁମୁନି ଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ ।

 

ସେହିପରି ଭଦ୍ରକ ଉପକଣ୍ଠର ବାଉଦପୁରରେ କାର୍ତ୍ତିକ ପୂର୍ଣ୍ଣିମାରେ ଏକ ସପ୍ତାହ ବ୍ୟାପୀ ମେଳା ମଧ୍ୟ ଅନୁଷ୍ଠିତ ହୁଏ । ପୁଣି ଭଦ୍ରକର ଚରମ୍ପାରେ ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ମେଳା ଦୀର୍ଘ ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୁଏ ।

 

(ଘ) ହରିହାଟ : ଗାଁରେ ୩ଦିନ ଧରି ଭାଗବତ ପାଠ କରିବାର ପରମ୍ପରା–‘ହରିହାଟ’ କମାରଗାଁ ଅଞ୍ଚଳରେ ବେଶ୍ ପ୍ରଚଳିତ ଅଛି । ‘ରଜ’ରେ ସମସ୍ତେ କାମ ବନ୍ଦ କରିଥିବା ବେଳେ ଗାଁ ମୁଣ୍ଡ ଶେଷରେ ମଣ୍ଡପ କରି ବା ସ୍ୱତନ୍ତ୍ର ଘରେ ମାଟିରେ ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ମୂର୍ତ୍ତି କରି ପୂଜା କରି ପୁରୋହିତ ୩ଦିନ ମଧ୍ୟରେ ଭାଗବତର ସବୁ ସ୍କନ୍ଧ ପାଠ କରନ୍ତି । ଶେଷଦିନ ପଂକ୍ତି ଭୋଜନ ଓ ସଂକୀର୍ତ୍ତନ ପରେ ‘ହରିହାଟ’ ଶେଷହୁଏ ।

 

ସପ୍ତମ ପର୍ଯ୍ୟାୟ–ହସ୍ତଶିଳ୍ପ–ଭଦ୍ରକ ନିକଟସ୍ଥ ଗ୍ରାମ ଜାନୁଗଞ୍ଜ ବୟନ ପାଇଁ ପ୍ରସିଦ୍ଧ ଥିଲା । ପୁଣି ଆଗରପଡ଼ା ମଠଳୁଗା ପାଇଁ ପ୍ରସିଦ୍ଧ ଥିଲା । ଶଙ୍ଖା ତିଆରି ପାଇଁ ଜାନୁଗଞ୍ଜ ମଧ୍ୟ ପ୍ରସିଦ୍ଧିଲାଭ କରିଥିଲା । ଏହାକୁ ପ୍ରକାଶ କରି ୧୮୮୦ ମସିହାରେ ପ୍ରକାଶିତ ‘ଭଦ୍ରକ-ଭ୍ରମଣ’ କବିତା ପୁସ୍ତକର କବିତା ତଥା ଇଞ୍ଜିନିୟର ଭଗବାନ ପ୍ରସାଦ ଦାସ (ସାହାପୁର) ଲେଖିଛନ୍ତି –

 

‘‘ଜାନୁଗଞ୍ଜ ସରୁଲୁଗା ଉତ୍କଳେ ବିଦିତ

କୁପାରୀ ପଥା ପାତ୍ର କାରୁ କାର୍ଯ୍ୟନ୍ୱିତ

ଅଗ୍ରଗଡ଼ୀ (ଆଗରପଡ଼ା) ମଠା କାଟେ ଧାନ ମଠା କାନ

କେତେ ସ୍ଥାନେ କେତେ ଶିଳ୍ପ କେ କରେ ଗଣନା ।’’

x       x      x      x

ବାସୁଆ ପଦା ବାସନ ଜାନୁଗଞ୍ଜି ଶଙ୍ଖା

ନାଳକୁଳ ଗୁଆକାତି ମୂଲ୍ୟ ଟଙ୍କା ଟଙ୍କା (ପୃ.୨-୩)

 

ଭଦ୍ରକର ଅଞ୍ଚଳର ହସ୍ତଶିଳ୍ପ ମଧ୍ୟରେ ବରଡ଼ାପତ୍ର ଖଜୁରୀ ଗଛର ପତ୍ର, ବାଉଁଶଗଛରୁ ତିଆରି ବିଭିନ୍ନ ଉପକରଣ ଯଥା–ପଟିଆ, ଡଲା, ପୋହଳ, ଦୁଣ୍ଡୁରି, ବାଙ୍କି, ଛୁଞ୍ଚୁଣୀ, ପହଁରା ଆଦି ଏହି ପ୍ରସଙ୍ଗରେ ସ୍ମରଣ କରିବା ପାଇଁ ପୁରପଲ୍ଲୀର ମୋର ଆଦି ସଂପ୍ରଦାୟର ଲୋକ ଏ ଦିଗରେ ସର୍ବଦା ତତ୍ପର ରହିଥାନ୍ତି ।

 

ଅଷ୍ଟମ ପର୍ଯ୍ୟାୟ–ଖାଦ୍ୟଦ୍ରବ୍ୟ

ଭଦ୍ରକ ଅଞ୍ଚଳର ପିଠାପଣା, ପାନଭଙ୍ଗା, ପାଳୁଅଲଡ଼ୁ ଓ ବିଭିନ୍ନ ମନ୍ଦିରରେ ପ୍ରସାଦ ସେବନରେ ପତ୍ରାଳୀର ଚଳଣି ଏ ଦିଗରେ ସ୍ମରଣୀୟ ହୁଏ । ବିଭିନ୍ନ ଉତ୍ସବରେ ବିଶେଷତଃ ଲକ୍ଷ୍ମୀପୂଜା, ରଜ, ସମ୍ବର ଦଶମୀରେ (ମଣ୍ଡା, ଚିତଉ, ଛୁଞ୍ଚିପତର ପିଠା) ଯେଉଁସବୁ ପିଠାପଣା ହୁଏ, ତାର ଏକ ସ୍ୱାତନ୍ତ୍ର୍ୟ ରହିଛି । ଭଦ୍ରକ ‘ପାଳୁଆ ଲଡ଼ୁ’ ଓଡ଼ିଶା ପ୍ରସିଦ୍ଧ । ମାତ୍ର ଏବେ ଏହା ପାଳୁଅରେ ତିଆରି ନ ହୋଇ ଅଟାରେ ତିଆରି ହେଉଛି ।

 

ନବମ ପର୍ଯ୍ୟାୟ–ଖେଳ : ରଜ ପର୍ବରେ ବହୂଚୋରୀ, ବାଗୁଡ଼ି ଖେଳ, ଡାଳ ମାଙ୍କୁଡ଼ି, ପୁଟ ଆଦି ଖେଳ ଏ ଦିଗରେ ଉଦାହରଣ ଦିଆଯାଇପାରେ ।

 

ଦଶମ ପର୍ଯ୍ୟାୟ–ଔଷଧ : ଭଦ୍ରକର ଲୋକ ଔଷଧ ମଧ୍ୟରେ ବିଭିନ୍ନ ପ୍ରକାର ଚେରମୂଳି ଔଷଧ ଯଥା, ଗଦ, ଗୋଲମରିଚ, ଅଦା, ହଳଦୀ, ଶୁଣ୍ଠି, ପିମ୍ପଳି ଆଦିର ବ୍ୟବହାର ରହିଛି । ସେଥିପାଇଁ ବାହାଘରବେଳେ ଝିଅକୁ ‘ଘୁରାଘୁରି ପେଡ଼ି’ ଦେବାର ପ୍ରଥା ମଧ୍ୟ ରହିଛି ।

 

ଏକାଦଶ ପର୍ଯ୍ୟାୟ–ଲୋକଚଳଣି : ଖରାଦିନେ ଗାଁମୁଣ୍ଡ ଶେଷରେ ବରଗଛ ଛାଇରେ ବା ମନ୍ଦିରରେ ଜଳଛତ୍ର ଦେବା ଏହି ଅଞ୍ଚଳର ଏକ ବିଶେଷ ସମାଜେସବା । ସେହିପରି ‘ବାଳଭୋଜନ’ ବା ‘ଅନ୍ନଛତ୍ର’ ଦେବାକୁ ମନାସିବା ମଧ୍ୟ ଅନ୍ୟ ଏକ ସମାଜମୁକୀ କାର୍ଯ୍ୟ । ଯେଉଁମାନେ ନିଃସନ୍ତନା, ସେମାନେ ରାସ୍ତାକଡ଼ରେ ବର-ଓସ୍ତଗତ ଲଗାଇବା ଏବଂ ଗଛ ବଡ଼ହେଲେ ତା’ର ବିବାହ କରିବାର ବିଧି ରହିଛି । ପୁଣି ପ୍ରତିଦିନ ସକାଳେ ଶଯ୍ୟାତ୍ୟାଗ କଲାପରେ ସାକ୍ଷାତ ଦେବତା ସୂର୍ଯ୍ୟଙ୍କୁ ପ୍ରଣାମ ଜଣାଇ ତୁଳସୀ ଚଉରା ପାଖରେ ମୁଠାଏ ଚାଉଳ ବା ଖାଦ୍ୟପଦାର୍ଥ ପକ୍ଷୀମାନଙ୍କ ପାଇଁ ବିଞ୍ଚିଦେବା ମଧ୍ୟ ଏକ ବିଧି ରହିଛି । ଏହିସବୁ ଚଳଣି ସମାଜ ସେବାର ଗୋଟିଏ ଗୋଟିଏ ଅଙ୍ଗ ସ୍ୱରୂପ ।

 

ଦ୍ୱାଦଶ ପର୍ଯ୍ୟାୟ–ଲୋକବିଶ୍ୱାସ : ଶଙ୍ଖଚିଲ ଦେଖିଲେ, ଶୁଭ, ମାଟିଆ ଚିଲ ଦେଖିଲେ ଅମଙ୍ଗଳର ସୂଚନା ମିଳେ ବୋଲି ବିଶ୍ୱାସ କରାଯାଏ । ସେହିପରି ରାସ୍ତାକାଟି ଦେବା, ଚୁଲିରେ କ୍ଷୀର ଉତୁରି ପଡ଼ିବା ଆଦି ଅଶୁଭ ବୋଲି ଲୋକବିଶ୍ୱାସ ରହିଛି । ଏହିପରି ଅସଂଖ୍ୟ ଲୋକବିଶ୍ୱାସ ମଧ୍ୟରେ ଭଲ ଓ ମନ୍ଦର ନିର୍ଣ୍ଣୟ କରିଥାନ୍ତି ଏବହି ଅଞ୍ଚଳର ଲୋକ ।

 

ତ୍ରୟୋଦଶ ପର୍ଯ୍ୟାୟ–ଲୋକ ସଙ୍କେତ : ପରିବାରରେ କୌଣସି ନାରୀ ସନ୍ତାନ ଜନ୍ମକଲେ ଦାଣ୍ଡଆଗ ଚାଳରେ ସିଜୁପତ୍ର ବା ସିଜୁଡାଳ ଝୁଲେଇ ଦିଆଯାଏ । ସେହିପରି ନୂଆ ଘର ତିଆରି କଲାବେଳେ ଖଣ୍ଡିଆ ଛାଞ୍ଚୁଣୀ, ଯୋତା ଓ ପାଛିମ ଟଙ୍ଗାଯାଏ ନଜର ନ ଲାଗିବା ଲାଗି ।

 

ଚତୁର୍ଦ୍ଦଶ ପର୍ଯ୍ୟାୟ–କଥିତ ଭାଷା : ଭଦ୍ରକ ଅଞ୍ଚଳର କିଛି କଥିତ ଶବ୍ଦର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି । ଯଥା- ‘ତୋ’ର ବ୍ୟବହାର–ଯଥା–ଖାଇତେ, ପିଇତେ ।

 

‘କୀୟା’ର ପ୍ରୟୋଗ–କିଅଣ ଅର୍ଥରେ ବ୍ୟବହାର କରାଯାଏ । ଯଥା–ତୁମ ନାମ କୀୟ ? କାଁର ପ୍ରୟୋଗ–କାହିଁକି ଅର୍ଥରେ ପ୍ରୟୋଗ କରାଯାଏ । ଯଥା–ତୁମେ ଯାଇଥିଲ କାଁ ?–ତୁମେ କାହିଁକି ଯାଇଥିଲ ? ଇତ୍ୟାଦି –

 

ଏହି ପରିପ୍ରେକ୍ଷୀରେ ‘ପରଂପରାର ଆରାଧନା’ ପୁସ୍ତକରେ ଭଦ୍ରକ ଜିଲ୍ଲାରେ ପ୍ରଚଳିତ କେତୋଟି କଥିତ ଶବ୍ଦ ପରିଚୟ’–ଶିରୋନାମରେ କିଛି ଶବ୍ଦର ସଂଗ୍ରହ କରାଯାଇଛି । କେବଳ ସେତିକି ନୁହେଁ, ଦୁଇଜଣଙ୍କ ମଧ୍ୟରେ ସାଂକେତିକ ଭାଷାରେ କିପରି କଥା କୁହାଯାଏ ତା’ର ଉଦାହରଣ ଭଦ୍ରକ ଅଞ୍ଚଳରେ ବିଶେଷ ନାରୀ ମହଲରେ ପ୍ରଚଳିତ ଅଛି । ଏହାକୁ ‘ଠାର ଭାଷା’ ମଧ୍ୟ କୁହା ଯାଇପାରେ । ଯଥା–‘ପ୍ନ’ ଧ୍ୱନିର ପ୍ରୟୋଗ । ଯଥା–ତୁମର ନାମ କଅଣ ? କୁ କୁହାଯାଇ ପାରେ ‘ତୁପ୍ନର ନାପ୍ନନ୍ନ, କପ୍‌ନ’ ପୁଣି କେତେବେଳେ ଗୋଟିଏ ଶବ୍ଦକୁ ବାରମ୍ବାର ବ୍ୟବହାର କରାଯାଇଥାଏ । ଯଥା- ‘କକଡ଼ି କଦମ କଡ଼ି’ । ଯଦି ‘କଟକ’ କରିବାର କଥା । ତେବେ କୁହାଯିବ –

 

କ କଡ଼ି କଦମ କଡ଼ି ‘କ’ କଡ଼ି ମଧ୍ୟେ –

କ କଡ଼ି କଦମ କଡ଼ି ‘ଟ’ କଡ଼ି ମଧ୍ୟେ –

କ କଡ଼ି କଦମ କଡ଼ି ‘କ’ କଡ଼ି ମଧ୍ୟେ –

କ କଡ଼ି କଦମ କଡ଼ି ‘କ’ କଡ଼ି ମଧ୍ୟେ–

ଏହିସବୁ ଶବ୍ଦ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଧ୍ୱନି ‘କଟକ’ର ପ୍ରୟୋଗ କରାଯାଇଛି । ଏହାକୁ ବୁଝିବାକୁ ପଡ଼ିବ ।

ଏଥି ସହିତ ଭଦ୍ରକ ଅଞ୍ଚଳର ନାନାବାୟାଗୀତ, ଲୋକକାହାଣୀ, ପିଲାମାନଙ୍କର ମୌଖିକ ଖେଳଗୀତ, ଢଗ-ଢମାଳି, ନାଁ ଦିଆ ଆଦିକୁ ଲକ୍ଷ୍ୟ କଲେ ଭଦ୍ରକ ଅଞ୍ଚଳର ଲୋକ ସାଂସ୍କୃତିକ ଭଣ୍ଡାରକୁ ଜାଣିହେବ । ଆଲୋଚନାର କଳେବର ଦିଗରୁ ଏଠାରେ କେବଳ ଏହାକୁ ସ୍ମରଣ କରାଯାଇପାରେ ।

 

।। ତିନି ।।

 

ଏହି ଆଲୋଚନା ଉପସଂହାରରେ ଏତିକି ମାତ୍ର କୁହାଯାଇପାରେ ଯେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ସାମାଜିକ ଚଳଣୀ, ବ୍ୟବହାର, ପ୍ରଥା, ଲୋକନାଟକ, ପର୍ବପର୍ବାଣୀ, ହସ୍ତଶିଳ୍ପ, ଲୋକାଚାର ଆଦି ମଧ୍ୟରେ ସେହି ଅଞ୍ଚଳର ପ୍ରାଣ ସ୍ପନ୍ଦନକୁ ଚିହ୍ନି ହୁଏ । ତା’ର ଐତିହ୍ୟ ମଧ୍ୟରେ ତା’ର ସାମାଜିକ ବିକାଶକ୍ରମକୁ ବାରିହୁଏ । ସେହିପରି ଭଦ୍ରକ ଅଞ୍ଚଳର ଯେଉଁ ସାଂସ୍କୃତିକ ଐତିହ୍ୟ ଲୁଚି ରହିଛି, ତାକୁ ସଂଗ୍ରହ ଓ ତା’ର ଉପଯୁକ୍ତ ଉପସ୍ଥାପନା କରାଯାଏ ଓ ତା’ର ସଂରକ୍ଷଣରେ ଯଦି ଉଦ୍ୟମ କରାଯାଏ ତେବେ ଏହି ଅଞ୍ଚଳର ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବା ସଂଗେ ସଂଗେ ଦେଶର ଜାତୀୟ ସାଂସ୍କୃତିକ ସମ୍ପଦକୁ ମଧ୍ୟ ବିଶ୍ୱସ୍ତରୀୟ ପ୍ରକାଶ କରି ଏହାର ସୁଦୂର ଓ ସୁଦୃଢ଼ ପରମ୍ପରାକୁ ପ୍ରତିଫଳିତ କରାଯାଇ ପାରେ । ମାତ୍ର, ଏଥିପାଇଁ ଆବଶ୍ୟକ ଅତୀତର ରୋମନ୍ଥନ–ଅତୀତର ମୂଲ୍ୟାୟନ -। ଆମର ସେହିପରି ଦୃଷ୍ଟିକୋଣ ଓ ବିଚାରଧାରା ଆମକୁ ସୁସଂସ୍କୃତ କରି ତୋଳି ଏକ ଜାତୀୟତା ଭାବର ଉଦ୍ରେକ କରିପାରିବ ।

 

ଯେତେବେଳେ ଆମେ ଏହିପରି ‘କ୍ଷେତ୍ରୀୟ ଅଧ୍ୟୟନ’ (Micro study) କରିପାରିବା, ତେବେ ଜାତୀୟ ସାଂସ୍କୃତିକ ସମ୍ପଦ ଉପଯୁକ୍ତ ମୂଲ୍ୟାୟନ ପାଇଁ ଆମେ ଏକ କ୍ଷେତ୍ର ପ୍ରସ୍ତୁତ କରିପାରିବା । ସେତେବେଳେ ଯାଇ ଆମେ ପ୍ରତିପାଦିତ କରିପାରିବ–ଏହି ଉତ୍କଳ ତଥା ଭାରତ ମହାନ୍ ସାଂସ୍କୃତିକ ଐତିହ୍ୟ ବହନ କରିଥିବା ଏକ ବିଶାଳ ଦେଶ । ସେତେବେଳେ ଆମେ ସଗର୍ବରେ କହିପାରିବା–ମୋ ଉତ୍କଳ–ମୋ ଭାରତ ମହାନ୍ !

 

ସହାୟକ ପୁସ୍ତକ :

୧.

ଓଡ଼ିଆ ଯାତ୍ରାର ଜନ୍ମ ଜାତକ–INTACH–ଭଦ୍ରକ ଶାଖା–୨୦୧୧

୨.

ଓଡ଼ିଆ ଲୋକସାହିତ୍ୟ ଓ ସଂସ୍କୃତି–ଡ. ରାମଚନ୍ଦ୍ର ଦାସ–ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର–ଗୋପାଳପୁର ମହାବିଦ୍ୟାଳୟ, ରୁପ୍‌ସା, ବାଲେଶ୍ୱର–୨୦୦୫ ।

୩.

ଓଡ଼ିଆ ଲୋକ ସଂସ୍କୃତି ଓ ଜନଜୀବନ ଉପରେ ଏହାର ପ୍ରଭାବ–ଡ. ମନ୍ମଥ କୁମାର ପ୍ରଧାନ–ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର–ନୀଳମଣି ବିଦ୍ୟାଳୟ, ରୁପ୍‌ସା, ବାଲେଶ୍ୱର–୨୦୦୫ ।

୪.

ଲୋକନାଟ୍ୟ ପରମ୍ପରା–ଡ. ମନ୍ମଥ କୁମାର ପ୍ରଧାନ–ସମ୍ୟକ ପ୍ରକାଶନ–ଗୋପାଳଗାଁ, ବାଲେଶ୍ୱର–୨୦୦୫ ।

୫.

ଓଡ଼ିଆ ଲୋକନାଟ୍ୟ ପରମ୍ପରା–ଡ. ମନୀନ୍ଦ୍ର ମହାନ୍ତି–ବିଜୟିନୀ ପବ୍ଲିକେଶନ, ଶଙ୍କରପୁର, ଅରୁଣୋଦୟ ମାର୍କେଟ–କଟକ–୧୨–୨୦୦୭ ।

୬.

ଆମ ଗାଁ ଚଳଣି–ଡ. ମନୀନ୍ଦ୍ର ମହାନ୍ତି–ଅପର୍ଣ୍ଣା ପ୍ରକାଶନୀ, ଭଦ୍ରକ–୨୦୦୮ ।

୭.

ଲୋକ ଶ୍ରୀ–ଡ.ମନୀନ୍ଦ୍ର ମହାନ୍ତି–ଅପର୍ଣ୍ଣା ପ୍ରକାଶନୀ–ଭଦ୍ରକ–୨୦୧୧

୮.

ପରମ୍ପରାର ଆରାଧନା–ଡ. ମନୀନ୍ଦ୍ର ମହାନ୍ତି–ଅପର୍ଣ୍ଣା ପ୍ରକାଶନୀ–୨୦୧୧

୯.

ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି–ସଂ ଶ୍ରୀ ଅପୂର୍ବ ରଞ୍ଜନ ରାୟ–ଭଦ୍ରକ ପୂଜ୍ୟପୂଜା ସଂସଦ–୨୦୦୮ ।

୧୦.

ସ୍ମାରକୀ–ସ୍ୱତନ୍ତ୍ର ଓଡ଼ିଶା ସୁବର୍ଣ୍ଣ ଜୟନ୍ତୀ କମିଟି, ବାଲେଶ୍ୱର–୧୯୮୬

 

 

 

ଯୋଗାଯୋଗ: ଡ. ମୀନ୍ଦ୍ର ମହାନ୍ତି (ଅପର୍ଣ୍ଣା ସଦନ)

ନୂଆବଜାର ଭଦ୍ରକ, ୭୫୬୧୦୦

ଫୋନ–୯୨୩୮୫୦୬୨୬୨/(୦୬୭୮୪) ୨୫୧୫୩୨

E-mail-m.manindra@gmail.com

 

***

 

Unknown

ଶ୍ରୀ ଜଗନ୍ନାଥ ମନ୍ଦିରସ୍ଥ ବେଢ଼ାରେ

କପିଳେନ୍ଦ୍ରଦେବଙ୍କ ରାଜତ୍ୱର ଅଭିଲେଖ

ସୁନୀତା ବେହେରା

 

ଅଭିଲେଖ ହେଉଛି ଇତିହାସର ଏକ ପ୍ରାମାଣିକ ଉପାଦାନ । ଏହି ଅଭିଲେକ ପଦଟି ଅଭି + ଲିଖ (ଘଞ୍ଚ୍) ଅ ପ୍ରକୃତି ପ୍ରତ୍ୟୟରୁ ନିଷ୍ପନ୍ନ ହୋଇଛି । ‘ଅଭି’ର ଅର୍ଥ ହେଉଛି ଆଭିମୁଖ୍ୟ, ଅଭିଳାଷ, ସ୍ୱାଧ୍ୟାୟ, ପ୍ରଜଳ୍ପନ, ଅଭିଧାନ ଓ ବ୍ୟବହାର ପ୍ରଭୃତି । ସେହିପରି ‘ଲିଖ୍’ ଧାତୁର ଅର୍ଥ ହେଉଛି ଲିଖନ ଓ ଖୋଦନ, ଯେଉଁଥିରୁ ସତ୍ୟାସତ୍ୟର ନିରୂପଣ କରା ଯାଇଥାଏ । ଜଗତବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ସଂସ୍କୃତ ଅଭିଲେଖ ପରି ବହୁ ଓଡ଼ିଆ ଅଭିଲେଖରେ ମଧ୍ୟ ଶ୍ରୀଜଗନ୍ନାଥ କ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ କ୍ରିୟାକଳାପ ରୂପଗୁଣ, ମନ୍ଦିରର ଇତିହାସ, ଭାଷା, ସାହିତ୍ୟ, ପରମ୍ପରାଦି ବ୍ୟତୀତ ରାଜାମହାରାଜାମାନଙ୍କର ସାହାଯ୍ୟ, ସହଯୋଗ, ଉତ୍ସର୍ଗୀକୃତ, ଦାନଧର୍ମର ପ୍ରଚେଷ୍ଟା ତଥା ମନ୍ଦିରର ଐତିହ୍ୟ ସମ୍ପର୍କରେ ସବିଶେଷ ଆଲୋଚନା ବା କୃତି ସମୂହ ସ୍ଥାନିତ କରିଥିବା ସୂଚିତ ହୋଇଛି ।

 

କପିଳେନ୍ଦ୍ରଦେବଙ୍କୁ ସୂର୍ଯ୍ୟବଂଶର ପ୍ରଥମ ନରପତି ବୋଲି ଗ୍ରହଣ କରାଯାଏ । ଐତିହାସିକ ଷ୍ଟଲିଂଙ୍କ ମତରେ ଗଙ୍ଗବଂଶର ଶେଷ ସମ୍ରାଟ ମତ୍ତଭାନୁ ନିଃସନ୍ତାନ ଥିବାରୁ କପିଳେକନ୍ଦ୍ରଦେବଙ୍କୁ ସେ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ । ‘ମାଦଳାପାଞ୍ଜି’ରେ ଅଛି ମତ୍ତଭାନୁ ଅପୁତ୍ରିକ ଥିବାରୁ ତାଙ୍କ ଉତ୍ତରାଧିକାରୀ ଦେବାପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିବେଦନ କରରିଥିଲେ । ରାତ୍ରରେ ଜଗନ୍ନାଥ ତାଙ୍କ ସ୍ୱପ୍ନାଦେଶ ଦେଇ କହିଥିଲେ, ‘‘କାଲି ଦରଶନ ବେଳେ ବିମ୍ବାଳାଈଙ୍କ ଆଗେ ଖପରାଖଣ୍ଡେ କୋରୁଥିବ, ତତେ ଦେଖି ପଳାଇବ ।’’ କପିଳେନ୍ଦ୍ରଦେବଙ୍କ ରାଜ୍ୟଲାଭ ସମ୍ପର୍କରେ ଏକ ଜନଶ୍ରୁତି ମଧ୍ୟ ‘ମାଦଳାପାଞ୍ଜି’ରେ ଦେଖିବାକୁ ମିଳେ-। ଏହି ଜନଶ୍ରୁତି ଅନୁସାରେ ଗାଈଜଗା କପିଳାର ମୁଣ୍ଡ ଉପରେ ନାଗସାପ ଫଣା ଟେକିବାଦ୍ୱାରା ସେ ରାଜା ହୋଇଥିଲେ । (୧)

 

ପୁନଶ୍ଚ ‘ଓଡ଼ିଶା ଇତିହାସ’ରୁ ଜଣାଯାଏ ଗଙ୍ଗବଂଶୀୟ ରାଜା ସାନ ନରସିଂହଦେବଙ୍କ ଶଳା ଓ ମନ୍ତ୍ରୀ ଥିଲେ କପିଳ ସାମନ୍ତରାୟ । ସେ ରାଜା ନରସିଂହଙ୍କର ଦୁର୍ବଳତାର ସୁଯୋଗ ନେଇ ରାଜ ସିଂହାସନ ଅଧିକାର କରିବା ସଂଗେ ସଂଗେ କପିଳେନ୍ଦ୍ରଦେବ ରୂପେ ପରିଚିତ ହୋଇଥିଲେ । (୨) କିନ୍ତୁ ବାସୁଦେବ ରଥ ସୋମଯାଜୀଙ୍କ ‘ଗଙ୍ଗବଂଶାନୁଚରିତମ’ରୁ ଜଣାପଡ଼େ ଯେ, ଗଙ୍ଗବଂଶର ଶେଷରାଜା କଜ୍ଜଳଭାନୁ ଦିଗ୍‌ବିଜୟ କରି ଯାଇଥିବା ସମୟରେ କପିଳେନ୍ଦ୍ରଦେବ ସିଂହାସନ ଅଧିକାର କରିଥିଲେ । ଫଳରେ ଗଙ୍ଗବଂଶୀ ଓଡ଼ିଶାରୁ ଚାଲିଯାଇ ଗଞ୍ଜାମ ଜିଲ୍ଲାର ଗୁଡ଼ାରୀ କଟକକୁ ରାଜଧାନୀ କରି ଦାକ୍ଷିଣାତ୍ୟରେ ରାଜ୍ୟ ବିସ୍ତାର କଲେ । (୩)

 

ରଘୁଦେବଙ୍କ ପୁରୀ ‘ତାମ୍ର ଶାସନ’ରୁ ଜଣାଯାଏ ସୂର୍ଯ୍ୟ ବଂଶରୁ କପିଳେଶ୍ୱର ନାମକ ଜଣେ ଖ୍ୟାତନାମା ନାୟକ ଓ ସାମନ୍ତ ରାଜା ଥିଲେ । ସେ ନିଜର ପରାକ୍ରମ ବଳରେ ଓଡ଼ିଶାର ସିଂହାସନ ଅଧିକାର କରିଥିବା କଥା ଉକ୍ତ ଶିଳାଲେଖରେ ବର୍ଣ୍ଣିତ ହୋଇଛି ।

 

‘‘ବୀର ଶ୍ରୀ କପିଳେଶ୍ୱର ସ୍ତଦନୁଜଃ କୀର୍ତ୍ତି ପ୍ରତାପଦ୍ୱୟୀ

ଶ୍ରୀ ବିକ୍ଷାଳିତ ଚକ୍ରବାଳ ଚରମୋଦ୍ଦାମାନ୍ଧକାରୋଽଭବତ୍

ଶୌର୍ଯ୍ୟା ଶାଦିତ ଦନ୍ତିରାଜ ବିଭବ ଭୂମଣ୍ଡଳା ଖଣ୍ଡଳୋ’’ । (୪)

 

ଏହି ସବୁଥିରୁ ଜଣାଯାଏ, କପିଳେନ୍ଦ୍ରଦେବ ଗଙ୍ଗବଂଶୀୟଠାରୁ ବଳପୂର୍ବକ ବା କୌଶଳପୂର୍ବକ ଓଡ଼ିଶାର ସିଂହାସନ ଅଧିକାର କରିଥିବା ବିଶ୍ୱାସଯୋଗ୍ୟ । କପିଳେନ୍ଦ୍ରଦେବ ନିଜ ସାମ୍ରାଜ୍ୟକୁ ଆଗଙ୍ଗା ଗୋଦାବରୀ କୃଷ୍ଣା ଯାଏ ବିସ୍ତାରିତ କରିଥିବା ହେତୁ ତାଙ୍କ ନାମ ସହିତ ‘‘ଗଜପତି ଗୌଡ଼େଶ୍ୱର-ନବକୋଟି-କର୍ଣ୍ଣାଟକ-କଳବର୍ଗେଶ୍ୱର’’ ଉପାଧି ଯୋଗ କରାଯାଇଥିବା ଅନୁମିତ । କପିଳେନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ାରେ ଯେଉଁ ୫ ଗୋଟି ଅଭିଲେଖ ଆବିଷ୍କୃତ ହୋଇଛି ତାହା ଜୟବିଜୟଦ୍ୱାରା ଉଭୟ ପାର୍ଶ୍ୱର କାନ୍ଥରେ ଖୋଦିତ ହୋଇଥିବାର ଜଣାପଡ଼େ ।

 

ଜୟବିଜୟ ଦ୍ୱାରରୁ ମିଳିଥିବା ପ୍ରଥମ ଅଭିଲେଖଟି ୮ ଧାଡ଼ି ବିଶିଷ୍ଟ ବାମ ପାର୍ଶ୍ୱରେ ଆବିର୍ଭୁତ । ଏହା ୨ ଫୁଟ ୬ ଇଞ୍ଚ ବିଶିଷ୍ଟ । ଏହି ଶିଳାଲେଖଟି କପିଳେନ୍ଦ୍ରଦେବଙ୍କର ୪ର୍ଥ ଅଙ୍କ ଧନୁ ମାସ ଅମାବାସ୍ୟା ଅର୍ଥାତ୍‍ ତା. ୯.୧୨.୧୪୩୬ ମସିହାରେ ଖୋଦିତ ହୋଇଥିଲା । ଏଥିରେ ଓଡ଼ିଶାବାସୀଙ୍କୁ ଲୁଣ କର ଓ କଉଡ଼ି କର ଛାଡ଼ କରିଥିବା ବିଷୟରେ ଉଲ୍ଲେଖ ଅଛି । ତାଙ୍କର ଏହି ଆଦେଶ ସେ ପୁରୁଷୋତ୍ତମ କଟକରେ (ପୁରୀରେ) ଥାଇ ପରମେଶ୍ୱର (ଶ୍ରୀଜଗନ୍ନାଥ)ଙ୍କୁ ଦର୍ଶନ କରୁଥିବା ସମୟରେ ଘୋଷଣା କରି ତାହାକୁ ପୁରୁଷୋତ୍ତମଙ୍କ ଦେଉଳ ଦ୍ୱାରରେ ଲେଖନ-କରାଯାଇଥିବା ସ୍ୱୟଂ ସ୍ୱୀକାର କରିଛନ୍ତି । (୫)

 

ଜୟବିଜୟ ଦ୍ୱାରରୁ ବାମ ପାର୍ଶ୍ୱରେ ଥିବା ଅନ୍ୟ ଏକ ଅଭିଲେଖ ସମୟ ୩୧ ଅଙ୍କ କକଡ଼ା ଶୁକ୍ଳ ତ୍ରୟୋଦଶୀ ଗୁରୁବା ଅର୍ଥାତ୍‍ ତା. ୧୨.୭.୧୪୫୯ ମସିହା ବୋଲି ଜଣାଯାଏ । ଏହା ୭ ଧାଡ଼ି ବିଶିଷ୍ଟ ଏବଂ ଏହି ଶିଳାଲେଖଟିର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୪ ଫୁଟ ୧ ଇଞ୍ଚ, ୧ ଫୁଟ ୪ ଇଞ୍ଚ । କପିଳେନ୍ଦ୍ରଦେବଙ୍କ ରାଜତ୍ୱର ୩୧ ଅଙ୍କ ଶ୍ରାବଣ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୁଷୋତ୍ତମ କଟକ ଦକ୍ଷିଣ ଘରେ ମାଜଣା ମଣ୍ଡପରେ ବିଜେ କରିଥିବା ସମୟରେ ତାଙ୍କର ସମସ୍ତ ଧନରତ୍ନ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିବା ବିଷୟ ଏଥିରେ ବର୍ଣ୍ଣିତ । ତାହା ବ୍ୟତିତ ସେ ବ୍ରାହ୍ମଣମାନଙ୍କୁ ଭୂମିଖଣ୍ଡ ଏବଂ ଅତିରିକ୍ତ ଧନଦାନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । (୬)

 

ଜୟବିଜୟ ଦ୍ୱାରର ବାମପାର୍ଶ୍ୱରେ ୬ ଧାଡ଼ି ବିଶିଷ୍ଟ ଅନ୍ୟ ଏକ ଅଭିଲେଖ ଦୈର୍ଘ୍ୟ ପ୍ରସ୍ଥ ଯଥାକ୍ରେମ ୨୮’’ ଓ ୯’’ । ଏହା କପିଳେନ୍ଦ୍ରଦେବଙ୍କ ରାଜତ୍ୱର ୩୫ ଅଙ୍କ ମେଷ କୃଷ୍ଣ ଚତୁର୍ଥୀ ବୁଧବାର ଦିନ ପ୍ରଦତ୍ତ ହୋଇଥିଲା । ଏହାର ସମୟ ତା. ୨୫.୪.୧୪୬୪ ବୋଲି ନିର୍ଦ୍ଧାରଣ କରା ଯାଇପାରେ । କପିଳେନ୍ଦ୍ରଦେବଙ୍କ ରାଜତ୍ୱର ୩୫ ଅଙ୍କ ବୈଶାଖା ଶୁକ୍ଳ ଚତୁର୍ଥୀ ଦିନ ବିଦ୍ରୋହୀ ସାମନ୍ତମାନଙ୍କୁ ଦୋଷାନୁରୂପେ ଦଣ୍ଡ ଦେବାକୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥିବା ବିଷୟ ଏଥିରୁ ଜଣାଯାଏ । (୭)

 

ଜୟବିଜୟ ଦ୍ୱାରର ବାମ ପାର୍ଶ୍ୱରେ ଅନ୍ୟ ଏକ ଅଭିଲେଖଟି ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗରେ ୯ ଧାଡ଼ି ଏବଂ ଦ୍ୱିତୀୟ ଭାଗରେ ୬ ଧାଡ଼ିର ପୀଠ ରହିଛି । ଏହି ଶିଳାଲେଖଟି କପିଳେନ୍ଦ୍ରଦେବଙ୍କ ରାଜତ୍ୱର ୪୧ ଅଙ୍କ ଧନୁ ଶୁକ୍ଳ ସପ୍ତମୀ ରବିବାର ଦିନ ଅର୍ଥାତ୍ ତା. ୧୪.୧୨.୧୪୬୬ ବୋଲି ଜଣାଯାଏ । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୪ ଫୁଟ ଓ ୪ ଇଞ୍ଚ ଓ ୧୧ ଇଞ୍ଚ । ଏହି ଅଭିଲେଖରୁ ଜଣାଯାଏ ରାଜା କପିଳେଶ୍ୱର ଦେବ ୪୧ ଅଙ୍କର ସପ୍ତମୀ ତିଥି ରବିବାର ଦିନ ବହୁ ପ୍ରକାର ଧନରତ୍ନ ଓ ଅଳଙ୍କାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମର୍ପଣ କରିଥିଲେ ।-(୮)

 

ଜୟବିଜୟ ଦ୍ୱାରର ଦକ୍ଷଣ ପାର୍ଶ୍ୱରେ ଅନ୍ୟ ଏକ ଅଭିଲେଖ ଖୋଦିତ ହୋଇଅଛି । ୮ ଧାଡ଼ି ବିଶିଷ୍ଟ ଏହି ଶିଳାଲେଖଟି ୧୯ ଅଙ୍କ ଶେଷ ଅମାବାସ୍ୟ ରବିବାର ଯଥାର୍ଥରେ ତା. ୧୨.୪.୧୪୫୦ ମସିହା ବୋଲି ନିର୍ଦ୍ଧାରଣ କରାଯାଇଛି । ୧୯ ଅଙ୍କ ବୈଶାଖ ଅମାବାସ୍ୟା ଦିନ ଦିଗ୍‌ବିଜୟ ସାରି ଫେରିବା ଅବସରରେ ପୁରୁଷୋତ୍ତମ କଟକରେ ଥିବାବେଳେ ପୁଣ୍ଡରୀକ୍ଷ ଗୋପ ନାମକ ଏକ ପ୍ରକାର ମୂଲ୍ୟବାନ ଶାଢ଼ୀ ଶ୍ରୀଜଗନ୍ନାଥଙ୍କୁ ଦାନ କରିଥିବା ବିଷୟ ଏଥିରୁ ସୂଚିତ ହୁଏ ।-(୯)

 

ଏସବୁ ଅଭିଲେଖରୁ କପିଳେନ୍ଦ୍ର ଦେବଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଐକାନ୍ତିକ ଭକ୍ତିର ଚରମ ନିଦର୍ଶନ ଦେଖିବାକୁ ମିଳେ ଏବଂ ଶ୍ରୀଜଗନ୍ନାଥ ସେବା ବିଧାନ ନିମନ୍ତେ ଧନ ସମ୍ପତ୍ତିର ଉତ୍ସବ, ଲୁଣ, କଉଡ଼ି କର ଛାଡ଼, ହିମାଳୟଠାରୁ ସେତୁବନ୍ଧ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ତାଙ୍କର ଆଦେଶ ପାଳନ, କରଦ ରାଜ୍ୟର ମୁଖ୍ୟମାନଙ୍କୁ କୁକାର୍ଯ୍ୟ ଓ ରାଜ୍ୟଦ୍ରୋହ ପାଇଁ ଦଣ୍ଡ ନିମନ୍ତେ ସତର୍କତା ରାଜା ଓ ଅଧସ୍ତନ ରାଜା ତଥା ରାଜ କର୍ମଚାରୀ ଆଦି ବ୍ରାହ୍ମଣମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସଂଗେ ସଂଗେ ସେମାନଙ୍କ ଧନ, ସ୍ତ୍ରୀ ଓ ଜୀବନ ତଥା ଜମି ପ୍ରତି ଆକ୍ରମଣରୁ ରକ୍ଷା କରିବା ପାଇଁ ଉପେଶ ବା ଆଦେଶ ଦେବା ବିଷୟ ବର୍ଣ୍ଣିତ ହୋଇଛି ।

 

ଏତଦ୍‍ବ୍ୟତିତ ଏହି ଅଭିଲେଖଗୁଡ଼ିକରୁ ଭାଷା, ଲିପି, ସାହିତ୍ୟ ଓ ଐତିହ୍ୟ ସମ୍ପର୍କିତ ଅଧ୍ୟୟନ ତଥା ଅନୁସନ୍ଧାନ ନିମିତ୍ତ ଯଥେଷ୍ଟ ଉପାଦାନ ଯୋଗାଇଛି । ଯେପରିକି ଏହି ଅଭିଲେଖଗୁଡ଼ିକରେ ଥିବା ଭାଷାତାତ୍ତ୍ୱିକ ମଧ୍ୟରେ ଲିପି, ଶବ୍ଦଭଣ୍ଡାର, ବର୍ଣ୍ଣବିନ୍ୟାସ, କ୍ରିୟାର ପ୍ରୟୋଗ, ସନ୍ଧିର ପ୍ରୟୋଗ, ବିଶେଷ୍ୟ, ବିଶେଷଣ ଏବଂ କେତେକ ପ୍ରାଚୀନ ଶବ୍ଦାବଳୀ ମଧ୍ୟ ନିର୍ଦ୍ଦିଷ୍ଟ ରହିଛି । ଯଥା:- ଏହାର ଭାଷା ଏବଂ ଲିପି ହେଉଛି ଓଡ଼ିଆ ଏବଂ କେତେକ ତଦ୍ଭବ ଶବ୍ଦ ଆଇଂଗା, ଠାକୁର, ବୁଧବାର, ଜଗନ୍ନାଥ, ଦ୍ରୋହ, ଲଂଘଇ ପ୍ରଭୃତି; ସନ୍ଧିର ପ୍ରୟୋଗ ମଧ୍ୟରେ ପରମେଶ୍ୱର–ପରମ + ଈଶ୍ୱର, ଗଉଡ଼େଶ୍ୱର = ଗଉଡ଼ + ଈଶ୍ୱର ପ୍ରଭୃତି; ବିଶେଷ୍ୟ ପଦରେ କପିଳେଶ୍ୱର ରବିବାର, ବୁଧବାର ଜାତିବାଚକ ବିଶେଷ୍ୟରେ ମୁଦ୍ରହସ୍ତ ଇତ୍ୟାଦି; ବିଶେଷଣ ପଦରେ ଗଜପ୍ତି ଗଉଡ଼େଶ୍ୱର ନବକୋଟି, କର୍ଣ୍ଣାଟ କଳବର୍ଗେଶ୍ୱରର ପ୍ରୟୋଗ ଏବଂ କ୍ରିୟା ପଦରେ ଛାଡ଼ିଲି, ହୋଇଲା, କରଇ, ଲଙ୍ଘଇ, ବିଜେ ପ୍ରଭୃତି ଶବ୍ଧ; ତତ୍ସମ ଶବ୍ଦ ମଧ୍ୟରେ ବୀରଶ୍ରୀ, ଗୌଡ଼େଶ୍ୱର, ପରମେଶ୍ୱର, ପରୀକ୍ଷା ପ୍ରମାଣେ, ବିଜେ ଇତ୍ୟାଦି (୧୦); ମଧ୍ୟ ସ୍ୱର ଲୋପ ଜନିତ ଯେପରିକି ଗଜପତି > ଗଜପ୍ତି, ଗୁରୁବାରେ > ଗ୍ରୁବାରେ, ପରମେଶ୍ୱର > ପ୍ରେମେଶ୍ୱର, ସମୟେ > ସ୍ମଏ (୧୧), ପ୍ରଭୃତି ; ବର୍ଣ୍ଣ ବିପକର୍ଷ ଭଳି ଶବ୍ଧ ବର୍ଷ > ବରଷ, ରତ୍ନ > ରତନ, ଜଗନ୍ନାଥ > ଜଗରନାଥ ଇତ୍ୟାଦି; ସ୍ୱର ବିଶ୍ଳେଷର ମଧ୍ୟରେ କଳବର୍ଗେଶ୍ୱର > କଳବରଗେଶ୍ୱର, ଗୌଡ଼େଶ୍ୱର > ଗଉଡ଼େସର (୧୨) ଏବଂ ନୀତି ସମ୍ପର୍କିତ କେତେକ ଶବ୍ଦ ଅବକାଶ, ନାଟ, ବଡ଼ ସିଂହାର, ତାମୂଳ, ବିଜେ, ମାଜଣା, ରତ୍ନଖଟ, ରତ୍ନଛତି, ଚଅର, ରତ୍ନଦର୍ପଣ ଇତ୍ୟାଦିର ପ୍ରୟୋଗ ଏବଂ ପ୍ରାଚୀନ ଶବ୍ଦ ମଧ୍ୟରେ ଅଗ୍ନିଶର୍ମା, ଅଗ୍ରତେ, ମୁଦ୍ରହସ୍ତ, କଟକେ, ସମଏ, ଆନ ଏହିଭଳି କେତେକ ଶବ୍ଦ ଭଣ୍ଡାର ପରିଲକ୍ଷିତ ହୋଇଛି ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ କପିଳେନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ଅଭିଲେଖଗୁଡ଼ିକ ଶ୍ରୀଜଗନ୍ନାଥ ଉପାସନା, ମନ୍ଦିରର ନୀତି ପରିଚାଳନାଦିର ସୂଚନା ପ୍ରଦାନ କରୁଥିବାରୁ ଏଗୁଡ଼ିକ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ । ଏହା ମାଧ୍ୟମରେ ଆମ ଗୌରବାବହ ଅତୀତର ପରିଚୟ ମିଳିଥାଏ ।

 

ସହାୟକ ଗ୍ରନ୍ଥସୂଚୀ:-

(୧)

ମାଦଳାପାଞ୍ଜି–ସମ୍ପା, ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରକା, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ୧୯୬୯, ପୃ.୪୨

(୨)

ଓଡ଼ିଶା ଇତିହାସ (ପ୍ରଥମ ଖଣ୍ଡ)–ଡଃ ହରେକୃଷ୍ଣ ମହତାବ, ପ୍ରକା, କଟକ, ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର, କଟକ, ୧୯୬୪,

 

ପୃ.୨୪୪.

(୩)

ତତ୍ରୈବ–ପୃ୍. ୨୪୪.

(୪)

J.A.H.R.S. (Vol.XXIII)- p.163-172 ଓଡ଼ିଶା ଇତିହାସ (ପ୍ରଥମ ଖଣ୍ଡ)- ଡଃ ହରେକୃଷ୍ଣ ମହତାବ, ପ୍ରକା, କଟକ, ଷ୍ଟୁଡ଼େଣ୍ଟସ ଷ୍ଟେର, କଟକ, ୧୯୬୪, ପୃ.୨୪୫ରୁ ଉଦ୍ଧୃତ)

(୫)

(କ)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ–ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପ୍ରକା, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୪, ପୃ.୧୬୮.

 

(ଖ)

ଶ୍ରୀମନ୍ଦିର ଅଭିଲେଖମାଳା–ଶ୍ରୀ ଜଗବନ୍ଧୁ ପାଢ଼ୀ, ପ୍ରକା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ,ପୁରୀ, ୨୦୦୫, ପୃ.୨୯.

(୬)

(କ)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ–ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପ୍ରକା, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୪, ପୃ. ୧୭୭.

 

(ଖ)

ଶ୍ରୀମନ୍ଦିର ଅଭିଲେଖମାଳା–ଶ୍ରୀଜଗବନ୍ଧୁ ପାଢ଼ୀ, ପ୍ରକା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ, ୨୦୦୫, ପୃ.୩୧.

(୭)

(କ)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ–ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପ୍ରକା, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୪, ପୃ.୧୮୨.

 

(ଖ)

ଶ୍ରୀମନ୍ଦିର ଅଭିଲେଖମାଳା–ଶ୍ରୀଜଗବନ୍ଧୁ ପାଢ଼ୀ, ପ୍ରକା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ, ୨୦୦୫, ପୃ. ୩୨.

(୮)

(କ)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ–ଡକ୍ଟର କୁଞ୍ଜିବିହାରୀ ତ୍ରିପାଠୀ, ପ୍ରକା, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୪, ପୃ. ୧୮୫.

 

(ଖ)

ଶ୍ରୀମନ୍ଦିର ଅଭିଲେଖମାଳା–ଶ୍ରୀଜଗବନ୍ଧୁ ପାଢ଼ୀ, ପ୍ରକା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ, ୨୦୦୫, ପୃ.୩୩-୩୪.

(୯)

(କ)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ–ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପ୍ରକା, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୪, ପୃ.୧୭୧.

 

(ଖ)

ଶ୍ରୀମନ୍ଦିର ଅଭିଲେଖମାଳା–ଶ୍ରୀଜଗବନ୍ଧୁ ପାଢ଼ୀ, ପ୍ରକା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ, ୨୦୦୫, ପୃ. ୩୦.

(୧୦)

ଝଙ୍କାର (୩୫/୭)–ସମ୍ପା. ହରେକୃଷ୍ଣ ମହତାବ, ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକ ଅକ୍ଟୋବର, ୧୯୭୩, ପୃ. ୫୯୫ (ଦ୍ରଷ୍ଟବ୍ୟ ପ୍ରବନ୍ଧ: ଜଗନ୍ନାଥ ମନ୍ଦିରର ଦୁଇଟି ଶିଳାଲେଖ–ଡଃ ନୀଳାଦ୍ରିଭୂଷଣ ହରିଚନ୍ଦନ, ପ୍ରକା, ଶ୍ରୀମତୀ ପୀତାମ୍ବରୀ ଦେବୀ)

(୧୧)

(କ)

ଓଡ଼ିଆ ଭାଷା ଓ ଲିପିର ବିବର୍ତ୍ତନ–ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ, ପ୍ରକା, ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୧୯୮୪, ପୃ.୮୪.

 

(ଖ)

ଭାଷା ବିଜ୍ଞାନର ରୂପରେଖ–ଡଃ ବାସୁଦେବ ସାହୁ, ପ୍ରକା, ସତ୍ୟଶାନ୍ତି ସାହୁ, ଓଡ଼ଗାଁ, ପୃ. ୧୨୦.

(୧୨)

ଓଡ଼ିଆ ଭାଷା ତତ୍ତ୍ୱ - ପ. ଗୋପୀନାଥ ନନ୍ଦଶର୍ମା, ପ୍ରକା, ନିଉ ଷ୍ଟୁଡ଼େଣ୍ଟସ ଷ୍ଟୋର, କଟକ, ୧୯୬୮, ପୃ, ୫୭.

 

ଜୟବିଜୟ ଦ୍ୱାର ଅଭିଲେଖ (୧)

(୧)

ବୀର ଶ୍ରୀ ପ୍ରତାପ କପିଳେଶ୍ୱରଦେବ ମହାରାଜାଙ୍କ ବିଜୟ ରାଜ୍ୟେ ସମସ୍ତ ୪ ଅଙ୍କ ଶ୍ରୀହୀ ।

(୨)

ଧନୁ ଅମାବୈ ସୌରିବାରେ ଶ୍ରୀ ପୁରୁଷୋତ୍ତମ କଟକେ ପରମେଶ୍ୱରଙ୍କ ଦର୍ଶନ ସମମହାପାତ୍ର

(୩)

କକାଇ ସାନ୍ତରା ମହାପାତ୍ର ଜଳସରସେନ ନରେନ୍ଦ୍ର ମହାପାତ୍ର ଗୋପୀନାଥ ମଙ୍ଗରାଜ ମହାପାତ୍ର ।

(୪)

କାଶି ବିଦ୍ୟାଧନ ମହାପାତ୍ର ବେଲସ୍ୱର ପ୍ରହରାଜ ମହାପାତ୍ର ଲଖଣ ପୁରୋହିତ ପଟ୍ଟନାୟକ ଦାମୋଦର ମହା –

(୫)

ସେନାପତି ଥାଇ ପରମେଶ୍ୱରଙ୍କ ଶ୍ରୀଚରଣେ ଅଗ୍ରତେ ଭୋଗ ପରୀକ୍ଷା ପାତ୍ର ଅଗ୍ନିଶର୍ମା ମୁଦ୍ରହସ୍ତର ଗୋଚ –

(୬)

ରେ-ବୋଇଲା ମୁଦଲେ ଶ୍ରୀ ପୁରୁଷୋତ୍ତମ ଦେବଙ୍କ ଦେଉଳଦ୍ୱାରେ ଲେଖନ କରିବା ଆମ୍ଭର ଓଡ଼ିଶା ରା-

(୭)

ଜ୍ୟର ଲୋଣ କଉଡ଼ି ସୁଲକ (ଶୁକ୍ଳ) ନ୍ୟାଯ୍ୟ ଛାଡ଼ିଲି ଛାଡ଼ିଲି ଏହା ରାଜା ହୋଇ ଯେ ଲଂଘଇ ସେ ଶ୍ରୀ

(୮)

ଜଗନ୍ନାଥ ଦେବଙ୍କୁ ଦ୍ରୋହ କର (ଇ) ।

 

ଜୟବିଜୟ ଦ୍ୱାର ଅଭିଲେଖ (୨)

(୧)

ବିର ଶ୍ରୀ ଗଜପତି ଗଉଡ଼େଶ୍ୱର ପ୍ରତାପ କପିଳେଶ୍ୱର ଦେବ

(୨)

ମହାରାଜାଙ୍କର ବିଜେ ରାଜେ ସମସ୍ତ ୧୯ଙ୍କ ଶ୍ରୀହୀ ମେସ ଅମା-

(୩)

ବଇ ରବିବାରେ ମଲିକା ପତୀସା ଦୀଗ-ବିଜେ କରି ବାହୁଡ଼ା କଟକାଇ

(୪)

ସ୍ତ୍ରୀ ପୃସୋତମ–କଟକେ ବିର ମଣୋଇ ବୀଜେ ସମଏ ଶ୍ରୀ ଚରଣ –

(୫)

ଅଗ୍ରତେ କୋଠାଅର ଆନ୍ତର ପରୀକ୍ଷା ମହାପାତ୍ର ରଘୁଦେଓ ନରୀନ୍ଦ୍ର

(୬)

ଜଣାଇ ଛାଡ଼ କରାଇଲାକୁ ଅଲଗା (*) ହୋଇଲା ସ୍ତ୍ରୀ ପୃସୋତମର

(୭)

ପୁଣ୍ଡରୀକ୍ଷ ଗୋପ ଛାଡ଼ି ଦେଲୁ ଏଥକୁ ଯେ ଅବା ଲଙ୍ଘଇ ସେ ଜୟ

(୮)

(ନାଥଦେବଙ୍କୁ ଦ୍ରୋହ) କରଇ ଏ ମୁଦଲେ କେ (ଲାଇ) ଖୁଣ୍ଟିୟା ଲିହାଇ (ଲା)

 

ଜୟବିଜୟଦ୍ୱାର ଅଭିଲେଖ (୩)

(୧)

ବିର ଶ୍ରୀ ଗଜପ୍ତି ଗଉଡ଼େଶ୍ୱର ନବକୋଟି କର୍ନାଟ କଳବର–ଗେଶ୍ୱର ପ୍ରତାପ କପିଳେଶ୍ୱର

(୨)

ଦେବ ମାହାରାଜାଙ୍କର ବିଜେ ରାଜ୍ୟେ ସମସ୍ତ ୩୧ଙ୍କ ଶ୍ରୀହି କକଡ଼ା ସୁ ୧୩ ଗ୍ରୁବାରେ ଶ୍ରୀପୁରୁ

(୩)

ସୋତ୍ତମ କଟକେ ଦକ୍ଷିଣ ଘରେ ମାଜଣା ମଣ୍ଡପେ ବିଜେ ସ୍ମଏ ଅବଧାରିତ ଆଗ୍ୟାଂ

(୪)

ହୋଇଲା ମୁଦଲେ ଭୋ ଶ୍ରୀଜଗନ୍ନାଥ ମୋହର ବାଜିହ ଅଭ୍ୟନ୍ତର ସମସ୍ତ ତ ତୁ ଜାଣୁ

(୫)

ମୋହୋର ଜେତେ ରତନ ପଦାର୍ଥ ଅଛି ସେ ତୋହର । ଏହାଉ ଆବର ଆଉ ଧନ

(୬)

ଯେ ଅଛି ମୁଇ ବ୍ରାହ୍ମଣ ହାଥରେ ତାହା ଜେତେ ଦେଇ ପାରଇ ତାହା ଦେବି

(୭)

ଏ ଭୂମିଖଣ୍ଡ ତୁଂ ଜାହାକୁ କରୁ ମୋହର ନେ ତା ?.... ଜ

 

ଜୟବିଜୟଦ୍ୱାରା ଅଭିଲେଖ (୪)

(୧)

ବୀର ଶ୍ରୀ ଗଜପ୍ତୀ ଗଉଡ଼େଶ୍ୱର ପ୍ରତାପ କପିଳେସ୍ୱର ଦେବ ମହାରାଜାଙ୍କର ବିଜେ ରାଜ୍ୟେ-

(୨)

ସମସ୍ତ ୩୫ ଶ୍ରୀହୀ ମେସ କୃ ୪ ବୁଧବାରେ । ଭୋ ଜଗରନାଥ । ତୋହେ ସେବକ ଏ

(୩)

ମତ (ଏମନ୍ତ) ଜଣାଉଅଛି ରାଇଜଜାକେ ଏ ସାଆନ୍ତମାନଙ୍କୁ ମୁଇଁ ପାଇକ ଚାଉତକୁ କରି

(୪)

ବିଭାଅଧୀଲି । ବାଳକାକୁ ପୋସି ଆଣୀଲି । ଏମାନେ ମୋତେ ସବୁ ହେଁ ଛାଡ଼ିଲେ

(୫)

ଏମାନଙ୍କୁ ମୁଇଁ ଜେ ବାହା ଅନୁରୂପେ ବିହୀବି ନିଗୀ ରହିବି । ଭୋ ଜଗରନାଥ

(୬)

ଏ କଥା ମୋହର ଦୋସ ଅଦୋସ ବିଚାର ।

 

ଜୟବିଜୟ ଦ୍ୱାର ଅଭିଲେଖ (୪)

(୧)

ଶ୍ରୀବୀର ପ୍ରତାପ କପୀଳେସ୍ୱର ନବକୋଠି କ(ର) ନାଟ କଳବର୍ଗେଶ୍ୱର ଗଜପ୍ତୀ ଗୌଡ଼େସ୍ୱର ଦେବ ମହାରାଜାଙ୍କ ବିଜେ ରାଇଜେ ସମସ୍ତ ୪୧ ସ୍ରାହି

(୨)

ଧନୁ ସୁକଳ ସପ୍ତମୀ ରବିବାରେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଦେବକ୍ର ପଦ୍ମପାଦକୁ ଭକ୍ତି ନିମୀତ୍ୟେ କପିଳେସ୍ୱର ରଜାଏ ସେବା କରିଦିଲେ ରତ୍ନ ।

(୩)

ତୋଢ଼ରମା (ନ) ଶ୍ରୀ ଭୂଜର ରତ୍ନ ଶଙ୍ଖ ଚକ୍ର ଦୁଇ ପ୍ରମେଶ୍ୱରଙ୍କ ମଣହିକି ସୁନା ଜୋଗାଡ଼ ଏମାନ ଆଣୀ ପ୍ରବେଶ କଲେ ଭୀମାକ୍ର (ଭୀମାକର) ମାହା

(୪)

(ପାତ୍ର) ଜମସର ମହାପାତ୍ର ବୀସ୍ୱେସର ମହାପାତ୍ର କରମୁ ମହାପାତ୍ର ନାଥ–ମହାପାତ୍ର ଏତେ ଲୋକେ ପ୍ରବେଶ କଲେ ନନ୍ଦି ମହାପାତ୍ରଙ୍କ ଅଧିକାରେ ।

(୫)

ମାଜଣା ମଣ୍ଡପେ ଚଉଦ ଶତ ପ୍ରକରଣ ଭୋଗୋ ଭଟ୍ଟାର ସମସନ୍ତି ଥୋଇଲୋ ପ୍ରମାଣେ ଲାଗି କରାଇଲେ ରତ୍ନ ମୁକୁଟ ୮ ‘କାନଫୁଲ ଜୋଡ଼ାତୁଂଗ ।

(୬)

ଲ ୪ ନୋଡ଼କା ନିସିଦ୍ଧ ଝୋବ୍‌ବା କରି ଯୋଡ଼ା ୮୪ ହୀରାମାଣିକ ବିଚିତ୍ରମାଳ ୨ ନାନ ୩ । ନାଏକ ମୁଦି ମୁକୁତା ।

(୭)

ଯାଉଁଳି ୮ ମୁକୁତା ବଡ଼ କଣ୍ଠିମାଳ ୪ ମାଣିକ ସୂତା ମାଳ ୮ ମରକତ ଜାଉଂଳି ୮ ମରକ ମୁକୁତା ମା ୫ ନାନାରତ୍ନ ତ୍ରିପଦକ କ୍ର (କର) ପଦକ ୪ ମରକ୍ତ (ମରକତ)

(୮)

ତିସରୀସରେ ମାଣିକ ମୁ(କୁ) ତା ପ (ଚ) ସରି ୪ ମୁକୁଦା ତିସରାଉତୁରୀ ୨ ଏକାରତ୍ନ ହାରେ ମୁକୁତା ତୋଡ଼ର ୧

(୯)

ପଦପଲ୍ଲବ ୨ ନାନା ନଏକ ବାଡ଼ଡ଼ୁବି (ବାହୁଟି) ଯୋଡ଼ା ୧୨ ହିରାମାଣିଙ୍କୀ ବାଳା ଜୋ ୨ ଜାଲି ତୋଡ଼ର ୨

(୧୦)

ନାନା ପରତାଡ଼ ଯୋଡ଼ା ୧ ପାହୁର (ପାହୁଡ଼) ୪ ମୁକୁତା କଂକଂଣପଟ ୬

(୧୧)

କାନ୍ତି (?) ଜର କବର (?) କଟୀମେଖଳା କନକ ଭୁଲାଇ ଝୁଲାଇ ମାଳ ୫

(୧୨)

୩ ସୁନା ଜୋଗିତା ୧ ନାନା ପଦାର୍ଥ ଶଙ୍ଖଚକ୍ରର ରତ୍ନମା-

(୧୩)

ଢ ୧୯୭ ସୁନା x x x ଗୋଟିଏ ଶ୍ରୀ କପିଳେସ୍ୱରର –

(୧୪)

ଜା ଏହା ଜଗନ୍ନାଥ ମହାପ୍ରଭୁଙ୍କୁ ଦିଲେ ଏହା ନେମୀ ବୋ-

(୧୫)

ଲି ଜେ ଧନରେ ଧରଇ ସେ ଶ୍ରୀଜଗନ୍ନାଥଙ୍କୁ ଦ୍ରୋହ କରଇ ।

 

 

ସୁନୀତା ବେହେରା

ଗବେଷିକା, ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଫୋ.- ୯୪୩୮୩୧୪୫୪୫

 

***

 

ରୋମାଣ୍ଟିକ କାବ୍ୟାନୁଭବ ବନାମ ବିନୋଦ ନାୟକଙ୍କ କବିତା

ଜ୍ଞାନ ରଂଜନ ପଣ୍ଡା

 

ଓଡ଼ିଆ କବିତାର ପରିସୀମାକୁ ଉତ୍କଳୀୟ ଭୂ-ଖଣ୍ଡରୁ ଡିଆଇଁ ଭାରତ ବାହାରକୁ ନେଇଯାଇ, ରୋମାଣ୍ଟିକ କଳ୍ପନା ବିଳାସର ଯାଦୁରେ ପାଠକକୁ ମୁଗ୍ଧ କରିବାର କୌଶଳ ଜାଣନ୍ତି କବି ବିନୋଦ ଚନ୍ଦ୍ର ନାୟକ, ପ୍ରେମ-ସ୍ୱପ୍ନ-ବିଷାଦ-କଳ୍ପନା ପ୍ରବଣତା–ଦୂରଦେଶ ମୋହକୁ ଆପଣାର କାବ୍ୟସ୍ୱର ଭାବେ ପରିଣତ କରି ପାରିଥିବା ଏ କବି ଜଣଙ୍କ କିନ୍ତୁ ସମାଲୋଚକ ପାଖରେ ହୋଇ ଯାଇଛନ୍ତି ବିତର୍କିତ । ଓଡ଼ିଆ ପାଠକଙ୍କୁ ମାଡ଼ାଗାସ୍କାର । ଅଷ୍ଟ୍ରେଲିଆ, ସୁମେରୁର ଭୂଗୋଳ ସହିତ ପରିଚିତ କରାଇ ଦେଇଥିବା ବିନୋଦ ନାୟକ ସାରାଜୀବନ ନିଜ କବିତା ପାଇଁ ସହି ଚାଲିଲେ ବିବାଦ, ସମାଲୋଚନା, ନାସିକା ଭ୍ରୁକୁଞ୍ଚନର ବୋଝ, ନୀରବରେ ମଥାପାତି ପ୍ରତିପକ୍ଷର ରଣ ହୁଙ୍କାରକୁ ସହି ଯାଇଥିବା ଏ କବିଙ୍କ କବିତା କିନ୍ତୁ ଆମ ପାଠକୀୟ ମନକୁ ଆକର୍ଷଣ କରିବାରେ ସଫଳ ହେଲା । ଏ କି ବିଚିତ୍ର କଥା ପାଠକେ । ଥୋକେ ତାଙ୍କୁ ବୈଦେଶିକ କହି ଭର୍ତ୍ସନା କଲେଣିତ, ଆଉ କେହି ତାଙ୍କ କବିତାକୁ ସୁଦୂରର ସଂଗୀତ କହି କୋଳେଇ ନେଲେଣି । ବିନୋଦ ନାୟକ ସେହିଭଳି ଜଣେ ବିସ୍ମୟକର ଶିଳ୍ପୀ, ଯାହାଙ୍କ ଲେଖନୀରେ ଲବଙ୍ଗଦ୍ୱୀପରେ ବର୍ଷା ମନ ଜିଣିନିଏ, ଏସ୍କିମୋର କୁଟୀର ଆପଣାର ମନେ ହୁଏ, କାଖରେ କଳସୀ ଧରି ଆସୁଥିବା ଚଷା ଘର ଝିଅ ଆଖିକୁ ସୁନ୍ଦର ଦେଖାଯାଏ । ଏଣିକି ଆମ୍ଭ ପାଠକୀୟ ମନ ଅଥୟ ହୋଇ ଉଠିଲାଣି । କବି ବିନୋଦ ନାୟକଙ୍କ କବିତା ରୂପୀ ଆହ୍ୱାନ ଦେଲାଣି । ଆସନ୍ତୁ, ସେଇ ଆହ୍ୱାନକୁ ସ୍ୱୀକାର କରି ତାଙ୍କ କବିତା ରାଜ୍ୟକୁ ପ୍ରବେଶ କରିବା ।

 

ସବୁଜ ସମକାଳରୁ କବିତା ସର୍ଜନା ଆରମ୍ଭ କରିଥିବା କବି ବିନୋଦ ନାୟକ ଉଭୟ ଉପନିବେଶବାଦୀ ଓ ଉତ୍ତର ଉପନିବେଶବାଦୀ କାଳଖଣ୍ଡରେ ଓଡ଼ିଆ କବିତାକୁ ନାନାବିଧ ବୈଚିତ୍ର୍ୟ ଓ ନୂତନତାରେ ସୁଶୋଭନ କରି ପାରିଛନ୍ତି । ତାଙ୍କର ପ୍ରଥମ କବିତା ସଂକଳନ ହୈମନ୍ତୀ ଠାରୁ ଚନ୍ଦ୍ର ଓ ତାରା, ନନ୍ଦାଦେବୀ, ନୀଳଚନ୍ଦ୍ରର ଉପତ୍ୟକା, ‘ଇଳାବୃତ୍ତ’, ‘ସାତ ତାରାର ଦ୍ୱୀପ’, ‘ସରୀସୃପ’ ପୋହଳାଦ୍ୱୀପର ଉପକଥା, ‘ଅନ୍ୟ ଏକ କାବ୍ୟଭାବନାର ପ୍ରକୃତ ଆବେଦନକୁ ଅନୁଭବ କରାଯାଇ ପାରେ । କବି ଶ୍ରୀଯୁକ୍ତ ନାୟକ ବିଶେଷ କରି ରୋମାଣ୍ଟିକ ବସ୍ତୁଧର୍ମୀ ଶିଳ୍ପୀଭାବେ ମାର୍ଗରେ ଅଗ୍ରଗତି କରି ଆପଣାର କଳା ନୈପୁଣ୍ୟ ବଜାୟ ରଖିଛି । ପ୍ରାଥମିକ ପର୍ଯ୍ୟାୟରେ ମାନବବାଦୀ ଆଭିମୁଖ୍ୟ, ରୋମାଣ୍ଟିକ ଭାବନାକୁ ଆଶ୍ରୟ କରି କି ବିନୋଦ ନାୟକ କବିତା ସର୍ଜନାରେ ନିମଗ୍ନ ହୋଇଛନ୍ତି । ବିଶେଷ କରି ହୈମନ୍ତୀ କବିତା ସଂକଳନରେ କବିଙ୍କ ରୋମାଣ୍ଟିକ ଆବେଗ ପ୍ରବଣତା ସବୁଜ ସମଗୋତ୍ରୀୟ ମନେ ହୋଇଥାଏ । ଏଠାରେ ଏହି କବିତା ସଂକଳନର ଗୋଟିଏ କବିତାକୁ ଗ୍ରହଣ କରାଯାଇପାରେ–

 

‘‘ତୁମେ କି ଅପସରା

      କନ୍ୟାଥିଲ

ଆକାଶେ ବି ବିଦ୍ୟୁତ୍

      ବନ୍ୟାଥିଲ

ସୁଲଳିତ ସଂଗୀତ ଭଙ୍ଗୀର ଇଙ୍ଗିତେ

      ଅଙ୍କିତ ରୂପେ

            ଅନନ୍ୟା ଥିଲ ।’’       (ହଂସୀ ଥିଲ)

 

ସବୁଜ ସମକାଳରେ କବିତା ରଚନା ଆରମ୍ଭ କରିଥିବାରୁ ସବୁ ଛାପରୁ କବି ଶ୍ରୀଯୁକ୍ତ ନାୟକ ଆଦୌ ମୁକ୍ତ ହୋଇ ପାରିନାହାନ୍ତି । ତେଣୁ ସବୁଜ ଧାରାର ସ୍ୱପ୍ନ ବିଳାସ–କଳ୍ପନା ପ୍ରବଣତା–ଅଶରୀର ନାୟିକା ପରିକଳ୍ପନାର ଚିନ୍ତାଧାରା ବିନେଦ ନାୟକଙ୍କ କବିତାରେ ଭରି ରହିଛି-

 

ରୋମାଣ୍ଟିକ କବି ବିନୋଦ ନାୟକ ନୂତନତାର ଇନ୍ଦ୍ରଜାଲ ସୃଷ୍ଟି କରିବାକୁ ଯାଇ ବାରମ୍ବାର ହୋଇଛନ୍ତି ସମାଲୋଚନାର ଶରବ୍ୟ, ନିଜର ପାରିପାର୍ଶିକ ପରିବେଶକୁ ଦୂରେଇ ଯାଇ ବିଦେଶକୁ କାବ୍ୟ ପୁରୁଷ ତାଙ୍କର ଧାଇଁ ଯାଇଛି ନୂଆ କିଛି ଉପାଦାନ ସଂଗ୍ରହ ପାଇଁ କବି ନାୟକଙ୍କ ଏହି ଆଭିମୁଖ୍ୟକୁ ଆକ୍ଷେପ କରି ସମାଲୋଚକ ମାୟାଧର ମାନସିଂହ କହିଥିଲେ ।

 

‘‘ଏଇ ‘ନୂତନ’ମାନଙ୍କ ମଧ୍ୟରେ ଆଉ ଦଳେ ଦେଖା ଦେଇଛନ୍ତି, ଯେଉଁମାନେ xxx ଏତେ ଆତ୍ମକୈନ୍ଦ୍ରିକ ନୁହଁନ୍ତି ସତ; କିନ୍ତୁ ସେମାନେ ସେମାନଙ୍କର ସମସ୍ତ ଭରସା ଜାଳି ଦେଇଛନ୍ତି ଅପରିଚିତ, ଅଦେଖା ଓ ଅନିକଟ ଉପରେ–ତାକୁଇ ନୂତନତାର ଶ୍ରେଷ୍ଠ ଲକ୍ଷଣ ଧରି । ଏମାନଙ୍କ ନିକଟରେ ଓଡ଼ିଶା, ତା’ର ମାଟି, ତା’ର ଇତିହାସ, ସଂସ୍କୃତିର କୌଣସି ଅର୍ଥ ନାହିଁ । ‘ମଡ଼ର୍ଣ୍ଣ’ ହେବାକୁ ହେଲେ ଲେଖକ ନିଜକୁ ସମ୍ପୂର୍ଣ୍ଣ ରୂପେ ଐତିହ୍ୟମୁକ୍ତ ଓ ସ୍ଥାନୀୟ ଚେତନା–ଶୂନ୍ୟ ହୋଇଥିବାର ଦେଖେଇଦେବା ଦରକାର ବୋଲି ବୋଧହୁଏ ଏମାନଙ୍କ ବିଶ୍ୱାସ, ଏ ଦଳର ଅଗ୍ରଣୀ ହେଉଛନ୍ତି ବିନୋଦ ଚନ୍ଦ୍ର ନାୟକ, ଓଡ଼ିଶାର ଏକ ଦୂର ପ୍ରାନ୍ତୀୟ ଅଞ୍ଚଳ ପଲ୍ଲୀ ଗ୍ରାମରେ ବସି, ନାୟକେ ନିଜର ଚତୁଃପାର୍ଶ୍ୱକୁ ଏକାବେଳେ ଭୁଲିଯାଇ, ଦୀର୍ଘ ଗୌରବରଜନୀର ନିଃସଙ୍ଗତା, ଅରୋରା–ବୋରିଆଲିସ୍‌ର ଆଲୋକ ଛଟା, ବିଷୁବୀୟ ଆଫ୍ରିକାରେ ବାମନମାନଙ୍କର ନୃତ୍ୟ ବା ଜାଞ୍ଜିବର ଦ୍ୱୀପ ସୁନ୍ଦରୀମାନଙ୍କର ଲବଙ୍ଗ ପୁଷ୍ପ ତୋଳିବାବେଳର ସ୍ମିତ ହାସ୍ୟକୁ ବର୍ଣ୍ଣନା କରିଛନ୍ତି ।’’ ଏତେସବୁ ଅପବାଦ ସତ୍ତ୍ୱେ କିନ୍ତୁ ବିନୋଦ ନାୟକଙ୍କ ରୋମାଣ୍ଟିକ୍ କାବ୍ୟ ଭାବନା ଦୂରାନ୍ୱୟୀ ଚିତ୍ରକଳ୍ପର ସନ୍ଧାନରେ ଓଡ଼ିଆ କବିତାରେ ନୂତନ ଦ୍ୟୋତନା ଆଣି ଦେଇଛି ।

 

ପାଠକେ ! ବିନୋଦ ନାୟକଙ୍କ କବିତା ରୋମାଣ୍ଟିକ ଭାବନାର ଅବଗୁଣ୍ଠନ ତଳେ ସ୍ମିତହାସ୍ୟ ଦେଲାଣି, ଆଖିର କଟାକ୍ଷରେ ପାଖକୁ ଆସିବାର ଇଙ୍ଗିତ ଦେଲାଣି, ଆସନ୍ତୁତ ସେହି ଭାବନାରେ କିଛି ସମୟ ହଜିଯିବା । ପ୍ରକୃତି-ନାରୀକୁ କେନ୍ଦ୍ରକରି ଶ୍ରୀ ନାୟକଙ୍କ ରୋମାଣ୍ଟିକ କାବ୍ୟାନୁଭବ ପ୍ରକଟିତ ହୋଇଛି । ‘ସନ୍ଧ୍ୟାରାଣୀ’, ‘ଫଗୁଣମେଘ’ ‘ଜ୍ୟୋତ୍ସ୍ନା’, ‘ଲଘୁବତାସ’, ‘ସୁନାମେଘ’, ‘ବର୍ଷାରାସ’ ପ୍ରଭୃତି କିବିତାଗୁଡ଼ିକ ଏହାର ଦୃଷ୍ଟାନ୍ତ । ଟିକେ ଭଲକରି ନଜର ପକାନ୍ତୁ ପାଠକେ–ମାଡ଼ାଗାସ୍କାରର ଲବଙ୍ଗ ଦ୍ୱୀପରେ ଆଦ୍ୟ ଆଷାଢ଼ର ପ୍ରଥମ ବାରି ଝରିଲାଣି, ଲବଙ୍ଗ କ୍ଷେତରୁ ଜାୟତ୍ରୀ ଫୁଲର ବାସ୍ନା ଆସିଲାଣି, ରାଜକନ୍ୟା ଜାହାନ୍ନାରା ତା’ର ପ୍ରିୟତମକୁ ଭେଟିବାକୁ ବ୍ୟାକୁଳ ହେଲାଣି । ସେଲିମ-ଜାହାନ୍ନାରା ପ୍ରଣୟ ହୃଦୟକୁ ଛୁଇଁଲାଣି, ଏଥିରୁ ଆଉ ମୁକ୍ତ ହେବା ସମ୍ଭବ ନୁହେଁ । ଏଇଠି କବିଙ୍କର ଏ ପଦଟି ଆବଶ୍ୟକ ହୋଇଉଠୁଛି –

 

‘‘ଛୋଟ ବଂଶୀଟି ଲଗାଇ ଓଷ୍ଠ ପୁଟେ

ତୋଳିଥିଲା କେତେ ଛନ୍ଦହୀନ ସୁର

ଡାହାନ୍ନାର ତା ଲୋଲୁପ ହାତଟି ତୋଳି

ବଂଶୀଟି ନେଇ ଅପାର କୌତୁହଳେ

କହିଥିଲା, ସେଲିମ ! ଆଉ ଥରେ କୁହଭାଇ

ହରନ୍–ଉଲ–ରସ୍–ଇଦ୍ ରାଜାପୁଅଟି ଗପ ।’’

 

x      x      x

ମୌଲବୀ ଘର କନ୍ୟା ଜାହାନ୍ନାରା

ଆଉ କାର ଚାରୁ ଅଙ୍ଗୁର ବନେ ବୁଲବୁଲ୍ ସମ ହାୟେ

ତୋଳିଛି ବୀଣାର ତାନେ ।’’

(ସେଲିମ୍‌ର ସ୍ୱପ୍ନ)

 

ସେଲିମ୍ ସହିତ ଜାହାନ୍ନାରାର ପିଲାଦିନେ ଗଢ଼ି ଉଠିଥିବା ସମ୍ପର୍କ ଧୂଳିଖେଳ ପରବର୍ତ୍ତୀ କାଳରେ ପ୍ରେମ ଓ ପ୍ରଣୟରେ ରୂପାନ୍ତରିତ ହୋଇଛି । ତେବେ ଜାହାନ୍ନାରା ଅନ୍ୟ ଜଣଙ୍କର ହୋଇ ଚାଲିଯିବା ଫଳରେ ବିରହ-ବିକ୍ଷୁବ୍‌ଧ ସେଲିମ୍‍ର ଦୁଃଖ-ସୁଖ ରୂପନେଇଛି କବିତାରେ । ଏହି ପ୍ରସଙ୍ଗରେ କି ସୁଦୂର ଭୂଗୋଳର ଚିତ୍ରକୁ ଉପସ୍ଥାପନ କରିଛନ୍ତି, ଯଦ୍ୟପି କାବ୍ୟର ସ୍ୱଳ୍ପ କଥାବସ୍ତୁ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

 

ରୋମାଣ୍ଟିକ ଇନ୍ଦ୍ରିୟଗ୍ରାହୀ ଚିତ୍ରକଳ୍ପର ସନ୍ଧାନରେ କବି ବିନୋଦ ନାୟକଙ୍କ କବିତାଗୁଡ଼ିକ ଦେହ ସର୍ବସ୍ୱତାର ପ୍ରାୟତଃ ମୁକ୍ତ ହୋଇପାରି ନାହାନ୍ତି । ଦୈହିକ ପ୍ରେମ ଜୈବିକ ଚେତନା ଯାଏ ତାଙ୍କ କବିତାରେ ସ୍ପଷ୍ଟ ଦୃଶ୍ୟ ହୋଇଥାଏ । ମାତ୍ର ତାଙ୍କ କବିତାରେ ପ୍ରଣୟ ଅନେକ ସମୟରେ ପରିଚିତ ସୀମା ଓ ପରିଧି ଲଙ୍ଘନ କରି ପୃଥିବୀର ବହୁ ସ୍ୱପ୍ନମୟ ସ୍ଥାନ ଆଡ଼କୁ ଅଗ୍ରସର ହୋଇଛି । ଏଇ ଦେହ ସର୍ବସ୍ୱ କବିତାଗୁଡ଼ିକ ଯୌନ-ଆକାଂକ୍ଷାରୁ ମୁକୁଳି ନ ପାରି ଅନେକ ସମୟେ ଉତ୍କଟ ହୋଇ ପଡ଼ିଛନ୍ତି । ଏଇଠି ଗୋଟିଏ ପଦର ଉଦାହରଣ ଭାବେ ନିଆଯାଇପାରେ–

 

‘‘ଉପରେ ରିଠା ବୃକ୍ଷର ପରିଣତ ଶାଖା

ତଳେ ସାଜି ମାଟିର ନୀଳ ଆସ୍ତରଣ,

ଏଇ ପରିସ୍ଥିତି ମଧ୍ୟେ

ଆଦିମ ସରୀସୃପର ସାନ୍ନିଧ୍ୟ କ୍ଷୁଧାନେଇ, ପରସ୍ପରର ପରିଚୟ ହେଲା

ତୁମ ନଗ୍ନ ସ୍ୱାସ୍ଥ୍ୟର ସ୍ୱାଦ ନିବିଡ଼ ତୁମର ମସୃଣ ଉଗ୍ରତା

ଦେଇଥିଲା ଗଭୀରତା ଆଉ ପରିତୃପ୍ତି ।’’

(ସରୀସୃପ)

 

ଏ କବିତାରେ ରୋମାଣ୍ଟିକ ଭାବନାଠାରୁ କାବ୍ୟ ନାୟକର ଯୌନକ୍ଷୁଧା, ଯୌନ ପରିତୃପ୍ତି ଉତ୍କଟ ହୋଇ ଉଠିଛି । ଭି.ଏଚ୍.ଲରେନ୍‌ସଙ୍କ ସାହିତ୍ୟ ଭଳି ବିନୋଦ ନାୟକଙ୍କ ସାହିତ୍ୟରେ ଯୌନତା-ପ୍ରେମ ଗୋଟିଏ ଭାବବୃତ୍ତ ଭିତରେ ରହି ଯାଇଛନ୍ତି । କବି ଶ୍ରୀଯୁକ୍ତ ନାୟକଙ୍କ ଆଉ କେତୋଟି କବିତା ଯେପରି କୁମ୍ଭ କାମୋଦୀ, ‘ମାଳଞ୍ଚ’ ‘ଅଳପ ବିସ୍ତର’ ‘ଏକ ରାତ୍ରିର ସଖୀ’ ‘ନିଳଚନ୍ଦ୍ରର ଉପତ୍ୟକା’ ପ୍ରଭୃତି କବିତା ରୋମାଣ୍ଟିକ କବିତା ପର୍ଯ୍ୟାୟରେ ପରିଗଣିତ ହେଲେ ମଧ୍ୟ ଦୈହିକ କାମନାରୁ ମୁକ୍ତ ହୋଇପାରି ନାହାନ୍ତି । କବିଙ୍କର ଅନ୍ୟତମ ସଫଳ କବିତା ‘ନୀଳଚନ୍ଦ୍ରର ଉପତ୍ୟକା’ରେ ରୋମାଣ୍ଟିକ ଚେତନା ସହ ଅତିକଳ୍ପନା ଓ ଦେହଜ କାମନା ମିଳିତ ହୋଇ ଭିନ୍ନ ବିନୋଦୀୟ କାବ୍ୟସ୍ୱର ସୃଷ୍ଟି କରିପାରିଛି । କବି ନାୟକଙ୍କ ଏହି କବିତା ସଂକଳନ ସମ୍ପର୍କରେ କିନ୍ତୁ ଆଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ମତ ଆମକୁ ବିନୋଦ ନାୟକଙ୍କୁ ନୂଆ ବାଗରେ ଚିହ୍ନବାର ତରିକାଟି ଦେଖାଇ ଦିଏ । ଯଥା: ‘ବିନୋଦ ନାୟକଙ୍କ କବିତା ସୁଦୂରର ସଂଗୀତ । ଯାହା ନିକଟରେ, ଯାହା ଦୁଇହାତରେ ପାଇବାର ସୀମା ଭିତରେ, ଯାହା ସୁଲଭ୍ୟ ସେ ସବୁ ବିନୋଦ ଚନ୍ଦ୍ର ନାୟକଙ୍କ ଦୃଷ୍ଟିରେ ଅତି ମାମୁଲି, ଅତି ଦୈନନ୍ଦିନ, ଅତି ରଙ୍ଗଛଡ଼ା । ତେଣୁ ଦେଶ, କାଳ, ପାତ୍ରର ସଂକୀର୍ଣ୍ଣ ସୀମା ଲଂଘନ କରି, ବିନୋଦ ନାୟକଙ୍କ କବିତା ନୂତନ ଜାତି ଓ ନୂତନ ପ୍ରକୃତିର ସନ୍ଧାନ କରିଛି ।’’

 

ରୋମାଣ୍ଟିକ ଚେତନା ଭିତରେ କବି ବିନୋଦ ନାୟକଙ୍କ ଅତୀତର ସ୍ମୃତି ପ୍ରତି ମଧ୍ୟ ବେଶ ଆମୁଖ ହୋଇ ପଡ଼ିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟର କାବ୍ୟସ୍ୱରରେ ଯଦ୍ୟପି ବିନୋଦନାୟକ ସବୁଜ ଛାପରୁ ମୁକୁଳି ତାଙ୍କ କବିତାରେ ଶେଷ ପର୍ଯ୍ୟାୟ ବଳବତ୍ତର ହୋଇ ରହିଥିଲା । ରୂପପ୍ରତି ଆକର୍ଷଣ, ସୌନ୍ଦର୍ଯ୍ୟ ଲିପ୍‌ସା ମଧ୍ୟରେ ବିନୋଦ ନାୟକଙ୍କ ଅଷ୍ଟାଲିଜିକ୍ ଦୃଷ୍ଟି କିନ୍ତୁ ନିଆରା ଭାବେ ଆମ ପାଠକୀୟ ମନକୁ ମୁଗ୍ଧ କରିଥାଏ । ଏଠାରେ ଏହାର ଏକ ନମୁନା ଦିଆଯାଇପାରେ–

 

‘‘ମନେ ପଡ଼େ ପ୍ରାଥମିକ ସମାରୋହ ହୀନ ଜୀବନର

x      x      x

ହେମନ୍ତର ଦ୍ୱିପ୍ରହର ବେଳେ

ଦୂରଗ୍ରାମ ଚାଟଶାଳୀ ଘରେ

ଛୁଟି ଘଣ୍ଟା ବାଜି ଉଠୁଥିଲେ

ପୋଖରୀର ନିଛାଟିଆ ତୁଠେ

ନିତ୍ୟ ତା’ର ସାଥେ ଭେଟ ହୁଏ

କଳା କଳା ଆଖି ଦିଓଟିରେ

ମନ୍ତ୍ରମୁଗ୍ଧ ଦେଖିଥିଲି ମୁହିଁ

ଲକ୍ଷ୍ମଜୀବନର ମୋର ସ୍ଥାଣୁ ଇତିହାସ

ପୃଥବୀର ମାଟି ମୋତେ ଲାଗିଥିଲା ଭଲ ।’’

(ଆକାଶ ପଥିକର ଆତ୍ମକଥା)

 

ବାଲ୍ୟ ଚପଳତା, ପିଲାଦିନ ଏ ସବୁ ପ୍ରତି ପ୍ରତ୍ୟେକ କବିଙ୍କର ଆକର୍ଷଣ ରହିବା ସ୍ୱାଭାବିକ କିନ୍ତୁ ଏଇ ଅତୀତର ସ୍ମୃତି ନିରୁତା ରୋମାଣ୍ଟିକ କବି ପଣରେ ଚିତ୍ର ରୂପ ଦେବା ବିନେଦା ନାୟକଙ୍କ ସ୍ୱାତନ୍ତ୍ର୍ୟ ।

 

ନିଜର ପଳାୟନ ପନ୍ଥୀ ମନୋଭାବ ପାଇଁ ଶ୍ରୀଯୁକ୍ତ ନାୟକ ବହୁବାର ସମାଲୋଚନାର ଶିକାର ହୋଇଥିଲେ ମଧ୍ୟ ତାଙ୍କ ପଳାୟନ ପନ୍ଥୀତା ସବୁଜ ଧାରାର ପଳାୟନ ପନ୍ଥୀ ମନୋଭାବଠାରୁ ସ୍ୱତନ୍ତ୍ର । ଦେଶ ବିଦେଶର ଭୌଗୋଳିକ ଚିତ୍ରପଟକୁ ସେ ପ୍ରତ୍ୟକ୍ଷ କରିଛନ୍ତି କବିତାର କାରୁକାର୍ଯ୍ୟ ଭିତରେ । ଯାହା କବିତାକୁ ପ୍ରାଣସ୍ଫୁର୍ତ୍ତି ଦେଇଛି ଓ ପ୍ରାଣଶକ୍ତି ଦେଇଛି । ଏ ଦୃଷ୍ଟିରୁ ତାଙ୍କ ପଳାୟନ ପନ୍ଥୀ ମନୋଭାବ କୌତୁହଳ ଓ ଜିଜ୍ଞାସା ବୋଲି କୁହାଯାଇପାରେ । ଏତଦ୍‍ବ୍ୟତିତ ୧୯୫୦ ପରବର୍ତ୍ତୀ କାଳରେ ଇନ୍ଦ୍ରିୟୋତ୍ତର ଉପଲବ୍ଦ ତାଙ୍କ କବିତାରେ ଆତ୍ମ ପ୍ରକାଶ କରିଥିଲେ ମଧ୍ୟ ତାହା ତାଙ୍କ ସମକାଳୀନ କବି ବେଣୁଧରଙ୍କ କବିତା ଭଳି ଶକ୍ତିଶାଳୀ ଶାବ୍ଦିକ ବ୍ୟଞ୍ଜନା ମଧ୍ୟରେ ପ୍ରକାଶ ପାଇବାର ସାମର୍ଥ୍ୟ ରଖିନାହିଁ । ଏ ଦୃଷ୍ଟିରୁ ତାଙ୍କର ‘ଏକ ରାଜହଂସ’ ‘ଇଳାବୃତ’ ‘ଅନ୍ୟ ବନ୍ଦର’ ପ୍ରଭୃତି କବିତାଗୁଡ଼ିକ ଆଧିଭୌତିକ ଚେତନାର ସ୍ପର୍ଶ ଲାଭ କରିଛି । ଏଠାରେ ଏକ କବିତା ପଂକ୍ତି ମାଧ୍ୟମରେ ଏହାର ନମୁନା ଦିଆଯାଇପାରେ-

 

‘‘ମୁଁ ତ

ଆକାଶ ହଂସ ମୋ ପାଇ:

 

କିମ୍ପା ଶାଖାର କୁସୁମ ଶଯ୍ୟା

କିପାଁ

ନୀଚେ ସ୍ୱାଗତିକା କୂଜନ

 

ଅଭିମାନ ସଂକୋଚ ଲଜ୍ଜା’’

 

x      x      x

 

ତାର ଗଭୀର ଗନ୍ଧ ପରଶେ

 

ମୁଁରେ ବିକଶି ଉଠିବି ହରଷେ

 

ମୋର ଲାଞ୍ଛିତ ଯୁଗ ପକ୍ଷ

ତାର

ସଂଳାପେ ହେବ ଧବଳ ।’’

 

(ଆକାଶର କବିତା)

 

ପୂର୍ବୋକ୍ତ କାବ୍ୟଧାରାରରେ ଆମେ ଯେଉଁ ଦୈହିକ କାମନାର କବିତାକୁ ଭେଟିଥିଲେ, ’ଇଳାବୃତ୍ତ’ କବିତା ସଂକଳ୍ପରେ ତାହା ଅନ୍ତଃହୀନ ଜୀବନ ଜିଜ୍ଞାସା ଓ ଆଲୋକ ଉତ୍ତରଣ ସନ୍ଧାନରେ ଆଧିଭୌତିକ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛି । ପାଠକେ ! କବି ବିନୋଦ ନାୟକଙ୍କ କବିତା ରୂପସୀକୁ ତ ଭେଟି ସାରିଲେଣି, ତା’ର ରୋମାଣ୍ଟିକ ଆବେଦନରେ ବିହ୍ୱଳ ହୋଇ ପଡ଼ିଲେଣି, କିନ୍ତୁ ତାଙ୍କର ରୋମାଣ୍ଟିକ୍ ପରିପ୍ରକାଶରେ ଗ୍ରାମ୍ୟ ଜୀବନକୁ ନ ଖୋଜି ବାହୁଡ଼ି ଯିବାଟା ଅନ୍ୟାୟ ହେବ । ଗ୍ରାମ୍ୟ ଜୀବନର ନିବିଡ଼ି ଅନୁଭୂତିକୁ ପ୍ରତ୍ୟକ୍ଷ ଭାବେ ଉପସ୍ଥାପନ କରିବାରେ କବି ଶ୍ରୀଯୁକ୍ତ ନାୟକଙ୍କ କବିତା ସମକାଳୀନ ଧାରାଠାରୁ ବ୍ୟତିକ୍ରମ ମନେହୁଏ । ବର୍ଷା ଆସିଲାଣି, ଲାଜକୁଳୀ ଗାଁ ବାଟ ଲାଜ କଲାଣି, ପଲ୍ଲୀବଧୂ ଭିଜା ଦେହ, ଓଦା ଶାଢ଼ୀ ମନ୍ତ୍ରମୁଗ୍ଧ କଲାଣି, ଏ ସମ୍ମୋହନ ଆଉ ସ୍ଥିର ହେବା ସମ୍ଭବ ନୁହେଁ, ପାଠକୀୟମନ ଲୋଡ଼ିଲାଣି କବିତାରୁ ପଦଟିଏ –

 

‘‘ଗ୍ରାମ ପାଖେ ଯେଉଁ ଶୂନ୍ୟ ପଡ଼ିଆ ଧୂ ଧୂ କରେ ବାରମାସ

ଶାଗୌ ଘାଘରା ପିନ୍ଧିଛି ଆଜି କି ସେ

ଶାଗୁଆ ଶାଢ଼ିଟି ପିନ୍ଧି ସେ ପଥେ

ନୂଆ ଭୂଆସୁଣୀ ଯାଏ

ଦେହେ ଓଦାଶାଢ଼ୀ ଜଡ଼ି ମନଲୋଭା ଦିଶେ ।’’

(ବର୍ଷାର କବିତା)

 

ଏ ବର୍ଣ୍ଣନାକୁ କ’ଣ କୁହାଯିବ ପଲ୍ଲୀ ପ୍ରତି ନିବିଡ଼ ଆକର୍ଷଣ ନା ମାଟି ପ୍ରତି ଅଧିକ ମୋହ ? ଏଇ କବିତାଟି ବିନୋଦ ନାୟକଙ୍କ ରୋମାଣ୍ଟିକ୍‍ କବି ପ୍ରବଣତାକୁ ଶୀର୍ଷ ସ୍ଥାନକୁ କିନ୍ତୁ ନେଇ ଯାଇଛି । ବର୍ଷାଦିନର ଗାଆଁ ଦୃଶ୍ୟ ଫଟୋଗ୍ରାଫିକ୍ ହେବା ଅପେକ୍ଷା ଅଧିକ ସଚଳ ଓ ଜୀବନ ହୋଇ ଉଠିଛି । ଗାଁର ପଡ଼ିଆ ଶାଗୁଆ ବସ୍ତ୍ର ପିନ୍ଧିବା, ପୁଣି ଗ୍ରାମ୍ୟ ବଧୂ ଶାଗୁଆ ଶାଢ଼ୀ ପିନ୍ଧି ବର୍ଷାରେ ଓଦା ହୋଇ ଯିବାର ପରିକଳ୍ପନା ସବୁଜ ପନ୍ଥୀୟ ରୋମାଣ୍ଟିକ୍ ଭାବନାଠାରୁ କୌଣସି ଗୁଣରେ କମ୍ ନୁହେଁ । ଏ ପରିପ୍ରେକ୍ଷୀରେ କବିଙ୍କର ବହୁଚର୍ଚ୍ଚିତ–ବହୁଲୋକାଦୃତ କବିତା ‘ଗ୍ରାମପଥ’କୁ ସ୍ମରଣ କରାଯାଇପାରେ, ଉତ୍କଳୀୟ ପଲ୍ଲୀ ଜୀବନର ନିପୁଣ ଆଲେଖ୍ୟ, ବାସ୍ତବ ଚିତ୍ରକୁ ବିନୋଦ ନାୟକ ଯେଭଳି ପରିପ୍ରକାଶ କରିଛନ୍ତି, ତାହା ତାଙ୍କୁ ଓଡ଼ିଆ କବିତାରେ ଚିର ସ୍ମରଣୀୟ କରି ରଖିଥିବ । ଏହାର ଗୋଟିଏ କବିତା ପଂକ୍ତିକୁ ଏଠାରେ ପ୍ରକାଶ କରାଯାଇପାରେ ।

 

‘‘ଜହ୍ନ ଏ ପଥେ ଢାଳର ରଜତ ମାୟା

କୁମାରୀ ଦଳର ମିଳିତ କଣ୍ଠୁ

ସଂଗୀତ ଉଠେ ଆହା

ଧନ କ୍ଷେତେ ବଳେ କୃଷକ ତରୁଣ

ରାତ୍ରି ଶୟନ ପାଇଁ

ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ

ଭସାଣି ମେଘ ଛାୟୀ’’

(‘ଗ୍ରାମପଥ’)

 

ଗ୍ରାମ୍ୟ ଜୀବନ ସମ୍ପର୍କିତ ଏ କବିତାଟିର ରଚନାଶୈଳୀ ଅତ୍ୟନ୍ତ ସରଳ, ହୃଦୟଗ୍ରାହୀ ଓ ଫଟୋଗ୍ରାଫିକ । ଏହାର ରୋମାଣ୍ଟିକ ଆବେଦନ, କବିଙ୍କର ପଲ୍ଲୀପ୍ରାଣତା, ଗ୍ରାମ ତଥା ମାଟିପ୍ରତି ମୋହ କବିତାକୁ କଳାତ୍ମକ ମର୍ଯ୍ୟାଦାର ଶ୍ରେଷ୍ଠତମ ସୋପାନକୁ ନେଇ ଯାଇଛି । ‘ଗ୍ରାମପଥ’ କବିତା ଶବ୍ଦ ଖେଳର କବିତା ନୁହେଁ, ମଣିଷ ମନର କବିତା, ନିରୁତା ପଲ୍ଲୀ ପ୍ରେମ କବିତା ।

 

ଅନେକ ସମୟରେ ବିନୋଦ ନାୟକଙ୍କ କାବ୍ୟସ୍ୱର ରୋମାଣ୍ଟିକ ଭାବାନା, ସୌନ୍ଦର୍ଯ୍ୟ ପ୍ରବଣତାରେ ମଣ୍ଡିତ ହୋଇଥିଲେ ମଧ୍ୟ ଦୂରତ୍ୱର ମୋହ, ଅସୀମ ପ୍ରତି ଶ୍ରଦ୍ଧା ତାଙ୍କୁ ସଫଳ କବିର ମାନ୍ୟତା ଦେଇଛି । ଏ ଆଲୋଚନାର ପରିସମାପ୍ତି କରିବା ପୂର୍ବରୁ, ଆଲୋଚକ ଡ. ନିତ୍ୟାନନ୍ଦ ଶତପଥୀ ମହୋଦୟ ‘ସବୁଜରୁ ସାମ୍ପ୍ରତିକ’ ଗ୍ରନ୍ଥରେ ବିନୋଦ ନାୟକଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଉପସ୍ଥାପନ କରିବାରେ କୌଣସି ସଂକୋଚ ନାହିଁ । ଡ. ଶତପଥୀଙ୍କ ମତରେ ‘‘ତାଙ୍କ ସ୍ୱର ଯେତିକି ରୋମାଣ୍ଟିକ, ସେତିକି ବାସ୍ତବବାଦୀ; ଯେତିକି ଆହରଣ ସର୍ବସ୍ୱ, ସେତିକି ମୌଳିକ, ଯେତିକି ଆତ୍ମମଗ୍ନ ସେତିକି ରୂପ କଥାକୁ ଆଶ୍ରୟ କରି ସଂଗଠିତ, ସେତିକି ଆଧୁନିକ ଜୀବନର ସ୍ୱର ଓ ସ୍ୱାକ୍ଷରରେ ଭାସ୍ୱର ମଧ୍ୟ । ଏପରିକି ଆଙ୍ଗିକରେ ମଧ୍ୟ ତାଙ୍କ କବିତା ଯେତିକି ଗୀତିମୁଖର, ସେତିକି ଗଦ୍ୟାତ୍ମକ, ଯେତିକି ବାକ୍‌ରୀତି ପ୍ରଧାନ, ସେତିକି ମୁକ୍ତ ଓ ସ୍ୱଚ୍ଛଳ ।’’

 

ସହାୟକ ଗ୍ରନ୍ଥାବଳୀ

      ଓଡ଼ିଆ ସାହିତ୍ୟର ଇତିହାସ–ଡ. ମାୟାଧର ମାନସିଂହ

      ଓଡ଼ିଆ ସାହିତ୍ୟର କ୍ରମ ବିକାଶ–ସୁରେନ୍ଦ୍ର ମହାନ୍ତି

      ସବୁଜରୁ ସାଂପ୍ରତିକ - ଡ. ନିତ୍ୟାନନ୍ଦ ଶତପଥୀ

      ଆଧୁନିକ ଓଡ଼ିଆ କବିତା : ଏକ ଦୃଷ୍ଟିପାତ - ଗଣେଶରାମ ନାହକ (ସଂ)

      ଆଧୁନିକ ଓଡ଼ିଆ କବିତା ବିଶେଷାଙ୍କ–ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ଏମ୍.ଫିଲ.ସ୍ନାତକୋତ୍ତର ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଜ୍ୟୋତିବିହାର, ବୁର୍ଲା

 

***

 

ଓଡ଼ିଆ ଶିଶୁ ସାହିତ୍ୟରେ ଅନୁବାଦ ଧାରା

ଲାବଣ୍ୟଚନ୍ଦ୍ର ସାହୁ

 

ଭାଷା ସ୍ୱଦେଶୀୟ ହୋଇପାର, ମାତ୍ର ‘ସାହିତ୍ୟ’ ସାର୍ବଜନୀନ । ପ୍ରକାରାନ୍ତରେ କୁହାଯାଇପାରେ ଯେ, ଯେଉଁ ଭାଷାର ସାହିତ୍ୟରେ ସର୍ବାଧିକ ପରିମାଣର ବିଶ୍ୱଜନୀନ ଆବେଦନ ରହିଛି, ତାହା ସେହି ମାତ୍ରାରେ ଜନାଦୃତ ହୋଇଥାଏ ।

 

ଜଣେ ସାଧାରଣ ପାଠକ, ନିଜ ମାତୃଭାଷା ବ୍ୟତିତ ଅନ୍ୟଭାଷା ସହିତ ପରିଚିତ ନୁହେଁ । ଏପରି ସ୍ଥଳେ ପ୍ରାନ୍ତୀୟ ଓ ଆନ୍ତର୍ଜାତୀୟ ଭାଷାରେ ସଂସୃଷ୍ଟ, ସାରସ୍ୱତ କୃତିଗୁଡ଼ିକ ସ୍ୱଦେଶୀ ଭାଷାରେ ଅନୂଦିତ ହୋଇ ପଢ଼ିବାର ସୁଯୋଗ ମିଳିଲେ, ଅଧିକ ପାଠକ ଆଗ୍ରହ ସହକାରେ ପଢ଼ିଥାଆନ୍ତି । ସେହି ଦେଶର ରାଜନୀତି, ଆଚାରବିଚାର, ସାମାଜିକ ପ୍ରଥା ଓ ପରମ୍ପରା ସହିତ ପରିଚିତ ହୋଇଥାଆନ୍ତି । ଏହାଦ୍ୱାରା ଭାବର ଆଦାନପ୍ରଦାନ ଘଟିଥାଏ । ଏକ ମୁକ୍ତ ବାତାବରଣ ସୃଷ୍ଟି ହେବା ସହିତ, ଉଭୟ ଭାଷାର ଦୃଷ୍ଟି ଓ ଦର୍ଶନ ଦିଗବିସ୍ତୃତ ହୋଇଥାଏ ।

 

ଏଣୁ ସଫଳ ଅନୁବାଦକ ଗଣ ସର୍ବଦା ବିଶ୍ୱ ସାହିତ୍ୟର ମନୋରମ ଉଦ୍ୟାନରୁ ରୂପ-ରସ ସୁରଭିତ ବୃକ୍ଷର ଚାରା ସଂଗ୍ରହ କରି ଥାଆନ୍ତି । ଏହାପରେ ତାହାକୁ ନିଜର ମାଟି-ପାଣି-ପବନ ପରିବେଶ ମଧ୍ୟରେ ପରିପାଳନ କରି ନିଜର ନିଷ୍ଠା, ଶ୍ରମ ଏବଂ କଳାନୈପୁଣ୍ୟର ପ୍ରମାଣ ଦିଅନ୍ତି । ଏଣୁ ଅନୁବାଦ ସାହିତ୍ୟର ସର୍ବକାଳୀନ ଆବେଦନ ରହିଛି ବୋଲି କୁହାଯାଇପାରେ ।

 

ଅନୁବାଦ, ଆକ୍ଷରିକ ବା ଅନୁସୃଜନ ହୋଇଥାଏ । ଏହି ଅନୁସୃଜନ ବିବିଧ ପ୍ରକାର ଯଥା-ଭାବାନୁବାଦ, ମର୍ମାନୁବାଦ, ଛାୟାନୁବାଦ ଅଥବା ଅନୁସରଣ ହୋଇଥାଏ । ମହାନ୍ ସାରସ୍ୱତ ସ୍ରଷ୍ଟା-ଡ୍ରାଇଡେନ୍‌ଙ୍କ ମତରେ ‘ଭାବାନୁବାଦ’ ହିଁ ଶ୍ରେଷ୍ଠ । କାରଣ ଅନୁବାଦକ ସେଥିରେ ନିଜର ପ୍ରତିଭା ଓ ଅନୁବାଦ କଳାରେ ଦକ୍ଷତା ପ୍ରଦର୍ଶନ କରିଥାଏ । ବିଶିଷ୍ଟ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଅନୁବାଦକଳାର ସର୍ବେକ୍ଷଣ କରି ଯଥାର୍ଥରେ କହିଛନ୍ତି–‘‘ସାହିତ୍ୟ ଗୀର୍ବାଣ ହେବାକୁ ମନେକଲେ ଜଳାଶୟଟି ହୋଇ ରହିଯାଏ, ସାହିତ୍ୟ- ସାହିତ୍ୟ ମଧ୍ୟରେ ଆଦାନପ୍ରଦାନ ନୂତନ ପର୍ଯ୍ୟାୟ ଆରମ୍ଭ ହୁଏ।’’ ଏ ସମସ୍ତ ବିଷୟକୁ ବିଚାରକୁ ନେଲେ ମନେ ହୁଏ ଯେ, ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍‌ମେଷ କାଳରେ ପ୍ରାରମ୍ଭିକ ଅନୁବାଦ ବା ଅନୁସୃଜନ କାର୍ଯ୍ୟ ସମୁଚିତ ମାର୍ଗରେ ହୋଇପାରି ନାହିଁ । ଅନୁବାଦ କ୍ଷେତ୍ରରେ ବହୁତ୍ରୁଟି ଥିବାର ମନେହୁଏ ।

 

ଆମର ସଂଶିତ ବିଷୟଟି ହେଲା–ଓଡ଼ିଆ ଶିଶୁସାହିତ୍ୟ ଓ ପାଠ୍ୟପୁସ୍ତକର ଅନୁବାଦ ଧାରା । ଭଲକରି ଅନୁଧ୍ୟାନ କଲେ ମନେହୁଏ ଯେ–ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଇଂରାଜୀ ଶିକ୍ଷା ପ୍ରଚଳନ ଫଳରେ ଯେଉଁ ଆଧୁନିକ ଜ୍ଞାନବିଜ୍ଞାନମୂଳକ ଶିଶୁପାଠ୍ୟପୁସ୍ତକ ପ୍ରକାଶିତ ହେଲା, ତାହାହିଁ ଯଥାର୍ଥରେ ଥିଲା–ଓଡ଼ିଆ ଶିଶୁ ସାହିତ୍ୟ, ଆଧୁନିକ ଓଡ଼ିଆ ସାହିତ୍ୟ, ତଥା ଓଡ଼ିଆ ଅନୁବାଦ ସାହିତ୍ୟର ଅନ୍ତର୍ଶୋକ । ଶିଶୁସାହିତ୍ୟ ଓ ଅନୁବାଦ ସାହିତ୍ୟର କ୍ରମବିକାଶ କାଳରେ, ପାଠ୍ୟପୁସ୍ତକର ଭୂମିକା ଥିଲା । ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅର୍ଥାତ୍ ପ୍ରାଥମିକ ଅବସ୍ଥାରେ ପିଲାଙ୍କ ପାଠ୍ୟପୁସ୍ତକ ଥିଲା ଏକପ୍ରକାର ଅନୁବାଦ ପ୍ରଧାନ । ଇଂରାଜୀ, ସଂସ୍କୃତ, ବଙ୍ଗଳା ଓ ହିନ୍ଦୀ ସାହିତ୍ୟକୁ ଗଭୀର ପ୍ରେରଣା ମିଳିଥିଲା । ନିଜର ମୌଳିକ ଗଦ୍ୟ, ପଦ୍ୟ ଓ ପ୍ରବନ୍ଧ ରଚନା କରିବାକୁ । ଏହି ଅନୁଦିତ ପାଠ୍ୟପୁସ୍ତକ ଥିଲା–ଶିଶୁର ଜ୍ଞାନବିଜ୍ଞାନମୂଳକ ଶିକ୍ଷାର ଗନ୍ତାଘର । ଏହା ପୂର୍ବରୁ ଚାଟଶାଳୀ ଶିକ୍ଷା ପଦ୍ଧତିରେ ଅବଧାନମାନେ ପିଲାଙ୍କୁ ଯେଉଁ କାବ୍ୟପୁରାଣରୁ ଆବୃତ୍ତିମୂଳକ ଶିକ୍ଷା ଦେଉଥିଲେ, ତାହା ଇଂରେଜ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ଅନୁପଯୋଗୀ ବିବେଚିତ ହେଲା ।

 

ଖ୍ରୀ. ୧୮୦୩ରେ ଓଡ଼ିଶା ଇଂରେଜ ଶାସନଧୀନ ହେଲା । ସେତେବେଳକୁ ବଙ୍ଗଳା ପ୍ରେସିଡେନ୍‌ସୀ ଅନ୍ତର୍ଗତ ଓଡ଼ିଶା (କଟକ-ପୁରୀ-ବାଲେଶ୍ୱର) ଆଫଗାନ ଓ ମରହଟ୍ଟା ଶାସନରେ ଅତିଷ୍ଠ ହୋଇ ଯାଇଥିଲା କୁସଂସ୍କାର, ଧର୍ମାନ୍ଧତା, ଦାରିଦ୍ର୍ୟ ତଥା ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପତ୍ତି ମଧ୍ୟରେ ଓଡ଼ିଶା ନାମକ ଅଞ୍ଚଳଟି ସବୁ ଦିଗୁ ଅନଗ୍ରସର ଓ ମ୍ରିୟମାଣ ହୋଇ ଯାଇଥିଲା । ଖ୍ରୀ. ୧୮୩୫ରେ ମାକ୍‌ଲେଙ୍କ ଶିକ୍ଷାନୀତି କାର୍ଯ୍ୟକାରୀ ହେଲା । ଫଳତଃ କଟକ, ପୁରୀ, ବାଲେଶ୍ୱର ଆଦି ଅଞ୍ଚଳରେ କେତୋଟି ଭର୍ଣ୍ଣାକୁଲାର ଓ ଇଂରେଜୀ ବିଦ୍ୟାଳୟ ଗଢ଼ି ଉଠିଲା । ସେତେବେଳେ ଜ୍ଞାନବିଜ୍ଞାନ ମୂଳକ ଶିକ୍ଷାପ୍ରଦାନ ନିମିତ୍ତ କୌଣସି ମୌଳିକ ପାଠ୍ୟପୁସ୍ତକ ନ’ ଥିଲା । ସେତେବେଳେ ବିଦ୍ୟାଳୟମାନଙ୍କରେ ବଙ୍ଗଳା ବହି ପଢ଼ା ଯାଉଥିଲା । ତେଣୁ ଏହି ଅଭାବ ଦର୍ଶାଇ ଓଡ଼ିଶାରେ ବଙ୍ଗଳାଭାଷାରେ ଶିକ୍ଷା ପ୍ରଦାନ ପାଇଁ ଚକ୍ରାନ୍ତ ଚାଲିଲା । ଏହାକୁ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ଭାବରେ ଚିହ୍ନିତ କରାଯାଏ । ତେଣୁ ତ୍ୱରିତ ଏହି ଅଭାବ ପୂରଣ ପାଇଁ ପ୍ରାଥମିକ ସ୍ତରରେ ଇଂରାଜୀ, ବଙ୍ଗଳା, ସଂସ୍କୃତ ଭାଷାର ବିଷୟଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି ପାଠ୍ୟପୁସ୍ତକ ଅଭାବ ପୂରଣ ହୋଇଗଲା । ତେବେ ଏହି ଅନୁବାଦ ସାହିତ୍ୟ ଯଥାର୍ଥରେ ଓଡ଼ିଆ ଅନୁବାଦ ସାହିତ୍ୟର ପ୍ରତିନିଧିତ୍ୱ କରେ ନାହିଁ ବୋଲି, ସମାଲୋଚକମାନେ ମତ ଦିଅନ୍ତି । ଏହାର କାରଣ ଦୁଇଟି, ଯଥା-

 

(୧)

ପ୍ରଥମଟି ହେଲା, ମିଶନାରୀ ବା ପାଦ୍ରୀମାନଙ୍କ କଥା । ସେମାନେ ପିଲାମାନଙ୍କୁ ଆଧୁନିକ ଶିକ୍ଷା ଦେବାକୁ ସର୍ବପ୍ରଥମ ଅନ୍ୟ ଭାଷାରୁ ଓଡ଼ିଆ ଭାଷାରେ ପୁସ୍ତକ ଛପାଇଲେ । ମାତ୍ର ସେମାନଙ୍କର ଅସଲ ଉଦ୍ଦେଶ୍ୟ ଥିଲା–ଦେଶୀୟ ଭାଷାରେ ସୁ ସମାଚାର ବା ଖ୍ରୀଷ୍ଟଧର୍ମର ନୀତି ପ୍ରଚାର କରିବା । ପାଦ୍ରୀମାନେ ନିଜେ ଓଡ଼ିଆ ଭାଷା ଶିଖି ତଥା ଅନ୍ୟାନ୍ୟ ପ୍ରାଚ୍ୟ ବିଦ୍ୟା ବିଶାରଦଙ୍କ ସହଯୋଗରେ ଯେଉଁ ଅନୂଦିତ ପୁସ୍ତକ ପ୍ରକାଶ କଲେ, ତାହାର ଭାଷା ତୃଟିପୂର୍ଣ୍ଣ ଥିଲା । ଶବ୍ଦ ଦୁର୍ବୋଧ ଥିଲା ମଧ୍ୟ । ଏହାକୁ ଓଡ଼ିଆ ଭାଷାର ଯଥାର୍ଥ ଅନୂଦିତ ସାହିତ୍ୟ ଭାବରେ ଗ୍ରହଣ କରିବାକୁ କେତେକ କୁଣ୍ଠାବୋଧ କରନ୍ତି ।

 

(୨)

ଦ୍ୱିତୀୟ କାରଣଟି ମଧ୍ୟ ସ୍ପଷ୍ଟ ବାରି ହେଉଥିଲା । ‘‘ଓଡ଼ିଆ ଭାଷାରେ ପିଲାଙ୍କୁ ପଢ଼ାଇବା ପାଇଁ ମୌଳିକ ପୁସ୍ତକ ନାହିଁ । ଓଡ଼ିଆ ଭାଷା ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ । ଏଣୁ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାରେ ପଢ଼ାଯାଉ ।’’ ଏ ଚକ୍ରାନ୍ତ ବିରୋଧରେ ଜନ ଆନ୍ଦୋଳନ ଦେଖା ଦେଲା । ଏଣୁ ମୌଳିକ ଓଡ଼ିଆ ପାଠ୍ୟପୁସ୍ତକର ତତ୍‌କାଳୀକ ଅଭାବ ପୂରଣ ନିମିତ୍ତ, ଯେଉଁ ଅନୂଦିତ ପାଠ୍ୟପୁସ୍ତକଗୁଡ଼ିଏ ଛପାଗଲା, ସେଗୁଡ଼ିକର ମଧ୍ୟ ଭାଷା, ଶବ୍ଦ, ଅନୁବାଦ ଶୈଳୀରେ ଅନେକ ତ୍ରୁଟି ରହିଗଲା ।

 

ଏଣୁ ଊନବିଂଶ ଶତାବ୍ଦୀର ଅନ୍ତିମ ଦଶନ୍ଧିରେ ଅର୍ଥାତ୍ ଓଡ଼ିଶାର ବିଦ୍ୟାଳୟମାନଙ୍କର ଓଡ଼ିଆ ଭାଷାର ଶିକ୍ଷା ଦେବାକୁ ସରକାରୀ ଅନୁମୋଦନ ମିଳିବା ପରେ ଏବଂ ବିଂଶ ଶତାବ୍ଦୀର ପ୍ରାକ୍ ସ୍ୱାଧୀନ କାଳ ହିଁ ଓଡ଼ିଆ ଅନୁବାଦ ପାଠ୍ୟପୁସ୍ତକ ଅଭ୍ୟୁଦୟ କାଳ । ପ୍ରଥମେ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ପଷ୍ଟ ଭାବରେ ଫକୀର ମୋହନ (୧୮୪୩) ରାଧାନାଥ ରାୟ (୧୮୪୮) ଏବଂ ମଧୁସୁଦନ ରାଓ (୧୮୫୩), ଅନୁବାଦ କ୍ଷେତ୍ରରେ ସେମାନଙ୍କ ସଫଳ ପ୍ରୟାସ ଜାରି ରଖିଥିଲେ । ଏହାପରେ ସତ୍ୟବାଦୀ ସାହିତ୍ୟ ଗୋଷ୍ଠୀଙ୍କ (ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର) ଲେଖନୀରେ ଏହାର ପରିପୁଷ୍ଟ ଓ ମାର୍ଜିତ ରୂପ ଦେଖିବାକୁ ମିଳେ । ଆଲୋଚିତ କାଳରେ ବହୁ ଉଚ୍ଚ ଇଂରାଜୀ ଶିକ୍ଷାପ୍ରାପ୍ତ ବରିଷ୍ଠ ଏବଂ ଯୁବଗୋଷ୍ଠୀ ଜାତୀୟ ଜୀବନ ଓ ଭାଷାପ୍ରତି ଆକୃଷ୍ଟ ହୋଇ ସ୍ୱଦେଶୀ ଭାଷାକୁ ସମୃଦ୍ଧ କରିବା ପାଇଁ ବିଶ୍ୱର ବିଭିନ୍ନ ଭାଷାର ଉଚ୍ଚାଙ୍ଗ ସାହିତ୍ୟର ଅନୁବାଦ କାର୍ଯ୍ୟରେ ମନୋନିବେଶ କରିଥିଲେ । ଓଡ଼ିଆ ଭାଷାରେ ‘ଅନୁବାଦ ସାହିତ୍ୟର’ ଆବଶ୍ୟକତାକୁ ଉପଲବ୍ଧି କରି ସେତେବେଳେ ପଣ୍ଡିତ ନୀଳକଣ୍ଠ ଦାସ କହିଲେ–‘‘ଅନୁବାଦ କରିବାକୁ ପଡ଼ିବ । ସମାଜ ଓ ସାହିତ୍ୟର ବିଶ୍ୱ ବିକାଶଧାରାରେ ଓଡ଼ିଆ କ୍ଷେତ୍ରରେ ବୁଡ଼ାପାଣି ମଡ଼ାଇବାକୁ ହେବ’’ (ନିଖିଳ ଉତ୍କଳ ସାହିତ୍ୟ ସମ୍ମିଳନୀ-ଆତ୍ମଜୀବନୀ ପୃଷ୍ଠା ୫୭) । ଏହା ହିଁ ଥିଲା ଓଡ଼ିଆ ଅନୁବାଦ ସାହିତ୍ୟ ସମ୍ପର୍କରେ ଯଥାର୍ଥ ଉପାଦାନ ।

 

(୧) ମିଶନାରୀ (ପାଦ୍ରୀ) ଅନୁଦିତ ପାଠ୍ୟପୁସ୍ତକ : ଓଡ଼ିଶାରେ ଇଂରାଜୀ ପ୍ରଭାବିତ ଆଧୁନିକ ଶିକ୍ଷା ପ୍ରବର୍ତ୍ତନ ହେଲେ ମଧ୍ୟ, ଦେଶୀୟ ଲୋକଙ୍କ ପାଠ୍ୟପୁସ୍ତକ ରଚନା କ୍ଷେତ୍ରରେ ଧାରଣା ହିଁ ନ ଥିଲା । ଏଣୁ ମିଶନାରୀମାନେ (ଉଦ୍ଦେଶ୍ରମୂଳକ ହେଉ ପଛକେ) ଏ କ୍ଷେତ୍ରରେ ପ୍ରଥମେ ନେତୃତ୍ୱ ନେଲେ । ଇଂରାଜୀ, ପ୍ରାଚୀନ ସଂସ୍କୃତ ଓ ବଙ୍ଗଳାଦି ଭାଷାରୁ ନିର୍ବାଚନ କରି ଭର୍ଣ୍ଣାକୁଲାର ଶ୍ରେଣୀମାନଙ୍କ ପାଇଁ ପାଠ୍ୟପୁସ୍ତକ ଲେଖି ଛାପିଲେ । ଏ କ୍ଷେତ୍ରରେ ଉଇଲିୟମ କେରୀ (୧୭୬୧-୧୮୩୦), ଆମୋସ୍ ସଟର୍ନ, ସି.ଲେସୀ, ଉଇଲିୟମ ସି.ଷ୍ଟୁଆର୍ଟଙ୍କ ନାମ ସ୍ମରଣୀୟ ଅଟେ । ପୂର୍ବରୁ ୧୮୦୦ ଖ୍ରୀ.ରେ ଲର୍ଡ଼ସ ଓ୍ୱେଲସ୍‌ଙ୍କଦ୍ୱାରା, ସିଭିଲିଆନମାନଙ୍କୁ ଦଲିଲ ଦସ୍ତାବିଜ ଲେଖିବା ନିମିତ୍ତ ତାଲିମ ଦେବାକୁ କଲିକତାର ପୋର୍ଟଉଇଲିୟମ କଲେଜ ସ୍ଥାପିତ ହେଲା-। ଏଥିରେ ମୃତ୍ୟୁଞ୍ଜୟ ବିଦ୍ୟାଳଂକାର ମୋହନ ପ୍ରସାଦ ଠାକୁର ଗଦାଧର ବିଦ୍ୟା ବାଗୀଶଙ୍କ ସହିତ, ପାଦ୍ରୀ ଉଇଲିୟମ କେରୀ ମଧ୍ୟ ବଙ୍ଗଳା-ସଂସ୍କୃତ ବିଭାଗରେ ଅଧ୍ୟାପନା କରୁଥିଲେ । ଏହିମାନେ ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନୁବାଦ ପାଠ୍ୟପୁସ୍ତକ କଲିକତା ବୁକ୍ ସୋସାଇଟି (୧୮୧୭)ଦ୍ୱାରା ପ୍ରକାଶ କରି ବିତରଣ କଲେ । ପାଦ୍ରୀ କେରୀ ସର୍ବପ୍ରଥମେ ମୃତ୍ୟୁଞ୍ଜୟ ବିଦ୍ୟାଳଂକାରଙ୍କ ସହାୟତାରେ ହୋଲିବାଇବେଲ୍ (୧୮୧୧)ରେ ଓଡ଼ିଆ ଅନୁବାଦ କରିଥିଲେ । ସେହିପରି ନିଉଟେଷ୍ଟାମେଣ୍ଟର ମୂଳ ଗ୍ରୀକ୍‌ରୁ ଓଡ଼ିଆ ଭାଷାରେ ଅନୁଦିତ ହେଲା । ପାଦ୍ରୀମାନଙ୍କ ମଧ୍ୟରେ ଆମୋସ ସର୍ଟନ ଓ ସି.ଲେସି. ଓଡ଼ିଶାବାଦୀଙ୍କ ସହିତ ମିଳାମିଶା କରୁଥିଲେ ଏବଂ ଓଡ଼ିଆ ଭାଷାକୁ ଶୀଘ୍ର ଆୟତ କରିଥିଲେ । ପାଦ୍ରୀ ସର୍ଟନ ସର୍ବାଧିକ ପରିମାଣର ଅନୂଦିତ ପାଠ୍ୟପୁସ୍ତକ ଛପାଇ, ତାତ୍କାଳୀକ ଅଭାବ ପୂରଣ କରିଥିଲେ । ସେହି ଅନୂଦିତ ପୁସ୍ତକଗୁଡ଼ିକ ମଧ୍ୟରେ ଥିଲା–ମୂଳ ବଙ୍ଗଳାରେ ରଚିତ ତାରିଣୀଚରଣ, ରାଧାକାନ୍ତ ଦେବ, ରାମକମଳ ସେନ୍‌ଙ୍କ ‘ନୀତିକଥା’ (୩ ଖଣ୍ଡ ୧୮୩୯), ସିଭିଲ ସର୍ଭାଣ୍ଟଙ୍କ ପରୀକ୍ଷା ପାଇଁ ଗୀତଗୋବିନ୍ଦ (୧୮୪୦) ଅମରକୋଷ (୧୮୪୫), ପଦାର୍ଥ ବିଦ୍ୟାସାର (୧୮୩୨) ଯାହା ଉଇଲିୟମ ଇଟସ୍‌ଙ୍କ ପ୍ରଣୀତ ଇଂରାଜୀରୁ ବଙ୍ଗଳା, ତଥା ତାହା ସଟର୍ନଙ୍କଦ୍ୱାରା ଓଡ଼ିଆ ଭାଷାରେ ଅନୂଦିତ ହୋଇଥିଲା । ଆମୋସ୍ ସର୍ଟନଙ୍କ ଅନୂଦିତ ସମସ୍ତ ପୁସ୍ତକ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ସେତେବେଳେ ପଢ଼ା ଯାଉଥିଲା । ତାଙ୍କର ବଙ୍ଗଳାରୁ ଓଡ଼ିଆ ଅନୂଦିତ ‘ସାରସଂଗ୍ରହ’, ର ୧ମ ଭାଗ ପ୍ରାଥମିକ ତଥା ୨ୟ ଭାଗ ମଧ୍ୟ ଶ୍ରେଣୀରେ ପଢ଼ା ଯାଉଥିଲା । ଏଥିରେ ଯେଉଁସବୁ ବିଷୟମାନ ସ୍ଥାନିତ ହୋଇଥିଲା–ତାହାହେଲା ମନରଧୈର୍ଯ୍ୟ, ଜଳୀୟବାଷ୍ପ କଥା, ପକ୍ଷୀର କଥା ଇତ୍ୟାଦି । ତାଙ୍କର ନୀତିକଥା ଅନୁବାଦ ପୁସ୍ତକଟି ଲୋକପ୍ରିୟ ହୋଇ ପାରିଥିଲା । ମୂଳ ବଙ୍ଗଳାରୁ ୧୮୬୬ରେ ଅନୂଦିତ ପ୍ରକାଶିତ ପୁସ୍ତକର ୩ୟ ସଂସ୍କରଣରେ ସନ୍ନିବିଷ୍ଟ ଏକ ଗଳ୍ପର କୀୟଦ୍‌ଅଂଶ ନିମ୍ନରେ ପ୍ରଦତ୍ତ ହେଲା । ଏଥିରୁ ଅନୂଦିତ ଭାଷାର ସ୍ୱରୂପ ଜାଣିହେବ । ବିଷୟଗୁଡ଼ିକ ହେଲା- ଦୁଇ କୁକୁର, କୌଣସି ହେଟାବାଘ, ଅହଙ୍କାରୀ ଇତ୍ୟାଦି ।

 

‘‘ଗୋଟିଏ କୁକୁର ଖଣ୍ଡେ ମାଂସ ମୁଖେ ଘେନି, ଏକ ନଦୀ ପହଁରି ଯିବାବେଳେ, ଜଳ ମଧ୍ୟରେ ଆପଣା ପ୍ରତିବିମ୍ବ ଦେଖିଲା । ଅତଏବ ଆଉ ଗୋଟିଏ କୁକୁର ଉତ୍ତମ ମାଂସଖଣ୍ଡେ ଗ୍ରହଣ କରିବା ଚେଷ୍ଟାରେ ମୁଖ ବିସ୍ତାର କରି, ପ୍ରତି ଆକ୍ରମଣ କଲା । ତାହାର ଭ୍ରମଭ୍ରଷ୍ଟ ମାଂସଖଣ୍ଡି ସୁଦ୍ଧା ମିଳିଲା ନାହିଁ ।’’

 

ସେହିପରି ସେ ‘ମିଶନ ପ୍ରେସ୍’ କଟକର ପରିଚାଳକ ଥାଇ ଗଣକ ମିଶ୍ରଙ୍କ ବତ୍ରିଶ୍ ସିଂହାସନ, ପୁସ୍ତକଟିକୁ ସଂଗ୍ରହ କରି ୧୮୪୦ ଖ୍ରୀ.ରେ ଅନୁବାଦ କରି ଛାପିଲେ । ଏହା ଶିଶୁ ତାଲିକାଭୂକ୍ତ ହୋଇଥିଲା । ସେଥିରେ ସ୍ଥାନିତ ଏକ ଗଳ୍ପର ପରିବେଷଣ ଶୈଳ କିପରି ଥିଲା ତାହାର ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ ହେଲା ।

 

‘‘ଅବନ୍ତୀ ନାମେ ନଗର ଏ ନଗ୍ର ଉପଗ୍ରାମରେ ଧରାପୁରୀ ନାମେ ଏକ ଗ୍ରାମ ଅଛି । ସେ ଗ୍ରାମକୁ ଗଙ୍ଗା ନିକଟ । ସେ ଗଙ୍ଗା ନିକଟରେ ସମ୍ପଦ ନାମରେ ବନସମ୍ପଦ ଖଣ୍ଡିଏ ଅଛି ।’’ ଏହା ପୂର୍ବରୁ ସର୍ଟନଙ୍କ ବେତାଳ ପଞ୍ଚବିଂଶତି’ର ଭାଷା ଶିଶୁ ଉପଯୋଗୀ ହୋଇ ପାରି ନ ଥିଲା ବୋଲି ସମାଲୋଚିତ ହୋଇଥିଲା । ମାତ୍ର ପାଦ୍ରୀ ସି.ଲେସୀ ନିମ୍ନୋକ୍ତ ବଙ୍ଗଳା ବହିର ଅନୁବାଦ କରିବାରେ କିଛିଟା ସଫଳ ହୋଇଥିଲେ । ସେହି ପୁସ୍ତକଗୁଡ଼ିକ ମଧ୍ୟରୁ କେତୋଟିର ନାମ ଦିଆଗଲା-

 

୧)

ନୀତିକଥା (୧୮୫୬) ମୂଳ ବଙ୍ଗଳା–(ରାଜ କମଳ ସେନ)

୨)

ନୀତିବୋଧ ଓ ପାଶ୍ଚାତ୍ୟ ଜନନାୟକଙ୍କ ଜୀବନୀ–(ମୂଳବଙ୍ଗଳା ରାଜକୃଷ୍ଣ ବନ୍ଦୋପାଧ୍ୟାୟ)

୩)

ପଞ୍ଚତନ୍ତ୍ର (ବିଷ୍ଣୁଶର୍ମା) ମୂଳ ବଙ୍ଗଳା; ରାମକମଳ ସେନ ଓ ମୃତ୍ୟୁଞ୍ଜୟ ବିଦ୍ୟାଳଂକାର)

୪)

ହିତୋପଦେଶ ଽ ୧୮୬୦-୬୧ର ଶିଳାବର୍ଷରେ ‘ପାଠ୍ୟ ତାଲିକା’ ଭୁକ୍ତ ହୋଇଥିଲା ।

 

ଏହାର ଗଳ୍ପାଂଶ ପ୍ରଦତ୍ତ ହେଲା-

‘‘ସ୍ତବକର୍ଣ୍ଣ କହୁଅଛି ଏହି ସବ୍‌ ସର୍ବାପ୍ରକାର ଅନୁଚିତ ଅଟେ । ଯେ ହେତୁରୁ ଆପଣା ଆପଣାପୁତ୍ର ଆଜ୍ଞା ଲଙ୍ଘନ କଲେ । ସେମାନଙ୍କ ରାଜାମାନେ କ୍ଷମା କରିବେ ନାହିଁ ।’’ ଉକ୍ତ ଅନୂଦିତ ଗଳ୍ପଟି ଖ୍ରୀ ୧୯୧୩ରେ ରାମକୃଷ୍ଣ ପଣ୍ଡା ନାମକ ଜନୈକ ପଣ୍ଡିତଙ୍କଦ୍ୱାରା ସଂଶୋଧିତ ହୋଇ ପୁନଃ ପ୍ରକାଶିତ ହୋଇଥିଲା । ଅତଏବ ସର୍ବମୋଟ ଅନୂଦିତ ପୁସ୍ତକର ସଂଖ୍ୟା ଥିଲା–୨୬ଟି ଏବଂ ତନ୍ମଧ୍ୟରୁ ଅଧିକାଂଶ ଆମୋସ୍ ସର୍ଟନଙ୍କ ଅନୂଦିତ ଓ ଅନୁମୋଦିତ ପାଠ୍ୟପୁସ୍ତକ । ପାଦ୍ରୀମାନଙ୍କ ଅନୂଦିତ ପାଠ୍ୟପୁସ୍ତକ ସମ୍ପର୍କରେ ବରିଷ୍ଠ ସମାଲୋଚକ ନିମ୍ନୋକ୍ତ ମନ୍ତବ୍ୟ ଦେଇଛନ୍ତି । ଯଥା-

 

ସେଗୁଡ଼ିକ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ନିମିତ୍ତି ଆଦୌ ଉଦ୍ଦିଷ୍ଟ ନଥିଲା । ଅନୁବାଦ ସାହିତ୍ୟର କୌଣସି ପ୍ରତିନିଧି ରୂପକ ନମୂନାରୂପେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଏସବୁ ଅନୁବାଦର ଉଦ୍ଦେଶ୍ୟ ସର୍ବପ୍ରଥମେ ଆଦୌ ସାହିତ୍ୟିକ ନ ଥିଲା ତାହା ମୂଳତଃ ପ୍ରୟୋଜନିକ ଥିଲା । (ଓଡ଼ିଆ ଅନୁବାଦ ସାହିତ୍ୟ: ଏକ ନମୁନା ଦାସ ଚିତ୍ତ ରଞ୍ଜନ କୋଣାର୍କ- ୬୭ତମ- ୧୯୮୮)

 

ମାତ୍ର ପ୍ରାରମ୍ଭିକ ଅବସ୍ଥାରେ ଯେତେବେଳେ ଦେଶୀୟ ଲୋକ ଆଧୁନିକ ଶିକ୍ଷା ପ୍ରତି ବିତସ୍ପୃହ, ରାଜ୍ୟକୁ ମତାନ୍ଧତା ଓ କୁସଂସ୍କାର ଆଚ୍ଛନ୍ନ କରି ରଖିଥିଲା, ସେତେବେଳେ ମିଶନାରୀମାନେ ସାହିତ୍ୟ ଭିନ୍ନ, ନାନା ଜ୍ଞାନ ବିଜ୍ଞାନମୂଳକ ପାଠ୍ୟପୁସ୍ତକ (ଯଥା- ଗଣିତ, ଜ୍ୟାମିତି, ସ୍ୱାସ୍ଥ୍ୟରକ୍ଷା, ଶିଳ୍ପଶାସ୍ତ୍ର, ରସାୟନ ବିଦ୍ୟା, ପଦାର୍ଥବିଜ୍ଞାନ) ଅନ୍ୟ ଭାଷାରୁ ଆହୃତ କରି ଆଧୁନିକ ଶିକ୍ଷାଦାନର ଅୟମାରମ୍ଭ କରିଥିଲେ । ଏ ସମ୍ପର୍କରେ ଉତ୍କଳ ଦୀପିକାର ସମ୍ପାଦକ କର୍ମବୀର ଗୌରୀଶଙ୍କରଙ୍କର ଅଭିମନ ଉଲ୍ଲେଖ ଯୋଗ୍ୟ ଅଟେ । ଯଥା–ଯଦ୍ୟପି ମିଶନାରୀମାନେ ଏ ଦେଶକୁ ଆସି ନଥାନ୍ତେ, ତେବେ ପ୍ରାୟ ଏକ ଖଣ୍ଡି ପୁସ୍ତକ ଉତ୍କଳ ଭାଷାରେ ଥାଆନ୍ତା ନାହିଁ । (ଉତ୍କଳ ଦୀପିକା, ୩ୟ ଭାଗ ୧ମ ସଂଖ୍ୟା- ତା.୪.୧.୧୮୬୮) ଅତଏବ ପାଠ୍ୟପୁସ୍ତକ ଅନୁବାଦ କ୍ଷେତ୍ରରେ ତାତ୍‌କାଳୀକ ଅଭାବ ପୂରଣ ନିମିତ୍ତ ମିଶନାରୀମାନଙ୍କ ଅବଦାନ ସ୍ୱୀକାର୍ଯ୍ୟ ।

 

(୨) ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧର ଅନୁବାଦ ସାହିତ୍ୟ: ଖ୍ରୀ ୧୮୬୬ରେ ନ’ଅଙ୍କ ଦୁର୍ଭିକ୍ଷ ପରେ, ଓଡ଼ିଶାରେ ଇଂରେଜଶାସନ ନାନା ଭାବେ ସମାଲୋଚିତ ହେଲେ । ସେହି ସମୟରେ ‘କଟକପ୍ରିଣ୍ଟିଂ କମ୍ପାନୀ’ ଓ ପ୍ରଥମ ଓଡ଼ିଆ ପତ୍ରିକା’ ‘ଉତ୍କଳଦୀପିକା’ର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ । କର୍ମବୀର ଗୌରୀଶଙ୍କର (୧୮୩୮-୧୯୧୫), ଫକୀର ମୋହନ (୧୮୪୩), ଜଏଣ୍ଟ ଇନ୍‍ସ୍‍ପେକ୍ଟର ନନ୍ଦକିଶୋର ଦାସ (୧୮୪୬), ରାଧାନାଥ ରାୟ (୧୮୪୮-୧୯୦୮) ଉତ୍କଳ ଗୌରବ ମଧୁସୁଦନ (୧୮୪୮), ପ୍ୟାରୀମୋହନ ଆଚାର୍ଯ୍ୟ (୧୮୫୧) ମଧୁସୁଦନ ରାଓ (୧୮୫୩-୧୯୧୨) ବହୁ ଜାତୀୟ ଭାବାପନ୍ନ ନେତାଙ୍କ ଅଭ୍ୟୁଦୟ ପରେ ମାତୃଭୂମି ଓ ମାତୃଭାଷାର ଉନ୍ନତି କଳ୍ପେ ନାନାଭାବରେ ଚେଷ୍ଟିତ ଥିଲେ ।

 

ପୂର୍ବରୁ ‘କଲିକତା ବ୍ଲକ୍ ସୋସାଇଟି’, ଓଡ଼ିଶାର ବିଦ୍ୟାଳୟମାନଙ୍କ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଥିବାରୁ ଏଥିରେ ବହୁ ତ୍ରୁଟି-ବିଚ୍ୟୁତି ଥିଲା। ତେଣୁ ଗୌରୀଶଙ୍କର ଦୀପିକାରେ ଲେଖିଲେ–‘‘କଲିକତା ବୁକ୍‌ସୋଇଟି’’ ଉତ୍କଳୀୟ ପୁସ୍ତକର ଯଥାର୍ଥ ପରୀକ୍ଷକ ହୋଇ ନ’ ପାରନ୍ତି ।’’ ଫଳରେ ସରକାର ଓଡ଼ିଆ ପାଠ୍ୟପୁସ୍ତକ ମନୋନୟନ ପାଇଁ ଉତ୍କଳ ଭାଷାବିତଙ୍କୁ ନେଇ ଏକ କମିଟି ଗଢ଼ିଲେ । ସେହି କମିଟିର ଅଧ୍ୟକ୍ଷ ହେଲେ ରେଭେରେଣ୍ଡ୍‌ ସି.ଲେସୀ । ସଦସ୍ୟ ରହିଲେ–ରାଜା ଭାଗୀରଥ ମହୀନ୍ଦ୍ର ବାହାଦୂର, ବିଚିତ୍ରାନନ୍ଦ ଦାସ, ବନମାଳୀ ସିଂହ, ଦ୍ୱାରିକାନାଥ ଚକ୍ରବର୍ତ୍ତୀ । ପାଠ୍ୟପୁସ୍ତକର ଅଭାବପୂର୍ଣ୍ଣ ନିମିତ୍ତ ତାତ୍‌କାଳୀକ ପଦେକ୍ଷପ ସ୍ୱରୂପ, ବଙ୍ଗଳା ପାଠ୍ୟପୁସ୍ତକର ନାମ ଅଗ୍ରଗଣ୍ୟ । ସେ ସେତେବେଳେ ସମ୍ବଲପୁର ସ୍କୁଲ୍ ସମୂହର ଡେପୁଟୀ ଇନ୍‍ସ୍‍ପେକ୍ଟର ଥିଲେ । ସେ ନିଷ୍ଠାର ସହିତ ଅନୁବାଦ କାର୍ଯ୍ୟଟିକୁ ହାତକୁ ନେଇ ନିମ୍ନଲିଖିତ ପୁସ୍ତକ ଅନୁବାଦ କରି ପାଠ୍ୟପୁସ୍ତକ ଅଭାବ ଦୂର କରିଥିଲେ ।

 

ବର୍ଷ

ପୁସ୍ତକ

ମୂଳବଙ୍ଗଳା

୧୮୬୮

ରଘୁବଂଶ

ଚନ୍ଦ୍ରକାନ୍ତ ତର୍କ ଭୂଷଣ

୧୮୬୮

କାଦମ୍ବରୀ

ଗୋପାଳ ଚନ୍ଦ୍ର ବସୁ

୧୮୬୮

ଚାରୁପାଠ

ଅକ୍ଷୟ କୁମାର ଦତ୍ତ

୧୮୬୯

ସତାବନବାସ

ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର

୧୯୬୯

ବୋଧଦୟ

ତତ୍ରୈବ

୧୮୬୯

ଭାରତବର୍ଷର ଇତିହାସ

ନୀଳମଣି ବସାକ

୧୮୬୮

ଭୂଗୋଳ ସୂତ୍ର

ଗୋପାଳଚନ୍ଦ୍ର ବସୁ

 

ବିଚ୍ଛନ୍ଦଚରଣଙ୍କ ବଙ୍ଗଳା ଚାରିୁପାଠର ଓଡ଼ିଆ ଅନୂଦିତ ପୁସ୍ତକର ଭାଷା ଅଶୁଦ୍ଧ ଥିଲା ବୋଲି ସମାଲୋଚିତ ହୋଇଥିଲେ । ଉକ୍ତ ଅନୂଦିତ ପୁସ୍ତକଗୁଡ଼ିକରେ ବିଷୟବସ୍ତୁ ମଧ୍ୟରେ ଥିଲା–ନୀତିକଥା, ହିତୋପଦେଶ, ମହାପୁରୁଷଙ୍କ ଜୀବନୀ ତଥା ପିଲାଙ୍କ ଜ୍ଞାନବିଜ୍ଞାନ ଶିକ୍ଷାମୂଳକ ରଚନା-। ଭିନ୍ନ ଭିନ୍ନ ଇଂରାଜୀ ପୁସ୍ତକରୁ ବିଷୟ ଚୟନ କରି ବିଦ୍ୟାସାଗର ଯେଉଁ ଆଖ୍ୟାନ ମଞ୍ଜରୀ (ବଙ୍ଗଳା) ପୁସ୍ତକ ୧୮୬୩ରେ ପ୍ରକାଶ କରିଥିଲେ, ତାହାର ଓଡ଼ିଆ ଅନୁବାଦ କରିଥିଲେ ରାଧାନାଥ ରାୟଙ୍କର ଅନୁଜ ଚନ୍ଦ୍ରନାଥ ରାୟ ଏବଂ ରାଧାନାଥ ତାହାକୁ ସଂଶୋଧନ କରିଥିଲେ । ସେହିପରି ରାମପ୍ରସାଦ ମୁଖୋପାଧ୍ୟାୟାଙ୍କର ‘ବଙ୍ଗଳାପଦ୍ୟମାଳା’ରେ ଓଡ଼ିଆ ଅନୁବାଦ ଖ୍ରୀ ୧୮୭୦ରେ ପ୍ରକାଶ ପାଇଲା । ମାତ୍ର ଏହାର ଭାଷା ଅଶୁଦ୍ଧ ଥିଲା ବୋଲି ସମାଲୋଚିତ ହୋଇଥିଲା । ସେହିପରି ସ୍କୁଲ ସମୂହର ଡେପୁଟୀ ଇନ୍‌ସପେକ୍ଟର କୈଳାସଚନ୍ଦ୍ର ତର୍କାଳଙ୍କାର ବିଦ୍ୟାସାଗରଙ୍କର ବଙ୍ଗଳା ‘ବର୍ଣ୍ଣ ପରିଚୟ’ର ଉତ୍କଳାନୁବାଦ କରିଥିଲେ । ଅନୁବାଦ କ୍ଷେତ୍ରରେ ବାଙ୍କୀର ଗୋବିନ୍ଦ ରଥଙ୍କ ନାମ ସ୍ମରଣୀୟ ।

 

(୩) ନବଯୁଗତ୍ରୟୀ:

ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣ କ୍ଷେତ୍ରରେ ‘ନବଯୁଗତ୍ରୟୀ’ ଭାବରେ ବ୍ୟାସକବି ଫକୀରମୋହନ କବିବର ରାଧାନାଥ ରାୟ ତଥା ଭକ୍ତକବି ମଧୁସୁଦନଙ୍କ ନାମ ଚିରସ୍ମରଣୀୟ । ଏକଦା ଏହି ସାରସ୍ୱତ ତ୍ରୟୀଙ୍କ ମିଳନ କ୍ଷେତ୍ର ଥିଲା ବାଲେଶ୍ୱର । ରାଜା ବୈକୁଣ୍ଠନାଥ ଦେ’ଙ୍କ ପ୍ରେସ୍‍ରୁ ପ୍ରକାଶିତ ହେଉଥିବା ‘ଉତ୍କଳଦର୍ପଣ’ରେ ସେମାନଙ୍କର ବହୁ ମୌଳିକ ରଚନା ସହିତ, ଇଂରାଜୀ, ବଙ୍ଗଳା, ସଂସ୍କୃତିରୁ ଅନୂଦିତ କୃତି ନିୟମିତ ପ୍ରକାଶ ପାଉଥିଲା । ଏହା ଫଳରେ ଓଡ଼ିଆ ସାହିତ୍ୟର ଭାଷା ମାର୍ଜିତ, ସମୃଦ୍ଧ ହେବା ସହିତ ବିଷୟଗୁଡ଼ିକ ଜ୍ଞାନଗର୍ଭିତ ହୋଇ ପାରିଥିଲା । ତିନିକୁ ତିନିଜଣ ଥିଲେ ଦିଗ୍‌ଦ୍ରଷ୍ଟା, ଉତ୍ସାହୀ ତଥା ମାତୃଭାଷା ଓ ମାତୃଭୂମି ପ୍ରେମୀ । ଆଧୁନିକ ଓଡ଼ିଆ ଶିଶୁସାହିତ୍ୟ ଓ ଶିଶୁପାଠ୍ୟ ଜଗତକୁ ସେମାନଙ୍କର ଅବଦାନ ଚିରସ୍ମରଣୀୟ ଥିଲା । ବଙ୍ଗଳା ଭାଷାର ବିଦଗ୍ଧ ପାଠକ ଫକୀରମୋହନଙ୍କ ଅନୁବାଦ ସାହିତ୍ୟର ଭାଷାଥିଲା ଲୋକକଥିତ ଭାଷା’ । ସେ ବିଦ୍ୟାସାଗରଙ୍କ ବଙ୍ଗଳା ଜୀବନ ଚରିତକୁ ଖ୍ରୀ. ୧୮୪୯ରେ ଓଡ଼ିଆ ଅନୁବାଦ କରିବା ସହିତ, ରାମାୟଣର ଅଯୋଧ୍ୟାକାଣ୍ଡ, ମହାଭାରତ ସହିତ ମୁଖ୍ୟ ଉପନିଷଦଗୁଡ଼ିକର ଅନୁବାଦ କରି ପାଠକ ମହଲରେ ପ୍ରଶଂସିତ ହୋଇଥିଲେ। ତାଙ୍କର ବୌଦ୍ଧାବତାର କାବ୍ୟ ମଧ୍ୟ ଏକ ଅନୁବାଦ ଗ୍ରନ୍ଥ । ତାଙ୍କର ଅନୂଦିତ ପୁସ୍ତକ ଓ ବିଷୟ, ଦୀର୍ଘଦିନ ଧରି ପିଲାଙ୍କ ପାଠ ଭାବେ ବିଦ୍ୟାଳୟେ ପଢ଼ା ଯାଉଥିଲା । ବିଦେଶୀ ସାହିତ୍ୟାନୁରାଗୀ ରାଧାନାଥ ବିଦେଶୀ ସାହିତ୍ୟର ପ୍ରଭାବକୁ ଏଡ଼ାଇ ନ’ପାରି ଓଡ଼ିଆ ଅନୂଦିତ ବିଷୟ ଇତାଲୀୟ ଯୁବା’ ପ୍ରକାଶ କଲେ ତାଙ୍କର ଓଡ଼ିଆ ଅନୂଦିତ ‘ମେଘଦୂତ’, ଫକିରମୋହନଙ୍କ ପ୍ରତିଷ୍ଠିତ ‘ବୋଧଦାୟିନୀ’ ପତ୍ରିକାରେ ପ୍ରକାଶ ଲାଭ କରିଥିଲା । ସଂଗୃହୀତ ଅନେକ ପାଠ୍ୟ ବିଷୟକ ପୁସ୍ତକ ସହିତ-ପବନ, ବିଦେଶୀ, ଏପରିକି ‘ପାର୍ବତୀ’ କାବ୍ୟ ଏକ ଛାୟା ଅନୁସୃତ କାବ୍ୟ ବୋଲି କୁହାଯାଏ । ତାଙ୍କର ଅନୂଦିତ ‘ମେଘଦୂତ’ ସମ୍ପର୍କରେ ଉତ୍କଳଦୀପିକା ଏକଦା ଟିପ୍ପଣୀ ଦେଇଥିଲେ । ‘‘ବାବୁ ରାଧାନାଥ ଏ ବହି ଖଣ୍ଡକ ବାହାର କରି କେବଳ ଯେ ଅଭାବ ଦୂର କଲେ, ତାହା ନୁହେଁ, ଉପଯୁକ୍ତ ଲୋକଙ୍କୁ ଏ ଗୁରୁତ୍ୱ ବିଷୟରେ ପୁସ୍ତକ ରଚନା କରିବାର ବାଟ ଦେଖାଇଲେ । ଭାଷା ଶିକ୍ଷାର ମହମତ ଉପକାର ତାଙ୍କଦ୍ୱାରା ସାଧିତ ହେଲା ।’’

 

ସମକାଳୀନ ଋଷିକବି ଓ ପିଲାଙ୍କ ପଢ଼ାବହିର ଜନ୍ମଦାତା ମଧୁସୂଦନ ରାଓ ଥିଲେ ଜଣେ ଶିଶୁପୁସ୍ତକ ଲେଖକଙ୍କ ମଧ୍ୟରେ ସର୍ବାଧିକ ଶିଶୁପାଠ୍ୟ ପୁସ୍ତକ ରଚନା କରି ‘ଉତ୍କଳର ବିଦ୍ୟାସାଗର’ ଏବଂ ଭକ୍ତକବି ଭାବରେ ପରିଚିତ ଥିଲେ । ରାଜା ରାମମୋହନ ରାୟଙ୍କ ପ୍ରବର୍ତ୍ତିତ ବ୍ରାହ୍ମୋଧର୍ମରେ ଦୀକ୍ଷିତ ହେବା ଫଳରେ ତାଙ୍କର ସମସ୍ତ ଚିନ୍ତା, ଚେତନା ଓ ରଚନା, ‘ଅମୃତ-ଆଲୋକ,-ଅନନ୍ତ’କୁ ସ୍ପର୍ଶ କରିଥିଲା । ତାଙ୍କର ବର୍ଣ୍ଣବୋଧ-ଶିଶୁବୋଧ-ବାଳବୋଧ, ସାହିତ୍ୟକୁସୁମ, ସାହିତ୍ୟ ପ୍ରସଙ୍ଗ, ପ୍ରବନ୍ଧମାଳା ଆଦି ପୁସ୍ତକ ଦୀର୍ଘ ଦିନ ଧରି ବିଭିନ୍ନ ଶ୍ରେଣୀରେ ପାଠ୍ୟପୁସ୍ତକ ଭାବରେ ଅଖଣ୍ଡ ଆଧିପତ୍ୟ ଜାହିର କରି ପାରିଥିଲା । ତାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନିତ ଜ୍ଞାନବିଜ୍ଞାନ, ନୀତିଶିକ୍ଷା, ଜୀବନୀମୂଳକ ରଚନା ଗୁଡ଼ିକରେ ଇଂରାଜୀ, ସଂସ୍କୃତି, ବଙ୍ଗଳା ଭାଷାର ପ୍ରଭାବ ପରିଲକ୍ଷିତ ହୋଇଥାଏ । ସେ ବହୁ ସଂସ୍କୃତ ଓ ଇଂରାଜୀ କାବ୍ୟଗ୍ରନ୍ଥ ପଢ଼ି ତାହାର ନିର୍ଯାସକୁ, ଚିପୁଡ଼ି ନିଜ ପାଠ୍ୟ ପୁସ୍ତକର ଗଦ୍ୟ ବା ପଦ୍ୟ ଆକାରରେ ପରିବେଷଣ କରିଛନ୍ତି । କବି ବାଲ୍ମୀକି, ଭାସ, ଭବଭୂତି ଇଂରେଜ ବିଦ୍ୱାନ୍, ରସ୍‌କିନ୍, ଇମର୍‌ସନ, ମାର୍ଟିନୋ, ଭିକ୍ଟୋର ହ୍ୟୁଗୋ, ବାଇରନ୍, ସେକ୍‌ସପିୟର, ଓ୍ୱାର୍ଡସ୍‌ଓ୍ୱାଥର୍ଙ୍କ କାବ୍ୟ ନାଟକ ପାଠକରି ବିଦ୍‌ବତ୍ତା ଲାଭ କରିଥିଲେ । ବଙ୍ଗଳାର ହେମଚନ୍ଦ୍ର, ବିଦ୍ୟାସାଗର, ନବୀନଚନ୍ଦ୍ର, ମାଇକେଲ ମଦୁସୁଦନ ଦତ୍ତ ତଥା ଉତ୍କଳୀୟ ସାଧକ କବି ଜଗନ୍ନାଥ ଦାସ, ବଳରାମ, ସାରଳାଦାସଙ୍କ ରଚନାଦ୍ୱାରା ପ୍ରଭାବିତ ହୋଇଥିଲେ । ତାଙ୍କର ବିରଚିତ ଉଚ୍ଚାଙ୍ଗ କବିତାଗୁଡ଼ିକ ମଧ୍ୟରେ ଋଷିପ୍ରାଣେ ଦେବାବତରଣ ବରଣ’ ହିମାଳୟେ ଉଦୟ ଉତ୍ସବ’, ନଦୀପ୍ରତି, ଶଙ୍ଖଧ୍ୱନି, ଶ୍ମଶାନ, ଆକାଶପ୍ରତି, ଜୀବନଚିନ୍ତାରେ ବେଦ, ଉପନିଷଦ, ମହାଭାରତ, ରାମାୟଣ, ଗୀତାର ପ୍ରଭାବ ସୁସ୍ପଷ୍ଟ ।

 

ଖ୍ରୀ. ୧୯୦୭ (ମୃତ୍ୟୁ ୧୯୧୨)ରେ ଉତ୍ତର ରାମଚରିତ (ବାଳରାମାୟଣ) ଅନୁବାଦ କରି ନିଜର କଳାକୌଶଳର ପ୍ରମାଣ ଦେଇଛନ୍ତି ।

 

ଉତ୍କଳଦର୍ପଣ (ଦେ’ପ୍ରେସ) ବାଲେଶ୍ୱରରୁ ପ୍ରକାଶିତ ତାଙ୍କର ଅନୂଦିତ ଲେଖାର ଏଠାରେ ବିବରଣ ଦେବା ସମୁଚିତ ମନେ ହୁଏ ।

 

୧)

ଚନ୍ଦ୍ର ଓ ତାରା (ଉପନ୍ୟାସ) M.Culloch’s Course of reading ରୁ ।

୨)

ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ (Soliloque of Alexander Selkirk.)

୩)

ସୂର୍ଯ୍ୟ (Herschel’s Popular Lecture of science.)

୪)

ରାଣୀ ଦୁର୍ଗାବତୀ (Eliot’s History of India Vol-vi)

୫)

ଲିସ୍‌ବନ ଭୂମିକମ୍ପ (Penny Magazineରେ ବର୍ଣ୍ଣିତ ପ୍ରତ୍ୟକ୍ଷ ବିବରଣୀ)

୬)

ବୁଦ୍ଧଦେବ (Maxmullar’s Chips from a German’s Workshop)

୭)

ସାର୍ ଆଇଜାକ୍ ନିଉଟନ୍ (Chamber’s Biography)

୮)

ଆଗ୍ନେୟଗିର/ବାୟୁରାଶି (British Quarterly Review)

୯)

ନେପୋଲିୟନ (The Nepolion)

୧୦)

ଉଲ୍‌କାପିଣ୍ଡର (Museum Scienceରୁ)

 

ମଧୁସୂଦନ କିଶୋରାବସ୍ଥାରୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ସହିତ ଅନୁବାଦ କ୍ରିୟା ଆରମ୍ଭ କରି, ଶେଷକୁ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ପ୍ରମାଣ ଦେଇଥିଲେ । ଜଣେ ସଫଳ ଅନୁବାଦକ ଏବଂ କୃତବିଦ୍ୟ ଶିଶୁପାଠ୍ୟପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଧର୍ମ, ସାହିତ୍ୟ, ସଂସ୍କୃତି, ଆଚାର ବିଚାର-ଜ୍ଞାନବିଜ୍ଞାନ ମୂଳକ ରଚନାଗୁଡ଼ିକ ବିଦ୍ୟାଳୟର ସୀମା ସରହଦ ଟପି ସାଧାରଣ ପାଠକଙ୍କୁ ବିମୁଗ୍ଧ କରିଥିଲା । କେବଳ ଭାବାନୁବାଦ, ଅନୁସରଣ କିମ୍ବା ଛାୟାବାଦ ନୁହେଁ, ବ୍ରାହ୍ମଦର୍ଶନ ଓ ବେଦାନ୍ତ ମର୍ମବାଣୀକୁ ସ୍ୱକୀୟ ଲେଖନୀରେ ଏପରି ମର୍ମସ୍ପର୍ଶୀ ରୂପ ଦେଇଥିଲେ ଯେ ତାହା ଚିରନ୍ତନ ସୃଷ୍ଟି ଭଳି ମନେହୁଏ । ସେଗୁଡ଼ିକ ମଧ୍ୟରେ ଜୀବେଦୟା, ସତ୍ୟବ୍ରତ, ବିଦ୍ୟା, କୁଶଳତା, ନୀତିରତ୍ନମାଳା ସବୁକିଛି ପ୍ରାଚୀନ ନୀତିଶାସ୍ତ୍ର, ଆପ୍ତବାକ୍ୟ ପରିପୁଷ୍ଟ । ତାଙ୍କର ପିଲାଙ୍କ ବହିରେ ଅନେକ ଗଳ୍ପ, ପ୍ରବନ୍ଧଗୁଡ଼ିକ ଇଂରାଜୀ, ସଂସ୍କୃତ, ଇଶପ୍‌ କାହାଣୀର ରୂପାନ୍ତର । ଯଥା- ତିନୋଟି ମାଛକଥା, ଶୃଗାଳର ଲୋଭ, ସାର୍ ଫିଲିପ୍‌ସ ସିଡ୍‍ନି, କୁଠାର ଓ ଜଳଦେବତା, ବ୍ୟାଧ ଓ କପୋତ କଥା, ମାଙ୍କଡ଼ କୁମ୍ଭୀର କଥା, କୁକୁର ଓ ପ୍ରତିବିମ୍ବ, ଧର୍ମବୁଦ୍ଧି, ସିକନ୍ଦର ଓ ଅସଭ୍ୟରାଜା, ହାତୀ ବିଲୁଆ ଓ ମୂଷା, ଆନ୍ଦ୍ରେକ୍ଲିସ୍ ଓ ସିଂହ ଇତ୍ୟାଦି । ସେ ବିଜ୍ଞାନର ଛାତ୍ର ନ ଥିଲେ । ମାତ୍ର ପଶୁପକ୍ଷୀଙ୍କ ଶରୀର ଗଠନ, ଖାଦ୍ୟପେୟ, ବିବରଣ ସମ୍ବନ୍ଧରେ ପିଲାଙ୍କୁ ମୌଳିକ ଜ୍ଞାନ ପ୍ରଦାନ କରିଥିଲେ । ଯଥା–ଗୋରୁ, ମାଜାରି ବଂଶ, ହାତୀଗଣ୍ଡା, ବାୟୁ, ସୂର୍ଯ୍ୟ, ଜଳରାଶି, ବାଉଁଶ, ପେଶି, ଗତି ଧାନଚାଷ ଇତ୍ୟାଦି । ପିଲାଙ୍କ ମନକୁ ଚିରାଚରିତ ଗୋପୀଭାଷାରୁ ଉଠାଇ ଆଣି ଜ୍ଞାନବିଜ୍ଞାନ ଜଗତ ସହିତ ଯୋଡ଼ିଦେଲେ । ତାଙ୍କର ବସନ୍ତଗାଥା ପୁସ୍ତକରେ ସ୍ଥାନିତ ‘ପାପୀରତ୍ରାସ’ କବିତାଟି ଗୋଟେଙ୍କ ‘ଫାଉଷ୍ଟ’ ନାଟକରେ ବର୍ଣ୍ଣିତ ସଇତାନ୍ ବା ପାପୀ ମଣିଷ ସହିତ ତୁଳନୀୟ । ଚାଣକ୍ୟଙ୍କ ନୀତିବାଣୀର ସହିତ ତାଙ୍କର ଧର୍ମ କବିତାର କିପରି ସାମଞ୍ଜସ୍ୟ ଅଛି ଦେଖନ୍ତୁ-

 

ଚାଣକ୍ୟ

ଅନିତ୍ୟାନ ଶରୀରାଣି ବିଭବ ନୈବଶାଶ୍ୱତ

 

ନିତ୍ୟ ସନ୍ନିହିତୋ ମୃତ୍ୟୁ, କର୍ତ୍ତବ୍ୟ ଧର୍ମସଂଗ୍ରହ’

 

 

ମଧୁସୂଦନ

ବାଲ୍ୟକାଳୁ ଧର୍ମ ଧନମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ

 

କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ ।

 

 

 

ସେହିପରି ତାଙ୍କର ‘ଜନ୍ମମରଣ’ କବିତାଟି ସନ୍ଥକବୀରଙ୍କ ବାଣୀ ସହିତ ସାଦୃଶ୍ୟ ରହିଛି ।

କବୀର

ଜବ୍‌ତୁ ଆୟା ଜଗତ୍‌ ମେଁ/ ଲୋକ ହସେ ତୁ ରୋୟା

 

ଓସି କର୍‌ଣୀ କର୍‌ଚଲୋ/କେ’ ତୁ ହସେ ଜଗ୍‌ ରୋୟା

 

 

ମଧୁସୁଦନ

ଜନନୀ ଗର୍ଭୁ ଯେଉଁ କ୍ଷଣି/ ଜନ୍ମି ଛୁଇଁଲୁ ଏ ଧରଣୀ

 

ତୁମ୍ଭକୁ ନେଇ ହର୍ଷଭରେ/ହସିଲେ କେତ ନାରୀନରେ

 

ବୁଜିବୁ ଅନ୍ତେ ବେନିଡ଼ୋଳେ/ କିନ୍ତୁ କାନ୍ଦିବେ ମହାରୋଳେ

 

ମୂଳକଥାବସ୍ତୁ ଓ ଭାବକୁ ଅକ୍ଷୁର୍ଣ୍ଣ ରଖି ନିଜର ନିର୍ବାଚିତ ଶବ୍ଦ ସଂଯୋଜନାରେ ସେ ଯେଉଁ ଅନୁବାଦ କରିଛନ୍ତି, ତାହାର ମର୍ଯ୍ୟାଦା ମୌଳିକ ରଚନାଠାରୁ ଅଧିକ ।

 

ଉଇଲିୟମ କାଉପର

Oh Soliture, where are thy Charm

 

Those sages, have sun thy faces.

 

 

ମଧୁସୁଦନ

ନିର୍ଜନତା କାହିଁ ତୋ ବେଶ ମୋହନ

 

ଯେ ବେଶେ ମୋହିଲୁ ତୁ ମୁନି ନୟନ

 

ବିଂଶ ଶତାବ୍ଦୀର ପ୍ରଥମ ତିନି ଦଶକରେ ଅନୁବାଦ, ଅନୁସରଣ, ମର୍ମାନୁବାଦ ଓ ଛାୟାରେ ଅନେକ ଶିଶୁ ଉପଯୋଗୀ ଗଦ୍ୟପଦ୍ୟ ରଚିତ ହୋଇଥିଲା । ସେଗୁଡ଼ିକର ସଂଗ୍ରାହକ ଓ ଅନୁବାଦକ ଥିଲେ–ଗୋପାଳ ଚନ୍ଦ୍ର ପ୍ରହରାଜ, ମୃତ୍ୟୁଞ୍ଜୟ ରଥ, ଗୋପୀନାଥ ନନ୍ଦଶର୍ମା, ଚନ୍ଦ୍ରନାଥ ରାୟ, ଦାମୋଦର ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ଚକ୍ରଧର ମହାପାତ୍ର । ଏହି ସମୟରେ ବିଶ୍ୱବିଖ୍ୟାତ ଲେଖଙ୍କର ଶ୍ରେଷ୍ଠ କୃତିକୁ ସଂକ୍ଷିପ୍ତ କରାଯାଇ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା । ସଂସ୍କାରକ ବିଶ୍ୱନାଥ କର ନିଜ କନ୍ୟାଙ୍କଦ୍ୱାରା ଟଲଷ୍ଟୟଙ୍କ କାହାଣୀ ସବୁ ଅନୁବାଦ କରାଇ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ କରିଥିଲେ ।

 

ସତ୍ୟବାଦୀ ଯୁଗର ଅନୁବାଦକ : ସତ୍ୟବାଦୀ ଯୁଗର ଦୁଇଜଣ ସାରସ୍ୱତ ରଥୀ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଓଡ଼ିଆ ଅନୁବାଦ ସାହିତ୍ୟକୁ ସକଳ ଓ ପ୍ରାଣବନ୍ତ କରିଛନ୍ତି । ବିଖ୍ୟାତ ଇଂରାଜୀ ଓ ଫରାସୀ ଉପନ୍ୟାସ ଛାୟାରେ ଗୋଦାବରୀଶ ମିଶ୍ର, ଅଭାଗିନୀ (୧୯୧୭) ଉପନ୍ୟାସ ଏଫ୍ ହରମାନ୍‌ଙ୍କ କାଶାବିଏଙ୍କା କବିତାକୁ ଅନୁବାଦ କରି ଅମର ବାଳକ ଶିରୋନାମରେ ନିଜ ପାଠ୍ୟପୁସ୍ତକରେ ସ୍ଥାନ ଦେଲେ । ଇଂରାଜୀର The Child griefକୁ ଗୋଦାବରୀଶ ମିଶ୍ର ଓ ନନ୍ଦକିଶୋର ବଳଙ୍କ ଶିଶୁର ପ୍ରଥମ ଶୋକ, ନାମରେ ଅନୁବାଦ କଲେ । ଗୋଦାବରୀଶ ମିଶ୍ରଙ୍କ ଲେଖାଟି ଆକୁଳି ମିଶ୍ରଙ୍କର ‘ସାହିତ୍ୟଶିକ୍ଷା ଓ ନିଜର ‘ପାଠ ପ୍ରବେଶ’ ବହିରେ ସ୍ଥାନିତ ହୋଇଛି । ନୀଳକଣ୍ଠ ଦାସଙ୍କ ଅନୁବାଦ କୁଶଳତା ପ୍ରଶଂସନୀୟ ତାଙ୍କର ରଚନାଗୁଡ଼ିକ ଆହରଣଧର୍ମୀ । ଉପନିଷଦ୍‌ଠାରୁ ଟେନିସନ୍‌ ଯାଏ ଦିଗନ୍ତ ବିସ୍ତାରୀ । P.B. Shalleyଙ୍କ କବିତା ‘Song to the Man of England.’ ର ଅନୁବାଦ ‘ଚଷାପୁଅ’, ସତ୍ୟବାଦୀରେ ପ୍ରକାଶିତ । ଏହି କ୍ରମେ କୃଷ୍ଣଚନ୍ଦ୍ର କର ସଂସ୍କୃତ ଓ ଇଂରାଜୀରୁ ଅନୁବାଦ କରି ସପନ ରାଇଜ’, କୁହୁକ ରାଇଜ ଭଳି ଛାୟାଶ୍ରିତ ଗଳ୍ପ ଲେଖିଛନ୍ତି ।

 

ପାଠ୍ୟପୁସ୍ତକ ଜାତୀୟକରଣ ହେବା ପୂର୍ବରୁ ପ୍ରାକ୍ ସ୍ୱାଧୀନ କାଳରେ ବହୁ ଲେଖକ ଓ ପ୍ରକାଶକମାନଙ୍କ ମଧ୍ୟରେ ଥିଲେ ବାଳକୃଷ୍ଣ କର, ଶ୍ରୀଧର ବାସ, କୃଷ୍ଣଚନ୍ଦ୍ରକର, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଆକୁଳି ମିଶ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଉଦୟ ନାଥ ଷଡ଼ଙ୍ଗୀ, ରାମକୃଷ୍ଣ ନନ୍ଦ, ଉପେନ୍ଦ୍ର ତ୍ରିପାଠୀ, ବୀର କିଶୋର ଦାସ । ସେମାନେ ସମସ୍ତେ ଅନୁବାଦ ଭାବରେ ବହୁ ଇଂରାଜୀ ରଚନାର ଓଡ଼ିଆ ଅନୁବାଦ କରି ଛାପିଲେ । ଯଥା-

 

      

 

ଇଂରାଜୀ

ଓଡ଼ିଆ

ଅନୁବାଦକ

(1)

A blandboy (1936)

Colley gibber

ଅନ୍ଧପିଲା

ସାହିତ୍ୟଶିକ୍ଷା-

(୧୯୩୯)

ଆକୁଳି ମିଶ୍ର

(2)

The Arab & the

Camel EDJA Yates

ବାବାଜୀ ଓ ଓଟ

ବାଳବିନୋଦ (1938)

ଚନ୍ଦ୍ରମଣି ମହାପାତ୍ର

(3)

Golden Toch

Nathaniel How

throne

ଛୁଇଁଲେ ସୁନା (୧୯୪୨)

ପାଠ ସୋପାନ

ରାମକୃଷ୍ଣ ନନ୍ଦ

(4)

The Partners

Reformed

Series (1929)

ଦୁଇମିତ (କବିତା)

ପାଠ ପ୍ରବେଶ

(୧୯୪୨)

ଗୋଦାବରୀଶ ମିଶ୍ର

 

ସ୍ୱାଧୀନତା ପାଇଁ ଆନ୍ଦୋଳନ ଚାଲିଥିବା ଅବସରରେ ସମଗ୍ର ଦେଶରେ ବିପୁଳ ଜାଗରଣ ସୃଷ୍ଟି ହୋଇଥିଲା । ବିଶିଷ୍ଟ ଜନନାୟକ ମହାତ୍ମାଗାନ୍ଧି/ନେହରୁ, ତିଳକ ଗୋଖଲେ, ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ବାଣୀ ଓଡ଼ିଶାରେ ପ୍ରଚାରିତ ହେବା ଫଳରେ, ଏହା ସମସ୍ତଙ୍କୁ ଆକୃଷ୍ଟ କଲା-। ସେହି ସମୟ ମଧ୍ୟରେ ଓଡ଼ିଶାର କେତେଗୋଟି ପୁସ୍ତକ ପ୍ରକାଶକ ଆନ୍ତର୍ଜାତିକ ଲେଖକଙ୍କ ପୁସ୍ତକଗୁଡ଼ିକର ସଂକ୍ଷିପ୍ତ ଓ ମର୍ମାନୁବାଦ କରାଇ ପ୍ରକାଶ କରିବାରୁ ଏହା ଛାତ୍ରଠାରୁ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କଦ୍ୱାରା ଆଦୃତ ହୋଇଥିଲା । (ସେହି ଅନୂଦିତ ପୁସ୍ତକଗୁଡ଼ିକ ଥିଲା ନାମଜାଦ ଲେଖକଙ୍କର-। ଯଥା–ପର୍ଲ.ଏସ୍.ବକ୍, ବର୍ଣ୍ଣାଡ ଶ, ରୋମାଁରୁଲା, କାମ୍ୟୁ, ସାର୍ତ୍ତେ, ଏଲିଅଟ୍, ଡିକେନ, ଶରତଚନ୍ଦ୍ର, ବୋରିସ, ପାଷ୍ଟନାକ ଗର୍କି, ରବୀନ୍ଦ୍ରନାଥ, ଆଦି ପ୍ରଚଣ୍ଡ ପ୍ରତିଭା ଲେଖକଙ୍କର । ଏ ସମ୍ପର୍କରେ ଉଦୟନାଥ ଷଡ଼ଙ୍ଗୀଙ୍କର ଅଙ୍କଲ୍ ଟମସ୍ କ୍ୟାବିନ୍‌ର ଅନୁବାଦ ପୁସ୍ତକ’ ଟମକକାଙ୍କ କୁଟୀର, ରାମକୃଷ୍ଣ ନନ୍ଦଙ୍କର ଡନ୍‌କୁସ୍ତି (Don Quixto) ଲୋକପ୍ରିୟତା ଲାଭ କରିଥିଲା ।

 

ବିଂଶ ଶତାବ୍ଦୀର ତୃତୀୟ ଦଶକରୁ ଅନୁବାଦ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବା ସହିତ ଏହାଭାବ ଓ ଭାଷାର (Sandard) ରକ୍ଷା ଦିଗରେ ପ୍ରଯତ୍ନ କରାଯାଇଛି । କୃତବିଦ୍ୟ ଅନୁବାଦକଗଣ ଅଧିକରୁ ଅଧିକ ବିଶ୍ୱସାହିତ୍ୟରୁ ଅନୁବାଦ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସାହିତ୍ୟ ଏକାଡ଼େମୀ ନ୍ୟାସନାଲ, ବୁକ୍ ଟ୍ରଷ୍ଟ ତଥା କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ଓ ପ୍ରୋତ୍ସାହନ ବ୍ୟବସ୍ଥା ଯୋଗୁଁ ଅନୁବାଦକଗଣଙ୍କ ଆଗ୍ରହ ବୃଦ୍ଧି ପାଇଥିଲା । ଏହା ସ୍ୱାଧୀନତା ପରବର୍ତ୍ତୀ କାଳର କଥା ।

 

ଶିଶୁ ସାହିତ୍ୟ କ୍ଷେତ୍ରରେ ଅନୁବାଦକର ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ଦେଶବିଦେଶର କଥା ଓ ପ୍ରଥା ଜାଣିବାକୁ ପିଲାମାନେ କୌତୁହଳୀ ହୋଇ ଥାଆନ୍ତି ଆନ୍ତର୍ଜାତୀୟ ଘଟଣା ସମ୍ବନ୍ଧିତ ଦୁଃସାହସିକ କାହାଣୀ ଓ ଭ୍ରମଣ କାହାଣୀକୁ ପିଲାମାନଙ୍କୁ ନିଜ ଭାଷାରେ ଅନୁବାଦ କରି ପରିବେଷଣ କରିବାବେଳେ ଶିଶୁ ଉପଯୋଗୀ ଉପଯୁକ୍ତ ଶବ୍ଦଚୟନ ଓ ତାକୁ ସରଳ ସୁବୋଧ ଢଙ୍ଗରେ ପ୍ରକାଶ ପାଇଁ ସତର୍କତା ଲୋଡ଼ା । ଅବଶ୍ୟ ଆଜିକାଲି ବିଜ୍ଞାନମୂଳକ ପୁସ୍ତକକୁ ମାତୃଭାଷାରେ ଅନୁବାଦ ପାଇଁ ପାରିଭାଷିକ (Technological Term) ଶବ୍ଦକୋଷ ପ୍ରକାଶ ପାଇବା ପରେ ଅନୁବାଦ କାର୍ଯ୍ୟ ସହଜ ହୋଇପାରିଛି । ଆଉଥରେ ସ୍ପଷ୍ଟ କରିଦିଆ ଯାଉଛି ଯେ, ଅନୁବାଦ ଏକ କ୍ଳେଶପୂର୍ଣ୍ଣ କାର୍ଯ୍ୟ, ଶିଶୁମାନଙ୍କ ପାଇଁ ଏ କ୍ଷେତ୍ରରେ ଆହୁରି ସତର୍କତା ଲୋଡ଼ା । ଅନ୍ୟର ଫୁଟପ୍ରିଣ୍ଟ ଉପରେ ପାଦଥାପି ଚାଲିବାର ସ୍ୱାଧୀନତା କମ୍ ସତର୍କତା ଢେର, ବେଶିଥାଏ । ଆଧୁନିକ ଶିଶୁସାହିତ୍ୟର ପ୍ରାରବ୍‍ଧ କାଳରେ ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଭାଷା ସହିତ ଏକଦା ଜଡ଼ିତ ଥିଲା, ଏଥିରେ ଦ୍ୱିମତ ନାହିଁ । ଆଜି ଶିଶୁ ସାହିତ୍ୟର ମୌଳିକ ରଚନାର ଅଭାବ ନାହିଁ । ମାତ୍ର ବିଶ୍ୱର ଲୋକକଥା, ଦୁଃସାହସିକ କାହାଣୀ ଓ ଭ୍ରମଣବୃତ୍ତାନ୍ତ ଜାଣିବାକୁ ପିଲାଙ୍କ ମଧ୍ୟେର ଆଗ୍ରହ ବୃଦ୍ଧି ପାଇଛି । ତେଣୁ ପିଲାଙ୍କର କୌତୁହଳ ଅପନୋଦନ ପାଇଁ ବିଶ୍ୱସାହିତ୍ୟ ଓ ଅନ୍ୟଭାଷାର ଶିଶୁଉପଯୋଗୀ ବିଷୟ ଚୟନ ସହିତ ସରଳସୁବୋଧ ଶୈଳୀରେ ଏହି ଅନୁବାଦ କାର୍ଯ୍ୟଟିକୁ ସମ୍ପନ୍ନ କରିବା ଉଚିତ୍ ।

 

ସହାୟକ ଗ୍ରନ୍ଥସୂଚୀ

୧)

ଓଡ଼ିଆ ଶିଶୁସାହିତ୍ୟର ସାମାଜିକ ପୃଷ୍ଠଭୂମି ମହାନ୍ତି ଡକ୍ଟର ମହେଶ୍ୱର, କାହାଣୀ, କଟକ-୩

୨)

ଓଡ଼ିଆ ଶିଶୁ ସାହିତ୍ୟର ଉନ୍‌ମେଷ ଓ ବିକାଶ ମହାନ୍ତି ଡଃ ମନୀନ୍ଦ୍ର

୩)

ଓଡ଼ିଆ ଶିଶୁ ସାହିତ୍ୟକୁ ଭକ୍ତକବି ମଧୁସୂଦନ ରାଓଙ୍କ ଅବଦାନ ସାହୁ ଡଃ ଲାବଣ୍ୟଚନ୍ଦ୍ର କାଳିଆ ପବ୍ଲିଶର୍ସ-କଟକ-୧

୪)

ଓଡ଼ିଆ ଶିଶୁଗଳ୍ପର ସ୍ୱରୂପ ଓ ବିକାଶ ନାୟକ ଡଃ କୃତ୍ତିବାସ-ଅରୁଣ ତରୁଣ- କଟକ-୧

୫)

ମଧୁସୁଦନ/ରାଧାନାଥ/ନୀଳକଣ୍ଠ/ଫକୀର ମୋହନ ଗ୍ରନ୍ଥାବଳୀ

 

 

ପ୍ରବନ୍ଧ ଓ ପତ୍ରିକା

୬)

ଓଡ଼ିଆ ଅନୁବାଦ ସାହିତ୍ୟ, ମହାନ୍ତି ଲକ୍ଷ୍ମୀ ନାରାୟଣ–କୋଣାର୍କ ୨/୧୯୭୧

୭)

ଶିଶୁ ସାହିତ୍ୟ ଗତି ଓ ପ୍ରକୃତି ବେହେରା ଡଃ କୃଷ୍ଣଚରଣ କୋଣାର୍କ ୪୪ଶହ-୧୯୮୧

୮)

ଅନୁବାଦ ସାହିତ୍ୟ ଏକ ସମୀକ୍ଷା, ଦାସ ଚିତ୍ତରଞ୍ଜନ–କୋଣାର୍କ ୬୬ଶ/୧୯୮୮

୯)

ଉଦୟନାଥ ଷଡ଼ଙ୍ଗୀ ଓ ରାମକୃଷ୍ଣ ନନ୍ଦଙ୍କର ଓଡ଼ିଆ ଶିଶୁକିଶୋର ସାହିତ୍ୟକୁ ଅବଦାନ ମହାନ୍ତି ଡଃ ଜଗନ୍ନାଥ–କୋଣାର୍କ ୯୦/୧୯୯୩

୧୦)

ଓଡ଼ିଆ ଶିଶୁ ସାହିତ୍ୟର ପୁରୋଦୃଷ୍ଟି ସାହୁ ଡଃ ଲାବଣ୍ୟଚନ୍ଦ୍ର, ସହକାର- କଟକ

 

 

ଶ୍ରୀବସ୍ତୀ

୩୫, ବସନ୍ତ ବିହାର

ବ୍ରହ୍ମେଶ୍ୱର ମନ୍ଦିର ମାର୍ଗ ଭୁବନେଶ୍ୱର–୧୮

ମୋ: ୮୮୯୫୪୮୭୧୬୨

 

***